ଐତିହାସିକ ତ୍ରୁଟି ସୁଧାରିବାର ବିପତ୍ତି

ଅରୁଣ ସିହ୍ନା

ହିନ୍ଦୁ ପୁନର୍ଜାଗରଣବାଦୀଙ୍କ ଯୋଗୁଁ ‘ଐତିହାସିକ ତ୍ରୁଟି’ ସାମ୍ପ୍ରତିକ ଖବରମାନଙ୍କରୁ କେବେ ବାଦ୍‌ ପଡୁନାହିଁ। ଆମେ ଏବେ ଜ୍ଞାନବ୍ୟାପି ମସଜିଦ ପାଖରେ ପହଞ୍ଚିଛନ୍ତି, ମାତ୍ର ଶୀଘ୍ର ହେଉ ବା ବିଳମ୍ବରେ, ଆମେ ଅନ୍ୟ ମସଜିଦରେ ନିଶ୍ଚିତ ପହଞ୍ଚିବା। ମଧ୍ୟଯୁଗୀୟ ଭାରତରେ ମୁସଲମାନ ଶାସକମାନେ ମନ୍ଦିରଗୁଡ଼ିକ ଧ୍ବଂସ କରି ହିନ୍ଦୁମାନଙ୍କ ହୃଦୟକୁ ଏପରି ଆଘାତ କରିଥିବା କଥା ଆମକୁ କୁହାଯାଇଛି, ସତେ ଯେମିତି ସେହିସବୁ ମନ୍ଦିରଗୁଡ଼ିକ ଫେରି ନ ପାଇଲା ଯାଏ ଥୟ ଧରି ବସିହେବନି।

ଆମେମାନେ ତା’ହେଲେ କ’ଣ ଠିକ୍‌ ବାଟରେ ଯାଉଛୁ? ହିନ୍ଦୁ ପୁନର୍ଜାଗରଣବାଦୀମାନେ କ’ଣ ଦେଶକୁ ଠିକଣା ଦିଶାରେ ନେଉଛନ୍ତି? ତାହାର ଉତ୍ତର ହେଉଛି ବିରାଟ ‘ନା’। କାରଣ ସେମାନେ ଯେ କେବଳ ଶତାବ୍ଦୀ ଶତାବ୍ଦୀର ଧାର୍ମିକ ସଂହତି ଦୁର୍ଗର ପ୍ରାଚୀରକୁ ଅତି ନିର୍ଦ୍ଦୟ ଭାବରେ ପ୍ରହାର କରି ଚାଲିଛନ୍ତି ତାହା ନୁହେଁ, ସେମାନେ ଦେଶକୁ ତାହାର ବୈଚାରିକ ଶକ୍ତି ଓ ଇତିହାସ ଭାବନା ହରେଇବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି।

ସେମାନଙ୍କ ଦ୍ବାରା ‘ଐତିହାସିକ ତ୍ରୁଟି’ର ପରିଭାଷାକୁ ଲକ୍ଷ୍ୟ କରାଯାଉ। ଏହି ତ୍ରୁଟିଗୁଡ଼ିକ ଅନିବାର୍ଯ୍ୟବଶତଃ ମଧ୍ୟଯୁଗୀୟ ଭାରତରେ ମୁସଲମାନ ଶାସକମାନେ ହିଁ କରିଛନ୍ତି। ମୁସଲମାନ ଶାସକମାନେ ହିନ୍ଦୁ ମନ୍ଦିରଗୁଡ଼ିକ ଧ୍ବଂସ କରିଥିବା କଥାକୁ କେହି ଏବେ ଅସ୍ବୀକାର କରୁନାହାନ୍ତି। ମାତ୍ର ଭାରତୀୟ ଇତିହାସରେ କେବଳ ସେମାନେ କ’ଣ ଉପାସନା ପୀଠଗୁଡ଼ିକୁ ଧ୍ବଂସ କରିଥିଲେ? ଭାରତରେ ଇସଲାମର ଆବିର୍ଭାବ ପୂର୍ବରୁ କ’ଣ କୌଣସି ଧାର୍ମିକ ସ୍ଥଳୀର ଧ୍ବଂସ ଘଟିନି?

ବିଭିନ୍ନ ଐତିହାସିକ, ସିଦ୍ଧପୁରୁଷ, ଧାର୍ମିକ ଇତିବୃତ୍ତକାର ଏବଂ ବିଦେଶୀ ପରିବ୍ରାଜକମାନେ ଛାଡ଼ି ଯାଇଥିବା ପ୍ରାଚୀନ ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ସାହିତ୍ୟରେ, ହିନ୍ଦୁ ରାଜାମାନେ ପ୍ରାକ୍‌ମୁସଲମାନ ଭାରତରେ ବୌଦ୍ଧ ଓ ଜୈନ ମନ୍ଦିର ସମେତ ମଠ ବା ଧର୍ମବିହାର ଧ୍ବଂସ କରିବାର ଅନେକ ନଜିର ରହିଛି। ଭାରତ, ପାକିସ୍ତାନ ଓ ବାଂଲାଦେଶ ସ୍ଥିତ ଅନେକ ହିନ୍ଦୁ ମନ୍ଦିର ପରିସରରେ ପ୍ରତ୍ନତତ୍ତ୍ବବିତ୍‌ମାନେ ବୌଦ୍ଧ ସଂରଚନାର ଅବଶେଷ ଆବିଷ୍କାର କରିବା ଘଟଣା ସେଭଳି ସନ୍ଦର୍ଭ ତଥା ବର୍ଣ୍ଣନାକୁ ସିଦ୍ଧ କରୁଛି।

ହିନ୍ଦୁ ଧର୍ମର ବ୍ରାହ୍ମଣବାଦୀ ନେତାମାନେ ବୌଦ୍ଧ ଧର୍ମ ଓ ଜୈନ ଧର୍ମକୁ ଅଶାସ୍ତ୍ରୀୟ ଧର୍ମ ମାନୁଥିଲେ ଏବଂ ତାହାକୁ ସେମାନେ ଅଜାତି ଲୋକଙ୍କର ଧାର୍ମିକ ଆଦର୍ଶ ବୋଲି ବିଚାରୁଥିଲେ ଏବଂ ତାହାର ବିନାଶ ଚାହୁଥିଲେ। ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଜୀବନକାଳ ଭିତରେ ବୌଦ୍ଧ ଧର୍ମର ଭୀଷଣ ପ୍ରଚାର ଓ ପ୍ରସାର ହିଁ ଉକ୍ତ ଧର୍ମ ପ୍ରତି ବ୍ରାହ୍ମଣମାନଙ୍କର ଶତ୍ରୁତାର ଅନ୍ୟତମ ମୂଳ କାରଣ ହୋଇଥିଲା। ମୌର୍ଯ୍ୟ ଯୁଗର ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ବୌଦ୍ଧାବଲମ୍ବୀମାନଙ୍କ ଉତ୍ପୀଡ଼ନ ଏବଂ ସେମାନଙ୍କ ମନ୍ଦିର ଓ ମଠର ଧ୍ବଂସ ତଥା ଅପବିତ୍ରୀକରଣରେ ତାହା ପ୍ରତିଫଳିତ ହୋଇଥିଲା।

ମୌର୍ଯ୍ୟଙ୍କ ପରେ କ୍ଷମତା ଦଖଲ କରିଥିବା ଶୁଙ୍ଗବଂଶୀୟ ରାଜା ପୁଷ୍ୟମିତ୍ର ଯୋଉଠି ପାରିଲେ ସେଇଠି ସଂଖ୍ୟାଧିକ ବୌଦ୍ଧମଠ ଧ୍ବଂସ କରିବା ସହ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ବେଙ୍ଗଲର ଗୌଡ଼ ସମ୍ରାଟ ଶଶାଙ୍କ ମଧ୍ୟ ସେପରି କରିଥିଲେ। ସମ୍ରାଟ ଅଶୋକଙ୍କ ବଂଶଜ ତଥା ଶୈବଧର୍ମୀ ରାଜତରଙ୍ଗିଣୀ କାଶ୍ମୀର ଶାସନ କରୁଥିଲା ବେଳେ ତାଙ୍କ ସାମ୍ରାଜ୍ୟରେ ସେ ଅନେକ ବୌଦ୍ଧମଠ ଧ୍ବଂସ କରିଥିଲେ। ସପ୍ତମ ଶତାବ୍ଦୀରେ ଭାରତ ପରିଭ୍ରମଣରେ ଆସିଥିବା ଚୀନ୍‌ ପରିବ୍ରାଜକ ହୁଏନ୍‌ସା ଉଲ୍ଲେଖ କରିଥିଲେ କି ଶଶାଙ୍କ କୁଆଡ଼େ ଗୟା ଠାରେ ବୋଧିଦ୍ରୁମକୁ କାଟି ଦେଇଥିଲେ ଯେଉଁ ବୃକ୍ଷମୂଳେ ବୁଦ୍ଧଦେବଙ୍କର ନିର୍ବାଣ ପ୍ରାପ୍ତି ହୋଇଥିଲା। ଶଙ୍କରାଚାର୍ଯ୍ୟଙ୍କ ବିଜୟୋଲ୍ଲାସ ପୂର୍ବକ ବିଧର୍ମ ବିରୋଧୀ ପ୍ରଚାର ଅବସରରେ ବୌଦ୍ଧ ମନ୍ଦିରଗୁଡ଼ିକ ଉପରେ ହିନ୍ଦୁ ସିଦ୍ଧପୁରୁଷମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା।

ପ୍ରଖ୍ୟାତ ସମାଜବିଜ୍ଞାନୀ ଗେଲ ଓମ୍ବେଦ୍‌ ତାଙ୍କ ପୁସ୍ତକ ‘ବୁଦ୍ଧିଜିମ୍‌ ଇନ୍‌ ଇଣ୍ଡିଆ’ରେ ଲେଖିଛନ୍ତି କି, ଶେଷରେ ଆମେ ଏକ ଅଦ୍ଭୁତ ସ୍ଥିତିରେ ପହଞ୍ଚିଛନ୍ତି, ଯେଉଁଠି ହିନ୍ଦୁଧର୍ମକୁ ‘ସହନଶୀଳତାର ରାଜା’ ବୋଲି କୁହାଯାଉଥିବା ବେଳେ ତାହା ବୌଦ୍ଧଧର୍ମକୁ ପ୍ରଶ୍ରୟ ଦେଉନାହିଁ। ବୌଦ୍ଧ ଓ ବ୍ରାହ୍ମଣମାନଙ୍କ ଶିକ୍ଷଣରେ କେଉଁଠି କିଛି ଅନ୍ତର୍ନିହିତ ବିରୋଧାଭାସ ରହିଗଲା ପରି ମନେ ହେଉଛି ଯାହା ପରସ୍ପରକୁ ତଡ଼ିବା ଲାଗି ପ୍ରୋତ୍ସାହିତ କରୁଛି।

ସେହିପରି ପ୍ରଖ୍ୟାତ ଐତିହାସିକ ଡି. ଏନ୍‌. ଝା’ଙ୍କ କହିବାନୁସାରେ, ବୁଦ୍ଧଦେବ ତାଙ୍କର ପ୍ରଥମ ଧର୍ମୋପଦେଶ ଶୁଣାଇଥିବା ସାରନାଥଠାରେ ବୌଦ୍ଧ ସଂରଚନାର ଧ୍ବଂସାବଶେଷ ଉପରେ ଏବଂ ତାହାର ନିର୍ମାଣ ସାମଗ୍ରୀକୁ ବିନିଯୋଗ କରି ହିନ୍ଦୁ ଢାଞ୍ଚା ନିର୍ମିତ ହୋଇଥିବାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ରହିଛି। ବାରଣାସୀ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ସାରନାଥ ଅବସ୍ଥିତ। ବାରଣାସୀ ସ୍ଥିତ ଜ୍ଞାନବ୍ୟାପି ମସଜିଦ୍‌ରେ ଏକ ଶିବଲିଙ୍ଗ ଆବିଷ୍କାର ଯୋଗୁଁ ହିନ୍ଦୁ ପୁନର୍ଜାଗରଣବାଦୀମାନେ ସେମାନଙ୍କ ମନ୍ଦିର ଫେରି ପାଇବାକୁ ଦାବି କରୁଛନ୍ତି। ତେବେ ଯଦି ବୌଦ୍ଧମାନେ ସାରନାଥ ସ୍ଥିତ ହିନ୍ଦୁ ଢାଞ୍ଚାକୁ ଧ୍ବଂସ କରି ସେମାନଙ୍କ ସମ୍ମାନାସ୍ପଦ ସ୍ଥାନର ମୂଳ ସ୍ଥାପତ୍ୟଭିତ୍ତିକ ପୁନରୁଦ୍ଧାର ପାଇଁ ଦାବି କରିବେ, ହିନ୍ଦୁମାନଙ୍କୁ କେମିତି ଲାଗିବ?

ଝା’ଙ୍କ ମତରେ, ମଥୁରା ସ୍ଥିତ ଭୂତେଶ୍ବର ଓ ଗୋକର୍ଣ୍ଣେଶ୍ବର ମନ୍ଦିରର ନିର୍ମାଣ କୌଣସି ବୌଦ୍ଧସ୍ଥଳୀ ଉପରେ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି। ଏହି ଦୁଇ ମନ୍ଦିରର ନିଅଁ ଖୋଳି ତାହା ତଳେ ବୌଦ୍ଧ ମନ୍ଦିର ରହିଥିବାର ପ୍ରମାଣ ତନଖିବା ଲାଗି ବୌଦ୍ଧମାନେ ଯଦି ଦାବି କରନ୍ତି, ତେବେ ସେମାନଙ୍କ ସହ କ’ଣ ମଥୁରାର ସାହି ଇଦ୍‌ଗାହ ମସଜିଦକୁ ବିବାଦୀୟ ବୋଲି ଭାବୁଥିବା ହିନ୍ଦୁ ପୁନର୍ଜାଗରଣବାଦୀମାନେ ହାତ ମିଳାଇବେ?

ଏକଥା ସ୍ପଷ୍ଟ ଯେ ଇତିହାସର ସଂକୀର୍ଣ୍ଣ ଅବଧିରେ ସଂଘଟିତ ଐତିହାସିକ ତ୍ରୁଟିଗୁଡ଼ିକୁ ନିଶାଣ କରିବାରେ ହିନ୍ଦୁ ପୁନର୍ଜାଗଣବାଦୀମାନେ ଚୟନଶୀଳ, ବଦ୍ଧମୂଳ ଧାରଣା ବଶବର୍ତ୍ତୀ ଏବଂ ପକ୍ଷପାତପୂର୍ଣ୍ଣ ହୋଇ ପଡୁଛନ୍ତି। ଏ ବାବଦରେ ଯଥାର୍ଥ ତର୍କ ହେଉଛି, ଐତିହାସିକ ତ୍ରୁଟିର ସଂଶୋଧନ ପାଇଁ ସମୟ କାଳକୁ ପ୍ରାଚୀନ ଓ ପ୍ରାରମ୍ଭିକ ମଧ୍ୟଯୁଗ ଯାଏ ସମ୍ପ୍ରସାରଣ କରିବା ଉଚିତ। ଏକ ହିନ୍ଦୁ ମନ୍ଦିରକୁ ଜଣେ ମୁସଲମାନ ସମ୍ରାଟ ଧ୍ବଂସ କରିବା ଯେତିକି ଅପରାଧ, ଗୋଟେ ବୌଦ୍ଧ ମନ୍ଦିରକୁ ଜଣେ ହିନ୍ଦୁ ଶାସକ ନଷ୍ଟ କରିବା ମଧ୍ୟ ସେତିକି ଅପରାଧ ବୋଲି ଗ୍ରହଣ କରିବାକୁ ହେବ। ଐତିହାସିକ ତ୍ରୁଟିର ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ମନ୍ଦିରର ପ୍ରତିମା କି ଧ୍ବଂସକାରୀ ରାଜାର ଧର୍ମକୁ ସଂଶ୍ଳିଷ୍ଟ ନକରି ପ୍ରତିଦ୍ବନ୍ଦ୍ବୀ ଧର୍ମର ରାଜାଙ୍କ ମନ୍ଦିର ଭଙ୍ଗକୁ ହିଁ ମୌଳିକ ସିଦ୍ଧାନ୍ତ ଭାବେ ବିଚାରିବାକୁ ହେବ।

