ଚଳିତ ରାଜ୍ୟ କୃଷି ବଜେଟ: ଅଧିକ ଅର୍ଥ ବରାଦ, କିନ୍ତୁ ଚମକହୀନ

ସରଳ ବିଚାର - ସରଳ କୁମାର ଦାସ

କୃଷି ଓ କୃଷକ ସଶକ୍ତୀକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ୨୦୧୩ରୁ ପ୍ରତି ବର୍ଷ ଏକ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ ହୋଇ ଆସୁଛି। ଓଡ଼ିଶା ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସ୍ୱତନ୍ତ୍ର କୃଷି ବଜେଟ୍‌ର ଆକାର ୨୧,୧୧୬ କୋଟି ଟଙ୍କା, ଯାହା ସମଗ୍ର ବଜେଟ୍‌ ରାଶି ୨ ଲକ୍ଷ କୋଟି ଟଙ୍କାର ୧୧ ପ୍ରତିଶତ। ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ କୃଷି ବଜେଟ୍‌ରେ ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଏଥିରେ ଉଲ୍ଲେଖନୀୟ ନୂତନତା ପରିଲକ୍ଷିତ ହେଉ ନାହିଁ।

ଏ ବର୍ଷ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ୬,୪୪୬ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟ୍‌ର ପ୍ରାୟ ୩୧% ଓ ଗତ ବର୍ଷ ଅପେକ୍ଷା ପ୍ରାୟ ୭୦୦ କୋଟି ଟଙ୍କା ଅଧିକ। ଏଥିରୁ ପ୍ରାୟ ୧୫% ରାଶି ପ୍ରଶାସନିକ ବ୍ୟୟ ବାବଦରେ ଆବଣ୍ଟିତ ହୋଇଥିବା ବେଳେ ୧,୮୭୪ କୋଟି ଟଙ୍କା ବା ପ୍ରାୟ ୨୯% ‘କାଳିଆ’ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍, ବିଭାଗର ସମସ୍ତ କାର୍ଯ୍ୟକ୍ରମ ବ୍ୟୟ ପାଇଁ ଅବଶିଷ୍ଟ ମାତ୍ର ୩,୭୭୯ କୋଟି ଟଙ୍କା ଉପଲବ୍‌ଧ। କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ଚାହିଦା ବଢୁଥିବା ବେଳେ ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରାଯିବା ଆବଶ୍ୟକ। ହେଲେ ଏଥିପାଇଁ ଗତ ବଜେଟ୍‌ରେ ୨୫୦ କୋଟି ଟଙ୍କାର ପ୍ରାବଧାନ ଥିଲା ବେଳେ ଏ ବର୍ଷ ତାହା ସାମାନ୍ୟ ବୃଦ୍ଧି ପାଇ ୨୬୦ କୋଟି ଟଙ୍କା ହୋଇଛି, ଯାହା ଉତ୍ସାହଜନକ ନୁହେଁ। ସେହିପରି କୃଷି ଯାନ୍ତ୍ରିକୀକରଣ ସବ-ମିସନରେ ଆବଣ୍ଟନ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ୧୮୦ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି। ୨୦୧୮ରୁ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ‘କୃଷି ଉଦ୍ୟମୀ ପ୍ରୋତ୍ସାହନ ଯୋଜନା’ରେ ରାଜ୍ୟରେ ୧୦୦୦ ନୂତନ କୃଷି ଉଦ୍ୟମୀ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଗତ ବର୍ଷ ବଜେଟ୍‌ରେ ନୂଆ କରି ପ୍ରାୟ ୧୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଥିବା ବେଳେ ଏ ଥର ତାହାକୁ ପ୍ରାୟ ୬ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଏଥିରୁ ଇଙ୍ଗିତ ମିଳେ ଯେ ରାଜ୍ୟରେ ଆଉ ଏକ ଯୋଜନାର ସଫଳ ରୂପାୟନ ସମ୍ଭବପର ହେବନାହିଁ।

କୃଷକମାନଙ୍କ ଆୟ ବଢ଼ାଇବାକୁ ହେଲେ ସେମାନଙ୍କୁ ‘ଏଫ୍‌ପିଓ’ ମାଧ୍ୟମରେ ସଂଗଠିତ କରାଇ ସେଗୁଡ଼ିକୁ କ୍ରିୟାଶୀଳ କରାଯିବା ଆବଶ୍ୟକ। ଗତ ୨ ବର୍ଷ ଧରି ‘ଏଫ୍‌ପିଓ’ଗୁଡ଼ିକୁ ସହାୟତା ପାଇଁ ବଜେଟ୍‌ରେ ୬୦ କୋଟି ଟଙ୍କା ଲେଖାଏଁ ଆବଣ୍ଟିତ ହୋଇ ଆସୁଥିବା ବେଳେ ଏଥର ତାହା ୨୫ କୋଟି ଟଙ୍କାକୁ ହ୍ରାସ ପାଇବା ପରିତାପର ବିଷୟ। ମିଳିତ ଜାତିସଂଘ ଦ୍ୱାରା ୨୦୨୩କୁ ‘ଅନ୍ତର୍ଜାତୀୟ ମିଲେଟ ବର୍ଷ’ ଭାବରେ ପାଳନ କରାଯାଉଥିବା ବେଳେ ଓଡ଼ିଶାର ୧୫ଟି ଜିଲ୍ଲାର ୮୫ଟି ବ୍ଲକ୍‌ରେ ‘ଓଡ଼ିଶା ମିଲେଟ ମିସନ’ ୫ ବର୍ଷ ଧରି ସଫଳତାର ସହ କାମ କରୁଥିବାରୁ ମାଣ୍ଡିଆ ଆଦି ଫସଲର ଚାଷୀଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିପାରେ। ଏଥିପାଇଁ ବଜେଟ୍‌ ଆବଣ୍ଟନକୁ ଗତ ବର୍ଷର ୧୧୦ କୋଟି ଟଙ୍କାର ତିନି ଗୁଣରୁ ଅଧିକ ଅର୍ଥାତ୍ ୩୬୨ କୋଟି ଟଙ୍କା କରାଯିବା ନିଶ୍ଚିତ ଭାବେ ଉତ୍ସାହ ବର୍ଦ୍ଧକ। ତେବେ ଏହି କାର୍ଯ୍ୟକ୍ରମକୁ ଅଧିକ ଅଞ୍ଚଳକୁ ସଂପ୍ରସାରିତ କରାଯିବା ମଧ୍ୟ ଆବଶ୍ୟକ। ‘କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବ୍‌ସିଡି’ ବାବଦ ବ୍ୟୟ ବରାଦ ଗତ ୨ ବର୍ଷ ଧରି ୧୦୦ କୋଟି ଟଙ୍କା ରହିବା ପରେ ଏ ବର୍ଷ ତାକୁ ୮୦ କୋଟି ଟଙ୍କାକୁ ହ୍ରାସ କରାଯିବା ହତାଶାଜନକ। କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ। ତେଣୁ ସବ୍‌ସିଡି ରାଶିର ପରିମାଣ ହ୍ରାସ ପାଇଲେ ତାର ପ୍ରତିକୂଳ ପ୍ରଭାବ ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନରେ ପରିଲକ୍ଷିତ ହୋଇପାରେ।

ରାଜ୍ୟରେ ଅଧିକାଂଶ ଅଞ୍ଚଳ ବୃଷ୍ଟି ନିର୍ଭର ହୋଇଥିଲେ ବି ବୃଷ୍ଟି ନିର୍ଭର ଫସଲ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଭଳି ଲାଗୁନାହିଁ। ‘ବୃଷ୍ଟି ନିର୍ଭର ଅଞ୍ଚଳର ଉନ୍ନତୀକରଣ ଓ ଜଳବାୟୁ ପରିବର୍ତ୍ତନ’ ପାଇଁ ଗତ ବର୍ଷ ଆବଣ୍ଟିତ ହୋଇଥିବା ମାତ୍ର ୩୦ କୋଟି ଟଙ୍କାକୁ ସାମାନ୍ୟ ବଢ଼ାଇ ଏ ବର୍ଷ ୩୫ କୋଟି ଟଙ୍କା କରାଯାଇଛି। ଏଥର ବଜେଟ୍‌ରେ ଯେଉଁ ନୂଆ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଛି, ସେଥିରେ ଅମଳ ପରବର୍ତ୍ତୀ ପରିଚାଳନା ଓ ବିପଣନ ପାଇଁ ୫୫ କୋଟି ଟଙ୍କା, କୃଷିର ‘ଡିଜିଟାଇଜେସନ୍’ ପାଇଁ ୧୦ କୋଟି ଟଙ୍କା, କୃଷିରେ ମହିଳା ସଶକ୍ତୀକରଣ ପାଇଁ ୧୦୦ କୋଟି ଟଙ୍କା, ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ପାଇଁ ଅଭିନବ ଜଙ୍ଗଲ କୃଷି ବାବଦକୁ ୧୦ କୋଟି ଟଙ୍କା, ଜୀବିକା ପାଇଁ କଫି ଚାଷ ବାବଦକୁ ୧୦ କୋଟି ଟଙ୍କା ଆଦି ଅନ୍ତର୍ଭୁକ୍ତ।

