ପୋପ୍‌ଙ୍କ ସହ ସାକ୍ଷାତ: ଗାନ୍ଧୀଙ୍କଠୁ ନବୀନଙ୍କ ପର୍ଯ୍ୟନ୍ତ

ସତ୍ୟ ନାରାୟଣ ସାହୁ

ଇଟାଲୀର ରାଜଧାନୀ ରୋମରେ ସ୍ଥିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (World Food Programme)ର ନିମନ୍ତ୍ରଣ କ୍ରମେ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ଥିବା ବେଳେ ସେଠାକାର ଏମ.ଜି ମେମୋରିଆଲରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଟିକାନରେ ପୋପ୍ ଫ୍ରାନସିସଙ୍କୁ ଦେଖା କରିଥିଲେ। ପୋପ୍ ହେଉଛନ୍ତି ଖ୍ରୀଷ୍ଟିଆନ ଧର୍ମର ବିଶ୍ୱରେ ଥିବା ରୋମାନ କାଥୋଲିକ ମାନଙ୍କର ମୁଖ୍ୟ। ପୋପ୍ ଫ୍ରାନସିସ ମାର୍ଚ୍ଚ ୨୦୧୩ରେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ୨୬୬ତମ ମୁଖ୍ୟ ଭାବରେ ମନୋନୀତ ହୋଇଥିଲେ। ସେ ହେଉଛନ୍ତି ଆର୍ଜେଣ୍ଟିନାରେ ଜନ୍ମିତ ବ୍ୟକ୍ତି ଯାହାଙ୍କ ନାଁ ଜର୍ଜ ମାରିଓ ବର୍ଗୋଗ୍ଲିଓ ଓ ସେ ପୋପ୍ ହେବା ପରେ ଇଟାଲୀରରେ ସ୍ଥିତ ଆସିସି ସହରରେ ୮୦୦ ବର୍ଷ ପୂର୍ବେ ବସବାସ କରୁଥିବା ଖ୍ରୀଷ୍ଟିଆନ ଧର୍ମର ପ୍ରସିଦ୍ଧ ସନ୍ଥ ଫ୍ରାନସିସଙ୍କ ନାଁକୁ ଆପଣାଇ ପୋପ୍ ଫ୍ରାନସିସ ଭାବେ ସମଗ୍ର ବିଶ୍ୱରେ ପରିଚିତ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀ ସନ୍ଥ ଫ୍ରାନସିସଙ୍କୁ ୟୁରୋପର ଯୋଗୀ ବୋଲି ବର୍ଣନା କରି ଲେଖିଥିଲେ ଯେ ‘ଯଦି ଜଣେ ବ୍ୟକ୍ତି ପ୍ରକୃତରେ ଅହିଂସାକୁ ପୂର୍ଣ୍ଣତାର ସହିତ ଗ୍ରହଣ କରି କାର୍ଯ୍ୟରେ ପରିଣତ କରେ, ତେବେ ସେ ସଂସାରକୁ ଗଭୀର ଭାବେ ପ୍ରଭାବିତ କରିବ; ଏପରିକି ସାପ ଏବଂ ଅନ୍ୟାନ୍ୟ ବିଷଧର ସରୀସୃପ ମଧ୍ୟ ତାଙ୍କର ଅନିଷ୍ଟ କରିବେ ନାହିଁ। ଏହା ଆସିସିର ସନ୍ଥ ଫ୍ରାନସିସଙ୍କ ଅଙ୍ଗେନିଭା ବୋଲି ଜଣାଯାଏ।’

ଇତିହାସ ପୃଷ୍ଠା ଓଲଟାଇଲେ ଆମେ ଅବଗତ ହେଉ ଯେ ଭାଟିକାନର ପୋପ୍ ସ୍ୱାଧୀନ ଭାରତର ଅନେକ ପ୍ରଧାନମନ୍ତ୍ରୀ ଓ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଦେଖା କରିଛନ୍ତି। ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ୧୯୫୫, ଇନ୍ଦିରା ଗାନ୍ଧୀ ୧୯୮୧, ଆଇ. କେ. ଗୁଜରାଲ ୧୯୯୭, ଅଟଳ ବିହାରୀ ବାଜପେୟୀ ୨୦୦୦ ଓ ନରେନ୍ଦ୍ର ମୋଦୀ ୨୦୨୧ରେ ପୋପ୍‌ଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ କେରଳର କମ୍ୟୁନିଷ୍ଟ ନେତା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଇ. କେ. ନାୟାନାର ୧୯୯୭ରେ ଭାଟିକାନରେ ପୋପ୍‌ଙ୍କୁ ଭେଟି ଭଗବତଗୀତା ବହି ଖଣ୍ଡେ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ପୋପ୍ ମଧ୍ୟ ତାଙ୍କୁ ଏକ ଜପା ମାଳି ପ୍ରଦାନ କରିଥିଲେ। ୨୦୧୪ରେ ମଦର ଟେରେସାଙ୍କୁ ପୋପ୍ ଫ୍ରାନସିସ ସନ୍ଥ ମାନ୍ୟତା ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପ୍‌ଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍‌ଙ୍କୁ ୨୨ ଜୁନ ୨୦୨୨ରେ ଦେଖା କରି ‘ଜୀବନର ବୃକ୍ଷ’ ଶୀର୍ଷକ ପଟ୍ଟଚିତ୍ର ଉପହାର ଭାବେ ଦେଇଛନ୍ତି। ପୃଥିବୀର ଜୀବନକୁ ପରିବେଶ ବିପର୍ଯ୍ୟୟରୁ ବଞ୍ଚାଇବା ପାଇଁ ପୋପ୍ ନେଇଥିବା ପଦକ୍ଷେପକୁ ସମ୍ମାନ ଦେଲା ଭଳି ସେହି ଜୀବନ କୈନ୍ଦ୍ରିକ ପଟ୍ଟଚିତ୍ରଟିକୁ ଦେଖାଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ ମଦର ଟେରେସାଙ୍କ ଦ୍ବାରା ସ୍ଥାପିତ ‘ମିସନାରିଜ୍‌ ଅଫ ଚାରିଟି’କୁ ବିଦେଶୀ ଅନୁଦାନ ଲାଭ ପାଇଁ ଆବଶ୍ୟକ ବିଦେଶୀ ଅନୁଦାନ ପଞ୍ଜୀକରଣ ନିୟମାବଳୀର ନବୀକରଣ କରିବାକୁ କେନ୍ଦ୍ର ସରକାର ଡିସେମ୍ବର ୨୦୨୦ରେ ମନା କରି ଦେଇଛନ୍ତି। ତା’ ପରେ ଓଡ଼ିଶାରେ ଗରିବଙ୍କ ପାଇଁ କାମ କରୁଥିବା ଏହି ଅନୁଷ୍ଠାନର ଶାଖାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅର୍ଥ ଦିଆଯିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରି ଜିଲ୍ଲାପାଳମାନଙ୍କୁ ତଦନୁସାରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ନିଷ୍ପତ୍ତି ନେବାର ୭ ମାସ ପରେ ନବୀନ ବାବୁ ପୋପ୍‌ଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତର ଏକ ସାମ୍ପ୍ରତିକ ଓ ଗୁରୁତ୍ବପୂର୍ଣ୍ଣ ପୃଷ୍ଠଭୂମି ହେଉଛି ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଆଦେଶ, ଯାହା ପୁରୀ ଜଗନ୍ନାଥ ମନ୍ଦିର କରିଡର ପ୍ରକଳ୍ପ ବିରୋଧରେ ଦାଖଲ କରାଯାଇଥିବା ଜନହିତକର ମାମଲାକୁ ଖାରଜ କରି ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବୈଧ ବୋଲି ଘୋଷଣା କରିଥିଲା। ଓଡ଼ିଶାରେ ନବୀନ ସରକାର ଅନେକ ପ୍ରାଚୀନ ମନ୍ଦିରର ନବୀକରଣ ପାଇଁ ଅର୍ଥ ଦେବା ସହିତ ମସଜିଦ, ଗୀର୍ଜା ଘର, ଗୁରୁଦ୍ବାର ଓ ପଂଜାବୀ ମଠର ନବୀକରଣ ପାଇଁ ମଧ୍ୟ ବହୁ ପରିମାଣର ଅନୁଦାନ ଦେଇଛନ୍ତି। ସବୁ ଧର୍ମର ପୂଜାସ୍ଥଳୀକୁ ଏହି ଭାବେ ଗୁରୁତ୍ବ ଦେଇ ଆସିଛନ୍ତି। ପୋପ୍‌ଙ୍କ ସହିତ ତାଙ୍କ ସାକ୍ଷାତ ତାଙ୍କ ବିଚାରରେ ରହିଥିବା ସାଂସ୍କୃତିକ ସ୍ୱାଧୀନତା, ସର୍ବଧର୍ମ ସମ ଭାବ ଓ ଧର୍ମ ନିରପେକ୍ଷତାର ପ୍ରାଧାନ୍ୟକୁ ଦର୍ଶାଇଥାଏ। ଇଟାଲୀରୁ ଫେରିବା ବାଟରେ ସେ ଆବୁଧାବିରେ ଶେଖ ଯାଏଦ ମସଜିଦକୁ ଗଲେ। ତାଙ୍କ ମନରେ ସବୁ ଧର୍ମ ପ୍ରତି ଯେ ଅନୁରାଗ ଅଛି ଏହା ତାହାର ଏକ ପ୍ରମା‌ଣ।

