‘ଦି ଟେଲିଗ୍ରାଫ’ ସହ ବୟସ୍କ ହେବାରେ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଯଦିଓ ଉତ୍ତର ଭାରତରେ ମୁଁ ବଢ଼ିଛି, ଆମ ଘରକୁ ଆସୁଥିବା ଖବରକାଗଜର ମୁଖ୍ୟ ଦପ୍ତର ଥିଲା ସେ ସମୟରେ କଲିକତା ନାମରେ ଜଣାଶୁଣା ମହାନ ସହରରେ। ତାହା ଥିଲା ‘ଦି ଷ୍ଟେଟ୍‌ସମ୍ୟାନ୍‌’ ଯାହାର ମୁଖ୍ୟ ସଂସ୍କରଣ ବ୍ରିଟିସ୍‌ ଭାରତର ପ୍ରଥମ ରାଜଧାନୀରୁ ପ୍ରକାଶିତ ହେଉଥିଲା, କିନ୍ତୁ ତାହାର ଏକ କ୍ଷୁଦ୍ର ସହାୟକ ସଂସ୍କରଣ ବ୍ରିଟିସ୍‌ ରାଜ୍‌ର ଦ୍ବିତୀୟ ତଥା ଶେଷ ରାଜଧାନୀରେ ଛପା ଯାଉଥିଲା। ଏହା ଥିଲା ସେହି ଖବରକାଗଜର ଦିଲ୍ଲୀ ସଂସ୍କରଣ ଯାହା ଆମର ଡେରାଡୁନ୍‌ ସ୍ଥିତ ଘରକୁ ଆସୁଥିଲା। ସଡ଼କ ପଥ, ରେଳ ପଥ ଓ ସାଇକେଲ ପରି ବିଭିନ୍ନ ପରିବହନ ମାଧ୍ୟମ ଦେଇ ତାହା ମଧ୍ୟାହ୍ନରେ ଆସି ପହଞ୍ଚୁଥିଲା।

ମୋ ବାପା ତିନିଟି କାରଣ ପାଇଁ ‘ଦି ଷ୍ଟେଟ୍‌ସମ୍ୟାନ୍‌’ର ଗ୍ରାହକ ହୋଇଥିଲେ। ସେ ଭାବୁଥିଲେ ଯେ ଇଂରେଜୀରେ ପ୍ରକାଶିତ ସମସ୍ତ ଭାରତୀୟ ଖବରକାଗଜ ମଧ୍ୟରୁ ଏଥିରେ ସର୍ବନିମ୍ନ ବ୍ୟାକରଣୀୟ ଅପପ୍ରୟୋଗ ତଥା ମୁଦ୍ରଣଗତ ତ୍ରୁଟି ରହୁଥିଲା, କାରଣ ତାଙ୍କର ଜଣେ ପ୍ରିୟ ପୁତୁରା ସେଥିରେ ଏକଦା କାମ କରୁଥିଲେ। ମୁଁ ମଧ୍ୟ ମୋର ନିଜ କାରଣରୁ ଖବରକାଗଜଟିକୁ ଭଲ ପାଉଥିଲି। ଏଥିରେ ବିଦେଶ ପ୍ରସଙ୍ଗଗୁଡ଼ିକ ଉଚ୍ଚକୋଟୀର ଥିଲା। ମୋର ନିର୍ଦ୍ଦିଷ୍ଟ ପସନ୍ଦ ଜେମ୍‌ସ କାଓଲେଙ୍କ ‘ଲଣ୍ଡନ ଚିଠି’ କଥା ମନେ ପଡୁଛି, ଯାହା ହାସ୍ୟରସାତ୍ମକ ତୃତୀୟ ଅଗ୍ରଲେଖ ଭାବେ ସ୍ଥାନ ପାଉଥିଲା। ସେହିପରି ଇଂରେଜୀ ଗଦ୍ୟରେ ପ୍ରବୀଣ ଏମ୍‌. କୃଷ୍ଣନ୍‌ଙ୍କ ପରି ସ୍ତମ୍ଭକାର ମଧ୍ୟ ସେଥିରେ ରହିଥିଲେ।