ପ୍ରକୃତରେ ପ୍ରାକ୍‌ ମୁସଲମାନ ଭାରତରେ ଉପାସନା ପୀଠର ଧ୍ବଂସଲୀଳାକୁ ସନ୍ନିହିତ କରିବା ଲାଗି ଇତିହାସର ଅବଧିକୁ ବଢ଼ାଇବାକୁ ଆମେ ପ୍ରସ୍ତାବ ଦେଉନାହୁଁ। ହିନ୍ଦୁ ପୁନର୍ଜାଗରଣବାଦୀମାନେ ଐତିହାସିକ ତ୍ରୁଟିକୁ ଚିହ୍ନଟ କରିବାରେ କିପରି ଚୟନଶୀଳ ତାହା ଦର୍ଶାଇବା ପାଇଁ ଏହି ଯୁକ୍ତି ବାଢୁଛୁ। ଏପରି ବୁଝାଇବାର ଅର୍ଥ, ଇତିହାସ ଏକ ମହୁଫେଣା ସଦୃଶ। କେହି ଯଦି ମହୁ ପାଇଁ ସେଥିରେ ହାତ ଭର୍ତ୍ତି କରେ, ସେ ହିଁ ମହୁମାଛିମାନଙ୍କ ଦଂଶନର ଶିକାର ହେବ। ଆମେ ତାହା ଘଟୁ ବୋଲି ଚାହୁନାହୁଁ। ଇତିହାସର ସମସ୍ତ ମନ୍ଦିରଧ୍ବଂସର ବିବାଦକୁ ସେଇଠି ସାରିଦେବାକୁ ଚାହୁଛୁ।

ଆମେ ଭାରତୀୟମାନେ ଆଜି ଯେଉଁ ସମୟରେ ବଞ୍ଚିଛେ, ତାହା ପ୍ରାଚୀନ ଓ ମଧ୍ୟଯୁଗୀୟ ସମୟ ଠାରୁ ସଂପୂର୍ଣ୍ଣ ଭିନ୍ନ। ସେତେବେଳେ ଯୁଦ୍ଧ ଓ ରାଜ୍ୟ ଜୟ ଅଭିଯାନ ଅତି ସାଧାରଣ କଥା ଥିଲା। ତଥାପି ଏମିତି ଅନେକ ସମ୍ରାଟ ଥିଲେ ଯେଉଁମାନେ ନିଜେ ଅନୁସରଣ କରୁଥିବା ଧର୍ମକୁ କେବେ ପରାଜିତ ଅଞ୍ଚଳ ଉପରେ ଲଦି ଦେଉନଥିଲେ। ଅପରପକ୍ଷେ, ଏମିତି ସମ୍ରାଟ ବି ଥିଲେ, ଯେଉଁମାନେ ଅନ୍ୟ ଧର୍ମର ଉପାସୀନ ପୀଠକୁ ଧ୍ବଂସ କରିବା ସହ ନିଜ ଧର୍ମ ଗ୍ରହଣ କରିବା ଲାଗି ବିଜିତମାନଙ୍କୁ ବାଧ୍ୟ କରୁଥିଲେ। ହିନ୍ଦୁ ସମ୍ରାଟମାନେ ବୌଦ୍ଧମନ୍ଦିର ଧ୍ବଂସ କରୁଥିବା ବେଳେ ମୁସଲମାନ ସମ୍ରାଟମାନେ ହିନ୍ଦୁ ମନ୍ଦିର ଧ୍ବଂସ କରିଥିଲେ।

