ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ କି?

ରାଜକିଶୋର ପଣ୍ଡା

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରୋମ୍‌ସ୍ଥିତ ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମ୍‌ର ମୁଖ୍ୟାଳୟରେ ଦେଇଥିବା ବକ୍ତବ୍ୟରେ ଓଡ଼ିଶା ଏକ ଖାଦ୍ୟ ବଳକା ରାଜ୍ୟ ବୋଲି କହିଥିଲେ। ସାଧାରଣତଃ କୃଷି କ୍ଷେତ୍ରରେ ପଛୁଆ ଓ ଦାରିଦ୍ର୍ୟ ପ୍ରପୀଡ଼ିତ ଭାବେ ପରିଚିତ ଏକ ରାଜ୍ୟ ଲାଗି ଏହା ଅନେକ ଗୁରୁତ୍ବ ରଖେ।

ଏହା ନିଃସନ୍ଦେହ ଯେ ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାର କୃଷି କ୍ଷେତ୍ରରେ କେତେକ ଉଲ୍ଲେଖନୀୟ ବିକାଶ ହୋଇଛି। ଚାଷ ପଦ୍ଧତି ବଦଳିଛି। ଶସ୍ୟ ଉତ୍ପାଦନ ବଢ଼ିଛି ଏବଂ ଅର୍ଥକରୀ ଫସଲ ପ୍ରତି ଆକର୍ଷଣ ମଧ୍ୟ ବୃଦ୍ଧି ପାଇଛି। ୨୦୦୦ରୁ ୨୦୨୨ ମଧ୍ୟରେ ଆମ ରାଜ୍ୟ ଖାଦ୍ୟ ନିଅଣ୍ଟ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ରୂପାନ୍ତରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କିନ୍ତୁ, ସାଧାରଣତଃ ଯେଉଁ ରାଜ୍ୟ ଚାହିଦା ଠାରୁ ଶସ୍ୟ ଉତ୍ପାଦନ ଅଧିକ କରିଥାଏ, ତାହା ଖାଦ୍ୟ ବଳକା ରାଜ୍ୟ ଭାବେ ଗଣାଯାଏ। ବର୍ତ୍ତମାନର ସ୍ଥିତିରେ ପାଣିପାଗ ଓ ଅର୍ଥନୈତିକ ଅନିଶ୍ଚିତତାର ମାତ୍ରା ଖୁବ୍ ଅଧିକ। ତେଣୁ ଗୋଟିଏ ବା ଦୁଇ ବର୍ଷର ବଳକା ଶସ୍ୟ ଅନ୍ୟ ଏକ ନିଅଣ୍ଟିଆ ବର୍ଷରେ ଶେଷ ହୋଇଯାଇପାରେ। ତେଣୁ ଖାଦ୍ୟ ବଳକା ରାଜ୍ୟର ନିର୍ଦ୍ଧାରଣ ବେଳେ ସେହି ରାଜ୍ୟର ସମୁଦାୟ ଜନସଂଖ୍ୟାର ଦୀର୍ଘକାଳୀନ ପୁଷ୍ଟି ସାଧନର ଆବଶ୍ୟକତାକୁ ମଧ୍ୟ ଦୃଷ୍ଟିରେ ରଖାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ଆମେ ରାଜ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧିର ଧାରା ଓ ରାଜ୍ୟର ଚାହିଦା ମେଣ୍ଟାଇବା ପରେ କେତେ ଖାଦ୍ୟ ଶସ୍ୟ ବଳକା ରହୁଛି ତା ଉପରେ ଆଲୋକପାତ କରିବା।

ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ମାତ୍ରା ପ୍ରତି ବର୍ଷ ବଦଳୁଛି। ୨୦୧୪-୧୫ରେ ରାଜ୍ୟରେ ୧୧୮୨.୪ ଲକ୍ଷ ଟନ୍ ଶସ୍ୟ ଉତ୍ପାଦିତ ହୋଇଥିବା ବେଳେ ପର ବର୍ଷ ଉତ୍ପାଦନରେ ତୀବ୍ର ସ୍ଖଳନ ଘଟି ଏହା ୭୬୩ ଲକ୍ଷ ଟନ୍‌କୁ ଖସିଆସିଥିଲା। ୨୦୧୬-୧୭ରେ ପୁଣି ମଧ୍ୟମ ଅଭିବୃଦ୍ଧି ଘଟି ଉତ୍ପାଦନ ୧୧୬୮.୨ ଲକ୍ଷ ଟନ୍‌ ହୋଇଥିଲା। କିନ୍ତୁ ୨୦୧୭-୧୮ରେ ପୁଣି ଉତ୍ପାଦନ ପତନମୁଖୀ ହୋଇ ୮୪୮.୩ ଲକ୍ଷ ଟନ୍‌ରେ ପହଞ୍ଚିଥିଲା। ପର ଦୁଇ ବର୍ଷରେ ଶସ୍ୟ ଉତ୍ପାଦନ କ୍ରମାନ୍ବୟ ଭାବେ ବଢ଼ି ଯଥାକ୍ରମେ ୯୬୭.୨ ଲକ୍ଷ ଟନ୍ ଓ ୧୧୫୭.୧ ଲକ୍ଷ ଟନ୍‌ ହୋଇଥିଲା। ଲକ୍ଷ୍ୟ କରିବାର କଥା ଯେ ୨୦୧୪-୧୫ ତୁଳନାରେ ୨୦୧୯-୨୦ରେ ରାଜ୍ୟରେ ଶସ୍ୟ ଉତ୍ପାଦନ ପରିମାଣ ୨.୧୪% କମିଛି।

ବାର୍ଷିକ ଶସ୍ୟ ଉତ୍ପାଦନରେ ଅତ୍ୟଧିକ ପ୍ରଭେଦ ସାଙ୍ଗକୁ ଜିଲ୍ଲାମାନଙ୍କରେ ଖାଦ୍ୟ ଶସ୍ୟ ଉପଲବ୍‌ଧତା କ୍ଷେତ୍ରରେ ମଧ୍ୟ ବ୍ୟାପକ ବୈଷମ୍ୟ ପରିଲକ୍ଷିତ ହୋଇଥାଏ। ୨୦୧୮ରେ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହ୍ୟୁମାନ୍ ଡେଭଲପମେଣ୍ଟ’ ଓ ‘ଆଇଜିଆଇଡିଆର୍‌’ ଦ୍ବାରା ହୋଇଥିବା ଅଧ୍ୟୟନରୁ ପ୍ରକାଶ ଯେ ରାଜ୍ୟ ୩୦ଟି ଜିଲ୍ଲା ମଧ୍ୟରୁ ୧୧ଟି ଖାଦ୍ୟ ସୁରକ୍ଷିତ ଜିଲ୍ଲା ହୋଇଥିବା ବେଳେ ୧୯ଟି ହେଉଛନ୍ତି ଖାଦ୍ୟ ଅସୁରକ୍ଷିତ ଜିଲ୍ଲା ପର୍ଯ୍ୟାୟଭୁକ୍ତ। ଖାଦ୍ୟ ଅସୁରକ୍ଷିତ ଜିଲ୍ଲାଗୁଡ଼ିକୁ ପୁଣି ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା- ଭୀଷଣ ଅସୁରକ୍ଷିତ ଜିଲ୍ଲା (୨ଟି), ଅତ୍ୟନ୍ତ ଅସୁରକ୍ଷିତ ଜିଲ୍ଲା (୬ଟି) ଓ ମଧ୍ୟମ ଅସୁରକ୍ଷିତ ଜିଲ୍ଲା (୧୧ଟି)।

ଖାଦ୍ୟ ଶସ୍ୟର ଯୋଗାଣକୁ ଛାଡ଼ି, ଖାଦ୍ୟ ଶସ୍ୟର ଚାହିଦାକୁ ଲକ୍ଷ୍ୟ କଲେ ରାଜ୍ୟରେ ଉପଲବ୍‌ଧ ଖାଦ୍ୟକୁ ଲୋକମାନେ ପାଉଛନ୍ତି ନା ପାଉ ନାହାନ୍ତି, ତାହା ଜାଣିହୁଏ। ତେଣୁ ଆମେ ରାଜ୍ୟରେ ଖାଦ୍ୟ ଶସ୍ୟର ଚାହିଦା ଉପରେ ଦୃଷ୍ଟି ନିକ୍ଷେପ କରିବା ଆବଶ୍ୟକ।

ଖାଦ୍ୟ ଶସ୍ୟର ଚାହିଦାକୁ ବିଭିନ୍ନ କାରକ ପ୍ରଭାବିତ କରିଥାନ୍ତି, ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଲୋକଙ୍କର କ୍ରୟ ଶକ୍ତି। ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୧୧-୧୨ରେ ଓଡ଼ିଶାରେ ୩୨.୬ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖ ତଳେ ଅଛନ୍ତି। ଗତ ବର୍ଷର ‘ନିତି’ ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶାର ତିନି ଜଣରୁ ଜଣେ ବ୍ୟକ୍ତି ଦରିଦ୍ର। ଗ୍ରାମାଞ୍ଚଳରେ ନିଯୁକ୍ତ ସିଂହଭାଗ ଲୋକ ହେଉଛନ୍ତି କୃଷି ଶ୍ରମିକ, ଯେଉଁମାନେ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର। ବଜାରରୁ ଆବଶ୍ୟକ ଖାଦ୍ୟ ଶସ୍ୟ କିଣିବା ପାଇଁ ଏ ସମସ୍ତଙ୍କର କ୍ରୟ ଶକ୍ତି ନାହିଁ।

କ୍ୟାଲୋରି ଓ ପ୍ରୋଟିନ୍ ଗ୍ରହଣର ଜାତୀୟ ହାରାହାରି ସହିତ ତୁଳନା କଲେ ଓଡ଼ିଶାର ଲୋକଙ୍କ ସ୍ଥିତି ନୈରାଶ୍ୟଜନକ। ୨୦୧୧-୧୨ରେ ମୁଣ୍ଡପିଛା କ୍ୟାଲୋରି ଓ ପ୍ରୋଟିନ୍ ଗ୍ରହଣର ମାତ୍ର ଯଥାକ୍ରମେ ୨୨୧୫ କିଲୋକ୍ୟାଲୋରି ଓ ୫୩.୪ ଗ୍ରାମ୍‌ ହୋଇଥିବା ବେଳେ ଜାତୀୟ ହାରାହାରି ହେଉଛି ୨୨୩୩ କିଲୋକ୍ୟାଲୋରି ଓ ୬୦.୭ ଗ୍ରାମ୍‌। ଏଥିରୁ ଜଣାପଡୁଛି ଯେ ରାଜ୍ୟରେ ବ୍ୟାପକ ଅପପୁଷ୍ଟି ବଳବତ୍ତର ରହିଛି।

ଉପରୋକ୍ତ ତଥ୍ୟମାନଙ୍କରୁ ଏହା ବୁଝାପଡ଼ିଥାଏ ଯେ ଦାରିଦ୍ର, କମ୍ କ୍ରୟ ଶକ୍ତି ଓ ଅପପୁଷ୍ଟିର ବ୍ୟାପକତା କାରଣରୁ ଲୋକମାନେ ଆବଶ୍ୟକତା ଠାରୁ କମ୍ ଖାଦ୍ୟ ଖାଉଛନ୍ତି। ତେଣୁ ରାଜ୍ୟରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଲୋକଙ୍କର ଆବଶ୍ୟକତା ପୂରଣ ପାଇଁ ନିଅଣ୍ଟ ଥିବା ଭଳି ମନେ ହେଉଛି। ଅଧିକନ୍ତୁ, ବ୍ୟକ୍ତି ପିଛା ଖାଦ୍ୟ ଆବଶ୍ୟକତାର ସର୍ବେକ୍ଷଣ କରି ଓଡ଼ିଶା ସରକାର ଖାଦ୍ୟ ଯୋଗାଣ ତଥ୍ୟରେ ବାସ୍ତବିକ ଚାହିଦାର ଚିତ୍ର ଉପସ୍ଥାପିତ କରିବା ଆବଶ୍ୟକ। ଏହା ଦ୍ବାରା ଖାଦ୍ୟ ଚାହିଦାର ଉତ୍ତମ ଅାକଳନ କରାଯାଇପାରିବ ଏବଂ ତଦନୁଯାୟୀ ସଂସାଧନର ପରିଚାଳନା କରି ରାଜ୍ୟର କୃଷିକ୍ଷେତ୍ରକୁ ଅଧିକ ଉନ୍ନତ କରିହେବ।

ପ୍ରାକ୍ତନ ଅର୍ଥନୀତି ପ୍ରଫେସର,
ଉତ୍କଳ ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର