ଆମେରିକା ସମାଜର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ

ଶରତ ଚନ୍ଦ୍ର ମିଶ୍ର

ସାରା ବିଶ୍ବର ଅଧିକା˚ଶ ଅଞ୍ଚଳରେ ଆମେରିକା ଯୁକ୍ତରାଷ୍ଟ୍ରକୁ ଏକ ଉଦାରବାଦୀ, ପ୍ରଗତିଶୀଳ ଗଣତନ୍ତ୍ର ବୋଲି ବିବେଚନା କରାଯାଏ। ଏଇ ଦେଶର କୋମଳ ଶକ୍ତି (Soft Power) ଶିକ୍ଷା ବ୍ୟବସ୍ଥା, ବୈଷୟିକ ଜ୍ଞାନ ଓ ଉଚ୍ଚତର ଜୀବନଧାରଣର ମାନ, ଅଧିକା˚ଶ ଯୁବକ ଯୁବତୀଙ୍କୁ ଏଇ ଦେଶ ଆଡ଼କୁ ଆକୃଷ୍ଟ କରାଏ ଓ ଭାରତୀୟ ଯୁବକ ଯୁବତୀଙ୍କ ସମେତ ଅନେକ ସ୍ବଳ୍ପୋନ୍ନତ ଦେଶର ଯୁବବର୍ଗଙ୍କର ଏକ ନିହିତ ଆମେରିକା ସ୍ବପ୍ନ ଥାଏ। ତେଣୁ ଆମେରିକାର ଅର୍ଥନୈତିକ, ରାଜନୈତିକ ଏବ˚ ସାମାଜିକ କ୍ଷେତ୍ରରେ ଅବ୍ୟବସ୍ଥା ଘଟିଲେ, ଏହା ସାରା ଜଗତ୍‌କୁ ପ୍ରଭାବିତ କରେ ଓ ଅନେକ ଲୋକଙ୍କର ସ୍ବପ୍ନଭଙ୍ଗ ଘଟେ।

ଆମେରିକାର ପୂର୍ବ ଉପକୂଳରେ ଅବସ୍ଥିତ ୧୩ଟି ଇଉରୋପିଆନ ଉପନିବେଶ (ଇ˚ରେଜମାନେ ମୁଖ୍ୟ)ଙ୍କୁ ନେଇ ଆମେରିକା ଦେଶ ଗଠିତ ହୋଇଥିଲା। ପରବର୍ତ୍ତୀ କାଳେ ମେକ୍‌ସିକୋ, ଇ˚ଲଣ୍ତ ଓ ସ୍ପେନ ସହ ଯୁଦ୍ଧ, ଫ୍ରାନ୍‌ସ ଓ ରୁଷିଆ ଠାରୁ ଅର୍ଥ ବିନିମୟରେ ରାଜ୍ୟ ଓ ସ୍ଥାନୀୟ ଅଧିବାସୀଙ୍କୁ ବାସଚ୍ୟୁତ ଓ ନିପାତ କରି, କାଲିଫର୍ଣ୍ଣିଆର ସ୍ବର୍ଣ୍ଣ ଆଶାରେ ଏ ଦେଶ ପଶ୍ଚିମ ଦିଗକୁ ଅଗ୍ରସର ହୋଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ସୀମା ବିସ୍ତାର କଲା ଓ ଏକ ବିରାଟ ଦେଶରେ ପରିଣତ ହେଲା। ଦ୍ବିତୀୟ ମହାଯୁଦ୍ଧ ପରେ ଏହା ହେଲା ପୃଥିବୀର ନେତା, ଏହାର ମୁଦ୍ରା ଡଲାର ହେଲା ବିଶ୍ବ ମୁଦ୍ରା ବିନିମୟର ମାଧୢମ। ଆମେରିକାର ଏ ପ୍ରାଧାନ୍ୟକୁ ଖର୍ବ କରିବା ନିମନ୍ତେ ଅସଫଳ ଉଦ୍ୟମ କରି ସୋଭିଏଟ ୟୁନିୟନ ଅବକ୍ଷୟର ସମ୍ମୁଖୀନ ହେଲା ଓ ୧୯୯୦ ମସିହା ଠାରୁ ଆମେରିକାର ଏକକ ନେତୃତ୍ବ ପୃଥିବୀରେ ଜାହିର ରହିଛି।