ସର୍ବଧର୍ମ ସମ ଭାବ ଓ ଧର୍ମ ନିରପେକ୍ଷତାକୁ ଭାରତର ସମ୍ବିଧାନର ମୌଳିକ ଢାଞ୍ଚାର ଅଭିନ୍ନ ଅଙ୍ଗ ବୋଲି ସୁପ୍ରିମ୍‌ କୋର୍ଟ ଅନେକ ବିଚାରରେ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସରକାର ଓ ସାଧାରଣ ଜନତା ଯେଉଁ ଭାବେ ସର୍ବଧର୍ମ ସମ ଭାବର ପରମ୍ପରାକୁ ବଜାୟ ରଖିଛନ୍ତି, ତାହା ସାରା ଭାରତକୁ ଧର୍ମ ଭିତ୍ତିକ ଧ୍ରୁବୀକରଣର ବିପଦରୁ ରକ୍ଷା କରିବା ପାଇଁ ଆଶା ସଂଚାର କରିପାରେ। ଏହି ଦୃଷ୍ଟିକୋଣରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭାଟିକାନରେ ପୋପ୍‌ଙ୍କ ସହ ସାକ୍ଷାତ ଓ ଆମ ରାଜ୍ୟରେ ସବୁ ଧର୍ମର ଉପସନା ସ୍ଥଳୀର ନବୀକରଣର ଉଦ୍ୟମ ସେହି ମହତ୍‌ ଆଦର୍ଶକୁ ଦର୍ଶାଇଥାଏ।

ଏହି ଅବସରରେ ପୋପ୍ ଫ୍ରାନସିସ ତାଙ୍କ ବିଶପମାନଙ୍କୁ ୩ ଅକ୍ଟୋବର ୨୦୨୦ରେ ଲେଖିଥିବା ଚିଠି (Encyclical Letter) ସ୍ମରଣକୁ ଆସିଥାଏ। ସେଥିରେ ସେ ଲେଖିଥିଲେ- ‘ସବୁ ଧର୍ମ ମନୁଷ୍ୟର ସମ୍ମାନକୁ ଆଧାର କରି ସମସ୍ତେ ଈଶ୍ବରଙ୍କ ସନ୍ତାନ ଭାବେ ବର୍ଣ୍ଣନା କରିଥାଏ। ଏହା ସମସ୍ତଙ୍କୁ ଗୋଟିଏ ଭ୍ରାତୃତ୍ବ ଭାବରେ ବାନ୍ଧି ଥାଏ ଏବଂ ସମାଜରେ ନ୍ୟାୟ ରକ୍ଷା ଦିଗରେ ବିଶେଷ ଅବଦାନ ରଖିଥାଏ। ବିଭିନ୍ନ ଧର୍ମର ଅନୁଗାମୀଙ୍କ ମଧ୍ୟରେ ଭାବ ବିନିମୟର ଉଦ୍ଦେଶ୍ୟ ବନ୍ଧୁତା, ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ଏବଂ ଆଧ୍ୟାତ୍ମିକ ଓ ନୈତିକ ମୂଲ୍ୟବୋଧ ଏବଂ ଅନୁଭୂତି ବିତରଣ କରିବା।’

ସୁଖର କଥା ଯେ ଭାଟିକାନର ପୋପ୍ ଏହି ପ୍ରକାରର ଚିଠି ଲେଖୁଛନ୍ତି, ଯାହା ୧୯୩୧ ମସିହାରେ ତତ୍କାଳୀନ ପୋପ୍ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ମନା କରି ଦେଇଥିବା ନିଷ୍ପତ୍ତିର ବିପରୀତ। ସେହି ବର୍ଷ ମହାତ୍ମା ଗାନ୍ଧୀ ତାଙ୍କର ରୋମ ଗସ୍ତ ସମୟରେ ଯେତେବେଳେ ପୋପ୍‌ଙ୍କୁ ଦେଖା କରିବା ପାଇଁ ଅନୁରୋଧ କରିଥିଲେ, ପୋପ୍ ତାକୁ ଗ୍ରହଣ କରି ନ ଥିଲେ। ୧୨ ଡିସେମ୍ବର ୧୯୩୧ରେ ଗାନ୍ଧୀ ତାଙ୍କର ଡାଇରିରେ ଏ କଥା ଲେଖିଥିଲେ।

ଅବଶ୍ୟ, ୧୯୮୬ରେ ପୋପ୍ ଜନ୍ ପଲ୍ ଦ୍ୱିତୀୟ ଭାରତ ଭ୍ରମଣ ସମୟରେ ଦିଲ୍ଲୀରେ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ପରିଦର୍ଶନ କରି କହିଥିଲେ, ‘ଆଜି ଶାନ୍ତିର ତୀର୍ଥଯାତ୍ରୀ ଭାବରେ ମୁଁ ମାନବିକତାର ବୀର ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଠାକୁ ଆସିଛି। ଗାନ୍ଧୀଙ୍କ ଚିତ୍ର ଏବଂ ତାଙ୍କ ଜୀବନର କାର୍ଯ୍ୟର ସାରମର୍ମ ମାନବ ଜାତିର ଚେତନାର ଅବିଚ୍ଛେଦ୍ୟ ଅଂଶ।’

ଭାଟିକାନ୍ ଗାନ୍ଧୀଙ୍କ ଉପରେ ନିଜର ମତ ବଦଳାଇବାର ଆଉ ଏକ ପ୍ରମାଣ ଅଛି। ଭାଟିକାନରେ ଧର୍ମମାନଙ୍କ ମଧ୍ୟରେ ହେଉଥିବା ବାର୍ତ୍ତା ବିନିମୟ ପାଇଁ ଯେଉଁ କାଉନସିଲ ଗୃହ ତିଆରି କରାଯାଇଛି, ତାର ପ୍ରବେଶ ଦ୍ୱାରରେ ଏକ ବଡ଼ ଚିତ୍ର ରଖାଯାଇଛି। ସେହି ଚିତ୍ରରେ ରହିଛି ପୋପ୍‌ଙ୍କ ଦ୍ୱାରା ବିସ୍ତାରିତ ହାତରେ ସ୍ୱାଗତ କରାଯାଉଛି କିଛି ଆଧ୍ୟାତ୍ମିକ ଗୁରୁଙ୍କୁ, ଯେଉଁମାନଙ୍କ ଭିତରେ ସବୁଠାରୁ ଆଖିଦୃଶିଆ ହେଉଛନ୍ତି ଜଣେ କଳା ରଙ୍ଗର ସାଧାରଣ ବ୍ୟକ୍ତି, ଯାହାଙ୍କ ପରିଧାନ ଏକ ଧଳା ଧୋତି ଏବଂ ତାଙ୍କ ହାତରେ ବାଡ଼ିଟିଏ ଅଛି। ଏଭଳି ବ୍ୟକ୍ତିଙ୍କ ଲାଗି ପରିଚୟର ଆବଶ୍ୟକତା ଅଛି କି? ସେ ହେଉଛନ୍ତି ମହାତ୍ମା ଗାନ୍ଧୀ।

