‘ନୀଳଶୈଳ’ ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତିର ପ୍ରଥମ ମୂର୍ତ୍ତି। ଅନ୍ୟ ଦୁଇ ମୂର୍ତ୍ତି ହେଉଛନ୍ତି- ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’।

Advertisment

‘ନୀଳଶୈଳ’ ଉପନ୍ୟାସର ଐତିହାସିକ ଆଧାର- ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ କାହାଣୀ। ସେ ପ୍ରସଙ୍ଗଟି ଏହିପରି।

ଅଷ୍ଟାଦଶ ଶତାବ୍ଦୀର କଥା। ଓଡ଼ିଶାରେ ମୋଗଲ ରାଜତ୍ୱ। ଓଡ଼ିଶା ରହିଥାଏ ନାଏବ-ନାଜିମ୍‌ମାନଙ୍କର ତତ୍ତ୍ୱାବଧାନରେ। ରାମଚନ୍ଦ୍ରଦେବ ନାଏବ-ନାଜିମ୍ ତକୀ ଖାଁ ଦ୍ୱାରା ବନ୍ଦୀ ହୁଅନ୍ତି। ବନ୍ଦୀଶାଳାରେ ଯବନୀ ରିଜିୟାଙ୍କୁ ବିବାହ କରି ହୁଅନ୍ତି ଧର୍ମାନ୍ତରିତ। ତାଙ୍କର ନୂଆ ନାଆଁ ହୁଏ ହାଫିଜ୍ କାଦର ବେଗ୍। ସେ ରାଜବନ୍ଦୀ; ରାଜ୍ୟ ବିପନ୍ନ। ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କର ସ୍ଥିତି ସଂକଟରେ। ତକୀ ଖାଁର ଆଖି ଖୋର୍ଦ୍ଧା ରାଜ୍ୟ ଓ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପଦ ଉପରେ। ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ, ଲୁଣ୍ଠନ ଓ ମୂର୍ତ୍ତିଧ୍ୱଂସର ଆଶଙ୍କା ସତତ ଆସନ୍ନ। ରାଣୀ ଓ ପୁତ୍ର ସିଂହାସନ ପ୍ରାପ୍ତି ପାଇଁ ଉଦ୍ୟମରତ ଏବଂ ତା’ ସାଙ୍ଗକୁ ବକ୍ସିଙ୍କ ବିଶ୍ୱାସଘାତକତା ଓ ଷଡ଼୍‌ଯନ୍ତ୍ର। ଏପରି ସ୍ଥିତିରେ ଶ୍ରୀମନ୍ଦିରର ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରିନିଆଯାଏ ଚିଲିକା ଗର୍ଭକୁ।

ଏହା ହେଉଛି ତଥ୍ୟସୂତ୍ର। ତା’ ସହିତ ୧୯୬୪ ମସିହା ରଥଯାତ୍ରାର ଏକ ଆକସ୍ମିକ ଘଟଣାର ପ୍ରେରଣା ଏବଂ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସକୁ ଯୋଡ଼ି, ‘ନୀଳଶୈଳ’ର ନକ୍‌ସା ପ୍ରସ୍ତୁତ କରିଥିଲେ ସୁରେନ୍ଦ୍ର ମହାନ୍ତି। ୧୯୬୪ ରଥଯାତ୍ରାର ସେଇ ଆକସ୍ମିକ ଘଟଣାଟି ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୨୪ ଜୁନ୍‌)ରେ ବର୍ଣ୍ଣିତ ହୋଇଛି। ସେଦିନର ସେଇ ବୁଢ଼ୀଟି- ଭକ୍ତିର ଊର୍ଦ୍ଧ୍ୱରେ ଯାହାର ଅନ୍ତରରେ ଥିଲା ଶ୍ରୀଜଗନ୍ନାଥଙ୍କ ପ୍ରତି ମମତ୍ୱବୋଧ- ସେ ହିଁ ରୂପ ପାଇଥିଲା ‘ସରଦେଈ’ ହୋଇ ‘ନୀଳଶୈଳ’ରେ। ସେ ଗଢ଼ିଉଠିଥିଲା ‘ନୀଳଶୈଳ’ର ନାୟିକା ହୋଇ। କିନ୍ତୁ ସୁରେନ୍ଦ୍ର ମହାନ୍ତି ସ୍ୱୀକାର କରିଛନ୍ତି- ସରଦେଈକୁ ନାୟିକା କରିବାର କୌଣସି ଯୋଜନା ଆରମ୍ଭରୁ ତାଙ୍କର ନଥିଲା। ସେ ଭାବିଥିଲେ- ରାମଚନ୍ଦ୍ରଦେବଙ୍କର ପାଟରାଣୀ ଲଳିତା ମହାଦେଈ ହେବେ ‘ନୀଳଶୈଳ’ର ନାୟିକା। କିନ୍ତୁ ରଚନାକ୍ରମରେ ସରଦେଈ ହିଁ ସମଗ୍ର ଉପନ୍ୟାସଟିକୁ ଆଚ୍ଛନ୍ନ କରିବସିଲା।

‘ନୀଳଶୈଳ’ରେ ନାୟିକା ସରଦେଈର ଅନ୍ତିମ ଦୃଶ୍ୟ ସୁରେନ୍ଦ୍ର ମହାନ୍ତି ଆଙ୍କିଛନ୍ତି- ଚିଲିକାର ଗୁରୁବାଈ ଦ୍ୱୀପକୁ ଶ୍ରୀଜଗନ୍ନାଥଙ୍କ ସ୍ଥାନାନ୍ତର ଏବଂ ସରଦେଈର ଶେଷ ନିଃଶ୍ୱାସ ତ୍ୟାଗରେ। ‘ନୀଳଶୈଳ’ରେ ସେ ବର୍ଣ୍ଣନା ଅଛି ଏମିତି-

“ଚଟିଘର ସାମନାରେ, ବର୍ଷାଭିଜା ବାଲି ଉପରେ ବହୁ ମଣିଷଙ୍କ ପାଦଚିହ୍ନ ପଡ଼ିଥିଲା। ସମୁଦ୍ରଆଡ଼ୁ ସେ ପାଦଚିହ୍ନ ସବୁ ଲମ୍ବି ଆସିଥିଲା ଚଟିଘର ଆଡ଼େ। ଚଟିଘର ଦାଣ୍ଡରେ ପାଦଚିହ୍ନସବୁ ଦଳି, ମନ୍ଥି ଏକାକାର ହୋଇ, ପୁଣି ଲମ୍ବିଯାଇଥିଲା ଚିଲିକା ଆଡ଼େ।...

ଆଃ... ଜାତିଫୁଲର ମାଳା ଆଉ ସଂପୁଟସବୁ, ଏ ଅପନ୍ତରା ବାଲିରେ ଆସିଲା କୁଆଡ଼ୁ? ବାଲି ଉପରଯାକ ଥିତିବିତି ହୋଇ ପଡ଼ିଥିଲା ରାଶିରାଶି ମଉଳା ସେବତୀ, ଦୟଣାର ଛିନ୍ନମାଳା, ନାଗେଶ୍ୱରର ଫୁଲମଣ୍ଡା, ଆଉ କେତକୀ ଟାହିଆର ପାଖୁଡ଼ା। ଦୟଣାର ଭୀରୁ ସୁରଭିରେ ଚାରିଆଡ଼ ଆମୋଦିତ ହୋଇଉଠୁଥିଲା। ଜଗନ୍ନାଥଙ୍କର ପ୍ରିୟତମ ଏ କେରିକେରି ଦୟଣା ଏଠାକୁ କୁଆଡ଼ୁ କିପରି ଆସିଲା, ସରଦେଈ ବୁଝିପାରୁ ନଥିଲା। ସରଦେଈ ଭିଜାବାଲି ଉପରେ ବସିପଡ଼ି, ଦୁର୍ଲଭ ମଣିମୁକ୍ତା ପରି, ସେ ଫୁଲସବୁକୁ ତଳୁ ସାଉଁଟିବାରେ ଲାଗିଲା।

କାଲି ରାତିରେ ଏ ତଣ୍ଡାକିନାରକୁ ଆସିଥିଲା କିଏ? ପଛରେ ସେ ରଖିଯାଇଛି ଖାଲି ଫୁଲ ଆଉ ଗନ୍ଧ, ଆଲୋକ ଆଉ କାକଳିର ପାଦଚିହ୍ନ। ହାୟ! ହତଭାଗୀ- ଏତେ ପାଖକୁ ମେଘ ରାତିରେ କେଉଁ ରୂପମୟ, ରସମୟ ଆଶ୍ରୟ ଖୋଜି ଆସିଥିଲେ- ସର ତାଙ୍କୁ ଥରେ ଦେଖି ସୁଦ୍ଧା ପାରିଲା ନାଇଁ!..”

କିନ୍ତୁ ‘ନୀଳଶୈଳ’ରେ ଏଇଠି ହିଁ ସରଦେଈର ଅନ୍ତିମ ଦୃଶ୍ୟପଟ ଆଙ୍କିଛନ୍ତି ସୁରେନ୍ଦ୍ର ମହାନ୍ତି। କହିଛନ୍ତି, “ଅଭିମାନରେ ସରଦେଈର ଦୁଇ ଶୀର୍ଣ୍ଣ ଓଠ ସ୍ଫୁରିତ ହୋଇ ଉଠୁଥିଲା- ‘ହେ ନିଷ୍ଠୁର, କେଉଁ ଛଟକରେ ଆସି, ତୁମେ କେଉଁ ଛଟକରେ ପୁଣି ଚାଲିଯାଅ! ପଛରେ ରଖିଯାଅ କେବଳ ଜନ୍ମଜନ୍ମର ଅକଳନ୍ତି ଆକୁତି, ଆଉ ଅସରନ୍ତି ଲୁହ’!”

ସରଦେଈ ଆଖିମେଲି ଆଉ ବେଶୀ କ୍ଷଣ ଅନାଇ ପାରିଲା ନାହିଁ। ତା’ର ଦୁଇ ଆଖିପତା ଧୀରେ ଧୀରେ ମୁଦ୍ରିତ ହୋଇ ଆସିଲା। ତାହା ଆଉ ଫିଟିଲା ନାହିଁ।”

ସରଦେଈର ଅନ୍ତ ଓ ଶ୍ରୀଜଗନ୍ନାଥଙ୍କ ଦ୍ୱୀପାନ୍ତର- ଏହା ଥିଲା ‘ନୀଳଶୈଳ’ର ଉପସଂହାର।

ସେଥିପାଇଁ ସେ ‘ନୀଳଶୈଳ’ରେ କହିଥିଲେ, “ଏଣିକି ରାମଚନ୍ଦ୍ରଦେବଙ୍କ ପଥ ଅନିର୍ଦ୍ଦିଷ୍ଟ- କୁଆଡ଼େ? କୁଆଡ଼େ? ସମ୍ମୁଖରେ ଅଥଳ, ଧୂସର ଚିଲିକା; ଉପରେ ନିର୍ମେଘ ଆକାଶ- ଗୋଟାଏ ନୀଳ ମରୁଭୂମି।”

ଏହାର ପରବର୍ତ୍ତୀ ପର୍ବ- ‘ନୀଳାଦ୍ରି ବିଜୟ’; ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତିର ଦ୍ୱିତୀୟ ମୂର୍ତ୍ତି।

‘ନୀଳଶୈଳ’ (୧୯୬୮)ର ୧୨ ବର୍ଷ ପରେ, ୧୯୮୦ ଜଳକ୍ରୀଡ଼ା ଏକାଦଶୀରେ ‘ନୀଳାଦ୍ରି ବିଜୟ’ର ଆତ୍ମପ୍ରକାଶ। ସେ ସଂପର୍କରେ ତାହାର ‘ପୂର୍ବାଭାସ’ରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ନୀଳଶୈଳର ପରିସମାପ୍ତି- ଚିଲିକାଗର୍ଭରେ, ଗୁରୁବାଈ ଦ୍ୱୀପର ହେନ୍ତାଳ ବଣରେ। ତକୀ ଖାଁର ଧର୍ମାନ୍ଧ ଆକ୍ରମଣରୁ ଓଡ଼ିଶାର ଇଷ୍ଟଦେବ ଜଗନ୍ନାଥଙ୍କୁ ସୁରକ୍ଷିତ ରଖିବାପାଇଁ ରାମଚନ୍ଦ୍ର ଦେବ ତାଙ୍କୁ ସ୍ଥାନାନ୍ତରିତ କରିଛନ୍ତି ଚିଲିକା ଗର୍ଭକୁ।... କିନ୍ତୁ ଚିଲିକାଗର୍ଭ ମହାବାହୁଙ୍କ ପାଇଁ ଆଉ ନିରାପଦ ନୁହେଁ। ଲଳିତା ମହାଦେଈଙ୍କ ସହିତ ତକୀ ଖାଁର ଷଡ଼୍‌ଯନ୍ତ୍ର- ନବକଳେବର କରାଇ ବିଗ୍ରହମାନଙ୍କୁ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିଜେ କରାଇବାପାଇଁ। ତା’ହେଲେ ଭାଗୀରଥି କୁମାର ଖୋର୍ଦ୍ଧା ସିଂହାସନରେ ହେବେ ଅଭିଷିକ୍ତ।

କିନ୍ତୁ ବ୍ରହ୍ମଶିଳା-ଗର୍ଭିତ ବିଗ୍ରହମାନେ କ’ଣ ପଡ଼ିରହିବେ ମହାକାନ୍ତାରରେ ବିସ୍ମୃତ ହୋଇ?

ରାମଚନ୍ଦ୍ରଦେବଙ୍କର ଶପଥ; ଓଡ଼ିଶାର ମୁକ୍ତିସଂଗ୍ରାମ, ତା’ର ଅପରାଜେୟତାର ସାରଥି ଶ୍ରୀଜଗନ୍ନାଥ ପୁଣି ବିଜେ ହେବେ ରତ୍ନସିଂହାସନ ଉପରେ; ସେ ପଛେ ହୁଅନ୍ତୁ ଅପାଙ୍‌କ୍ତେୟ!

ସେଇ ନିଃସଙ୍ଗ ସଂଗ୍ରାମର କାହାଣୀ... ‘ନୀଳାଦ୍ରି ବିଜୟ’।”

କିନ୍ତୁ ଏ ଉପନ୍ୟାସ ରଚନାର କୌଣସି ଯୋଜନା ସୁରେନ୍ଦ୍ର ମହାନ୍ତିଙ୍କର ନଥିଲା। ‘ନୀଳଶୈଳ’ ପରି, ‘ନୀଳାଦ୍ରି ବିଜୟ’ର ରଚନା ପଛରେ ବି ଥିଲା ଏକ ଆକସ୍ମିକତା। ଥିଲା ଏକ ପ୍ରେରଣା।

