ବାଇଗଣୀ ପ୍ରତିବାଦ

ଚିନ୍ମୟ ଚେତନା - ଚିନ୍ମୟ ହୋତା

ଗତ ସପ୍ତାହ ସଂସଦ ଭିତରେ ଟିଏମ୍‌ସି ସଦସ୍ୟା କାକଳି ଘୋଷ ଦସ୍ତିଦାରଙ୍କ କଞ୍ଚା ବାଇଗଣ ଖିଆ ଦୃଶ୍ୟ ଅନ୍ୟ ସଦସ୍ୟମାନଙ୍କୁ ଅମୋଦିତ କରିଥିଲା ଓ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଏହାକୁ ଟିଭି ଚ୍ୟାନେଲରେ ଦେଖି କିମ୍ବା ଖବରକାଗଜରେ ପଢ଼ି ଅନେକ ଜନସାଧାରଣ ମଧ୍ୟ ଅମୋଦିତ ହୋଇଥିବେ। ହେଲେ ସକାଳୁ ସକାଳୁ ଏ ଅବାଗିଆ ଘଟଣାଟି କାହିଁକି ମୋ ଭିତରେ ଅରୁଚି ସୃଷ୍ଟି କରି ପକାଇଲା। କଞ୍ଚା ବାଇଗଣ? ଅସମ୍ଭବ! ପରିବା କ୍ଷେତରେ ବୁଲୁଥିବା ସମୟରେ ଲୋକଙ୍କୁ ଗଛରୁ ତୋଳି କଞ୍ଚା ଝୁଡ଼ଙ୍ଗ, ଟମାଟୋ ଓ କୁନ୍ଦୁରି ଇତ୍ୟାଦି ଚୋବାଇବାର ଦେଖିଛି, ହେଲେ କାହାର କଞ୍ଚା ବାଇଗଣ ଖାଇବା କେବେ ନଜରକୁ ଆସିନାହିଁ। ତେଣୁ ଗ୍ୟାସ ଦରବୃଦ୍ଧି ବିରୋଧରେ ମାନନୀୟା ସଦସ୍ୟାଙ୍କ ଦ୍ବାରା କଞ୍ଚା ପରିବା ଭକ୍ଷଣ କରିବାର ସ୍ବାଦହୀନ ଦୃଶ୍ୟ ତାଙ୍କ ପ୍ରତିବାଦକୁ କେତେ ଫଳପ୍ରଦ କରିଥିବ, ତାହା ବିତର୍କର ବିଷୟ।

ରାଜନୀତିଜ୍ଞମାନେ ଯେତେ ଗତାନୁଗତିକ ଓ ନିରସ ହୋଇଥାନ୍ତୁ ନା କାହିଁକି, ସେମାନେ ଆପଣାଉଥିବା ରାଜନୈତିକ ପ୍ରତିବାଦର ଉପାୟମାନ କିନ୍ତୁ ସବୁବେଳେ ରଙ୍ଗୀନ ଓ ମଜାଦାର ହୋଇଥାଏ। ଗୃହରେ ହଟ୍ଟଗୋଳ ଓ ଚେୟାର ଫିଙ୍ଗା ଭଳି ମାର୍କା ମରା ପ୍ରତିବାଦଗୁଡ଼ିକ ବ୍ୟତୀତ ବିରୋଧ ପ୍ରଦର୍ଶନ କରିବା ପାଇଁ ଟ୍ରାକ୍ଟର ଚଢ଼ି ପାର୍ଲିଆମେଣ୍ଟକୁ ଆସିବା, ରାସ୍ତାରେ କ୍ଷୀର ଢାଳିବା, ରୋଷେଇ ଉପକରଣ ବାଡ଼େଇ ହଟ୍ଟଗୋଳ ସୃଷ୍ଟି କରିବା, ସଦସ୍ୟମାନଙ୍କୁ ଗହମ କେଣ୍ଡା ବାଣ୍ଟିବା ଇତ୍ୟାଦି ନାନା ପଦ୍ଧତି ଏଇ ଭିତରେ ବ୍ୟବହୃତ ହୋଇସାରିଲାଣି। ତେଲୁଗୁ ଦେଶମ ଦଳର ସାଂସଦ ଏନ୍‌. ଶିବପ୍ରସାଦ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦାବିରେ ଦିନେ ରକ୍ତ ପିପାସୁ ହିଟଲରର ବେଶରେ ସଂସଦରେ ଆବିର୍ଭୂତ ହୋଇପଡ଼ିଲେ। ସେ ପୁଣି ଅନ୍ୟ ସମୟରେ ସ୍କୁଲ ଛାତ୍ର ଓ ମହର୍ଷି ନାରଦଙ୍କ ରୂପ ଧାରଣ କରି ତାଙ୍କର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସତେ ଯେମିତି ପାର୍ଲିଆମେଣ୍ଟ ଗୃହଟି ତାଙ୍କ ପାଇଁ ହୋଇ ଉଠିଥିଲା ନିଜର ଅଭିନୟ ପ୍ରତିଭା ପ୍ରଦର୍ଶନର ଏକ ମଞ୍ଚ। ତାଙ୍କର ଏ ଦିଗରେ ପ୍ରଚେଷ୍ଟା ଅନେକଙ୍କୁ ସେମାନେ ପିଲା ଦିନେ ଦେଖିଥିବା ବହୁରୂପୀର କଥା ମନେ ପକାଇ ଦେଇଥିବ, ଯିଏ ପ୍ରତିଦିନ ସକାଳେ ନୂଆ ରୂପ ଧରି ସାହି ରାସ୍ତାରେ ବିଦ୍ୟମାନ ହେଉଥିଲା। ଆଜିର ଏହି ସବୁ ଭେଳିକି ପ୍ରଦର୍ଶନର ବହୁ ପୂର୍ବରୁ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳର ନେତାମାନେ ଦୁଇଟି ବଳଦ ଟାଣୁଥିବା କାର୍‌ରେ ବସି ଏକ ରୋଚକ ଅଥଚ ପ୍ରଭାବୀ ଢଙ୍ଗରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ। କାହିଁ ସେହି ଅଭିନବ ପ୍ରତିବାଦ ଆଉ କାହିଁ ଏହି କଞ୍ଚା ବାଇଗଣ ଖିଆ? ବଙ୍ଗାଳି ମାନଙ୍କର ସୂକ୍ଷ୍ମ ସୃଜନୀ ଶକ୍ତି ସାରା ଦେଶରେ ବିଦିତ ହୋଇଥିବା ବେଳେ ବଙ୍ଗଳା ମୂଳର ସାଂସଦଙ୍କର ଏପରି ଏକ ନିରସ ପ୍ରତିବାଦ କେମିତି ବା ଗ୍ରହଣୀୟ ହୋଇଥାନ୍ତା?

ସର୍ବସମକ୍ଷରେ କଞ୍ଚା ବାଇଗଣ ଚୋବାଇବା ଅରୁଚିକର ଲାଗିବାର କାରଣ ହୁଏତ ପରିବାଟି ସହ ଜଡ଼ିତ କେତେକ ନକାରାତ୍ମକ ଦିଗ। ଯଦିଓ ଆମ ରୋଷେଇ ଶାଳରେ ଭଜା, ଭରତା, ଘାଣ୍ଟ, ଡାଲମା ବା ବାଇଗଣି ରୂପରେ, ଏମିତିକି ମାଂସ ରନ୍ଧା ବେଳେ ଏହାର ମୁଣ୍ଡ ପାଖ ଘୋଡ଼ିଣିଟି ସ୍ୱାଦ ବର୍ଦ୍ଧକ ରୂପେ ବ୍ୟବହୃତ ହୋଇଥାଏ, ତଥାପି ସର୍ବେକ୍ଷଣ କହେ ବିଶ୍ୱରେ ସବୁଠୁ ଅଧିକ ନାପସନ୍ଦ କରାଯାଉଥିବା ପରିବା ଭିତରେ ବାଇଗଣ ସର୍ବାଗ୍ରେ। ଖାଇଲେ ଦେହ କୁଣ୍ଡେଇ ହୋଇପାରେ, ଏହା ସ୍ବାଦହୀନ ଇତ୍ୟାଦି ଇତ୍ୟାଦି ନାନା ଅଭିଯୋଗ ପରିବାଟି ଉପରେ ଲଦି ଦିଆଯାଏ, ହେଲେ ସବୁଠୁ ବଡ଼ ଆରୋପଟି ହେଲା ବାଇଗଣର ଭିତରଟା କୁଆଡ଼େ ପୋକ ଓ ଅଣୁଜୀବମାନଙ୍କର ଗନ୍ତାଘର। ଏହି କାରଣରୁ ‘ପୋକରା ବାଇଗଣ’ ଏକ ସାଧାରଣ ଅଭିବ୍ୟକ୍ତି। ଅବଶ୍ୟ କେତେ ଲୋକ ଅଛନ୍ତି, ଯେଉଁମାନେ ପୋକରା ବାଇଗଣ କିଣିବାକୁ ଅଧିକ ପସନ୍ଦ କରନ୍ତି। ସେମାନଙ୍କ ଯୁକ୍ତି ଯେ ପରିବାଟି ପୋକ ପାଇଁ ସ୍ୱାଦିଷ୍ଟ ହୋଇଥିବାରୁ ଏହା ମଣିଷ ପାଇଁ ମଧ୍ୟ ଅନୁରୂପ ଭାବେ ସ୍ୱାଦିଷ୍ଟ ହେବ। ଏହି ଯୁକ୍ତିର ଯଥାର୍ଥତା ଯାହା ହୋଇଥାଉ ନା କାହିଁକି ବାଇଗଣ ଭିତରେ ପୋକ ଓ ଅଣୁଜୀବମାନଙ୍କର ପ୍ରାବଲ୍ୟ ଯୋଗୁଁ ଜୈନ ଧର୍ମର ନିୟମକୁ ନିଷ୍ଠାର ସହ ପାଳନ କରୁଥିବା ବ୍ୟକ୍ତିମାନେ ବାଇଗଣକୁ ତାଙ୍କ ପାକ ପ୍ରକ୍ରିୟାରୁ ଦୂରରେ ରଖିଥାନ୍ତି, କାରଣ ସେମାନେ ଜାଣତରେ କିମ୍ବା ଅଜାଣତରେ କୌଣସି ପ୍ରାଣୀର ଜୀବନ ନାଶ କରିବାକୁ ଚାହାନ୍ତି ନାହିଁ। ସେଦିନ ସାଂସଦ ମହୋଦୟା କଞ୍ଚା ବାଇଗଣକୁ କଡ଼ ମଡ଼ କରି ଚୋବାଇ ପକାଇବାର ଦୃଶ୍ୟ ଥିଲା ଜୈନ ଧର୍ମର ଏହି ମହାନ ବିଚାରର ପରିପନ୍ଥୀ।

ମାନନୀୟା ସାଂସଦଙ୍କ ପଦକ୍ଷେପ ପ୍ରମାଣ କରିଦେଲା ଯେ ଗୋଟିଏ ଅସଲି ବାଇଗଣ ଚୋବାଇବା ସତ୍ତ୍ୱେ ସେ ପୋଥି ବାଇଗଣରେ ବିଶ୍ୱାସ ରଖିଛନ୍ତି, ବାଡ଼ି ବାଇଗଣରେ ନୁହେଁ। ତାଙ୍କର ପ୍ରତିବାଦର ସ୍ୱରୂପ ବ୍ୟାବହାରିକ ନୁହେଁ; ବରଂ ଧାରଣାଗତ। ତାଙ୍କର ଚିନ୍ତାଧାରା ଅନୁସାରେ ଏମିତି ଏକ ଅଭିନବ ପ୍ରତିବାଦ ହୁଏତ ସଦନରେ ଚାଞ୍ଚଲ୍ୟ ସୃଷ୍ଟି କରି ଦର ବୃଦ୍ଧି ବିପକ୍ଷରେ ଦେଶ ବ୍ୟାପୀ ଆନ୍ଦୋଳନର ସୂତ୍ରପାତ କରିବ ଓ ସରକାରଙ୍କୁ ଆଣ୍ଠେଇ ପକେଇବ। ପୋଥି ବାଇଗଣ ପୋଥିରେ ରହିଲା; ସେମିତି କିଛି ହେଲାନାହିଁ।
ପୁଣି ଏକ ଝାମେଲା କଥା ହେଲା, ମାନନୀୟ ସଦସ୍ୟା ଯେଉଁ ଦଳର ପ୍ରତିନିଧି, ସେହି ଦଳ ଏବେ ଅନ୍ୟ ଏକ ବଡ଼ ଧରଣର ‘ଖାଇବା’ ଘଟଣାରେ ଜଡ଼ିତ ହୋଇ ସାରା ଦେଶରେ ହୁଲସ୍ତୁଲ ଅବସ୍ଥା। ତେବେ ସେ ଯାହା ହେଉ, କଞ୍ଚା ପରିବା ଖାଇବାର ଏହି ଉପାଖ୍ୟାନଟିରୁ ମୋର ମନେ ପଡ଼ିଗଲା ଆମେ ପିଲା ଦିନେ ପଢ଼ିଥିବା ଏହି ପଦ୍ୟାଂଶ:
‘ମାଙ୍କଡ଼ ଖାଏ କାଙ୍କଡ଼ କଷି,
ବାଙ୍କ ବାବୁଙ୍କ ବାଡ଼ିରେ ପଶି,
ତାଙ୍କ କୁକୁର ଆସିଲା ଧାଇଁ,
ହନୁ ମାଙ୍କଡ଼ ଗଲା ପଳାଇ।’

ବାଇଗଣ ଖିଆରୁ ଆରମ୍ଭ କରି ଟଙ୍କା ଖିଆ କାରବାର ପର୍ଯ୍ୟନ୍ତ ଯେ‌ତେବେଳେ ମୋ ଭାବନା ଘୂରି ବୁଲିଲା, ଭାବିଲି ‘ନିଜେ ଖାଇବି ନାହିଁ କି କାହାକୁ ଖାଇବାକୁ ଦେବି ନାହିଁ’ ବୋଲି ଶପଥ କରି ଦେଶର ସମ୍ପତ୍ତିକୁ ‘ଇ.ଡି.’ ଜଗୁଆଳ ସହ ଜଗି ବସିଥିବା ଆମର ବାଙ୍କ ବାବୁ ସତରେ କ’ଣ ବଗିଚା ଉଜାଡୁଥିବା ହନୁ ମାଙ୍କଡ଼ ପଲର ଚାଲେଞ୍ଜର ମୁକାବିଲା କରି ପାରିବେ!

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର