ବୃକ୍ଷ ବିଭବ, ଯାଦବ ପାଏଙ୍ଗ ଓ ତୁଳସୀ ଗୌଡ଼ା

ଜିତଶତ୍ରୁ ମହାନ୍ତି

ଆସାମର ଯାଦବ ପାଏଙ୍ଗ ବା କର୍ଣ୍ଣାଟକର ସୁଶ୍ରୀ ତୁଳସୀ ଗୌଡ଼ାଙ୍କ ନାମ ଶୁଣିଛନ୍ତି କି? ହୁଏ’ତ ନା! କିନ୍ତୁ ଜାଣି ରଖନ୍ତୁ ଏମାନଙ୍କ ନିରବ ଅବଦାନ ଅନେକ ଭାରତୀୟଙ୍କ ଆୟୁ ବୃଦ୍ଧିରେ ସହାୟକ ହୋ‌ଇଥିବ। ଏହାର କାରଣ ଏମାନେ ଏକା ଏକା ସ୍ବୀୟ ଉଦ୍ୟମରେ ବିରାଟ ଟାଙ୍ଗରା ଭୂମିରେ ନିଘଞ୍ଚ ଜଙ୍ଗଲ ସୃଷ୍ଟି କରିବ‌ାର ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି। ଯାଦବ ପାଏଙ୍ଗ ଜଣେ ସାଧାରଣ ଅଣକୁଶଳୀ ଶ୍ରମିକ ହୋଇଥିଲେ ମଧ୍ୟ ୫୫୦ ହେକ୍ଟର ପରିମିତ ଅଞ୍ଚଳକୁ ନିଜ ସମ୍ବଳରେ ନିରନ୍ତର ପ୍ରଚେଷ୍ଟା ଦ୍ବାରା ଏକ ନିବିଡ଼ ଜଙ୍ଗଲରେ ପରିଣତ କରି ପାରିଛନ୍ତି। ସେହିପରି ନିରକ୍ଷର ଗ୍ରାମୀଣ ମହିଳା ହୋଇଥିବା ସତ୍ତ୍ବେ ତୁଳସୀ ଗୌଡ଼ା ବ୍ୟାପକ ବୃକ୍ଷରୋପଣ କରି ପ୍ରାକୃତିକ ପରିବେଶରେ ଉଲ୍ଲେଖନୀୟ ଉନ୍ନତି ଘଟାଇ ପାରିଛନ୍ତି, ଯେଉଁଥି ଲାଗି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦ୍ବାରା ସମ୍ମାନିତ କରାଯାଇଛି। ଏବଂ ବଡ଼ କଥା ହେଲା ଆମ ଦେଶରେ ଏଭଳି ଜଙ୍ଗଲ ପ୍ରେମୀ ଓ ପରିବେଶ ସଚେତନ ଅସଂଖ୍ୟ ଅପରିଚିତ ମଣିଷ ନିଜ ନିଜ ପ୍ରୟାସରେ ବୃକ୍ଷରୋପଣ କରି ଜଙ୍ଗଲ ସଂପଦ ଅଭିବୃଦ୍ଧିରେ ମଗ୍ନ ଅଛନ୍ତି। ବର୍ତ୍ତମାନ ଭାରତରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ ଏମାନେ ସମସ୍ତେ କେବଳ ଅଭିନନ୍ଦନ ନୁହେଁ, ଆମ ସମସ୍ତଙ୍କ କୃତଜ୍ଞତାର ପାତ୍ର।

୧୯୫୦ ମସିହାରେ ଭାରତ ସରକାରଙ୍କର ତତ୍କାଳୀନ ଖାଦ୍ୟ ଓ କୃଷି ମନ୍ତ୍ରୀ କେ.ଏମ୍‌ ମୁନ୍‌ସି ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷାକୁ ଏକ ସାମୂହିକ କାର୍ଯ୍ୟକ୍ରମରେ ପରିଣତ କରି ଜୁଲାଇ ମାସ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଭାବରେ ସମଗ୍ର ଦେଶରେ ଆନୁଷ୍ଠାନିକ ପାଳନର ଆରମ୍ଭ କରିଥିଲେ। ଉେଦ୍ଦଶ୍ୟ ଥିଲା ଏ ଦିଗରେ ସାରା ଦେଶରେ ବ୍ୟାପକ ସଚେତନତା ସୃଷ୍ଟି। କାରଣ ସଭ୍ୟତାର ଅଗ୍ରଗତି ସହିତ ସହରୀକରଣ ଏବଂ ଶିଳ୍ପ ପ୍ରସାର ଇତ୍ୟାଦି ଭଳି ମାନବୀୟ କାର୍ଯ୍ୟକଳାପ ଯୋଗୁଁ ସାରା ପୃଥିବୀ ବିଷମୟ ହୋଇ ପଡ଼ିଛି। ମାତ୍ରାଧିକ ସବୁଜ ଗୃହ ଗ୍ୟାସ ଉତ୍ପନ୍ନ ହୋଇ ବାୟୁ ମଣ୍ତଳରେ ଅଙ୍ଗାରକାମ୍ଳ ତଥା କାର୍ବନ ପରିମାଣରେ ବୃଦ୍ଧି ଘଟାଇଛି। ଫଳରେ ପୃଥିବୀ କ୍ଷିପ୍ର ଗତିରେ ଉତ୍ତପ୍ତ ହୋଇ ମାନବ ଜାତିର ତିଷ୍ଠିବା ନେଇ ଆଶଙ୍କା ଦେଖାଗଲାଣି। ଏଭଳି ସ୍ଥିତିରୁ ମୁକ୍ତି ପାଇବା ଲାଗି ଏ ପର୍ଯ୍ୟନ୍ତ ବୃକ୍ଷ ରୋପଣ ହିଁ ସର୍ବାଦୃତ ଓ ଫଳପ୍ରଦ ପଦକ୍ଷେପ ଭାବରେ ଗୃହୀତ ହୋଇଛି।

ବାୟୁମଣ୍ତଳରୁ ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍‌ ଶୋଷଣ କରି ଜୀବନ ରକ୍ଷାକାରୀ ଅମ୍ଳଜାନ ପ୍ରଦାନ ହେଉଛି ବୃକ୍ଷର ସବୁଠାରୁ ବଡ଼ ଜଗତ୍‌ କଲ୍ୟାଣକାରୀ ଭୂମିକା। ଗୋଟିଏ ପୂର୍ଣ୍ଣାଙ୍ଗ ଓ ପାକଳ ବୃକ୍ଷ ଚାରି ସଦସ୍ୟ ବିଶିଷ୍ଟ ପରିବାରର ଅମ୍ଳଜାନ ଚାହିଦା ପୂରଣ ପାଇଁ ସକ୍ଷମ। ସବୁଠୁ ବଡ଼ କଥା ହେଲା ବିଷାକ୍ତ ଗ୍ୟାସ୍‌ ବିଶେଷ କରି କାର୍ବନ ପରିମାଣ ହ୍ରାସ କରିବାରେ ଏହାର ଭୂମିକା ଅତୁଳନୀୟ। ଏହା ଛଡ଼ା ଏହା କାର୍ବନକୁ ଆବଦ୍ଧ କରି ରଖେ। କାର୍ବନ ବିଘଟନ କରି ବୃକ୍ଷ ୭% ନିଜର ଗଣ୍ତି, ଶାଖା ପ୍ରଶାଖା ଓ ପତ୍ର ମଧ୍ୟରେ, ୬% ଚେରରେ, ୫% ଭୂପତିତ ପତ୍ରାଦିରେ ଏବଂ ୭୨% ଆଚ୍ଛାଦିତ କରିଥିବା ମୃତ୍ତିକାରେ ସଂରକ୍ଷିତ କରିଥାଏ। ଯେଉଁ ଗଛର ଶାଖାପ୍ରଶାଖା ବେଶୀ, ପତ୍ର ବଡ଼ ଓ ଦୀର୍ଘଜୀବୀ ସେହି ଗଛଗୁଡ଼ିକ ଅଧିକ ପରିମାଣରେ କାର୍ବନ ଅପସାରଣ କରିବାରେ ସମର୍ଥ ହୋଇଥାନ୍ତି। ବହୁବିଧ ବୃକ୍ଷରାଜି ଦ୍ବାରା ସମୃଦ୍ଧ ଜଙ୍ଗଲର କାର୍ବନ ସଂଗ୍ରହ କ୍ଷମତା ଖୁବ୍ ଅଧିକ। ଗୋଟିଏ ଏକର ପରିମିତ ଜଙ୍ଗଲ ବାର୍ଷିକ ପ୍ରାୟ ୫ ଟନ୍ କାର୍ବନ୍ ଡାଇଅକ୍ସାଇଡ୍‌ ଓ ୧୦ ଟନ୍‌ରୁ ଅଧିକ ଅନ୍ୟାନ୍ୟ ଗ୍ୟାସ୍‌ ବାୟୁମଣ୍ତଳରୁ ନିଷ୍କାସନ କରିଥାନ୍ତି। ବୃକ୍ଷ ଏକାଧାରାରେ କାର୍ବନ ନିଷ୍କାସନକାରୀ, ବିନିଯୋଗକାରୀ, ଆବଦ୍ଧକାରୀ ଓ ଆଜୀବନ ସଂରକ୍ଷଣକାରୀର ଭୂମିକା ନିର୍ବାହ କରିଆସୁଛି।

ଏଥିରେ ଦ୍ବିରୁକ୍ତି ନାହିଁ ଯେ ସ୍ବଳ୍ପ ସମ୍ବଳରେ ଜନସାଧାରଣଙ୍କ ସହଯୋଗ ଏବଂ ଆଗ୍ରହରେ ବ୍ୟାପକ ବୃକ୍ଷରୋପଣ କରାଯିବା ସମ୍ଭବପର। ସବୁ ଦୃଷ୍ଟିରୁ ବିଚାର କଲେ ବୃକ୍ଷରୋପଣ ଏକ ସରଳ, ସହଜ, ସ୍ବଳ୍ପ ବ୍ୟୟୀ, ସର୍ବଜନ ସଂପୃକ୍ତିର ସମ୍ଭାବନା ବହନକାରୀ ସଫଳ ଉପାୟ। ବର୍ତ୍ତମାନ କେବଳ ଭାରତ ଲାଗି ନୁହେଁ, ସାରା ପୃଥିବୀ ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇ ପଡ଼ିଛି। ଏଥିପାଇଁ ବିଶ୍ବ ସ୍ତରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି। ‘ୱର୍ଲଡ ଏନ୍‌ଭିରନମେଣ୍ଟ ଫୋରମ୍‌’ ନାମକ ଅନୁଷ୍ଠାନ ଗୋଟିଏ ଟ୍ରିଲିଅନ୍ ବୃକ୍ଷ ରୋପଣ ଅଭିଯାନ ୨୦୨୦ ଜାନୁଆରି ମାସରୁ ଆରମ୍ଭ କରିଛି। ସେହିପରି ‘ୱର୍ଲଡ୍‌ୱାଇଡ୍‌ ଫଣ୍ଡ୍‌ ଫର ନେଚର୍‌’ ଓ ଅନ୍ୟ କେତେକ ସଂସ୍ଥା ମିଳିତ ଭାବରେ ୨୦୫୦ ମସିହା ସୁଦ୍ଧା ଏକ ଟ୍ରିଲିଅନ୍ ବୃକ୍ଷ ରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଛଡ଼ା ଅନେକ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂସ୍ଥା ବହୁଳ ଭାବେ ବୃକ୍ଷରୋପଣ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ଗ୍ଲାସ୍‌ଗୋ ସମ୍ମିଳନୀରେ ୯୦୦ ନିୟୁତ ହେକ୍ଟରରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ମତ ପ୍ରକାଶ ପାଇଛି। ଜଣାପଡ଼େ ଯେ ବର୍ତ୍ତମାନର ବୃକ୍ଷ ସମ୍ପଦ ସହିତ ଅଧିକ ଏକ ଟ୍ରିଲିଅନ୍ ବୃକ୍ଷ ମିଶିଗଲେ ବାୟୁମଣ୍ତଳରେ ଗଚ୍ଛିତ ଥିବା କାର୍ବନର ଅର୍ଦ୍ଧାଧିକର ଅପସାରଣ ସମ୍ଭବ ହୋଇପାରିବ, ଯାହା ମାନବ ଜାତି ପାଇଁ ଏକ ବରଦାନ ସଦୃଶ ହେବ। ଆଗାମୀ ୧୦ ବର୍ଷ ମଧ୍ୟରେ ତାପମାତ୍ର ବୃଦ୍ଧିକୁ ୧.୫ ଡିଗ୍ରି ସେଲ୍‌ସିଅସ୍‌ ଭିତରେ ସୀମିତ ରଖିବାକୁ ପଡ଼ିବ, ନଚେତ୍ ପରିଣାମ ଅତି ଭୟାବହ ହେବ। ତେଣୁ ବୃକ୍ଷରୋପଣ ପୃଥିବୀର ରକ୍ଷା ପାଇଁ ଅନିବାର୍ଯ୍ୟ।

ତେବେ, କେବଳ ଚାରା ରୋପଣ ନୁହେଁ, ବୃକ୍ଷଗୁଡ଼ିକର ଯତ୍ନ ଓ ସୁରକ୍ଷା ନିହାତି ଦରକାର। ସେଥିଲାଗି ଆମ ଆଗରେ ଯାଦବ ପାଏଙ୍ଗ ଏବଂ ସୁଶ୍ରୀ ତୁଳସୀ ଗୌଡ଼ାଙ୍କ ଉଦାହରଣ ରହିଛି। ଏମାନଙ୍କ ପଦାଙ୍କ ଅନୁସରଣ କରି ବୃକ୍ଷରୋପଣ ଏବଂ ଜଙ୍ଗଲ ସଂରକ୍ଷଣ ଦିଗରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭୂମିକା ନିର୍ବାହ କରିବା ଆମ ସମସ୍ତଙ୍କ ଧ୍ୟେୟ ହେବା ଉଚିତ।

(୭୩ତମ ବନ ମହୋତ୍ସବ ସପ୍ତାହ ଅବସରରେ)
ମୋ: ୯୪୩୭୦୮୦୨୩୩

ସମ୍ବନ୍ଧିତ ଖବର