୧୯୩୧ରେ ତତ୍କାଳୀନ ପୋପ୍ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ପ୍ରତ୍ୟାଖାନ କରିଥିଲେ ଓ ବର୍ତ୍ତମାନ ଭାଟିକାନରେ ଅଙ୍କିତ ଚିତ୍ର ମାଧ୍ୟମରେ ପୋପ୍ ଯେଉଁ ଆଧ୍ୟାତ୍ମିକ ଗୁରୁମାନଙ୍କୁ ଭାଟିକାନକୁ ସ୍ୱାଗତ ଜଣାଉଛନ୍ତି ସେମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ମହାତ୍ମା ଗାନ୍ଧୀ। ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇ ପୋପ୍‌ଙ୍କୁ ସାକ୍ଷାତ କରିବା ପୂର୍ବରୁ ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଗାନ୍ଧୀଜୀଙ୍କ ବାଣୀରୁ ଉଦ୍ଧାର କରି କହିଥିଲେ ଯେ ଶାନ୍ତି ବିନା ପ୍ରଗତି ଅସମ୍ଭବ। ଭାଟିକାନ ଗାନ୍ଧୀଙ୍କୁ ଗ୍ରହଣ କରିପାରିଛି ଓ ତାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରଣିତ ହେଉଛି। ଅଥଚ ଏତିକି ବେଳେ ଭାରତରେ ଗାନ୍ଧୀଙ୍କ ଲାଗି କେତେକ ରାଜନୈତିକ ଦଳର ବ୍ୟକ୍ତି ଓ ନେତା ଅପମାନସୂଚକ ମନ୍ତବ୍ୟ ଦେବା ସହିତ ତାଙ୍କ ଆତତାୟୀର ମହିମା ମଣ୍ଡନ ଲାଗି ଚେଷ୍ଟା କରୁଛନ୍ତି ଏହା ଏକ ବିରାଟ ବିଡ଼ମ୍ବନା। ନିର୍ବାଚନକୁ ଆଖିରେ ରଖି ଯେଉଁ ରାଜନୈତିକ ଦଳ ଓ ସଂଗଠନ ଧାର୍ମିକ ଧ୍ରୁବୀକରଣ କରି ଦେଶ ଓ ସମାଜକୁ ସଙ୍କଟାପନ୍ନ କରିବାର ଉଦ୍ୟମ କରୁଛନ୍ତି, ସେମାନେ ଗାନ୍ଧୀଙ୍କ ପ୍ରତି ଭାଟିକାନର ପରିବର୍ତ୍ତିତ ସକାରାତ୍ମକ ଦୃଷ୍ଟିକୋଣରୁ କିଛି ଶିଖିବା ଉଚିତ। କହିବା ବାହୁଲ୍ୟ ଯେ ସମ୍ବିଧାନରେ ଦର୍ଶାଯାଇଥିବା ଭଳି ରାସ୍ତାରେ ଦେଶକୁ ଆଗେଇ ନେଲେ ଦେଶବାସୀଙ୍କ କଲ୍ୟାଣ ହେବା ସହିତ ବିଶ୍ୱରେ ଭାରତ ପ୍ରତି ସମ୍ମାନ ବଢ଼ିବ।

ମୋ: ୯୮୭୧୮୯୪୫୩୪

ସମ୍ବନ୍ଧିତ ଖବର