ଜାତିସଂଘ ବିଶ୍ୱର ବିଭିନ୍ନ ଦେଶମାନଙ୍କ ସମ୍ପର୍କରେ ଯେଉଁ ନୂଆ ରିପୋର୍ଟ ଏ ବର୍ଷ ପ୍ରକାଶ କରିଛି ତାହା ଭାରତ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁନାହିଁ; ବରଂ ଏହା ଭାରତର ଆଗାମୀ ଦିନମାନଙ୍କରେ କ୍ଷତି କଲା ଭଳି ମନେହୁଏ।

Advertisment

ଏକଦା ସମୟ ଥିଲା, ଚୀନ ଜନସଂଖ୍ୟାରେ ବିଶ୍ୱରେ ସର୍ବବୃହତ୍‌ ଥିଲା। ଭାରତ ଥିଲା ତା’ର ପଛକୁ। ଧୀରେ ଧୀରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏକ ଅଫିମଖିଆ ଦେଶ ଭାବେ ପରିଚିତ ଚୀନ ଧୀରେ ଧୀରେ ଏକ ଦଳୀୟ ଶାସନ ଅଧୀନରେ ଆର୍ଥିକ ଦୃଷ୍ଟିରୁ ସଂବୃଦ୍ଧ ହେବାକୁ ଆରମ୍ଭ କଲା। ଏବେ କେବଳ ଆମେରିକାକୁ ଛାଡ଼ିଦେଲେ ଏହି ଦେଶ ଆର୍ଥିକ ସଂବୃଦ୍ଧି ଦୃଷ୍ଟିରୁ ବିଶ୍ୱରେ ପ୍ରଥମ। ପୂର୍ବରୁ ସଂବୃଦ୍ଧିରେ ଆମେରିକା ତଳକୁ ଥିବା ଜାପାନ ଏବେ ତଳକୁ ଖସିଗଲାଣି। କୁହାଯାଉଛି ଯେ, ଚୀନର ଜନସଂଖ୍ୟା ଅଧିକ ଥିବା ହେତୁ ସେ ଦେଶରେ ଯଥେଷ୍ଟ ଶ୍ରମିକ ଶସ୍ତାରେ ମିଳିଲେ ଓ ଏ ଦେଶ ସେଥିପାଇଁ ଯଥେଷ୍ଟ ଆର୍ଥିକ ପ୍ରଗତି କଲା। ଶସ୍ତା ଶ୍ରମିକ ମିଳୁଥିବାରୁ ପୃଥିବୀର ପ୍ରାୟ ସବୁ ବହୁରାଷ୍ଟ୍ରୀୟ କମ୍ପାନିମାନେ ଚୀନକୁ ଆସି ସେଠାରେ ଶିଳ୍ପ ପ୍ରତିଷ୍ଠା କଲେ। ସେଠାରେ ଏହି ଶସ୍ତା ଓ କୁଶଳୀ ଶ୍ରମିକମାନଙ୍କ ଉପଲବ୍ଧତା ହେତୁ ଉତ୍ପାଦନ ଖର୍ଚ୍ଚ କମ ପଡ଼ିଲା। ଏବେ ଶିଳ୍ପ ଉତ୍ପାଦନ ପ୍ରତିଦ୍ୱନ୍ଦ୍ୱିତାରେ ଚୀନ ବିଶ୍ୱରେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ।

ଚୀନର କମ୍ୟୁନିଷ୍ଟ ଶାସକମାନେ ଏହା ଧରିନେଲେ, ଜନସଂଖ୍ୟା ବୃଦ୍ଧି ଚୀନର ଦାରିଦ୍ର୍ୟର ଏକ ବଡ଼ କାରଣ। ୧୯୪୯ରେ ଯେତେବେଳେ ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା, ସେତେବେଳେ ଚୀନ ଏକ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ଦେଶ ଥିଲା। ଏହି ଦେଶକୁ ସଂବୃଦ୍ଧ କରିବା ପାଇଁ ଚୀନ ତା’ର ଜନସଂଖ୍ୟାକୁ କମାଇବାକୁ ନିଷ୍ପତ୍ତି ନେଲା। ପ୍ରଥମେ ଗୋଟିଏ ପରିବାରରେ ଅତି ବେଶିରେ ଦୁଇଟି ପିଲା ଜନ୍ମ ହୋଇପାରିବେ ବୋଲି ସେଠାକାର ସରକାର ନିଷ୍ପତ୍ତି ନେଲେ। ଏହାପରେ ଚୀନ ସରକାର ‘ଗୋଟିଏ ପରିବାର, ଗୋଟିଏ ପିଲା’ ନୀତି ଆପଣେଇଲେ। ତେଣୁ ଚୀନର ଜନସଂଖ୍ୟା ପ୍ରଥମେ ନ ବଢ଼ି ଏକ ପ୍ରକାର ସ୍ଥିର ହେବାକୁ ଆରମ୍ଭ କଲା। ଏବେ ଏହି ଜନସଂଖ୍ୟା କମିବାର ସଂକେତ ଦେବା ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ଭାରତର ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭାରତ ବହୁ ବର୍ଷ ହେଲା ପରିବାର ନିୟନ୍ତ୍ରଣ ଯୋଜନା ଲାଗୁ କରିଥିଲେ ମଧ୍ୟ ତାହା ଫଳପ୍ରଦ ହେବା ପରି ମନେ ହେଉନାହିଁ।

ବିଶ୍ୱ ଜନସଂଖ୍ୟା ସମ୍ଭାବନା, ୨୦୨୨ ରିପୋର୍ଟରେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ଜନସଂଖ୍ୟା ଡିଭିଜନ ପକ୍ଷରୁ ଏହା ପ୍ରକାଶିତ ହୋଇଛି ଯେ, ୨୦୩୦ରେ ବିଶ୍ୱର ଜନସଂଖ୍ୟା ୮୫୦ କୋଟି ଧରିବ। ୨୦୫୦ ବେଳକୁ ଏହି ସଂଖ୍ୟା ବଢ଼ି ୯୭୦ କୋଟି ହେବ।

ସେହିପରି ଭାରତର ଜନସଂଖ୍ୟା ୨୦୨୨ରେ ୧୪୧ କୋଟି ଥିଲା ବେଳେ ଚୀନର ଜନସଂଖ୍ୟା ୧୪୨ କୋଟି ଅଛି। ଚୀନର ଏବେ ଭାରତଠାରୁ ଜନସଂଖ୍ୟା ମାତ୍ର ୧ କୋଟି ଅଧିକ ଥିଲାବେଳେ ଆଗାମୀ ବର୍ଷ ବେଳକୁ ଏହି ଲୋକସଂଖ୍ୟା ଚୀନକୁ ଅତିକ୍ରମ କରିଯିବ। ଜାତିସଂଘର ଏହି ରିପୋର୍ଟ ଅନୁସାରେ ୨୦୫୦ ବେଳକୁ ଭାରତର ଜନସଂଖ୍ୟା ୧୬୬ କୋଟି ହେବା ବେଳକୁ ଚୀନର ଲୋକସଂଖ୍ୟା କମି ୧୩୧ କୋଟି ଧରିଥିବ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଉଛି ୨୦୮୦ ବେଳକୁ ବିଶ୍ୱର ଜନସଂଖ୍ୟା ସର୍ବୋଚ୍ଚ ସ୍ତରକୁ ଯାଇ ୧୦୪୦ କୋଟିରେ ପହଞ୍ଚିଥିବ। ଏହି ଜନସଂଖ୍ୟାର ସ୍ତର ୨୧୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେଇମିତି ସ୍ଥିର ରହିବ ବୋଲି ରିପୋର୍ଟରେ କୁହାଯାଇଛି।

ଜନସଂଖ୍ୟା ବିସ୍ତାରକୁ ନେଇ ଏବେ ନୂଆ ନୂଆ ଯୁକ୍ତିମାନ ଉପସ୍ଥାପିତ କରାଯାଉଛି। ଚୀନ ପରି କେତେକ ରାଷ୍ଟ୍ରମାନଙ୍କର ଧାରଣା ହେଲା, ଅଧିକ ସଂଖ୍ୟକ ପିଲା ଜନ୍ମ ହେଉନଥିବାରୁ ଅନେକ ଦେଶମାନଙ୍କରେ କାମ କରିବାକୁ ଆଉ ଯୁବପିଢ଼ି ମିଳିବେ ନାହିଁ। ଏହା ହେଲେ ବୟସ୍କ ଲୋକମାନେ ଅବସର ନେବା ପରେ ଘରେ ବସି ପେନସନ ଅବା ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ଅର୍ଥନେବେ। ସେମାନଙ୍କୁ ଏହି ଅର୍ଥ ଦେବ କିଏ, ଯଦି ଯୁବପିଢ଼ି ନଦେବେ? ପୃଥିବୀରେ ସ୍ୱାସ୍ଥ୍ୟ ସୁରକ୍ଷା ବଢୁଥିବାରୁ ଧୀରେ ଧୀରେ ଲୋକମାନଙ୍କର ହାରାହାରି ଆୟୁ ବଢ଼ିବାରେ ଲାଗିଛି। ସେମାନେ କାର୍ଯ୍ୟରୁ ଅବସର ନେବା ପରେ ଅନେକ ବର୍ଷ ବଞ୍ଚୁଛନ୍ତି ଓ ସରକାରଙ୍କଠାରୁ ସାମାଜିକ ସୁରକ୍ଷା ଅର୍ଥ ନେଉଛନ୍ତି। ଯେଉଁ ଅଳ୍ପ ସଂଖ୍ୟକ ଲୋକ କାମ ଧନ୍ଦା କରୁଛନ୍ତି, ବୟସ୍କ ଲୋକମାନଙ୍କ ଅର୍ଥ ଦାବି ପୂରଣ ପାଇଁ ସେମାନଙ୍କ ଉପରେ ବହୁ ଅଧିକ ଆର୍ଥିକ ଚାପ ପଡୁଛି। ସେମାନେ ମଧ୍ୟ ଏହି ଚାପ ହେତୁ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ତେଣୁ ଯେତେବେଳେ ଚୀନ ‘ଗୋଟିଏ ପରିବାର, ଗୋଟିଏ ପିଲା’ ନିୟମ ଲାଗୁ କଲେ ଓ ସେଥିପାଇଁ ଜନସଂଖ୍ୟା ଏତେ ବଢ଼ିଲା ନାହିଁ ଆଉ କ୍ରମଶଃ କମିବାକୁ ଲାଗିଲା, ସେତେବେଳେ ଚୀନ ପୁଣି ତାର ନୀତି ପରିବର୍ତ୍ତନ କରି ଗୋଟିଏ ପରିବାର ତିନିଟି ପିଲା ଜନ୍ମ କରିପାରିବେ ବୋଲି ଆଦେଶ ଦେଇଛନ୍ତି।

ଏଠାରେ କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଅଧିକ ଯୁବବର୍ଗ ସୃଷ୍ଟି କରିବା ପାଇଁ କ’ଣ ଅଧିକ ପିଲା ଜନ୍ମ କରିବା ଆବଶ୍ୟକ? ଭାରତରେ ଜନ୍ମ ହୋଇଥିବା ଅଧିକାଂଶ ଯୁବପିଢ଼ି କୌଣସି କାମ ନକରି କେବଳ ବୁଲୁଛନ୍ତି ଓ କେବଳ ସ୍ଥାୟୀ ଅବା ସରକାରୀ ଚାକିରି ଖୋଜୁଛନ୍ତି। ସେମିତି ପିଲାମାନେ ଜନ୍ମ ହୋଇନଥିଲେ ଦେଶ କ’ଣ କ୍ଷତି ଭୋଗୁଥାନ୍ତା?

ଏଣୁ ବଡ଼ କଥା ହେଲା ଏକ ସନ୍ତୁଳିତ ଜନସଂଖ୍ୟା ନୀତି ପ୍ରଣୟନ କରିବା। ଏଥିପାଇଁ ଦୁଇଟି ସନ୍ତାନର ପରିବାର ହେଉଛି ଏକ ଆଦର୍ଶଗତ ପରିବାର। କାରଣ ଏହାଦ୍ୱାରା ଜନସଂଖ୍ୟା ସେମିତି କିଛି ବଢ଼ିବ ନାହିଁ। କାରଣ ଦୁଇଟି ପିଲା ଜନ୍ମ ହେଲେ ତାଙ୍କ ବାପାମା’ ଦୁଇ ଜଣ ଦିନେ ମରିବେ। ଏହାଦ୍ୱାରା ଦେଶର ଜନସଂଖ୍ୟାରେ ଏକ ସନ୍ତୁଳନ ଆସିବ। ଏହାଛଡ଼ା ଦିନକୁ ଦିନ ମଣିଷ ପାଇଁ ଯନ୍ତ୍ର ସବୁ କାମ କରିବା ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ କାମ କରିବା ପାଇଁ ଆଉ ଲୋକ ଦରକାର ହେବେ ନାହିଁ। ଏଣୁ ଅତ୍ୟଧିକ ଲୋକମାନଙ୍କର ଆବଶ୍ୟକତା ମେଣ୍ଟାଇବାକୁ କୌଣସି ସରକାରଙ୍କୁ କଷ୍ଟ କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ୟୁରୋପୀୟ ଦେଶମାନଙ୍କର ଜନସଂଖ୍ୟା ବୃଦ୍ଧି ନହୋଇ ବରଂ କମି କମି ଯାଉଥିଲାବେଳେ ସେମାନେ ଆର୍ଥିକ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଦୁର୍ବଳ ହୋଇଯାଉନାହାନ୍ତି। ଏହି ମୂଳ କଥାକୁ ବୁଝିବାକୁ ହେବ। ଭାରତ ମଧ୍ୟ ସେହି ଅନୁସାରେ ଜନସଂଖ୍ୟାକୁ ନିୟନ୍ତ୍ରିତ କରିବା ଦରକାର। କେବଳ ଦେଶର ଅତ୍ୟଧିକ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଇବା ପିଇବା ଦେଇ ପୋଷିଲେ ଦେଶ ସଂବୃଦ୍ଧ ଓ ଶକ୍ତିଶାଳୀ ହୁଏନାହିଁ। ଆଗାମୀ ସମୟ ଟେକ୍‌ନୋଲୋଜିର ସମୟ ତେଣୁ ଅଳ୍ପ କିନ୍ତୁ କୁଶଳୀ ଜନତାର ଲୋଡ଼ା ଅଛି, ସଂଖ୍ୟାର ନୁହେଁ।

ଉତ୍ତର ପ୍ରଦେଶର ଜନସଂଖ୍ୟା ଏବେ ପ୍ରାୟ ୨୪ କୋଟି। ପୃଥିବୀର ଅଧିକାଂଶ ଦେଶମାନଙ୍କ ଅପେକ୍ଷା ଉତ୍ତର ପ୍ରଦେଶର ଜନସଂଖ୍ୟା ହେଉଛନ୍ତି ଅଧିକ। କେବଳ ଆମେରିକାର ଜନସଂଖ୍ୟା ଏହାଠାରୁ ଅଧିକ। ପାକିସ୍ତାନ, ବଙ୍ଗଳାଦେଶ, ଇଣ୍ଡୋନେସିଆ, ରୁଷିଆ, ବ୍ରାଜିଲ ଆଦି ଦେଶମାନଙ୍କର ଜନସଂଖ୍ୟା ଉତ୍ତର ପ୍ରଦେଶର ଜନସଂଖ୍ୟାର ପାଖାପାଖି। ସେଥିପାଇଁ ଉତ୍ତର ପ୍ରଦେଶ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପମାନ ନେଉଛନ୍ତି।

କିନ୍ତୁ ଉତ୍ତର ପ୍ରଦେଶରେ ସଂକଟ ହେଉଛି, ଏଠାକାର ପ୍ରଶାସନ ଓ ଜନସାଧାରଣଙ୍କର ଧାରଣା, ଏଠାରେ ମୁସଲମାନଙ୍କର ପରିବାର ପିଛା ଜନସଂଖ୍ୟା ବୃଦ୍ଧି ହିନ୍ଦୁମାନଙ୍କ ଅପେକ୍ଷା ଅନେକ ଅଧିକ। ଏଣୁ ସେଠାକାର ସରକାର ଓ ହିନ୍ଦୁମାନଙ୍କ ଧାରଣା, ହୁଏତ ଦିନେ ସମୟ ଆସିବ ଯେତେବେଳେ ମୁସଲମାନମାନେ ଉତ୍ତର ପ୍ରଦେଶରେ ଓ ଭାରତରେ ସଂଖ୍ୟାଗରିଷ୍ଠ ହୋଇଯିବେ। ଏହାପରେ ଭାରତ ବିଶ୍ୱର ଅନ୍ୟ ସଂଖ୍ୟାଗରିଷ୍ଠ ମୁସଲମାନ ଦେଶମାନଙ୍କ ପରି ଏକ ଇସଲାମୀ ରାଷ୍ଟ୍ରରେ ପରିଣତ ହୋଇଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁକ୍ତି କରନ୍ତି, ମୁସଲମାନମାନଙ୍କ ମଧ୍ୟରେ ଜନନୀ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ଅଧିକ। ଏହାର ମୁଖ୍ୟ କାରଣ ହେଉଛି, ସେଠାକାର ମହିଳାମାନେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ପିଲା ଜନ୍ମ କରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ମୁସଲମାନ ସମାଜ ଗରିବ ହୋଇଥିବାରୁ ସେମାନଙ୍କର ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଏତେ ଭଲ ନୁହେଁ। ତେଣୁ ଧର୍ମ, ଭାଷା, ଜାତିଭେଦ ଅନୁସାରେ ଏଠାରେ ସବୁ ପରିବାର ସମାନ ସଂଖ୍ୟକ ପିଲା ଜନ୍ମ କରିବା ଉଚିତ। ହିନ୍ଦୁ ଦଳିତମାନଙ୍କ ମଧ୍ୟରେ ମଧ୍ୟ ଶିଶୁ ଜନ୍ମହାର ଅପେକ୍ଷାକୃତ ଅଧିକ। ଅଧିକ ପିଲା ଜନ୍ମ ହେଲେ ଘରକୁ ଅଧିକ ଅର୍ଥ ଆସିବ ବୋଲି ଅଧିକ ପିଲା ଜନ୍ମ କରୁଥିବାର ବର୍ଗର ଧାରଣା। ତେଣୁ ଉତ୍ତର ପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟର ସରକାରମାନେ ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ କେତେକ ନିୟମ ପ୍ରଣୟନ କରିବାକୁ ଇଚ୍ଛୁକ, ଯାହା ଫଳରେ ଅଧିକ ସଂଖ୍ୟକ ପିଲା ଜନ୍ମ ପାଇଁ ଯେମିତି କେହି ଆଗ୍ରହ ପ୍ରକାଶ କରିବେ ନାହିଁ।

ଏହି ନିୟମମାନ ହେଲା, କମ୍‌ ସନ୍ତାନ ଜନ୍ମ କରୁଥିବା ପରିବାରକୁ ଅଧିକ ସରକାରୀ ସୁବିଧା ଓ ଅଧିକ ପିଲା ଜନ୍ମ କରୁଥିବା ପରିବାରଠାରୁ ସରକାରୀ ଘର ଓ ଗ୍ୟାସ, ଖାଦ୍ୟାନ୍ନ ଆଦି ସାହାଯ୍ୟ ପ୍ରତ୍ୟାହାର। ଯେଉଁ ସରକାରୀ କର୍ମଚାରୀମାନେ ଦୁଇଟିରୁ ଅଧିକ ପିଲା ଜନ୍ମ କରୁଛନ୍ତି ସେମାନଙ୍କର ପଦୋନ୍ନତି, ବେତନ ବୃଦ୍ଧି ନ କରିବା, ସାଂସଦ, ବିଧାୟକମାନଙ୍କୁ ଦୁଇଟିରୁ ଅଧିକ ପିଲା ଜନ୍ମ କଲେ ନିର୍ବାଚନ ଲଢ଼ିବାକୁ ସୁଯୋଗ ନଦେବା।

ମୋ-୯୪୩୭୦୨୦୨୯୦