ଗୋଟିଏ କଳା ପ୍ରଦର୍ଶନୀରେ ବୁଲୁଥିବା ସମୟରେ ଏକ ବିଶାଳ ପ୍ରକୋଷ୍ଠରେ ଆସି ପହଞ୍ଚିଥିଲି, ଯାହାର ଆଖପାଖ ମହ ମହ ବାସ୍ନାରେ ଚହଟୁଥିଲା। ଭିତରେ ପଶି ଦେଖିଲି ମୃତ୍ତିକାର ଶଯ୍ୟା ଉପରେ ନାନା କିସମର ଫୁଲର ସମାହାର ସେ ହଲ୍ଟିକୁ ଏକ ଅନନ୍ୟ ଆକର୍ଷଣ ପ୍ରଦାନ କରିଛି। ହେଲେ କଳା ସଂଗ୍ରହାଳୟରେ ପ୍ରସ୍ତର କିମ୍ବା ଅନ୍ୟାନ୍ୟ ଧାତୁର ସ୍ଥାପତ୍ୟ କଳା ଅଥବା ଅଏଲ ପେଣ୍ଟିଂର ଚିତ୍ର କଳା ଦେଖିବାକୁ ମିଳୁଥିବା ବେଳେ ଏମିତି ଏକ ବ୍ୟତିକ୍ରମର କାରଣ କ’ଣ ହୋଇପାରେ ବୋଲି ଭାବୁଥିବା ବେଳେ ମୋ ପ୍ରଶ୍ନିଳ ଆଖି ଦେଖି ସେଠାରେ ଉପସ୍ଥିତ ଜଣେ କଳାକାର କହିଥିଲେ, ‘ପଥର ମୂର୍ତ୍ତିରେ କିମ୍ବା ଅଏଲ ପେଣ୍ଟ୍ରେ କ’ଣ ଏ ବାସ୍ନା ଫୁଟାଇ ହୁଅନ୍ତା?’
କଳା ମାଧ୍ୟମରେ ବାସ୍ତବତାର ସମସ୍ତ ଦିଗ ଅବିକଳ ଫୁଟାଇବା ସମ୍ଭବ ନୁହେଁ। ସତସତିକା ବସ୍ତୁଟିକୁ ଆଖିରେ ଦେଖିଲେ ଦର୍ଶକ ତାହା ବିଷୟରେ ଯାହା ସବୁ ଧାରଣା ମନରେ ରଖିଥାଏ, ତାହା ନିଜ ଆଖି କିମ୍ବା ଅନ୍ୟାନ୍ୟ ଇନ୍ଦ୍ରିୟ ମାଧ୍ୟମରେ ପରଖିନିଏ, ହେଲେ କଳାକୃତିଟିରେ ସେ ଖୋଜି ପାଇଥାଏ କେବଳ କଳାକାର ସେଥିରେ ଫୁଟାଇଥିବା ଦିଗଗୁଡ଼ିକ, ଅନ୍ୟ ଦିଗଗୁଡ଼ିକ ନୁହେଁ। ବସ୍ତୁ ବା ଚରିତ୍ରଟି ବିଷୟରେ ନିଜର ଧାରଣାକୁ ପାଥେୟ କରି ଶିଳ୍ପୀଟିଏ ପଥରରେ ନିହାଣ ଚଳାଇ ଥାଏ, ହେଲେ ଦର୍ଶକ ଆଶା ରଖିଥାଏ ଭାସ୍କର୍ଯ୍ୟଟିକୁ ତା’ ନିଜ ଧାରଣା ଅନୁସାରେ ଦେଖିବ। ଏ ଗୌରଚନ୍ଦ୍ରିକା ଦେବାର କାରଣ ନିକଟ ଅତୀତରେ କିଛି ମୂର୍ତ୍ତିକୁ ନେଇ ପୃଥିବୀର ବିଭିନ୍ନ ଦେଶରେ ବିବାଦ ଦେଖା ଦେଇଛି ଏବଂ ସିଂହ ପ୍ରତିମୂର୍ତ୍ତିକୁ ନେଇ ଆମ ଦେଶରେ ଉପୁଜିଥିବା ବିତର୍କ ହେଉଛି ଏହାର ସଦ୍ୟତମ ଉଦାହରଣ।
ପ୍ରତିମୂର୍ତ୍ତି ବା କଳାକୃତି ଉପରେ ମଣିଷର ଏହି ଅସହିଷ୍ଣୁତା ପଛରେ ରହିଛି କୃତି ପଛରେ ଥିବା ବିଷୟବସ୍ତୁ ବା ବ୍ୟକ୍ତିତ୍ୱ ଉପରେ ବଦଳୁଥିବା ଚିନ୍ତାଧାରା। ବାମିୟାଁର ବିଶାଳ ବୁଦ୍ଧ ପ୍ରତିମୂର୍ତ୍ତି ହୁଏତ ଦିନେ ସେ ଅଞ୍ଚଳର ବାସିନ୍ଦାଙ୍କ ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ କରୁଥିଲା, ହେଲେ ପର କାଳରେ ସେଠାକାର ଅଧିବାସୀଙ୍କ ଧର୍ମ ବଦଳିବା ସହିତ ସେ ମୂର୍ତ୍ତି ହୋଇଉଠିଲା ଧର୍ମହୀନତାର ପ୍ରତୀକ ଓ ତେଣୁ ଅଗ୍ରହଣୀୟ। ମହାପୁରୁଷ ଗାନ୍ଧୀଙ୍କର ଆଦର୍ଶ ବା ଅବଦାନକୁ କେଉଁ ଏକ ରୁଗ୍ଣ ମାନସିକତାର ପ୍ରଭାବରେ ଅଦରକାରୀ ବା ହାନିକାରକ ବୋଲି ବିଚାର କରି ନିକଟରେ କାନାଡ଼ାରେ ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଆଗଲା। ଆମେରିକୀୟ ସେନାର ଇରାକ ଅଧିକାର ପରେ ସ୍ୱେଚ୍ଛାଚାରୀ ସଦ୍ଦାମ ହୁସେନର ଭବ୍ୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଚୂରମାର କରିବା କ୍ରୁଦ୍ଧ ଜନତା ପାଇଁ ଏକ ଉତ୍ସବରେ ପରିଣତ ହୋଇଗଲା। ଗତ କିଛି ବର୍ଷ ହେଲା ଆମେରିକା ଓ ଇଂଲାଣ୍ଡର ବିଭିନ୍ନ ସହରରେ ଅତୀତର ବର୍ଣ୍ଣ-ବୈଷମ୍ୟ କିମ୍ବା କ୍ରୀତଦାସ ପ୍ରଥାର ପୃଷ୍ଠପୋଷକ ନାମଜାଦା ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ବା ବିସ୍ଥାପିତ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ସମୟ ଅନୁସାରେ ବ୍ୟକ୍ତିତ୍ୱର ବିଭିନ୍ନ ଦିଗଗୁଡ଼ିକ ପୁନଃ ଆକଳନ କରାଯାଉଛି ଓ ଆଜିର ଚିନ୍ତାଧାରାର ପରିପନ୍ଥୀ ହେଲେ ସେ ବ୍ୟକ୍ତିତ୍ୱଙ୍କର ସ୍ମୃତି ଚିହ୍ନଗୁଡ଼ିକୁ କ୍ରୋଧର ଶିକାର ହେବାକୁ ପଡୁଛି।
ନିକଟରେ ଆମ ଦେଶରେ ସୃଷ୍ଟି ହୋଇଥିବା ରାଷ୍ଟ୍ରୀୟ ଚିହ୍ନ ସିଂହ ବିତର୍କ ପଛରେ ବି ରହିଛି ଏକ ଭାସ୍କର୍ଯ୍ୟ କଳାକୁ ଆମେ କେଉଁ ଆଖିରେ ଦେଖିବା ତାହାର ପ୍ରଭାବ। ଅଶୋକ ସ୍ତମ୍ଭର ଅସଲି ସିଂହଗୁଡ଼ିକର ମୁଖାବୟବ କୋମଳ ଥିବା ବେଳେ ନୂଆ ପାର୍ଲିଆମେଣ୍ଟ ସଦନ ଉପରେ ସ୍ଥାପିତ ସିଂହ ମୂର୍ତ୍ତିଗୁଡ଼ିକ ହିଂସ୍ରତା ପରିପ୍ରକାଶ କରୁଛନ୍ତି ବୋଲି ବିରୋଧୀ ଦଳମାନଙ୍କର ଅଭିଯୋଗ। ଶାସନରେ ଥିବା କର୍ତ୍ତୃପକ୍ଷଙ୍କର କିନ୍ତୁ ଦୃଢ଼ ମତ ଯେ ମୂଳ ସିଂହମାନଙ୍କ ଚେହେରାର ଅବିକଳ ନକଲ ମାତ୍ର କରାଯାଇଛି; କେବଳ ଉଚ୍ଚତା ଓ ଆକାର ବୃଦ୍ଧି ଯୋଗୁଁ ପାଖରୁ ଦେଖିଲେ ସିଂହଗୁଡ଼ିକ କ୍ରୁଦ୍ଧ ଦେଖା ଯାଉଛନ୍ତି। ଭୂପୃଷ୍ଠରୁ ଦେଖିଲେ ସୁଉଚ୍ଚ ମଣ୍ଡପରେ ସ୍ଥାନିତ ସିଂହ ଗୁଡ଼ିକ ଭିନ୍ନ ଲାଗୁଛନ୍ତି। ଏହି ପ୍ରତିବାଦ ଓ ସ୍ପଷ୍ଟୀକରଣ ସତ୍ତ୍ୱେ ଦେଶର ରାଜନୈତିକ ଚିନ୍ତାଧାରାର ଧ୍ରୁବୀକରଣ ହୋଇ ଯାଇଥିବାରୁ ବେଶ୍ କିଛି ଦିନ ଧରି ବିତର୍କ ଚାଲିଲା। ଯେ କୌଣସି ବିଷୟରେ ଘମାଘୋଟ ବିବାଦଟିଏ ସୃଷ୍ଟି କରିବା ପାଇଁ ଆଜି ଲୋଡ଼ା ଏକ କ୍ଷୁଦ୍ର ସ୍ଫୁଲିଙ୍ଗ, ବିତର୍କର କାରଣ ଯେତେ ଅବାନ୍ତର ହୋଇଥାଉ ନା କାହିଁକି।
ମଣିଷ ସମାଜର ଏକ ସାଂସ୍କୃତିକ ଚିହ୍ନ ହିସାବରେ ସିଂହ ଯେତିକି ଲୋକପ୍ରିୟତା ହାସଲ କରିଛି ତାହା ଅନ୍ୟ କୌଣସି ପଶୁ ପକ୍ଷୀ ଭାଗ୍ୟରେ ଜୁଟେ ନାହିଁ। ଯୁଗ ଯୁଗ ଧରି ସାହସ, ବଳ, ଆତ୍ମ ପ୍ରତ୍ୟୟ, ପ୍ରଚଣ୍ଡତା, ଦମ୍ଭ କି ଗୌରବ ଭଳି ସବୁ କିଛିର ପ୍ରତୀକ ଭାବରେ ବଛାଯାଏ ଏହି ସିଂହକୁ। ଏହି ସବୁ ବିରଳ ଗୁଣ ଦର୍ଶାଉଥିବାରୁ ଓ ପଶୁ ଜଗତ୍ର ସବୁଠୁ ବଳଶାଳୀ ସଦସ୍ୟ ହୋଇଥିବାରୁ ସିଂହକୁ ମିଳିଛି ରାଜକୀୟ ପ୍ରତୀକର ମାନ୍ୟତା। କୌଣସି ଗୋଷ୍ଠୀ ବା ସମାଜକୁ ବାହ୍ୟ ଶତ୍ରୁ କିମ୍ବା ବିପଦରୁ ସୁରକ୍ଷା ପ୍ରଦାନ କରିବାର ଏକ ନିର୍ଭରଯୋଗ୍ୟ ଚିହ୍ନ ଏହି ସିଂହ। ଏଣୁ, ଅନେକ ଦେଶର ଜାତୀୟ ପ୍ରତୀକ ହିସାବରେ କିମ୍ବା ଜାତୀୟ ପତାକାରେ ବା ମନ୍ଦିରର ସିଂହଦ୍ୱାରରେ କି ରାଜାମାନଙ୍କର ସିଂହାସନରେ ସିଂହର ମୂର୍ତ୍ତି ଶୋଭା ପାଇଥାଏ। ହେଲେ ରକ୍ଷାକର୍ତ୍ତାର ପ୍ରତୀକ ହିସାବରେ ବ୍ୟବହୃତ ଏହି ସିଂହର ମୂର୍ତ୍ତିରେ ଶୌର୍ଯ୍ୟ ଓ ଭୀତି ଉଦ୍ରେକକାରୀ ଚେହେରା ସାଙ୍ଗକୁ ଦନ୍ତ ଓ ନଖହୀନ କୋମଳତା ତଥା ଦୟା ଭାବ ଫୁଟାଇବା ଯେ କୌଣସି ମୂର୍ତ୍ତି ନିର୍ମାତା ପାଇଁ ଏକ ଅଯୌକ୍ତିକ ଆହ୍ୱାନ।
ଏଠି ମନେ ରଖିବା ଉଚିତ ଯେ ଆମର ରାଷ୍ଟ୍ରୀୟ ଚିହ୍ନ ସେହି ସିଂହଗୁଡ଼ିକର ପ୍ରତିମୂର୍ତ୍ତି ମାଧ୍ୟମରେ କେବଳ ଦେଶର ଶୌର୍ଯ୍ୟ, ବଳ, ଗରିମା, ଦୟା ଓ ଶାନ୍ତିପ୍ରିୟତା ଇତ୍ୟାଦି ଗୁଣର ପ୍ରମୁଖତା ପ୍ରଦର୍ଶନ କରିବାର ପ୍ରୟାସ କରାଯାଇଛି। ଜାତୀୟ ଚିହ୍ନ ହିସାବରେ ନିର୍ମିତ ସିଂହଗୁଡ଼ିକ ଜୀବନ୍ତ ବନ୍ୟ ପ୍ରାଣୀଗୁଡ଼ିକର ନକଲ ନୁହନ୍ତି, ସେମାନେ କେବଳ ଅମୂର୍ତ୍ତ ଓ ଅସ୍ପର୍ଶନୀୟ ଧାରଣାଗୁଡ଼ିକର ରୂପାୟନ ମାତ୍ର। ସେହି ସିଂହଗୁଡ଼ିକ କେବଳ ଭାବନାର ସିଂହ, ରକ୍ତ ମାଂସର ନୁହନ୍ତି। ତେଣୁ ନୂଆ ମୂର୍ତ୍ତିଟିରେ ସ୍ଥାନିତ ସିଂହଗୁଡ଼ିକର ଦାନ୍ତ ଓ ନଖ ବିଶ୍ଳେଷଣରେ ସମୟ ନଷ୍ଟ ନ କରି ଆସନ୍ତୁ ସମ୍ରାଟ ଅଶୋକଙ୍କର ସେ ସିଂହ-ଚତୁର୍ମୁଖ ପ୍ରଚ୍ଛଦରେ ରହିଥିବା ଭାବନାଗୁଡ଼ିକୁ ମନେ ପକାଇ ଆମର ମହାନ ପରମ୍ପରା ପ୍ରତି ଅନୁରକ୍ତ ହେବା।
ମୋ: ୯୪୩୭୦୮୯୬୫୫