ଚୈତନ୍ୟର ଚମକ

ସତ୍ୟନାରାୟଣ ଗନ୍ତାୟତ

ୟା ଭିତରେ ଚୈତନ୍ୟ ଏଡ଼େ ବଦଳି ଯାଇଥିବ ବୋଲି ସତ୍ୟେନ୍ଦୁ ଭଲା କିଆଁ ଭାବିଥାନ୍ତା?

କିନ୍ତୁ ସେଇଆ ହିଁ ହୋଇଥିଲା।

ଅନୁମାନ କରୁ ଯେ ଆପଣ ସତ୍ୟେନ୍ଦୁର ଚୈତନ୍ୟ ନାମଧାରୀ ଏହି ବାଲ୍ୟ ବନ୍ଧୁଟି ସମ୍ପର୍କରେ ଆହୁରି ଶୁଣିବାକୁ କାନ ସହ ମନ ବି ଡେରି ତୟାର ହୋଇ ସାରିବେଣି! ଏବେ ଶୁଣିବା ହୁଅନ୍ତୁ।

କଥା କ’ଣ କି ଚାକିରିରୁ ଅବସର ନେବା ପରେ ନିଜ ସହରରେ ଥିବା ପୈତୃକ ଘରେ ରହିବାକୁ ଆସି ରେଳ ଷ୍ଟେସନରେ ପହଞ୍ଚୁ ପହଞ୍ଚୁ ସତ୍ୟେନ୍ଦୁର ନଜରକୁ ଆସିଲା ବଡ଼ ବଡ଼ ଅକ୍ଷରରେ ‘ଚୈତନ୍ୟ ଅଟୋ’ ଲେଖା ହୋଇଥିବା ଗୋଟେ ଅଟୋ ରିକ୍‌ସା! ଆଉ ଚୈତନ୍ୟ ନାଁଟିରୁ ସତ୍ୟେନ୍ଦୁର ମନେ ପଡ଼ିଗଲା ତା’ ପିଲା ଦିନର ସାଙ୍ଗ ଚୈତନ୍ୟ କଥା। ଚୈତନ୍ୟ ଥିଲା ଟିଙ୍ଗା ଓ ରଙ୍ଗେଇଙ୍କ ଏକୋଇର ବଳା ବିଶିକେଶନ। ବିଚରାର ଏକୋଇଶା ଦିନ ପୁରୋହିତେ ତା’ ନାମ ଟଙ୍କପାଣି ଦେଇଥିଲେ। ହେଲେ କି ଯୋଗରେ କେଜାଣି ଟିଙ୍ଗାର ଘନିଷ୍ଠ ବନ୍ଧୁ ବଟ ଝଡ଼ ବାଗିଆ ସେଠେଇଁ ହାବୁଡ଼ି ଯାଇ କହି ପକାଇଲା- ‘ନା, ନା, ସେ ଜାତକ ନାଁ ଯାହା ହୋଇ ଥାଉ ନା କାହିଁକି, ଚଳିବ ନାହିଁ। ଆମ ପାଇଁ ଇଏ ଟିଙ୍ଗାର କୁଳନନ୍ଦନ ଚୈତନ୍ୟ!’ ସେହି ଦିନ ଠାରୁ ସବୁରି ମୁହଁରେ ସେ ଚୈତନ୍ୟ ହୋଇ ହିଁ ରହି ଗଲା।

ତେବେ ଚୈତନ୍ୟ ଯେ ସୁଦୁ ବିଛୁଆତି ପ୍ରଜାତିର ଏ କଥା ତା ପିଲାଟି ବେଳୁ ହିଁ ଜଳଜଳ ହୋଇ ଦିଶୁଥିଲା। କୌଣସି ନା କୌଣସି କାମରେ ସଭିଙ୍କୁ ଚମକାଇ ଦେବାର ଗୁଣଟି ବି ତା’ର ଫୁଟି ଉଠିଥିଲା। ଏଇ ଯେମିତି ତା’ ବାପା ଟିଙ୍ଗା ଥରେ କହି ପକାଇଥିଲା ‌େଯ ‘ମାଟ୍ରିକ ଥରକେ ପାସ୍‌ ନ ହେଲେ ତୋ ପଢ଼ା ବନ୍ଦ, ଆଉ ତୁ କୁନା ମୋଟର ଗ୍ୟାରେଜରେ କାମ କରିବୁ।’ ତା’ ପରେ ମାଟ୍ରିକ ପରୀକ୍ଷାରେ ଅନ୍ୟ ସବୁ ବିଷୟରେ ସେକେଣ୍ଡ ଡିଭିଜନରେ ପାସ୍‌ ହେବା ଭଳି ମାର୍କ ଆଣି ବି ସେ ଅଙ୍କରେ ଗୋଟେ ମାର୍କ ପାଇଁ ଫେଲ ହେଲା ଏବଂ ଟିଙ୍ଗା ଓ ରଙ୍ଗେଇଙ୍କ ସମେତ ସଭିଏଁ ଯେତେ ନେହୁରା ହେଲେ ବି ସେଇ ଗୋଟିକ ବିଷୟରେ ଆଉ ସପ୍ଲିମେଣ୍ଟାରି ପରୀକ୍ଷା ନ ଦେଇ ସିଧା ଯାଇ କୁନା ଗ୍ୟାରେଜରେ କାମ କରିବା ସୁରୁ କରି ଦେଲା।

ୟା ପର ଠୁ ସତ୍ୟେନ୍ଦୁ ଅନ୍ୟ ସହରରେ ପଢ଼ାପଢ଼ି ଓ ଚାକିରି ଆଦି କରି ରହି ଆସି ଥିବାରୁ ଚୈତନ୍ୟ କଥା ଏକରକମ ପାସୋରି ପକାଇଥିଲା। ତେବେ, ସେଇ ଅଟୋଟିକୁ ଦେଖି ଚୈତନ୍ୟ ହଠାତ୍‌ ମ‌େନ ପଡ଼ିଗଲା। ଅଟୋ ପାଖକୁ ଯାଇ ସତ୍ୟେନ୍ଦୁ ଚିହ୍ନି ପାରିଲା ଯେ ସେ ଅଟୋର ଡ୍ରାଇଭର ସିଟରେ ବସିଥିବା ଅଳ୍ପ ମୋଟା, ପେଟୁଆ ଓ କିଞ୍ଚିତ ଚନ୍ଦା ମୁଣ୍ଡିଆ ଲୋକଟି ଆଉ କେହି ନୁହେଁ, ତା ସ୍କୁଲ ବେଳର ସାଙ୍ଗ ଚୈତନ୍ୟ! ଚୈତନ୍ୟ ବି ସତ୍ୟେନ୍ଦୁକୁ ଠିକ୍ ଚିହ୍ନି ପାରି ଓହ୍ଲାଇ କୋଳେଇ ନେଇ କହିଲା- ‘ଆରେ ହେ, ଆମ ବ୍ୟାଙ୍କ ମେନେଜର ସାରେ, ଏବେ ଯାଇ ଜନ୍ମମାଟି ମନେ ପଡ଼ିଲା?’

ସତ୍ୟେନ୍ଦୁ କହିଲା: ‘ଆରେ ଚୈତନ୍ୟ ଦେଖୁଛି ତୋର ସେଇ ଚମକାଇ ଦେବା ଗୁଣଟି ତଥାପି ରହିଛି। ନୋହିଲେ ଏମିତି ଏଠି ଅଟୋ ସହ ତୋର ଦେଖା ହୋଇଥାନ୍ତା? ଆଉ ତୋର ହାଲଚାଲ କ’ଣରେ ଭାଇ?’

– ‘ସବୁ କହିବି ସାଙ୍ଗ, ତେବେ ଚାଲ ଆଗ ଆମ ଘରକୁ ଯାଇ ଫ୍ରେସ ହେଇଯା। ଆଚ୍ଛା, ଆମ ଏଇ ଅଟୋ ଚଳିବ ନା ଟ୍ୟାକ୍‌ସି ଲୋଡ଼ା? ଏଇ ଯେମିତି ଚୈତନ୍ୟ ଅଟୋ ଦେଖିଲୁ, ସେମିତି ଚୈତନ୍ୟ ଟ୍ୟାକ୍‌ସି ବି ଅଛି!’

– ‘ମାନେ? ତୋର ଟ୍ୟାକ୍‌ସି ବି ଅଛି?

– ‘ଭାଇରେ, ଭଗବାନଙ୍କ ଆଶୀର୍ବାଦରୁ ଯୋଡ଼େ ଟ୍ୟାକ୍‌ସି କରିଛି।’

ସତ୍ୟେନ୍ଦୁ କହିଲା- ‘ପୁଣି ଚମକାଇଲୁରେ ସାଙ୍ଗ। ଯୋଡ଼େ ଟ୍ୟାକ୍‌ସି ଥାଉ ଥାଉ ପୁଣି ଏଇ ଅଟୋ?’

ଚୈତନ୍ୟ ଅଟୋ ଷ୍ଟାର୍ଟ‌୍ କରୁ କରୁ କହିଲା- ‘ତା’ ହେଲେ ଅଟୋ ଚଳିବ ଟି? ତେବେ, ବସି ଯା। ସବୁ କହିବି।’

ତା’ ପରେ ବାଟରେ ଚୈତନ୍ୟ କହିଲା ତା’ ଜୀବନ କାହାଣୀ। ତିରିଶ ବର୍ଷର କଥା ଦଶ ମିନିଟ୍‌ରେ ସାରି ଦେଲା। ସେ କହିଲା, କେମିତି କୁନା‌ ଭାଇର ଏକ ମାତ୍ର ପୁଅ ପାଠ ପଢ଼ି ଫରେନ୍‌ ଚାଲିଗଲା ଓ ଝିଅ ବାହା ହୋଇ ବାଙ୍ଗାଲୋରରେ ରହିଗଲା ପରେ ଦିନେ କୁନା ଭାଇ ଓ ଭାଉଜ ଚୈତନ୍ୟ ହାତରେ ଗ୍ୟାରେଜକୁ ସମର୍ପି ଦେଇ ବାଙ୍ଗାଲୋର ଚାଲିଗଲେ ଏବଂ ଗଲା ବେଳେ କହି ଦେଇଗଲେ- ଚୈତନ୍ୟରେ, ତୁ ଆମ ସାନ ଭାଇ ଭଳି ଥିଲୁ। ବିପଦ ଆପଦରେ ପୂରା ଭାଇ ଭଳି ଛିଡ଼ା ହେଉଥିଲୁ। ଏବେ ଏ ଗ୍ୟାରେଜକୁ ନେଏ ଆଉ ଚଳା। ଭଲରେ ରହ।

ଚୈତନ୍ୟ କହିଲା- ‘ସେଇ ଦିନ ଠୁ ସେମାନଙ୍କ କଥା ଅକ୍ଷରେ ଅକ୍ଷରେ ମାନି ଗ୍ୟାରେଜ ଚଳାଉଛି। ମୋ ପୁଅ ବି ଅଟୋମୋବାଇଲ ଇଂଜିନିୟରିଂ ପାସ୍‌ କରି ଚାକିରି ନ କରି ଗ୍ୟାରେଜ କାମ ବୁଝିଲାଣି। ମୋ ବୋହୂ ହୋମିଓପ୍ୟାଥି ପାସ୍‌ କରିଛି, ହେଲେ ଚାକିରି ନ କରି ଘରେ ମାଗଣା କ୍ଲିନିକ କରି ଔଷଧପତ୍ର ଦଉଛି। ଆଉ ତୁ ତ ଜାଣିଚୁ ମୁଁ ଘରେ ତୁଚ୍ଛା ମାହାଳିଆରେ ବସିଲେ ବାୟା ହୋଇଯିବି। ତେଣୁ ସକାଳେ ଓ ସଂଜରେ ଏ ଅଟୋ କାଢୁଛି। ଯିଏ ଯେତେ ଭଡ଼ା ଦେଲେ ବି ଖୁସି। ଅଧିକା ମାଗେନି। ବୁଢ଼ାବୁଢ଼ୀ, ରୋଗୀଙ୍କୁ ଫ୍ରିରେ ନଉଚି। ଏମିତି ଜୀବନ ଚାଲିଚି!’

ପୂରା ମନ୍ତ୍ରମୁଗ୍‌ଧ ହୋଇ ଶୁଣୁଥିଲା ସତ୍ୟେନ୍ଦୁ। ଚୈତନ୍ୟର କଥା ସରିବା ପରେ ପ୍ରକୃତିସ୍ଥ ହୋଇ କହିଲା, ‘ଆରେ ବାବା, ତୋ କଥା, ଆଉ ତୋ କାମରେ ତ ଖାଲି ଚମକ ଇ ଚମକ ଚୈତନ୍ୟ! ତୋତେ ସଲାମ ରେ ସାଙ୍ଗ! ତୋତେ ମାନିବାକୁ ହେବ!’

ଅଟୋ ଗଡ଼ି ଚାଲିଥିଲା। ସତ୍ୟେନ୍ଦୁ ଭାବୁଥିଲା ଯେ ସତରେ ଚୈତନ୍ୟ ଜିଉଥିବା ଜୀବନ ଭିତରେ କେମିତି ଝଲସି ଯାଉଛି ମଣିଷପଣିଆର ଏକ ସ୍ନିଗ୍‌ଧ ଆଲୋକ! ତା’ ଜୀବନ ତୁଳନାରେ ମୋ ଜୀବନ କେତେ ସାଧାରଣ ନୁହେଁ ସତେ!

[email protected]

ସମ୍ବନ୍ଧିତ ଖବର