ତାନଜେନଙ୍କ ଭାଷଣ

ସୃଜନ ସମ୍ଭାର - ସୃଜନ ପ୍ରକାଶ ଦାସ

ଗତ କିଛି ଦିନ ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ଖୁବ୍‌ ଅଧିକ ଖୋଜା ପଡିଛି, ସେ ହେଉଛନ୍ତି ତାନଜେନ ଇମନା ଏଲଙ୍ଗ ଲଙ୍ଗ କୁମେର। ୨୦୧୮ ମସିହାରୁ ନାଗାଲାଣ୍ଡ ରାଜ୍ୟ ମନ୍ତ୍ରିମଣ୍ଡଳରେ ସେ ଉଚ୍ଚ ଓ ବୈଷୟିକ ଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ। ୨୦୨୦ ମସିହା ଜାନୁଆରି ମାସରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦାୟିତ୍ୱରେ ସେ ଅଛନ୍ତି। ତାଙ୍କ ବୟସ ୪୧ ବର୍ଷ। ଆପଣମାନେ ପଚାରି ପାରନ୍ତି ଯେ ତାଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ଆଗ୍ରହ କାହିଁକି ବଢ଼ିଛି?

କାରଣ ହେଲା, ଗଲା ଜୁନ ମାସରେ ଦିଲ୍ଲୀର ଇନ୍‌ଷ୍ଟିଚ୍ୟୁସନ କ୍ଲବ୍‌ରେ ‘ହୁଲ ଦିବସ’ (Hul Divas) ପାଳନ ଉପଲକ୍ଷେ ସେ ଦେଇଥିବା ଏକ ଭାଷଣ। ତହିଁରେ ତାଙ୍କ ପ୍ରାଞ୍ଜଳ ଓ ଶୁଦ୍ଧ ହିନ୍ଦୀ ତ ସମସ୍ତ ଶ୍ରୋତାକୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ତା ଠାରୁ ଅଧିକ ଚକିତ କରିଥିଲା ତାଙ୍କର ଚଟୁଳ ହାସ୍ୟରସବୋଧ, ଯାହା ସଭା ସ୍ଥଳରେ ତୀବ୍ର ହାସ୍ୟରୋଳ ସୃଷ୍ଟି କରି ଚାଲିଥିଲା। ଏବଂ ଏହି ଯୁବ ନେତା ଜଣକ କହିବା ଛଳରେ ଏଭଳି ଅନେକ କିଛି କହିଥିଲେ, ଯହିଁରେ ଉତ୍ତର-ପୂର୍ବାଞ୍ଚଳ ଭାରତୀୟମାନଙ୍କ ପ୍ରତି ଅବଶିଷ୍ଟ ଭାରତର ଧାରଣା ଓ ଆଚରଣ ନେଇ ଅନେକ ଅସ୍ବସ୍ତିକର କଥା ରହିଥିଲା। କିନ୍ତୁ, ତାଙ୍କ ବକ୍ତବ୍ୟରେ ତିକ୍ତତା ନ ଥିଲା ଏବଂ ହସେଇ ହସେଇ ବେଦମ୍‌ କରିଦେବା ସହିତ ଶ୍ରୋତାଙ୍କ ମନରେ ଗମ୍ଭୀର ଚିନ୍ତାର ଉଦ୍ରେକ ମଧ୍ୟ କରାଇ ପାରିଥିଲେ।