‘ନୀଳାଦ୍ରି ବିଜୟ’ର ‘ଭୂମିକା’ରେ ତାହାର ଅବତାରଣା କରିଛନ୍ତି ସେ। କହିଛନ୍ତି- “ନୀଳଶୈଳର ଉତ୍ତରାର୍ଦ୍ଧ ଲେଖିବା କେବେ ମୋର କଳ୍ପନାରେ ନଥିଲା। ‘ନୀଳଶୈଳ’ରେ ସରଦେଈର ମୃତ୍ୟୁ ପରେ, ଏହି ବିଷୟବସ୍ତୁ ନେଇ ଆଉ କିଛି ଲେଖିବାପାଇଁ ମୋର ପ୍ରବୃତ୍ତି ମଧ୍ୟ ନଥିଲା। ‘ସରଦେଈ’ ମୋର ମାନସ କନ୍ୟା। ତାହାର ସୃଷ୍ଟି ଓ ରୂପାୟନରେ ମୋର ସବୁ ଆବେଗିକ ସମ୍ପଦ ଶୂନ୍ୟ ହୋଇଯାଇଥିଲା।”

ମାତ୍ର ‘ନୀଳଶୈଳ’ ପ୍ରକାଶ ପାଇବାର ପ୍ରାୟ ଦୁଇବର୍ଷ ପରେ, ଅର୍ଥାତ୍ ୧୯୭୦ରେ, ଦିନେ ଘଟିଲା ଏକ ଆକସ୍ମିକ ଘଟଣା। କଟକ ରାସ୍ତାରେ ହଠାତ୍ ସେଦିନ ସାକ୍ଷାତ୍ ହୋଇଗଲା ଐତିହାସିକ ଓ ସୁସାହିତ୍ୟିକ, ପରମାନନ୍ଦ ଆଚାର୍ଯ୍ୟଙ୍କ ସହିତ। ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ସେ ମୋତେ ଡାକି, ଚାଉଳିଆଗଞ୍ଜର ଗୋଟାଏ ଲୁହାଲକ୍କଡ଼ ଗୋଦାମ ପିଣ୍ଡାରେ ବସାଇଲେ। ବିନା ଭୂମିକାରେ ସେ ଆରମ୍ଭ କଲେ- ‘ଜଗନ୍ନାଥଙ୍କୁ ଚିଲିକା ଗର୍ଭରେ ପକାଇ ଆସିବ ନା କ’ଣ? ସେ ତ ପୁଣି ଫେରିଛନ୍ତି ଶ୍ରୀମନ୍ଦିରକୁ! ତୁମକୁ ସେ ଅଂଶ ଲେଖିବାପାଇଁ ପଡ଼ିବ।” ଏ ସଂପର୍କରେ ସେ ଲେଖିଛନ୍ତି, “ତାଙ୍କୁ କିପରି ବା ବୁଝାଇବି, ‘ସରଦେଈ’ର ମୃତ୍ୟୁ ପରେ ମୁଁ ସଂପୂର୍ଣ୍ଣ ରିକ୍ତ, ମୋର ସୃଷ୍ଟିଶକ୍ତି ନିରବ!”

ତେବେ, ସ୍ୱର୍ଗତ ଶ୍ରୀ ଆଚାର୍ଯ୍ୟ, ତାଙ୍କୁ କେବଳ ଏହା କଥାରେ କହି ନଥିଲେ; ନିଜର ମୃତ୍ୟୁପୂର୍ବରୁ, ‘ଝଙ୍କାର’ରେ ଏକ ପ୍ରବନ୍ଧ ଲେଖି ଶ୍ରୀଜଗନ୍ନାଥଙ୍କୁ ଚିଲିକା ଗର୍ଭରୁ ଶ୍ରୀମନ୍ଦିରର ଗର୍ଭଗୃହକୁ ଫେରାଇ ଆଣିବା ପାଇଁ ମଧ୍ୟ ଖୋଲା ନିର୍ଦ୍ଦେଶ ଦେଇଯାଇଥିଲେ।

ଏ ସଂପର୍କରେ ‘ନୀଳାଦ୍ରି ବିଜୟ’ର ‘ଭୂମିକା’ରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ଶ୍ରୀ ଆଚାର୍ଯ୍ୟଙ୍କ ମୃତ୍ୟୁ ପରେ, ତାଙ୍କର ଏଇ ସସ୍ନେହ, ସନିର୍ବନ୍ଧ ଅନୁରୋଧ ମୋ ପକ୍ଷରେ ପରିଣତ ହେଲା, ଏକ ଅଲଙ୍ଘନୀୟ ଅନୁଜ୍ଞା ରୂପେ। ବହୁ ପାଠକ ମଧ୍ୟ ବ୍ୟକ୍ତିଗତ ଭାବରେ ମୋତେ ସାକ୍ଷାତ୍ କରି, ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟାବର୍ତ୍ତନ ବୃତ୍ତାନ୍ତ ଲିପିବଦ୍ଧ କରିବାପାଇଁ ଅନୁରୋଧ କରିଥିଲେ। ‘ନୀଳାଦ୍ରି ବିଜୟ’ ଏଇ ପୃଷ୍ଠଭୂମିରେ ଲେଖା। ‘ନୀଳଶୈଳ’ର ଛିନ୍ନ ଗ୍ରନ୍ଥି ସବୁ ଯୋଡ଼ିବାରେ କେତେ ବିନିଦ୍ର ରାତି ମୋତେ ଯେ କଟାଇବାକୁ ପଡ଼ିଛି- ତାହା କେବଳ ମୁଁ ଜାଣେ। ଜଗନ୍ନାଥଙ୍କ ଅପାର କରୁଣାରୁ ମୋର ବ୍ୟସ୍ତ, ବିବ୍ରତ ଜୀବନ ମଧ୍ୟରେ ଏହା ଯେ ସଂପୂର୍ଣ୍ଣ ହୋଇପାରିଛି, ତାହା ମୋ ପକ୍ଷରେ ପରମ ଶ୍ଳାଘାର ବିଷୟ।”

କିନ୍ତୁ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’- ଏ ଉପନ୍ୟାସ-ଦ୍ୱିମୂର୍ତ୍ତିରେ କ’ଣ କହିବାକୁ ଚାହିଁଛନ୍ତି ସୁରେନ୍ଦ୍ର ମହାନ୍ତି? ତାହାର ସୂଚନା ଅଛି ଏ ଦୁଇ ଉପନ୍ୟାସରେ। ‘ନୀଳଶୈଳ’ର ‘ଭୂମିକା’ରେ ସେ କହିଛନ୍ତି, “ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ। କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ ବା ସଂପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟରେ ଜଗନ୍ନାଥ ଆବଦ୍ଧ ନୁହନ୍ତି। ଶବର ବିଶ୍ୱାବସୁଠାରୁ ଆର୍ଯ୍ୟ ଇନ୍ଦ୍ରଦ୍ୟୁମ୍ନ, ବୌଦ୍ଧ ଇନ୍ଦ୍ରଭୂତି, ପାଞ୍ଚରାତ୍ରିକ ରାମାନୁଜ, ଶୁଦ୍ଧାଭକ୍ତିବାଦୀ ଶ୍ରୀଚୈତନ୍ୟ, ଶୂନ୍ୟବାଦୀ ବଳରାମ, ଜଗନ୍ନାଥ ଓ ଶିଖ ଧର୍ମଗୁରୁ ନାନକଙ୍କ ପର୍ଯ୍ୟନ୍ତ ବିଭିନ୍ନ ମତବାଦ ଓ ସଂପ୍ରଦାୟ, ଶ୍ରୀଜଗନ୍ନାଥଙ୍କ ମୈତ୍ରୀସାଧନା ମଧ୍ୟରେ ସମନ୍ୱିତ ହୋଇଅଛନ୍ତି। ଶ୍ରୀଜଗନ୍ନାଥ ବୌଦ୍ଧଭାବେ ଦନ୍ତଗର୍ଭିତ ଥିବା ବିଶ୍ୱାସରେ ବୌଦ୍ଧମାନେ ଜଗନ୍ନାଥଙ୍କୁ ଯେପରି ମହାବୌଦ୍ଧ ରୂପେ ମଧ୍ୟ ଆରାଧନା କରିଥାନ୍ତି; ଇସଲାମଧର୍ମୀ ସାଲବେଗ ଓ ଯବନ ହରିଦାସ ପ୍ରମୁଖ ଭକ୍ତ ସୁଦ୍ଧା ବହୁ ମର୍ମସ୍ପର୍ଶୀ ଜଣାଣରେ ଶ୍ରୀଜଗନ୍ନାଥଙ୍କର ଆରାଧନା କରିଅଛନ୍ତି। ବସ୍ତୁତଃ ସାର୍ବଜନୀନ ମାନବର ମୈତ୍ରୀ ସାଧନାର ଇଷ୍ଟଦେବ ରୂପେ ଶ୍ରୀଜଗନ୍ନାଥଙ୍କ ପରିକଳ୍ପନା ଯେପରି ଅଦ୍ୱିତୀୟ, ସେହିପରି ବିରାଟ ଓ ଉଦାର।” କେବଳ ‘ନୀଳଶୈଳ’ରେ ନୁହେଁ, ‘ନୀଳଶୈଳ’ର ଉତ୍ତରାର୍ଦ୍ଧ ‘ନୀଳାଦ୍ରି ବିଜୟ’ରେ ମଧ୍ୟ ସେ ଏହି କଥା ହିଁ କହିଛନ୍ତି।

ରାମଚନ୍ଦ୍ର ଦେବଙ୍କ ସମୟରେ ଶ୍ରୀମନ୍ଦିର ଆକ୍ରମଣକାରୀ ଥିଲା ନାଏବ-ନାଜିମ୍ ତକୀ ଖାଁ। ଜଣେ ଆକ୍ରମଣକାରୀ ମଧ୍ୟ ଥିଲା ସୁଜା ଖାଁ। ‘ନୀଳାଦ୍ରି ବିଜୟ’ର ଦଶମ ପରିଚ୍ଛେଦରେ ସୁଜା ଖାଁ ତକୀ ଖାଁକୁ କହିଛି, “ରାମ, ରହିମ, ଆଲ୍ଲା, ଜଗନ୍ନାଥ- ସମସ୍ତେ ଏକ। ତୁମେ ତାଙ୍କୁ ଚିହ୍ନି ପାରିଲେ ହେଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କୁ କୋଳାଗ୍ରତ କରନ୍ତି।” ପୁଣି ସେଥିରେ ବର୍ଣ୍ଣନା ଅଛି, “ଜଗତ୍ ଶେଠ୍ ଜୈନ ହେଲେ ହେଁ ଜଗନ୍ନାଥଙ୍କର ପରମ ଭକ୍ତ। ସେ କହନ୍ତି, ଜଗନ୍ନାଥ ସ୍ୱୟଂ ଋଷଭଦେବ।” ଆହୁରି ମଧ୍ୟ ସେ ବର୍ଣ୍ଣନା କରିଛନ୍ତି, “ହାତୀ ପ୍ରାକ୍‌-ଆର୍ଯ୍ୟ ଶବରମାନଙ୍କର ଗୋଷ୍ଠୀ ସଂକେତ ହେଉ ଅଥବା ବୌଦ୍ଧ ଧର୍ମଧାରଣାର ପ୍ରତୀକ ହେଉ- ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ିଉଠିଛି ସମନ୍ୱିତ ଆଧ୍ୟାତ୍ମିକ ସଂସ୍କୃତି।”

‘ନୀଳାଦ୍ରି ବିଜୟ’ର ‘ପୂର୍ବାଭାସ’ରେ ସୁରେନ୍ଦ୍ର ମହାନ୍ତି ସୂଚନା ଦେଇଥିଲେ, ଯେ ରାମଚନ୍ଦ୍ର ଦେବ ଶପଥ କରିଥିଲେ- ସେ ନିଜେ ପଛେ ଅପାଙ୍‌କ୍ତେୟ ହୁଅନ୍ତୁ; ଓଡ଼ିଶାର ମୁକ୍ତିସଂଗ୍ରାମ, ତାର ଅପରାଜେୟତାର ସାରଥି ଶ୍ରୀଜଗନ୍ନାଥ ପୁଣି ବିଜେହେବେ ରତ୍ନସିଂହାସନରେ। ତେଣୁ ୧୭୩୩ ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକୀ ଖାଁର ଆକ୍ରମଣ ସମୟରେ ଯେଉଁ ଜଗନ୍ନାଥ ଚାରି ଚାରି ଥର ସ୍ଥାନାନ୍ତରିତ ହୋଇଥିଲେ, ୧୭୩୫ରେ ସେ ପୁଣି ବିଜେ ହୋଇଥିଲେ ଶ୍ରୀମନ୍ଦିରର ରତ୍ନସିଂହାସନରେ।

ଏଣୁ ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତିର ଦୁଇ ମୂର୍ତ୍ତି- ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ର ସୂତ୍ର ଗୋଟିଏ; ସେଇ ଶ୍ରୀଜଗନ୍ନାଥ। ସେଥିପାଇଁ ଏ ଦୁନିଆରୁ ବାହୁଡ଼ିଯିବାର ମାତ୍ର ଦୁଇବର୍ଷ ପୂର୍ବରୁ, ୧୯୮୮ ବାହୁଡ଼ା ଦଶମୀରେ ‘ନୀଳଶୈଳ’ର ଷଷ୍ଠ ତଥା ଅନ୍ତିମ ‘ଭୂମିକା’ ଲେଖି ସେ କହିଛନ୍ତି, “ମନୁଷ୍ୟର ଉଚ୍ଚତର ଓ ମହତ୍ତର ଆଧ୍ୟାତ୍ମିକ ଅଭିବ୍ୟକ୍ତି ମଧ୍ୟରେ ଅଛି ପୁରୁଷୋତ୍ତମଙ୍କର ଉପଲବ୍‌ଧି।... ଶତ ଉତ୍‌ଥାନ-ପତନର ବନ୍ଧୁର ପଥରେ, ଓଡ଼ିଆ ଜାତିର ଇତିହାସର ବହୁ ସଂକଟ କାଳରେ, ଶ୍ରୀଜଗନ୍ନାଥ ଯେପରି ଅନ୍ୟମାନଙ୍କ ପରି ସମଦଶାପନ୍ନ ହୋଇଛନ୍ତି ଓ ସଂଗ୍ରାମ ପାଇଁ ଓଡ଼ିଆ ଜାତି କାଳେ କାଳେ ଯେପରି ଶ୍ରୀଜଗନ୍ନାଥ ଚେତନାରୁ ପ୍ରେରଣା ଲାଭ କରି ଆସିଛି, ତାହାହିଁ କେବଳ ଏ ଉପନ୍ୟାସର ଉପଜୀବ୍ୟ। ପୁଣି ଏହି କାରଣରୁ, ପ୍ରତି ଓଡ଼ିଆର ଅବଚେତନରେ, ମହାବାହୁଙ୍କ ପ୍ରତି ଗଭୀର ମମତ୍ୱବୋଧ ରହିଆସିଛି। ଏହି ମମତ୍ୱବୋଧ ଭକ୍ତିର ବହୁ ଊର୍ଦ୍ଧ୍ୱରେ।”

‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’, ଏ ଉପନ୍ୟାସ-ଦ୍ୱିମୂର୍ତ୍ତି, ଭକ୍ତିର ଊର୍ଦ୍ଧ୍ୱରେ ଏହି ମମତ୍ୱବୋଧର ଦୁଇଟି କାଳୋତ୍ତୀର୍ଣ୍ଣ କୀର୍ତ୍ତି।

ମୋ: ୯୪୩୭୦ ୩୪୮୦୪