ରାଷ୍ଟ୍ର ଓ ଧର୍ମ

ହରପ୍ରସାଦ ଦାସ

ବି˚ଶ ଶତାବ୍ଦୀର ଅନ୍ତିମ ସୋପାନରେ ରାଜନୀତି ବିଜ୍ଞାନରେ ‘ରାଷ୍ଟ୍ର’କୁ ନେଇ ଚର୍ଚ୍ଚା ଘନୀଭୂତ ହେବାର ଏକ ଉତ୍ତେଜକ ପରିବେଶ ଥିଲା। ସେତେବେଳେ ଜେନେଭାରେ ଆନ୍ତର୍ଜାତିକ ଶ୍ରମ ସ˚ସ୍ଥାରେ ବହୁରାଷ୍ଟ୍ରୀୟ ଓ ସରକାର-ମାଲିକ-ଶ୍ରମିକ ତ୍ରିମୁଖୀ ଆଲୋଚନାମାନଙ୍କରେ ବେନେଡିକ୍‌ଟ ଆଣ୍ତରସନ୍‌ଙ୍କର ‘ଇମାଜିନ୍‌ଡ୍‌ କମ୍ୟୁନିଟିଜ୍‌’ର ଚର୍ଚ୍ଚା ଉପରେ ପ୍ରତିନିଧି ଭାବରେ ଭାଗ ନେବାର ସୁଯୋଗ ମିଳିଥିଲା। ‘ଇମାଜିନ୍‌ଡ୍‌ କମ୍ୟୁନିଟିଜ୍‌’ ବା ‘କଳ୍ପିତ ଲୋକସମ୍ପ୍ରଦାୟ’ ଥିଲା ଆଣ୍ତରସନ୍‌ଙ୍କ ଦ୍ବାରା ପ୍ରଦତ୍ତ ରାଷ୍ଟ୍ରର ସ˚ଜ୍ଞା। ରାଷ୍ଟ୍ର କ’ଣ ସତରେ ଗୋଟିଏ କଳ୍ପିତ ଏକକ? ଏ ପ୍ରଶ୍ନ ମୋତେ ବିଚଳିତ କରିଥିଲା ଓ ପ୍ରମାଣର ଅପେକ୍ଷା ନ କରି ମୁଁ ତର୍କ କରି ଚାଲିଥିଲି ଯେ ଭାରତୀୟ ରାଷ୍ଟ୍ର କଳ୍ପିତ ନୁହେଁ, ଏ ଏକ ବିବର୍ତ୍ତନଶୀଳ ଜୈବ ସ˚ରଚନା ଯାହାକୁ ସାମ୍ବିଧାନିକ ଭାଷାରେ ଲୋକେ ହିଁ ଲୋକାର୍ପିତ କରି ଏକ ଆଧୁନିକ ବ୍ୟକ୍ତିତ୍ବ ପ୍ରଦାନ କଲେ। ମୋର ତର୍କ ସହିତ ବିକାଶଶୀଳ ରାଷ୍ଟ୍ରର ପ୍ରତିନିଧିମାନେ ‘ସକୁଣ୍ଠ ଏକମତ’ ହେଲେ ବି ପାଶ୍ଚାତ୍ୟ ତଥା ଆମେରିକାନ୍‌ ପ୍ରତିନିଧିମାନେ ଆଦୌ ଏକମତ ନ ଥିଲେ। ସେମାନେ ‘କଳ୍ପିତ ଲୋକସ˚ପ୍ରଦାୟ’ର ମଡେଲକୁ ଗ୍ରହଣ କରି ନେଇଥିଲେ।

ସେତିକିବେଳେ ମୁଁ ଏ ବହିଟି (୧୯୮୩/ଭର୍ସୋ) ପଢ଼ିବାକୁ ପାଇଥିଲି। ଆଣ୍ତରସନ୍‌ଙ୍କ ତର୍କ ଅତି ସାଧାରଣ ସ୍ତରର। ସେ ‘ରାଷ୍ଟ୍ର’ ଏକ ଅନୁଭବ ବୋଲି କହିବାର କାରଣ ଏହିଭଳି ସ୍ପଷ୍ଟ କରିଥିଲେ ଯେ ରାଷ୍ଟ୍ରର ଲୋକେ ପରସ୍ପରକୁ ଏକ ସମୁଦାୟ ଭାବରେ କେବେ ଦେଖନ୍ତି ନାହିଁ କି ଚିହ୍ନନ୍ତି ନାହିଁ, କିନ୍ତୁ ରାଷ୍ଟ୍ର ଯେତେବେଳେ ଆନ୍ତର୍ଜାତିକ ପ୍ରତିଯୋଗିତା, ସମ୍ମେଳନ ବା ନୀତି ନିର୍ଦ୍ଧାରଣରେ ଅ˚ଶ ଗ୍ରହଣ କରେ, ସେତେବେଳେ ସମସ୍ତେ ହଠାତ୍‌ ଭାବନ୍ତି ଆମେ ଏ ରାଷ୍ଟ୍ରର ଅ˚ଶ। କିନ୍ତୁ କଥା ହେଲା, ୟୁରୋ-ଆମେରିକାନ୍‌ ରାଷ୍ଟ୍ରକଳ୍ପନା ସମଗ୍ର ବିଶ୍ବ ପାଇଁ ଗ୍ରାହ୍ୟ ହେବ କାହିଁକି? ଏ ପ୍ରଶ୍ନ ଏଇଠି ରହିଥିଲା ବହୁବର୍ଷ ଧରି। ଅନେକ ବର୍ଷ ପରେ, ବୋଧହୁଏ ଏକବି˚ଶ ଶତାବ୍ଦୀର ଠିକ୍‌ ଆରମ୍ଭ ବେଳକୁ ମାଲୟସିଆର କୂଟନୀତିଜ୍ଞ ମୋର ବନ୍ଧୁ ଉରୁଗୁନାଥନ ମୋର ଦୃଷ୍ଟି ଆକର୍ଷଣ କଲେ ୧୯୯୯ରେ ପ୍ରକାଶିତ (ପ୍ରିନ୍‌ସଟନ୍‌ ୟୁନିଭର୍ସିଟି ପ୍ରେସ୍‌) ଗୋଟିଏ ପ୍ରବନ୍ଧ ସ˚କଳନକୁ ଯେଉଁଥିରେ ବିଦ୍ବାନମାନେ ବିବିଧ ପ୍ରବନ୍ଧରେ ଆଧୁନିକ ଗଣତନ୍ତ୍ରରେ ରାଷ୍ଟ୍ର ଓ ଧର୍ମକୁ ନେଇ ବିଚାର କରିଥିଲେ। ନିଷ୍କର୍ଷ ଆପାତତଃ ଏଇଆ ଥିଲା ଯେ ୟୁରୋପୀୟଙ୍କ ଐତିହାସିିକ ଅନୁଭୂତି ଓ ଅନୁମାନ ଦୁଇଟାଯାକ ବିଶ୍ବର ଉପନିବେଶମୁକ୍ତ ଓ ସଭ୍ୟତାସ˚ପନ୍ନ କିନ୍ତୁ ଅନଗ୍ରସର ଦେଶମାନଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ। ମୁଁ ଯେଉଁ ଜୈବ ଏକତ୍ବ ବିଷୟରେ କହୁଥିଲି, ସେ ବିଷୟରେ କୌଣସି ଆଲୋଚନା ଏଥିରେ ନ ଥିଲା। ମୁଁ ନିଜ ମନ ଭିତରେ ବର୍ଷ ବର୍ଷ ଧରି ମୋ ଦେଶର ଜୈବ ଏକତ୍ବ କଥା ଭାବି ଚାଲିଥିଲି କେବଳ।

ପ୍ରିନ୍‌ସଟନ୍‌ ବିଶ୍ବବିଦ୍ୟାଳୟ ପ୍ରକାଶିତ ଯେଉଁ ବହିର ଉଲ୍ଲେଖ କଲି ଆଗରୁ (ସ˚କଳକ ପିଟର ଭାନ୍‌ଡେର‌୍‌ ଭିର୍ ଓ ହାର୍ଟମୁଟ୍‌ ଲେହମାନ୍‌) ସେଥିରୁ କେବଳ ଗୋଟିଏ ସୂତ୍ର ମିଳିଥିଲା ଯେ ରାଷ୍ଟ୍ର ସହିତ ମାନବ ଓ ଧର୍ମର ସ˚ପର୍କରୁ ଭବିଷ୍ୟତର ରାଷ୍ଟ୍ର ନିର୍ମାଣ ପାଇଁ ଉପାଦାନ ମିଳିପାରେ, କିନ୍ତୁ ଏଥିରେ ସ୍ପଷ୍ଟତା ନଥିଲା। ସ୍ପଷ୍ଟତା ମୋତେ ମିଳିଲା ମୁଁ ଯେତେବେଳେ ୟୁଙ୍ଗ୍‌ଙ୍କର ‘କଲେକ୍‌ଟିଭ୍‌ ଅନ୍‌କନ୍‌ସସ୍‌’ ବା ସାମୂହିକ ଅଚେତନ ସହିତ ଉଭୟ ରାଷ୍ଟ୍ର ଓ ଧର୍ମକୁ ଯୋଡ଼ିବାରେ ସମର୍ଥ ହେଲି। ସ୍ମରଣରେ ଥାଉ ଯେ କାର୍ଲ ୟୁଙ୍ଗ୍‌ (୧୮୭୫-୧୯୬୧) ବିଶ୍ବର ଜଣେ ଶ୍ରେଷ୍ଠ ମନୋବୈଜ୍ଞାନିକ ଓ ତତ୍ତ୍ବକାର।

ଆଜି ‘ଭାରତୀୟ ରାଷ୍ଟ୍ରବାଦ’ର ପରିପ୍ରେକ୍ଷୀରେ ଏ ବିପୁଳ ଲୋକକ୍ଷେତ୍ରରେ ମୁଁ ରାଷ୍ଟ୍ର ଓ ଧର୍ମକୁ ନେଇ ଯେଉଁ ସନ୍ଦର୍ଭ ଉପସ୍ଥାପିତ କରୁଚି ତା’ର ଜଟିଳତା ଆପାତତଃ ରାଷ୍ଟ୍ର ନିର୍ମାଣ ଓ ଧର୍ମ ନିର୍ମାଣର ଅଦୃଶ୍ୟ ଜୈବ ପ୍ରକୃତି ଯୋଗୁଁ। ଏ ଜୈବ ପ୍ରକୃତି ଏକ ମାନସିକ ସ˚ରଚନା।

ୟୁଙ୍ଗ୍‌ କହୁଚନ୍ତି ଯେ ମଣିଷ ଭିତରେ ନିଜର ଜାତି, ସଭ୍ୟତା, ଇତିହାସ, ସ˚ସ୍କୃତି, ଉତ୍ତରାଧିକାର ଓ ସାମର୍ଥ୍ୟକୁ ନେଇ ଏକ ଅନୁଚ୍ଚାରିତ, ଅନନୁଭୂତ ଅନୁମାନ ଥାଏ। ଏ ଅନୁମାନର ସାରଣୀକୁ ସେ ଆର୍କିଟାଇପ୍‌ ବୋଲି କହିଚନ୍ତି, ଅର୍ଥାତ୍‌ ସମଗ୍ର ମାନବ ସଭ୍ୟତାର ଏକ ସା˚ସ୍କୃତିକ ଅଚେତନ ଅଛି ଯାହା ମଣିଷକୁ ମଣିଷ ଆଗରେ ଚିହ୍ନାଏ ଓ ଠିକ୍‌ ଅର୍ଥରେ ସବୁ ମଣିଷ ପରସ୍ପରକୁ ନ ଜାଣି ମଧୢ ଆବେଗିକ ସ୍ତରରେ ସମାନ ପ୍ରତିକ୍ରିୟା କରନ୍ତି। ଏ ତତ୍ତ୍ବର ବିନ୍ୟାସକୁ ଟିକିଏ ବଦଳେଇବାକୁ ପଡ଼ିବ ଏଇଥିପାଇଁ ଯେ ଆବେଗିକ ସ୍ତରରେ ସବୁ ମଣିଷ ସମାନ ମନେ ହେଉଥିଲେ ବି ସମାନ ନୁହନ୍ତି। ଜଣେ ଭାରତୀୟ, ତା’ର ମାନବୀୟ ପରିଚିତି ସତ୍ତ୍ବେ ଜଣେ ୟୁରୋପୀୟ ଠାରୁ ଭିନ୍ନ। ସେହିଭଳି ଭାରତୀୟ ରାଷ୍ଟ୍ର, ୟୁରୋପୀୟ ରାଷ୍ଟ୍ର ଠାରୁ ଭିନ୍ନ ଓ ଭାରତୀୟ ଧର୍ମ, ୟୁରୋପୀୟ ଧର୍ମଠାରୁ ଭିନ୍ନ, ଯଦିଓ ତର୍କର ସାଧାରଣୀକରଣ ପ୍ରକ୍ରିୟାରେ ବ୍ୟକ୍ତିକୁ ମନସ୍ତତ୍ତ୍ବ, ରାଷ୍ଟ୍ରକୁ ରାଜନୀତି ଓ ଧର୍ମକୁ ଅଧୢାତ୍ମର ପୀଠରେ ସ୍ଥାପିତ କରି ‘ଏକବିଶ୍ବ’ର ତର୍କ ଆଗକୁ ବଢ଼ିଚି।

ସାଧାରଣୀକରଣର ଯୁଗ ଗ୍ରାହ୍ୟ ଥିଲା ସେତିକି ବେଳେ, ଯେତେବେଳେ ସମଗ୍ର ବିଶ୍ବର ଚୈତନ୍ୟ ସାମ୍ରାଜ୍ୟବାଦୀ ବିଶ୍ବ ଇତିହାସ, ପୁଞ୍ଜିବାଦୀ ଆଧୁନିକତା ଓ ବସ୍ତୁବାଦୀ ଉତ୍ପାଦକତାର ତର୍କରେ ମୋହିତ ହୋଇଯାଇଥିଲା। ସେ ମୋହଭଙ୍ଗ ହେଲା, ଯେତେବେଳେ କ୍ଷୁଦ୍ର, ବିରାଟ ଓ ଅନଗ୍ରସର ଅଥଚ ବିପୁଳ ସା˚ସ୍କୃତିକ ଐତିହ୍ୟବନ୍ତ ରାଷ୍ଟ୍ରମାନେ ଜାଣିଲେ ଯେ ଇତିହାସ, ଆଧୁନିକତା, ଏପରିକି ଉତ୍ପାଦକତାର ଅର୍ଥ ତତ୍ତ୍ବ ବସ୍ତୁତଃ ସର୍ବାଧିକାର ବା ହେଜିମୋନିର ଅସ୍ତ୍ର ଭଳି ବ୍ୟବହୃତ ହେଉଚନ୍ତି। ସେଇଠୁ ଆରମ୍ଭ ହେଲା ନିଜ ରାଷ୍ଟ୍ରୀୟତାର ଅନ୍ବେଷଣ।

