ଦର୍ପଣ: ବିଶ୍ବ ବ୍ୟାଘ୍ର ସଂଖ୍ୟା ବୃଦ୍ଧି

ପ୍ରକୃତିର ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍)ର ଲାଲ ତାଲିକାଭୁକ୍ତ ବିପଦାପନ୍ନ ପ୍ରାଣୀ ଜାତିର ଆକଳନ କରୁଥିବା ସଂସ୍ଥା ପ୍ରକାଶ କରିଛି ଯେ ବିଗତ ସାତ ବର୍ଷରେ ବିଶ୍ବରେ ବାଘ ସଂଖ୍ୟା ୪୦% ବୃଦ୍ଧି ପାଇଛି। ଜଙ୍ଗଲୀ ବିରାଡ଼ି ସଂରକ୍ଷଣ ଦିଗରେ କାର୍ଯ୍ୟରତ ‘ପାନ୍ଥେରା’ ନାମକ ସଂସ୍ଥା ନେତୃତ୍ବରେ କରାଯାଇଥିବା ଏହି ଆକଳନ ଅନୁସାରେ ୨୦୧୫ରେ ପୃଥିବୀରେ ସମୁଦାୟ ୩,୨୦୦ ବାଘ ଜୀବିତ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୪,୫୦୦କୁ ବୃଦ୍ଧି ପାଇଛି। ଅନେକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ସମ୍ଭାବ୍ୟ ବିଲୁପ୍ତିର ସମ୍ମୁଖୀନ ହେବାକୁ ବସିଥିବା ବାଘ ସଂଖ୍ୟାର ଅଭିବୃଦ୍ଧି ଆଡ଼କୁ ଏହି ଆକଳନ ଇଙ୍ଗିତ କରିଛି।

ସମୁଦାୟ ୪,୫୦୦ଟି ବାଘ ମଧ୍ୟରୁ ୩,୧୪୦ଟି ହେଉଛନ୍ତି ପ୍ରାପ୍ତ ବୟସ୍କ। ଏସିଆ ମହାଦେଶରେ ୩,୭୨୬ରୁ ୫,୫୭୮ ବାଘ ଅଛନ୍ତି। ସେହିପରି ବିଶ୍ବର ୭୬ ପ୍ରତିଶତ ବାଘ ଦକ୍ଷିଣ ଏସିଆ (ମୁଖ୍ୟତଃ ଭାରତ ଓ ନେପାଳ)ରେ ଅଛନ୍ତି ଯାହାଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି। ଉତ୍ତରପୂର୍ବ ଏସିଆର ରୁଷିଆରେ ବାଘ ସଂଖ୍ୟା ସ୍ଥିର ରହିଥିବା ବେଳେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ଏହା ବୃଦ୍ଧି ପାଉଛି। ତେବେ ଦକ୍ଷିଣ-ପୂର୍ବ ଏସିଆର ବାଘମାନେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି; କାମ୍ବୋଡିଆ, ଲାଓସ୍‌ ଓ ଭିଏତ୍‌ନାମ ଭଳି ଦେଶରୁ ବାଘମାନେ ଅନ୍ତର୍ଦ୍ଧାନ ହୋଇସାରିଛନ୍ତି ବୋଲି ଆଇୟୁସିଏନ୍‌ ଆକଳନ କରିଛି। ତେବେ ଆଇୟୁସିଏନ୍‌ର ଏହି ଆକଳନକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଅଧିକାରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ ଭାରତ, ନେପାଳ, ରୁଷିଆ ଓ ଭୁଟାନ ଛଡ଼ା ଅନ୍ୟ ସବୁ ଦେଶରେ ବାଘ ସଂଖ୍ୟା ହ୍ରାସ ପାଇଛି। ସର୍ବଭାରତୀୟ ବ୍ୟାଘ୍ର ଆକଳନ (ଏଆଇଟିଇ)-୨୦୧୮ ଅନୁଯାୟୀ ପୃଥିବୀର ୭୦ ପ୍ରତିଶତ ବା ୨,୯୬୭ଟି ବାଘ ଭାରତରେ ଅଛନ୍ତି।

ସ୍ମରଣଯୋଗ୍ୟ ଯେ ୨୦୧୦ରେ ହୋଇଥିବା ପ୍ରଥମ ବିଶ୍ବ ବ୍ୟାଘ୍ର ଶିଖର ସମ୍ମିଳନୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା ଯେ ୨୦୨୨ ସୁଦ୍ଧା ବିଶ୍ବରେ ବାଘ ସଂଖ୍ୟା ଦ୍ବିଗୁଣିତ ବା ୬,୦୦୦ କରାଯିବ। କିନ୍ତୁ ଏହି ଲକ୍ଷ୍ୟ ହାସଲରେ ବିଫଳ ହେବା ପରେ ଏ ବର୍ଷ ଦ୍ବିତୀୟ ବିଶ୍ବ ବ୍ୟାଘ୍ର ଶିଖର ସମ୍ମିଳନୀ ଆୟୋଜିତ ହୋଇ ଏକ ନୂଆ ୧୨-ବର୍ଷିଆ ଯୋଜନା ପ୍ରସ୍ତୁତ କରାଯିବ।

ସମ୍ବନ୍ଧିତ ଖବର