ଏପରି ଅନ୍ୟ ଧର୍ମର ଉପାସନା ପୀଠ ଧ୍ବଂସ କରିବାର କାରଣ ପଛରେ ଧାର୍ମିକ ପ୍ରଚାର ଅପେକ୍ଷା ରାଜନୈତିକ ପ୍ରଚାରର ଅଧିକ ଭୂମିକା ଥିଲା। ନିଜର ବିଜୟକୁ ଅଧିକ ସୁରକ୍ଷିତ କରିବା ସହ ବଂଶମାନେ କିପରି ଦୀର୍ଘ ଦିନ ଧରି ଶାସନ କରିପାରିବେ, ସେହି ଯୋଜନାର ଏହା ଅଂଶବିଶେଷ ଥିଲା। ୟୁରୋପର ଔପନିବେଶିକ ଶାସକମାନେ ସ୍ଥାନୀୟ ଲୋକଙ୍କର ଧର୍ମାନ୍ତରୀକରଣ ପାଇଁ ଖ୍ରୀଷ୍ଟିଆନ୍‌ ଧର୍ମ ପ୍ରଚାରକମାନଙ୍କୁ ପ୍ରୋତ୍ସାହିତ କରୁଥିଲେ, କାରଣ ଏହା ସେମାନଙ୍କୁ ଲୋକପ୍ରିୟ ବୈଧତା ଓ ସୁଦୀର୍ଘ ଶାସନ ହାସଲ କରିବାରେ ସହାୟକ ହେଉଥିଲା। ସେମାନଙ୍କର ଦର୍ଶନ ବା ସିଦ୍ଧାନ୍ତ କିନ୍ତୁ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଜୟୀ ରାଜାମାନଙ୍କ ଅନୁରୂପ ରହିଥିଲା।

ମାତ୍ର ସେ ଯୁଗ ତ ଆଉ ନାହିଁ। ଆମେ ଏବେ ଏକ ଗଣତନ୍ତ୍ରରେ ବାସ କରୁଛନ୍ତି ଯେଉଁଠି ନାଗରିକମାନଙ୍କୁ ଭିନ୍ନ ଭିନ୍ନ ଧର୍ମ ଅନୁସରଣ କରିବା ପାଇଁ ଅନୁମତି ମିଳିଛି। ହିନ୍ଦୁ ପୁନର୍ଜାଗରଣବାଦୀମାନେ ଆମକୁ ସେଇ ପୁରୁଣା ଯୁଗକୁ ଫେରାଇ ନେବାକୁ ଚାହୁଛନ୍ତି, ପୁଣି ଅତି ଚୟନଶୀଳ ଭାବେ।

ସୁପ୍ରିମକୋର୍ଟରେ ସେମାନେ ଉପାସନା ପୀଠ ଆଇନ-୧୯୯୧କୁ ବିରୋଧ କରିଛନ୍ତି। ତାହାର ଆଧାର ହେଲା ଉପାସନା ପୀଠର ସ୍ଥିତାବସ୍ଥା ଗ୍ରହଣ କରିବା ଲାଗି ଏହି ଆଇନରେ ୧୯୪୭ ଅଗଷ୍ଟ ୧୫କୁ ଅନ୍ତିମ ତାରିଖ ଭାବେ ଦର୍ଶାଯାଇଛି। ସେମାନେ ସ୍ପଷ୍ଟ ଭାବରେ ଏହି ଅନ୍ତିମ ତାରିଖକୁ ବାବରଙ୍କ ଆବିର୍ଭାବ ଅଥବା ଗଜନିଙ୍କ ପ୍ରଥମ ଆକ୍ରମଣ ଯାଏ ଘୁଞ୍ଚାଇ ନେବାକୁ ଚାହୁଛନ୍ତି। ମାତ୍ର ସେମାନେ ଏକଥା ହୃଦୟଙ୍ଗମ କରିପାରୁନାହାନ୍ତି କି କଥା ସେଇଠି ଅଟକିଯିବନି। ସେଭଳି ଅନ୍ତିମ ତାରିଖକୁ ବୌଦ୍ଧ ଏବଂ ଜୈନମାନେ ଖ୍ରୀଷ୍ଟପୂର୍ବ କେତେ ଶତାବ୍ଦୀ ଯାଏ ଗଡ଼େଇ ନେବା ଲାଗି ଅଡ଼ି ବସିପାରନ୍ତି। ସେତେବେଳେ ହିନ୍ଦୁ ପୁନର୍ଜାଗରଣବାଦୀମାନେ କେଉଁ ପକ୍ଷର ହେବେ?

[email protected]

ସମ୍ବନ୍ଧିତ ଖବର