ତକିଆ ସମ୍ବାଦ

ଚିନ୍ମୟ ଚେତନା - ଚିନ୍ମୟ ହୋତା

ତକିଆର ମୂଲ୍ୟ ୪୫ ଲକ୍ଷ ଟଙ୍କା!- ସମ୍ବାଦ ଶିରୋନାମା।

ସେଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରିଥିବା ଏହି ଚମକପ୍ରଦ ସମ୍ବାଦଟି ପଢ଼ିବା ପରେ ମୋ ମନରେ କିଛିଟା ହୀନମନ୍ୟତା ଆସିଯାଇଥିଲା, ବିଶେଷ କରି ଦିନ ଶେଷରେ ଯେତେବେଳେ ନିଜର ନିତିଦିନିଆ ତକିଆଟି ଉପରେ ମଥା ଥୋଇ ଶୋଇବାକୁ ଚେଷ୍ଟା କରିଥିଲି। କାହିଁ ସେ ସୁନା ଓ ହୀରା ଖଚିତ, ପୁଣି ଇଜିପ୍‌ଟର କପା, ମଲବରୀ ରେଶମ ଓ ନେଦରଲାଣ୍ଡର ଫୋମ୍‌ ସହ ପନ୍ଦର ବର୍ଷର ପ୍ରଚେଷ୍ଟା ପରେ ତିଆରି ତକିଆ, ଆଉ କାହିଁ ବା ମୋର ରଙ୍ଗଛଡ଼ା କନା ଖୋଳରେ ଢଙ୍କା ଶିମୁଳି ତୁଳା ଓ ସ୍ପଞ୍ଜରେ ତିଆରି ମାମୁଲି ମୁଚୁଳା? ସେଦିନ ଅଭିମାନରେ ମୋର ଜୀର୍ଣ୍ଣ ମାଣ୍ଡିଟିକୁ କଡ଼କୁ ଆଡ଼େଇ ଦେଇ ମୁଣ୍ଡ ତଳେ ହାତ ଦେଇ ଶୋଇ ପଡ଼ିଲି। ସକାଳୁ ନିଦ ଭାଙ୍ଗିଲାରୁ ଆବିଷ୍କାର କଲି ମୋର ପରିଚିତ ତକିଆଟି ମୋ ମୁଣ୍ଡ ତଳେ ଥିଲା। ହୁଏତ ମୋ ମୁଣ୍ଡ ତକିଆକୁ ଖୋଜି ଖୋଜି ତା’ ଉପରକୁ ଆପଣା ଛାଏଁ ଘୁଞ୍ଚି ଯାଇଥିଲା। ସେଦିନ ଛୁଟି ଥିବାରୁ ଆଉ ଅସରାଏ ଶୋଇ ଯିବା ପାଇଁ ମୋର ତକିଆଟିକୁ ନିବିଡ଼ତାର ସହ ଆଦରି ନେଲି। ସୁନ୍ଦର ନିଦଟିଏ ପରେ ମୁଁ ସମ୍ବାଦପତ୍ରର ସେହି ମହାର୍ଘ ତକିଆଟି କଥା ସଂପୂର୍ଣ୍ଣ ପାଶୋରି ପକାଇଥିଲି।

ଆମର ଶୋଇବା ବେଳର ଏହି ଦରକାରୀ ଉପକରଣଟି ବିଷୟରେ ଜଣେ ଜ୍ଞାନୀ ବ୍ୟକ୍ତି କହିଥିଲେ ଯେ କ୍ଳାନ୍ତି ହିଁ ସର୍ବୋତ୍ତମ ତକିଆ, ପୁଣି ଏକ ଉଦ୍‌ବିଗ୍ନ ମନ ଠାରୁ ନିକୃଷ୍ଟ ତକିଆଟିଏ ଦୁନିଆରେ ନାହିଁ। କୃଷକ ବା ଶ୍ରମିକଟିଏ ନିଦ୍ରା ଯିବା ଆଗରୁ ବିଳାସପୂର୍ଣ୍ଣ ଶଯ୍ୟା କିମ୍ବା କୋମଳ ତକିଆଟିଏ ଖୋଜେ ନାହିଁ; ତା’ ପାଇଁ ଦରକାର କେବଳ ତାର ଅବସନ୍ନ ଶରୀରଟିକୁ ଲୋଟାଇ ଦେବା ପାଇଁ ଟିକେ ଜାଗା। ତକିଆ ନ ହେଲେ ବି ତାର ଗାମୁଛା କିମ୍ବା ହାତକୁ ମୁଣ୍ଡ ତଳେ ଥୋଇ ସେ ରାଜକୀୟ ନିଦ୍ରାରେ ଶୋଇଯିବ। ଥକିଲା ଦେହ ଓ ସରଳ ମନଟି ତାର ବହୁମୂଲ୍ୟ ତକିଆ। କିନ୍ତୁ ଏହି ସୁଖୀ ନିଦ୍ରାଳୁମାନଙ୍କର ଅପର ପାର୍ଶ୍ୱରେ ଏମିତି ଅନେକ ଅଭାଗା ରହିଛନ୍ତି, ଯେଉଁମାନେ ତାଙ୍କର ଦୁଗ୍‌ଧଫେନନିଭ ଶଯ୍ୟାରେ ମଧ୍ୟ ନିଦ୍ରାଦେବୀଙ୍କର କରୁଣାରୁ କାଣିଚାଏ ପାଆନ୍ତି ନାହିଁ। ସେମାନେ ରାତି ସାରା କଡ଼ ଲେଉଟାଇ ପଡ଼ି ରହନ୍ତି ଯାହା। ‘ମୁକୁଟ ପିନ୍ଧିଥିବା ମୁଣ୍ଡଟି ସର୍ବଦା ଅଶାନ୍ତ’ ପ୍ରବାଦଟିକୁ ପ୍ରତିପାଦନ କରନ୍ତି ବିନିଦ୍ର ରଜନୀ କଟାଉଥିବା କ୍ଷମତାଶାଳୀ ଓ ଧନିକ ଗୋଷ୍ଠୀର ଏହି ସଦସ୍ୟମାନେ।

ଚିନ୍ତାର ମୁକୁଟ ପିନ୍ଧିଥିବା ଜଣେ ବ୍ୟକ୍ତି ହେଉ କି ଢୋକେ ପିଇ ଦଣ୍ଡେ ଜିଉଥିବା ନିଷ୍କପଟ ମଣିଷଟିଏ ହେଉ; ତକିଆଟି କିନ୍ତୁ ସବୁ ମୁଣ୍ଡ ପାଇଁ ଜରୁରୀ। କାହାକୁ ମୁଣ୍ଡ ତଳେ ହାତ ବା ବୋକଚା ରଖି ଶୋଇବାକୁ ପଡୁଛି ତ ଆଉ କିଏ ପାରିଲା ବାଲା ପଇଁଚାଳିଶ ଲକ୍ଷ ଟଙ୍କାର ତକିଆ ଉପରେ ମୁଣ୍ଡ ଥାପୁଛି। ମସ୍ତକ ଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଅଙ୍ଗଟିକୁ ଉଚିତ ସମ୍ମାନ ଦେବା ଲାଗି ଉଚ୍ଚ ପୃଷ୍ଠତଳଟିଏ ଲୋଡ଼ା। ସେଇଥିପାଇଁ ତ ପ୍ରାଗୈତିହାସିକ ସମୟରୁ ଆଜି ପର୍ଯ୍ୟନ୍ତ ତକିଆର ରୂପ ଓ ଗୁଣକୁ ନେଇ ଏତେ ସବୁ ପରିବର୍ତ୍ତନ, ଏତିକି ପରୀକ୍ଷା ନିରୀକ୍ଷା- ପ୍ରସ୍ତର, କାଠ, ଚୀନା ମାଟିଠୁ ଆରମ୍ଭ କରି ପବନ ଫୁଙ୍କା ତକିଆ, ଆଉ ତା’ ପରେ ଆଜିର ଏହି ସୁନା ହୀରା ବାଲା ତକିଆ!

ତକିଆ ବିବର୍ତ୍ତନର ଏହି ଧାରାରେ କିନ୍ତୁ ଲକ୍ଷ୍ୟ କରିବେ ବେଶୀ କିସମ ବାହାରିଛି ନିଦହରାଙ୍କୁ ସୁଖ ନିଦ୍ରାର ପ୍ରତିଶ୍ରୁତି ଯୋଗାଇବା ପାଇଁ। ନିଦ ନାମରେ ଆଜିର ଧନୀ ଅଥଚ ଅଶାନ୍ତ ଦୁନିଆରେ ବହୁ କୋଟି ଟଙ୍କାର ବେପାର! ଭଲ ନିଦ ହେବା ପାଇଁ ଯେ ଭଲ ତକିଆ, ଗଦି, ପରିବେଶ ଓ ସୁନ୍ଦର ସଙ୍ଗୀତର ମୂର୍ଚ୍ଛନା ଦରକାର, ଏମିତି ଏକ ଅର୍ଦ୍ଧ-ସତ୍ୟକୁ ବେପାରୀମାନେ ସବୁବେଳେ ନିଦ୍ରା ରୋଗୀଙ୍କ ମୁଣ୍ଡରେ ପୁରାଇ ଚାଲିଛନ୍ତି। ସେଥିପାଇଁ ସେମାନେ ତଥାକଥିତ ଗବେଷକ ଓ ସ୍ୱାସ୍ଥ୍ୟ ବିଜ୍ଞାନୀମାନଙ୍କର ଗବେଷଣା ପ୍ରସୂତ ତଥ୍ୟ ମଧ୍ୟ ଉଦ୍ଧାର କରୁଛନ୍ତି। କିଛି ମାସ ପୂର୍ବେ ଏକ ‘ସ୍ମାର୍ଟ‌୍ ତକିଆ’ ଉଦ୍ଭାବନର ସମ୍ବାଦ ପଢ଼ିଥିବେ ନିଶ୍ଚୟ। ‘ସ୍ମାର୍ଟ ସିଟି’ ଭଳି ସେ ତକିଆରୁ ରଙ୍ଗ ରଙ୍ଗିଆ ଆଲୋକ, ମୃଦୁ ସଙ୍ଗୀତ ନିର୍ଗତ ହେବା ସହିତ କମ୍ପ୍ୟୁଟର କୌଶଳର ବିଶେଷ ପ୍ରୟୋଗ ହୋଇଥିଲା। ସେ ତକିଆ କେତେ ଲୋକଙ୍କ ଆଖିରେ ସୁଖ ନିଦ୍ରା ଆଣି ଦେଇଥିବ, ତାହା ଆକଳନ କରିବା ମୁସ୍କିଲ, ହେଲେ ଏହାର ବିକ୍ରେତା ଯେ ଲାଭ ଧନରେ ମାଲାମାଲ ହୋଇଥିବେ, ଏହା ଦୃଢ଼ କଣ୍ଠରେ କୁହାଯାଇପାରେ।

ତେବେ ତକିଆକୁ କେବଳ ନିଦ ସହ ଯୋଡ଼ିବା ଅର୍ଥ ସରଞ୍ଜାମଟିର ଅନ୍ୟାନ୍ୟ ଅନେକ ଦିଗକୁ ଅଣଦେଖା କରିବା। ତକିଆ ମଣିଷର ଏତେ ନିଜର ଯେ ପୂରା ଶୋଇବା ସମୟ ଏହା ତାର ଶରୀରରେ ଯୋଡ଼ି ହୋଇ ରହିଥାଏ। ବିରହୀ ହୃଦୟର ଯେତେ ଅଶ୍ରୁ ସବୁ ଏହି ତକିଆ ହିଁ ପିଇଯାଏ, ପୁଣି ବାଗ୍‌ଦତ୍ତାର ରଙ୍ଗୀନ ସ୍ୱପ୍ନ ସବୁ ସୃଷ୍ଟି ହୁଏ ତାରି ଉପରେ। ତକିଆରେ କ୍ଳାନ୍ତ ମୁଣ୍ଡ ଥାପି ବୈଜ୍ଞାନିକ ଜଟିଳ ସମସ୍ୟାର ସୁତ୍ର ଖୋଜେ, ଆଉ ଲେଖକ ଖୋଜେ ତାର କାହାଣୀର ନକ୍‌ସା। କୌଣସି ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସୁରକ୍ଷିତ ରଖିବା ପାଇଁ ତକିଆ ତଳ ଠାରୁ ଆଉ ସୁରକ୍ଷିତ ସ୍ଥାନ କେଉଁଠୁ ମିଳିବ? ଚାବିଟିଏ ହେଉ କି ଜରୁରୀ କାଗଜଟିଏ ହେଉ; ତକିଆ ତଳେ ରଖି ଶୋଇଯାଅ, ପୁଣି ସକାଳୁ କାଢ଼ି ନିଅ। ଘରେ ପିଲାମାନଙ୍କ ଭିତରେ ମିଛିମିଛିକା କଳହ ବେଳେ ତକିଆ ଏକ ଅସ୍ତ୍ର ରୂପେ ବ୍ୟବହୃତ ହୁଏ। ଏହି ଖେଳ ଏତେ ଲୋକପ୍ରିୟ ହେଲାଣି ଯେ ଜାପାନ ଓ ଅନ୍ୟାନ୍ୟ ଦେଶରେ ରୀତିମତ ତକିଆ ଲଢ଼େଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ପୂର୍ବେ ବାହାଘର ଇତ୍ୟାଦିର ଭିଡ଼ରେ ବନ୍ଧୁବାନ୍ଧବଙ୍କ ଶୋଇବା ପାଇଁ ତକିଆ ନିଅଣ୍ଟ ପଡୁଥିଲା। ସେତେବେଳେ ନିଦ୍ରିତ ପିଲାମାନଙ୍କ ମୁଣ୍ଡ ତଳୁ ତକିଆ-ହରଣ ଏକ ଜଣାଶୁଣା ଅଭ୍ୟାସ ଥିଲା, ଯାହା ପରେ ମନୋରଞ୍ଜନର ଖୋରାକ ଯୋଗାଉ ଥିଲା।

ପୁଣି ତକିଆ କଥା ପଡ଼ିଲେ ଗାନ୍ଧୀ-ନେହେରୁଙ୍କର ଶୁଭ୍ର ପାର୍ଶ୍ୱ ତକିଆ ଉପରେ ଭାରା ଦେଇ କଥାବାର୍ତ୍ତା ହେଉଥିବାର ଦୃଶ୍ୟ, କିମ୍ବା ମାରୱାଡ଼ି ପଟିରେ ବିପୁଳ ଦେହଧାରୀ ସେଠଙ୍କ ଏକାଧିକ ତକିଆ ପାର୍ଶ୍ୱରେ ଅର୍ଦ୍ଧ ଶାୟିତ ମୁଦ୍ରା ଆପଣାଛାଏଁ ମନକୁ ଆସିଯାଏ। ମସ୍ତକ ପଛରେ ଥାଇ ତକିଆ ଜଣକର ଶୋଭା ବର୍ଦ୍ଧନ କରେ ବୋଲି କବି ଲେଖିଛନ୍ତି, ‘ଦିଶିଲା ଏମନ୍ତ ଶୋଭା ଯେ/ ପ୍ରଳୟ କାଳ କ୍ରୋଧାରୁଣ ଶମ୍ଭୁର ମସ୍ତକ ତକିଆ ପରା ଯେ’ (ଚନ୍ଦ୍ରକଳା/ କବିସୂର୍ଯ୍ୟ ବଳଦେବ ରଥ)। ରଥ ଯାତ୍ରାବେଳେ ବନାରସୀ ଜରି କନା ଖୋଳ ଲଗା ସୁରମ୍ୟ ‘ଅପସର ତକିଆ’ ଜଗନ୍ନାଥଙ୍କ ପିଠି ଓ ମସ୍ତକକୁ ରଥ ଟଣା ଜନିତ କଷ୍ଟରୁ ଉପଶମ ଦେଇଥାଏ। ମଣିଷର ତକିଆକୁ ନେଇ ଯେତେବେଳେ ଏତେ ଆଗ୍ରହ, ବଡ଼ ଠାକୁର ସେଥିରୁ ବାଦ ପଡ଼ନ୍ତେ ବା କିପରି?

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର