ଭାରତରେ ରତ୍ନ-ସନ୍ଧାନ

କହିବାର ଅଛି - ଦାଶ ବେନହୁର

ରତ୍ନ ପଥରଜାତୀୟ ହେଲେ ସବୁ ପଥର ରତ୍ନ ବିବେଚିତ ହୁଅନ୍ତି ନାହିଁ। ରତ୍ନପଥର ବିରଳ ଓ ନିଜସ୍ବ ଗୁଣ ଯୋଗୁଁ ଦୁର୍ମୂଲ୍ୟ ମଧୢ। ରତ୍ନର ବିଶେଷଗୁଣ ଲାଗି ରାଶି ରାଶି ପଥର ମେଳରେ ତାହା ଯେମିତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ, କୋଟି କୋଟି ମଣିଷଙ୍କ ଭିତରେ ଶ୍ରେଷ୍ଠତା ଲାଗି ଆମେ କିଛି କିଛି ମଣିଷକୁ ମଧୢ ରତ୍ନର ଆଖ୍ୟା ଦେଉ।

ମଣିଷ ମେଳରେ ରତ୍ନ କିଏ? ସାଧାରଣଭାବେ ବିଶେଷଗୁଣର ଅଧିକାରୀ ବ୍ୟକ୍ତିଟି ରତ୍ନ ଭାବରେ ବିବେଚିତ ହେବାକୁ ହେଲେ ତାଙ୍କର ମୋଟାମୋଟି ସାମାଜିକ ଅବଦାନକୁ ଆମେ ବିଚାରକୁ ନେଉ। ମାନବିକ ଉତ୍କର୍ଷର ପରାକାଷ୍ଠାକୁ ବିଚାର କରି ଏପରି ମର୍ଯ୍ୟାଦା ପ୍ରଦାନ କରାଯାଏ। ରତ୍ନ ସବୁବେଳେ ଉଜ୍ଜ୍ବଳ, ବିରଳ, ନିର୍ମଳ ଓ ଗୁଣାତ୍ମକ। ବାହାରକୁ ମହନୀୟ ଯେମିତି, ଅନ୍ତରୀଣ ଭାବେ ତା’ଠାରୁ ବହୁଗୁଣରେ ଅଧିକ ପ୍ରତିଭାବନ୍ତ ହେଲେ ଯାଇ ମଣିଷଟିଏ ରତ୍ନ ପାଲଟେ। ରତ୍ନ-ପଥର କେବଳ ବିରଳ ନୁହେଁ କି ଉଜ୍ଜ୍ବଳ ନୁହେଁ, ତାହା ମଧୢ ବିଶେଷ ଗୁଣର ଅଧିକାରୀ।

ତେଣୁ ମନରେ ପ୍ରଶ୍ନ ଆସେ ମଣିଷ-ରତ୍ନର ସେ ବିଶେଷ ଗୁଣଗୁଡ଼ିକ କ’ଣ? ମାନବିକ ଉତ୍କର୍ଷର ପରାକାଷ୍ଠା ପ୍ରଦର୍ଶନକାରୀ ସେ ବିଭୂତିଗୁଡ଼ିକର ପରିଚୟ କି’ଭଳି? ଜଣେ ବଳଶାଳୀ, ସୁନ୍ଦର ସୌଷ୍ଠବଯୁକ୍ତ ବା ସଦ୍‌ବ˚ଶଜ ଧନଶାଳୀ କ’ଣ ଆପେ ରତ୍ନ ବିବେଚିତ ହୁଅନ୍ତି? ଅନେକ ଅଛନ୍ତି ଯେଉଁମାନେ କେତେକ କୌଶଳରେ ପାରଦର୍ଶୀ। ସେମାନେ କ’ଣ ରତ୍ନ? ଧରାଯାଉ ଜଣେ ପଥର ଖାଇ ହଜମ କରି ଦେଉଛନ୍ତି, ସେ କ’ଣ ରତ୍ନ? ଉତ୍କୃଷ୍ଟ ତଥା ଅବିଶ୍ବାସ୍ୟ ଭାବେ ବାଡ଼ି ବୁଲେଇପାରୁଥିବା ଜଣେ ବ୍ୟକ୍ତିଙ୍କୁ କ’ଣ ଆମେ ରତ୍ନ କହିବା?

ଅସଲରେ ମାନବିକ ଉତ୍କର୍ଷର ମହନୀୟ ଦିଗଗୁଡ଼ିକ ହେଉଛି ଦୟା, କ୍ଷମା, ତ୍ୟାଗ, ତିତିକ୍ଷା, କରୁଣା, ପରୋପକାର, ସ୍ନେହ, ପ୍ରେମ ଓ ସତ୍ୟାନୁଶୀଳତା। ଏସବୁ ଗୁଣ ନ ଥାଇ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିଲେ ଆମେ ତାଙ୍କୁ କୁଶଳ, ବିରଳ ତଥା ଉଜ୍ଜ୍ବଳ କହିପାରିବା ମାତ୍ର ନିର୍ମଳ କହିପାରିବା ନାହିଁ। ନିର୍ମଳତା ବାହ୍ୟ ଦିଗରୁ ଯେତେ ନୁହେଁ ତା’ଠାରୁ ଅଧିକ ନିହିତଥାଏ ଅଭ୍ୟନ୍ତରରେ। ରତ୍ନପଥରକୁ ନିର୍ମଳ କରିବା ପାଇଁ ବାହାରେ ତା’ ଦେହରେ ନିହାଣ ବସେ ହେଲେ ଅଭ୍ୟନ୍ତରରେ ତାହା ଶୁଦ୍ଧ ଥିବା ଚାହି। ଏହି ନିର୍ମଳତା ଓ ଶୁଦ୍ଧତା ହିଁ ରତ୍ନର ମାପକାଠି। ରତ୍ନପଥରକୁ ବାଛିବା ପାଇଁ ତା’ର ରଙ୍ଗ ବା ଉଜ୍ଜ୍ବଳତା, ନିର୍ମଳତା, କୁଟିକମରୂପ ତଥା ଓଜନକୁ ପରଖ କରାଯାଏ। ସେଇଭଳି ମଣିଷଙ୍କ ଭିତରେ ରତ୍ନ ସନ୍ଧାନ କରିବା ସକାଶେ ସବୁଠାରୁ ମୂଲ୍ୟବାନ ଦିଗଟି ହେଲା ତାଙ୍କର ବ୍ୟକ୍ତିଗତ, ସାମାଜିକ ଓ ସାମୂହିକ ଦିଗର ବିଶ୍ଳେଷଣ। ସମାଜ ଓ ସମୂହ ସକାଶେ ତାଙ୍କର ତ୍ୟାଗ କ’ଣ, ଅବଦାନ କ’ଣ? ଯେ ତ୍ୟାଗ ସହିନି, ଯେ ସମୂହ ଲାଗି କଷ୍ଟ ସହିନି ସେ ରତ୍ନ ହେବେ କେମିତି?

ଏଇସବୁ କଥା ଆଖିରେ ରଖି ସ୍ବାଧୀନ ଭାରତରେ ମାନବୀୟ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆରମ୍ଭ ହେଲା ବେସାମରିକ ପୁରସ୍କାରର ବ୍ୟବସ୍ଥା। ଏ ପୁରସ୍କାର ପରିଚୟର। ଟଙ୍କା ପଇସାର ନୁହେଁ। ଅତୀତରେ କାଳେ କାଳେ ରାଜା ମହାରାଜାମାନେ ବିଭିନ୍ନ ଦିଗରେ ବିଶେଷ ପାରଙ୍ଗମତା ହାସଲ କରିଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଉପାଧି ପ୍ରଦାନ କରୁଥିଲେ। ମୋଗଲ ଅମଳରେ ତାହା ଥିଲା ଓ ଇ˚ରେଜ ଅମଳରେ ବି ରହିଥିଲା। ରାୟଶ୍ରୀ, ରାୟବାହାଦୁର, ଦେବାନ୍‌ ବାହାଦୁର ଭଳି ଉପାଧି ଇଂରେଜମାନେ ସୃଷ୍ଟି କଲେ। ସ୍ବାଧୀନ ଭାରତରେ ଉଭୟ ସାମରିକ ଓ ବେସାମରିକ ସ୍ତରରେ ମଧୢ ଏଭଳି ଶୋଭା-ସମ୍ମାନ ବଳବତ୍ତର ରହିଛି। ସାମରିକ ସ୍ତରରେ ସୌର୍ଯ୍ୟ ଚକ୍ର, କୀର୍ତ୍ତି ଚକ୍ର, ପରମବୀର ଚକ୍ର ଓ ଅଶୋକ ଚକ୍ର ପରି ସମ୍ମାନ। ବ୍ୟକ୍ତିଗତ ଉତ୍କର୍ଷର ପରାକାଷ୍ଠାକୁ ବେସାମରିକ ସ୍ତରରେ ସମ୍ମାନିତ କରିବା ନିମନ୍ତେ ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଓ ଭାରତରତ୍ନ ଭଳି ଉଚ୍ଚ ଶୋଭା-ସମ୍ମାନର ବ୍ୟବସ୍ଥା ମଧୢ କରିଛନ୍ତି।

ଏଇଠି ମନେ ରଖିବା ଆବଶ୍ୟକ ଯେ ପରାଧୀନ ବା ପ୍ରାଚୀନ ଭାରତର ଏ ସମ୍ମାନକୁ ପ୍ରାୟତଃ ସମସ୍ତେ ଉପାଧି ଭାବରେ ବ୍ୟବହାର କରୁଥିଲେ। କିଏ ଥିଲେ ବକ୍‌ସି ତ କିଏ ଦେବାନ ବାହାଦୁର‌୍‌। ହେଲେ ସ୍ବାଧୀନ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଯୋଗୁଁଁ ଭେଦାଭେଦ ଦୂର କରିବା ସକାଶେ କୌଣସି ଉପାଧିକୁ ସାଙ୍ଗିଆ ରୂପେ ବ୍ୟବହାର ନ କରିବା ପାଇଁ ସାମ୍ବିଧାନିକ ଭାବରେ ବାରଣ କରାଯାଇଛି। ସମ୍ବିଧାନର ୧୮ ଧାରା ଅନୁସାରେ ବିଦ୍ୟା ଓ ସାମରିକପଦ ସମ୍ପର୍କିତ ଉପାଧି ବ୍ୟତୀତ ଅନ୍ୟ କୌଣସି ଉପାଧି ପ୍ରଦାନ କରାଯାଇପାରିବ ନାହିଁ କି କେହି ଭାରତୀୟ ନାଗରିକ କୌଣସି ବିଦେଶୀ ରାଷ୍ଟ୍ରରୁ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା ଉପାଧି ଗ୍ରହଣ କରିପାରିବେ ନାହିଁ।

ସବୁଠାରୁ ବଡ଼ କଥା ହେଲା ପଦ୍ମ ପୁରସ୍କାର ବା ଭାରତରତ୍ନ ସମ୍ମାନ ଉପାଧି ହିଁ ନୁହନ୍ତି। ଏ ସମସ୍ତ ଶୋଭା-ସମ୍ମାନ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବାରମ୍ବାର ବିଭିନ୍ନ ରାୟରେ ଏ ସମ୍ପର୍କରେ ନାଗରିକ ସମାଜକୁ ଅବଗତ କରାଇଥିଲେ ମଧୢ ଏବେ ବି ଅନେକ ବ୍ୟକ୍ତି ଏ ସମ୍ମାନକୁ ଉପାଧି ଭାବରେ ବ୍ୟବହାର କରନ୍ତି ଓ ବକ୍ତବ୍ୟରେ ତଥା ବିବରଣୀରେ, ସଭାସ୍ଥଳ ଓ ଖବରକାଗଜରେ ପଦ୍ମଶ୍ରୀ ଅମୁକ, ପଦ୍ମଭୂଷଣ ଅମୁକ ଆଦି ଉପଯୋଗ କରନ୍ତି। ଏଭଳି କାର୍ଯ୍ୟ ସମ୍ବିଧାନ ବିରୋଧୀ। ତଥାପି ପୁରାତନ ପରମ୍ପରାର ବଶବର୍ତ୍ତୀ ହୋଇ ଅନେକ ଜାଣିବା ଶୁଣିବା ଲୋକ ମଧୢ ଏ ଭୁଲ୍‌ କରିବସନ୍ତି।

ଉପାଧି ଯେ ମଣିଷ ମଣିଷ ଭିତରେ ଭେଦାଭେଦ ସୃଷ୍ଟି କରେ ଏ କଥା ଆମ ସମ୍ବିଧାନ ତିଆରି କରିଥିବା ମନୀଷୀଗଣ ଠିକ୍‌ ବୁଝିପାରିଥିଲେ। ଜାଣିବା ଦରକାର ଯେ ରତ୍ନମାନଙ୍କ ପାଖରେ ଉପାଧି ଲଗାଇ ହୀରାରତ୍ନ କି ନୀଳାରତ୍ନ କୁହାଯାଏ ନାହିଁ। ଥରେ ରତ୍ନ ବୋଲି ଚିହ୍ନିତ ହୋଇଗଲେ ତାହା ରତ୍ନ, ଆଉ ରତ୍ନ କହି ଚିହ୍ନେଇବା ଅନାବଶ୍ୟକ।
ସ୍ବାଧୀନ ଭାରତରେ ମାନବୀୟ ଉତ୍କର୍ଷର ସନ୍ଧାନ କରି ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଓ ଭାରତରତ୍ନ ଭଳି ଶୋଭା-ସମ୍ମାନର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ୧୯୫୪ରୁ। ସେଥିରୁ ପ୍ରଥମ ତିନିଗୋଟି ସମ୍ମାନ ବା ପୁରସ୍କାର କଳା, ଶିକ୍ଷା, ଶିଳ୍ପ, ସାହିତ୍ୟ, ବିଜ୍ଞାନ, ଅଭିନୟ, ଭେଷଜ ବିଦ୍ୟା, ସାମାଜିକ ସେବା ଓ ଜନସାଧାରଣରେ ମହତ କାର୍ଯ୍ୟ ଲାଗି ପ୍ରଦାନ କରାଯାଇଥାଏ। କିନ୍ତୁ ଭାରତରତ୍ନର ବିଚାର ଟିକେ ଅଲଗା। ୧୯୫୪ରୁ ଏହା କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଦିଗରେ ମହନୀୟ ଅବଦାନ ଲାଗି ଉଦ୍ଦିଷ୍ଟ ଥିଲା, ମାତ୍ର ୨୦୧୧ରୁ ଏଥିରେ ‘‘ମାନନୀୟ ପ୍ରଚେଷ୍ଟାର ଯେ କୌଣସି କ୍ଷେତ୍ର’’ରେ ଉତ୍କର୍ଷ ସାଧନ କ୍ଷେତ୍ରରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସ୍ମରଣ ରହିବା ଆବଶ୍ୟକ ଯେ ଏଠାରେ ‘‘ମାନନୀୟ’’ ଶବ୍ଦଟି ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପୁରସ୍କାର କହିଲେ ସେଥିରେ ଯୋଡ଼ାଥାଏ ଅର୍ଥରାଶି। ମାତ୍ର କୌଣସି ପଦ୍ମସମ୍ମାନ ବା ଭାରତରତ୍ନରେ ଅର୍ଥ ରାଶି ନ ଥିବାରୁ ଏହା ପୁରସ୍କାର ବଦଳରେ ପରମ ସମ୍ମାନ ଭାବେ ବିବେଚିତ ହେବା ବିଧେୟ।

ଜାତୀୟ ପ୍ରତିଷ୍ଠା ଦିଗରୁ ଭାରତରତ୍ନ ସମ୍ମାନ ଲାଭ କରିଥିବା ବ୍ୟକ୍ତି ଦେଶର ଉତ୍ସବାନୁଷ୍ଠାନଗୁଡ଼ିକରେ ସମ୍ମାନକ୍ରମର ସପ୍ତମ ସ୍ଥାନ ଅଧିକାର କରିଥାନ୍ତି। ଏହା ମଧୢ କୌଣସି ଆଇନଗତ ଅଧିକାର ନୁହେଁ, କେବଳ ଏକ ମର୍ଯ୍ୟାଦା ମାତ୍ର।

ଏ ପ୍ରବନ୍ଧର ମୂଳକଥାଟି ହେଲା ଭାରତରେ ରତ୍ନ-ସନ୍ଧାନ। ଭାରତ-ରତ୍ନ ଏ ବିଶାଳ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ସମ୍ମାନ ପ୍ରଦାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ହିଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥାନ୍ତି। ୧୯୫୪ ଠାରୁ ୨୦୨୨ ପର୍ଯ୍ୟନ୍ତ ମାତ୍ର ୪୮ ଜଣ ଏ ସମ୍ମାନ ଲାଭ କରିଛନ୍ତି। ଏବେ ମରଣୋତ୍ତର ଭାବେ, ପୁଣି ବିଦେଶୀ ନାଗରିକଙ୍କୁ ମଧୢ ଏ ସମ୍ମାନ ପ୍ରଦାନ କରାଯାଉଛି। ୧୯୭୭ରେ ଜନତା ପାର୍ଟି ସରକାର ଭାରତରତ୍ନ ପ୍ରକ୍ରିୟାକୁ ବନ୍ଦ କରି ଦେଇଥିଲେ। ୧୯୮୦ରେ ପୁଣି କ˚ଗ୍ରେସ ଦଳ କ୍ଷମତାସୀନ ହେବା ପରେ ଏହା ଏ ଯାଏ ବଳବତ୍ତର ରହିଛି। ଭାରତରତ୍ନର ନିୟମ ଅନୁସାରେ ଥରକେ କୌଣସି ସମ୍ବତ୍ସରରେ ତିନିଜଣରୁ ଅଧିକ ବ୍ୟକ୍ତିଙ୍କୁ ଏ ସମ୍ମାନ ପ୍ରଦାନ କରାଯାଇପାରିବ ନାହିଁ। ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରନେତା ନେଲସନ୍‌ ମାଣ୍ତେଲା ଓ ସୀମାନ୍ତ ଗାନ୍ଧୀ ରୂପେ ପରିଚିତ ଓ ପରେ ପାକିସ୍ତାନର ଅଧିବାସୀ ହୋଇଥିବା ଖାନ୍‌ ଅବଦୁଲ୍‌ ଗଫର ଖାନ୍‌ଙ୍କୁ ମଧୢ ଏ ସମ୍ମାନ ପ୍ରଦାନ କରାଯାଇଛି।

ଅତଏବ ମୋଟାମୋଟି କହିବାକୁ ଗଲେ ଭାରତର ଏ ରତ୍ନ-ସନ୍ଧାନ ପ୍ରକ୍ରିୟା ଆଞ୍ଚଳିକ ହିଁ ନୁହେଁ। ବିଶ୍ବବ୍ୟାପୀ ଏହାର ସନ୍ଧାନ। ନିକଟରେ ଆତତାୟୀ ହାତରେ ପ୍ରାଣତ୍ୟାଗ କରିଥିବା ଜାପାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଯେ ପଦ୍ମବିଭୂଷଣ ଉପାଧିରେ ବିଭୂଷିତ କରାଯାଇଥିଲା ତାହା ଏହି ମହତ୍ତର ସନ୍ଧାନ ପ୍ରକ୍ରିୟାର ଅ˚ଶବିଶେଷ ମାତ୍ର।

ମନରେ ପ୍ରଶ୍ନ ଉଠିପାରେ, ମଣିଷ ମେଳରୁ ରତ୍ନମାନଙ୍କୁ ଖୋଜି ଏ ପରମ ସମ୍ମାନ ପ୍ରଦାନ କରାଯିବାରେ ଲାଭ କେଉଁଠି? କ୍ଷତି କଥା କହିବା ନାହିଁ କାରଣ କ୍ଷତିର ଆଭାସ ଥିଲେ ଏହା ମୋଟେ କାର୍ଯ୍ୟକାରୀ ହୁଅନ୍ତା ନାହିଁ। କେବଳ ଯାହା ଯୁକ୍ତି ତାହା ଉପଯୁକ୍ତ ବ୍ୟକ୍ତି ଚୟନର ପ୍ରକ୍ରିୟାକୁ ନେଇ।

ଏ ଯାବତ୍‌ ୪୮ ଜଣ ଏହି ଭାରତରତ୍ନ ସମ୍ମାନରେ ବିଭୂଷିତ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ପ୍ରାୟ ୧୬ ଜଣଙ୍କୁ ମରଣୋତ୍ତର ଭାବେ ଏ ପରମ ସମ୍ମାନ ପ୍ରଦାନ କରାଯାଇଛି। ଗତ ୨୦୧୯ରେ ଏକାଥରେ ତିନିଜଣ ମନୀଷୀଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଛି। ନାନାଜୀ ଦେଶମୁଖ ସମାଜସେବୀ ଭାବରେ, ପ୍ରଣବ ମୁଖାର୍ଜୀ ରାଜନେତା ଭାବରେ ଏବ˚ ଭୂପେନ୍‌ ହଜାରିକା ଜଣେ ଉଚ୍ଚ ସା˚ସ୍କୃତିକ ବ୍ୟକ୍ତିତ୍ବ ଭାବରେ ଏ ସମ୍ମାନ ଲାଭ କରିଥିଲେ। ୨୦୧୫ରେ ଏ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ଉଚ୍ଚ ରାଜନୈତିକ ସେବା ସକାଶେ ଜୀବିତାବସ୍ଥାରେ ଦିଆଯାଇଥିବା ବେଳେ ମରଣୋତ୍ତର ଭାବେ ମଦନମୋହନ ମାଲବ୍ୟଙ୍କୁ ଜଣେ ଶିକ୍ଷାଶାସ୍ତ୍ରୀ ଓ ଶିକ୍ଷାସ˚ସ୍କାରକ ଭାବେ ପ୍ରଦାନ କରାଯାଇଛି। ପଣ୍ତିତ ମଦନମୋହନ ମାଲବ୍ୟ ମହୋଦୟ ୧୮୬୧ ମସିହାରେ ଜନ୍ମ ହୋଇ ୧୯୪୬ରେ ପ୍ରାଣତ୍ୟାଗ କରିଥିଲେ। ସେତେବେଳକୁ ନା ଦେଶ ସ୍ବାଧୀନ ହୋଇଥିଲା ନା ଭାରତରତ୍ନ ପୁରସ୍କାରର ମୂଳଦୁଆ ପଡ଼ିଥିଲା।

ଏଇଥିରୁ ଅନୁମେୟ ଯେ ଏବେ ଭାରତବର୍ଷର ରତ୍ନ ସନ୍ଧାନ ନା ଭାରତ ଭିତରେ ସୀମିତ ନା ନିକଟ ଅତୀତର ସମୟ ସୀମା ଭିତରେ ତାହା ସୀମାବଦ୍ଧ। ସାଧାରଣରେ ଯେଉଁ ବ୍ୟକ୍ତି ଦିବଙ୍ଗତ ତାଙ୍କୁ ଭାରତରତ୍ନ ଦେଇ ଦେଶ ବା ଜାତି କ’ଣ ହାସଲ କରେ? ବ୍ୟକ୍ତିଗତ ସ୍ତରରେ ଭାରତରତ୍ନ ପ୍ରାପ୍ତଙ୍କ ପରିବାର ଯେହେତୁ ଏ ସମ୍ମାନରୁ କୌଣସି ଲାଭ ଉଠାଇବାର ନାହିଁ ତାହା ପରୋକ୍ଷରେ ଭାରତର ଜନସାଧାରଣଙ୍କୁ ଲାଭାନ୍ବିତ କରେ ବୋଲି ବୁଝିବାକୁ ହେବ।

ସେ ଲାଭଟି କ’ଣ?

ଗୋଟିଏ ନୁହେଁ, ଦୁଇଟି ଲାଭ। ଗୋଟିଏ ହେଉଛି କୃତଜ୍ଞାତର ଲାଭ ଓ ଅନ୍ୟଟି ହେଉଛି ଆଦର୍ଶର ଅନୁରଣନରେ ଦେଶ, ଜାତି ଓ ଜନସମୂହ ଲାଭାନ୍ବିତ ହେବାର ମହତ୍ତର ପ୍ରକ୍ରିୟା। କୃତଜ୍ଞତାର ଲାଭ, ଉଭୟ ବ୍ୟକ୍ତି ଓ ସମୂହକୁ ନମ୍ର କରେ ତଥା ଶିକ୍ଷାମନସ୍କ କରେ। ଯିଏ ଅକୃତଜ୍ଞ ସେ ଆଉ ଶିକ୍ଷିତ ହୋଇପାରେନା। ଦ୍ବିତୀୟଟି ହେଉଛି ଜଣେ ମନୀଷୀଙ୍କ ଦ୍ବାରା ଉଦ୍ଭାବିତ ବା ଆବିଷ୍କୃତ ପଦ୍ଧତି ଅବଲମ୍ବନରେ ସମାଜ ଯେ ଆଗକୁ ଆଗାଏ ଏ ନେଇ ଦ୍ବିରୁକ୍ତି କରିବାର କିଛି ନାହିଁ। ବ୍ୟକ୍ତି ସମ୍ମାନିତ ହେଲେ ତାଙ୍କର ଅବଦାନ ଓ ଆଦର୍ଶ ସମ୍ମାନିତ ହୁଏ ଏବ˚ ଏ ସମ୍ମାନ ଗୋଟାଏ ଜାତିକୁ ପ୍ରଚୋଦିତ କରିବାରେ ସାହାଯ୍ୟ କରେ।

ଏ ସମସ୍ତ ଦିଗକୁ ବିଚାରକୁ ନେଲେ ତତ୍‌କାଳୀନ ଭାରତର ସବୁଠାରୁ ଅବହେଳିତ ବ୍ୟକ୍ତି ହେଉଛନ୍ତି ଓଡ଼ିଶାର କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ। ଆବିର୍ଭାବ ୧୮୪୮ ଓ ତିରୋଧାନ ୧୯୩୪। ସେ ହିଁ ପୂର୍ବାଞ୍ଚଳ-ଭାରତର ସବୁଠାରୁ ମହନୀୟ ବ୍ୟକ୍ତିତ୍ବ ଯାହାଙ୍କର ଅନୁପ୍ରେରଣା ଦ୍ବାରା ସମଗ୍ର ଭାରତ ଲାଭାନ୍ବିତ ହୋଇଛି। ରାଜନୀତିର ପଦପଦବିର ଇତିହାସଠାରୁ ଆରମ୍ଭ କରି ସାମାଜିକ ତଥା ସା˚ସ୍କୃତିକ ଚେତନା ସ୍ତରରେ ତାଙ୍କର ଅବଦାନକୁ ଗାନ୍ଧୀଜୀ, ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ ନେହରୁ, ଶ୍ୟାମାପ୍ରସାଦ ମୁଖାର୍ଜୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଦିଗ୍‌ଗଜମାନେ ସୁଦ୍ଧା ସ୍ବୀକାର କରିଛନ୍ତି। ଜଣକର ମହନୀୟ ଅବଦାନକୁ ସମ୍ମାନିତ କଲେ ସେ ନିଜେ ସେଥିରୁ କିଛି ଲାଭ ପାଆନ୍ତି ନାହିଁ। ଲାଭ ପାଆନ୍ତି ଉତ୍ତର ପିଢ଼ି। କୃତଜ୍ଞତା ପ୍ରକାଶ ପାଏ। ବାଟ ଦିଶେ। ହୃଦୟରେ ଅନୁପ୍ରେରଣା ଆସେ। ଜାତି ମୁଣ୍ତ ଟେକେ।

ଭାଷା ଆଧାରରେ ଯେ ଜାତି ଗଠିତ ହୁଏ ଏ ମନ୍ତ୍ର ଭାରତର ମଧୁସୂଦନ ହିଁ ପ୍ରଥମେ ଆରମ୍ଭ କରିଥିଲେ। ଧର୍ମକୁ ଧରି ରାଷ୍ଟ୍ର କି ଜାତି ଗଠିତ ହୁଏନା। ତା’ହେଲେ ତ ସାରା ଇଉରୋପ ବା ଇସଲାମୀ ପାକିସ୍ତାନ ଗୋଟେ ହୋଇ ରହିପାରିଥାନ୍ତେ। ଇଉରୋପର ମୂଳଧର୍ମ ଖ୍ରୀଷ୍ଟଧର୍ମ। ବା˚ଲାଦେଶ ଯେ ତିଆରି ହେଲା ତାହା କେବଳ ଭାଷାକୁ ଧରି! ଏହାର ଅନେକ ପୂର୍ବରୁ ମଧୁସୂଦନ ଦାସ ହିଁ କହିଥିଲେ, ଗୋଟିଏ ଜାତିର ସୀମା ସେଇଯାଏ ପରିବ୍ୟାପ୍ତ ଯେ ଯାଏ ତା’ର ମୂଳଭାଷାଟି ସମ୍ପ୍ରସାରିତ ଓ କଥିତ। ସେଇ ଆଧାରରେ ଆଜିର ଭାରତବର୍ଷର ପ୍ରଦେଶ ଗୁଡ଼ିକ ଗଠିତ। ପ୍ରଦେଶର ପରିଚୟ ଧରି ବସିଛନ୍ତି ସମସ୍ତେ ଅଥଚ ପ୍ରଦେଶ ପରିଚୟର ମନ୍ତ୍ରଦାତାଙ୍କୁ ସମ୍ମାନିତ କରିବା ଲାଗି ଦେଶ ପ୍ରସ୍ତୁତ ହୋଇନାହିଁ ଏ ଯାଏ।

ସ୍ବଦେଶୀ ଶିଳ୍ପର ବିକାଶ ବିନା କୌଣସି ଜାତି ଉଠିବା ଅସମ୍ଭବ। ଲୋକଙ୍କର ଧାରଣା ୧୯୦୫ର ବଙ୍ଗଭଙ୍ଗ ସ୍ବଦେଶୀ ଆନ୍ଦୋଳନକୁ ଜନ୍ମଦେଲା ଓ ଗାନ୍ଧୀଜୀ ହେଉଛନ୍ତି ‘‘ସ୍ବଦେଶୀ’’ର ଉଦ୍‌ଭାବକ। ଅଥଚ ସ୍ବଦେଶୀ ଶିଳ୍ପର ଆଦ୍ୟ ଉନ୍ମେଷ ଘଟାଇଥିଲେ ମଧୁସୂଦନ। ୧୯୦୪ରୁ ନିଜ ଅର୍ଜିତ ଅର୍ଥ ଖର୍ଚ୍ଚ କରି ସେ ଚରଖା ଆନ୍ଦୋଳନ ଆରମ୍ଭ କରିଥିଲେ ଓଡ଼ିଶାରେ। ୧୮୯୭ରେ ଶିଳ୍ପ କାରଖାନା ଗଢ଼ି ସ୍ବଦେଶୀ ଶିଳ୍ପକୁ ବିକଶିତ କରିବା ସହ ସେଇ ବର୍ଷ ସେ ବିଲାତ ଯାଇ ଉତ୍କଳୀୟ କଳା ଓ ଶିଳ୍ପର ପ୍ରଦର୍ଶନୀ କରିଥିଲେ। କୃଷି ପ୍ରଧାନ ଭାରତରେ ଗୋରୁଗାଈ ଥିଲେ ମୂଳ। ସେମାନଙ୍କ ଚମଡ଼ା ଅକାରଣରେ ନଷ୍ଟ ହେଉଥିଲା। ସ୍ବଦେଶୀ ଏ କଞ୍ଚାମାଲ ସହ ସ୍ବଦେଶୀ ଉପଜାତ ସାମଗ୍ରୀ ପ୍ରୟୋଗରେ ସେ ଗଢ଼ିଥିଲେ ଉତ୍କଳ ଟ୍ୟାନେରି ୧୯୦୫ରେ। ଯାହାକୁ ପରେ ୧୯୨୫ରେ ଗାନ୍ଧୀଜୀ ଦେଖି ଚମତ୍କୃତ ହୋଇଥିଲେ। ସାବରମତୀ ଆଶ୍ରମରେ ଚମଡ଼ା କାରଖାନାଟିଏ ବସେଇବା ପାଇଁ ପରାମର୍ଶ ମାଗିଥିଲେ ମଧୁସୂଦନଙ୍କ ଠାରୁ।

ଛୁଆଁ ଅଛୁଆଁର ଦୂରୀକରଣ ଲାଗି କିଏ ଚେଷ୍ଟା କରିଥିଲା କହିଲେ ଲୋକେ ମହାତ୍ମା ଜ୍ୟୋତିରାଓ ଫୁଲେ ଓ ମହାତ୍ମା ଗାନ୍ଧୀଙ୍କ କଥା କହନ୍ତି। ମାତ୍ର ମଧୁସୂଦନ ଦାସ ହିଁ ୧୯୦୫ରେ ଉତ୍କଳ ଟ୍ୟାନେରି ଗଢ଼ି ଆରମ୍ଭ କରିଥିଲେ ଅସ୍ପୃଶ୍ୟତାର ଉଚ୍ଛେଦନ ପ୍ରକ୍ରିୟା। ବ୍ରାହ୍ମଣ ମ୍ୟାନେଜରଙ୍କ ସହ ବିଭିନ୍ନ ବର୍ଗର ଦଳିତ ମିଶି ଏକାଠି କାମ କରୁଥିଲେ। ନିଜେ ପ୍ରୋପ୍ରାଇଟର୍‌ ଥିଲେ ଖ୍ରୀଷ୍ଟିଆନ୍‌। ଅନ୍ୟମାନେ ଥିଲେ ହିନ୍ଦୁ ଓ ମୁସଲମାନ୍‌।

ଆଜିଯାଏ ସ୍ବାଧୀନ ଭାରତରେ ଜେଲ୍‌ ଫେରନ୍ତା କଏଦୀମାନଙ୍କର ଥଇଥାନ କଥା କେଉଁ ମନୀଷୀ ଚିନ୍ତା କରିଛନ୍ତି? ମଧୁସୂଦନ କଟକ ଜିଲ୍ଲା ବୋର୍ଡରେ ଥାଇ ସେ କାଳୁ ଏହି ଜେଲ-ମୁକୁଳା କଏଦୀମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ବ୍ୟାୟାମ ଶିକ୍ଷକ ନିଯୁକ୍ତି ଦେଇ ଆରମ୍ଭ କରିଥିଲେ ଏକ ଅଭିନବ ପ୍ରକ୍ରିୟା ଯାହାର ଦୃଷ୍ଟାନ୍ତ ଏବେ ସୁଦ୍ଧା ବିରଳ। ନାରୀ ଶିକ୍ଷାଠାରୁ ଆରମ୍ଭ କରି ଶାରୀରିକ ଶିକ୍ଷା, ଶିଳ୍ପ ଶିକ୍ଷା ଓ ଯୁବକମାନଙ୍କୁ ସାମାଜିକ ପ୍ରକ୍ରିୟା ସହ ସାମିଲ କରିବାର ମନୋଭାବ ମଧୁସୂଦନ ଯେତେବେ‌େଳ ଆରମ୍ଭ କରିଥିଲେ ସେତେବେଳେ ଆଜି ଆମେ ମୁଣ୍ତରେ ବସାଇଥିବା ସାଆନ୍ତମାନେ ଦୃଶ୍ୟମାନ ସୁଦ୍ଧା ନ ଥିଲେ। ୧୮୮୨ ପରେ ଲୁଣମରାକୁ ବ୍ରିଟିସ୍‌ ସରକାର ନିଜକୁ ହାତକୁ ନେଲେ। ତା’ର ପ୍ରଥମ ଲିଖିତ ଅଭିଯୋଗ କରିଥିଲେ ମଧୁସୂଦନ।

ଯୁକ୍ତି କରାଯାଏ ଯେ ୧୮୮୫ର କ˚ଗ୍ରେସ, ସ୍ବାଧୀନତା ଆନ୍ଦୋଳନ ମାଧୢମରେ ରାଜନୈତିକ ଜାଗରଣ ଆଣିଥିଲା ଭାରତବର୍ଷରେ। ଅଥଚ ୧୮୮୨ରେ ମଧୁସୂଦନ ‘ଉତ୍କଳସଭା’ ନାମକ ଏକ ସାମାଜିକ ସ˚ସ୍ଥା ଓଡ଼ିଶାରେ ଗଢ଼ିବା ସହ ୧୮୮୬ରୁ ବାରମ୍ବାର କ˚ଗ୍ରେସରେ ନିଜେ ସାମିଲ ହୋଇଥିଲେ। କ˚ଗ୍ରେସ ଭିତରେ ସର୍ବଭାରତୀୟ ବିକାଶରେ ଆଞ୍ଚଳିକ ପ୍ରାଧାନ୍ୟକୁ ଅଣଦେଖା କରାଯିବାର ମାନସିକତା ହିଁ ତାଙ୍କୁ ଦୂରେଇ ଦେଇଥିଲା କ୍ଷମତା ଲଢ଼େଇରେ ମାତିଥିବା ଏ ସ˚ଗଠନଠାରୁ।

ଢୋଲ ପିଟା ପ୍ରଚାରର ଅଭାବ ହିଁ ମଧୁସୂଦନଙ୍କୁ ଦୂରେଇ ରଖିଛି ତାଙ୍କର ଭାରତ-ଗୌରବ ପରିଚୟରୁ।

ଆଜି ସ୍ବାଧୀନ ଭାରତରେ ରାଜନେତାମାନେ ଓ ମନ୍ତ୍ରୀବୃନ୍ଦ ଦରମା ନେବା ପାଇଁ ଭିଡ଼ାଭିଡ଼ି। କିଏ କେମିତି ଦେଶ ପାଣ୍ଠିରେ ହାତ ପୂରେଇ ଅଧିକ ନେଇପାରିବ ସେଥିପାଇଁ ତତ୍ପର। ଅଥଚ ମଧୁସୂଦନ ୧୯୨୧ରେ ମନ୍ତ୍ରୀ ହେଉ ହେଉ ଜଣାଇଦେଲେ ଯେ ଜନସାଧାରଣଙ୍କ ସେବା ପାଇଁ ନିଯୁକ୍ତି ଗ୍ରହଣ କରିଥିବା ସେବକ ଦରମା ନେବା ଅନ୍ୟାୟ। ‘‘କପର୍ଦ୍ଦକଟିଏ ସୁଦ୍ଧା ମୁଁ ନେବି ନାହିଁ।’’ ସେଇ ଯୁକ୍ତିରେ ସେ ମନ୍ତ୍ରୀପଦ ଛାଡ଼ିଲେ ସିନା ନଇଁଲେ ନାହିଁ। ସିଏ ହିଁ ପ୍ରିଭି କାଉନ୍‌ସିଲ ଯାଏ ଲଢ଼ି ଭାରତୀୟ ମହିଳାମାନଙ୍କୁ ୧୯୨୩ରେ ଦିଆଇଥିଲେ ଓକିଲାତି କରିବାର ଅଧିକାର। ସ୍ବାୟତ୍ତ ଶାସନ ଆଇନ ଠାରୁ ଆରମ୍ଭ କରି ଚାଷୀର ରୟତୀ ଅଧିକାର ଓ ସମବାୟ ଆଇନ ଗଢ଼ିବାରେ ସେ ଥିଲେ ସମଗ୍ର ଭାରତରେ ବତିଘର ଭଳି।

କିଏ ଏମିତି ଭାରତୀୟ ଅଛି ତାଙ୍କର ସମକକ୍ଷ? ସେ ମଣିଷ ଭିତରେ ରତ୍ନ ନୁହନ୍ତି ତ ଆଉ କ’ଣ?

କହିବାର ଅଛି, ମଧୁସୂଦନଙ୍କୁ ଭାରତରତ୍ନ ଘୋଷିତ କଲେ ସାରା ଭାରତ ତା’ର ଉଜ୍ଜ୍ବଳତାରେ ଆଲୋକିତ ହେବ। ଦେଶ ଜାଣିବ ଯେ ଜଣେ ଭାରତୀୟ ଏମିତି ଥିଲା। ନୂଆ ଭାରତର ଆଇକନ୍‌ ହେବେ ମଧୁସୂଦନ। ଏ କଥା ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ଅବଧାନ କରିବା ଆବଶ୍ୟକ।

[email protected]

ସମ୍ବନ୍ଧିତ ଖବର