ସତରଞ୍ଜ ବା ଚେସ୍ ଏକ ପୁରୁଣା ଖେଳ ହେଲେ ମଧ୍ୟ ଏହା ଅଲିମ୍ପିକ୍ସରେ ଖେଳାଯାଏ ନାହିଁ। କିନ୍ତୁ ଏହି ଖେଳ ପାଇଁ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହୋଇଥାଏ। ଏ ଯାଏଁ ୪୩ଟି ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହୋଇ ସାରିଛି। ଚେସ୍ର ଉତ୍ପତ୍ତି ସ୍ଥଳ ଭାବେ ଜଣା ଭାରତ ଏଥର ୪୪ତମ ଚେସ୍ ଅଲିମ୍ପିଆଡ୍ର ଆୟୋଜକ। ତାମିଲନାଡୁର ମହାବଳୀପୁରମରେ ଗତ କାଲି ଠାରୁ ଏହା ଆରମ୍ଭ ହୋଇଛି। ପ୍ରକୃତରେ ରୁଷିଆ ଏଥରର ଚେସ୍ ଅଲିମ୍ପିଆଡ୍ର ଆୟୋଜକ ଥିଲା। କିନ୍ତୁ ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ଆୟୋଜନ ଦାୟିତ୍ୱ ହାତକୁ ନେଇଛି।
୧୯୨୪ ମସିହା ପ୍ୟାରିସ ଅଲିମ୍ପିକ୍ କ୍ରୀଡ଼ାରେ ଚେସ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। ଅଲିମ୍ପିକ୍ସରେ କେବଳ ଅଣପେସାଦାର ଖେଳାଳିମାନେ ଭାଗ ନେବାର ପରମ୍ପରା ରହିଆସିଛି। ତେବେ, ପେସାଦାର ଓ ଅଣାପେସାଦାର ଖେଳାଳି ଚିହ୍ନଟ ସମ୍ଭବ ନ ହେବାରୁ ଚେସ୍ ଅଲିମ୍ପିକ୍ସରେ ସ୍ଥାନ ପାଇ ନଥିଲା। ତେବେ, ୧୯୨୪ ପ୍ୟାରିସରେ ଅଲିମ୍ପିକ୍ସ ଖେଳ ଚାଲିଥିବା ବେଳେ ଆୟୋଜିତ ହୋଇଥିଲା ପ୍ରଥମ ଅଣ-ଆନୁଷ୍ଠାନିକ ଚେସ୍ ଅଲିମ୍ପିଆଡ୍। ୧୮ଟି ଦେଶର ୫୦ରୁ ଅଧିକ ଖେଳାଳି ଏଥିରେ ଭାଗ ନେଇଥିଲେ। ପ୍ରତିଯୋଗିତାର ଉଦ୍ଯାପନୀ ଦିବସରେ ୧୫ଟି ଦେଶର ପ୍ରତିନିଧି ଏକ ଘୋଷଣାନାମାରେ ସ୍ୱାକ୍ଷର କରି ଆନ୍ତର୍ଜାତିକ ଚେସ୍ ମହାସଂଘ ଗଠନ କରିଥିଲେ, ଯାହା କି ‘ଏଫ୍.ଆଇ.ଡି.ଇ.’ ନାମରେ ପରିଚିତ।
‘ଏଫ୍.ଆଇ.ଡି.ଇ.’ର ତତ୍ତ୍ୱାବଧାନରେ ୧୯୨୭ ମସିହାରେ ଲଣ୍ଡନରେ ଆୟୋଜିତ ହୋଇଥିଲା ପ୍ରଥମ ଆନୁଷ୍ଠାନିକ ଚେସ୍ ଅଲିମ୍ପିଆଡ୍।
ତେବେ, ବ୍ରିଟେନର ଚାପ ପ୍ରୟୋଗ ଯୋଗୁଁ ଚେସ୍ ଅଲିମ୍ପିଆଡ୍ରେ କେବଳ ଅଣପେସାଦାର ଖେଳାଳିମାନେ ଭାଗ ନେଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏଥି ଯୋଗୁଁ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେବାରୁ ବଂଚିତ ହେଉଥିଲେ। ପରିଣାମ ସ୍ୱରୂପ ଚେସ୍ ଅଲିମ୍ପିଆଡ୍ର ପ୍ରତିଷ୍ଠା ହ୍ରାସ ପାଇଲା। ଏବେ ପେସାଦାର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି।
ଚେସ୍ର ପାୱାର ହାଉସ ଭାବେ ଖ୍ୟାତ ତତ୍କାଳୀନ ସୋଭିଏତ ସଂଘ ପ୍ରଥମ ଥର ପାଇଁ ୧୯୫୨ ହେଲସିଙ୍କି ଅଲିମ୍ପିଆଡ୍ରେ ଭାଗ ନେଇଥିଲା। ତତ୍କାଳୀନ ସୋଭିଏତ ସଂଘ ଓ ଆଜିର ରୁଷିଆ ଚେସ୍ ଅଲିମ୍ପିଆଡ୍ ଇତିହାସରେ ବେଶ୍ ସଫଳ ପ୍ରଦର୍ଶନ କରିଛନ୍ତି। ୧୯୭୬ ଓ ୧୯୭୮ ସଂସ୍କରଣକୁ ଛାଡ଼ିଦେଲେ ୧୯୯୦ ମସିହା ଯାଏଁ ସବୁ ସଂସ୍କରଣରେ ତତ୍କାଳୀନ ସୋଭିଏତ ସଂଘ ଚାମ୍ପିଅନ ହୋଇଥିଲା। ସୋଭିଏତ ସଂଘର ପତନ ପରେ ବର୍ତ୍ତମାନର ରୁଷିଆ ମଧ୍ୟ ଚେସ୍ ଅଲିମ୍ପିଆଡ୍ରେ ଆଖିଦୃଶିଆ ସଫଳତା ହାସଲ କରିଛି। ୧୯୯୨ ମାନିଲା ଚେସ୍ ଅଲିମ୍ପିଆଡ୍ରେ ରୁଷିଆ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏହା ପରେ ଆଉ ୫ଟି ଚେସ୍ ଅଲିମ୍ପିଆଡ୍ରେ ମଧ୍ୟ ଚାମ୍ପିଅନ ହୋଇଥିଲା। କିନ୍ତୁ ୨୦୦୨ ପରେ ରୁଷିଆର ପତିଆରା ହ୍ରାସ ପାଇଛି।
କୋଭିଡ୍ ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ରେ ଅନଲାଇନ ଅଲିମ୍ପିଆଡ୍ ଆୟୋଜିତ ହୋଇଥିଲା। କିନ୍ତୁ ବିଶ୍ୱବ୍ୟାପୀ କ୍ଲାଉଡ୍ଫ୍ଲେର୍ ସର୍ଭର୍ ଡାଉନ୍ ହୋଇଯିବା ଯୋଗୁଁ ଭାରତୀୟ ପ୍ରତିଯୋଗୀଙ୍କ ପାଇଁ ଅନ୍ଲାଇନ୍ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଉଭୟ ଭାରତ ଓ ରୁଷିଆକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ୨୦୨୧ ଅନ୍ଲାଇନ୍ ଚେସ୍ ଅଲିମ୍ପିଆଡ୍ରେ ଭାରତର ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା।
ବିଶ୍ୱରେ ଚେସ୍ରେ ଏକ ମହତ୍ତ୍ବପୂର୍ଣ୍ଣ ଶକ୍ତି ଭାବେ ମୁଣ୍ଡ ଟେକିଥିଲେ ମଧ୍ୟ ଅଲିମ୍ପିଆଡ୍ରେ ଭାରତର ପ୍ରଦର୍ଶନ ନିରାଶାଜନକ ରହିଛି। ୨୦୧୪ ମସିହା ଚେସ୍ ଅଲିମ୍ପିଆଡ୍ରେ ବ୍ରୋଞ୍ଜ ପଦକ ହିଁ ଏଯାବତ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଏଥର ଭାରତରେ ପ୍ରଥମ ଥର ପାଇଁ ଏହି ଅଲିମ୍ପିଆଡ୍ ଆୟୋଜିତ ହେଉଥିବାରୁ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଭାରତର ପ୍ରଦର୍ଶନ ନିର୍ବିଶେଷରେ ଚେସ୍ର ଚମକ କିନ୍ତୁ ଅବ୍ୟାହତ ରହିବ।
ମୋ-୯୭୦୩୬୯୦୮୪୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/chase-board.jpg)