ନିଜର ଅବାଧ ବାଣିଜ୍ୟ ନିମନ୍ତେ ଆମେରିକା ପୃଥିବୀରେ ମୁକ୍ତ ବାଣିଜ୍ୟ ନିମନ୍ତେ ଉଦ୍ୟମ କରି ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ଗଠନରେ ସଫଳ ହେଲା ଓ ଆମେରିକାର ଆର୍ଥିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଲା। ମୁକ୍ତ ବାଣିଜ୍ୟର ସୁଯୋଗ ନେଇ, ଚୀନ ଏକ ଆର୍ଥିକ ମହାଶକ୍ତିରେ ପରିଣତ ହେଲା। ଅଧୁନା ପ୍ରାୟ ପ୍ରତ୍ୟେକ ଦେଶକୁ ଚୀନ ଆମଦାନି ଅପେକ୍ଷା ଅଧିକ ରପ୍ତାନି କରୁଛି। ଚୀନ ହାତରେ ବର୍ତ୍ତମାନ ବିପୁଳ ବୈଦେଶିକ ମୁଦ୍ରା ଓ ଚୀନର ଡଲାରକୁ ଦୋହଲାଇ ଦେଲା ଭଳି ଶକ୍ତି ହେଲାଣି। ବର୍ତ୍ତମାନ ଚୀନ ଏସିଆ ଓ ଆଫ୍ରିକାରେ ପୁଞ୍ଜି ଲଗାଣରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଓ ଆନ୍ତର୍ଜାତିକ ଆର୍ଥିକ ସ˚ସ୍ଥାମାନଙ୍କ ଠାରୁ ଆଗେଇଗଲାଣି। ଆମେରିକାର ଆର୍ଥିକ ଶକ୍ତି ସହିତ ସାମରିକ ଶକ୍ତି ସମାନ ଭାବରେ ଗତି କରୁନଥିବାରୁ, ଆମେରିକା ଦ୍ବିତୀୟ ମହାଯୁଦ୍ଧ ପରେ କୋରିଆ, ଭିଏତନାମ, ଇରାକ ଓ ଅଧୁନା ଆଫଗାନିସ୍ତାନରେ ପରାଭବ ଭୋଗିଛି। ଆମେରିକାର ଏ ଶକ୍ତି ଓ ସମ୍ମାନ ହାନିର ସୁଯୋଗ ନେଇ ଚୀନ ଓ ରୁଷିଆ ପୁଣି ଆମେରିକାର ପ୍ରାଧାନ୍ୟକୁ ଆହ୍ବାନ ଦେଉଛନ୍ତି। ୟୁକ୍ରେନ ଯୁଦ୍ଧ ଏଇ ପ୍ରାଧାନ୍ୟ ପ୍ରତିଯୋଗିତାର ପ୍ରତିଫଳନ।

ଆମେରିକା ସମାଜରେ ଦୁଇଟି ବିପରୀତମୁଖୀ ଧାରା ବହୁକାଳୁ ପ୍ରବାହିତ। ଗୋଟିଏ ହେଲା ବହୁଗୋଷ୍ଠୀ ପୂର୍ଣ୍ଣ, ନଗରବାସୀ, ଉଦାରବାଦୀ, ଯେଉଁମାନେ କି ଡେମୋକ୍ରାଟିକ୍‌ ଦଳର ସମର୍ଥକ। ଅନ୍ୟଟି ହେଲା ଗ୍ରାମାଞ୍ଚଳର ଇଉରୋପିଆନ୍‌ ବ˚ଶୋଦ୍ଭବ ଶ୍ବେତବର୍ଣ୍ଣ ରିପବ୍ଲିକାନ୍‌। ରିପବ୍ଲିକାନ୍ ଦଳରେ ରକ୍ଷଣଶୀଳତା ଅଧିକା ଓ ସେମାନେ ଆମେରିକାର ପ୍ରାଧାନ୍ୟ ହ୍ରାସକୁ ସହ୍ୟ କରିପାରୁନାହାନ୍ତି। ସେମାନଙ୍କର ପ୍ରତିନିଧି ହେଉଛନ୍ତି ଡୋନାଲ୍‌ଡ ଟ୍ରମ୍ପ। ରାଜନୈତିକ ନେତାମାନଙ୍କ ଉପରୁ ଆସ୍ଥା ହରାଇ, ରକ୍ଷଣଶୀଳ ରିପବ୍ଲିକାନ୍‌ମାନେ ଆମେରିକାର ହୃତଗୌରବ ଫେରିପାଇବା ନିମନ୍ତେ ଅଣରାଜନୈତିକ ବ୍ୟବସାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ କରିଥିଲେ। ସେ ନିର୍ବାଚନରେ ଜୟଲାଭ କରିବା ସଙ୍ଗେ ସଙ୍ଗେ ଆମେରିକା ପ୍ରଥମ (America First)ର ସ୍ଲୋଗାନ୍‌ ଆରମ୍ଭ କଲେ ଯାହାର ନିହିତ ଅର୍ଥ ହେଉଛି ଆମେରିକା ଶ୍ବେତବର୍ଣ୍ଣ ପ୍ରଥମ। ଦ୍ବିତୀୟ ଥର ନିର୍ବାଚନରେ ସେ ପରାସ୍ତ ହେଲେ ମଧୢ ବହୁ ଭୋଟ ପାଇଥିଲେ ଓ ଏ ପର୍ଯ୍ୟନ୍ତ ଶତକଡ଼ା ୩୦ ଭାଗ ଲୋକ ବିଶ୍ବାସ କରନ୍ତି ଯେ ତାଙ୍କୁ ଅନ୍ୟାୟ ଭାବରେ ପରାସ୍ତ କରାଯାଇଛି। ତାଙ୍କ ସମର୍ଥକମାନେ ମଧୢ ପରାଜୟର ପ୍ରତିବାଦରେ ଆମେରିକା ରାଜଧାନୀରେ ହି˚ସାକାଣ୍ତ ଘଟାଇଥିଲେ। ତାଙ୍କ ସମର୍ଥକମାନଙ୍କ ଏ ହି˚ସାକାଣ୍ତର ତଦନ୍ତ ବର୍ତ୍ତମାନ ଆମେରିକା ପ୍ରତିନିଧି ସତ୍ତାର ଏକ ସିଲେକ୍‌ଟ କମିଟି କରୁଅଛି ଓ ଏହା ଟେଲିଭିଜନରେ ସାରା ଦେଶବାସୀ ଦେଖୁଛନ୍ତି। ଆମେରିକାର ଗୃହଯୁଦ୍ଧ ପରେ, ଏହି ହି˚ସାକାଣ୍ତ ସବୁଠାରୁ ସାମ୍ବିଧାନିକ ବ୍ୟବସ୍ଥା ବିରୋଧୀ ବୋଲି କୁହାଯାଏ। ନିର୍ବାଚନରେ ପରାସ୍ତ ହୋଇ ମଧୢ ଟ୍ରମ୍ପ ରିପବ୍ଲିକାନ୍‌ ଦଳର ନେତୃତ୍ବ ହରାଇ ନାହାନ୍ତି ଓ ୨୦୨୪ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ମତରେ ବର୍ତ୍ତମାନର ସରକାର ୮.୩%ର ମୁଦ୍ରାସ୍ଫୀତି ଓ ୩.୬%ର ବେକାରିରୁ ମୁକାବିଲା କରିନପାରି ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଦିଗକୁ ଫେରାଇବାକୁ ଉଦ୍ୟମ କରୁଛନ୍ତି।

ଗଣତନ୍ତ୍ରରେ ସାମ୍ବିଧାନିକ ଅନୁଷ୍ଠାନମାନଙ୍କ ଉପରୁ ଲୋକଙ୍କ ଭରସା ହ୍ରାସ ପାଇଲେ, ଗଣତନ୍ତ୍ର ବିପଦର ସମ୍ମୁଖୀନ ହୁଏ। ଆମେରିକାର ସର୍ବଶ୍ରେଷ୍ଠ ସାମ୍ବିଧାନିକ ଅନୁଷ୍ଠାନ ହେଲେ ରାଷ୍ଟ୍ରପତି ଓ ସୁପ୍ରିମ୍‌ କୋର୍ଟ। ଏଇ ଦୁଇଟି ଯାକ ଅନୁଷ୍ଠାନର ବିଶ୍ବାସନୀୟତା ଦ୍ରୁତ ଗତିରେ ହ୍ରାସ ପାଉଛି। ଗୋଟିଏ ବର୍ଷ ତଳେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗ୍ରହଣୀୟତା ଥିଲା ୫୯%। ବର୍ତ୍ତମାନ (ଜୁଲାଇ ୨୦୨୨) ଏହା ୩୯%। ଶତକଡ଼ା ଏକସ୍ତରି ଭାଗ ଲୋକ ବାଇଡେନ ଆଉ ଦ୍ବିତୀୟ ଥର ନିମନ୍ତେ ନିର୍ବାଚନ ପ୍ରାର୍ଥୀ ହେବା ଚାହାନ୍ତି ନାହିଁ। ପ୍ରତ୍ୟେକ ରାଷ୍ଟ୍ରପତି ନିର୍ବାଚିତ ହେବାର ଦୁଇବର୍ଷ ପରେ ସିନେଟର୍‌ ଓ ଗଭର୍ଣ୍ଣର୍‌ ନିର୍ବାଚନ ହୁଏ। ଆସନ୍ତା ନିର୍ବାଚନରେ ବାଇଡେନଙ୍କ ଗ୍ରହଣୀୟତା ହ୍ରାସ ପ୍ରତିଫଳିତ ହେବାର ଆଶଙ୍କା କରାଯାଏ।

ଗତ ଜନଗଣନା ଅନୁସାରେ ଆମେରିକାରେ ଇଉରୋପିଆନ ବ˚ଶୋଦ୍ଭବ ଶ୍ବେତବର୍ଣ୍ଣଙ୍କ ସ˚ଖ୍ୟା ଶତକଡ଼ା ୫୬%। ଏଇ ଗଣନାରେ ଅଣ ନାଗରିକ ସାମିଲ ନ ଥିଲେ। ସେମାନଙ୍କ ସ˚ଖ୍ୟା ବିଚାରକୁ ନେଲେ ଶ୍ବେତବର୍ଣ୍ଣଙ୍କ ସ˚ଖ୍ୟା ୫୦%ରୁ ସାମାନ୍ୟ ଅଧିକ ବୋଲି ଆକଳନ କରାଯାଏ। ଏଥିଯୋଗୁଁ ଶ୍ବେତବର୍ଣ୍ଣ ବ୍ୟକ୍ତିମାନେ ବିଚଳିତ। ଆମେରିକାରେ ଶ୍ବେତବର୍ଣ୍ଣଙ୍କ ସ˚ଖ୍ୟା ବୃଦ୍ଧି ସେମାନେ ଚାହାନ୍ତି। ଗର୍ଭପାତକୁ ବେଆଇନ ଘୋଷଣା କରିବା ପଛରେ ଏହି ଉଦ୍ଦେଶ୍ୟ ନିହିତ। ଶେତ୍ବବର୍ଣ୍ଣ ଆମେରିକୀୟ ମହିଳାମାନେ ଅଧିକ ସନ୍ତାନ ଜନ୍ମ କରିବାକୁ ଅନିଚ୍ଛୁକ। ପ୍ରତ୍ୟେକ ମହିଳା ବର୍ତ୍ତମାନ ମାତ୍ର ୧.୬ ଶିଶୁ ଜନ୍ମ ଦେଉଛନ୍ତି। ଫଳତଃ ଗୋଟିଏ ଏକକ ପରିବାର- ଦୁଇଜଣଙ୍କର ମାତ୍ର ୧.୬ ଶିଶୁ ଜନ୍ମ ହେବାରୁ, ଶ୍ବେତବର୍ଣ୍ଣ ଆମେରିକୀୟଙ୍କ ସ˚ଖ୍ୟା ହ୍ରାସ ପାଉଛି। ଶ୍ବେତବର୍ଣ୍ଣ ମହିଳାମାନେ ଅଧିକ ଗର୍ଭପାତ କରନ୍ତି। ତେଣୁ ତାକୁ ବେଆଇନ କରିଦେଲେ ଶ୍ବେତବର୍ଣ୍ଣଙ୍କ ସ˚ଖ୍ୟା ବୃଦ୍ଧି ପାଇବ ବୋଲି ଆଶା। ରକ୍ଷଣଶୀଳ ଗୋଷ୍ଠୀକୁ ଏ ଦିଗରେ ସୁପ୍ରିମ୍‌ କୋର୍ଟର ସହାୟତା ମିଳିଛି। ଆମେରିକାର ସୁପ୍ରିମ୍‌ କୋର୍ଟ ବର୍ତ୍ତମାନ ଦ୍ବିଧା ବିଭକ୍ତ। ସମୁଦାୟ ନଅ ଜଣ ବିଚାରପତିଙ୍କ ମଧୢରୁ ଛଅ ଜଣ ରକ୍ଷଣଶୀଳ ଓ ମାତ୍ର ତିନି ଜଣ ଉଦାରବାଦୀ। ଦେଶକୁ ଆପ୍ରବାସୀ ପ୍ରବେଶ ଅନୁମତି ନ ଦେବା, ଦୀର୍ଘଦିନ ବସବାସ କରୁଥିବା ଆପ୍ରବାସୀଙ୍କୁ ନାଗରିକତ୍ବ ନ ଦେବା, ସମଲିଙ୍ଗୀମାନଙ୍କୁ ସେମାନଙ୍କର ଅଧିକାର ନ ଦେବା ଓ ଶ୍ବେତବର୍ଣ୍ଣ ଲୋକଙ୍କ ହାତରେ ଅସ୍ତ୍ରଶସ୍ତ୍ର ରଖିବାରେ କଟକଣା ନ ଲଗାଇବା ଆଦି ଶ୍ବେତବର୍ଣ୍ଣଙ୍କ ପ୍ରାଧାନ୍ୟ ରକ୍ଷା କରିବା ଦିଗରେ ଉଦ୍ଦିଷ୍ଟ। ଆମେରିକା ସୁପ୍ରିମ୍‌ କୋର୍ଟ ଗର୍ଭପାତ ଓ ଅସ୍ତ୍ରଶସ୍ତ୍ର ଧାରଣ ସମ୍ବନ୍ଧୀୟ ନିଜର ରାୟ ପ୍ରଦାନ କରି, ଦେଶର ଜନସାଧାରଣଙ୍କ ଆସ୍ଥା ହ୍ରାସର ଶରବ୍ୟ ହୋଇଛନ୍ତି। ବର୍ତ୍ତମାନ ମାତ୍ର ଚାଳିଶ ଭାଗ ନାଗରିକ ଦେଶର ସୁପ୍ରିମ୍‌ କୋର୍ଟ ଉପରେ ଆସ୍ଥା ପ୍ରକଟ କରୁଛନ୍ତି।

ଏଇ ରକ୍ଷଣଶୀଳ ଗୋଷ୍ଠୀ, ଆମେରିକାରେ ବର୍ତ୍ତମାନର ସରକାରରେ ମହିଳା ଓ ଅଣଶ୍ବେତଙ୍କ ପ୍ରାଧାନ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଆମେରିକା ରାଜନୀତିରେ ମହିଳାମାନେ ଏକ ଅନଗ୍ରସର ଅ˚ଶ। ଜଣେ ସିନେଟର୍‌ ହେବା ନିମନ୍ତେ ମହିଳାଙ୍କୁ ୧୯୭୮ ପର୍ଯ୍ୟନ୍ତ ଓ ସୁପ୍ରିମ୍‌ କୋର୍ଟ ବିଚାରପତି ହେବା ନିମନ୍ତେ ୧୯୮୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କମଳା ହାରିସଙ୍କ ରାଜନୈତିକ ଅଭ୍ୟୁଦୟକୁ ରକ୍ଷଣଶୀଳ ଗୋଷ୍ଠୀ ସହଜରେ ଗ୍ରହଣ କରୁନାହାନ୍ତି। କମଳା ତାଙ୍କର ସବୁ ପୂର୍ବ ନିର୍ବାଚନ କଳାଲୋକଙ୍କ ସହଯୋଗରେ ଜୟଲାଭ କରିଥିଲେ ଓ ତାଙ୍କୁ କଳାଲୋକ ବୋଲି ବିବେଚନା କରାଯାଏ।

ଓବାମାଙ୍କ ମା ଶ୍ବେତବର୍ଣ୍ଣା ଥିଲେ। କମଳାଙ୍କର ଉଭୟ ପିତା ଓ ମାତା ଅଣଶ୍ବେତା। ଆସନ୍ତା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ କମଳା ଯଦି ଡେମୋକ୍ରାଟ୍‌ ଦଳର ପ୍ରାର୍ଥୀ ହୁଅନ୍ତି, ଦେଶର ଜନମତର ବିଭକ୍ତି ଅତ୍ୟନ୍ତ ତୀବ୍ର ହୋଇଉଠିବ। ବାଇଡେନ ସରକାର ଅମଳରେ କଳାଲୋକ ଦେଶରକ୍ଷା ମନ୍ତ୍ରୀ ଓ ସୁପ୍ରିମ୍‌ କୋର୍ଟ ଜଜ୍‌ ହେବା ଓ ବହୁ ସ˚ଖ୍ୟାରେ ଭାରତୀୟ ବ˚ଶୋଦ୍ଭବ ବ୍ୟକ୍ତି ବିଭିନ୍ନ ପଦପଦବିରେ ନିଯୁକ୍ତି ପାଇବାଟା, ଗୋରା ଲୋକଙ୍କର ଶ୍ରେଷ୍ଠତ୍ବ ପ୍ରତି ଏକ ଆହ୍ବାନ ଭାବରେ ବିବେଚିତ ହେଉଅଛି।

ଆମେରିକାରେ ଏଇ ବିଦ୍ବେଷ ଭାବ ହେତୁ ହି˚ସାକାଣ୍ତ ଅତି ମାତ୍ରାରେ ବୃଦ୍ଧି ପାଉଛି। ଏଇବର୍ଷ (୨୦୨୨) ଏପର୍ଯ୍ୟନ୍ତ ୩୦୦ ହି˚ସାକାଣ୍ତରେ ୨୨,୦୦୦ ବ୍ୟକ୍ତି ପ୍ରାଣ ହରାଇଲେଣି। ଏପରିକି ସ୍ବାଧୀନତା ଦିବସ (ଜୁଲାଇ ୪)ରେ ଦୁଇଟି ହି˚ସାକାଣ୍ତ ଘଟିଥିଲା ଓ ଦୁଇଜଣ ପୁଲିସ କର୍ମୀ ପ୍ରାଣ ହରାଇଥିଲେ। ଆମେରିକାର ସ˚ଖ୍ୟାଲଘୁମାନେ, ସରକାରୀ ପୁଲିସ ଓ ଓକିଲଙ୍କୁ ବିଶ୍ବାସ କରନ୍ତି ନାହିଁ ଓ ସେମାନେ ବର୍ଣ୍ଣବିଦ୍ବେଷୀ ବୋଲି ଧାରଣା।
ଆମେରିକାରେ ଗଣମାଧୢମର ବିଶ୍ବାସନୀୟତା ହ୍ରାସ ପାଉଛି। ଏକ ସର୍ଭେ ଅନୁସାରେ ଲୋକମାନେ ଟେଲିଭିଜନ ଅପେକ୍ଷା ଖବରକାଗଜକୁ ଅଧିକ ବିଶ୍ବାସ କରୁଛନ୍ତି। ଗୋଟିଏ ଦେଶ ଯଦି ମୁଦ୍ରାସ୍ଫୀତି, ବେକାରୀ ଦ୍ବାରା ଆକ୍ରାନ୍ତ ହୁଏ ଓ ଏହାର ଜନସାଧାରଣ ନିଜର ସରକାର, ବିଚାର ବିଭାଗ ଓ ନିର୍ବାଚନର ସ୍ବଚ୍ଛତା ଉପରେ ବିଶ୍ବାସ ହରାନ୍ତି, ସେ ଦେଶର ଗଣତନ୍ତ୍ର ବିପନ୍ନ ହୁଏ ଓ କ୍ରମେ ବିଭେଦ ଗୃହଯୁଦ୍ଧରେ ପରିଣତ ହୁଏ। ଆମେରିକାର ଶ୍ରେଷ୍ଠୀମାନେ ସମାଜର ଏ ଅବକ୍ଷୟମୁଖୀ ମତିଗତିକୁ ରୋକିବା ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର