ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ: ଭାରତର ନିରବତା ଯଥାର୍ଥ କି?

ରାମଚନ୍ଦ୍ର ଗୁହା

ୟୁକ୍ରେନ୍‌ ସୀମା ଭିତରକୁ ରୁଷୀୟ ଟ୍ୟାଙ୍କ୍‌ ପ୍ରବେଶ କରିବା ଓ ୟୁକ୍ରେନ୍‌ର ବିଭିନ୍ନ ସହର ଓ ଗ୍ରାମ ଉପରେ ରୁଷୀୟ ବିମାନରୁ ବୋମାବର୍ଷଣ ହେବା ଘଟଣାକୁ ପ୍ରାୟ ପାଞ୍ଚ ମାସ ବିତିଲାଣି। ଏହି ନୃଶଂସ ରକ୍ତାକ୍ତ ଯୁଦ୍ଧରେ ପାଖାପାଖି ୨୦ ହଜାର ରୁଷୀୟ ସୈନିକଙ୍କ ଜୀବନ ଗଲାଣି ଏବଂ ତାହାର ପ୍ରାୟ ଦୁଇ ଗୁଣ ୟୁକ୍ରେନ୍‌ ସୈନିକ ପ୍ରାଣବଳି ଦେଲେଣି। ସେହିପରି ପର୍ଯ୍ୟାପ୍ତ ବେସାମରିକ ନାଗରିକଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି। କୋଟି କୋଟି ୟୁକ୍ରେନ୍‌ବାସୀ ନିଜର ଭିଟାମାଟି ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ଖୋଜିବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନ୍‌ର ଅର୍ଥନୀତି ସଂପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି, ଯୁଦ୍ଧ ସରିବା ପରେ ଏହା ପୂର୍ବର ଅର୍ଥନୀତି ଫେରି ପାଇବାକୁ ଦଶନ୍ଧି ଦଶନ୍ଧି ଲାଗିଯିବ। ସେହିପରି ରୁଷିଆର ସର୍ବସାଧାରଣଙ୍କ ଜୀବନ ଓ ଜୀବିକା ମଧ୍ୟ ଦୁର୍ବିଷହ ହୋଇପଡ଼ିଛି। ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର କଟକଣା ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋବୃତ୍ତି ଯୋଗୁଁ‌ ଉଭୟ ଦେଶରେ ଏପରି ବିପତ୍ତି ଦେଖାଦେଇଛି।

ମାନବ ଜାତିର ଜଣେ ସଦସ୍ୟ ଭାବରେ ଏହି ସଂଘର୍ଷ କଥା ଭାବିଲେ, ରୁଷୀୟ ସେନାର ବର୍ବରତା, ୟୁକ୍ରେନ୍‌ର ସମଗ୍ର ସହର ଭିତ୍ତିଭୂମି ଉପରେ ସେମାନଙ୍କର ଧ୍ବଂସଲୀଳା, ଡାକ୍ତରଖାନା ଓ ବେସାମରିକ ଆଶ୍ରୟସ୍ଥଳୀଗୁଡ଼ିକ ଉପରେ ସେମାନଙ୍କର ବୋମାମାଡ଼ ଓ ୟୁକ୍ରେନ୍‌ ମହିଳାମାନଙ୍କ ଉପରେ ସେମାନଙ୍କ ଅତ୍ୟାଚାର ଆଦି ଦୃଶ୍ୟ ମୋତେ ଆତଙ୍କିତ କରିଦେଇଛି। ସେହିପରି ଭାରତର ଜଣେ ନାଗରିକ ହିସାବରେ ଉକ୍ତ ସଂଘର୍ଷ କଥା ବିଚାର କଲେ, ରୁଷିଆର ଆକ୍ରମଣକୁ ନିନ୍ଦା ନ କରିବା ଓ ରୁଷିଆର କ୍ରୂରତା ବିରୋଧରେ ନିରବ ରହିବା ଭଳି ଭୀରୁତା ଆଦି ମୋତେ ମର୍ମାହତ କରିଛି।

ଫେବ୍ରୁଆରିର ଶେଷ ଭାଗ ଆଡ଼କୁ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା, ଏପରିକି ମାର୍ଚ୍ଚ ଯାଏ, ଭାରତ ସରକାରଙ୍କ ଆଭିମୁଖ୍ୟ ଥିଲା ‘ଅପେକ୍ଷା କର ଓ ନିରୀକ୍ଷଣ କର’। ସଂଘର୍ଷ କେତେ ଦିନ ଧରି ଚାଲିବ, ତା’ର କୌଣସି ସ୍ପଷ୍ଟ ଚିତ୍ର ମିଳୁ ନ ଥିଲା, ଏପରି କି ଶୀଘ୍ର ସମାଧାନ ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଥିଲା। ଅବଶ୍ୟ, ୟୁକ୍ରେନ୍‌ରୁ ହଜାର ହଜାର ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ଥିଲା ଶୀର୍ଷ ପ୍ରାଥମିକତା। ତେବେ ମାର୍ଚ୍ଚ ପରେ ଏପ୍ରିଲ ଓ ଏପ୍ରିଲ ପରେ ମେ’ ଏମିତି ଗଡ଼ି ଚାଲିଲା ଏବଂ ରୁଷୀୟ ସେନାର ନୃଶଂସତା ଅଧିକରୁ ଅଧିକ ପ୍ରକଟିତ ହେବାକୁ ଲାଗିଲା, ତେଣୁ ସେତେବେଳକୁ ଆଉ ନିରପେକ୍ଷ ସ୍ଥିତିରେ ରହିବା ଯୁକ୍ତି ସଂଗତ ନ ଥିଲା। ବର୍ତ୍ତମାନ ଏହା ସ୍ପଷ୍ଟ ଯେ ପୁଟିନ୍‌ଙ୍କ ନିର୍ଦ୍ଦେଶିତ ଏହି ଯୁଦ୍ଧ, ୟୁକ୍ରେନ୍‌କୁ ନାଟୋରେ ମିଶିବାରୁ ନିବୃତ୍ତ କରିବା ଲାଗି ନୁହେଁ, ବରଂ ପୁଟିନ୍‌ଙ୍କ ଇଚ୍ଛା ଆଗରେ ମୁଣ୍ଡ ନୁଆଁଇ ନ ଥିବା ୟୁକ୍ରେନ୍‌କୁ ଏକ ଶିକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ରୁଷୀୟ ରାଷ୍ଟ୍ରପତିଙ୍କ ଠାରେ ଏକ ଉନ୍ମତ୍ତ ଭ୍ରମ ରହିଛି ଯେ ସେ ହେଉଛନ୍ତି ଜଣେ ମଧ୍ୟଯୁଗୀୟ ସମ୍ରାଟଙ୍କର ଅବତାର, ଯିଏ ରୁଷିଆ ଓ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଏକତ୍ର କରି ତାହାର ଶାସନ ଭାର ଜଣେ ସର୍ବଶକ୍ତିମାନ ନେତାଙ୍କ ହାତରେ ନ୍ୟସ୍ତ କରିବେ। ସେ ଏବଂ ତାଙ୍କର ସେନାବାହିନୀ ଏ ପ୍ରକାର ଦିବାସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଚାହାନ୍ତି, ତେଣିକି ପଛେ ୟୁକ୍ରେନୀୟ ବା ରୁଷୀୟମାନେ ଯାହା କ୍ଷତି ସହିବା କଥା ସହନ୍ତୁ। ଏହାର ସଦ୍ୟତମ ଉଦାହରଣ ହେଲା, ୟୁକ୍ରେନ୍‌କୁ ଗହମ ରପ୍ତାନି ପାଇଁ ଅନୁମତି ଦେବାକୁ ଏକ ରାଜିନାମା ସ୍ବାକ୍ଷରିତ ହେବା ପରେ ହଠାତ୍‌ ୟୁକ୍ରେନ୍‌ର ବନ୍ଦର ସହର ଓଡେଶା ଉପରେ ବୋମା ବର୍ଷଣ କରିବା।

ରାଷ୍ଟ୍ରପତି ପୁଟିନ୍‌ଙ୍କର ଧାରଣା ଯେ, ୟୁକ୍ରେନୀୟମାନେ ବାସ୍ତବରେ ହେଉଛନ୍ତି ରୁଷୀୟ ଏବଂ ସେଥିପାଇଁ ସେମାନେ ମୂଳ ମାତୃଭୂମି ସହ ଯୋଡ଼ି ହେବାକୁ ଚାହାନ୍ତି; ଯାହାକୁ ସମ୍ଭବ କରିବା ଲାଗି ଆବଶ୍ୟକ ପଡ଼ିଲେ ବଳ ମଧ୍ୟ ପ୍ରୟୋଗ କରାଯିବ। ମାତ୍ର ଏଇ ପାଞ୍ଚ ମାସର ଯୁଦ୍ଧ ଯଦି କିଛି ସଂକେତ ଦେଇଛି, ତାହା ହେଲା ୟୁକ୍ରେନୀୟମାନଙ୍କ ଭିତରେ ‘ୟୁକ୍ରେନୀୟ’ ଜାତୀୟତାବାଦ ବାସ୍ତବରେ ଅତ୍ୟନ୍ତ ଗଭୀର। ସେମାନେ ନିଜକୁ ଏକ ସ୍ବତନ୍ତ୍ର ବୋଲି ବିବେଚନା କରନ୍ତି ଏବଂ ନିଜର ଏକ ଜାତୀୟ ପରିଚୟ ଦାବି କରିବା ସହିତ ବଜାୟ ରଖିବାକୁ ଚାହାନ୍ତି ମଧ୍ୟ। ଆକ୍ରମଣ ପୂର୍ବରୁ ରୁଷିଆ ସହିତ ସାଂସ୍କୃତିକ ସମ୍ବନ୍ଧ ରକ୍ଷା ଏବଂ ଭାବର ଆଦାନପ୍ରଦାନରେ ସଂଖ୍ୟାଧିକ ୟୁକ୍ରେନ୍‌ ନାଗରିକ ଖୁସି ପ୍ରକଟ କରୁଥିଲେ। ମାତ୍ର ଏବେ ଆଉ ତାହା ନାହିଁ, ସିଂହ ଭାଗ ୟୁକ୍ରେନୀୟ, ଏପରିକି ଯେଉଁମାନେ ନିଜ ମାଟିରେ ରୁଷୀୟ ଭାଷା କହୁଥିଲେ, ସେମାନେ ମଧ୍ୟ ରୁଷିଆ ସହ କୌଣସି ପ୍ରକାର ରାଜନୈତିକ ସଂଘ ଗଢ଼ିବାକୁ ବାରଣ କରୁଛନ୍ତି।

ରୁଷୀୟ ସାମ୍ରାଜ୍ୟବାଦକୁ ପ୍ରତିରୋଧ କରୁଥିବା ୟୁକ୍ରେନୀୟ ଜାତୀୟତାବାଦ ବିଷୟରୁ ଅତୀତର ଆମେରିକୀୟ ସାମ୍ରାଜ୍ୟବାଦକୁ ପ୍ରତିରୋଧ କରୁଥିବା ଭିଏତ୍‌ନାମୀ ଜାତୀୟତାବାଦ କଥା ମନେ ପଡ଼ି ଯାଉଛି। ସ୍ମରଣଯୋଗ୍ୟ ଯେ ଭିଏତ୍‌ନାମୀମାନେ ଯେତେବେଳେ ପ୍ରଥମେ ଫରାସୀ ଓ ପରେ ଆମେରିକୀୟ ଆଧିପତ୍ୟରୁ ମୁକ୍ତ ହେବାକୁ ଚାହୁଥିଲେ, ସେତେବେଳେ ଏକ ସାମ୍ରାଜ୍ୟବାଦୀ ଶକ୍ତି ବିରୋଧରେ ସଫଳ ସ୍ବାଧୀନତା ଆନ୍ଦୋଳନ ଚଳାଇ ଜନ୍ମ ନେଇଥିବା ଭାରତ ପରି ଦେଶ ସ୍ବତଃସ୍ଫୂର୍ତ୍ତ ଭାବରେ ସେମାନଙ୍କୁ ସମର୍ଥନ କରିଥିଲା। ଗତ ଶତାବ୍ଦୀର ଷଷ୍ଠ ଦଶକରେ ଆମେରିକାର ଅର୍ଥନୀତି ଓ ସାମରିକ ସାହାଯ୍ୟ ଉପରେ ଭାରତର ନିର୍ଭରଶୀଳତା ସତ୍ତ୍ବେ ଆମେ ଆମେରିକା ସରକାରଙ୍କୁ ଚେତାଇ ଦେଇଥିଲୁ କି ସେମାନେ ଭିଏତ୍‌ନାମରେ ଯାହା କରୁଛନ୍ତି, ତାହା ନୈତିକତା ଦୃଷ୍ଟିରୁ ଭୁଲ୍‌ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ନିର୍ବୋଧତା।

ଅନ୍ୟ ଏକ ସମାନ୍ତରାଳ ଘଟଣା ମୋ’ ମନକୁ ଆସୁଛି। ୧୯୭୦ ମସିହାରେ ପଶ୍ଚିମ ପାକିସ୍ତାନ ଦ୍ବାରା ଆର୍ଥିକ ଶୋଷଣ, ସାମାଜିକ ବାଛବିଚାର ଓ ରାଜନୈତିକ ଉତ୍ପୀଡ଼ନର ଶିକାର ହୋଇ ତଦାନୀନ୍ତନ ପୂର୍ବ ପାକିସ୍ତାନର ଅଧିବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିଲା। ସେମାନଙ୍କ ଉପରେ ଲଦି ଦିଆଯାଉଥିବା ଇସଲାମୀୟ ପରିଚୟ ବିରୋଧରେ ସେମାନଙ୍କର ଜନ୍ମଜାତ ବଙ୍ଗାଳୀ ଜାତୀୟତାବାଦ ଦୃଢ଼ ପ୍ରତିବାଦ କରିଥିଲା। ସେମାନେ ନିଜର ଏକ ଦେଶ ଚାହୁଥିଲେ। ମାତ୍ର ପୂର୍ବ ପାକିସ୍ତାନର ବଙ୍ଗାଳିମାନେ ଆଗରୁ ଆଉ କିଛି ନହେଲେ ପଛକେ, ସମସ୍ତେ ପାକିସ୍ତାନୀ ଥିଲେ ବୋଲି ଇସଲାମାବାଦର ସାମରିକ ଶାସକ ଜୋର୍‌ ଦେଇ କହି ଚାଲିଥିଲେ। ଅତି କଠୋର ଭାବରେ ବିଦ୍ରୋହକୁ ଦମନ କରାଯିବାର ଚେଷ୍ଟା ହେଲା, ଯଦ୍ଦ୍ବାରା ଭାରତକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ଏବଂ ଏକ ସ୍ବାଧୀନ ବାଂଲାଦେଶର ସୃଷ୍ଟି ହୋଇଥିଲା।

ଏକଦା ବାଂଲାଦେଶୀମାନେ ପାକିସ୍ତାନୀମାନଙ୍କ ପାଇଁ ଯାହା ଥିଲେ, ଏବେ ୟୁକ୍ରେନୀୟମାନେ ରୁଷୀୟମାନଙ୍କ ପାଇଁ ଠିକ୍‌ ସେଇଆ। କହିବାକୁ ଗଲେ, ସେମାନେ ହେଉଛନ୍ତି ଏକ ସ୍ବାଧୀନ ଜାତୀୟ ପରିଚୟ ଧାରଣ କରିଥିବା ନାଗରିକ, ଯେଉଁମାନେ ସେମାନଙ୍କ ପରିଚୟ ଓ ଇତିହାସକୁ ମଗ୍ନ କରି ଦେବାକୁ ଚାହୁଥିବା ଏକ ଅଧିକ ଶକ୍ତିଶାଳୀ ରାଷ୍ଟ୍ର କବଳରୁ ମୁକ୍ତ ହେବାକୁ ଚାହାନ୍ତି। ୧୯୭୦-୭୧ ବେଳେ ପାକିସ୍ତାନୀ ସେନାକୁ ସେମାନଙ୍କର କ୍ରୂରତା ପାଇଁ ଭାରତ ଉଚିତ ଦଣ୍ଡ ଦେଇଥିଲା, ପୂର୍ବ ପାକିସ୍ତାନର ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଠିକ୍‌ରେ ଆଶ୍ରୟ ଦେଇଥିଲା ଏବଂ ଆବଶ୍ୟକ ବେଳେ ଯଥା ସମ୍ଭବ ମାମୁଲି ପରିମାଣର ସୈନ୍ୟ ବଳ ମଧ୍ୟ ପ୍ରୟୋଗ କରିଥିଲା। ଏ କଥା ନିଃସନ୍ଦେହ ଯେ, ବାଂଲାଦେଶ ପଡ଼ୋଶୀ ଥିଲା ଏବଂ ୟୁକ୍ରେନ୍‌ ବହୁ ଦୂରରେ। ତେଣୁ ଏ ଭଳି ସ୍ଥିତିରେ ଏ ପ୍ରକାର ପାର୍ଥିବ ସହଯୋଗ ସମ୍ଭବ ନୁହେଁ। ମାତ୍ର ରୁଷିଆର ଆକ୍ରମଣକୁ ନିନ୍ଦା କରିବାରୁ ନିରନ୍ତର ନିବୃତ୍ତ ରହି- ୟୁକ୍ରେନ୍‌ରେ ପୁଟିନ ଏବଂ ତାଙ୍କ ଲୋକଙ୍କ ଅପରାଧରେ ସହାପରାଧୀ ସାଜି- ଆମେ କ’ଣ ଏକ ଭିନ୍ନ ବାଟରେ ଚରମ ସୀମାରେ ପହଞ୍ଚିଯିବା?
ୟୁକ୍ରେନ୍‌ ଘଟଣା ପ୍ରତି ଭାରତ ସରକାରଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଅସନ୍ତୋଷଜନକ ରହିଛି। ଏହା ପଛରେ ରହିଥିବା କାରଣ ସମ୍ପର୍କରେ ଯେ କେହି ମଧ୍ୟ ଅନୁମାନ ଲଗାଇ ପାରିବ। ବୋଧହୁଏ ରୁଷିଆର ସାମରିକ ଯୋଗାଣ ଉପରେ ଆମର ନିର୍ଭରଶୀଳତା ଏଠି କାମ କରୁଛି। ବୋଧହୁଏ ଶାସକ ଦଳର ବିମର୍ଶକାରମାନେ ଭୟ କରୁଛନ୍ତି ଯେ ୟୁକ୍ରେନୀୟମାନଙ୍କର ଅଧିକାରକୁ ସମର୍ଥନ କଲେ, ଆମର ଏଠି କିଛି ଲୋକ କାଶ୍ମୀରୀ ଓ ନାଗାମାନଙ୍କ ପାଇଁ ଅନୁରୂପ କଥା ଉଠାଇପାରନ୍ତି। ବୋଧହୁଏ ସରକାର ଆଶା କରୁଛନ୍ତି କି ଆମର ଖଣିଜ ତୈଳ ଆମଦାନିର ଉତ୍ସ ବଦଳେଇ ଦେବା ଦ୍ବାରା ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୋଇଯିବ ଏବଂ ତାହା ଦ୍ବାରା ସାମାଜିକ ଅସନ୍ତୋଷ ମଧ୍ୟ। ବୋଧହୁଏ ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ଆଠ ବର୍ଷ ପରେ ମଧ୍ୟ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଭୂ-ରାଜନୀତିର ଜଟିଳତା ସହ ଅଭ୍ୟସ୍ତ ହୋଇ ନାହାନ୍ତି।

ଏହା ପଛର କାରଣ ଯାହା ହେଉ ନା କାହିଁକି, ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତ ସରକାରଙ୍କ ସ୍ଥିତି ଉଭୟ ନୈତିକତା ଦୃଷ୍ଟିରୁ ଅସମର୍ଥନୀୟ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ବିବେକହୀନ। ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁରୋପୀୟ ରାଷ୍ଟ୍ରଙ୍କୁ ସେମାନଙ୍କ କପଟତା ପାଇଁ ଦୋଷାରୋପ କରିଥିଲେ କି ସେମାନେ ରୁଷୀୟ ଗ୍ୟାସ ବ୍ୟବହାର କରୁଥିଲା ବେଳେ ରୁଷୀୟ ତୈଳ କିଣୁଥିବା ଭାରତକୁ ସମାଲୋଚନା କରୁଛନ୍ତି। ତେବେ ପାଶ୍ଚାତ୍ୟ ରାଷ୍ଟ୍ରମାନେ କପଟ ଆଚରଣ କରିବାଟା ଗୁରୁତ୍ବପୂର୍ଣ୍ଣ ଖବର ନୁହେଁ। ଏଠି ଯାହା ପ୍ରାସଙ୍ଗିକ, ତାହା ହେଲା ଏ ବାବଦରେ ଭାରତ ସରକାରଙ୍କ ନିଜସ୍ବ କପଟତା। ବ୍ରିଟିସ ସରକାରଙ୍କ ଔପନିବେଶିକ ଶାସନରୁ ସ୍ବାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଏ ମାସରେ ପାଳିତ ହେବାକୁ ଯାଉଛି। ମୋଦୀ ସରକାରଙ୍କ ଦ୍ବାରା ଏହି ଉତ୍ସବର ଭୀଷଣ ପ୍ରଚାର ପ୍ରସାର କରାଯାଉଛି। ଅବଶ୍ୟ ଏହା ଆମ ସ୍ବାଧୀନତାର ଅମୃତ ମହୋତ୍ସବ ବୋଲି କୌଣସି ପ୍ରକାର ସରକାରୀ ବିଜ୍ଞାପନ, ପ୍ରେସ ବିଜ୍ଞପ୍ତି କି ଇ-ମେଲ୍‌ରେ ଉଲ୍ଲେଖ କରାଯାଇନି। ତଥାପି ରାଜନୈତିକ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିର ବିପୁଳ ଆୟୋଜନ ଅବସରରେ ଭାରତ ସରକାର ସଂପ୍ରତି ବିଶ୍ବରେ ଜାରି ରହିଥିବା ସାମ୍ରାଜ୍ୟବାଦକୁ ଅସ୍ବୀକାର କରିନାହାନ୍ତି, ଯାହା ରୁଷିଆର ୟୁକ୍ରେନ୍‌ ଆକ୍ରମଣରେ ଜଳ ଜଳ ଦେଖାଯାଉଛି।

ୟୁକ୍ରେନ୍‌ବାସୀଙ୍କର ସାହସୀ ପ୍ରତିରୋଧକୁ ସମର୍ଥନ କରିବାରେ ଭାରତୀୟମାନଙ୍କର ଏକ ପ୍ରଭାବୀ ନୈତିକ ଭୂମିକା ରହିଛି। ଏବଂ ମୁଁ ବିଶ୍ବାସ କରେ ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ମଧ୍ୟ। ଆମର ଅର୍ଥନୀତି ଓ ଜନବହୁଳତା ଏବଂ ଆମ ସାମରିକ ଓ ଅନ୍ୟାନ୍ୟ ସମ୍ବଳ ଦୃଷ୍ଟିରୁ ଭାରତକୁ ବୈଶ୍ବିକ ସ୍ତରରେ ଗୁରୁତ୍ବ ଦିଆଯାଉଛି। ପୁଟିନଙ୍କ ପଦକ୍ଷେପ ପ୍ରତି ଚୀନ୍‌ର ଗୋପନ ଅନୁମୋଦନ ପରିପ୍ରେଷୀରେ ଆମ ସରକାର ଯଦି ରୁଷିଆର ଆକ୍ରମଣକୁ ନିନ୍ଦା କରିଥା’ନ୍ତେ, ତେବେ ତାହା ପୁଟିନ୍‌ ଓ ତାଙ୍କ ସରକାର ଉପରେ ଚାପ ପକାଇଥା’ନ୍ତା। ଏହା ହୁଏ’ତ ସେମାନଙ୍କୁ ବୁଝାମଣା କରିବା ଲାଗି ବାଧ୍ୟ କରିଥା’ନ୍ତା। ଆମ ସରକାର ଏପରି କରିଥିଲେ ବିଶ୍ବ ମଞ୍ଚରେ ଆମର ବିଶ୍ବସନୀୟତାର ବୃଦ୍ଧି ହୋଇଥା’ନ୍ତା ଏବଂ ଦେଖାଦେଇଥିବା ଯନ୍ତ୍ରଣାର ଅନ୍ତ ଘଟିଥା’ନ୍ତା।

ସମ୍ବନ୍ଧିତ ଖବର