ଦର୍ପଣ: ବିଶ୍ୱର ବାସୋପଯୋଗୀ ସହର ଓ ଭାରତ

‘ଦ ଇକୋନୋମିଷ୍ଟ’ ପତ୍ରିକାର ଗବେଷଣା ବିଭାଗ- ‘ଦ ଇକୋନୋମିଷ୍ଟ ଇଣ୍ଟେଲିଜେନ୍‌ସ ୟୁନିଟ୍‌ (ଇଆଇୟୁ)’ ଏହାର ବାର୍ଷିକ ବିଶ୍ବ ବାସୋପଯୋଗୀ ସୂଚକାଙ୍କରେ ପ୍ରଥମ ଥର ପାଇଁ ଭାରତର ପାଞ୍ଚଟି ସହରକୁ ସାମିଲ କରିଛି। ପୃଥିବୀର ବିଭିନ୍ନ ସହରର ବାସ ଉପଯୋଗୀ ସ୍ଥିତିର ମୂଲ୍ୟାଙ୍କନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ୨୦୨୨ର ଏହି ସୂଚକାଙ୍କରେ ବିଭିନ୍ନ ଦେଶର ୧୭୩ଟି ପ୍ରମୁଖ ସହରରେ ଅବସ୍ଥାନର ମାନ ପରଖାଯାଇଥିଲା। ଏକକାଳୀନ ଆମ ଦେଶର ପାଞ୍ଚଟି ସହର ଏଥିରେ ସ୍ଥାନ ପାଇବା ଯେତିକି ସୁଖଦ, ଏଥିରେ ସେମାନଙ୍କର ସ୍ଥାନ ସେତିକି ବିମର୍ଷକର ମଧ୍ୟ।

ଗତ ବର୍ଷ କେନ୍ଦ୍ର ଆବାସ ଓ ସହରୀ ମାମଲା ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ସୂଚକାଙ୍କରେ ଦେଶର ସବୁଠାରୁ ବାସୋପଯୋଗୀ ସହରର ମାନ୍ୟତା ପାଇଥିବା ସିଲିକନ୍ ସହର ବେଙ୍ଗାଲୁରୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଅନ୍ତର୍ଜାତୀୟ ତାଲିକାରେ ଭାରତର ନିକୃଷ୍ଟ ସହର ରୂପେ ଉଭା ହୋଇଛି। ଦିଲ୍ଲୀ ୫୬.୫ ଅଙ୍କ ସହ ୧୪୦ତମ ସ୍ଥାନରେ ରହି ଭାରତର ସବୁଠାରୁ ବାସୋପଯୋଗୀ ସହରର ମାନ୍ୟତା ପାଇଛି। ଏହା ପଛକୁ ମୁମ୍ବାଇ ୧୪୧ତମ, ଚେନ୍ନାଇ ୧୪୨ତମ, ଅହମଦାବାଦ ୧୪୩ତମ ଓ ବେଙ୍ଗାଲୁରୁ ୧୪୬ତମ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ସୂଚି ପ୍ରସ୍ତୁତ ପାଇଁ ମୂଲ୍ୟାୟନ ବେଳେ ପାଞ୍ଚଟି ମାନକକୁ ବିଚାରକୁ ନିିଆଯାଇଥାଏ, ଯଥା- ସ୍ଥିରତା, ସଂସ୍କୃତି ଓ ପରିବେଶ, ସ୍ବାସ୍ଥ୍ୟସେବା, ଭିତ୍ତିଭୂମି ଓ ଶିକ୍ଷା। ଭିତ୍ତିଭୂମି କ୍ଷେତ୍ରରେ ବେଙ୍ଗାଲୁରୁ ଅନ୍ୟ ଭାରତୀୟ ସହର ତୁଳନାରେ ସବୁଠାରୁ ଦୁର୍ବଳ ରହିଛି।

ବେଙ୍ଗାଲୁରୁର ଭିତ୍ତିଭୂମି ତୃତୀୟ ବାସ ଅନୁପଯୋଗୀ ସହର ନାଇଜେରିଆର ଲାଗୋସ୍ ସହିତ ତୁଳନୀୟ। ସୂଚକାଙ୍କର ଶୀର୍ଷରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ଥିବା ବେଳେ ଶ୍ରେଷ୍ଠ ଦଶଟି ସହର ମଧ୍ୟରେ ପଶ୍ଚିମ ୟୁରୋପ ଓ କାନାଡାର ସହରମାନେ ରହିଛନ୍ତି। ସିରିଆର ଡାମାସ୍‌କସ୍‌ ପୃଥିବୀର ସବୁଠାରୁ କମ୍ ବାସୋପଯୋଗୀ ସହର ରୂପେ ଏହି ତାଲିକାର ସବା ତଳେ ରହିଛି।

ସମ୍ବନ୍ଧିତ ଖବର