ବ୍ରେକି˚ ନ୍ୟୁଜ

ଲମ୍ବୋଦର ପ୍ରସାଦ ସି˚ହ

ସନାତନ ବାବୁ ଦିନକର କାମ ସାରି ଗୋଡ଼ହାତ ଧୋଇ ଚା’ କପ୍‌ଟେ ଧରି ଟେଲିଭିଜନ ଅନ୍‌ କଲେ। ଗୋଟିଏ ପରେ ଗୋଟିଏ କରି ଦୁଇଟି ରିମୋଟ୍‌ ସାହାଯ୍ୟରେ ଏକାଧିକ ସୁଇଚ୍‌ ଟିପି ନିଜର ପ୍ରିୟ ‘ସୁଖବର’ ଚାନେଲ୍‌ଟି ଖୋଲିଲେ।

ସବୁ ଦିନ ଭଳି ଟିଭି ପରଦାର ତଳ ଭାଗରେ ସରୁ ଧଳା ପଟି ଉପରେ କଳା ଅକ୍ଷରରେ ଓ ତା’ ତଳକୁ ନାଲି ପଟି ଉପରେ କଳା ଅକ୍ଷରରେ କେତେ କ’ଣ ଖବର ଦୌଡ଼ି ଚାଲିଥାଆନ୍ତି; କିଏ ଟିକିଏ ଧୀରେ ଧୀରେ ତ କିଏ ଜୋର୍‌ରେ, ନିରେଖି ଦେଖିଲେ ପଢ଼ି ହେବ। ଧାବମାନ ଖବର ଉପରକୁ ଟିଭି ପରଦାର ବାମ ଭାଗରେ ମହିଳାଙ୍କ ପରିହିତ ନୂଆ ଡିଜାଇନ ଶାଢ଼ିର ନିରବ ବିଜ୍ଞାପନ। ପୁଣି ଛୋଟ ଛୋଟ କେତେ କିସମର ବିଜ୍ଞାପନ ଓ ତା’ ସହିତ କିଛି ସେଲିବ୍ରିଟିଙ୍କ ଚିତ୍ର।

ଆରମ୍ଭ ହେଲା ‘ବ୍ରେକି˚ ନ୍ୟୁଜ’ ଏବଂ ଶୁଣିବାକୁ ମିଳିଲା ଉଦ୍‌ଘୋଷିକାଙ୍କ ସଦା ଉଦ୍‌ବେଗ ଭରା କଣ୍ଠ ସ୍ବର। ଉଦ୍‌ଘୋଷିକା କହୁଥାଆନ୍ତି; ‘ଆଜି ମଧୢାହ୍ନରେ ଏକ ଭି.ଆଇ.ପି ଅଞ୍ଚଳସ୍ଥିତ ଫ୍ଲାଟରେ ଜଣେ ମହିଳାଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମହିଳାଙ୍କ ନାଁ ରତ୍ନା ଦେବୀ। ସେ ବିଶିଷ୍ଟ ଶିଳ୍ପପତି ରଘୁନନ୍ଦନ ପରିଡ଼ାଙ୍କ ପତ୍ନୀ। ରଘୁନନ୍ଦନ ବାବୁ ବ୍ୟବସାୟ କାମରେ ସହର ବାହାରକୁ ସପ୍ତାହେ ହେବ ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ରତ୍ନା ଦେବୀଙ୍କର ମୃତ୍ୟୁ ଘଟିଛି। ରଘୁନନ୍ଦନ ବାବୁ ଆଜି ମଧ୍ୟାହ୍ନରେ ଘରକୁ ଫେରି ତାଙ୍କ ଫ୍ଲାଟରେ ତାଲା ପଡ଼ିଥିବାର ଦେଖିଥିଲେ। ତାଲା ଖୋଲି ଭିତରକୁ ଗଲା ପରେ ବେଡ୍‌ରୁମ୍‌ରେ ସ୍ତ୍ରୀଙ୍କ ମୃତଦେହ ଚଟାଣ ଉପରେ ପଡ଼ି ରହିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ।’

ସନାତନ ବାବୁ ସମ୍ଭବତଃ ଏଭଳି ଏକ ଖବରରୁ ସଂଧ୍ୟାଟି ଆରମ୍ଭ ହେଉ ବୋଲି ଚାହୁ ନ ଥିଲେ। ତେଣୁ ସେ ଟିକିଏ ହତାଶ ଦ‌ିଶିଲେ। କାରଣ ତାଙ୍କ ପୂର୍ବ ଅନୁଭୂତିରୁ ସେ ଜାଣି ସାରିଥିଲେ ଯେ ଏବେ ଆଉ ଏହି ଖବରରୁ ନିସ୍ତାର ନାହିଁ। ସେ ଜାଣିଥିଲେ ଯେ ଏଣିକି ତାହା ଏକ ଖବର-ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଆଗାମୀ ଅନ୍ତତଃ ତିନିଦିନ ଲାଗି ବହିବାକୁ ଲାଗିବ; ଅଧିକ ବି ହୋଇପାରେ! ଯେ ପର୍ଯ୍ୟନ୍ତ ଏହିଭଳି ଆଉ ଗୋଟିଏ ବ୍ରେକିଂ ନ୍ୟୁଜ୍‌ ମୁଣ୍ଡ ନ ଟେକିଛି, ସେ ପର୍ଯ୍ୟନ୍ତ ଏହା ଚାଲୁ ରହିବ!

ଇତିମଧ୍ୟରେ ଉଦ୍‌ଘୋଷିକା ଆହୁରି କେତେ କ’ଣ କହି ଯାଇଥିଲେ ଯାହା ତାଙ୍କ କାନରେ ପଡୁଥିଲା ସତ, କିନ୍ତୁ ଭେଦୁ ନ ଥିଲା। କାରଣ ସେ ଅନ୍ୟମନସ୍କ ହୋଇ ଉଠିଥିଲେ। ତାଙ୍କର ସଂବିତ୍ ହଠାତ୍‌ ଫେରିଲା ଯେତେବେଳେ ସ୍ଥାନୀୟ ପ୍ରତିନିଧି ମହାଦେବ ସୁବୁଦ୍ଧି ସମ୍ବାଦ ପରିବେଷଣର ରିଲେ ଦୌଡ଼ର ବ୍ୟାଟନଟିକୁ ଉଦ୍‌ଘୋଷିକାଙ୍କ ହାତରୁ ପାଇଯାଇ ହାତରେ ବୁମ୍‌ଟିଏ ଧରି ତାହାକୁ ଆ‌ଗେଇ ନେବାକୁ ଲାଗିଲେ।

ଏବେ ମହାଦେବ ବାବୁ ଘଟଣା ସଂପର୍କରେ ସବିଶେଷ ବିବରଣୀ ଦେଲେ ‘ଗ୍ରାଉଣ୍ଡ ଜିରୋ’ରୁ! ସେ କହୁଥିଲେ- ‘ଦେଖନ୍ତୁ ସ୍ମିତା, ମୁଁ ସେହି ଫ୍ଲାଟ ସମ୍ମୁଖରେ ଠିଆ ହୋଇଛି। ଲୋକଙ୍କ ଭିଡ଼ ଲାଗିଛି। ଆମେ ଯଦି କହିବା ଶିଳ୍ପପତି ରଘୁନନ୍ଦନ ବାବୁଙ୍କ ସ୍ତ୍ରୀ ରତ୍ନାଦେବୀଙ୍କର ଏକ ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ହୋଇଛି, ତେବେ ଭୁଲ ହେବନାହିଁ। ତାଙ୍କ ମୃତଦେହ ବେଡ୍‌ରୁମର ଚଟାଣରେ ପଡ଼ିଥିବାର ପ୍ରଥମେ ରଘୁନନ୍ଦନ ବାବୁ ଦେଖିଥିଲେ। ସେ ସପ୍ତାହେ ଧରି ବ୍ୟବସାୟ କାମରେ ବାହାରକୁ ଯାଇ ମଧ୍ୟାହ୍ନରେ…।’

ଏମିତି ଖବର ପ୍ରସାରଣ ଚାଲିଥିବା ବେଳେ ମହାଦେବ ସୁବୁଦ୍ଧି ମଧ୍ୟ କ୍ରମେ ସନାତନ ବାବୁଙ୍କ ଅନ୍ୟମନସ୍କତା ଭିତରେ କେଉଁଠି ହଜିଗଲେ। ସନାତନ ବାବୁ ଏବେ ମନେ ମନେ ଏକ ଖେଳ ଖେଳିବା ଆରମ୍ଭ କରି ଦେଇଥିଲେ। ସେ ନିଜକୁ ନିଜେ କହୁଥିଲେ ଏବେ ଦେଖିବା ମହାଦେବ ସୁବୁଦ୍ଧି ତାଙ୍କ ବୁମ୍‌ଟିକୁ କାହା ପାଖକୁ ନେବେ? ପୁରୁଣା ଅନୁଭୂତି କହୁଛି ବୁମ୍‌ ପହଞ୍ଚିବ ରତ୍ନା ଦେବୀଙ୍କ ସ୍ବାମୀ ରଘୁନନ୍ଦନ ବାବୁଙ୍କ ନିକଟରେ, ଯଦିଓ ତାଙ୍କ ପାଖରେ ଅନେକ ପଡ଼ୋଶୀଙ୍କ ଭିଡ଼! ପଡ଼ୋଶୀମା‌ନଙ୍କ ପ୍ରତିକ୍ରିୟା ଦେବାର ପାଳି ଆସିବ ସବା‌ ଶେଷକୁ। ସଂପୂର୍ଣ୍ଣ ବ୍ୟବସ୍ଥିତ ଏ ପଦ୍ଧତି।

ସନାତନ ବାବୁଙ୍କ କାନରେ ପଡ଼ିଲା- ଏବେ ମୋ’ ପାଖରେ ଅଛନ୍ତି ରଘୁନନ୍ଦନ ବାବୁ। ଆସନ୍ତୁ ତାଙ୍କ ଠାରୁ ପ୍ରତିକ୍ରିୟା ନେବା ଓ ଜାଣିବା କ’ଣ କେମିତି ସବୁ ଘଟିଲା?’

ସନାତନ ବାବୁ ଖେଳରେ ଜିତି ଯାଇଥିବା ଭଳି ନିଜ ଜଂଘରେ ହାତଟିକୁ ମୃଦୁ ଭାବେ ବାଡ଼େଇ ଦେଲେ। ତାଙ୍କ ମୁହଁରେ ଖେଳିଗଲା ଏକ ବିଜୟୀର ସ୍ମିତ ହସ।

ଏବେ ରଘୁନନ୍ଦନ ବାବୁ ଦୋହରାଉଥିଲେ ସେଇ କଥା ଯାହାକୁ ପରସ୍ତେ ସ୍ମିତା ଦେବୀ କହିସାରିବା ପରେ ଆଉ ଗୋଟିଏ ପରସ୍ତ ମହାଦେବ ସୁବୁଦ୍ଧି କହି ସାରିଥିଲେ। ‌େସ ଜାଣିଥିଲେ ଯେ ତା’ ପରେ ବୁମ୍‌ଟି ପହଞ୍ଚିବ ସେଠାରେ ଉପସ୍ଥିତ ପୁଲିସ ଅଧିକାରୀଙ୍କ ପାଖରେ ଏବଂ ତା’ ପରେ କିଛି ପଡ଼ୋଶୀ ଏବଂ ତା’ ପରେ ରିଲେ ଦୌଡ଼ର ବ୍ୟାଟନ୍‌ ପୁଣି ଫେରିବ ଉଦ୍‌ଘୋଷିକା ସ୍ମିତା ଦେବୀଙ୍କ ନିକଟକୁ।

ରଘୁନନ୍ଦନ ବାବୁଙ୍କ ପରେ ଉପସ୍ଥିତ ପୁଲିସ ଇନିସପେକ୍ଟର ‘ବାଇଟ୍‌’ ଦେଲେ ଏବଂ ସନାତନ ବାବୁ ଏବେ ଟେଲିଭିଜନର ସୁଇଚ୍‌ଟି ଅଫ୍ କଲେ। ସେ ଘଣ୍ଟା ଦେଖିଲେ। ଦଶ ମିନିଟ୍‌ ଚାଲିଯାଇଛି ସେହି ଗୋଟିଏ କଥାର ବାରମ୍ବାର କଥନ ଭିତରେ। ସେ ଜାଣିଥିଲେ ଏହା ହିଁ ହେବ। ଏକ ଘୂର୍ଣ୍ଣିବାତ୍ୟା ଭଳି ସେହି ସମାନ କଥା ଚକ୍ରାକାରରେ ବାରମ୍ବାର ଘୂରି ଘୂରି ଦର୍ଶକମାନଙ୍କ ପାଖରେ ପହଞ୍ଚିବାରେ ଲାଗିବ। ଆଗାମୀ ଅନ୍ତତଃ ଚବିଶ ଘଣ୍ଟା ପର୍ଯ୍ୟନ୍ତ ଏମିତି ଚାଲିବା ନିଶ୍ଚିତ। ତା’ ପ‌େର ଆରମ୍ଭ ହେବ ଲେମ୍ବୁ ଚିପୁଡ଼ାର ପର୍ବ। ହତ୍ୟା ନା ଆତ୍ମହତ୍ୟା? ସେ ନେଇ ଯେଉଁ ଘମାଘୋ‌ଟ ଅନୁସନ୍ଧାନମୂଳକ ରିପୋର୍ଟର ଧାଡ଼ି ଲାଗିବ, ସେଥିରେ ଯଦି ଦୃଶ୍ୟପଟଟି ସଂପୂର୍ଣ୍ଣ ବଦଳିଯାଏ ତେବେ ବିସ୍ମିତ ହେବାର କାରଣ ନାହିଁ। ତେବେ, ଏମିତି ବି ହୋଇପାରେ, ଘଟଣାଟିକୁ ନେଇ ଝଡ଼ ତୀବ୍ର ହୋଇଥିବା ବେଳେ ପୁଣି କେଉଁଠି ଆଉ ଗୋଟିଏ ଏମିତି ଘଟଣା ଘଟିଯିବ। ହଠାତ୍‌ ଏହି ଝଡ଼ ଥମିଯିବ ଓ ନୂଆ ଝଡ଼ ଦାନା ବାନ୍ଧିବ। ସବୁ ନଜର ଏବେ ନୂଆ ଝଡ଼ ଉପରକୁ ଚାଲିଯିବ। ପୁଣି ଗୋଟାଏ ନୂଆ ‘ବ୍ରେକିଂ ନ୍ୟୁଜ୍‌।’

ଖଟ ଉପରେ ଗଡ଼ପଡ଼ ହୋଇ ସନାତନ ବାବୁ ଭାବୁଥିଲେ, ଆଜିର ଦିନରେ ଜନଜୀବନ ଅସୁମାରି ସମସ୍ୟାରେ ଉବୁଟୁବୁ। ଏତିକି ବେଳେ ଏଭଳି ଏକ ମୃତ୍ୟୁ ଖବର ‘ବ୍ରେକି˚ ନ୍ୟୁଜ’ ଭାବରେ ‘ସୁଖବର’ ଚାନେଲ୍‌ରେ ପ୍ରଥମ ଖବର ଭାବରେ ପରିବେଷିତ ହେବା ଏକ ବିଡ଼ମ୍ବନା ନୁହେଁ କି? ସେ ମନେ ମନେ ଭାବୁଥିଲେ ଏଭଳି ନ୍ୟୁଜ୍‌ମାନ ଖବର ମାଳାର ଶେଷରେ ସ୍ଥାନ ପାଇବା କଥା। ଦେଶ ବା ରାଜ୍ୟ ଓ ତାର ଅଧିବାସୀଙ୍କୁ ଖୁବ୍‌ ଆକ୍ରାନ୍ତ କରୁଥିବା ଅନେକ ଘଟଣା ଘଟୁଛି। ସେ ସବୁ ଖବରମାନ ‘ବ୍ରେକିଂ ନ୍ୟୁଜ୍‌’ ହେବା କଥା। କିନ୍ତୁ ଦୁର୍ଭାଗ୍ୟ ଏଭଳି ଗୁରୁତ୍ବପୂର୍ଣ୍ଣ ଖବରମାନ ଶେଷକୁ ଆସିବେ ମାତ୍ର ଦୁଇ ତିନି ମିନିଟ୍‌ ଲାଗି, ଯେମିତି ସେଭଳି ଖବର ଥିବା ଯାହା ନ ଥିବା ତାହା!

[email protected]

ସମ୍ବନ୍ଧିତ ଖବର