ମୁଁ ଯେବେ ଦିଲ୍ଲୀସ୍ଥିତ ବିଶ୍ବବିଦ୍ୟାଳୟକୁ ଗଲି, ମୁଁ ମଧ୍ୟ ‘ଦି ଷ୍ଟେଟ୍‌ସମ୍ୟାନ୍‌’ର ଗ୍ରାହକ ସାଜିଲି। ତେବେ ଅର୍ଥଶାସ୍ତ୍ରରେ ଦୁଇଟି ଡିଗ୍ରି ଲକ୍ଷ୍ୟହୀନ ଭାବେ ହାସଲ କରିବାରେ ମୁଁ ବିତାଇଥିବା ପାଞ୍ଚ ବର୍ଷ ଭିତରେ ଖବରକାଗଜଟିର କ୍ରମାଗତ ଅବନତି ଲକ୍ଷ୍ୟ କରିଥିଲି। ଯଦିଓ କୃଷ୍ଣନ୍‌ ଥିଲେ, କାଓଲେଙ୍କ ସମେତ ମୋତେ ଭଲ ଲାଗୁଥିବା ଅନେକ ଲେଖକ କିନ୍ତୁ ଏହି ଖବରକାଗଜ ଛାଡ଼ି ଦେଇଥିଲେ। ସବୁଠୁ ବେଶୀ ଅଶାନ୍ତିକର କଥା ଥିଲା, ସମ୍ପାଦକୀୟ ଓ ପରିଚାଳନା ବିଭାଗ ମଧ୍ୟରେ ରହିଥିବା ପ୍ରାଚୀରର ଉଲ୍ଲଂଘନ। ଖବରକାଗଜର ଜଣେ ବରିଷ୍ଠ ଅଧିକାରୀ ପ୍ରଥମ ପୃଷ୍ଠାରେ ନିଜର ଏକ ସ୍ବାକ୍ଷରିତ ଅପଠନୀୟ ସ୍ତମ୍ଭ ଆରମ୍ଭ କରି ପ୍ରଥା ଓ ଔଚିତ୍ୟକୁ ଅଣଦେଖା କରିଥିଲେ।

ସମାଜ ବିଜ୍ଞାନରେ ଡକ୍ଟରେଟ୍‌ କରିବା ପାଇଁ ମୁଁ ୧୯୮୦ରେ କଲିକତା ଗଲି। ମୁଁ ଯଦି ଦିଲ୍ଲୀରେ ରହିଥା’ନ୍ତି, ତେବେ ‘ଇଣ୍ଡିଆନ୍‌ ଏକ୍ସପ୍ରେସ’ ମଗାଇଥା’ନ୍ତି। ମାତ୍ର ସେହି ଖବରକାଗଜଟିର କଲିକତା ସଂସ୍କରଣ ନ ଥିଲା। ତେଣୁ ବାଧ୍ୟ ହୋଇ ‘ଦି ଷ୍ଟେଟ୍‌ସମ୍ୟାନ୍‌’ ପାଖରେ ଅଟକିଲି। ସେତେବେଳକୁ ତାହା ମୃତ୍ୟୁ ଶଯ୍ୟାରେ ଥାଇ ପ୍ରତ୍ୟହ ଉଠିବାକୁ ଉଦ୍ୟମ ଜାରି ରଖିଥିଲା। ତେଣୁ ୧୯୮୨ ଜୁଲାଇ ୮ରେ ଯେବେ ‘ଦି ଟେଲିଗ୍ରାଫ୍‌’ର ପ୍ରଥମ ସଂସ୍କରଣ ପ୍ରକାଶିତ ହେଲା, ମୁଁ ଉଭୟ ଆଶ୍ବସ୍ତ ଓ ଉତ୍ସାହିତ ହୋଇ ତାହାକୁ ସ୍ବାଗତ କରିଥିଲି। ଆମ ଅନୁଷ୍ଠାନ ପରିସରକୁ ଆସି ଖବରକାଗଜ ବାଣ୍ଟୁଥିବା ଯୁବକ ଜଣକ ମଧ୍ୟ ମୋ’ ପରି ଉତ୍ସାହିତ ଥିଲେ। ସେ ନୂତନ ଖବରକାଗଜକୁ ହାତରେ ହଲେଇ ହଲେଇ ‘ଟେଲିଗ୍ରାମ! ଟେଲିଗ୍ରାମ!’ କହି ରଡ଼ି ଛାଡୁଥିଲା। ଏହି ତ୍ରୁଟି ମୋ ମନରେ ବେଶ୍‌ ଆମୋଦ ସୃଷ୍ଟି କରିଥିଲା ଏବଂ ମୋ ମନର ଏକ ଅଂଶ ସେହି ଖବରକାଗଜକୁ ‘ଟେଲିଗ୍ରାମ୍‌’ ଛଡ଼ା ଅନ୍ୟ କୌଣସି ନାଁରେ ଡାକିବାକୁ ଏବେ ସୁଦ୍ଧା ଅନିଚ୍ଛୁକ।

‘ଦି ଟେଲିଗ୍ରାଫ୍‌’ ସମ୍ପର୍କରେ ପ୍ରଥମ କଥା ମୋ’ ମନକୁ ଛୁଇଁଥିଲା କି, କେତେ ସୁନ୍ଦର ଢଙ୍ଗରେ ତାହା ପ୍ରସ୍ତୁତ ହେଉଥିଲା। ପୂର୍ବରୁ ଶିଥିଳ ଥିବା ମୋର ସୌନ୍ଦର୍ଯ୍ୟବୋଧ ଏକଦା ସକ୍ରିୟ ହୋଇ ଉଠିଥିଲା ଯେତେବେଳେ ଅହମଦାବାଦରେ ଗ୍ରାଫିକ୍‌ ଡିଜାଇନ୍‌ ପଢୁଥିବା ବାଙ୍ଗାଲୋରର ଜଣେ ଝିଅ ସହିତ କିଛି ବର୍ଷ ମୋର ଭାବ ବିନିମୟ ଚାଲିଥିଲା। ତେବେ ସେ ଯାହା ହେଉ, ଟେଲିଗ୍ରାଫ୍‌କୁ ହାତରେ ଧରିବା ଓ ଦେଖିବା ଯେ କେତେ ମନମୁଗ୍‌ଧକର ଥିଲା, ତାହା ମୁଁ ଅନୁଭବ କରି ପାରିଥିଲି। କେବଳ ‘ଦି ଷ୍ଟେଟ୍‌ସମ୍ୟାନ୍‌’ କାହିଁକି, ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ଓ ‘ଇଣ୍ଡିଆନ୍‌ ଏକ୍ସପ୍ରେସ’ଠାରୁ ମଧ୍ୟ ତାହା ଆକର୍ଷଣୀୟ ଲାଗୁଥିଲା। ସେ ସମୟର ଅନ୍ୟ ଯେ କୌଣସି ଭାରତୀୟ ଖବରକାଗଜ ଅପେକ୍ଷା ଟେଲିଗ୍ରାଫ୍‌ର ଅକ୍ଷର ଓ ପରିପାଟୀ ସୁନ୍ଦର ଦିଶିବା ସହ ପଢ଼ିବାରେ ମଧ୍ୟ ସହଜ ଲାଗୁଥିଲା। ତାହାର ‘ମାଷ୍ଟ୍‌ହେଡ୍‌’ ନ ଥାଇ ବି ଆକର୍ଷଣୀୟ ଲାଗୁଥିଲା ଏବଂ ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ସେଥିରେ ଫଟୋଚିତ୍ରଗୁଡ଼ିକର ବ୍ୟବହାର ଅଧିକ ସୁନ୍ଦର ଢଙ୍ଗରେ ହେଉଥିଲା। ତହିଁର ବିଷୟବସ୍ତୁଗୁଡ଼ିକ ସହ ବର୍ଣ୍ଣନା ଖାପ ଖାଇବା ଏବଂ ସମ୍ପାଦକୀୟଗୁଡ଼ିକ ଉଚ୍ଚକୋଟୀର ତଥା ସୁଖପାଠ୍ୟ ହେଉଥିବା କଥା ମୁଁ ଧୀରେ ଧୀରେ ଆବିଷ୍କାର କରିଥିଲି।

‘ଦି ଟେଲିଗ୍ରାଫ୍‌’ର ପ୍ରତିଷ୍ଠାତା ସଦସ୍ୟଙ୍କ ଭିତରେ ପରଞ୍ଜୟ ଗୁହା ଠାକୁରତା ନାମକ ମୋର ଜଣେ ପୁରୁଣା କଲେଜ ବନ୍ଧୁ ଥିଲେ। ବେଳେବେଳେ ଠାକୁରତାଙ୍କୁ ଭେଟିବା ଲାଗି ମୁଁ ଜୋକାସ୍ଥିତ ଆମ ଅନୁଷ୍ଠାନରୁ ପ୍ରଫୁଲ୍ଲ ସରକାର ମାର୍ଗ ସ୍ଥିତ ଟେଲିଗ୍ରାଫ୍‌ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବସ୍‌, ଟ୍ରାମ୍‌, ମିନିବସ୍‌ ଓ ନିଜର ପାଦ ଆଦିର ମିଳିତ ସାଧନ ଦେଇ ଦୀର୍ଘ ଯାତ୍ରା ସଂପନ୍ନ କରୁଥିଲି। କାର୍ଯ୍ୟ ତତ୍ପରତା, ଉତ୍ସାହ ଓ ଉଦ୍ଦୀପନାରେ ଏହାର ନ୍ୟୁଜ୍‌ ରୁମ୍ ଗୁଞ୍ଜରିତ ହେଉଥିଲା। ସେଠାରେ ଦଳେ ଯୁବକ ‘ଦି ଷ୍ଟେଟ୍‌ସମ୍ୟାନ୍‌’ର ଦୁର୍ଗ ଭାଙ୍ଗି ‘ଦି ଟେଲିଗ୍ରାଫ୍‌’କୁ କଲିକତାର ସବୁଠାରୁ ପ୍ରିୟ ଇଂରେଜୀ ଖବରକାଗଜ କରାଇବା ଲାଗି ବଦ୍ଧପରିକର ଥିଲେ। ଏଥି ସହ ସେମାନେ ଏକ ବିସ୍ତୃତ ସର୍ବଭାରତୀୟ ପ୍ରଭାବ ପକାଇବା ପାଇଁ ମଧ୍ୟ ଆଶା ରଖିଥିଲେ।

ଖବରକାଗଜ ପାଇଁ ମୋର କିଛି ଲେଖା ଅଛି କି ବୋଲି ଠାକୁରତା ପଚାରିଲେ। ଯୋଗକୁ ଭାରତ ସରକାରଙ୍କ ଦ୍ବାରା ଏକ ନୂତନ ଜଙ୍ଗଲ ବିଲ୍‌ ପ୍ରସ୍ତୁତ ହୋଇଥିଲା ଏବଂ ମୁଁ ତାହାର ଏକ କଟୁ ସମାଲୋଚନାମୂଳକ ଆଲେଖ୍ୟ ପ୍ରସ୍ତୁତ କରିଥିଲି। ‘ଦି ଟେଲିଗ୍ରାଫ୍‌’ର ସମ୍ପାଦକୀୟ ପୃଷ୍ଠାର ସଂଲଗ୍ନ (ଓପ୍‌-ଏଡ୍‌) ପୃଷ୍ଠାରେ ଲେଖାଟି ବାହାର କରିବା ଲାଗି ସେ ମୋତେ ପ୍ରବର୍ତ୍ତାଇଥିଲେ। ଲେଖାଟିକୁ ମୁଁ ଦାଖଲ କଲି ଏବଂ ତାହା ଗୃହୀତ ହେଲା। ମାତ୍ର ତାହା ପ୍ରକାଶ ପାଇବାର ପୂର୍ବ ଦିନ ହିନ୍ଦୀ ସିନେମା ‘କୁଲି’ର ସୁଟିଂ ବେଳେ ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ଭୀଷଣ ଭାବରେ ଆହତ ହୋଇଥିଲେ। ଜୀବନ ଓ ମୃତ୍ୟୁ ମଧ୍ୟରେ ଝୁଲି ରହିଥିବା ଭାରତର ସବୁଠୁ ପ୍ରଖ୍ୟାତ ପୁରୁଷ (ପ୍ରଧାନମନ୍ତ୍ରୀ ଜଣେ ମହିଳା ଥିଲେ)ଙ୍କ ସମ୍ପର୍କରେ ଏକ ଆଲେଖ୍ୟକୁ ସ୍ଥାନ ଦେବା ଲାଗି ଜଙ୍ଗଲ ଆଇନ ସଂକ୍ରାନ୍ତ ଲେଖାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା। ଶେଷରେ ଠାକୁରତାଙ୍କ ପ୍ରସ୍ତାବ କ୍ରମେ ଉକ୍ତ ଲେଖାଟି ଟେଲିଗ୍ରାଫ୍‌ର ଭଗିନୀ ଖବରକାଗଜ ‘ବିଜିନେସ୍‌ ଷ୍ଟାଣ୍ଡାର୍ଡ’ର ଏକ ସ୍ତମ୍ଭରେ ପ୍ରକାଶ ପାଇଲା।

ଅମିତାଭ ବଚ୍ଚନ ସେଭଳି ପରିସ୍ଥିତିରେ ଯଦି ଆହତ ହୋଇନଥା’ନ୍ତେ, ତେବେ ଟେଲିଗ୍ରାଫ୍‌ ଜନ୍ମ ନେବାର ପ୍ରଥମ ମାସରେ ହିଁ ମୋର ଲେଖାଟି ସେଥିରେ ପ୍ରକାଶିତ ହୋଇଥା’ନ୍ତା। ସମୟ କ୍ରମେ ତାହାର ଏକ ଦଶନ୍ଧି ପରେ ନୃତତ୍ତ୍ବବିତ୍‌ ଭେରିଅର ଏଲ୍ବିନ୍‌ଙ୍କ ନବେତମ ଜନ୍ମବାର୍ଷିକୀ (୧୯୯୨ ଅଗଷ୍ଟ ୨୯) ଉଦ୍ଦେଶ୍ୟରେ ମୋର ଗୋଟେ ଲେଖା ମୋ ନାମ ସହିତ ପ୍ରଥମ ଥର ପାଇଁ ଉକ୍ତ ଖବରକାଗଜରେ ପ୍ରକାଶ ପାଇଥିଲା। ତାହା ପରବର୍ତ୍ତୀ ଦଶନ୍ଧି ଯାଏ ବର୍ଷକୁ ଆଠରୁ ଦଶଟି ଉପାଖ୍ୟାନାତ୍ମକ ଲେଖା ମୁଁ ସମ୍ପାଦକୀୟ ପୃଷ୍ଠା ପାଇଁ ଲେଖିଛି। ଏହା ପରେ ୨୦୦୩ ନଭେମ୍ବର ୧୫ରୁ ମୋ ନାମରେ ଟେଲିଗ୍ରାଫ୍‌ରେ ‘ପଲିଟିକ୍‌ସ ଆଣ୍ଡ୍‌ ପ୍ଲେ’ ନାମକ ମୋର ଏକ ପାକ୍ଷିକ ସ୍ତମ୍ଭ ଆରମ୍ଭ ହେଲା।

ଟେଲିଗ୍ରାଫ୍‌ରେ ପାଖାପାଖି ଦୁଇ ଦଶନ୍ଧି ଧରି ଲେଖିବାର ବିଶେଷାଧିକାର ମୋତେ ମିଳିପାରିଛି। ଏହି ଅବସରରେ ଅନ୍ୟ ତିନିଟି ଭାରତୀୟ ଖବରକାଗଜରେ ମଧ୍ୟ ମୋର ନିୟମିତ ସ୍ତମ୍ଭ ବାହାରୁଛି। ଖବରକାଗଜରେ ଲେଖିବା ଦ୍ବାରା ମୋର ଗବେଷଣା ଓ ବହିଲେଖା ପାଇଁ ଯଥେଷ୍ଟ ସମୟ ହେଉନି ବୋଲି ଯେବେ ମୁଁ ଅନୁଭବ କରୁଛି, ସେତେବେଳେ ମୁଁ ଗୋଟିକ ପରେ ଗୋଟିଏ ଅନ୍ୟ ଖବରକାଗଜ ପାଇଁ ଲେଖା ବନ୍ଦ କରିଦେଉଛି ପଛକେ, ଟେଲିଗ୍ରାଫ ପ୍ରତି ସମ୍ପର୍କ ସେମିତି ଅତୁଟ ରହିଛି। ଏପରିକି କିଛି ବିଦେଶୀ ଖବରକାଗଜ ପାଇଁ ସ୍ତମ୍ଭକାର ହେବା ଆମନ୍ତ୍ରଣକୁ ମଧ୍ୟ ମୁଁ ଗ୍ରହଣ କରିନାହିଁ।

ଜଣେ ପାଠକ ହିସାବରେ, ବିଭିନ୍ନ କାରଣରୁ ଟେଲିଗ୍ରାଫ୍‌ ହିଁ ମୋ’ ପସନ୍ଦର ଖବରକାଗଜ। ସେଗୁଡ଼ିକ ମଧ୍ୟରେ, ତାହାର ଗଦ୍ୟର ଚମକ ଓ ସଜୀବତା, ତା’ର ସ୍ତମ୍ଭକାରମାନଙ୍କର ବୌଦ୍ଧିକ ତଥା ବୈଚାରିକ ସ୍ତର, ଏବେ ସୁଦ୍ଧା ପ୍ରତି ସପ୍ତାହରେ ପୁସ୍ତକମାନଙ୍କ ପାଇଁ ଏହାର ଗୋଟିଏ ପୃଷ୍ଠା ଉତ୍ସର୍ଗୀକୃତ ହେବାର ଧାରା ଏବଂ ଏହାର ଖବର ଶିରୋନାମାଗୁଡ଼ିକରେ ରହିଥିବା ହାସ୍ୟ ଏବଂ ଉପଦ୍ରବୀ ଭାବ ଆଦି କାରଣ ରହିଛି। ଦେଶରେ ଛପା ଯାଉଥିବା ସମସ୍ତ ଖବରକାଗଜ ମଧ୍ୟରେ ଏହାର ଚେହେରା ସବୁଠୁ ଅଧିକ ଆକର୍ଷଣୀୟ ହୋଇ ରହିଛି।

ଜଣେ ସ୍ତମ୍ବକାର ଭାବରେ ମୋର ଟେଲିଗ୍ରାଫ ପ୍ରତି କାହିଁକି ବିଶେଷ ଅନୁରାଗ ରହିଛି, ତାହା ମଧ୍ୟ ମୋତେ ଖୋଲି କହିବାକୁ ପଡ଼ିବ। ଗୁରୁତ୍ବ ଅନୁଯାୟୀ ଆରୋହଣ କ୍ରମରେ ତାହାର ତିନିଟି କାରଣ ବର୍ଣ୍ଣନା କରୁଛି। ପ୍ରଥମରେ, ଟେଲିଗ୍ରାଫ ତାହାର ଲେଖକମାନଙ୍କୁ ତୁରନ୍ତ ପ୍ରାପ୍ୟ ପୈଠ କରିଦେଇଥାଏ। ଦ୍ବିତୀୟରେ, ଯେହେତୁ ମୁଁ ଜଣେ ସ୍କଲାର୍‌ ହେବାରେ କଲିକତା ସହର ସୁଯୋଗ ଦେଇଥିଲା, ସେହି ସହର (ଏବଂ ବୌଦ୍ଧିକ ସଂସ୍କୃତି)କୁ ମୋତେ ନିଶ୍ଚିତ ଋଣ ପରିଶୋଧ କରିବାକୁ ପଡ଼ିବ ବୋଲି ମୁଁ ଅନୁଭବ କରେ। ତୃତୀୟରେ, ନିଜ ସ୍ତମ୍ଭକାରମାନଙ୍କର ଦୃଷ୍ଟିକୋଣ କଥା ଉଠିଲେ ଏହି ଖବରକାଗଜ କେବେ କୌଣସି ରାଜନୈତିକ କି ଅର୍ଥନୈତିକ କି ସାମାଜିକ ଚାପର ଶିକାର ହୋଇନଥାଏ। ମୁଁ ଟେଲିଗ୍ରାଫ ପାଇଁ ଲେଖିବା ବଜାୟ ରଖିଛି, କାରଣ ଭାରତୀୟ ରାଜନେତା, ବ୍ୟବସାୟୀ, ସାଧାରଣ ଲୋକ, ସରକାରୀ କର୍ମଚାରୀ ଏବଂ କ୍ରିକେଟରମାନଙ୍କ ବିଷୟରେ ମୋର କିଛି କହିବାର ଅଛି, ମାତ୍ର ତାହା ସତ ହେବା ସତ୍ତ୍ବେ ସେଗୁଡ଼ିକୁ ଭାରତର ଅନ୍ୟ ସହରରେ ମୁଦ୍ରିତ ତଥା ଅନ୍ୟ ସ୍ବତ୍ବାଧିକାରୀଙ୍କ ଅଧୀନରେ ଥିବା ଇଂରାଜୀ ଖବରକାଗଜମାନଙ୍କରେ ଲେଖିବା ସମ୍ଭବ ନୁହେଁ।

ଟେଲିଗ୍ରାଫର ମୁକ୍ତ ଚେତନା ପାଇଁ ସେ ତାହାର ପ୍ରତିଷ୍ଠାତା ଅଭୀକ ସରକାରଙ୍କ ପ୍ରଭାବ ପ୍ରତି ବହୁତ ଋଣୀ। ଭାରତର କୌଣସି ଖବରକାଗଜର ସେ ଏଭଳି ଜଣେ ବିରଳ ସମ୍ପାଦକ/ମାଲିକ, ଯିଏ ନିଜ ପାଇଁ ରାଜ୍ୟସଭା ଆସନ କି ଅନ୍ୟ କିଛି ସରକାରୀ ମାନ୍ୟତା ଚାହିନଥିଲେ। ସେ ମଧ୍ୟ ବିଶ୍ବାସ କରୁଥିଲେ କି, ବୌଦ୍ଧିକ ଏବଂ ରାଜନୈତିକ ମତାମତର ସବୁ ଦିଗ ଖବରକାଗଜରେ ନିଶ୍ଚିତ ପ୍ରତିଫଳିତ ହେବା ଦରକାର। ଜଣେ ପ୍ରଚଣ୍ଡ ସାମ୍ୟବାଦୀ ବିରୋଧୀ ହୋଇ ସୁଦ୍ଧା ସେ ତାଙ୍କ ଖବରକାଗଜ ସ୍ତମ୍ଭରେ ପ୍ରଖ୍ୟାତ ସାମ୍ୟବାଦୀ ବିଦ୍ବାନ୍‌ମାନଙ୍କର ଲେଖା ଦେଉଥିଲେ। ରୁଢ଼ିବାଦୀ ଓ ପ୍ରତିକ୍ରିୟାବାଦୀଙ୍କ ସହିତ ସେ ମୋ’ ଭଳି ଉଦାରବାଦୀଙ୍କୁ ସୁଯୋଗ ଦେଉଥିଲେ।

ଏକଦା ଖବରକାଗଜ ବିତରକ କେ.ସି. ଦାସଙ୍କ କଲିକତା ବାହାରେ ଥିବା ଏକମାତ୍ର ଶାଖାରୁ ମୁଁ ବାଙ୍ଗାଲୋରରେ ଟେଲିଗ୍ରାଫର ଏକ ମୁଦ୍ରିତ ସଂସ୍କରଣ ପାଇଥିଲି। ସେଥିରେ ଚିରାଚରିତ ଢଙ୍ଗରେ ସ୍ଥାନ ପାଇଥିବା ସନ୍ଦେଶ ଓ ରସମଲାଇ ମୋର ଦୃଷ୍ଟି ଆକର୍ଷଣ କରିଥିଲା। ଦୁଃଖର କଥା, ବିତରକଙ୍କର ସେହି ଶାଖାଟି କେବେଠୁ ବନ୍ଦ ହୋଇଯାଇଛି ଏବଂ ମୋତେ ଅନ୍‌ଲାଇନ୍‌ରେ ହିଁ ଟେଲିଗ୍ରାଫ ପଢ଼ିବାକୁ ପଡ଼ିଛି। ଦୀର୍ଘ ଚାରି ଦଶନ୍ଧି ଧରି ମୁଁ ସେହି ଖବରକାଗଜର ଜଣେ ସମର୍ପିତ ପାଠକ ହେବା ସହ ତା’ର ପ୍ରାୟ ଅଧେ ସମୟ ନିୟମିତ ଲେଖକ ହୋଇ ଆସିଛି। ଉଭୟ କ୍ଷମତାରେ (ବିଶେଷ କରି ପ୍ରଥମଟିରେ) ମୁଁ ଟେଲିଗ୍ରାଫର ଚାଳିଶତମ ଜନ୍ମଦିନର ଶୁଭ କାମନା କରୁଛି।

ଟେଲିଗ୍ରାଫରେ ଦୀର୍ଘ ତିରିଶ ବର୍ଷ ଧରି ଲେଖିବା ଭିତରେ ତାହାର ସମ୍ପାଦକମାନେ ମୋର ଲେଖାକୁ କେବଳ ଥରଟିଏ ପାଇଁ ଅଗ୍ରାହ୍ୟ କରିଦେଇଥିଲେ (ବର୍ତ୍ତମାନର ସଂଦର୍ଭରେ)। ମୁଁ ତାହା ଅନ୍ୟତ୍ର କେଉଁଠି ଛପାଇବାକୁ ସେମାନେ ଚାହିଥିଲେ, ମାତ୍ର ତାହା ଏଥିରେ ପ୍ରକାଶ ପାଇଁ ମୁଁ ବାଧ୍ୟ କରିଥିଲି। କାରଣ ଏହାକୁ ‘ସେନ୍‌ସର’ କରିବା ଅର୍ଥ ଜଣେ ସ୍ତମ୍ଭକାରଙ୍କର ନିଜ ଇଚ୍ଛାରେ ଲେଖିବାର ବିଶେଷାଧିକାରକୁ ଦଳିଚକଟି ଦେବା ଏବଂ ହସ୍ତକ୍ଷେପ ନ କରିବା ଆଦର୍ଶର ଉଲ୍ଲଂଘନ କରିବା; ଯାହା କରୁ ନ ଥିବା ଗୁଣ ପାଇଁ ଖବରକାଗଜଟି ପ୍ରଥମ ସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛି।

ସମ୍ବନ୍ଧିତ ଖବର