ଜନଜାତି ସଶକ୍ତୀକରଣ ପାଇଁ ମୋଦୀଙ୍କ ସଂକଳ୍ପର ପ୍ରତୀକ ନୂଆ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ

ଅମିତ ଶାହ, ଗୃହ ମନ୍ତ୍ରୀ, ଭାରତ ସରକାର

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ଭାରତର ଗଣତନ୍ତ୍ର ପାଇଁ ଏକ ଐତିହାସିକ ଅବସର। ଓଡ଼ିଶାର ଅତ୍ୟନ୍ତ ଗରିବ ପୃଷ୍ଠଭୂମିର ଜନଜାତିମାନଙ୍କ ଠାରୁ ମଧ୍ୟ ସବୁଠୁ ପଛୁଆ ସାନ୍ତାଳୀ ପରିବାରରୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ସଂଘର୍ଷ ଏବଂ କଠିନ ପରିଶ୍ରମ ବଳରେ ଦେଶର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ଏହା ସବୁ ଦେଶବାସୀଙ୍କ ସହିତ ଜନଜାତି ସମାଜ ପାଇଁ ମଧ୍ୟ ଗୌରବମୟ ମୁହୂର୍ତ୍ତ। ଏପରି ସମାଜର କେହି ଜଣେ ଦେଶର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଏହି ବାସ୍ତବତାକୁ ଦେଖିବା ଲାଗି ଦେଶକୁ ସାତ ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ଆଜି ଆମ ଗଣତନ୍ତ୍ର ଅନେକ ପ୍ରଶ୍ନରୁ ମୁକ୍ତ ହୋଇ ପାରିଛି।

ଦେଶର ମୋଟ ଜନସଂଖ୍ୟାରେ ଆଦିବାସୀ ସମାଜର ଯୋଗଦାନ ପ୍ରାୟ ୯ ପ୍ରତିଶତ। ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଏ ସମାଜର ଯୋଗଦାନ ଏବଂ ବଳିଦାନ ଅବିସ୍ମରଣୀୟ। କିନ୍ତୁ ସ୍ୱାଧୀନତା ପର ସରକାରଗୁଡ଼ିକ ଦ୍ୱାରା ଦୀର୍ଘ ସମୟ ଧରି ଜନଜାତି ସମାଜକୁ ବିକାଶର ମୁଖ୍ୟଧାରା ସହ ଯୋଡ଼ିବା ଏବଂ ସେମାନଙ୍କ ସାମାଜିକ ଓ ଆର୍ଥିକ ଉତ୍‌ଥାନ ସହିତ ରାଜନୈତିକ ପ୍ରତିନିଧିତ୍ୱ ପ୍ରଦାନ କରିବା ଲାଗି ଉପଯୁକ୍ତ ପ୍ରୟାସ କରାଯାଇନଥିଲା।

ଅଟଳଜୀଙ୍କ ନେତୃତ୍ୱରେ ପ୍ରଥମ ଥର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଠନ ହେବା ପରେ ଏହି ସମାଜର ଆଶା ଓ ଆକାଂକ୍ଷାକୁ ବୁଝିବା ଲାଗି ଗମ୍ଭୀର ପ୍ରୟାସ ଆରମ୍ଭ ହୋଇଥିଲା। ଜନଜାତି ସମାଜର ଉତ୍‌ଥାନ ଏବଂ ସେମାନଙ୍କ ବିକାଶ ତଥା ସମୃଦ୍ଧି ଲାଗି ୧୯୯୯ରେ ଅଟଳଜୀଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଏକ ଭିନ୍ନ ମନ୍ତ୍ରଣାଳୟ ଗଠନ କରାଯାଇଥିଲା। ଏହାବ୍ୟତୀତ ୨୦୦୩ରେ ଅଟଳଜୀଙ୍କ ସରକାର ହିଁ ୮୯ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଜାତୀୟ ଅନୁସୂଚୀତ ଜନଜାତି ଆୟୋଗ ପ୍ରତିଷ୍ଠା କରିବା ସହ ଆଦିବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଅଟଳଜୀ ଜନଜାତି ସମାଜର ଉତ୍‌ଥାନ ଏବଂ ସମ୍ମାନ ପାଇଁ ଯେଉଁ କାମ ଆରମ୍ଭ କରିଥିଲେ, ଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାକୁ ଆହୁରି ସଶକ୍ତ ଭାବେ ଆଗେଇ ନେବା ପାଇଁ ପଦକ୍ଷେପ ନେଇଛନ୍ତି।

‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ର ସଂକଳ୍ପକୁ ନେଇ ଆଗକୁ ବଢୁଥିବା ମୋଦୀ ସରକାର ନିଜ ନୀତି ଓ ନିଷ୍ପତ୍ତିରେ ଜନଜାତି ସମୁଦାୟର ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଅନେକଗୁଡ଼ିଏ ଦୂରଦର୍ଶୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଦୀଜୀଙ୍କ ଆଠ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଜନଜାତିଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ପ୍ରାୟତଃ ସବୁ ଯୋଜନାରେ ୨୦୧୩-୧୪ ତୁଳନାରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜନଜାତି ଉପ-ଯୋଜନାର ବଜେଟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାରୁ ଚାରି ଗୁଣା ବୃଦ୍ଧି କରି ୮୬ ହଜାର କୋଟି ଟଙ୍କା କରି ଦିଆଯାଇଛି। ଏହାର ଅନ୍ତର୍ଗତ ମୋଦୀ ସରକାରଙ୍କ ଦ୍ୱାରା ଜନଜାତି ଭାଇ-ଭଉଣୀଙ୍କ ପାଇଁ ଜଳ ଜୀବନ ମିଶନ ଅଧୀନରେ ୧.୨୮ କୋଟି ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ, ୧.୪୫ କୋଟି ଶୌଚାଳୟ ନିର୍ମାଣ, ୮୨ ଲକ୍ଷ ଆୟୁଷ୍ମାନ କାର୍ଡ ବିତରଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩୮ ଲକ୍ଷ ଗୃହ ନିର୍ମାଣ ଭଳି ଅନେକ କାର୍ଯ୍ୟ କରାଯାଇଛି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବଜେଟ୍‌ ୨୭୮ କୋଟି ଟଙ୍କାରୁ ବଢ଼ାଇ ୧୪୧୮ କୋଟି ଟଙ୍କା ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରିତ ଛାତ୍ରବୃତ୍ତି ବଜେଟ୍‌ ୯୭୮ କୋଟିରୁ ବଢ଼ାଇ ୨୫୪୬ କୋଟି ଟଙ୍କା କରି ଦିଆଯାଇଛି। ଏହା ବ୍ୟତୀତ ଉଦ୍‌ଯୋଗ ବା ଉଦ୍ୟୋଗ ବିକାଶ ଉଦ୍ଦେଶ୍ୟରେ ନୂଆ ଯୋଜନାରେ ୩୨୭ କୋଟି ଟଙ୍କାର ବଜେଟ୍‌ରେ ୩୧୧୦ଟି ବନ ଧନ ବିକାଶ କେନ୍ଦ୍ର ଏବଂ ୫୩ ହଜାରଟି ବନ ଧନ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରାଯାଇଛି।

ଅଧିକାଂଶ ଖଣି ପ୍ରଭାବିତ କ୍ଷେତ୍ରରେ ଜନଜାତି ଲୋକମାନେ ରହୁଥିଲେ ବି ସେମାନଙ୍କୁ ଖଣିରୁ ହେଉଥିବା ଆୟରୁ କିଛି ଭାଗ ମିଳୁନଥିଲା। ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା କଲେ ଏବଂ ଏହି ବିସଙ୍ଗତିକୁ ଦୂର କଲେ। ଏହାଫଳରେ ଖଣିରୁ ହେଉଥିବା ଆୟର ୩୦% ସ୍ଥାନୀୟ ବିକାଶରେ ଖର୍ଚ୍ଚ ହୋଇପାରିଲା। ଏବେ ସୁଦ୍ଧା ଏହି ପାଣ୍ଠି ଜରିଆରେ ୫୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସଂଗୃହିତ ହୋଇଛି। ଜନଜାତି କ୍ଷେତ୍ରର ବିକାଶରେ ଏହି ଅର୍ଥ ବିନିଯୋଗ ହେଉଛି। ଏହାବ୍ୟତୀତ ଜନଜାତି ଉତ୍ପାଦର ବିପଣନ ଲାଗି ଗଠନ ହୋଇଥିବା ‘ଟ୍ରାଇଫେଡ୍‌’ ପରିଚାଳିତ ‘ଟ୍ରାଇବ୍‌ସ ଇଣ୍ଡିଆ ଆଉଟ୍‌ଲେଟ୍‌’ ସଂଖ୍ୟା ୨୯ରୁ ବଢ଼ି ୧୧୬ରେ ପହଞ୍ଚିଛି।

ଜନଜାତି ସମାଜର ସାମାଜିକ-ଆର୍ଥିକ ଉତ୍‌ଥାନ ସହିତ ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ସମ୍ମାନପୂର୍ବକ ସର୍ବସମ୍ମୁଖକୁ ଆଣିବା ଲାଗି ମୋଦୀ ସରକାର ପଦକ୍ଷେପ ନେଉଛନ୍ତି। ଜନଜାତି କଳା, ସାହିତ୍ୟ, ପାରମ୍ପରିକ ଜ୍ଞାନ ଏବଂ କୌଶଳ ଭଳି ଜନଜାତି ବିଷୟକୁ ଜ୍ଞାନ-ବିଜ୍ଞାନର ଅଧ୍ୟୟନ-ଅଧ୍ୟାପନାରେ ସମ୍ମିଳିତ କରାଯାଇଛି। ‘ଆଜାଦି କା ଅମୃତ ମହୋତ୍ସବ’ ଉପଲକ୍ଷେ ଜନଜାତି ନାୟକ-ନାୟିକାଙ୍କ ବୀରଗାଥାକୁ ସାମ୍ନାକୁ ଆଣିବା ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଯୋଗଦାନକୁ ରେଖାଙ୍କିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୧୫ ନଭେମ୍ବରକୁ ଏବେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ସାରା ଦେଶରେ ୨୦୦ କୋଟି ଟଙ୍କା ବଜେଟ୍‌ରେ ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି। ମୋଦୀଜୀ ଅଧିକାଂଶ ସମୟରେ ନିଜ ଭାଷଣରେ ମଧ୍ୟ ଜନଜାତି ନାୟକ-ନାୟିକାଙ୍କ ଯୋଗଦାନ ବିଷୟରେ ଆଲୋକପାତ କରିବା ସହ ସେମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ଆସିଛନ୍ତି। ମୋଦୀ ସରକାର ଜନଜାତି ସମାଜର ବିକାଶ ଏବଂ ସମ୍ମାନ ପାଇଁ ମନ, ବଚନ ଓ କର୍ମ ସହିତ ସମ୍ପୂର୍ଣ୍ଣ ସମର୍ପିତ ହୋଇ ଯେ କାର୍ଯ୍ୟ କରୁଛନ୍ତି ଏଥିରୁ ତାହାର ପ୍ରମାଣ ମିଳୁଛି।

ଭାରତରେ କାଶ୍ମୀର ଠାରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ପର୍ଯ୍ୟନ୍ତ ଆମ ଜନଜାତି ଭାଇଭଉଣୀମାନେ ରହୁଛନ୍ତି। ବିଶେଷ କରି ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ଗୁଜରାଟରେ ଅଧିକ ସଂଖ୍ୟାରେ ଜନଜାତି ସମୁଦାୟ ରହିଥାନ୍ତି। ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଂଗ୍ରେସ କେବଳ ସେମାନଙ୍କୁ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରିଥିଲା। ଅଧିକ ଜନଜାତି ସମୁଦାୟ ରହୁଥିବା ଉତ୍ତରପୂର୍ବାଞ୍ଚଳ କ୍ଷେତ୍ରକୁ ମଧ୍ୟ କଂଗ୍ରେସ ଲଗାତାର ଅବହେଳା କରିଆସିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଭାର ସମ୍ଭାଳିବା ପରେ ପରେ ‘ଏକ୍ଟ ଇଷ୍ଟ’ ନୀତି ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଗଲା। ଗତ ଆଠ ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଦେଶ ବିକାଶର ମୁଖ୍ୟଧାରା ସହ ଯୋଡ଼ାଯାଇ ସେମାନଙ୍କୁ ଜାତୀୟ ପ୍ରଗତିରେ ସହଭାଗୀ କରାଯାଇଛି। ଆଜି ଉତ୍ତର ପୂର୍ବାଞ୍ଚଳରେ ଯେତେବେଳେ ଶାନ୍ତି ସ୍ଥାପନା ହେବା ସହ ନିରନ୍ତର ବିକାଶ ଜାରି ରହିଛି, ଏହାର ସବୁଠୁ ବେଶି ଲାଭ ଆମ ଆଦିବାସୀ ଭାଇ-ଭଉଣୀମାନଙ୍କୁ ମିଳୁଛି।

ବହୁ ଦଶନ୍ଧି ଧରି ଏ ଜନଜାତି ସମାଜ ପାଇଁ ଦାରିଦ୍ର୍ୟ ସହ ଅସୁରକ୍ଷା ସବୁଠୁ ବଡ଼ ବିପଦ ଥିଲା। ଏହାର ଫାଇଦା ଉଠାଇ ଅନେକ ଜନଜାତି କ୍ଷେତ୍ରରେ ବାମପନ୍ଥୀ ଉଗ୍ରବାଦୀମାନେ ସେମାନଙ୍କର ସ୍ଥିତି ସୁଦୃଢ଼ କରି ନେଇଥିଲେ। ଏମାନେ କେବଳ ଆମ ଆଦିବାସୀ ଯୁବକମାନଙ୍କୁ ବାଟବଣା କରିନଥିଲେ ବରଂ କ୍ଷେତ୍ରୀୟ ବିକାଶରେ ମଧ୍ୟ ବାଧା ସୃଷ୍ଟି କରିଥିଲେ। କିନ୍ତୁ ମୋଦୀ ସରକାର ଆସିବାର ଆଠ ବର୍ଷ ମଧ୍ୟରେ ଏ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ଉଗ୍ରବାଦ ଏବଂ ନକ୍ସଲବାଦ ଉପରେ ଶୂନ୍ୟ ସହନଶୀଳତା ନୀତି କାରଣରୁ ଏସବୁର ପରିଧି ସଙ୍କୁଚିତ ହୋଇଛି। ନକ୍ସଲବାଦର ପ୍ରଭାବ ଏବେ ପ୍ରାୟତଃ ନଥିବା ବେଳେ ପ୍ରଭାବିତ କ୍ଷେତ୍ରରେ ଶାନ୍ତି ଏବଂ ବିକାଶର ପରିବେଶ ସୃଷ୍ଟି ହୋଇଛି। ଲୋକମାନଙ୍କ ମଧ୍ୟରେ ସୁରକ୍ଷା ଭାବନା ବଢ଼ିଛି। କହିବା ବାହୁଲ୍ୟ ଯେ ଏ ପରିବର୍ତ୍ତନର ଲାଭ ଏ କ୍ଷେତ୍ରରେ ରହୁଥିବା ଜନଜାତି ସମାଜର ଲୋକମାନଙ୍କୁ ମିଳୁଛି ଓ ସେମାନେ ଖୁବ୍‌ ସହଜରେ ବିକାଶର ମୁଖ୍ୟଧାରାରେ ସାମିଲ ହେଉଛନ୍ତି।

ଜନଜାତି ସମାଜର ଉତ୍‌ଥାନ, ସେମାନଙ୍କ ପାଇଁ ଗରିମାପୂର୍ଣ୍ଣ ଜୀବନ, ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ, ସେମାନଙ୍କ ରାଜନୈତିକ ଭାଗୀଦାରି ସୁନିଶ୍ଚିତ କରିବା ବିଜେପି ବିଚାରଧାରାର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛି। ବିଜେପି ସବୁବେଳେ ଜନଜାତି ସମାଜର ପ୍ରଗତି ପାଇଁ ସଂକଳ୍ପବଦ୍ଧ। ଆଜି ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଯେତେବେଳେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାର ସମୟ ଆସଛି ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସମର୍ଥନରେ ଦେଶକୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରୂପରେ ପ୍ରଥମ ଜନଜାତି ରାଷ୍ଟ୍ରପତି ମିଳିଛନ୍ତି। ଦେଶର ସବୁଠୁ ନିମ୍ନତମ ସୋପାନରେ ରହିଥିବା ସମାଜରୁ ଆସିଥିବା ଶ୍ରୀମତୀ ମୁର୍ମୁ ଆଜି ଯେତେବେଳେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଏହା ନିଶ୍ଚିତ ଭାବେ ସାରା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଜନଜାତିଙ୍କ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସଂକଳ୍ପର ଏହା ନିଶ୍ଚିତ ଭାବେ ଏକ ବିରଳ ଉଦାହରଣ।

ସମ୍ବନ୍ଧିତ ଖବର