ଏ ବର୍ଷ ସମବାୟ ବିଭାଗ ପାଇଁ ୧,୯୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟ୍‌ର ପ୍ରାୟ ୯ ପ୍ରତିଶତ। ଏଥି ମଧ୍ୟରୁ ୬୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିଅମ ବାବଦକୁ ବରାଦ କରାଯାଇଛି, ଯାହା ଗତ ବର୍ଷ ୫୦୦ କୋଟି ଟଙ୍କା ଥିଲା। ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୭୮୭ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୧୨ କୋଟି ଟଙ୍କା ଅଧିକ। ରାଜ୍ୟର ଅଧିକାଂଶ ଭାଗ ଚାଷୀ ବ୍ୟାଙ୍କ ଋଣ ପାଇ ପାରୁ ନ ଥିବାରୁ ଉଭୟ ସୁଧ ରିହାତି ଓ ଫସଲ ବୀମା ସୁବିଧାର ଲାଭାର୍ଥୀ ହୋଇପାରୁ ନାହାନ୍ତି; ଅଥଚ ଚାଷ କରୁ ନଥିବା କିଛି ଜମି ମାଲିକ ଏହି ଉଭୟ ସୁବିଧାର ଲାଭ ଉଠାଉଥିବା ଦେଖାଯାଉଛି।

ତେଣୁ ଫସଲ ଋଣ ରିହାତି ଓ ଫସଲ ବୀମା ସୁବିଧା ଦୁଇଟିର ତର୍ଜମା କରି ଚାଷ କରୁ ନ ଥିବା ଜମି ମାଲିକଙ୍କୁ ବାଦ ଦେବା ସହ ଭାଗଚାଷୀମାନେ କିପରି ଅଧିକ ସଂଖ୍ୟାରେ ଏହି ସୁବିଧା ଦୁଇଟିର ଲାଭାର୍ଥୀ ହୋଇପାରିବେ, ସେଥି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ଅଣ ଧାନ ଫସଲଗୁଡ଼ିକର ସଂଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସମବାୟ ବାଣିଜ୍ୟିକ ଫେଡରେସନ (ଓଏସସିଏମଏଫ)ର ଏକ କର୍ପସ ପାଣ୍ଠିକୁ ୧୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କଥା ବଜେଟ୍‌ରେ ଉଲ୍ଲେଖ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଅଣଧାନ ଫସଲଗୁଡ଼ିକର ସର୍ବନିମ୍ନ ସହାୟକ ଦର ବୃଦ୍ଧି ପାଇ ଚାଲିଥିଲେ ବି ବର୍ଷ ବର୍ଷ ଧରି ‘ଓଏସସିଏମଏଫ’ର କର୍ପସ ପାଣ୍ଠି ସେହି ୯୦ରୁ ୧୦୦ କୋଟି ଟଙ୍କା ମଧ୍ୟରେ ସୀମିତ ରହିଆସିଛି। ଚାଷୀଙ୍କୁ ଅଣଧାନ ଫସଲ ପ୍ରତି ଆକୃଷ୍ଟ କରିବାକୁ ହେଲେ ଏହାର ସଂଗ୍ରହକୁ ବ୍ୟାପକ କରିବାକୁ ହେବ। ସେଥିପାଇଁ ଏହି କର୍ପସ ପାଣ୍ଠିର ଆକାରକୁ ଯଥେଷ୍ଟ ବଢ଼ାଇବା ଦରକାର। କୃଷି କ୍ଷେତ୍ରକୁ ଗତିଶୀଳ କରିବା ପାଇଁ ସମବାୟ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବଜେଟ୍‌ରେ ଏହି ବିଭାଗର କୌଣସି ନୂଆ ଯୋଜନା ବା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ନାହିଁ।

ଏ ବର୍ଷ ବଜେଟ୍‌ରେ ଜଳ ସମ୍ପଦ ବିଭାଗ ପାଇଁ ୧୦,୦୫୦ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧,୭୭୯ କୋଟି ଟଙ୍କା ଅଧିକ। ୨୦୨୨-୨୩ରେ ଅତିରିକ୍ତ ୨.୮୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ, ଗତ ବର୍ଷ ଧାର୍ଯ୍ୟ ହୋଇଥିବା ଅତିରିକ୍ତ ୨.୭୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ କେତେ ମାତ୍ରାରେ ପୂରଣ ହୋଇଛି, ତାହା ମଧ୍ୟ ଜନସାଧାରଣ ଜାଣିବା ଦରକାର। ରାଜ୍ୟର ମୁଖ୍ୟ ନଦୀଗୁଡ଼ିକ ଉପରେ ଆଗାମୀ ୫ ବର୍ଷ ମଧ୍ୟରେ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ଏକ ଦୀର୍ଘ-ମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ବିଷୟ ୨୦୨୦-୨୧ ବଜେଟ୍‌ରେ ଘୋଷଣା କରାଯାଇଥିଲେ ବି ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିନାହିଁ। ସେଥିପାଇଁ ଗତ ବର୍ଷ ବଜେଟ୍‌ରେ ମାତ୍ର ୭୯୫ କୋଟି ଟଙ୍କା ଓ ଚଳିତ ବର୍ଷ ମାତ୍ର ୫୮୮ କୋଟି ଟଙ୍କା ବରାଦ ହେବା ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ। ପାର୍ବତୀ ଗିରି ମେଗା ଲିଫ୍‌ଟ ପ୍ରକଳ୍ପରେ ଗତ ବର୍ଷ ୮୨୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଏ ବର୍ଷ ତାହା ପ୍ରାୟ ଅଧା କମି ୪୩୫ କୋଟି ଟଙ୍କାରେ ପହଞ୍ଚିଛି। ତେବେ ‘ତ୍ୱରିତ ଜଳସେଚନ ସୁବିଧା ଯୋଜନା’ (ଏଆଇବିପି) ପାଇଁ ଆବଣ୍ଟନ ପ୍ରାୟ ୩୬୪ କୋଟି ଟଙ୍କା ବୃଦ୍ଧି ପାଇ ୨୦୨୨ କୋଟି ଟଙ୍କା ହୋଇଥିବା ଉତ୍ସାହଜନକ। ଜଳସମ୍ପଦ ବିଭାଗ ଅଧୀନରେ ଅନେକ ଯୋଜନା କାର୍ଯ୍ୟ କରୁଥିବାରୁ ବର୍ଷ ଶେଷରେ କେଉଁ ଯୋଜନାରେ କେଉଁ ଅଞ୍ଚଳର କେଉଁ କେଉଁ ଅତିରିକ୍ତ ଚାଷଜମିକୁ ଜଳସେଚନ ଯୋଗାଇ ଦିଆଗଲା, ତାହା ସର୍ବସାଧାରଣଙ୍କୁ ସୂଚାଇ ଦେବାର ବିଧି ପ୍ରଚଳିତ ହେବା ଆବଶ୍ୟକ।

ଚଳିତ ବର୍ଷ ବଜେଟ୍‌ରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧,୬୫୭ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୨୪୨ କୋଟି ଟଙ୍କା ଅଧିକ ହୋଇଥିଲେ ବି ପୂର୍ବ ବର୍ଷ ପରି ଏହା ସମଗ୍ର କୃଷି ବଜେଟ୍‌ର ୮%ରେ ସୀମିତ ରହିଛି। ବଜେଟରେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ୧୭୭ କୋଟି ଟଙ୍କା ଆବଣ୍ଟିତ ହୋଇଛି। ବିଭାଗ ତରଫରୁ ଏହି ଯୋଜନା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମ୍ଭାବ୍ୟ ଉଦ୍ୟୋଗୀଙ୍କ ମଧ୍ୟରେ ତୁରନ୍ତ ସଚେତନତା ବୃଦ୍ଧି ପାଇଁ ପ୍ରୟାସକୁ ବ୍ୟାପକ କରାଗଲେ, ତାହା ଉତ୍ପାଦନ ବୃଦ୍ଧି ସହ ଗାଁ ଗଣ୍ଡାରେ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୁଅନ୍ତା। ବିଭାଗ ତରଫରୁ ମତ୍ସ୍ୟ ଓ ପଶୁସମ୍ପଦ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ବଜେଟ୍‌ରେ ମତ୍ସ୍ୟ ଓ ମତ୍ସ୍ୟ ପାଳନ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଏଫଆଇଡିଏଫ)ରେ ୨୫ କୋଟି ଟଙ୍କା, ପଶୁ ସମ୍ପଦ ଓ ପ୍ରାଣୀ ବିଜ୍ଞାନ ସେବା ନିମିତ୍ତ ଭିତ୍ତିଭୂମି ସହାୟତା ପାଇଁ ୧୪୪ କୋଟି ଟଙ୍କା, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆରଆଇଡିଏଫ)ରେ ୪୩ କୋଟି ଟଙ୍କା ଆବଣ୍ଟିତ ହେବା ସ୍ୱାଗତଯୋଗ୍ୟ।

ରାଜ୍ୟର ୫ ଲକ୍ଷ ଭାଗଚାଷୀଙ୍କୁ ୧ ଲକ୍ଷ ‘ଜେଏଲ୍‌ଜି’ ଜରିଆରେ ବ୍ୟାଙ୍କ ଋଣ ସହ ସଂଯୁକ୍ତ କରାଯିବା ଲକ୍ଷ୍ୟରେ ନାବାର୍ଡ ସହଯୋଗରେ ‘ବଳରାମ’ ଯୋଜନା ଆରମ୍ଭ ହୋଇଥିବା କଥା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଥିଲେ ମଧ୍ୟ ବାସ୍ତବରେ ଏହି ଯୋଜନା ପ୍ରାୟ ୨ ବର୍ଷ ଧରି କାର୍ଯ୍ୟ କରି ଆସୁଛି ଓ ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହେଉନାହିଁ। ଏପରି ସମୟରେ ରାଜ୍ୟରେ ଭାଗ ଚାଷର ବୈଧତାକୁ ନେଇ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତର ଅସମାହିତ ଥିବାରୁ ତାହାର ପ୍ରତିକୂଳ ପ୍ରଭାବ ‘ବଳରାମ’ ଯୋଜନାର କ୍ରିୟାନ୍ୱୟନ ଉପରେ ପଡ଼ି ବ୍ୟାଙ୍କଗୁଡ଼ିକ ‘ଜେଏଲ୍‌ଜି’ଗୁଡ଼ିକୁ ଋଣ ଦେବାରେ ଆଗ୍ରହ ପ୍ରଦର୍ଶ ନ କରି ନପାରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଅନ୍ତର୍ଗତ ତୈଳବୀଜ ଚାଷ ପାଇଁ ବଜେଟ୍‌ରେ ପ୍ରାୟ ୩୮ କୋଟି ଟଙ୍କାର ପ୍ରାବଧାନ ହୋଇଥିବାରୁ ବିଭାଗ ତରଫରୁ ଚାଷୀମାନଙ୍କୁ ସେଥି ପ୍ରତି ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ରେ ପ୍ରଣୀତ ‘ସମୃଦ୍ଧି-କୃଷି ନୀତି’ ଅନୁଯାୟୀ ଫସଲ ପରିବର୍ତ୍ତନ, ବଜାର ସହ ସଂଯୋଗୀକରଣ ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ଆଧାର କରି କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ କରାଯିବାର ଲକ୍ଷ୍ୟ ରହିଛି। ଏଥର ବଜେଟ୍‌ରେ ଫସଲ ପରିବର୍ତ୍ତନ କାର୍ଯ୍ୟକ୍ରମ ପାଇଁ ନୂଆ କରି ୧୦୬ କୋଟି ଟଙ୍କାର ଆବଣ୍ଟନ ହେବା ସ୍ୱାଗତଯୋଗ୍ୟ। ତେବେ ଚାଷୀକୁ ଉନ୍ନତ ବଜାର ବ୍ୟବସ୍ଥା ଉପଲବ୍‌ଧ କରାଇବା ଓ ଯାନ୍ତ୍ରିକୀକରଣ ଓ ଅନ୍ୟାନ୍ୟ ବାଟରେ ତା ନିକଟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପହଞ୍ଚାଇବା ପାଇଁ ବଜେଟ୍‌ରେ ନିର୍ଦ୍ଦିଷ୍ଟ ଭାବେ ନୂତନ କାର୍ଯ୍ୟକ୍ରମର ଅବତାରଣା ହୋଇନାହିଁ। ପୂର୍ବ ବର୍ଷମାନଙ୍କ ଭଳି ଗତାନୁଗତିକ ଭାବେ କୃଷି ବଜେଟ୍‌ଟି ପ୍ରସ୍ତୁତ ହୋଇଥିବାରୁ ସମୃଦ୍ଧି-କୃଷି ନୀତିରେ ସନ୍ନିବେଶିତ ଉପରୋକ୍ତ ଲକ୍ଷ୍ୟକୁ ଆଗେଇ ନେବାରେ ଏଥରର ବଜେଟ୍‌ ହୁଏତ ବିଶେଷ ସହାୟକ ହୋଇ ନ ପାରେ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର