ବନ୍ୟା ଓ ମରୁଡ଼ି: ନୂଆ ବିଚାର ଲୋଡ଼ା

ଯୋଗେନ୍ଦ୍ର ଯାଦବ

ଆସାମରେ ବନ୍ୟା, ବିହାର ଓ ଉତ୍ତର ପ୍ରଦେଶରେ ମରୁଡ଼ି। ଦେଶର ବାକି ଭାଗ ନିର୍ବିକାର। ସତେ ଯେମିତି ଏପରି ଦୁର୍ଦ୍ଦଶା ଅନ୍ୟ କୌଣସି ଦେଶରେ ଘଟୁଛି। ପାଣି କଥା ଉଠିଲା ବେଳେ ଦେଶର କଥା ଭାବୁଥିବା ଅନୁପମ ମିଶ୍ରଙ୍କ ଏକ କଥା ମୋର ପୁଣିଥରେ ମନେ ପଡୁଛି: ‘ପାଚେରି ଗଢ଼ିଦେଲେ ସମୁଦ୍ର ପଛକୁ ଘୁଞ୍ଚିଯିବ, ମାଳବନ୍ଧ ତିଆରିଲେ ବନ୍ୟା ରହିଯିବ। ବାହାରୁ ଶସ୍ୟ ମଗାଇ ବାଣ୍ଟି ଦେଲେ ଦୁର୍ଭିକ୍ଷ ହଟିଯିବ; ଖରାପ ବିଚାରର ଏପରି ବନ୍ୟାରେ ଓ ଭଲ ବିଚାରର ଦୁର୍ଭିକ୍ଷରେ ଆମର ଏଠି ଜଳ ସଂକଟ ବଢ଼ିଚାଲିଛି।’ କହିବାର ଉଦ୍ଦେଶ୍ୟ, ବନ୍ୟା କି ଦୁର୍ଭିକ୍ଷ କେବଳ ପ୍ରାକୃତିକ ବିପତ୍ତି ନୁହେଁ। ଏଇ ମନୁଷ୍ୟକୃତ ବିପତ୍ତି ଆମର ବୌଦ୍ଧିକ ଦେବାଳିଆ ଅବସ୍ଥାରୁ ଜାତ। ଅନୁପମ ମିଶ୍ର ହୃଦୟଙ୍ଗମ କରିଥିଲେ କି, ଯାହାକୁ ଆମେ ଆଧୁନିକ ବିକାଶ ବୋଲି କହୁଛେ, ତାହା ଏଇ ବିନାଶର ମୂଳପିଣ୍ଡ।

ଏ ପରିପ୍ରେକ୍ଷୀରେ ଚଳିତ ବର୍ଷର ସ୍ଥିତିକୁ ଅନୁଧ୍ୟାନ କରାଯାଉ। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଆସାମରେ ବନ୍ୟା ଆସିଛି। ଦୁଇ ସପ୍ତାହ ତଳେ ରାଜ୍ୟର ୨୪ ଜିଲ୍ଲାର ୧୪ ଲକ୍ଷ ଲୋକ ବନ୍ୟା ଘେରରେ ଥିଲେ। ପାଖାପାଖି ଦେଢ଼ ଲକ୍ଷ ବିପନ୍ନ ନିଜ ଘରଦ୍ବାର ଛାଡ଼ି ଆଶ୍ରୟସ୍ଥଳୀମାନଙ୍କରେ ରହିବାକୁ ବାଧ୍ୟ ହୋଇଥିଲେ। ଅଦ୍ୟାବଧି ମୃତକଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଲାଣି। ଏ ସବୁ କେବଳ ସଂଖ୍ୟାର ହିସାବ। କିଛି ଦିନ ପରେ ଆମେ ସବୁ ଭୁଲିଯିବା। ବନ୍ୟା ରିଲିଫ ଆକାରରେ ଆସାମକୁ ଯୋଗାଇ ଦିଆଯାଇଥିବା ଅନୁଦାନ ସମ୍ପର୍କିତ କିଛି ସମ୍ବାଦ ଖବରକାଗଜଗୁଡ଼ିକରେ ଛପାଯିବ। କିଛି ଚିତ୍ର ଯାହା ମନେ ରହିବ, ଯେଉଁଥିରେ କୌଣସି ବାଉଁଶ ତିଆରି ଡଙ୍ଗାରେ ଶିଶୁମାନେ ନିଜ ଘରକୁ ଫେରୁଥିବେ। ତଥାପି ଆମେ ଆସନ୍ତା ବର୍ଷକୁ ଅପେକ୍ଷା କରି ରହିଥିବା।

ଏମିତି ତ ପ୍ରତିବର୍ଷ ଆସାମ ବନ୍ୟା ପରେ ବିହାର ବନ୍ୟା ଆସିଥାଏ। ମାତ୍ର ଏ ବର୍ଷ ମାମଲାରେ ବ୍ୟତିକ୍ରମ ଘଟିଛି, ଯାହା ପ୍ରତି ଦୁଇ ତିନି ବର୍ଷରେ ହୋଇଥାଏ। ଏ ବର୍ଷ ବିହାରରେ ଭୟଙ୍କର ମରୁଡ଼ି। ଗତ ଜୁଲାଇ ୨୩ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩୮ ଜିଲ୍ଲାରୁ ୨୨ ଜିଲ୍ଲାରେ ବୃଷ୍ଟିପାତ କମ୍‌ ରହିଛି (ଏପରିକି ସ୍ବାଭାବିକ ବୃଷ୍ଟିପାତ ଅପେକ୍ଷା ୨୦ରୁ ୬୦ ପ୍ରତିଶତ କମ୍‌) ଏବଂ ୧୩ଟି ଜିଲ୍ଲାରେ ଭୟଙ୍କର ଅନାବୃଷ୍ଟି ଦେଖାଦେଇଛି (ସ୍ବାଭାବିକ ଅପେକ୍ଷା ୬୦ ପ୍ରତିଶତରୁ ବି କମ୍‌)। ତିନିଟି ଜିଲ୍ଲାରେ ଯାହା ସ୍ବାଭାବିକ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଧାନ ଫସଲର ୪୦% ରୁଆ ହୋଇଯିବା କଥା, ମାତ୍ର ୧୯% ହୋଇଛି। ଦୁର୍ଭିକ୍ଷ ଆଶଙ୍କାରେ ଗରିବ ଚାଷୀମାନେ ଗାଁ ଛାଡ଼ି ଅନ୍ୟତ୍ର ପଳେଇବା ଆରମ୍ଭ କରିଦେଲେଣି।

ଉତ୍ତର ପ୍ରଦେଶର ସ୍ଥିତି ବି କିଛି ଅଲଗା ନୁହେଁ। ଗତ ୨୩ ତାରିଖ ସୁଦ୍ଧା ରାଜ୍ୟର ମୋଟ ୭୫ ଜିଲ୍ଲାରୁ ୩୩ଟି ଜିଲ୍ଲାରେ ବୃଷ୍ଟିପାତ କମ୍‌ ରହିଛି ଏବଂ ୩୬ଟି ଜିଲ୍ଲାରେ ଭୟଙ୍କର ଅନାବୃଷ୍ଟି ଦେଖିବାକୁ ମିଳିଛି। ବାକି ୬ଟି ଜିଲ୍ଲାରେ କେବଳ ସ୍ବାଭାବିକ ବର୍ଷା ହୋଇଛି। କୌଶାମ୍ବି, ଗୋଣ୍ଡା, ବାନ୍ଦା ଓ କାନପୁର ଆଦି ଗ୍ରାମୀଣ ଜିଲ୍ଲାରେ ବର୍ଷା ହୋଇନାହିଁ କହିଲେ ଚଳେ। ଉତ୍ତର ପ୍ରଦେଶର ପଶ୍ଚିମ ଓ ମଧ୍ୟ ଭାଗରେ ଧାନ ରୁଆ ସମୟ ପ୍ରାୟ ଗଡ଼ିଗଲାଣି ଏବଂ ଅଧାଅଧି ରୁଆ କାମ ବି ହୋଇପାରିନି। ସେହିପରି ପଶ୍ଚିମବଙ୍ଗର ୩ଟି ଓ ଝାଡ଼ଖଣ୍ଡର ୨ଟି ଜିଲ୍ଲାକୁ ଛାଡ଼ିଦେଲେ ବାକି ସବୁ ଜିଲ୍ଲାରେ କମ୍‌ ବା ଅତ୍ୟନ୍ତ କମ୍‌ ବର୍ଷା ହୋଇଛି। ଦୁର୍ଭାଗ୍ୟର କଥା, ବର୍ଷାରୁ ବଞ୍ଚିତ ଏହିସବୁ ଇଲାକା ଦେଶର ଦରିଦ୍ରତମ ଅଞ୍ଚଳ ମଧ୍ୟ।

ଆଗାମୀ କିଛି ଦିନ ଭିତରେ ଏହି ସ୍ଥିତିରେ କିଛି ସୁଧାର ନ ଆସିଲେ ତାହା ଦୁର୍ଭିକ୍ଷରେ ପରିଣତ ହୋଇଯାଇପାରେ। ପୁଣି ସେଇ ଖେଳ ହେବ, ଯାହାର ବର୍ଣ୍ଣନା ପି. ସାଇନାଥ ତାଙ୍କ ପୁସ୍ତକ ‘ଏଭ୍ରିଵାନ୍‌ ଲଭ୍‌ସ ଏ ଗୁଡ୍‌ ଡ୍ରୌଟ୍‌’ରେ ଉଲ୍ଲେଖ କରିଛନ୍ତି। ସରକାରୀ କମିଟିମାନ ଗଢ଼ାଯିବ, ରିଲିଫ କାର୍ଯ୍ୟ ଚାଲିବ, ଫାଇଲ୍‌ ଓ ଅଧିକାରୀଙ୍କ ପେଟ ବଢ଼ିବ, ଆଉ ଚାଷୀ ନିଜ ଭାଗ୍ୟ ଉପରେ ଭରସା କରି ବଞ୍ଚି ରହିବ।

ଆମେ କ’ଣ ଏଇ ବାର୍ଷିକ ଦୁଃଖର ଦୁଶ୍ଚକ୍ରରୁ ମୁକ୍ତ ହୋଇ ପାରିବାନି? ହଁ, ହୋଇପାରିବା, ଯଦି ଆମେ ଏକ ନୂତନ ଚିନ୍ତାଧାରାକୁ ଲାଗୁ କରାଇବାର ସାହସ ରଖିବା। ବିଗତ ଦୁଇ ଦଶନ୍ଧି ହେଲା ଅନେକ ପରିବେଶବିତ୍‌, ବନ୍ୟା ଓ ମରୁଡ଼ିର ମୁକାବିଲା ପାଇଁ ନୂତନ ଚିନ୍ତାଧାରା ପ୍ରକଟ କରିଛନ୍ତି। କହିବାକୁ ଗଲେ, ଆମ ସମାଜର ପୁରୁଣା ଚିନ୍ତାଧାରାକୁ ଥରେ କି ଦି’ ଥର ପେସ୍‌ କରାଯାଇସରିଛି। ଦଶନ୍ଧି ଦଶନ୍ଧି ଧରି ବିହାରରେ ବନ୍ୟା ନିୟନ୍ତ୍ରଣର ଅସଫଳ ପ୍ରୟାସକୁ ଅନୁଧ୍ୟାନ କରି ଦୀନେଶ ମିଶ୍ର କହନ୍ତି, ଆମକୁ ‘ବନ୍ୟା ମୁକ୍ତି’ ପରି ଭ୍ରମାତ୍ମକ ସ୍ଲୋଗାନ୍‌ରୁ ମୁକ୍ତ ହେବାକୁ ପଡ଼ିବ। ବର୍ଷା ଋତୁରେ ପ୍ରବଳ ବର୍ଷିବା, ନଦୀ ଗର୍ଭ ଫୁଲି ବନ୍ୟା ଆସିବା ଓ ବନ୍ଧବାଡ଼ ଉଛୁଳି ବନ୍ୟା ଜଳ ସର୍ବତ୍ର ପ୍ରବାହିତ ହେବା ହେଉଛି ପ୍ରକୃତିର ସ୍ବାଭାବିକ ନିୟମ। ତାହା କୌଣସି ଅପବାଦ କି ଦୁର୍ଘଟଣା ନୁହେଁ। ନଦୀକୁ ମାଳ ବନ୍ଧରେ ବାନ୍ଧି ରଖିବାର ପ୍ରୟାସ କେବଳ ଅଯଥା ନୁହେଁ, ବିପଜ୍ଜନକ ମଧ୍ୟ। ଏପରି ଜଳ ପ୍ରବାହର ବାଟ ବନ୍ଦ କରିଦେବା ଦ୍ବାରା ଦୁଇ ତିନି ଦିନର ବନ୍ୟା ଏବେ ଦୁଇ ତିନି ମାସ ଧରି ଜାରି ରହୁଛି। ନଦୀ କୂଳରେ ରହୁଥିବା ଲୋକେ ସର୍ବଦା ଜଳ ସହିତ ଜିଇ ଶିଖିଛନ୍ତି, ଆମକୁ ମଧ୍ୟ ତାହା ଶିଖିବାକୁ ପଡ଼ିବ। ଆମେ ଯଦି ପାହାଡ଼ରେ ଗଛ କାଟି ଜଙ୍ଗଲ ପଦା କରିବା ନାହିଁ, ନଦୀରେ ଖାଲି ପଡ଼ିଥିବା ସ୍ଥାନ ବା ପଠାମାନଙ୍କରେ ଜନବସତି ସ୍ଥାପନ କରିବା ନାହିଁ, ଜଳ ପ୍ରବାହର ପଥରେ ସଡ଼କ କି କୋଠାବାଡ଼ି ନିର୍ମାଣ କରିବା ନାହିଁ, ତେବେ ବନ୍ୟା ଜନିତ ଧନଜୀବନ କ୍ଷୟକ୍ଷତିକୁ ରୋକି ପାରିବା।

ସେହିପରି ମରୁଡ଼ିର ମୁକାବିଲା କରିବା ଲାଗି ଆମକୁ ପ୍ରତି କ୍ଷେତରେ କେନାଲ ପାଣି କି ନଲକୂଅ ବସାଇବାର ଦିବା ସ୍ବପ୍ନ ଛାଡ଼ିବାକୁ ପଡ଼ିବ। ବର୍ଷା ଉପରେ ନିର୍ଭର କରୁଥିବା ଚାଷ ଜମିର ବାସ୍ତବତାକୁ ସ୍ବୀକାର କରିବାକୁ ହେବ ଏବଂ ନିଜର ଜଳସେଚନ ବ୍ୟବସ୍ଥା ଓ ଫସଲ ଚକ୍ରକୁ ବର୍ଷା ଅନୁକୂଳ କରିବାକୁ ପଡ଼ିବ। ବିଜ୍ଞାନ ଏ ଯାଏ ସବୁ କିଛି କରିଛି, କିନ୍ତୁ ଜଳ ସୃଷ୍ଟି କରିବାର ଯନ୍ତ୍ର ଆବିଷ୍କାର କରିପାରିନାହିଁ। ତେଣୁ ପ୍ରକୃତିରେ ଯେତିକି ପାଣି ରହିଛି, ଆମକୁ ତାହା ସହିତ ବଞ୍ଚିବାକୁ ହେବ।

ଚଳିତ ବର୍ଷ ଇଂଲଣ୍ଡ ଇତିହାସରେ ପ୍ରଥମ କରି ଉତ୍ତର ଭାରତ ସଦୃଶ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। ତାପମାତ୍ରା ୪୦ ଡିଗ୍ରି ସେଲ୍‌ସିଅସ୍‌କୁ ଟପିଯାଇଛି। ସୁତରାଂ ଜଳବାୟୁ ପରିବର୍ତ୍ତନ ଏବେ ଆମର ମୁଣ୍ଡ ଉପରେ ଛିଡ଼ା ହୋଇଛି। ଯଦି ଏଣିକି ଆମେ ପ୍ରକୃତି ସହ ଖେଳିବା ବନ୍ଦ ନ କରିବା, ତେବେ ଭଗବାନ ଆମକୁ କ୍ଷମା କରି ଦେଇପାରନ୍ତି, ମାତ୍ର ପ୍ରକୃତି କଦାପି କରିବ ନାହିଁ।

ସମ୍ବନ୍ଧିତ ଖବର