ଦୁର୍ବଳ ଟଙ୍କା ଚିନ୍ତାର କାରଣ

ସରଳ ବିଚାର - ସରଳ କୁମାର ଦାସ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଜୁଲାଇ ୧୯, ୨୦୨୨ରେ ୮୦ ଟଙ୍କା ଛୁଇଁବା ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି। ଟଙ୍କାର ଦୁର୍ବଳତାକୁ ସ୍ୱୀକାର କରି ବୈଶ୍ୱିକ କାରଣଗୁଡ଼ିକ ଏଥିପାଇଁ ଦାୟୀ ବୋଲି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ପ୍ରକାଶ କରିଥିଲେ ସୁଦ୍ଧା ଟଙ୍କା ଲଗାତାର ଦୁର୍ବଳ ହେବାର ପ୍ରକୃତ କାରଣଗୁଡ଼ିକୁ ବିଶ୍ଳେଷଣ କରାଯିବା ଉଚିତ।

ଟଙ୍କା ସମେତ ଯେ କୌଣସି ଦେଶର ମୁଦ୍ରାର ମୂଲ୍ୟ ତାର ଚାହିଦା ଉପରେ ନିର୍ଭର କରିଥାଏ। ଚାହିଦା ଅଧିକ ଥିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇ ତାହା ସୁଦୃଢ଼ ହୋଇଥାଏ। ବିଦେଶୀ ନିବେଶକାରୀମାନେ ଭାରତୀୟ ବଜାରରେ ପୁଞ୍ଜି ନିବେଶ କଲେ ଦେଶକୁ ଡଲାର ସମେତ ଅନ୍ୟ ବୈଦେଶିକ ମୁଦ୍ରା ଆସିବା ଦ୍ୱାରା ଟଙ୍କା ସୁଦୃଢ଼ ହୋଇଥାଏ। ଅନୁରୂପ ଭାବେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ ଡଲାରର ଚାହିଦା ବୃଦ୍ଧି ପାଇ ଟଙ୍କାର ଚାହିଦା କମି ଟଙ୍କା ଦୁର୍ବଳ ହୋଇଥାଏ। ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଫେଡ୍ ରେଟ୍ (ଭାରତରେ ରେପୋ ରେଟ୍‌ ଭଳି ସୁଧ ହାର) ବଢ଼ାଇବା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ କାଳ ଧରି ଲାଗି ରହିବା ଯୋଗୁଁ ଏଫପିଆଇମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି। ଉପଲବ୍‌ଧ ତଥ୍ୟ ଅନୁଯାୟୀ ଜାନୁଆରିରୁ ଜୁନ୍‌ ୨୦୨୨ ମଧ୍ୟରେ ସେମାନେ ଅଂଶଧନ (ଇକ୍ବୁଇଟି) ଓ ଋଣ (ଡେଟ୍) ବଜାରରୁ ପ୍ରାୟ ୧.୮୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେବା ଯୋଗୁଁ ଟଙ୍କା ଅତି ମାତ୍ରାରେ ଚାପଗ୍ରସ୍ତ ହୋଇଛି। ଭାରତୀୟ ପୁଞ୍ଜି ବଜାର ସେମାନଙ୍କ ପାଇଁ ପୁଣି ଆକର୍ଷଣୀୟ ମନେ ହେଲେ, ସେମାନଙ୍କ ପ୍ରତ୍ୟାବର୍ତ୍ତନର ଆଶା ଦେଖା ଦେଇପାରେ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ରପ୍ତାନିକାରୀମାନେ ଲାଭବାନ ହେଉଥିବା ବେଳେ ଆମଦାନିକାରୀମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି। ଆମଦାନି ହେଉଥିବା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଲେ ଦେଶରେ ମୁଦ୍ରାସ୍ଫୀତି ହାର ଅଧିକ ହୋଇଥାଏ। ରପ୍ତାନି ଅପେକ୍ଷା ଆମଦାନି ଯେତେ ଅଧିକ ହୁଏ, ଦେଶ ପାଇଁ ବାଣିଜ୍ୟ ନିଅଣ୍ଟର ସ୍ଥିତି ସେତେ ଉତ୍କଟ ହୋଇ ଚଳନ୍ତି ଖାତାରେ ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ) ବଢ଼ି ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଥାଏ। କାରଣ ତଦ୍ଦ୍ୱାରା ଡଲାରର ଚାହିଦା ବଢ଼ି ଟଙ୍କାର ମୂଲ୍ୟ ହ୍ରାସ ପାଇଥାଏ। କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୧ ଏପ୍ରିଲ-ଜୁନ୍‌ ତିନି ମାସ ମଧ୍ୟରେ ବିଦେଶକୁ ୧୫,୧୭୫ କୋଟି ଡଲାର ମୂଲ୍ୟର ଦ୍ରବ୍ୟ ଓ ସେବା ରପ୍ତାନି ହୋଇଥିଲା ବେଳେ ବିଦେଶରୁ ଆମଦାନି ହୋଇଥିବା ଦ୍ରବ୍ୟ ଓ ସେବାର ମୂଲ୍ୟ ଥିଲା ୧୫,୭୩୭ କୋଟି ଡଲାର। ଅର୍ଥାତ୍ ବାଣିଜ୍ୟ ନିଅଣ୍ଟ ଥିଲା ମାତ୍ର ୫୬୧ କୋଟି ଡଲାର। ୨୦୨୨ର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ୍‌) ମଧ୍ୟରେ ରପ୍ତାନିର ମୂଲ୍ୟ ୧୮,୯୯୩ କୋଟି ଡଲାର ଓ ଆମଦାନିର ମୂଲ୍ୟ ୨୩,୫୧୧ କୋଟି ଡଲାରରେ ପହଞ୍ଚିଛି। ଫଳ ସ୍ୱରୂପ ବାଣିଜ୍ୟ ନିଅଣ୍ଟ ଯଥେଷ୍ଟ ବୃଦ୍ଧି ପାଇ ୪୫୧୮ କୋଟି ଡଲାରରେ ପହଞ୍ଚିବା ଚିନ୍ତାର କାରଣ। ଏକ ପକ୍ଷରେ ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଭାରତରୁ ରପ୍ତାନି ହେଉଥିବା ଦ୍ରବ୍ୟଗୁଡ଼ିକ ପାଇଁ ସେତେ ଅଧିକ ଅନୁକୂଳ ହୋଇ ନ ଥିବା ବେଳେ ପେଟ୍ରୋଲ ଓ ପେଟ୍ରୋଲଜାତ ଦ୍ରବ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ଉପରେ ନିର୍ଭର କରୁଥିବା ଭାରତ ପକ୍ଷରେ ଆମଦାନିକୁ କମ୍‌ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ବରଂ ଗତ ବର୍ଷର ଏହି ସମୟ ତୁଳନାରେ ମୂଲ୍ୟ ଦୃଷ୍ଟିରୁ ଏ ବର୍ଷ ଅଶୋଧିତ ତେଲ ଓ ପେଟ୍ରୋଲଜାତ ପଦାର୍ଥର ଆମଦାନି ୨ ଗୁଣ ବଢ଼ିଥିବା ବେଳେ କୋଇଲା, ସୁନା ଆଦିର ଆମଦାନି ୩ ଗୁଣରୁ ଅଧିକ ହୋଇଛି। ବର୍ଦ୍ଧିତ ବାଣିଜ୍ୟ ନିଅଣ୍ଟର ଏକ ପ୍ରକୃଷ୍ଟ ଉଦାହରଣ ସ୍ୱରୂପ ଭାରତର ଚୀନ ସହ ବାଣିଜ୍ୟକୁ ଗ୍ରହଣ କରାଯାଇପାରେ। ଚୀନ ସାମଗ୍ରୀକୁ ବର୍ଜନ କରିବା ପାଇଁ ଆମର ଆଭିମୁଖ୍ୟ ସତ୍ତ୍ବେ ବାସ୍ତବତା ହେଉଛି ପ୍ରତି ବର୍ଷ ଚୀନରୁ ଆମଦାନି ବଢ଼ି ବାଣିଜ୍ୟ ନିଅଣ୍ଟ ରେକର୍ଡ ସ୍ତରରେ ପହଞ୍ଚିସାରିଛି। ୨୦୨୧-୨୨ରେ ଭାରତରୁ ଚୀନକୁ ମାତ୍ର ୨,୧୨୫ କୋଟି ଡଲାର ମୂଲ୍ୟର ରପ୍ତାନି ହୋଇଥିବା ବେଳେ ଚୀନରୁ ୪ ଗୁଣରୁ ଅଧିକ ଅର୍ଥାତ୍ ୯,୪୧୬ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନି ହୋଇଥିଲା। ଅର୍ଥାତ୍, କେବଳ ଚୀନ ସହ ଭାରତର ବାଣିଜ୍ୟ ନିଅଣ୍ଟର ପରିମାଣ ୭,୨୯୦ କୋଟି ଡଲାର ହେଲାଣି ଯାହା ୨୦୧୩-୧୪ର ୩୬୦୦ କୋଟି ଡଲାର ନିଅଣ୍ଟ ତୁଳନାରେ ୨ ଗୁଣରୁ ଅଧିକ। ଅବଶ୍ୟ ଭାରତ କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ସହ ଡଲାର ବଦଳରେ ଟଙ୍କା ଓ ସମ୍ପୃକ୍ତ ଦେଶର ମୁଦ୍ରାରେ ବାଣିଜ୍ୟ କରିବା ପାଇଁ ଉଦ୍ୟମ କରୁଛି, ଯାହା ଟଙ୍କାକୁ ଅଧିକ ଦୁର୍ବଳ ହେବାରୁ କିଛିଟା ସୁରକ୍ଷା ପ୍ରଦାନ କରିପାରେ। ଏହି କ୍ରମରେ ଭାରତ ଓ ରୁଷିଆ ମଧ୍ୟରେ ଟଙ୍କା ଓ ରୁବଲ (ରୁଷିଆର ମୁଦ୍ରା) ମାଧ୍ୟମରେ ବାଣିଜ୍ୟ କାରବାର ହେବା ସ୍ୱାଗତଯୋଗ୍ୟ। ତେବେ ଅତ୍ୟବଶ୍ୟକ ସାମଗ୍ରୀକୁ ବାଦ ଦେଇ ଅନ୍ୟ ସାମଗ୍ରୀଗୁଡ଼ିକର ଅବିଚାରିତ ଆମଦାନି ଉପରେ ଅନ୍ତତଃ କିଛି ଦିନ ପାଇଁ କଟକଣା ଲାଗିବା ଉଚିତ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ତା’ର ପ୍ରଭାବ ଟଙ୍କାର ମୂଲ୍ୟ ଉପରେ ବି ପଡ଼ିଛି। ଜୁଲାଇ ୨୦୨୧ରେ ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ପ୍ରାୟ ୭୫ ଡଲାର ଥିଲା ବେଳେ ଜୁଲାଇ ୨୦୨୨ରେ ତାହା ୧୧୩ ଡଲାର ଛୁଇଁଛି। ପ୍ରତି ବର୍ଷ ତେଲ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିଲା ବେଳେ ଭାରତ ତାର ତୈଳ ଆବଶ୍ୟକତାର ପ୍ରାୟ ୮୫% ବିଦେଶରୁ ଆମଦାନି ଉପରେ ନିର୍ଭର କରୁଛି। ଏଥି ପାଇଁ ତାକୁ ପ୍ରାୟତଃ ଡଲାର ହିଁ ଦେବାକୁ ହେଉଛି। ତେଲର ଆମଦାନି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଦେଶ ଭିତରେ ନୂତନ ତୈଳ ଭଣ୍ଡାର ଅନୁସନ୍ଧାନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ।

ବୈଶ୍ୱିକ କାରଣ ଯୋଗୁଁ ଟଙ୍କାର ମୂଲ୍ୟ ହ୍ରାସ ପାଉଛି ବୋଲି କୁହାଯାଉଥିଲେ ମଧ୍ୟ ଦେଶରେ ବର୍ଦ୍ଧିତ ବିତ୍ତୀୟ ନିଅଣ୍ଟ ଏହି ହ୍ରାସର ଅନ୍ୟତମ କାରଣ। ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୮.୨% ଥିଲା ବେଳେ ୨୦୨୨-୨୩ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୬.୪% ଧାର୍ଯ୍ୟ ହୋଇଛି। କୋଭିଡ ମହାମାରୀ ପରେ ଅତ୍ୟନ୍ତ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ସରକାରୀ ବ୍ୟୟକୁ ବଢ଼ାଇବା ସରକାରଙ୍କ ପାଇଁ ଏକ ବାଧ୍ୟବାଧକତା କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ତା’ର ପ୍ରଭାବ ଟଙ୍କା ଉପରେ ପଡ଼ିବା ସ୍ୱାଭାବିକ। ତେବେ ପ୍ରାଥମିକତା ଆଧାରରେ କିଛି ବ୍ୟୟକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଗଲେ ବିତ୍ତୀୟ ନିଅଣ୍ଟକୁ କିଛି ପରିମାଣରେ କମ୍‌ କରିହେବ। ଟଙ୍କା ଦୁର୍ବଳ ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ସାଧାରଣ ଜନତା ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ବଢ଼ାଇବେ। ଫଳରେ ଜମାକାରୀମାନେ ଜମା ଉପରେ ଅଧିକ ହାରରେ ସୁଧ ପାଇପାରନ୍ତି। ହେଲେ, ଋଣ ଗ୍ରହୀତାଙ୍କ ଲାଗି ମଧ୍ୟ ସୁଧ ହାର ବଢ଼ି ବିକାଶ ପ୍ରକ୍ରିୟା ମନ୍ଥର ହେବ। ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ପରେ ପୁଞ୍ଜି ବଜାର ଅନାକର୍ଷଣୀୟ ହେବା ଯୋଗୁଁ ଘରୋଇ ନିବେଶକଙ୍କ ଉତ୍ସାହରେ ଭଟ୍ଟା ପଡ଼ିବାର ଆଶଙ୍କା ଦେଖା ଦେବ। ତା’ ଛଡ଼ା ବିଦେଶରେ ଅଧ୍ୟୟନ ଓ ବିଦେଶ ଭ୍ରମଣ ମଧ୍ୟ ମହଙ୍ଗା ହୋଇଯିବ।

ମୁଦ୍ରା ନୀତିର ଆବଶ୍ୟକତା ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତିର ହାରକୁ ନିୟନ୍ତ୍ରଣ କରି ୪% ବା ସର୍ବାଧିକ ୬% ମଧ୍ୟରେ ରଖିବାର ଗୁରୁଦାୟିତ୍ୱ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ। ହେଲେ ଗଲା କେଇ ମାସ ଧରି ଏହା କ୍ରମାଗତ ଭାବେ ୭%ରୁ ଅଧିକ ରହିବାରୁ ରିଜର୍ଭ ବ୍ୟାଙ୍କକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ହୋଇଛି। ଠିକ୍ ସେତିକି ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇବା ସମସ୍ୟାକୁ ଅଧିକ ଜଟିଳ କରିଛି। କେବଳ ଗତ ୬ ମାସ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୭% ହ୍ରାସ ପାଇସାରିଛି। ରିଜର୍ଭ ବ୍ୟାଙ୍କର ଗଣନା ଅନୁଯାୟୀ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୫% ହ୍ରାସ ପାଇଲେ ମୁଦ୍ରାସ୍ଫୀତିର ହାର ପ୍ରାୟ ୦.୧ରୁ ୦.୧୫% ବୃଦ୍ଧି ପାଇଥାଏ। ନିକଟରେ ରିଜର୍ଭ ବ୍ୟାଙ୍କ ସେହି ପରି ଅନେକ ପଦକ୍ଷେପ ନେଇଛି। ଦୁର୍ବଳ ଟଙ୍କାକୁ ସ୍ଥିରତା ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଚ୍ଛିତ ଡଲାରକୁ ନିୟମିତ ଅନ୍ତରାଳରେ ବଜାରରେ କମ୍‌ ଦାମରେ ବିକିବାକୁ ଏକ ପ୍ରକାର ବାଧ୍ୟ ହେଉଛି। ୨୦୨୨ ଆରମ୍ଭରେ ଦେଶରେ ୬୩,୪୦୦ କୋଟି ଡଲାର ଗଚ୍ଛିତ ଥିଲା, ଯାହା ମାତ୍ର ୬ ମାସ ମଧ୍ୟରେ ପ୍ରାୟ ୫,୩୭୫ କୋଟି ଡଲାର ବା ୮%ରୁ ଅଧିକ ହ୍ରାସ ପାଇ ଜୁଲାଇ ୮, ୨୦୨୨ ସୁଦ୍ଧା ୫୮,୦୨୫ କୋଟି ଡଲାରରେ ପହଞ୍ଚିଲାଣି। ତେବେ ଭାରତ ନିକଟରେ ଗଚ୍ଛିତ ଡଲାର ପରିମାଣ ଅଧିକ ହୋଇଥିବାରୁ ଦୁର୍ବଳ ଟଙ୍କାକୁ ସ୍ଥିର ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ କେଇ ହଜାର କୋଟି ଡଲାର ବିକ୍ରି କରି ବଜାରରେ ହସ୍ତକ୍ଷେପ କରିବାକୁ କୁଣ୍ଠାବୋଧ କରି ନ ପାରେ। କେତେକ ଅର୍ଥନୀତିଜ୍ଞଙ୍କ ମତରେ ଯଦି ରିଜର୍ଭ ବ୍ୟାଙ୍କ ଟଙ୍କାକୁ ସୁରକ୍ଷା ପ୍ରଦାନ କରିବାକୁ ଆଗେଇ ଆସି ନ ଥାଆନ୍ତା, ତେବେ ଟଙ୍କା ହୁଏତ ଏବର ୮୦ ଟଙ୍କାଠାରୁ ଆହୁରି ତଳକୁ ଖସି ଯାଇଥାଆନ୍ତା। ତେବେ ଟଙ୍କାର ଚାହିଦା ନ ବଢ଼ିଲେ ତାକୁ ଦୀର୍ଘ ଦିନ ଯାଏଁ ରିଜର୍ଭ ବ୍ୟାଙ୍କର ଢିରା ଦେଇ ଟେକି ରଖାଯାଇ ନ ପାରେ। ୨୦୨୨ ଆରମ୍ଭରେ ପ୍ରତି ଡଲାରର ମୂଲ୍ୟ ୭୪.୨୯ ଟଙ୍କା ଥିବା ବେଳେ ବର୍ଷ ଶେଷ ବେଳକୁ ତାହା ୮୦.୫୦ ଟଙ୍କାରୁ ୮୩ ଟଙ୍କା ଯାଏଁ ଖସିଯିବା ବିଚିତ୍ର ନୁହେଁ ବୋଲି କେହି କେହି ବିତ୍ତୀୟ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି।

କେବଳ ଯେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଘଟିଛି, ତାହା ନୁହେଁ। ଏସିଆ ମହାଦେଶର ପ୍ରାୟ ସମସ୍ତ ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ବିଶ୍ୱର ଅନ୍ୟତମ ସୁଦୃଢ଼ ମୁଦ୍ରା ଭାବେ ପରିଗଣିତ ଚୀନର ୟୁଆନର ମୂଲ୍ୟ ମଧ୍ୟ ଏ ବର୍ଷ ପ୍ରାୟ ୭% କମ୍‌ ହୋଇ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚି ସାରିଛି। ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଉନ୍ନତ ମୁଦ୍ରା ନୀତି ଓ ପରିଚାଳନା କାରଣରୁ ଟଙ୍କାର ମୂଲ୍ୟ ଅପେକ୍ଷାକୃତ କମ୍‌ ଖସିଛି ବୋଲି ସରକାର ଓ ରିଜର୍ଭ ବ୍ୟାଙ୍କ ଦାବି କରୁଛନ୍ତି। ତେଣୁ କୃତ୍ରିମ ଉପାୟରେ ଟଙ୍କାକୁ ସୁଦୃଢ଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅବିଚାରିତ ଭାବେ ଡଲାର ବିକ୍ରି କରିବାକୁ ଆଗଭର ନ ହୋଇ କେବଳ ଟଙ୍କା ମୂଲ୍ୟର ଅତ୍ୟଧିକ ଅସ୍ଥିରତାକୁ ରୋକିବା ଲାଗି ବଜାରରେ ହସ୍ତକ୍ଷେପ କରିପାରେ। ଫଳରେ ଅଶୋଧିତ ତେଲ ଲାଗି ଅତ୍ୟଧିକ ଆମଦାନି ନିର୍ଭରଶୀଳତା କାରଣରୁ ଆଗାମୀ ଦିନରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇପାରେ।

ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଆକ୍ଷେପ କରିବାର ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଏହାକୁ ଦେଶର ଅସ୍ମିତା ସହ ଯୋଡ଼ି ଏହା ଦ୍ୱାରା ଦେଶର ସମ୍ମାନ ହାନି ହେଉଛି ବୋଲି କଟାକ୍ଷ କରିଥାଆନ୍ତି। ୨୦୧୩ରେ ୟୁପିଏ ସରକାର ଅମଳରେ ଡଲାର ପିଛା ଟଙ୍କାର ମୂଲ୍ୟ ଯେତେବେଳେ ୬୦ ଟଙ୍କା ଛୁଇଁଲା, ସେତେବେଳେ ବିଜେପି ତରଫରୁ ଟଙ୍କା ଆଇସିୟୁରେ ଅଛି ବୋଲି କୁହାଯାଇଥିଲା। ତେବେ, ଏଭଳି ରାଜନୀତିରୁ ଉପରେ ଥିବା ଅସଲ ଚିନ୍ତାଟି ହେଲା ଟଙ୍କା ପୁଣି କେତେ ଶୀଘ୍ର ସୁଦୃଢ଼ ହେବ ଓ ଜନସାଧାରଣଙ୍କୁ ଦରବୃଦ୍ଧି ଜନିତ ଆର୍ଥକ ବୋଝରୁ ମୁକ୍ତ କରିବାରେ ସହାୟକ ହେବ!

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର