ସୁଖର କଥା ଯେ ଏଇ ୨୫ ଜୁଲାଇ (୨୦୨୨)ରେ ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ୬୫ତମ ଜନ୍ମଦିନ ପାଳନ କରିଛି। ଆହୁରି ସୁଖର କଥା ଯେ ସେହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ସୁଦୃଶ୍ୟ ଇତିହାସ ପୁସ୍ତକ ପ୍ରକାଶ ପାଇଛି। ସେହି ପୁସ୍ତକର ଶୀର୍ଷକ ‘ଓଡ଼ିଶା ସାହିତ୍ୟ ଏକାଡେମୀ ଇତିହାସ, ୧୯୫୭-୨୦୨୨’। କର୍ମଚାରୀ ତଥା ଅଧିକାରୀ ଭାବରେ ଏକାଡେମୀ ସହ ଦୀର୍ଘ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସଂପୃକ୍ତ ଥିବା ରବି ରାୟ ଏହି ପୁସ୍ତକର ପ୍ରଣେତା। ଏପରି ଏକ ପୁସ୍ତକର ଆବଶ୍ୟକତା ଦୀର୍ଘକାଳ ଧରି ଅନୁଭୂତ ହେଉଥିଲା। ତାହାର ପ୍ରକାଶନ ସହିତ, ଏକ ଐତିହାସିକ ଆବଶ୍ୟକତାର ପରିପୂରଣ ହେଲା।
କିନ୍ତୁ ଦୁଃଖର କଥା ଯେ ଏହି ଜନ୍ମଦିନ ପାଳନର ମାତ୍ର ଦିନ ତିନିଟି ପରେ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବେ ଠିଆ ହୋଇଛି ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାଠଗଡ଼ାରେ।
ଏ ପରିସ୍ଥିତି ସୃଷ୍ଟି ହୋଇଛି ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ର ନୂଆ ନିୟମାବଳୀକୁ ନେଇ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ, ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କର ଏକ ଆବେଦନ (W.P. (C) No. 17959 of 2022)ର ବିଚାର କରି, ୨୯/୭/୨୦୨୨ରେ, ଏହି ନିୟମାବଳୀର କାର୍ଯ୍ୟକାରିତା ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେଇଛନ୍ତି। ମାନ୍ୟବର ବିଚାରପତିଙ୍କ ରାୟ ଅନୁସାରେ, ଏକାଡେମୀ ଓ ଓଡ଼ିଶା ସରକାର ଚାରିସପ୍ତାହ ମଧ୍ୟରେ ସେ ବାବଦରେ ଜବାବ ଦାଖଲ କରିବେ ଏବଂ ସେହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ ତାରିଖରେ ହେବ। ସେ ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏହି ମାମଲା ଦାଏର କରିଥିଲେ, ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ତଥା ପୁରସ୍କାର ନିୟମାବଳୀ ପରିବର୍ତ୍ତନ ଓ ସଂଶୋଧନ କମିଟିର ଅଧ୍ୟକ୍ଷ, ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ପଞ୍ଜୀକୃତ ସମିତି। ଏହାର ଏକ ସ୍ୱତନ୍ତ୍ର ସଂବିଧାନ ଅଛି। ସେହି ସଂବିଧାନ ଆଧାରରେ ଏହାର ସମସ୍ତ ପ୍ରାଶାସନିକ ଓ ସାରସ୍ୱତ କାର୍ଯ୍ୟକ୍ରମ ସଂଚାଳିତ ହୋଇଥାଏ। ଏକାଡେମୀର ସମସ୍ତ ନିୟମାବଳୀର ପରିବର୍ତ୍ତନ ଓ ସଂଶୋଧନପାଇଁ, ଏହାର କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟକାରୀ ପରିଷଦ, ସାଧାରଣ ପରିଷଦ ଓ ଅର୍ଥସମିତି ପ୍ରାଧିକୃତ ଏବଂ ଉତ୍ତରଦାୟୀ। ଓଡ଼ିଶା ସରକାର ଓଡ଼ିଶା ସାହିତ୍ୟ ଏକାଡେମୀର ବିଭିନ୍ନ ପୁରସ୍କାରର ଅର୍ଥରାଶି ବୃଦ୍ଧି କରିଥିବାରୁ, ସମସ୍ତ ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସଂଶୋଧନ ପାଇଁ ୨୦୨୧ ଜାନୁଆରି ୨୭ ତାରିଖରେ ଏକ ଉପସମିତି ନୂତନ ଭାବେ ଗଠନ ହୋଇଥିଲା। ସେହି ଉପସମିତି ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ‘ସାରସ୍ୱତ ସାଧକଙ୍କ ସମ୍ବର୍ଦ୍ଧନା’ ନିୟମାବଳୀ ପ୍ରଣୟନ କରିଥିଲା ଏବଂ ସାଂବିଧାନିକ ବିଧିବ୍ୟବସ୍ଥା ଅନୁସାରେ ତାହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ମାତ୍ର ସେହି ଦୁଇ ନିୟମାବଳୀ ସରକାରଙ୍କ ପାଖରେ, ଅନୁମୋଦନ ଅପେକ୍ଷାରେ ବର୍ଷାଧିକ କାଳ ଧରି ପଡ଼ି ରହିଥିବା ବେଳେ, ରାଜ୍ୟ ସରକାରଙ୍କର ସଂପୃକ୍ତ ବିଭାଗ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ ନିଜେ ନୂଆକରି ପ୍ରସ୍ତୁତ କରିଛନ୍ତି। ଏହା ଅସାଂବିଧାନିକ। ଏଣୁ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ସାଂବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ପ୍ରସ୍ତୁତ ହୋଇ ସରକାରଙ୍କ ଅନୁମୋଦନ ନିମନ୍ତେ ଯାଇଥିବା ଏବଂ ବର୍ଷାଧିକ କାଳ ଧରି ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ’ ଓ ‘ସାରସ୍ୱତ ସାଧକଙ୍କ ସମ୍ବର୍ଦ୍ଧନା ନିୟମାବଳୀ’କୁ ସରକାର ତୁରନ୍ତ ଗ୍ରହଣ କରିବାକୁ ଏବଂ ଅସାଂବିଧାନିକ ଭାବରେ ପ୍ରସ୍ତୁତ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’କୁ ରଦ୍ଦ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଦେଶ ଦିଅନ୍ତୁ।
ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, କେଉଁମାନେ ଏହି ଅସାଂବିଧାନିକ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ର ପ୍ରଣେତା? ସୂଚନା ଅନୁସାରେ- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଶାସନ ସଚିବ ଅମୂଲ୍ୟ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ଏବଂ ଜନୈକ ମନୋଜ ମହାନ୍ତି ଏହା ପ୍ରଣୟନ କରିଛନ୍ତି। ୨୭ ଏପ୍ରିଲ୍ ୨୦୨୨ରେ ଏହି ‘ନୂଆ’ ନିୟମାବଳୀ ପ୍ରଣୀତ ହେବା ପରେ, ଏହାକୁ ‘ସଂଶୋଧିତ’ ନିୟମାବଳୀ ଭାବରେ ଆଖ୍ୟାୟିତ କରି, “ତୁରନ୍ତ କାର୍ଯ୍ୟାନୁଷ୍ଠାନ” ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ନିକଟକୁ ପଠାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୨/୫/୨୦୨୨ ତାରିଖର ଚିଠି ଅନୁସାରେ, ଏହି ନିୟମାବଳୀ ପ୍ରଣୟନ କମିଟିର ଅନ୍ୟତମ ସଦସ୍ୟ ତଥା ଉପଶାସନ ସଚିବ ଅମୂଲ୍ୟ କୁମାର ନାୟକ ତାହାକୁ ଏକାଡେମୀକୁ ପଠାଇଥିଲେ। ସେହି ଚିଠିରେ କୁହାଯାଇଛି- “ମୁଁ ନିର୍ଦ୍ଦେଶକ୍ରମେ ସରକାରଙ୍କ ଦ୍ୱାରା ଅନୁମୋଦିତ ଓଡ଼ିଶା ସାହିତ୍ୟ ଏକାଡେମୀର ସଂଶୋଧିତ ପୁରସ୍କାର ନିୟମାବଳୀକୁ ଏଠାରେ ସଂଲଗ୍ନ ପୂର୍ବକ ଜଣାଉଅଛି ଯେ ଅଦ୍ୟ ଦିବସ ପରେ ଚୟନ ହେବାକୁ ଥିବା ପୁରସ୍କାରମାନ ଏହି ନିୟମାବଳୀ ପ୍ରକାରେ ଚୟନ କରାଯାଉ।”
ସୂଚନା ଅନୁସାରେ, ୪ ମେ ୨୦୨୨ରେ ସେହି ଚିଠି ପାଇବା ପରେ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ୧୦ ଜୁନ୍ ୨୦୨୨ ତାରିଖରେ ଏକାଡେମୀର କାର୍ଯ୍ୟକାରୀ ପରିଷଦର ଏକ ବୈଠକ ଡକାଇଥିଲେ। ସେହି ବୈଠକରେ ଥିଲା ତିନିଟି କାର୍ଯ୍ୟସୂଚୀ। ପ୍ରଥମ ଦୁଇଟି କାର୍ଯ୍ୟସୂଚୀ ଯଥାକ୍ରମେ ଥିଲା- (୧) ୬/୬/୨୦୨୨ ତାରିଖ ଅର୍ଥ ସମିତି ବୈଠକର ନିଷ୍ପତ୍ତି ଉପରେ ଆଲୋଚନା ଓ ଅନୁମୋଦନ; ଏବଂ (୨) ୭/୫/୨୦୨୨ ବିଭାଗୀୟ ପଦୋନ୍ନତି କମିଟି ବୈଠକର ବିବରଣୀ ଅନୁମୋଦନ। କିନ୍ତୁ, ୩ୟ କାର୍ଯ୍ୟସୂଚୀରେ ଥିଲା- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ସଂଶୋଧିତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀକୁ କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ଅବଗତି ନିମନ୍ତେ ଉପସ୍ଥାପନ।
ଏ ପ୍ରସଙ୍ଗରେ, ‘ଅନୁମୋଦନ’ ଓ ‘ଅବଗତି’, ଏ ଦୁଇଟି ଶବ୍ଦ ତାତ୍ପର୍ଯ୍ୟପୂର୍ଣ୍ଣ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଏକ ମାନ୍ୟତାପ୍ରାପ୍ତ ଗ୍ରନ୍ଥ। ସେଥିରେ ଏ ଦୁଇ ଶବ୍ଦର ଉଭୟ ଓଡ଼ିଆ ଓ ଇଂରାଜୀ ଅର୍ଥ ଅଛି। ‘ଅବଗତି’ର ଅର୍ଥ ରୂପେ କୁହାଯାଇଛି- ସମ୍ବାଦପ୍ରାପ୍ତି ବା ଜଣାଇବା। ଏବଂ ଇଂରାଜୀ ଅର୍ଥରେ କୁହାଯାଇଛି- State of being informed/Information/Notice। ଅର୍ଥାତ୍, ଯାହାଙ୍କର ଅବଗତି କରାଯିବ- ସେ କେବଳ ସେହି ସୂଚନା ବା ସମ୍ବାଦଟିକୁ ପାଇବେ। ସେ ସଂପର୍କରେ ସେ କେବଳ ଜାଣିବେ। ସେ ବାବଦରେ କିଛି କହିବାର ଅବକାଶ ତାଙ୍କର ନାହିଁ।
ଅପରପକ୍ଷେ, ‘ଅନୁମୋଦନ’ର ଅର୍ଥ ସଂପୂର୍ଣ୍ଣ ଭିନ୍ନ। ‘ଭାଷାକୋଷ’ ଅନୁସାରେ ଏହାର ଶବ୍ଦ-ବ୍ୟୁତ୍ପତ୍ତି ହେଉଛି- ଅନୁ+ମୁଦ୍ ଧାତୁ; ଅର୍ଥାତ୍ ହର୍ଷପ୍ରକାଶ କରିବା ବା ଆହ୍ଲାଦପ୍ରକାଶ ପୂର୍ବକ ସମ୍ମତି ଦେବା। ଇଂରାଜୀରେ ଏହାକୁ କୁହାଯାଇଛି- The act of consenting gladly; ଅର୍ଥାତ, ସମ୍ମତ ହେବା/ସମର୍ଥନ କରିବା/ଉଚିତ ବୋଲି ସ୍ୱୀକାର କରିବା। ଏହାର ଅଧିକ ବ୍ୟାଖ୍ୟା କରି ‘ଭାଷାକୋଷ’ ତାହାର ‘ଦ୍ରଷ୍ଟବ୍ୟ’ରେ କହିଛନ୍ତି- ସଭାରେ ଜଣେ ପ୍ରସ୍ତାବ କରନ୍ତି; ଆଉ ଜଣେ (ପ୍ରସ୍ତାବକୁ) ଅନୁମୋଦନ କରନ୍ତି। ତାହା ପରେ, ଉକ୍ତ ପ୍ରସ୍ତାବ ସଭାରେ ଉପସ୍ଥାପିତ ହୋଇ ଉପସ୍ଥିତ ବ୍ୟକ୍ତିମାନଙ୍କ ଦ୍ୱାରା ସମର୍ଥିତ ହୁଏ। ଏଣୁ ‘ଅନୁମୋଦନ’ ଓ ‘ଅବଗତି’ ଏ ଦୁଇ ଶବ୍ଦ ଭିତରେ ମୌଳିକ ପାର୍ଥକ୍ୟ ଅଛି।
କେବଳ ‘ଅର୍ଥସମିତି’ କ୍ଷେତ୍ରରେ ଗୋଟିଏ ଧାରା (୬/୪)ରେ ସରକାରଙ୍କୁ ସର୍ବୋଚ୍ଚ କ୍ଷମତା ଦିଆଯାଇଥିଲେ ହେଁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଂବିଧାନ, ତାହାର ଅନ୍ୟ ସମସ୍ତ ନିୟମାବଳୀ ପ୍ରଣୟନର ଅଧିକାର, ଏକାଡେମୀର ‘କାର୍ଯ୍ୟକାରୀ ପରିଷଦ’ ଓ ‘ସାଧାରଣ ପରିଷଦ’କୁ ଦେଇଛି। ସଂବିଧାନ ଅନୁସାରେ, କାର୍ଯ୍ୟକାରୀ ପରିଷଦ ନିୟମାବଳୀ ପ୍ରଣୟନ କରିବା ପରେ, ତାହାକୁ ସାଧାରଣ ପରିଷଦ ଆଲୋଚନା କରି ଅନୁମୋଦନ କରେ ଏବଂ ତାହା ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ପାଇବା ପରେ କାର୍ଯ୍ୟକାରୀ ହୁଏ। ସେହି ସାଂବିଧାନିକ ବ୍ୟବସ୍ଥା ଅନୁସାରେ, ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ’ ଏବଂ ‘ସାରସ୍ୱତ ସମ୍ବର୍ଦ୍ଧନା ନିୟମାବଳୀ’କୁ ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ନ ମିଳିଥିବାରୁ, ବର୍ଷାଧିକ କାଳ ହେଲା ତାହା ଝୁଲି ରହିଛି। ଏପରି ସ୍ଥଳେ, ସରକାର ନିଜେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ର ‘ନୂଆ’ ନିୟମାବଳୀ ପ୍ରସ୍ତୁତ କରି, ତାହାକୁ ‘ସଂଶୋଧିତ’ ବୋଲି ଦର୍ଶାଇ, ‘ଅବଗତି’ ଶବ୍ଦର ଅପପ୍ରୟୋଗ କରି, ଏବଂ ଅର୍ଥସମିତି ସଂପର୍କିତ ସାଂବିଧାନିକ ଧାରା (୬/୪)ର ଭୁଲ୍ ବ୍ୟାଖ୍ୟା କରି, ସେହି ଅସାଂବିଧାନିକ ନିୟମାବଳୀକୁ ତୁରନ୍ତ ଚଳାଇନେବାକୁ ବସିଛନ୍ତି। ଏହାକୁ ନେଇ ହିଁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଛି ସୂଚିତ ମାମଲା ଏବଂ ସେ ବାବଦରେ ଉଚ୍ଚ ନ୍ୟାୟାଳୟ ଦେଇଛନ୍ତି ଏକ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ।
କିନ୍ତୁ ଏ ପ୍ରସଙ୍ଗରେ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତିଙ୍କ ଆଚରଣ ବଡ଼ ବିଚିତ୍ର। ସୂଚନା ଅନୁସାରେ, ୧୦ ଜୁନ୍ ୨୦୨୨ରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ, ସଭାପତି ଓ ଉପସଭାପତି, ଏକାଡେମୀ ବ୍ୟାପାରରେ ରାଜ୍ୟ ସରକାରଙ୍କର ଏହି ଅବାଂଛିତ ହସ୍ତକ୍ଷେପକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ସେହି ବୈଠକର ବିବରଣୀରେ ଉଲ୍ଲେଖ ଅଛି, “ସଭାପତି ସରକାରଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ ତତ୍କାଳ ଲାଗୁ କରିବା ନିମନ୍ତେ ସଚିବଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ।” କିନ୍ତୁ ପ୍ରକୃତ କଥାଟି ହେଉଛି- ଏହା କାର୍ଯ୍ୟକାରୀ ପରିଷଦ ଦ୍ୱାରା ପ୍ରଣୀତ ଓ ସାଧାରଣ ପରିଷଦଦ୍ୱାରା ଅନୁମୋଦିତ ହୋଇ, ସରକାରଙ୍କର ଚୂଡ଼ାନ୍ତ ଅନୁମୋଦନ ପାଇଁ ଯାଇଥିବା ନିୟମାବଳୀ ନୁହେଁ। ଏହା ସରକାରଙ୍କ ଦ୍ୱାରା ପ୍ରଣୀତ ଏକ ନିୟମାବଳୀ ଏବଂ ଏହାକୁ କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କୁ କେବଳ ‘ଅବଗତ’ କରାଯାଇଥିଲା। ପରେ, ୨୫ ଜୁଲାଇରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ମଧ୍ୟ ତାହାର ପୁନରାବୃତ୍ତି ହୋଇଥିଲା। ଅର୍ଥାତ୍, ସେଥିରେ ମଧ୍ୟ ସେହି ନିୟମାବଳୀକୁ ସଦସ୍ୟମାନଙ୍କୁ କେବଳ ‘ଅବଗତ’ କରାଯାଇଥିଲା। ‘କାର୍ଯ୍ୟକାରୀ ପରିଷଦ’ ଓ ‘ସାଧାରଣ ପରିଷଦ’ର ସଦସ୍ୟମାନେ ସେ ବାବଦରେ, ନିଜ ନିଜ ବୈଠକରେ କୌଣସି ଆଲୋଚନା କରି ପାରିନଥିଲେ। କାରଣ, ସେମାନେ କୌଣସି ଆଲୋଚନା କରି ପାରିବେ ନାହିଁ ବୋଲି ସଭାପତି ‘ହ୍ୱିପ୍’ ଜାରି କରିଥିଲେ। ସେ ଦୃଷ୍ଟିରୁ, ଏହି ଅସାଂବିଧାନିକ ନିୟମାବଳୀକୁ ରଦ୍ଦ କରିବାପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଛି ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାହା ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି।
ଏହା ସତ୍ତ୍ୱେ, ଏକ ହାସ୍ୟାସ୍ପଦ ବିଷୟ ହେଉଛି- ଏକାଡେମୀର ଉପସଭାପତି ୨୫ ଜୁଲାଇ ୨୦୨୨ରେ ଅନୁଷ୍ଠିତ ଏକାଡେମୀର ଜନ୍ମଦିନ ଉତ୍ସବ ଭାଷଣରେ, ପଣ୍ଡିତ ଜବାହରଲାଲ ନେହରୁଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତିର ଅବତାରଣା କରିଛନ୍ତି। ୧୯୫୪ରେ କେନ୍ଦ୍ର ସାହିତ୍ୟ ଅକାଦେମିର ପ୍ରତିଷ୍ଠା ହୋଇଥିଲା ଏବଂ ୧୯୫୪ରୁ ୧୯୬୪ ପର୍ଯ୍ୟନ୍ତ ପଣ୍ଡିତ ନେହରୁ ଥିଲେ ତାହାର ସଭାପତି। ସେହି ସମୟରେ ମଧ୍ୟ (୧୯୪୭ରୁ ୧୯୬୪ ପର୍ଯ୍ୟନ୍ତ) ସେ ଥିଲେ ଭାରତର ପ୍ରଧାନମନ୍ତ୍ରୀ। ସେତେବେଳେ ସେ କହିଥିଲେ, “As President of the Akademi I may tell you quite frankly, I would not like the Prime Minister to interfere with my work.” ଅର୍ଥାତ୍, “ମୁଁ ଖୁବ୍ ସ୍ପଷ୍ଟ ଭାବରେ କହିବାକୁ ଚାହେ ଯେ ସାହିତ୍ୟ ଅକାଦେମିର ସଭାପତି ଭାବରେ ମୋ କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପକୁ ମଧ୍ୟ ମୁଁ ପସନ୍ଦ କରିବି ନାହିଁ।” ଅଥଚ ଆଶ୍ଚର୍ଯ୍ୟ ଏହି ଯେ ନିଜର ଭାଷଣରେ ଏକଥା କହୁଥିବା ଏକାଡେମୀର ଉପସଭାପତି ଏବଂ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟରେ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି! ଏହା କେବଳ ଏକ ଆଶ୍ଚର୍ଯ୍ୟ ନୁହେଁ; ଓଡ଼ିଶା ସାହିତ୍ୟ ଏକାଡେମୀ ଇତିହାସର ସବୁଠୁ ବଡ଼ ବିଡ଼ମ୍ବନା।
ଏବଂ ଏହି ବିଡ଼ମ୍ବନା ପାଇଁ ହିଁ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଜି କାଠଗଡ଼ାରେ। ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ଏହି ଏକାଡେମୀର ପୁରସ୍କାରକୁ ନେଇ ୨୨ ବର୍ଷ ତଳେ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ତାହାର ସମାଧାନ ଏଯାଏ ହୋଇନାହିଁ। ଏଣୁ ଏ ନୂଆ ମାମଲାର ସମାଧାନ କେବେ ହେବ ତାହା କେବଳ ସମୟ ହିଁ କହିବ।
ମୋ: ୯୪୩୭୦ ୩୪୮୦୪