ଆଣବିକ ଶକ୍ତି ସଂପନ୍ନତା କେତେ ଜରୁରୀ?

ଚିତ୍ତରଞ୍ଜନ ଚିରଞ୍ଜିତ

ଏହି ଲେଖା ପ୍ରସ୍ତୁତ କଲା ବେଳେ ହଠାତ୍‌ ଫେସ୍‌ବୁକ୍‌ର ଏକ ପୋଷ୍ଟ ଉପରେ ନଜର ପଡ଼ିଲା। ସେହି ପୋଷ୍ଟର ଭାବାର୍ଥ ଥିଲା: ‘ଧରି ବସିଥିଲି ପରମାଣୁ; ଏବେ ଭୟ ଦେଖାଉଛି ଭୂତାଣୁ।’ ଏହାର ଅର୍ଥ ବେଶ୍ ବୋଧଗମ୍ୟ। ଶତ୍ରୁ ପକ୍ଷର ମୁକାବିଲା କରିବା ପାଇଁ ଆମ ନିକଟରେ ପରମାଣୁ ବୋମା ଅଛି, ହେଲେ ଏବେ ଭୂତାଣୁ ଆମକୁ (ବିଶ୍ବକୁ) ଏମିତି ଡରାଉଛି ଯେ ଆମେ ତ୍ରାହି ତ୍ରାହି ଡାକୁଛୁ।

‘ପରମାଣୁ’ କଥା ଯେତେବେଳେ ଉଠିଛି, ମନେପ‌ଡେ ଯେ ଭାରତ ତା’ର ଦୁଇ ଆଣବିକ ପରୀକ୍ଷଣ ପୋଖରାନ୍‌-୧ ଓ ପୋଖରାନ୍‌-୨ ଏହି ମଇ ମାସରେ ହିଁ କରିଥିଲା। ୧୯୭୪ ମସିହା ମଇ ୧୮ ତାରିଖରେ ହୋଇଥିଲା ଦେଶର ପ୍ରଥମ ଆଣବିକ ପରୀକ୍ଷଣ ଏବଂ ୧୯୯୮ ମସିହା ମଇ ୧୧ ଓ ୧୩ ତାରିଖରେ ହୋଇଥିଲା ଦ୍ବିତୀୟ ପରୀକ୍ଷଣ। ସେହି ପରିପ୍ରେକ୍ଷୀରେ ଏହି ମାସ ଦୁଇଟି ଯାକ ଆଣବିକ ପରୀକ୍ଷଣର ବର୍ଷ ପୂର୍ତ୍ତି ପାଳିତ ହେଉଥିବା ବେଳେ ପ୍ରଶ୍ନ ଉଠେ ଯେ ଏଥିରୁ ଆମକୁ ମିଳିଛି କ’ଣ?

ଭାରତ ଆଣବିକ ଶକ୍ତି ସଂପନ୍ନ ହୋଇଥିଲେ ମଧ୍ୟ ଆମ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଜାଣେ ଯେ ଭାରତ କଦାପି ଅଣୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ। ସୁତରାଂ, ତା’ ପକ୍ଷରୁ ଭାରତ ଉପରେ ଉଭୟ ପ୍ରକାଶ୍ୟ ଓ ପ୍ରଚ୍ଛନ୍ନ ଆକ୍ରମଣ ଜାରି ରହିଛି। ଦ୍ବିତୀୟ ଆଣବିକ ପରୀକ୍ଷଣର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୯୯୯ ମସିହା ମଇ ମାସରେ ପାକିସ୍ତାନ ସହ ଭାରତକୁ କାର୍‌ଗିଲ୍‌ ଯୁଦ୍ଧରେ ଯୁଝିବାକୁ ପଡ଼ିଲା। ଏହାର ୧୦ ବର୍ଷ ପରେ ମୁମ୍ବାଇ ଉପରେ ଏକ ଅତ୍ୟନ୍ତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେଲା। ତା’ ପରେ ‘ଉରି’ ଠାରୁ ଆରମ୍ଭ କରି ‘ପୁଲୱାମା’ ପର୍ଯ୍ୟନ୍ତ ଅନେକ ଆତଙ୍କବାଦୀ ଆକ୍ରମଣ ଭାରତ ଉପରେ ହୋଇସାରିଲାଣି। ସୁତରାଂ, ଏହା ସୂଚାଇ ଥାଏ ଯେ ଭାରତର ଆଣବିକ ଶକ୍ତି ସଂପନ୍ନତା ପାକିସ୍ତାନକୁ ଭୟଭୀତ କରାଇ ପାରିନାହିଁ। ବରଂ, ଭାରତର ଆଣବିକ ଶକ୍ତି ସକ୍ଷମତା ହେତୁ ପାକିସ୍ତାନ ମଧ୍ୟ ଗୋଟିଏ ଜିଦ୍‌ରେ ନିଜେ ଏକ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ରରେ ପରିଣତ ହୋଇଯାଇଛି। ଆଉ ଶାନ୍ତିପୂର୍ଣ୍ଣ ଭାବେ ଆଣବିକ ଶକ୍ତିର ପ୍ରୟୋଗ କଥା ଉଠିଲେ ଦେଖାଯାଏ ଯେ ଏହି କ୍ଷେତ୍ରରେ ମଧ୍ୟ ଭାରତ ବିଶେଷ ଅଗ୍ରଗତି ହାସଲ କରିପାରିନାହିଁ। ଆଣବିକ ଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ କରିବାରେ ଭାରତ ଏ ଯାବତ୍‌ ଆଖିଦୃଶିଆ ସାଫଲ୍ୟ ହାସଲ କରିପାରିନାହିଁ।

ଅନେକ କହନ୍ତି ଯେ ଆର୍ଥିକ ଦୁଃସ୍ଥିତି ମଧ୍ୟ ଦେଇ ଗତି କରୁଥିବା ଏକ ଦେଶରେ ପରମାଣୁ ପରୀକ୍ଷଣ ହୁଏ’ତ ଏକ ଉଚିତ ନିଷ୍ପତ୍ତି ନୁହେଁ। ଅତ୍ୟଧିକ ମାନବବାଦୀଙ୍କ ଯୁକ୍ତି ହେଉଛି ଏହା ଆମ ଜାତୀୟ ଚେତନାର ପରିପନ୍ଥୀ ଯାହା ‌ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ସହାବସ୍ଥାନର ବାର୍ତ୍ତା ସମଗ୍ର ବିଶ୍ବକୁ ପ୍ରେରଣ କରିଥାଏ। କିନ୍ତୁ, ଅପର ପକ୍ଷରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଦେଖିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଭିନ୍ନ ମତ ପୋଷଣ କରିଥାଆନ୍ତି। ଭାରତୀୟ ପ୍ରତିରକ୍ଷା ବ୍ୟାପାର ବିଶେଷଜ୍ଞ କେ. ସୁବ୍ରମଣ୍ୟମ୍‌ଙ୍କ ମତରେ ଆଣବିକ ଅସ୍ତ୍ରଶସ୍ତ୍ର କୌଣସି ସାଧାରଣ ସାମରିକ ଅସ୍ତ୍ରଶସ୍ତ୍ର ନୁହେଁ। ବିଶ୍ବର ପ୍ରତିରକ୍ଷା ବ୍ୟବସ୍ଥା ଓ ପତିଆରାରେ ଭାରତ ଯେ ଅନ୍ୟତମ ଖେଳାଳି, ଏହା ଭାରତ ଆଣବିକ ପରୀକ୍ଷଣ ଜରିଆରେ ପ୍ରତିପାଦନ କରିପାରିଛି।

ରାଜନୈତିକ ବିଶାରଦମାନେ କହନ୍ତି ଯେ ଦୁଇଟି ଯାକ ଆଣବିକ ପରୀକ୍ଷଣ କ୍ଷେତ୍ରରେ ତତ୍କାଳୀନ ଭାରତ ସରକାର ନିଜ ସପକ୍ଷରେ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ତାହା କରିଥିଲେ। ଏଭଳି ପରୀକ୍ଷଣ ଦ୍ବାରା ଦେଶରେ ଦେଶାତ୍ମବୋଧର ଏକ ଲହରି ଖେଳିଯାଇଥିଲା ଏବଂ ସରକାର ଯେ ଅତ୍ୟନ୍ତ ଦୃଢ଼ ଏଭଳି ଏକ ଧାରଣା ସୃଷ୍ଟି କରିଥିଲା। ପୋଖରାନ-୧ ପରୀକ୍ଷଣ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପୋଖରାନ-୨ ପରୀକ୍ଷଣ ପରେ ଅଟଳ ବିହାରୀ ବାଜ‌େପୟୀ ଗୋଟିଏ ଗୋଟିଏ ଦୁର୍ବଳ କ୍ଷଣରେ ସେମାନଙ୍କ ନିଜ ନିଜ ସ୍ଥିତିକୁ ମଜଭୁତ କରିଥିଲେ। ପୋଖରାନ-୧ ପରେ ଇନ୍ଦିରା ଗାନ୍ଧୀ ଏକକ ନିରଙ୍କୁଶ ହୋଇ ଏହାର କିଛି ଦିନ ପରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ପୋଖରାନ-୨ ପରେ ଅଟଳ ବିହାରୀ ବାଜପେୟୀ ଏକ ଭଙ୍ଗୁରକ୍ଷମ ମେଣ୍ଟ ସରକାରକୁ ବାନ୍ଧି ରଖି ପାରିଥିଲେ।

ଆଣବିକ ଯୁଦ୍ଧର ଘନଘଟା ଆଉ ବିଶ୍ବ କେବେ ବି ଦେଖିବ ନାହିଁ ବୋଲି ସମର ବିଶାରଦମା‌େନ କହି ଥାଆନ୍ତି। କାରଣ ମାନବ ଜାତି ଏହାର ବିପଦର ପ୍ରମାଣ ପାଇ ସାରିଛି। କେବଳ ଆତଙ୍କବାଦୀଙ୍କ ହାତରେ ଏ ଶକ୍ତି ବିପଜ୍ଜନକ ହୋଇପାରେ, କିନ୍ତୁ କୌଣସି ରାଷ୍ଟ୍ର ଏହାର ପ୍ରୟୋଗ କରିବେ ନାହିଁ। ସେହି ଦୃଷ୍ଟିରୁ ଏଭଳି ଏକ ଶକ୍ତି ସଂପନ୍ନତାର କୌଣସି ବ୍ୟାବହାରିକ ମୂଲ୍ୟ ନାହିଁ। ବରଂ କୌଣସି ଏକ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି, ସାଂସ୍କୃତିକ ଅଭ୍ୟୁଦୟ, ସାମାଜିକ ଉତ୍‌ଥାନ ହିଁ ତାର ପ୍ରକୃତ ଶକ୍ତିର ଆଧାର ହେବ। ଏବେ କରୋନା ଭୂତାଣୁ ସଂକ୍ରମଣ ଆମକୁ ଶିଖେଇ ଦେଲାଣି ଯେ ସମଗ୍ର ମାନବ ଜାତି ଲାଗି ବିପର୍ଯ୍ୟୟ ଏଭଳି ଏକ ରୂପରେ ଆସିପାରେ ଯେ ତାର ମୁକାବିଲା କରିବା ଲାଗି ଆଣବିକ ଶକ୍ତି ସଂପନ୍ନତା ଅତ୍ୟନ୍ତ ତୁଚ୍ଛ ମନେ ହୋଇପାରେ।

ଦେଉଳପଡ଼ା, କେନ୍ଦ୍ରାପଡ଼ା
[email protected]

ସମ୍ବନ୍ଧିତ ଖବର