ଭାରତରେ ଏ ରାଷ୍ଟ୍ରୀୟତାର ଅନ୍ବେଷଣରେ ଗୋଟିଏ ନିର୍ଣ୍ଣାୟକ ଉପାଦାନ ଧର୍ମ। ଏ ଭିତରେ ଭାରତୀୟତାର ଆଲୋଚନା ଭିତରେ ହିନ୍ଦୁତ୍ବର ତର୍ଜମା ବି ବିକଶିତ ହେଲାଣି ଓ ସନାତନୀ ଧର୍ମନିରପେକ୍ଷତାର ତତ୍ତ୍ବ ମଧୢ ବିକଶିତ ହେଲାଣି। ଯେଉଁ ସମୟରେ ହିନ୍ଦୁତ୍ବ ବା ଭାରତୀୟତାକୁ ରାଷ୍ଟ୍ରଧର୍ମ ଭାବରେ ଉପସ୍ଥାପିତ କରାଯାଇଥିଲା, ଆମେ ସେ ସମୟରୁ ଅନେକ ଆଗକୁ ଚାଲି ଆସିଲେଣି। ସେ କଥା ସେହିଭଳି କହିବା ବା ସେ ତର୍କକୁ ସେହିଭଳି ଉପସ୍ଥାପିତ କରିବା ଆଉ ଜରୁରୀ ନୁେହଁ କି ସମୀଚୀନ ନୁହେଁ। କାରଣ ଏ ଭିତରେ ଭାରତ ଏକ ଆଧୁନିକ ରାଷ୍ଟ୍ରରେ ପରିଣତ ହୋଇଚି ଓ ପାଶ୍ଚାତ୍ୟ ମଡେଲର ଗୋଟିଏ ସମ୍ବିଧାନ ଜରିଆରେ ବିଶ୍ବରେ ତା’ର ସାର୍ବଭୌମ ଏକକତ୍ବକୁ ପ୍ରତିଷ୍ଠା ଦେଇଛି। ଏ ଭାରତୀୟ ରାଷ୍ଟ୍ର କଳ୍ପିତ ନୁହେଁ, ସ୍ବପ୍ରତିଷ୍ଠ। ଏ ସ୍ବପ୍ରତିଷ୍ଠିତ ରାଷ୍ଟ୍ରରେ ନା ଧର୍ମ ପରିତ୍ୟଜ୍ୟ ନା ସର୍ବଧର୍ମ ସମନ୍ବୟ ନା ଧର୍ମ ନିରପେକ୍ଷତା! ଏସବୁ ଏକତ୍ର ଅବସ୍ଥାନ କରନ୍ତି ଭାରତୀୟତାର ଜୈବ ଚରିତ୍ରରେ। ଜଣେ ଭାରତୀୟ ପାଇଁ ରାଷ୍ଟ୍ର ଏକ କଳ୍ପନା ନୁହେଁ, ରାଷ୍ଟ୍ର ଏକ ସ˚ସ୍କାର। ସ˚ସ୍କାରର ଅର୍ଥ ବ୍ୟକ୍ତି ଭଳି ରାଷ୍ଟ୍ର ମଧୢ ଏକ ଜୀବନ୍ତ ଅନୁଷ୍ଠାନ ଓ ଏହା ଏକ ନୈତିକ ଜୀବନ ମୂଲ୍ୟ। ଭାରତୀୟ ସ୍ମୃତି, ପୁରାଣ, କାବ୍ୟ ଓ ଶାସ୍ତ୍ର ମାନଙ୍କରେ ଭୂମି ପୂଜା, ଭୂଖଣ୍ତ ଆଦ୍ୟ ସ୍ମରଣୀୟ, କ୍ଷେତ୍ର ଅଲ˚ଘନୀୟ ଓ ରାଜା-ପ୍ରଜା ସେହି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ। କୌଣସି ରଚନାରେ ଅତ୍ୟାଚାରୀ, ବର୍ବର, କ୍ଷମତାଲିପ୍‌ସୁ, ଅମାନବୀୟ, ଅସହିଷ୍ଣୁ, କ୍ରୂର ଶାସକକୁ ମହିମାମଣ୍ତିତ କରାଯାଇନାହିଁ। ରାଜସଭାର ଗଢ଼ଣ ଏକ ବିଦ୍ବାନମଣ୍ତଳୀ। ରାଜାଙ୍କ ରୂପ ଦୟା, ଦାନ, କ୍ଷମା ଓ ଶୌର୍ଯ୍ୟରେ।

