ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କିଛି ଦିନ ତଳେ କ୍ରିପ୍ଟୋ କରେନ୍ସି ବା କ୍ରିପ୍ଟୋ ମୁଦ୍ରାକୁ ‘ସ୍ପଷ୍ଟ ବିପଦ’ ରୂପେ ଅଭିହିତ କରିଛନ୍ତି। ଜଣାଶୁଣା କ୍ରିପ୍ଟୋ ମୁଦ୍ରା ‘ବିଟ୍କଏନ୍’ର ଆବିର୍ଭାବ ଓ ପ୍ରସାର ପରେ ଏହାର ସାମୟିକ ସଫଳତା ଅନେକ ଉଦ୍ୟୋଗୀଙ୍କୁ ଅନୁରୂପ ଡିଜିଟାଲ୍ ମୁଦ୍ର ପ୍ରଚଳନ କରିବାକୁ ପ୍ରୋତ୍ସାହିତ କରିଥିଲା। ସେତେବେଳେ ହୁଏତ ନିଜର ନିବେଶ ରାଶିକୁ ବହୁଗୁଣିତ କରିପାରିଥିବା କ୍ରିପ୍ଟୋ-ନିବେଶକମାନେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ସତର୍କବାଣୀକୁ ଗ୍ରହଣ କରିପାରି ନ ଥାନ୍ତେ। କିନ୍ତୁ ଗତ ମାସମାନଙ୍କରେ କ୍ରିପ୍ଟୋ ମୁଦ୍ରାର କ୍ରମାଗତ ତଥା ଅଭୂତପୂର୍ବ ସ୍ଖଳନ ଯୋଗୁଁ ତା’ ଉପରେ ଗଭୀର ଆସ୍ଥା ରଖିଥିବା ନିବେଶକମାନେ ମଧ୍ୟ ପ୍ରବଞ୍ଚିତ ହୋଇଥିବାର ଅନୁଭବ କରୁଛନ୍ତି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଶୀର୍ଷ ସ୍ତରର କ୍ରିପ୍ଟୋ ମୁଦ୍ରାର ମୂଲ୍ୟ ସେମାନଙ୍କ ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟର ଅଧାରୁ କମ୍ ସ୍ତରକୁ ଖସିସାରିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ପୃଥିବୀର ସର୍ବବୃହତ୍ କ୍ରିପ୍ଟୋ ମୁଦ୍ରା ‘ବିଟ୍କଏନ୍’ର ମୂଲ୍ୟ ଏ ବର୍ଷ ୬୦% ଖସିସାରିଛି। ସେହିପରି ଦ୍ବିତୀୟ ବୃହତ୍ତମ ମୁଦ୍ରା ‘ଇଥେରିଅମ୍’ ମଧ୍ୟ ୨୫% ସ୍ଖଳନ ଦେଖିସାରିଛି। ସବୁଠାରୁ ବଡ଼ ପତନର ସମ୍ମୁଖୀନ ହୋଇଥିବା କ୍ରିପ୍ଟୋ ମୁଦ୍ରାଟି ହେଉଛି ‘ଲୁନା’, ଯାହାର ମୂଲ୍ୟ ଗତ ମେ ମାସରେ ହଠାତ୍ ୯୯.୯% ଖସି ଏହାର ନିବେଶକମାନଙ୍କୁ ଏକପ୍ରକାର କାଙ୍ଗାଳ କରିଦେଇଥିଲା। ବିଶ୍ବ କ୍ରିପ୍ଟୋ ବଜାରର ଆକାର ଗତ ବର୍ଷ ନଭେମ୍ବର ମାସରେ ୩ ଟ୍ରିଲିଅନ୍ ଡଲାର୍ ଛୁଇଁଥିବା ବେଳେ ଏ ବର୍ଷ ଜୁନ୍ରେ ଏହାର ଆକାରରେ ୨ ଟ୍ରିଲିଅନ୍ ଡଲାର୍ର ହ୍ରାସ ଘଟି ଏହା ୧ ଟ୍ରିଲିୟନ୍ରୁ କମ୍ ହୋଇସାରିଛି। ଅର୍ଥନୀତିଜ୍ଞଙ୍କ କହିବାନୁଯାୟୀ ଏକ ଦେଶର ମୁଦ୍ରା ତଥା ନିବେଶ ବଜାର ତୁଳନାରେ କ୍ରିପ୍ଟୋ ମୁଦ୍ରା ବହୁଗୁଣା ଅସ୍ଥିର। ତେଣୁ ଏଥିରେ ନିବେଶଜନିତ କ୍ଷତିରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି କ୍ରିପ୍ଟୋ ମୁଦ୍ରାରେ ସାମାନ୍ୟ ଲଗାମ ଲାଗିବା ଜରୁରୀ ବୋଲି ଏକ ଯୁକ୍ତି ପ୍ରକାଶ ପାଇଥାଏ।