ଆମେ ସମସ୍ତେ ମିଳିମିଶି ତିଳକୁ ତାଳ କଲୁ। ଗୋଟାଏ ଖୁବ୍ ତୁଚ୍ଛ ଘଟଣାକୁ ଅସାଧାରଣର ରୂପ ଦେବାର ନଗ୍ନ ନମୁନା ସୃଷ୍ଟି କଲୁ। ଆମେ ସମସ୍ତେ ବ୍ୟକ୍ତିଗତ ଭାବରେ ଲୁଚେଇ ଲୁଚେଇ ସେହି ଘଟଣାକୁ ନିଜ ନିଜ ମୋବାଇଲ ଫୋନରେ ଘାଣ୍ଟି ଚକଟି ଆନନ୍ଦ ମଧ୍ୟ ନେଲୁ। କିନ୍ତୁ ପରେ ଯେତେବେଳେ ଏହି ଘଟଣା ବିରୋଧେର ମୁହଁ ଖୋଲିଲୁ, ସେତେବେଳେ କହିଲୁ ଯେ ଏଥି ଲାଗି ଅନ୍ୟ ସମସ୍ତେ ଦାୟୀ, କେବଳ ଆମକୁ ଛାଡ଼ି!
କେହି କେହି କହିଲେ, ଏ ଘଟଣାରେ ସବୁ ଦୋଷ ସେଇ ଯୁବ ଅଟୋ ଚାଳକର, ଯାହାର ଆଚରଣ ଶାଳୀନତାବିହୀନ ଥିଲା, ଯାହା ସବୁ ଅଟୋ ଚାଳକଙ୍କୁ ସନ୍ଦେହର ପାତ୍ର କରିଦେଲା। କେହି ଦୋଷ ଦେଲେ ସେହି ମଧ୍ୟ-ବୟସ୍କା ବିବାହିତା ମହିଳାଙ୍କୁ ଯିଏ ନିଜ ପିଲା ଓ ପରିବାର ତଥା ମାନ ସମ୍ମାନକୁ ଭ୍ରୂକ୍ଷେପ ନ କରିବାର ଏକ ଅସଙ୍ଗତ ଉଦାହରଣ ସ୍ଥାପନ କଲେ। ପୁଣି କିଏ କହିଲେ ଏଥି ଲାଗି ସାମାଜିକ ଗଣମାଧ୍ୟମ ଦାୟୀ- ଯେଉଁଥି ପାଇଁ ଏଭଳି ଏକ ବର୍ଜ୍ୟ ଖବର ଏକ ମୁଖ୍ୟସ୍ରୋତୀୟ ସମ୍ବାଦ ପାଲଟିଯିବା ଭଳି ଲାଗିଲା; କିଛି ଦିନ ଧରି ସବୁଠି ସେହି ଚର୍ଚ୍ଚା ଚାଲିଲା। କୋଡ଼ିଏ ବର୍ଷ ବୟସ୍କ ଅଟୋ ଚାଳକ ସହିତ ଜଣେ ବିବାହିତା ଓ ସନ୍ତାନ ସଂପନ୍ନା ମଧ୍ୟ-ବୟସ୍କା ମହିଳାଙ୍କ ସଂଭ୍ରମତାହୀନ ପ୍ରେମ କାହାଣୀକୁ ନେଇ ଶସ୍ତା ଗୀତ ବି ଲେଖାଯାଇ େରକର୍ଡିଂ ହେଲା। ଏଭଳି ଏକ ଅରୁଚିକର ଘଟଣାକୁ ପ୍ରୋତ୍ସାହନ ଦିଆଯାଉ ଥିବାରୁ ଅନେକ ଲୋକ ସେଭଳି ଗୀତିକାର ଏବଂ ଗାୟକ ଆଦିଙ୍କୁ ସମାଲୋଚନା ମଧ୍ୟ କଲେ। କିନ୍ତୁ ୟୁଟ୍ୟୁବ୍ରେ ସେ ସବୁ ହଜାର ହଜାର ସଂଖ୍ୟାରେ ‘ଭ୍ୟୁ’ ପାଇଲେ! ଏବେ ଚିନ୍ତା କରନ୍ତୁ ତ- ଏଭଳି ଏକ ସ୍ଥିତି ଲାଗି କିଏ ଦାୟୀ? ସାମାଜିକ ଗଣମାଧ୍ୟମ ନା ଆମେ?
ଏଭଳି ଘଟଣା ସମୟେ ସମୟେ ଘଟିଥାଏ। ଆଗରୁ ଘଟି ଆସିଛି, ଏବେ ଘଟୁଛି ଏବଂ ଆଗକୁ ଘଟିବ ମଧ୍ୟ! ଧରନ୍ତୁ ଆଜିକୁ ୨୦ କି ୩୦ ବର୍ଷ ତଳେ ଏମିତି ଏକ ଘଟଣା ଘଟି ଥାଆନ୍ତା, ଯେତେବେଳେ ଇଣ୍ଟର୍ନେଟ୍ ବା ସାମାଜିକ ଗଣମାଧ୍ୟମ ଦ୍ବାରା ଆମ ଜୀବନ ସଂପୂର୍ଣ୍ଣ କବଳିତ ହୋଇ ନ ଥିଲା। ସେହି ସମୟରେ ଏଭଳି ଏକ ଘଟଣାର ଖବର ସେହି ନିର୍ଦ୍ଦିଷ୍ଟ ବସ୍ତି, ଗାଁ, ସହରକୁ ଟପି ବାହାରକୁ ଯାଇପାରି ନଥାନ୍ତା। ତାହା ସ୍ଥାନୀୟ ଲୋକଙ୍କ ଦ୍ବାରା ଆଲୋଚନା, ସମାଲୋଚନା ଓ ନିନ୍ଦା ଆଦିର ଶରବ୍ୟ ହୋଇ ପରିଶେଷରେ ଏକ ସ୍ଥାନୀୟ ଘଟଣା ଭାବେ ମୃତ୍ୟୁ ଲାଭ କରନ୍ତା। କିଛି କାଳ ପରେ ଲୋକେ ତାକୁ ଭୁଲି ଯାଆନ୍ତେ। ଏହା ଅବଶ୍ୟ ସତ େଯ ଏଠାରେ ଯେଉଁ ଘଟଣା ବିଷୟରେ କୁହାଯାଉଛି, ତାକୁ ମଧ୍ୟ ଲୋକେ ଅବିଳମ୍ବେ ଭୁଲିଯିବେ। କିନ୍ତୁ ଏବେ ସାମାଜିକ ଗଣମାଧ୍ୟମ ପ୍ରଭାବରୁ ଏଭଳି ଏକ ତୁଚ୍ଛ ସ୍ଥାନୀୟ ଘଟଣା ସାରା ରାଜ୍ୟରେ ହୁରି ପକାଇଲା, ରାଜ୍ୟ ବାହାରେ ଓ ଦେଶ ବାହାରେ ଥିବା ଓଡ଼ିଆ ଲୋକେ ବି ତାହା ଦେଖିଲେ ଓ ତହିଁରେ ମାତିଲେ। ଭିଡିଓ କ୍ୟାମେରା ଏବଂ ବୁମ୍ର କୋଳାହଳ ଭିତରେ ଘଟଣାର ଚରିତ୍ର ଦ୍ବୟ ଆପଣାକୁ ଜଣେ ଜଣେ ତାରକା ବୋଲି ମନେ କଲେ। ସେମାନଙ୍କ ବାହ୍ବାସ୍ଫୋଟ, ଘନ ଘନ ସାକ୍ଷାତକାର, ସେମାନଙ୍କ ସହ ସେଲ୍ଫି; ଏପରି କି ସେମାନଙ୍କୁ ନେଇ ଆଲବମ୍ ତିଆରିର ପ୍ରସ୍ତାବ ଭଳି କଥାରୁ ମନେ ହେଲା ସେତ ଯେମିତି ସେମାନଙ୍କ କାର୍ଯ୍ୟକଳାପ ରାଜ୍ୟ ଲାଗି ଗୌରବ ଆଣି ଦେଇଛି। ସତେ ଯେମିତି ସେମାନେ ମଧ୍ୟ ଗୌରବର ଆଲୋକରେ ଉଦ୍ଭାସିତ!
ଥରେ ଭଲ ଭାବେ ଆତ୍ମ ଅନୁଶୀଳନ କଲେ ଆମେ ବୁଝିପାରିବା ଯେ ଏଭଳି ଏକ ତୁଚ୍ଛ ଓ ବର୍ଜନଯୋଗ୍ୟ ଘଟଣା ଏଭଳି ଗୁରୁତ୍ବ ଲାଭ କରିବା ପଛର କାରଣ ହେଉଛୁ ଆମେମାନେ। ଆମେମାନେ ଏଥିରୁ ରସ ଆସ୍ବାଦନ କଲୁ ଯାହା ଫଳରେ ୟୁଟ୍ୟୁବ୍ରେ ଭିଡିଓଗୁଡ଼ିକ ଲକ୍ଷ ଲକ୍ଷ ‘ଭ୍ୟୁ’ ପାଇଲେ, ଅଥଚ ଆମେମାନେ ସାମାଜିକ ଗଣମାଧ୍ୟମକୁ ଦୋଷ ଦେଇ ତାହା ଆମ ସମାଜକୁ କଳୁଷିତ କରୁଛି ବୋଲି ମନ୍ତବ୍ୟ ଦେଲୁ। କିନ୍ତୁ ସାମାଜିକ ଗଣମାଧ୍ୟମର ଉପଭୋକ୍ତା ଭାବେ ଆମମାନଙ୍କ ବ୍ୟବହାର ଯେ ଏହାକୁ ରୂପ ଦେବାରେ ଲାଗିଛି, ସେ କଥା ଭୁଲିଗଲୁ। ରୋଷେଇ ଘରର ପରିବା କଟା ଛୁରୀ ମଧ୍ୟ ଯେ ନରହତ୍ୟା କରିପାରେ। ସତ କଥା ହେଲା ଇଣ୍ଟର୍ନେଟ୍ ବା ସାମାଜିକ ଗଣମାଧ୍ୟମ କବଳରୁ ମୁକ୍ତି ପାଇବାର କୌଣସି ବାଟ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ କିଭଳି ଅଧିକ ଦାୟିତ୍ବସଂପନ୍ନ ଓ ରୁଚିସଂପନ୍ନ ହେବ, ତାହା ନିର୍ଭର କରେ ଆମ ଉପରେ। ଯଦି ଆମ ପୃଷ୍ଠପୋଷକତା ନ ପାଇବ, ତେବେ କ’ଣ ଶସ୍ତା ଓ ରୁଚିହୀନ ଘଟଣା ସବୁ ବଡ଼ ସମ୍ବାଦ ପାଲଟିପାରିବ? ସାମାଜିକ ଗଣମାଧ୍ୟମର ବ୍ୟବହାର ଆମେ କେମିତି କରୁଛୁ, ତାହା ଆମର ଭବିଷ୍ୟତ୍ର ଗତି ପ୍ରକୃତିକୁ ସ୍ଥିର କରିବ। ତେଣୁ ନିଜ ଭୁଲ୍କୁ ନ ଦେଖି ସାମାଜିକ ଗଣମାଧ୍ୟମକୁ ଦୋଷ ଦେବା ମୂଢ଼ତା!
ମୋ- ୯୪୩୮୧୪୯୭୬୧