ତା’ ହେଲେ ଦରଦାମ ବୃଦ୍ଧି କ’ଣ ଏକ ଭ୍ରମ?

ସରଳ ବିଚାର - ସରଳ କୁମାର ଦାସ

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡ଼ିକ କରୁଥିବା ଦାବିକୁ ନେଇ ସଂସଦ କାର୍ଯ୍ୟ ଦୀର୍ଘ ଦିନ ଧରି ବାଧାପ୍ରାପ୍ତ ହେଲା ପରେ ଶେଷରେ ସଂସଦରେ ସେ ନେଇ ଆଲୋଚନା ହେଲା। ତେବେ ବିରୋଧୀ ଦଳର ସଦସ୍ୟମାନେ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର କେନ୍ଦ୍ର ଅର୍ଥମନ୍ତ୍ରୀ ଯେଉଁଭଳି ଢଙ୍ଗରେ ରଖିଲେ ସେଥିରୁ ପ୍ରତୀତ ହେଲା ବୋଧେ ଭାରତରେ ଦରଦାମ ବୃଦ୍ଧି ସମସ୍ୟା ଉତ୍କଟ ନୁହେଁ; ବରଂ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ। ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ଦେଢ଼ ଘଣ୍ଟା ଧରି ଦିଆଯାଇଥିବା ବିବୃତି ଦରଦାମ ବୃଦ୍ଧି ଅପେକ୍ଷା ଦେଶର ଅର୍ଥନୈତିକ ଅବସ୍ଥା ଉପରେ ଅଧିକ କେନ୍ଦ୍ରିତ ଥିଲା, ଯାହା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପ୍ରୟାସ ବାବଦରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ କରିବାରେ ଅସମର୍ଥ ହୋଇଥିଲା। ତାହା ଶୁଣିଲା ପରେ କ୍ଷଣିକ ପାଇଁ ମନରେ ପ୍ରଶ୍ନଟିଏ ଉଙ୍କି ମାରିବା ସ୍ୱାଭାବିକ, ‘ତାହାହେଲେ ଦରଦାମ ବୃଦ୍ଧି ସମସ୍ୟା ବାସ୍ତବ ନା ଏକ ଭ୍ରମ?’

ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ କୋଭିଡ୍‌ ମହାମାରୀର ଲହର, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଓ ଚୀନରେ ଲକ୍‌ଡାଉନ୍‌ ଆଦି କାରଣରୁ ସାରା ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୀତି ଏବଂ ଯୋଗାଣ ଓ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବୈଶ୍ୱିକ କାରଣଗୁଡ଼ିକ ଉପରେ ଭାରତର ନିୟନ୍ତ୍ରଣ ନ ଥିବାରୁ ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଏହା କେତେକାଂଶରେ ସତ ହୋଇଥିଲେ ବି ସବୁ ଦୋଷ କେବଳ ଉପରୋକ୍ତ କାରଣଗୁଡ଼ିକ ଉପରେ ଲଦି ଦେବା ଠିକ୍ ହେବନାହିଁ। କାରଣ ଉପରୋକ୍ତ ବାହ୍ୟିକ ଘଟଣାଗୁଡ଼ିକ ସଂଘଟିତ ହେବା ପୂର୍ବରୁ ମଧ୍ୟ ଦେଶରେ ମୁଦ୍ରାସ୍ଫୀତି ହାର ଡିସେମ୍ୱର ୨୦୧୯ରେ ୭.୩୫% ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୬.୬୨% ହୋଇସାରିଥିଲା, ଅର୍ଥାତ୍ ୬%ର ଗ୍ରହଣୀୟ ହାର ଠାରୁ ଯଥେଷ୍ଟ ଅଧିକ ଥିଲା।

ସରକାର ଅର୍ଥନୀତିର ସୁପରିଚାଳନା କରିଥିବାରୁ ଭାରତର ମୁଦ୍ରାସ୍ଫୀତି ହାର ଅନେକ ବିକଶିତ ଦେଶ ଏପରିକି ଆମେରିକା ତୁଳନାରେ ବି ଉନ୍ନତ ରହିପାରିଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ବିବୃତିରେ ଦର୍ଶାଇଥିଲେ। ପ୍ରତିଟି ଦେଶର ସ୍ଥିତି ଭିନ୍ନ ହୋଇଥିବାରୁ ଅନ୍ୟ ଦେଶ ସହ ଏହାର ତୁଳନା କରିବା ସମୀଚୀନ ହୋଇ ନ ପାରେ। ତା ଛଡ଼ା ସେହି ସବୁ ଦେଶର ଲୋକଙ୍କ କ୍ରୟ ଶକ୍ତି ତୁଳନାରେ ଭାରତର ସାଧାରଣ ଜନତାଙ୍କ କ୍ରୟ ଶକ୍ତି ଯଥେଷ୍ଟ କମ୍‌। ତେଣୁ, ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଯୋଗୁଁ ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି। ପୁନଶ୍ଚ, ଭାରତର ମୁଦ୍ରାସ୍ଫୀତିକୁ ଆମେରିକା ସହ ତୁଳନା କରିବା ଆତକୁ ଆମ୍ୱ ସହ ତୁଳନା କରିବା ଭଳି କଥା। ମୁଦ୍ରାସ୍ଫୀତି ହାର ନିର୍ଦ୍ଧାରିତ ହେଉଥିବା ଖାଉଟି ଦର ସୂଚକାଙ୍କ (ସିପିଆଇ)ରେ ସାମିଲ ସାମଗ୍ରୀଗୁଡ଼ିକ ଭାରତରେ ଯାହା ଆମେରିକାରେ ତାହା ନୁହେଁ। ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ଭାରତର ମୁଦ୍ରାସ୍ଫୀତିରେ ଯେତେ ଗୁରୁତ୍ୱ ବହନ କରେ ଆମେରିକାର ମୁଦ୍ରାସ୍ଫୀତିରେ ସେତେଟା ଗୁରୁତ୍ୱ ବହନ କରି ନ ଥାଏ।

ଏ କଥା ସତ ଯେ ଆମେରିକାରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇ ଜୁନ୍‌ ୨୦୨୨ରେ ୯.୧%, ଅର୍ଥାତ୍ ଗତ ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଥିପାଇଁ ମୁଖ୍ୟତଃ କୋଭିଡ୍‌ ଓ ଯୋଗାଣ ବ୍ୟବସ୍ଥାର ବିପର୍ଯ୍ୟୟ ଭଳି କାରଣ ଦାୟୀ ହୋଇଥିଲେ ବି ଉଚ୍ଚ ଚାହିଦା (ହାଇ ଡିମାଣ୍ଡ) ମଧ୍ୟ ଏକ ବଡ଼ କାରଣ ବୋଲି ଜଣାପଡ଼ିଛି। କୋଭିଡ୍‌ ମହାମାରୀର ଅର୍ଥନୈତିକ ଆଘାତରୁ ପରିବାର ଓ ବ୍ୟବସାୟଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଲାଗି ସେଠିକା ସରକାର ପ୍ରାୟ ୫ ଲକ୍ଷ କୋଟି ଡଲାରର ସହାୟତା ପ୍ରଦାନ କରିଥିଲେ। ଏହି କ୍ରମରେ ପ୍ରତ୍ୟେକ ବୟସ୍କଙ୍କୁ ତିନି ଦଫାରେ ସିଧାସଳଖ ୩୨୦୦ ଡଲାରର ଚେକ୍‌ ପ୍ରଦାନ କରାଯାଇଥିଲା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବି ଭିନ୍ନ ଭିନ୍ନ ରାଶିର ସହାୟତା ପ୍ରଦାନ କରାଯାଇଥିଲା, ଯାହାକୁ ‘ଷ୍ଟିମ୍ୟୁଲସ ଚେକ୍’ ବୋଲି କୁହାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ଖାଦ୍ୟ ପଦାର୍ଥ କ୍ରୟରେ ଏହି ସହାୟତା ରାଶି ବିନିଯୁକ୍ତ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଆସବାବପତ୍ର, କାର, ଇଲେକ୍ଟ୍ରୋନିକ ସାମଗ୍ରୀ ଆଦିର କ୍ରୟରେ ବିନିଯୋଗ ହୋଇ ସେ ସବୁର ଚାହିଦାରେ ଅହେତୁକ ବୃଦ୍ଧି ଘଟିଲା। କିନ୍ତୁ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାର ବିପର୍ଯ୍ୟୟ ଯୋଗୁଁ ଦର ହୁ ହୁ ହୋଇ ବଢ଼ିଚାଲିଲା। ଏକ ଆକଳନ ଅନୁସାରେ ଏହି ଆର୍ଥକ ସହାୟତା ଯୋଗୁଁ ମୁଦ୍ରାସ୍ଫୀତି ହାର ପ୍ରାୟ ୩% ବୃଦ୍ଧି ପାଇଲା। ସେଠାରେ ଜାଳେଣି ଦର ବୃଦ୍ଧି ମଧ୍ୟ ମୁଦ୍ରାସ୍ଫୀତିର ଅନ୍ୟ ଏକ ବଡ଼ କାରଣ।

ଏବର ଦରଦାମ ବୃଦ୍ଧି ୟୁପିଏ ଶାସନ କାଳରେ ହୋଇଥିବା ଦରଦାମ ବୃଦ୍ଧି ତୁଳନାରେ କମ୍‌ ବୋଲି କହି ଏହା ଉତ୍କଟ ନୁହେଁ ବୋଲି ପ୍ରତିପାଦନ କରିବାର ପ୍ରୟାସ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଅନୁସାରେ ୟୁପିଏ ଶାସନ ଅମଳରେ ମୁଦ୍ରାସ୍ଫୀତି ହାର ୨୨ ମାସ ୯%ରୁ ଅଧିକ ଥିଲା ବେଳେ ୯ ମାସ ୧୦%ରୁ ମଧ୍ୟ ଅଧିକ ସ୍ତରରେ ଥିଲା। ଏନ୍‌ଡିଏ ସରକାରଙ୍କ ଅମଳରେ ତାହା କେବେ ବି ୯% ଛୁଇଁ ନାହିଁ। ଏହା ଠିକ୍ ହୋଇଥିଲେ ବି ଅର୍ଥମନ୍ତ୍ରୀଙ୍କ ବିବୃତି ଅର୍ଦ୍ଧ-ସତ୍ୟ ଉପରେ ଆଧାରିତ। ୟୁପିଏ ଅମଳର ବର୍ଦ୍ଧିତ ମୁଦ୍ରାସ୍ଫୀତିର ଅବତାରଣା କଲା ବେଳେ ସେ ସେହି ସମୟର ଉଚ୍ଚ ବିକାଶ ଦର ସମ୍ପର୍କରେ ସୂଚନା ପ୍ରଦାନ ନ କରି ଚତୁରତାର ସହ ଏଡ଼ାଇ ଯିବାକୁ ଉଚିତ ମଣିଥିଲେ। ବାସ୍ତବତା ହେଉଛି ୟୁପିଏ-୨ ଅମଳରେ ମୁଦ୍ରାସ୍ଫୀତିର ହାର ଅଧିକ ଥିଲେ ବି ଦେଶର ବିକାଶ ଦର ହାରାହାରି ୭.୬୮% ଥିଲା। ୨୦୦୭-୦୮ ଓ ୨୦୧୦-୧୧ରେ ତ ତାହା ୧୦%ରୁ ଅଧିକ ଯଥାକ୍ରମେ ୧୦.୨୩% ଓ ୧୦.୭୮% ଥିଲା। ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଏହା ୨୦୧୪-୧୫ରେ ୭.୪%ରୁ ବଢ଼ି ୨୦୧୬-୧୭ରେ ସର୍ବାଧିକ ୮.୩%ରେ ପହଞ୍ଚିଥିଲା। ତା ପରଠାରୁ ଲଗାତାର ତାହା ହ୍ରାସ ପାଇ ୨୦୨୦-୨୧ରେ (କୋଭିଡ୍‌ କାଳରେ) ବିଯୁକ୍ତ ୮%ରେ ପହଞ୍ଚିଯାଇଥିଲା। ଏବେ ଅବଶ୍ୟ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥାତ୍ ୟୁପିଏ ଅମଳରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସହିତ ବିକାଶ ଦର ଉଚ୍ଚା ଥିଲା ବେଳେ ଏନ୍‌ଡିଏ ଅମଳରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସହିତ ବିକାଶ ଦର ନୀଚା‌ ରହିଛି।

ୟୁପିଏ ଅମଳରେ ଉଚ୍ଚ ବିକାଶ ହାର କାରଣରୁ ଲୋକଙ୍କ ନିକଟରେ କର୍ମନିଯୁକ୍ତିର ସୁଯୋଗ ଓ ଆୟ ଅପେକ୍ଷାକୃତ ଭଲ ଥିଲା। ଫଳରେ ଲୋକଙ୍କୁ ଦରଦାମ ବୃଦ୍ଧି ସେତେଟା ବାଧୁ ନ ଥିଲା। କିନ୍ତୁ ଏବେ ବେକାରି ସମସ୍ୟା ଉତ୍କଟ ହୋଇ ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ଥିଲା ବେଳେ ଓ ଲୋକଙ୍କ ଆୟ ହ୍ରାସ ପାଇଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ବିବ୍ରତ କରିବା ସ୍ୱାଭାବିକ। ସାରା ଦେଶରେ ୭୫.୮ କୋଟି ଲୋକଙ୍କୁ ୮ ମାସ ଧରି ମାଗଣା ଖାଦ୍ୟଦ୍ରବ୍ୟ ଯୋଗାଇବାକୁ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଶର ଅର୍ଦ୍ଧାଧିକ ଲୋକ ଯେଉଁଠି ମାଗଣା ଖାଦ୍ୟ ପାଇବା ପାଇଁ ଅପେକ୍ଷା କରିଛନ୍ତି, ସେଠାରେ ସେମାନଙ୍କ ଆର୍ଥିକ ସ୍ଥିତି ଯେ କେତେ ଦୁର୍ବଳ ତାହା ସରକାର ପରୋକ୍ଷରେ ସ୍ୱୀକାର କରୁଛନ୍ତି। ତେଣୁ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଏହି ଶ୍ରେଣୀର ଲୋକଙ୍କ ପାଇଁ ଯେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଉଛି, ସେଥିରେ ସନ୍ଦେହ ନାହିଁ। ୟୁପିଏ ସରକାରଙ୍କ ଅମଳରେ ଦରଦାମ ବୃଦ୍ଧି ପ୍ରତିବାଦରେ ‘ବହତ ହୁଇ ମେହଙ୍ଗାଇ କି ମାର୍‌, ଅବ କି ବାର ମୋଦୀ ସରକାର’ ଭଳି ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଏନ୍‌ଡିଏ ଏବେ ୟୁପିଏର ସେହି ଅସଫଳତାକୁ ଢାଲ କରି ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। କିନ୍ତୁ, ତାହା କ’ଣ ସମ୍ଭବ? ସରକାରଙ୍କ ‘ଜିଏସ୍‌ଟି’ ଆଦାୟ ରାଶି ବୃଦ୍ଧି ପାଇ କେଇ ମାସ ଧରି ଲଗାତାର ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଆସୁଥିଲେ ବି ସରକାର ନୂଆ ନୂଆ ଜିନିଷ ଉପରେ ‘ଜିଏସ୍‌ଟି’ ଲଗାଇବା ବା ଟିକସ ହାରରେ ପରିବର୍ତ୍ତନ କରିବା ଦ୍ୱାରା ଦରଦାମ ଆହୁରି ବଢୁଛି।

ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ମୁଦ୍ରା ନୀତି ଓ ଆର୍ଥିକ ନୀତିରେ ତାଳମେଳ ରଖିବାକୁ ହୋଇଥାଏ। ଏହି ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧି କରି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ପରିବର୍ତ୍ତନ କରି ଗତ ୪ ମାସ ମଧ୍ୟରେ ୩ ଦଫାରେ ରେପୋ ହାରକୁ ପ୍ରାୟ ୧.୪% ବଢ଼ାଇସାରିଛନ୍ତି। ଫଳରେ ବାସଗୃହ ଓ ଅନ୍ୟାନ୍ୟ ବ୍ୟାଙ୍କ ଋଣ ମହଙ୍ଗା ହେବା ସହ ଋଣ କିସ୍ତିର ପରିମାଣ ବଢ଼ି ଋଣଗ୍ରହୀତାଙ୍କ ଉପରେ ଅଧିକ ବୋଝ ପଡ଼ିବ। ଭାରତରେ ମୁଦ୍ରାସ୍ଫୀତିର ପ୍ରମୁଖ କାରଣ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ଓ ଅଶୋଧିତ ତୈଳ ଓ ପେଟ୍ରୋଲିଅମ୍‌ଜାତ ପଦାର୍ଥର ଦରବୃଦ୍ଧି। ଖାଇବା ତେଲ ଓ ଡାଲି ଜାତୀୟ ଶସ୍ୟ ବହୁଳ ଭାବେ ବିଦେଶରୁ ଆମଦାନି ହେଉଥିବାରୁ ଦର କମାଇବା ପାଇଁ ସରକାର ସେଗୁଡ଼ିକ ମଧ୍ୟରୁ କେତୋଟିର ଆମଦାନି ଉପରେ ଉତ୍ପାଦନ ଶୁଳ୍‌କ ଅତିମାତ୍ରାରେ ହ୍ରାସ କରିଛନ୍ତି ବୋଲି କୁହାଗଲା। ଉଦାହରଣ ସ୍ୱରୂପ ଅଶୋଧିତ ପାମ୍‌ ତେଲ ଉପରେ ଆମଦାନି ଶୁଳ୍‌କକୁ ୩୫.୭୫%ରୁ କମ୍‌ କରି ୮.୨୫% ଓ ଏବେ ୫.୫% କରାଯାଇଛି ଏବଂ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଉପରେ ୩୮.୫%ରୁ ୫.୫%କୁ କମାଯାଇଛି। ଅର୍ଥମନ୍ତ୍ରୀଙ୍କ ବିବୃତିରୁ ଲାଗିଲା ସତେ ଯେମିତି ଆମଦାନି ଶୁଳ୍‌କ ଏବେ ଏବେ କମ୍‌ କରାଯାଇଛି। ବାସ୍ତବତା ହେଉଛି ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍‌କ ନଭେମ୍ୱର ୫, ୨୦୨୧ରୁ ୫.୫% ଥିବା ବେଳେ ପାମ୍‌ ତେଲ କ୍ଷେତ୍ରରେ ତାହା ଫେବ୍ରୁଆରି ୧୩, ୨୦୨୨ରୁ ୫.୫% ହୋଇସାରିଛି। ଫଳରେ ପାମ୍‌ ତେଲ ଦର ୧୮% ହ୍ରାସ ପାଇଛି ବୋଲି ଅର୍ଥମନ୍ତ୍ରୀ କହିଥିବା ବେଳେ ତାହା ବାସ୍ତବରେ କେତେ କମିଛି ତାହା ଖାଉଟି ହିଁ କହିବେ।

ସେହିପରି ବିବୃତିରେ ମସୁର ଡାଲି ଉପରେ ଆମଦାନି ଶୁଳ୍‌କ ୩୦%ରୁ କମ୍‌ କରି ଶୂନ ପ୍ରତିଶତ କରାଯାଇଛି ବୋଲି ଯାହା କୁହାଗଲା, ତାହା ଗତ ବର୍ଷ ଜୁଲାଇ ମାସରେ କରାଯାଇଥିଲା। ଅର୍ଥାତ୍, ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧିକୁ ହ୍ରାସ କରିବା ପାଇଁ ସରକାର ଅନ୍ତତଃ ନିକଟ ଅତୀତରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସ୍ପଷ୍ଟ ହେଲା। ଛଅ ମାସରୁ ଅଧିକ ସମୟ ଧରି ଆମଦାନି ଶୁଳ୍‌କ କମ୍‌ ହୋଇଥିଲେ ବି ତାହା ଦାମ କମାଇବାରେ ସେତେ ଫଳପ୍ରଦ ହୋଇ ନ ଥିବାରୁ ସରକାରଙ୍କ ତରଫରୁ ସ୍ଥିତିର ସମୀକ୍ଷା କରି ଅଧିକ କିଛି ପଦକ୍ଷେପ ନିଆଯିବା ଆବଶ୍ୟକ। ଖାଇବା ତେଲ ଓ ଡାଲିର ଆବଶ୍ୟକତା ପୂରଣ ଲାଗି ଯେ ପର୍ଯ୍ୟନ୍ତ ଆମଦାନି ନିର୍ଭରଶୀଳତା ଲାଗି ରହିଥିବ, ଖାଦ୍ୟପଦାର୍ଥର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଥିବ। ତେଣୁ ଆମଦାନି ଶୁଳ୍‌କକୁ ହ୍ରାସ କରି ଦରଦାମ ନିୟନ୍ତ୍ରଣ କରିବା ହୁଏତ ଏକ ସ୍ୱଳ୍ପ ମିଆଦୀ ଲକ୍ଷ୍ୟ, କିନ୍ତୁ ତୈଳବୀଜ ଓ ଡାଲିଜାତୀୟ ଶସ୍ୟର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଏକ ଦୀର୍ଘ ମିଆଦୀ ଓ ପ୍ରଭାବଶାଳୀ ଲକ୍ଷ୍ୟ ହେବ।

ଦରଦାମ ବୃଦ୍ଧି ସମସ୍ୟା ସେତେ ଗମ୍ଭୀର ନୁହେଁ ବୋଲି ସରକାର ହୁଏତ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନ୍ୟ ଦେଶର ମୁଦ୍ରାସ୍ଫୀତି ସ୍ଥିତି ସହିତ ତୁଳନା କରି ନିଜ ପିଠି ଥାପୁଡ଼ାଇବା କିଭଳି ନିରର୍ଥକ ତାହା ଆମେ ଏଠି ଆଲୋଚନା କଲେ। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତ ଓ ନିମ୍ନ ବର୍ଗର ଗୃହିଣୀ ଓ ଗୃହକର୍ତ୍ତାମାନେ ଏହାକୁ ଅଙ୍ଗେ ନିଭାଉଛନ୍ତି।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର