ଗଣତନ୍ତ୍ର କେମିତି ତିଷ୍ଠି ରହିବ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଦୁଇ ଜଣ ହାର୍ଭାର୍ଡ ପ୍ରାଧ୍ୟାପକ ୨୦୧୮ରେ ‘ଗଣତନ୍ତ୍ରର କେମିତି ମୃତ୍ୟୁ ହୁଏ’ (ହାଓ ଡେମୋକ୍ରାସିଜ୍‌ ଡାଏ) ନାମରେ ଏକ ପୁସ୍ତକ ପ୍ରକାଶ କରିଥିଲେ। ଆମେରିକାର ରାଷ୍ଟ୍ରପତି ଆସନରେ ଡୋନାଲ୍‌ଡ ଟ୍ରମ୍ପ୍‌ ଅଧିଷ୍ଠିତ ହେବାର ଆଶ୍ଚର୍ଯ୍ୟଜନକ ଘଟଣାର ପ୍ରତିକ୍ରିୟାରେ ଉକ୍ତ ବହିରେ ଯୁକ୍ତି କରାଯାଇଥିଲା କି ଏପରିକି ପୁରୁଖା, ପ୍ରତିଷ୍ଠିତ ଗଣତନ୍ତ୍ରମାନେ ମଧ୍ୟ ସେମାନଙ୍କ ରାଜନୈତିକ ବ୍ୟବସ୍ଥାର ସ୍ଥାୟିତ୍ବକୁ ହାଲୁକା ଭାବେ ନେବା ଅନୁଚିତ। କାରଣ ମତଦାତାମାନଙ୍କର ହୀନ ପ୍ରବୃତ୍ତିକୁ ଉସୁକାଇ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟିତ ଥିବା ଏବଂ ଅନୁଷ୍ଠାନଗୁଡ଼ିକର ସ୍ବାଧୀନତା ପ୍ରତି ସ୍ବଳ୍ପ ଆଦର ରଖିଥିବା ଜଣେ ‘ଡେମୋଗଗ୍‌’ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶୀଘ୍ର ଦୁର୍ବଳ କରିଦେଇପାରେ।

ତେବେ ୟୁନାଇଟେଡ୍‌ କିଂଡମ୍‌ ବା ୟୁ.କେ.ରେ ସଦ୍ୟ ସଂଘଟିତ ଘଟଣାବଳୀ ମନରେ ଏକ ବିଚାର ସୃଷ୍ଟି କରୁଛି ଯେ ‘ଗଣତନ୍ତ୍ର କେମିତି ତିଷ୍ଠି ରହିବ’ ନାମରେ ଉପରୋକ୍ତ ପୁସ୍ତକର ଏକ ଦ୍ବିତୀୟ ଭାଗ ଏବେ ଲେଖାଯାଇପାରେ। ତାହା ୟୁ.କେ.ର ସାମ୍ପ୍ରତିକ ଘଟଣାବଳୀର ଏକ ମାର୍ମିକ ଅଧ୍ୟୟନ ହୁଅନ୍ତା, ଯେଉଁଥିରେ ସାଧାରଣ ନିର୍ବାଚନରେ କନ୍‌ଜରଭେଟିଭ୍‌ ଦଳ ଲାଗି ଜୋରଦାର ବିଜୟ ଆଣି ଦେଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ କ୍ଷମତା ହାସଲର ମାତ୍ର ଅଢ଼େଇ ବର୍ଷ ପରେ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ବ୍ରିଟିସ ସାଧାରଣ ନିର୍ବାଚନରେ ପ୍ରାୟ ଦୁଇଟି ଦଳ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିଥା’ନ୍ତି। ବୋରିସ୍‌ ଜନ୍‌ସନ୍‌ଙ୍କ ପ୍ରତିଭା ଓ ଲୋକପ୍ରିୟତା ଯୋଗୁଁ ୨୦୧୯ ଡିସେମ୍ବର ନିର୍ବାଚନରେ କନ୍‌ଜରଭେଟିଭ୍‌ ଦଳର ବିପୁଳ ବିଜୟ ଘଟିଥିଲା। ସେ ଜଣେ ବିଚକ୍ଷଣ ବକ୍ତା, ଯାହାଙ୍କର ଅଲରା କେଶ ରାଶି ଓ ଅବ୍ୟବସ୍ଥିତ ବେଶଭୂଷା ତାଙ୍କୁ ବ୍ରିଟେନ୍‌ର ସାଧାରଣ ମତଦାତାଙ୍କର ପ୍ରିୟପାତ୍ର କରିପାରିଥିଲା। ୧୯୮୭ ପରେ ତାଙ୍କ ନେତୃତ୍ବରେ ଦଳ ସର୍ବାଧିକ ଆସନ ଜିତିଥିଲା ଏବଂ ୧୯୭୯ ପରଠାରୁ ସର୍ବାଧିକ ପ୍ରତିଶତ ଭୋଟ ପାଇଥିଲା। ସେମାନଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଲେବର ପାର୍ଟି ୨୦୨ ଆସନରେ ସୀମିତ ରହିଥିଲା ଯାହା ସେମାନଙ୍କ ପାଇଁ ୧୯୩୫ ପରଠାରୁ ସର୍ବନିମ୍ନ ଥିଲା। ଏ ଯାବତ୍‌ ସର୍ବଦା ଲେବର ପାର୍ଟିକୁ ଭୋଟ ଦେଇ ଆସୁଥିବା ଉତ୍ତର ବ୍ରିଟେନ୍‌ର କର୍ମଜୀବୀ ଶ୍ରେଣୀ ଏଥର ସାମୂହିକ ଭାବେ କନ୍‌ଜରଭେଟିଭ୍‌ ଦଳ ସପକ୍ଷରେ ଯାଇଥିଲେ।

ନିର୍ବାଚନରେ ବୋରିସ୍‌ ଜନ୍‌ସନ୍‌ଙ୍କର ଏପରି ସଫଳତା ତାଙ୍କୁ ତାଙ୍କ ନିଜ ଦଳରେ ଏକ ପ୍ରଭୁତ୍ବ ପ୍ରଦାନ କରିଥିଲା। ବିଶେଷ କରି ପ୍ରଥମ ଥର ପାଇଁ ନିର୍ବାଚିତ ଟୋରି (କନ୍‌ଜରଭେଟିଭ୍‌ ଦଳ) ସାଂସଦମାନେ ବୋରିସ୍‌ ଜନ୍‌ସନ୍‌ ଅବଲମ୍ବୀ ପାଲଟିଥିଲେ। ସେମାନଙ୍କ ପାଇଁ ତାଙ୍କ ନେତା ଥିଲେ ସମାଲୋଚନାର ଊର୍ଦ୍ଧ୍ବରେ। ଜନ୍‌ସନ୍‌ ସ୍ପଷ୍ଟ ଭାବରେ ଟ୍ରମ୍ପ୍‌ଙ୍କ ସଫଳତାରେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ରାଜନୀତି ଆଂଶିକ ଭାବରେ ସେହି ଆମେରିକୀୟ ‘ଡେମୋଗଗ୍‌’ଙ୍କ ଦ୍ବାରା ଅନୁପ୍ରେରିତ ହୋଇଥିଲେ। ଜନସାଧାରଣଙ୍କୁ ଆକର୍ଷିତ କରିବା ଲାଗି ସେ ଦଳୀୟ ତନ୍ତ୍ରକୁ ଉପେକ୍ଷା କରିଥିଲେ। ସେ ତାଙ୍କ ମନ୍ତ୍ରୀମାନଙ୍କ ଅପେକ୍ଷା ଦଳେ ଅନିର୍ବାଚିତ ଉପଦେଷ୍ଟାଙ୍କ ଉପରେ ବେଶୀ ଭରସା କରୁଥିଲେ। ବ୍ରିଟେନ୍‌କୁ ପୁଣି ଥରେ ମହାନ୍‌ କରିଦେବେ ବୋଲି ସେ ଆଡ଼ମ୍ବରପୂର୍ଣ୍ଣ ଢଙ୍ଗରେ କହୁଥିଲେ।

୨୦୧୯ ନିର୍ବାଚନରେ ବୋରିସ୍‌ ଜନସନ୍‌ ନିଜ ଦଳକୁ ଜିତାଇଲା ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତୁଳନାତ୍ମକ ଭାବେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବାର ବୟସ ଠାରୁ ସେ ୮ ବର୍ଷ ସାନ ଥିଲେ ଏବଂ ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବା ବୟସ ଠାରୁ ୧୫ ବର୍ଷ କନିଷ୍ଠ ଥିଲେ। ୨୦୧୯ରେ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ଭାବରେ ଦୁଇ ବା ତିନିଟି କାର୍ଯ୍ୟକାଳ ଉପଭୋଗ କରିପାରିବା କଥା ଚିନ୍ତା କରିଥିବେ। କାରଣ ସେ ତୁଳନାତ୍ମକ ଭାବେ କନିଷ୍ଠ ଥିଲେ ଏବଂ ଦଳ ଓ ମତଦାତାମାନେ ତାଙ୍କ ନିୟନ୍ତ୍ରଣରେ ଥିଲେ। ବିଶେଷ କରି ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟି ଅବ୍ୟବସ୍ଥିତ ହୋଇ ଯାଇଥିଲା। ତଥାପି ତାଙ୍କ କାର୍ଯ୍ୟକାଳର ଅଧାରେ ଜନ୍‌ସନ୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ତାହା ପୁଣି ନିଜ ଇଚ୍ଛାରେ ନୁହେଁ, ବରଂ ଅପମାନିତ ହୋଇ। ଏହା କେମିତି ଘଟିଲା? ଏହାର କାରଣ ହେଉଛି ବ୍ରିଟିସ୍‌ ଗଣତନ୍ତ୍ରର କାର୍ଯ୍ୟକ୍ଷମ ଅନୁଷ୍ଠାନଗୁଡ଼ିକ ଦ୍ବାରା ତାଙ୍କୁ ତାଙ୍କ କାର୍ଯ୍ୟକଳାପ ପାଇଁ ଦାୟୀ କରାଗଲା।

ଗଣମାଧ୍ୟମରେ ପ୍ରବେଶ ପରି ରାଜନୀତିରେ ପ୍ରବେଶ ପୂର୍ବରୁ ମଧ୍ୟ ଜଣେ ସତ୍ୟନିଷ୍ଠ ବ୍ୟକ୍ତି ଭାବରେ ଜନ୍‌ସନ୍‌ଙ୍କର ଖ୍ୟାତି ରହିଥିଲା, ଯାହା ଟ୍ରମ୍ପ୍‌ଙ୍କର ନଥିଲା। ସେ ଲଣ୍ଡନର ମେୟର ଥିଲା ବେଳେ କି ବିଦେଶ ସଚିବ ଥିଲା ବେଳେ ତାଙ୍କର ଛଳ ପ୍ରବୃତ୍ତି ସେତେ ପ୍ରାଂଜଳ ହୋଇ ନ ଥିଲା, ମାତ୍ର ଜଣେ ପ୍ରଧାନମନ୍ତ୍ରୀ ଭାବରେ ଏକ ସ୍ବାଧୀନ ଗଣମାଧ୍ୟମ ଦ୍ବାରା ତାଙ୍କ କାର୍ଯ୍ୟକଳାପର ଉପଯୁକ୍ତ ନିରୀକ୍ଷଣ କରାଗଲା। ତେଣୁ କୋଭିଡ୍‌ ଅବସରରେ ଜନସାଧାରଣଙ୍କ ପାଇଁ ତାଙ୍କ ନିର୍ଦ୍ଦେଶିତ ଲକ୍‌ଡାଉନ୍‌ ବେଳେ ସେ ଯେତେବେଳେ ନିଜ ସହକର୍ମୀମାନଙ୍କ ସହ ମଉଜ ମଜଲିସ କରୁଥିବା କଥା ଜଣାପଡ଼ିଲା, ଖବରକାଗଜ ଓ ଟେଲିଭିଜନ୍‌ରେ ତାଙ୍କର ଏ ପ୍ରକାର ଅତିକ୍ରମଣ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ପ୍ରଚାରିତ ହେଲା।

ଆମ ଦେଶ ପରି ସ୍ବଳ୍ପ କାର୍ଯ୍ୟକ୍ଷମ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କର ମିଥ୍ୟା ଓ ପ୍ରବଞ୍ଚନାଗୁଡ଼ିକୁ ଖବରକାଗଜ, ଟେଲିଭିଜନ୍‌ ଓ ରେଡିଓରେ ଏତେ ନିକଟରୁ ନିରୀକ୍ଷଣ କରାଯାଇନଥାଏ। ମାତ୍ର ବ୍ରିଟେନ୍‌ରେ ଲେବର ପାର୍ଟି ପ୍ରତି ଢଳିଥିବା ଖବରକାଗଜ ହେଉ ବା କନ୍‌ଜରଭେଟିଭ୍‌ ଦଳ ପାଖରେ ମଥା ନୁଆଁଇଥିବା ସମ୍ବାଦପତ୍ର ହେଉ, ସୌଭାଗ୍ୟତଃ ସେ ଦେଶରେ କୌଣସି ‘କୋଳାଶ୍ରିତ ଗଣମାଧ୍ୟମ’ ନାହିଁ, ଯାହା କ୍ଷମତାରେ ଥିବା ରାଜନେତାଙ୍କ ଇସାରାରେ କାମ କରୁଥିବ।

ବ୍ରିଟିସ ପ୍ରଧାନମନ୍ତ୍ରୀ ଆଇନ ଓ ମର୍ଯ୍ୟାଦାର ଉଲ୍ଲଂଘନ କରୁଥିବା କଥା ଥରେ ଗଣମାଧ୍ୟମରେ ପ୍ରସାରିତ ହୋଇଗଲେ, ସେ ପ୍ରସଙ୍ଗକୁ ଦେଶର ସଂସଦ ଗମ୍ଭୀରତାର ସହ ଗ୍ରହଣ କରିଥାଏ। ପ୍ରସଙ୍ଗଟି ଛୋଟ ହେଉ ବା ବଡ଼, ବ୍ରିଟିସ୍‌ ସଂସଦରେ ସେ ସମ୍ପର୍କରେ ପ୍ରକୃତ ଚର୍ଚ୍ଚା ହୋଇଥାଏ, ଯାହା ଆମ ଦେଶରେ ହୁଏନାହିଁ। ଏଠି କିଛି ମିନିଟ୍‌ ଭିତରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡ଼ିକ ପାରିତ ହୋଇଯାଇଥାଏ ଏବଂ ବିରୋଧୀଙ୍କ ଦ୍ବାରା ଆଗତ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ କେବେ ସିଧାସଳଖ ଦେଇନଥା’ନ୍ତି। ଅପରପକ୍ଷେ, ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପ୍ରଥା ବୋରିସ ଜନ୍‌ସନ୍‌ଙ୍କୁ ଅବିଶ୍ରାନ୍ତ ପ୍ରଶ୍ନ ପଚାରିବା ଲାଗି ଲେବର ପାର୍ଟିର ନେତା କେଇର ଷ୍ଟାର୍ମରଙ୍କୁ ଅନୁମତି ଦେଇଥିଲା। ବୋରିସ୍‌ଙ୍କୁ ମଧ୍ୟ ପ୍ରତିରକ୍ଷା ଲାଗି ସୁଯୋଗ ମିଳିିଥିଲା, ଯଦିଓ ତାହା ସର୍ବଦା ଯଥେଷ୍ଟ ବା ଯଥାର୍ଥ ନଥିଲା।

ଷ୍ଟାର୍ମରଙ୍କ ପାଖରେ ଆକର୍ଷଣର ଅଭାବ ଥିଲେ ବି ସେ ତାଙ୍କ ପୂର୍ବାଧିକାରୀ ଜେରେମି କୋର୍ବିନ୍‌ଙ୍କ ଅପେକ୍ଷା ଅଧିକ ପରିଶ୍ରମୀ ଓ ପ୍ରସଙ୍ଗ-କୈନ୍ଦ୍ରିକ। ଶାସନ ନୀତି ପ୍ରତି ତାଙ୍କର ପ୍ରଗାଢ଼ ଆଗ୍ରହ ରହିଛି। ଦୁଇ ଦୁଇ ଥର ଲଗାତର ନିର୍ବାଚନ ପରାଜୟ ପରେ ଦଳର ନେତୃତ୍ବ ନେଇଥିବା କୋର୍ବିନ୍‌ଙ୍କ ସ୍ଥାନରେ ନୂଆ ନେତା ବାଛିବା ଏବଂ ଦଳକୁ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କରିବା ଲାଗି ଲେବର ପାର୍ଟି ସଂକଳ୍ପବଦ୍ଧ, ଯାହା ଭାରତର ମୁଖ୍ୟ ବିରୋଧୀ ଦଳ ପାଖରେ ଦେଖିବାକୁ ମିଳେନାହିଁ। ଏଠାରେ ସଂପୃକ୍ତ ବିରୋଧୀ ଦଳ ନିଜକୁ ଅପାରଗ ପରିବାର କବଳରୁ ମୁକ୍ତ କରିପାରୁନାହିଁ। ମତଦାତାଙ୍କୁ ଧରି ରଖିବାରେ ରାହୁଳ ଗାନ୍ଧୀ ଜଣେ ସୁପ୍ରମାଣିତ ବିଫଳତା (ଏପରିକି ନିଜ ପାରିବାରିକ ଗଡ଼ରେ ପୁନଃନିର୍ବାଚନକୁ ମଧ୍ୟ ସେ ଜିତି ପାରିଲେନି)। ତଥାପି ଦୀର୍ଘ ତିନି ବର୍ଷ ହେଲା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ତାଙ୍କ ମାଆ ଇଚ୍ଛା କଲେ ରାହୁଳ ପୁଣି ଥରେ ଦଳର ଅଧ୍ୟକ୍ଷତା ହାସଲ କରିପାରିବେ। ମାତ୍ର ବିଳମ୍ବରେ ହେଉ ପଛକେ, ଲେବର ପାର୍ଟି ଅନ୍ତତଃ ଠଉରେଇ ପାରିଲା କି କୋର୍ବିନ୍‌ଙ୍କ ନେତୃତ୍ବ କେବଳ କନ୍‌ଜରଭେଟିଭ୍‌ ଦଳକୁ ସୁହାଉଛି। ଏଣେ ନରେନ୍ଦ୍ର ମୋଦୀ ଓ ବିଜେପି ପାଇଁ ରାହୁଳ ଶ୍ରେଷ୍ଠ ଉପହାର ବୋଲି କଂଗ୍ରେସ କେବେ ବି ହୃଦୟଙ୍ଗମ କରୁନି। (ଏ ସ୍ତମ୍ଭ ଲେଖିଲା ବେଳକୁ ରାହୁଳ ଆଉ ଏକ ଛୁଟି କଟାଇବା ଲାଗି ୟୁରୋପ ଗସ୍ତ କରିଥିବା ଖବର ପ୍ରଚାରିତ ହେବାରେ ଲାଗିଛି, ଯାହା ପ୍ରମାଣିତ କରୁଛି କି ସେ ହେଉଛନ୍ତି ବିଜେପିର ସବୁଠୁ ଭରସାଯୋଗ୍ୟ ରାଜନୈତିକ ମିତ୍ର।)

ୟୁ.କେ.ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିୟମ ଭଙ୍ଗ ସମ୍ପର୍କରେ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାହା ସଂସଦରେ ବିତର୍କିତ ହୋଇ ଘଟଣାର ଏକ ସରକାରୀ ଯାଞ୍ଚ କରିବା ଲାଗି ବୋରିସ ଜନ୍‌ସନ୍‌ଙ୍କୁ ବାଧ୍ୟ କରିଥିଲା। ଭରସାଯୋଗ୍ୟ ବ୍ରିଟିସ ପୁଲିସ ଓ ପ୍ରଶାସନକୁ ଦାୟିତ୍ବ ଅର୍ପଣ କଲା ପରେ ସେମାନେ ଦୃଷ୍ଟାନ୍ତମୂଳକ ଦକ୍ଷତାର ସହ ଯାଞ୍ଚ କରିଥିଲେ ଏବଂ କ୍ଷମତାରେ ଥିବା ରାଜନେତାଙ୍କର ଅପକର୍ମର ଲିଖିତ ପ୍ରମାଣ ଜୁଟାଇବାରେ ଆଦୌ ପଛଘୁଞ୍ଚା ଦେଇନଥିଲେ। ପୁଣି ଥରେ ଏଠି ଭାରତ ସହ ତୁଳନା କରାଯାଉ। ମୋଦୀ ସରକାର ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ସଂସଦୀୟ କମିଟି ପାଖକୁ ସୁଦ୍ଧା ସୁପାରିସ କରି ନଥା’ନ୍ତି, ଶାସନରେ ତ୍ରୁଟି ନେଇ ସରକାରୀ ଯାଞ୍ଚ ପାଇଁ ସହମତ ହେବା ତ ଦୂରର କଥା। ସରକାରୀ ଯାଞ୍ଚ କଲେ ବି ମୋଦୀଙ୍କ ଅଧୀନରେ ଭାରତୀୟ ପ୍ରାଶାସନିକ ଅଧିକାରୀମାନେ ଭୟରେ ପ୍ରଧାନମନ୍ତ୍ରୀଙ୍କୁ ଅପଦସ୍ତ କରିବା ପରି କୌଣସି କଥା ଉପସ୍ଥାପନ କରିବେ ନାହିଁ।

ବ୍ରିଟେନ୍‌ରେ ସେହି ଯାଞ୍ଚ ପ୍ରକ୍ରିୟା ଚାଲିଥିଲା ବେଳେ ଏବଂ ସେ ସଂକ୍ରାନ୍ତ ବିତର୍କ ଗଣମାଧ୍ୟମ ଓ ସଂସଦରେ ଉଠିଲା ବେଳେ ବୋରିସ ଜନ୍‌ସନ୍‌ ସତେ ଯେମିତି ବିଶ୍ବରେ ବ୍ରିଟେନ୍‌ର ଭାବମୂର୍ତ୍ତିକୁ ଅଧିକ ଉଜ୍ଜ୍ବଳ କରିବା ଲାଗି ନିଜକୁ ଜଣେ ବିଶ୍ବନେତା ଭାବରେ ଉପସ୍ଥାପନ କରି ଗଣତାନ୍ତ୍ରିକ ପ୍ରକ୍ରିୟାରୁ ଏଡ଼ାଇ ଯାଇଥିଲେ। ଉତ୍ପୀଡ଼ିତଙ୍କ ପକ୍ଷରେ ଅଛନ୍ତି ବୋଲି ଦାବି କରିବା ଲାଗି ସେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବ୍ୟବହାର କରି ବାରମ୍ବାର କିଭ୍ ଗସ୍ତ କରିଥିଲେ ଏବଂ ଭାରତ ମଧ୍ୟ ଆସିଥିଲେ। ଭାରତରେ ଯାହାଙ୍କ ସହିତ ସେ ଏକ ଚୁକ୍ତି ସଂପାଦନ କଲେ, ସେ କୁଆଡ଼େ ଜନ୍‌ସନ୍‌ଙ୍କୁ ତାଙ୍କର ଖାସ୍‌ ବନ୍ଧୁ ବୋଲି ବିଚାର କରନ୍ତି!

ଏଭଳି ପ୍ରଚାରସର୍ବସ୍ବ ପଦକ୍ଷେପ ଦ୍ବାରା ନିଜ ଦଳ ଭିତରେ ତାଙ୍କ ପ୍ରତି ସମର୍ଥନ ଦୃଢ଼ ହେବ ବୋଲି ଜନ୍‌ସନ୍‌ ଆଶା ରଖିଥିଲେ। ମାତ୍ର ତାହା ଅସମ୍ଭବ ପ୍ରମାଣିତ ହେଲା। ଜନ୍‌ସନ୍‌ଙ୍କ ଦ୍ବାରା ନିୟମ ଭଙ୍ଗ ଘଟଣାମାନ ଗଣମାଧ୍ୟମ ଦ୍ବାରା ଉଲ୍ଲେଖିତ ତଥା ସଂସଦରେ ପ୍ରଦର୍ଶିତ ଏବଂ ନିରପେକ୍ଷ ପୁଲିସ ଓ ପ୍ରଶାସନ ଦ୍ବାରା ସିଦ୍ଧ ହୋଇଥିଲା। ସଂଖ୍ୟାଧିକ କନ୍‌ଜରଭେଟିଭ୍‌ ସାଂସଦ ସେମାନଙ୍କ ନେତାଙ୍କୁ ବର୍ଜନ କରିବା ଆରମ୍ଭ କରିଦେଲେ, ଯିଏ ସେମାନଙ୍କୁ ୨୦୧୯ ଡିସେମ୍ବର ନିର୍ବାଚନରେ ଜିତାଇଥିଲେ। ଦଳର ସାଂସଦଙ୍କ ମଧ୍ୟରେ ଏକ ଆସ୍ଥା ଭୋଟ ଲୋଡ଼ାଯାଇଥିଲା ଏବଂ ଜନ୍‌ସନ୍‌ ତାହା ଜିତିଥିଲେ, ମାତ୍ର ବିଶ୍ବସନୀୟ ଢଙ୍ଗରେ ନୁହେଁ। କିନ୍ତୁ ତା’ ପରେ ତାଙ୍କ କ୍ୟାବିନେଟର ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ଆରମ୍ଭ କରିଦେଲେ ଏବଂ ଶେଷରେ ଜନ୍‌ସନ୍‌ଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଥିଲା।

ରିପବ୍ଲିକାନ୍‌ ଦଳ ଭିତରେ ଟ୍ରମ୍ପ୍‌ ଓ ବିଜେପିରେ ମୋଦୀଙ୍କ ଭଳି ବୋରିସ୍‌ ଜନ୍‌ସନ୍‌ ମଧ୍ୟ କନ୍‌ଜରଭେଟିଭ୍‌ ଦଳ ଭିତରେ ନିଜର ଏକ ବ୍ୟକ୍ତିତ୍ବବାଦ ସୃଷ୍ଟି ଚାହିଥିଲେ। ମାତ୍ର ଅନ୍ୟମାନଙ୍କ ଭଳି ସେ ସଫଳ ହୋଇ ନ ଥିଲେ। ଏହାର ଆଂଶିକ କାରଣ ହେଉଛି, ସନ୍ଦେହୀ ବ୍ରିଟିସମାନେ ବ୍ୟକ୍ତି ପୂଜାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ। (ସେମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ଙ୍କୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ।) ଏହାର ବଡ଼ କାରଣ ହେଉଛି, କନ୍‌ଜରଭେଟିଭ୍‌ ସାଂସଦମାନେ ଜଣାଇଦେବାକୁ ଚାହିଲେ ଯେ ଜନ୍‌ସନ୍‌ ସେମାନଙ୍କ ଦଳର ନେତା କି ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ। ଏ ପରିପ୍ରେକ୍ଷୀରେ ଭାରତ ସହ ତୁଳନା ନିରାଶଜନକ। ବିଜେପିର ୩୦୦ ସରିକି ସାଂସଦଙ୍କ ଭିତରୁ ଜଣଙ୍କ ପାଖରେ ସତ୍‌ସାହସ କି ସ୍ବାଧୀନତା ନାହିଁ ଯେ ସେମାନେ ଦଳୀୟ ବୈଠକରେ ବିମୁଦ୍ରୀକରଣ କି ପ୍ରଥମ କୋଭିଡ୍‌ ଲକ୍‌ଡାଉନ୍‌ ପରି ବିଧ୍ବଂସକାରୀ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୃଦୁ ସମାଲୋଚନା ସୁଦ୍ଧା କରିବେ। ଅପରପକ୍ଷେ, ସେମାନେ ସର୍ବସାଧାରଣରେ ସେମାନଙ୍କର ମହାନ୍‌ ନେତାଙ୍କର ପ୍ରଶଂସା କରିବାରେ ଜଣେ ଅନ୍ୟ ଜଣଙ୍କୁ ଟପି ଯାଉଛନ୍ତି।

ବୋରିସ୍‌ ଜନ୍‌ସନ୍‌ଙ୍କୁ ଏପରି ବର୍ଜ୍ୟ ଭାବେ ଫିଙ୍ଗିଦେବା ହେଉଛି ବ୍ରିଟିସ ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ଶ୍ରଦ୍ଧାଞ୍ଜଳି। ଗଣମାଧ୍ୟମ, ସଂସଦ, ପ୍ରଶାସନିକ ସେବା, ବିରୋଧୀ ଦଳ ଓ ଶାସକ ଦଳ ଯେଭଳି କାର୍ଯ୍ୟ କରିବା ଉଚିତ, ତାହା କରି ସେମାନେ ବ୍ରିଟିସ ରାଜନୈତିକ ପ୍ରକ୍ରିୟାକୁ ବଞ୍ଚାଇବା ସହ ତାହାର ନବୀକରଣ କରିଛନ୍ତି। ଅପରପକ୍ଷେ, ଆମ ଦେଶରେ ଏହି ପାଞ୍ଚଟି ଯାକ ଅନୁଷ୍ଠାନ ହୁଏ ତ ଠିକ୍‌ରେ ନିଜର କାର୍ଯ୍ୟ କରିପାରୁନାହାନ୍ତି ଅଥବା ସାଲିସ୍‌ କରୁଛନ୍ତି। ତେଣୁ ବ୍ରିଟିସମାନଙ୍କର ସାମ୍ରାଜ୍ୟବାଦୀ ଅତୀତ ପାଇଁ ଆମେ ଭାରତୀୟମାନେ ସେମାନଙ୍କୁ ଭର୍ତ୍ସନା କରୁଥିଲେ ବି ସେମାନଙ୍କ ଠାରୁ ସାମ୍ପ୍ରତିକ ଗଣତାନ୍ତ୍ରିକ ଆଚରଣ ସମ୍ପର୍କରେ ଆମର କିଛି ଶିଖିବାର ଅଛି।

ସମ୍ବନ୍ଧିତ ଖବର