ଉଦାହରଣଟିଏ ଦେଖନ୍ତୁ। ସେ କହିଥିଲେ- ଉତ୍ତର-ପୂର୍ବ ଭାରତରେ ରହୁଥିବା ମୂଳ ଅଧିବାସୀମାନଙ୍କର ଆଖି ଛୋଟ ବା ଚୀନାମାନଙ୍କ ଭଳି ବୋଲି ଅବଶିଷ୍ଟ ଭାରତରେ ସେମାନେ ବିଦ୍ରୁପର ଶିକାର ହୁଅନ୍ତି। ମାତ୍ର, ସତ କଥା ହେଲା ଏଭଳି ଛୋଟ ଆଖି ଥିବାରୁ ସେମାନେ ସମ୍ଭବତଃ ଦୁନିଆକୁ ଭିନ୍ନ ଭାବେ ଦେଖିଥାଆନ୍ତି; ହୁଏ’ତ ଏହା ଦ୍ୱାରା ସେମାନେ ଅନେକ ଖରାପ କଥା ଦେଖି ପାରନ୍ତି ନାହିଁ; କେବଳ ଭଲ କଥା ଦେଖି ଥାଆନ୍ତି। ଏହି ପ୍ରସଙ୍ଗରେ ସେ ମନେ ପକାଇଥିଲେ ତାଙ୍କର ପୁରୁଣା ଦିନର ଅନୁଭୂତି। ଦିଲ୍ଲୀରେ ପ୍ରଥମ ଥର ଲାଗି ପାଦ ଦେଉଁ ଦେଉଁ ସେ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ଲୋକ ଗହଳି ଦେଖି ତାଙ୍କର ମନେ ହୋଇଥିଲା ଯେ ସମ୍ପୂର୍ଣ୍ଣ ନାଗାଲାଣ୍ଡ ପ୍ରଦେଶର ଜନସଂଖ୍ୟା ଠାରୁ ବୋଧହୁଏ ତାହା ଅଧିକ ହେବ! ୧୯୯୯ ମସିହାରେ ସେ ଆଗ୍ରାର ତାଜମହଲ ଦେଖିବା ଲାଗି ଆସିଥିଲେ। ଟିକେଟ୍‌ କାଟିବା ସକାଶେ ଅନ୍ୟ ଭାରତୀୟମାନଙ୍କ ଭଳି ଧାଡ଼ିରେ ଠିଆ ହୋଇ ପରିଶେଷରେ ଯେତେବେଳେ କାଉଣ୍ଟର ପାଖରେ ପହଞ୍ଚିଲେ, ତାଙ୍କୁ ବିଦେଶୀମାନଙ୍କ ଲାଗି ଉଦ୍ଦିଷ୍ଟ କାଉଣ୍ଟରକୁ ଯିବା ଲାଗି କୁହାଗଲା। ନିଜକୁ ଭାରତୀୟ ଓ ନାଗାଲାଣ୍ଡବାସୀ ବୋଲି କହିବା ସତ୍ୱେ ସୁରକ୍ଷା କର୍ମୀ ବୁଝି ନ ଥିଲେ। ବରଂ ସେ ପଚାରିଥିଲେ- କୋଉ ‘ଲାଣ୍ଡ୍’? ସତେ ଯେମିତି ଫିନଲାଣ୍ଡ ନା ସୁଇଜରଲାଣ୍ଡ ଭଳି ଦେଶରୁ ସେ ଆସିଛନ୍ତି। ସେ ସମୟରେ ବିଦେଶୀ ଯାତ୍ରୀଙ୍କ ଲାଗି ପ୍ରବେଶ ଶୁଳ୍‌କ ଥିଲା ୨୦ ଆମେରିକୀୟ ଡଲାର। ତାଇ‌େଜନ ଅବା ଆଉ କରନ୍ତେ କ’ଣ? ନିଜ ଦେଶର ପ୍ରିୟ ତାଜମହଲକୁ ଦେଖିବା ଲାଗି ବିଦେଶୀ ପର୍ଯ୍ୟଟକଙ୍କ ସହିତ ପ୍ରବେଶ କରିବାକୁ ପଡ଼ିଥିଲା। ତାଇ‌େଜନ କହିଥି‌େଲ ଯେ ତାଙ୍କୁ ନିଜ ଦେଶ ଭିତରେ ବି ଅଜବ ପ୍ରଶ୍ନର ସାମନା କରିବାକୁ ପଡ଼ିଛି: ଯେମିତି ନାଗାଲାଣ୍ଡ କେଉଁଠି? ସେଠାକୁ ଯିବା ପାଇଁ କ’ଣ ଭିସା ଆବଶ୍ୟକ ହୁଏ? ଇତ୍ୟାଦି।

ଏହି ୨୦ ମିନିଟିଆ ଭାଷଣର ଶେଷ ବେଳକୁ ଅ‌ନେକ ଶ୍ରୋତା ତାନଜେନଙ୍କ ସଂପର୍କରେ ଅଧିକ ଜାଣିବା ଲାଗି ଉତ୍ସୁକ ହୋଇ ତାଙ୍କ ପତ୍ନୀ ଓ ପରିବାର ବିଷୟରେ ସବିଶେଷ ଜ୍ଞାନ ଲାଭ କରିବା ଲାଗି ଗୁଗୁଲ୍‌ର ଆଶ୍ରୟ ନେବା ଦେଖା ଯାଇଥିଲ। ତାନଜେନ୍‌ ତାହା ଠଉରାଇ ପାରି ସ୍ବଭାବସୁଲଭ ରସିକତା କରି କହିଥିଲେ- ଆପଣ ତାହା ହେଲେ ମୋ ପତ୍ନୀଙ୍କୁ ଗୁଗୁଲ ସର୍ଚ୍ଚରେ ଖୋଜୁଛନ୍ତି? ମୁଁ ମଧ୍ୟ ଏ ପର୍ଯ୍ୟନ୍ତ ‘ତାଙ୍କୁ’ ଖୋଜୁଛି। ସଭା ସ୍ଥଳ ହାସ୍ୟ ରୋଳରେ ଗୁଞ୍ଜରି ଉଠିଲା।

ଇତିମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ହାତ ବଢ଼ାଇଛନ୍ତି ଦେଶର ଅଗ୍ରଣୀ ଘଟସୁତ୍ର କମ୍ପାନି ‘ସାଦି ଡଟ୍‌ କମ୍‌’ର ମୁଖିଆ ଅନୁପମ ମିତ୍ତଲ। ସେ ଟୁଇଟର୍‌ରେ ଲେଖିଛନ୍ତି- କିଛି ଗୋଟାଏ କରିବାକୁ ପଡ଼ିବ। ଏହାର ଉତ୍ତର ତାନଜେନ ସ୍ବଭାବସୁଲଭ ଢଙ୍ଗରେ ଦେଇ କହିଛନ୍ତି- ଭାଇ, ଏ ପର୍ଯ୍ୟନ୍ତ ତ ମୁଁ ଅନ୍ତତଃ ବିନ୍ଦାସ ଅଛି।

ତାନଜେନଙ୍କ ସେହି ଭାଷଣ ଯେଉଁମାନେ ଶୁଣିଛନ୍ତି, ସେମାନଙ୍କ ମନ ଏକ ଅପୂର୍ବ ମିଶ୍ର ଭାବନାରେ ଭରି ଉଠିଥିବ। ନିଜକୁ ପରିହାସର ପାତ୍ର କରି ଅନ୍ୟ ମୁହଁରେ ହସ ଫୁଟାଇବା ସହିତ ତାନଜେନ୍‌ କଟାକ୍ଷ କରିଥିଲେ ସେହିମାନଙ୍କୁ, ଯେଉଁମାନେ ନିଜକୁ ମୁଖ୍ୟ ସ୍ରୋତୀୟ ଭାରତୀୟ ବୋଲି ବିଚାର କରନ୍ତିି ସିନା, ଅଥଚ ନିଜ ସାଧାରଣ ଜ୍ଞାନର ଅଭାବରୁ ନିଜ ଦେଶର ଲୋକଙ୍କୁ ବିଦେଶୀ ବୋଲି ଭାବନ୍ତି ଏବଂ ସେମାନଙ୍କ ସହିତ ବିଚିତ୍ର ବ୍ୟବହାର ମଧ୍ୟ କରନ୍ତି।

ସତ‌େର ତାନଜେନ ସେ ଦିନ ଆଖି ଖୋଲି ଦେଲେ।

ମୋ- ୯୪୩୮୧୪୯୭୬୧

ସମ୍ବନ୍ଧିତ ଖବର