ୟୁଙ୍ଗ୍‌ ଯେଉଁ ଆର୍କିଟାଇପ୍‌ର କଥା କହୁଚନ୍ତି, ସେ ଆର୍କିଟାଇପ୍‌ ଭାରତୀୟ ରାଷ୍ଟ୍ର, ରାଜା, ପ୍ରଜା ଓ କ୍ଷେତ୍ର ସବୁଠି ଏକ ଜୈବ ଓ ନୈତିକ ଏକକ। ଜୈବତା ଓ ନୈତିକତାର ପରିଚାଳକ ଧର୍ମ। ଭାରତୀୟଙ୍କ ପାଇଁ ‘ଧର୍ମ’ ୟୁରୋପୀୟଙ୍କ ‘ରିଲିଜିଅନ୍‌’ ନୁହେଁ। ରିଲିଜିଅନ୍‌ ଶବ୍ଦର ଲାଟିନ୍‌ ମୂଳ ଲିଗାରେ, ଅର୍ଥାତ ଏକାଠି ହେବା ଯୋଡ଼ିବା, ବା କହିପାରନ୍ତି ମଣିଷକୁ ‘ସ୍ବର୍ଗୀୟ’ (ଡିଭାଇନ୍‌) ସହିତ ଯୋଡ଼ିବା। ‘ଲିଗାରେ’ରୁ ଲିଜିଅନ୍‌, କିନ୍ତୁ ‘ରି’ର ଅର୍ଥ ପୁଣି ଥରେ, ଅର୍ଥାତ୍‌ ବାରମ୍ବାର, ଥରକୁ ଥର ଏକାଠି କରିବା ବା ଯୋଡ଼ିବାର ପ୍ରକ୍ରିୟା ‘ରିଲିଜିଅନ୍‌’। କିନ୍ତୁ ‘ଧର୍ମ’ର ସ˚ସ୍କୃତ ମୂଳ ‘ଧୃ’ ଅର୍ଥାତ୍‌ ଧରିବା, ଧାରଣ କରିବା। କାହାକୁ ଧାରଣ କରିବା? ଯାହା ‘ସ୍ବପ୍ରତିଷ୍ଠ’, ଯାହା ଦୃଢ଼ ଓ ଚିରନ୍ତନ, ତେଣୁ ତାହା ସ˚ସାରର ଜୈବ ନିୟମ ବା ଗୁଣ ବା ଜୀବନସୂତ୍ର। ଭାରତୀୟ ‘ଧର୍ମ’କୁ ପାଶ୍ଚାତ୍ୟ ‘ରିଲିଜିଅନ୍‌’ ଅର୍ଥରେ ବୁଝି ଭାରତୀୟ ରାଜନୀତି ଶାସ୍ତ୍ରବିଦ୍‌ମାନେ ଧର୍ମ ଓ ରାଷ୍ଟ୍ର ଭିତରେ ଭେଦକୁ ଗ୍ରହଣ କରିଚନ୍ତି ଓ ରାଷ୍ଟ୍ରକୁ ଧର୍ମ ବିରହିତ ଏକ ‘ନିଉଟ୍ରାଲ୍‌’ ବା ନିଷ୍ପକ୍ଷ କ୍ଷେତ୍ର ଭାବରେ ଗ୍ରହଣ କରିନେଇଚନ୍ତି। ପ୍ରମାଦ ଏହିଠାରେ। ଆମ ରାଷ୍ଟ୍ର ଏକ ସ୍ବପ୍ରତିଷ୍ଠିତ ଧର୍ମୀୟ ଏକକ, ଅର୍ଥାତ୍‌ ଏକ ନୈତିକ, ସା˚ସ୍କୃତିକ ଓ ଜୈବ ଏକକ। ୟାର ଅର୍ଥ ନୁହେଁ ଯେ ସ୍ବାଧୀନତା ପରଠାରୁ ଏପର୍ଯ୍ୟନ୍ତ ହିନ୍ଦୁ ରାଷ୍ଟ୍ରର ନିର୍ମାଣ ଚାଲିଚି ଓ ଏବେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତକୁ ଏକ ଅଘୋଷିତ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିଚନ୍ତି। ଧର୍ମକୁ ବୁଝିବାରେ ଭ୍ରାନ୍ତି ହେତୁ ଧର୍ମ ଏକ ଅସ˚ସ୍କୃତ, ସ˚କୀର୍ଣ୍ଣ, ଏକପକ୍ଷଦର୍ଶୀ, ବିଭେଦ ଉତ୍ପାଦନକାରୀ ଶକ୍ତି ଭଳି ଦିଶୁଚି। ସତ୍ୟ ପ୍ରକୃତରେ ତାହା ନୁହେଁ। ଭାରତର କୌଣସି ଶାସକ ଧର୍ମକୁ ଏକ ଅସ୍ତ୍ର ଭଳି ବ୍ୟବହାର କରିନାହାନ୍ତି କି କରିବେ ନାହିଁ, ବର˚ ଧର୍ମ ହିଁ ଭାରତରେ ବିଭେଦର ଏକ ସମାଧାନ।

ଯେଉଁମାନେ ଜାଣନ୍ତି ନାହିଁ, ସେମାନେ ଜାଣିବା ଉଚିତ ଯେ ରାଷ୍ଟ୍ରଧର୍ମର ପ୍ରବକ୍ତା, ବସ୍ତୁତଃ ପ୍ରଥମ ଭାରତୀୟ ଭାଷ୍ୟକାର ଦୀନଦୟାଲ ଉପାଧୢାୟ ‘ରାଷ୍ଟ୍ରଧର୍ମ’ର ସ˚ହିତା କରିଯାଇଚନ୍ତି। ସେ ଏହାକୁ ‘ଇଣ୍ଟେଗ୍ରାଲ ହ୍ୟୁମାନିଜ୍‌ମ୍‌’ ବା ‘ସମାହିତ ମାନବବାଦ’ ବୋଲି ସ୍ପଷ୍ଟ କରିଚନ୍ତି। ତେଣୁ ଭାରତରେ ରାଷ୍ଟ୍ରଧର୍ମ ଯଦି ‘ସମାହିତ ମାନବବାଦ’ ହୁଏ, ତେବେ ଏହା ସଭ୍ୟତା ଅନୁସାରୀ ସ୍ବପ୍ରତିଷ୍ଠିତ ରାଜନୈତିକ ତତ୍ତ୍ବ ହେବ ଓ ୟା ସହିତ ଗଣତନ୍ତ୍ର, ରାଷ୍ଟ୍ରବାଦ ବା ଆଧୁନିକତାର କୌଣସି ଦ୍ବନ୍ଦ୍ବ ରହିବ ନାହିଁ। ‘ସମାହିତ ମାନବବାଦ’ ହିନ୍ଦୁତ୍ବର ରାଜନୀତି ନୁହେଁ, ବର˚ ଜଣେ ସନାତନୀ ହିନ୍ଦୁର ବିଶ୍ବଦୃଷ୍ଟି, ଯେଉଁଥିରେ ସବୁ ଧର୍ମର ଅଧିକାର ସୁରକ୍ଷିତ ଓ ଯେଉଁଥିରେ ସବୁ ବିଭେଦର ସମାଧାନ ରାଷ୍ଟ୍ରୀୟ ବିବେକରେ। ରାଷ୍ଟ୍ରୀୟ ବିବେକ ବହୁସ˚ଖ୍ୟକ-ଅଳ୍ପସ˚ଖ୍ୟକ, ଜାତିଭେଦ ଓ ଧର୍ମବିଭେଦର ଊର୍ଦ୍ଧ୍ବରେ ଏକ ପ୍ରତିଷ୍ଠିତ ଭାରତୀୟ ଜୀବନ ମୂଲ୍ୟର ଅବଦାନ। ରାଷ୍ଟ୍ର ଓ ଧର୍ମର ସମନ୍ବୟ ଭାରତୀୟ ରାଷ୍ଟ୍ରଧର୍ମରେ ଏହିପରି ସମ୍ଭବ ଯେ ନାଗରିକ ତା’ର ସ୍ବାର୍ଥ ଠାରୁ ରାଷ୍ଟ୍ର ପ୍ରତି ତା’ର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେବ ଓ ରାଷ୍ଟ୍ର ତା’ର ଶକ୍ତି ବିନିଯୋଗ ଠାରୁ ନାଗରିକ ପ୍ରତି ତା’ର କର୍ତ୍ତବ୍ୟକୁ ଅଧିକ ଗୁରୁତ୍ବ ଦେବ। ଅନ୍ୟ ଭାବରେ କହିଲେ ଉଭୟ ନାଗରିକ ଓ ରାଷ୍ଟ୍ର ରାଷ୍ଟ୍ରଧର୍ମର ପାଳନ କଲେ ହିଁ ରାଷ୍ଟ୍ରର ସାର୍ବଭୌମତା ଓ ବିଶ୍ବ ପ୍ରତିଷ୍ଠା ସମ୍ଭବ ହେବ। ରାଷ୍ଟ୍ର ବା ଧର୍ମ ଅନୁମାନ ବା କଳ୍ପନାର ବିଷୟ ହେବେ ନାହିଁ। ରାଷ୍ଟ୍ର ଓ ଧର୍ମ କର୍ତ୍ତବ୍ୟ, ନିଷ୍ଠା ଓ ନୀତି ପରାୟଣତାର ଭାଷାରେ ଏକାଠି ହେବେ। ସମାହିତ ମାନବତତ୍ତ୍ବ ପାଇଁ ବାଣୀ ବା ସୂତ୍ର ଯେଉଁଠୁ ବି ଆସୁ ତାହା ଧର୍ମୀୟ। ଧର୍ମ, କର୍ମକାଣ୍ତ ନୁହେଁ, ଆଚାର ସ˚ହିତା ନୁହେଁ, ଏକ ସ୍ବପ୍ରତିଷ୍ଠ ମାନବୀୟ ଉତ୍କର୍ଷର ପ୍ରତିଷ୍ଠା। ସମ୍ବିଧାନ ସଭା (କନ୍‌ଷ୍ଟିଚୁଏଣ୍ଟ ଆସେମ୍ବଲି)ରେ ସମସ୍ତ ଧର୍ମର ଶ୍ରେଷ୍ଠ ବାର୍ତ୍ତା ଓ ବାଣୀମାନଙ୍କର ଆଲୋଚନା କରାଯାଇଥିଲା, ସ୍ବୟ˚ ଆମ୍ବେଦକର ବୌଦ୍ଧଧର୍ମାବଲମ୍ବୀ ଥିଲେ। ସଦସ୍ୟମାନଙ୍କ ଭିତରେ ସବୁ ଧର୍ମର ବିଦ୍ବାନମାନେ ମଧୢ ଥିଲେ। କାହାରି ମତ ରାଷ୍ଟ୍ର ନିୟନ୍ତ୍ରଣରେ ଗୋଟିଏ ଗୋଷ୍ଠୀ ବା ବିଚାରଧାରା ସପକ୍ଷରେ ନ ଥିଲା। ଆଜି ଭାରତୀୟତାକୁ ସମାହିତ ମାନବଧର୍ମ ଅର୍ଥରେ ବୁଝିବାର ସୁଯୋଗ ଆସିଚି। ତାହା ହିଁ ରାଷ୍ଟ୍ର ଓ ଧର୍ମର ସମାହିତ ଅସ୍ତିତ୍ବର ସୂତ୍ର।

ପାଶ୍ଚାତ୍ୟ ସଭ୍ୟତାରେ ରାଷ୍ଟ୍ରଧର୍ମର ପରିକଳ୍ପନା ନାହିଁ। ସେଠି ରାଜା ଓ ଧର୍ମଯାଜକଙ୍କ ଭିତରେ ଅଧିକାରର କନ୍ଦଳ (ଈଶ୍ବର ପୁତ୍ର ବନାମ ଈଶ୍ବର ପ୍ରତିନିଧି)ରେ ମୂଳ ଥିଲା ମାନବଜୀବନ ଉପରେ କାହାର ଅଧିକାର ଗ୍ରାହ୍ୟ। ଷ୍ଟେଟ୍‌ ଓ ଚର୍ଚ୍ଚ ଅଲଗା ହେବା ସହିତ ସତେ ଅବା ମଣିଷ ଜୀବନ ଉପରେ ଗୋଟେ କାନ୍ଥ ଉଠିଗଲା। ଭାରତୀୟ ସ୍ଥିତିରେ ଏ କନ୍ଦଳ ନାହିଁ। ଯୁଗେ ଯୁଗେ ରାଜାମାନେ ରାଜସଭାରେ ଧର୍ମପୁରୁଷ, ଋଷି ଓ ତପସ୍ବୀମାନଙ୍କୁ ବରଣ କରିଚନ୍ତି ଓ ସେଇମାନେ ହିଁ ରାଷ୍ଟ୍ର ପରିଚାଳନାରେ ମୁଖ୍ୟ ଉପଦେଷ୍ଟା ଭାବରେ ଭୂମିକା ନିର୍ବାହ କରିଚନ୍ତି। ରାଷ୍ଟ୍ର ଓ ଧର୍ମ ଭିତରେ ବିଭେଦ ଭାରତୀୟ ସା˚ସ୍କୃତିକ ଅନୁଭୂତିରେ ନାହିଁ। ‘ରାଜର୍ଷି’ର ପରିକଳ୍ପନାରେ ତ ରାଜା ବି ଜଣେ ଋଷି। ସେହିପରି ଋଷି ବି ଜଣେ ରାଜା! ବିଭେଦ ନ ଥିବାର ସବୁଠୁ ବଡ଼ କାରଣ ହେଉଚି ଭାରତୀୟ ସଭ୍ୟତାରେ ସମାଜର ସବୁ ଅନୁଷ୍ଠାନ ଗୋଟିଏ ଲେଖାଏଁ ନୈତିକ ଏକକ। ନୈତିକ ଏକକମାନଙ୍କର ଜୈବସୂତ୍ର ମାନବ ମୂଲ୍ୟ।

ରାଷ୍ଟ୍ର ଓ ଧର୍ମ ଭାରତରେ କେହି ବି ‘ଇମାଜିନ୍‌ଡ୍‌’ ନୁହନ୍ତି ବର˚ ସ୍ବପ୍ରତିଷ୍ଠ, କାରଣ କ୍ଷେତ୍ର ବିଜୟର ରାଜ କର୍ମରେ ରାଜାଙ୍କର ପ୍ରଜା ଧର୍ମ ପାଳନ ଓ ପ୍ରଜାଙ୍କର ରାଜ ଧର୍ମ ପାଳନ ଦୁଇଟା ଯାକ ଥିଲା ଭାରତୀୟ ସ˚ସ୍କାରର ଅ˚ଶ। ଏଭଳି ସ˚ସ୍କାର ବିଶ୍ବରେ କେବଳ ଭାରତରେ ହିଁ କାହିଁକି ଥିଲା ତା’ର ଉତ୍ତରରେ ଏତିକି କୁହାଯାଇପାରେ ଯେ ମଣିଷ, ପ୍ରକୃତି, କ୍ଷେତ୍ର, ସାମର୍ଥ୍ୟ, ନୀତି ଓ ନିୟତି ଓତପ୍ରୋତ ଜଡ଼ିତ ହୋଇ ସଭ୍ୟତାର ଏକ ଅମଳିନ ରୂପକଳ୍ପ ନିର୍ମାଣର ଉଦାହରଣ କେବଳ ଭାରତୀୟ ସଭ୍ୟତା। ୟାର ଧାରକ ଧର୍ମ ଓ ପାଳକ ରାଷ୍ଟ୍ର! ୟାର ତତ୍ତ୍ବୀକରଣ କେବେ ସମ୍ଭବ ହେବ ମୁଁ ଜାଣେନାହିଁ, କିନ୍ତୁ ଆଧୁନିକ ରାଜନୀତି ଶାସ୍ତ୍ରରେ ଏ ବିଚାର ପ୍ରତିଷ୍ଠିତ ନ ହେଲା ଯାଏ ଭାରତର ପର ପିଢ଼ି ପରେ ପର ପିଢ଼ି ଏକ ଅପରିଚୟର ଅନ୍ଧକାରରେ ନିଜ ରାଷ୍ଟ୍ରକୁ ବା ନିଜ ଧର୍ମକୁ ଚିହ୍ନିବେ ନାହିଁ। ୟାର ଅର୍ଥ ନୁହେଁ ଯେ ରାଷ୍ଟ୍ର ଓ ଧର୍ମକୁ ଆମେ ଜ୍ଞାନର ତୀବ୍ର ଆଲୋକରେ ଦେଖିବା। ଆଲୋକ ଯେତେ ତୀବ୍ର ହେବ ତା’ର ଛାୟା ବି ସେତିକି ସଘନ ହେବ। ନା, ଏ କ୍ଷେତ୍ର ସମ୍ବରଣର। ଧର୍ମ ଓ ରାଷ୍ଟ୍ରଙ୍କ ସ˚ପର୍କରେ ଯେଉଁ ପାଶ୍ଚାତ୍ୟ ସ୍ପଷ୍ଟତା ଭେଦ ସୃଷ୍ଟି କରିଚି, ତାହା ତର୍କ ଭାବରେ ଗ୍ରହଣୀୟ ହୋଇପାରେ, କିନ୍ତୁ ପ୍ରକୃତ ବ୍ୟାବହାରିକତା ସାମାନ୍ୟ ଅସ୍ପଷ୍ଟତାରେ ସମ୍ବରଣରେ, ସ˚ଭ୍ରମରେ। ମଣିଷକୁ ଆକୃଷ୍ଟ କରି ରଖିବା ପାଇଁ ଟିକିଏ ରହସ୍ୟ ରହୁ ରାଷ୍ଟ୍ର ଓ ଧର୍ମରେ, କ୍ଷତି କ’ଣ?

ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର