ପ୍ରତିଯୋଗିତା ନୁହେଁ, ସହଯୋଗିତା

ମନ ପରିଭାଷା - ଫକୀର ମୋହନ ସାହୁ

ପ୍ରତିଯୋଗିତାରେ ମାତିବା ଆମ ସମୟରେ ଏକ ନିଶାରେ ପରିଣତ ହୋଇଛି। ପ୍ରତିଯୋଗିତା ବା ପ୍ରତିଦ୍ବନ୍ଦ୍ବିତାର ଜୟଗାନ କରାଯିବା ବେ‌ଳେ ଡାରୱିନ୍‌ଙ୍କ ତତ୍ତ୍ୱର ଅବତାରଣା କରାଯାଏ, ଯାହା ହେଲା ଯୋଗ୍ୟତମ ହିଁ ତିଷ୍ଠି ରହେ ଏବଂ ଏହି ଯୋଗ୍ୟତା ହାସଲ କରିବା ଲାଗି ସଂଘର୍ଷ ବା ଦ୍ବନ୍ଦ୍ବ ବା ପ୍ରତିଦ୍ବନ୍ଦ୍ବିତା ଅନିବାର୍ଯ୍ୟ। ଏବେ କିନ୍ତୁ ଆଧୁନିକ ଗବେଷଣା ନୂତନ ଦିଗନ୍ତ ଉନ୍ମୋଚନ କରିଛି, ଯାହା ଡାରୱିନଙ୍କ ତତ୍ତ୍ବ ଠାରୁ ଭିନ୍ନ। ଅନେକ ଗବେଷକଙ୍କ ମତରେ ଡାରୱିନଙ୍କ ତତ୍ତ୍ୱ ଆସିବାର ପଚାଶ ବର୍ଷ ପୂର୍ବରୁ ବିଶିଷ୍ଟ ଫରାସୀ ଜୀବ ତତ୍ତ୍ୱବିତ୍ ଜାଁ ଲେମାର୍କ ହେଉଛନ୍ତି ବିବର୍ତ୍ତନ ମତର ଆଦ୍ୟ ଉଦ୍‌ଗାତା। ଲେମାର୍କଙ୍କ ମତ ଥିଲା ଯେ ସମନ୍ୱୟଶୀଳତା ହିଁ କୌଣସି ପ୍ରାଣୀର ତିଷ୍ଠି ରହିବା ଲାଗି ଏକ ବିଶିଷ୍ଟ ଯୋଗ୍ୟତା ହୋଇଥାଏ। ସୁତରାଂ, ପ୍ରତିଯୋଗିତା ବା ପ୍ରତିଦ୍ବନ୍ଦ୍ବିତା ଅପେକ୍ଷା ସହଯୋଗିତା ଅଧିକ ଗୁରୁତ୍ୱପୂର୍ଣ୍ଣ।

ପ୍ରାୟ ସମସ୍ତ ବୈଜ୍ଞାନିକ ଏକମତ ଯେ ପୃଥିବୀରେ ସର୍ବପ୍ରଥମେ ଏକକୋଷୀ ପ୍ରାଣୀଙ୍କ ସୃଷ୍ଟି ହୋଇଥିଲା। ଆମିବା ଜାତୀୟ ଏକକୋଷୀ ପ୍ରାଣୀ ମୁକ୍ତ ଭାବରେ ବିଚରଣ କରୁଥିଲେ। କ୍ରମେ ବହୁକୋଷୀ ପ୍ରାଣୀ ଉଭୟ ଉଦ୍ଭିଦ ଏବଂ ଜନ୍ତୁ ରୂପେ ଆବିର୍ଭୂତ ହେଲେ। ଏବର କିଛି ବୈଜ୍ଞାନିକ ମତ ପ୍ରଦାନ କରୁଛନ୍ତି ଯେ ପରସ୍ପର ସହିତ ଅସଂଲଗ୍ନ ରହିଥିବା ଏକକୋଷୀ ପ୍ରାଣୀମାନେ କ୍ରମେ ଏକତ୍ର ହୋଇ ରହି ବହୁକୋଷୀ ପ୍ରାଣୀଙ୍କ ସୃଷ୍ଟିର ମୂଳଦୁଆ ପକାଇଥିଲେ। ଏହାର ଅର୍ଥ, ଏକତ୍ର ସହାବସ୍ଥାନ ପ୍ରତିଟି କୋଷକୁ ଅଧିକରୁ ଅଧିକ ନିକଟତର କରାଇ ବହୁକୋଷୀ ପ୍ରାଣୀଙ୍କ ସୃଷ୍ଟିର ସମ୍ଭାବନା ଜାତ କରିଥିଲା। ତେଣୁ ଆମେ ଏଭଳି ମଧ୍ୟ କହିପାରିବା ଯେ ପରସ୍ପର ସହିତ ଅସଂଲଗ୍ନ ଏକକୋଷୀ ପ୍ରାଣୀଙ୍କ ତୁଳନାରେ ମିଳିତ ଭାବେ ଏକକୋଷୀ ପ୍ରାଣୀଙ୍କ ସମୁଦାୟ ବା ଗୋଷ୍ଠୀ ବିବର୍ତ୍ତନ ପ୍ରକ୍ରିୟାରେ ଅଧିକ ପ୍ରଗତି ହାସଲ କରିପାରିଲେ। ସୁତରାଂ, ସେମାନଙ୍କ ମତରେ ସୃଷ୍ଟିର ବିକାଶ ପଛରେ ମଧ୍ୟ ରହିଛି ନିୟୁତ ନିୟୁତ ବର୍ଷର ସହଯୋଗିତାର କାହାଣୀ।

ମୋଟର ଗାଡ଼ି ଶିଳ୍ପର ଜନକ ହେନେରି ଫୋର୍ଡ‌୍ ଗାଡ଼ି ଉତ୍ପାଦନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଥିଲେ। ତାଙ୍କ ଗାଡ଼ି ଉତ୍ପାଦନ ପଦ୍ଧତି ଉପରେ ବର୍ଣ୍ଣିତ ସହଯୋଗିତାର ଧାରା ଭଳି ଲାଗିଥାଏ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗୋଟିଏ ଗୋଟିଏ ଗାଡ଼ି ନିର୍ମାଣ କରିବା ପାଇଁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ଯାଉଥିଲା। କାରଣ ଗୋଟିଏ ଗାଡ଼ିର ସବୁ ଯନ୍ତ୍ରାଂଶ ତିଆରି ହେବା ପରେ ସେ ସବୁକୁ ଖଂଜା ଯାଇ ଗୋଟିଏ ପୂର୍ଣ୍ଣାଙ୍ଗ ଗାଡ଼ି ତିଆରି କରାଯାଉଥିଲା। କିନ୍ତୁ ଫୋର୍ଡ‌୍ ଦେ‌ଲେ ‘ଆସେମ୍ଲି ଲାଇନ୍‌’ ଉତ୍ପାଦନର ସୂତ୍ର। ଏହି ପଦ୍ଧତିରେ କୁଶଳୀ କାରିଗରମାନେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବାଣ୍ଟି ହୋଇଯାଇ ପ୍ରତ୍ୟେକ ଗୋଷ୍ଠୀ ଗାଡ଼ିର ଏକ ନିର୍ଦ୍ଦିଷ୍ଟ ଯନ୍ତ୍ରାଂଶ ନିର୍ମାଣ କରିବାରେ ଲାଗିଲେ ଏବଂ ଶେଷରେ ଥିବା କାରିଗର ଦଳ ଏ ସବୁକୁ ଖଂଜି ଗୋଟିଏ ପରେ ଗୋଟିଏ ଗାଡ଼ି ବାହାର କଲେ। ଫଳରେ ମାତ୍ର ଦେଢ଼ ଘଣ୍ଟା ଭିତରେ ଗାଡ଼ିମାନ ନିର୍ମିତ ହୋଇପାରିଲା। ଏହା ଆମେ ପୂର୍ବରୁ କହିଥିବା ଏକକୋଷୀ ପ୍ରାଣୀମାନଙ୍କ ମିଳନରେ ବହୁକୋଷୀ ପ୍ରାଣୀଙ୍କ ସୃଷ୍ଟି ଭଳି ଲାଗୁ ନାହିଁ କି?

ବ୍ରିଟିସ୍‌ ଚିକିତ୍ସକ ରିୟାନ୍ ଛୋଟ ଛୋଟ ପ୍ରାଣୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗିତାର ବହୁ ଉଦାହରଣର ଉଲ୍ଲେଖ କରି କହିଛନ୍ତି ଯେ ତାହା ସେମାନଙ୍କ ତିଷ୍ଠି ରହିବା ବା ବଞ୍ଚି ରହିବାରେ ସହାୟକ ହୋଇଛି। ଉଦାହରଣ ସ୍ବରୂପ ହଳଦିଆ ଚିଙ୍ଗୁଡ଼ି ଖାଦ୍ୟ ସଂଗ୍ରହ କରିବା ସମୟରେ ଗୋବି ମାଛ ତାକୁ ଅନ୍ୟ ଆକ୍ରମଣକାରୀ ଠାରୁ ସୁରକ୍ଷା ଦେଇଥାଏ। ପ୍ରକୃତି ମଧ୍ୟ ଏଭଳି ସହଯୋଗିତା ଲାଗି ସୁଯୋଗ ସୃଷ୍ଟି କରିଥାଏ, ଯେମିତି ଗାଈ ପିଠିରେ ବସିଥିବା କାଉ ଗାଈ ଦେହରେ ଲାଗିଥିବା ପୋକକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବେଳେ ଗାଈର ଶରୀର ତଦ୍ଦ୍ବାରା ବିରକ୍ତିକର ପୋକମାନଙ୍କ ଦାଉରୁ ମୁକ୍ତି ପାଇଥାଏ। ଚିକିତ୍ସା ଶାସ୍ତ୍ରୀମାନେ କହନ୍ତି ଯେ ଆମର ସୁସ୍ୱାସ୍ଥ୍ୟ ପାଇଁ ଆମ ଶରୀରରେ ଥିବା ଅନେକ ଉପକାରୀ ବୀଜାଣୁ ବା ବ୍ୟାକ୍‌ଟେରିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। ଆମ ପାକସ୍ଥଳୀରେ ଥିବା ମାଇକ୍ରୋବାୟୋମ୍ ଏଭଳି ଏକ ଉପକାରୀ ଅଣୁଜୀବ, ଯାହା ଆମ ସାମଗ୍ରିକ ସ୍ବାସ୍ଥ୍ୟକୁ ଭଲ ରଖିଥାଏ। ସେମିତି ଜେନୋମ୍ ଗବେଷଣାରୁ ଜଣାଯାଇଛି ଯେ ମନୁଷ୍ୟମାନଙ୍କ ମଧ୍ୟରେ ଜିନ୍ ସଂପ୍ରସାରଣର ଏକ ସୁବିସ୍ତୃତ ‘ନେଟ୍‌ୱାର୍କ’ ରହିଛି। ପୂର୍ବରୁ ଧାରଣା ଥିଲା ଯେ ଜିନ୍ କେବଳ ଆମର ପିତାମାତା କିମ୍ବା ପୂର୍ବପୁରୁଷଙ୍କ ଠାରୁ ଆସିଥାଏ; ଯାହାର ଅର୍ଥ ଏହା ଗୋଟିଏ ବଂଶର ପ୍ରବାହ ମାତ୍ର। ମାତ୍ର ଏବର ଜିନ୍ ଟ୍ରାନ୍‌ସଫର୍‌ ତଥ୍ୟ ଅନୁଯାୟୀ ଏହା ଗୋଟିଏ ସ୍ପେସିସ୍‌ ବା ଜାତିରୁ ଅନ୍ୟ ଜାତିକୁ ମଧ୍ୟ ଗତି କରିପାରେ। ଏହି ସଂପ୍ରସାରଣର ମୂଳ ତତ୍ତ୍ବ ହେଉଛି ସାବଲୀଳ ବ୍ୟାପ୍ତି।

ସୁତରାଂ, ଆମେମାନେ ସଂଘର୍ଷର ମୂଳ ତତ୍ତ୍ବ ଉପରେ ପ୍ରତିଷ୍ଠିତ ପ୍ରତିଦ୍ବନ୍ଦ୍ବିତାକୁ ଏତେ ଗୁରୁତ୍ବ ପ୍ରଦାନ କରିବା କାହିଁକି? ବରଂ ପାରସ୍ପରିକ ସହଯୋଗିତାରେ ଆଗକୁ ବଢ଼ିବା ବିଷୟରେ ଚିନ୍ତା କରି ଏକ ଶାନ୍ତିପୂର୍ଣ୍ଣ ବାତାବରଣର ସୃଷ୍ଟି କରିପାରିବା।

ମୋ – ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର