‘ମାଗଣା’ ସଂସ୍କୃତି- ମୂଳକୁ କାଟିବ କିଏ?

ଅରୁଣ ସିହ୍ନା

ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ମାଗଣା ଉପହାର ସଂସ୍କୃତିକୁ ସମାଲୋଚନା କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶେଷ କରି ତେଲେଙ୍ଗାନାର ଶାସକ ଟିଆର୍‌ଏସ୍‌ ଦଳ, ତାମିଲନାଡୁର ଡିଏମ୍‌କେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଦିଲ୍ଲୀର ଆପ୍‌ ଦଳକୁ ନିଶାଣ କରିଥିଲେ। ତେବେ ଏହା ତାଙ୍କ ନିଜର ବିଜେପି ପ୍ରତି ବୁମେରାଂ ସାବ୍ୟସ୍ତ ହେବ ବୋଲି ସେ ଅନୁମାନ କରିନଥିଲେ। ତାଙ୍କ ସରକାର ମଧ୍ୟ ଚାଷୀଙ୍କ ଖାତାକୁ ନଗଦ ରାଶି ହସ୍ତାନ୍ତର, ମାଗଣା ଘର, ଶୌଚାଳୟ, ଗ୍ୟାସ ସିଲିଣ୍ଡର ଓ ଯୋଗାଣ ସାମଗ୍ରୀ ପରି ଅନେକ ମାଗଣା ବ୍ୟବସ୍ଥା ଚାଲୁ ରଖିଛନ୍ତି।

ଏ ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟ ମୋଦୀଙ୍କ ପାଇଁ ଦୁଃସମ୍ବାଦ ଆଣିଛନ୍ତି। ଦେଶର ଅର୍ଥନୀତି ଓ କରଦାତାଙ୍କ ଉପରେ ଏ ପ୍ରକାର ମାଗଣା ଯୋଜନାର ପ୍ରଭାବ ଏବଂ ତାହାର ପ୍ରତିକାର ବ୍ୟବସ୍ଥା ଲାଗି ମାନ୍ୟବର ଅଦାଲତ ଏକ ସ୍ବାଧୀନ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହାକୁ ବିରୋଧୀ ଦଳମାନଙ୍କର ସମସ୍ୟା ବୋଲି ଅଦାଲତ ବିବେଚନା କରିନାହାନ୍ତି। ସବୁ ଦଳ ଏପରି ମାଗଣା ଉପହାର ବାଣ୍ଟି ଚାଲିଛନ୍ତି ବୋଲି ବିଶେଷଜ୍ଞ କମିଟି କହିଛନ୍ତି। ଏହାର ଉପଯୁକ୍ତ ପ୍ରତିକାର ପାଇଁ ଉକ୍ତ ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ିଦେବାକୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯେତେବେଳେ ଯୁକ୍ତି ବାଢ଼ିଲେ, ଅଦାଲତ କହିଲେ, ‘ସେ ସବୁ ମାଗଣା ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ ସଂସଦରେ ଆଲୋଚନା ହୋଇପାରିବ ବୋଲି ଆପଣ ସତରେ ଭାବୁଛନ୍ତି? କେଉଁ ଦଳ ଏ ପ୍ରସଙ୍ଗରେ ଆଲୋଚନା କରିବ? ଆଗକୁ ନିର୍ବାଚନ ଥିବା ବେଳେ କୌଣସି ବି ଦଳ ସେ ସବୁ ହଟାଇନେବାକୁ ଚାହିବେ ନାହିଁ। ସମସ୍ତେ ମାଗଣା ଯୋଜନା ଚାଲୁ ରଖିବାକୁ ଚାହାନ୍ତି।’

ଅବଶ୍ୟ ସୁପ୍ରିମ୍‌ କୋର୍ଟ କମିଟି ଏହି ମାଗଣା ବ୍ୟବସ୍ଥାରେ ଅନ୍ତ ଆଣିବାର ସମ୍ଭାବନା କମ୍‌। କାରଣ ପ୍ରଥମତଃ, ପ୍ରତ୍ୟେକ ଦଳ କହି ଚାଲିଛନ୍ତି, ‘ଯାହା ଅନ୍ୟମାନେ ଦେଉଛନ୍ତି, ସେସବୁ ମାଗଣା ଉପହାର, ମାତ୍ର ଆମେ ଯେହା ଦେଉଛୁ ତାହା ଯଥାର୍ଥ।’ କେଉଁଟା ମାଗଣା ଉପହାର ଓ କେଉଁଟା ଯଥାର୍ଥ, ସେ ନିଷ୍ପତ୍ତି ନେବା ଉକ୍ତ କମିଟି ପକ୍ଷେ କଷ୍ଟକର ଯେଉଁଥିରେ ‘ନିତି’ ଆୟୋଗ, ରିଜର୍ଭ ବ୍ୟାଙ୍କ, ଷୋଡ଼ଦଶ ଅର୍ଥ ଆୟୋଗ (ଗଠିତ ହେବାକୁ ଥିବା), ନିର୍ବାଚନ ଆୟୋଗ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ରହିଛନ୍ତି।

କମିଟିର ଅର୍ଥନୀତିଜ୍ଞଙ୍କ ସମେତ ସାର୍ବଜନୀନ ବିତ୍ତୀୟ ବ୍ୟବସ୍ଥା ଓ କେନ୍ଦ୍ରୀୟ ବ୍ୟାଙ୍କର ପ୍ରତିନିଧିମାନେ ରାଜ୍ୟମାନଙ୍କରେ ଶାସନ କରୁଥିବା ରାଜନୈତିକ ଦଳମାନଙ୍କୁ କହିପାରନ୍ତି: ‘ତୁମର ବିତ୍ତୀୟ ବ୍ୟବସ୍ଥା ଭଲ ନୁହେଁ, ତୁମର କରଜ ଶୁଝିବାରେ ଅସୁବିଧା ଉପୁଜିପାରେ, ତେଣୁ ତୁମର ଖର୍ଚ୍ଚକୁ ଏଭଳି ବଢ଼ାଇବା ଠିକ୍‌ ନୁହେଁ।’ ମାତ୍ର ‘ଏହି ସବୁ ଯୋଜନାଗୁଡ଼ିକ ମାଗଣା ଉପହାର ଅନ୍ତର୍ଭୁକ୍ତ, ତେଣୁ ସେ ସବୁକୁ ପରିହାର କର’ ବୋଲି ସେମାନେ କେବେ କହିବେନି। ସେ ସବୁ ଯୋଜନା, ସାର୍ବଜନୀନ ବିତ୍ତୀୟ ବ୍ୟବସ୍ଥା ପାଇଁ ହାନିକାରକ ନା ନୁହେଁ ତାହା ଉପରେ ସେମାନଙ୍କ ମାଗଣା ଉପହାରର ସଂଜ୍ଞା ନିର୍ଭର କରୁଛି, ମାତ୍ର ତାହା ଉପଯୋଗୀ ନା କ୍ଷୟକାରୀ, ତାହା ଉପରେ ନୁହେଁ। କୌଣସି ନିର୍ଦ୍ଦିଷ୍ଟ ଯୋଜନାକୁ ରାଜ୍ୟ ସରକାରମାନେ ଚାଲୁ ରଖିବେ କି ବନ୍ଦ କରିବେ, ସେ ନିର୍ଦ୍ଦେଶ ଦେବାର କର୍ତ୍ତୃତ୍ବ କମିଟିର ନାହିଁ। କାରଣ ଯୋଜନା ନିର୍ଦ୍ଧାରଣ କରିବା ହେଉଛି ନିର୍ବାଚିତ ସରକାରଙ୍କ କ୍ଷମତା ପରିସରଭୁକ୍ତ।

ତେବେ କମିଟି ଅତି ବେଶୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ନିୟମିତ କରିବା ଲାଗି ଏକ ମାର୍ଗଦର୍ଶିକା ଜାରି କରିପାରିବେ। ଆର୍ଥିକ ଶୃଙ୍ଖଳା ଲାଗୁ କରିବା ପାଇଁ ଏପରି ଅନେକ ମାର୍ଗଦର୍ଶିକା ବଳବତ୍ତର ରହିଛି। ସେଥି ମଧ୍ୟରେ ବିତ୍ତୀୟ ଉତ୍ତରଦାୟିତ୍ବ ଓ ଅର୍ଥ ପରିଚାଳନା ପରି କିଛି ଆଇନଭିତ୍ତିକ ମାର୍ଗଦର୍ଶିକା ମଧ୍ୟ ରହିଛି। ତେବେ ଆର୍ଥିକ ଶୃଙ୍ଖଳା ଓ ବିତ୍ତୀୟ ସାବଧାନତାକୁ ଅଧିକ ମଜଭୁତ କରିବା ଲାଗି ସୁପ୍ରିମ୍‌ କୋର୍ଟ କମିଟି ଆଉ କିଛି ଅଧିକ ପନ୍ଥା ବାହାର କରିପାରନ୍ତି।

ତେଣୁ ଚୂଡ଼ାନ୍ତରେ, କମିଟିର ନିର୍ଦ୍ଧାରଣ ପରେ ମଧ୍ୟ ଆମେ ସେହି ସମାନ ଅବସ୍ଥାର ସମ୍ମୁଖୀନ ହେବା, ଯାହା ଏବେ ଜାରି ରହିଛି। ସରକାର ନିଜର ଖର୍ଚ୍ଚ ବଢ଼ାଇ, କରଜ କରି ଏଭଳି ମାଗଣା ଉପହାର ବଣ୍ଟନ ଦ୍ବାରା ଏକ ‘ବିତ୍ତୀୟ ଦୁର୍ବିପାକ’ର ଆଶଙ୍କା ରହିଛି ବୋଲି ଅର୍ଥନୀତିଜ୍ଞ, ସାର୍ବଜନୀନ ଅର୍ଥ ବିଶାରଦ ଓ ଆର୍‌ବିଆଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ ସେମାନେ ଏକଥା ମଧ୍ୟ କହୁଛନ୍ତି କି ସରକାର କିପରି ଲୋକଙ୍କ ଯତ୍ନ ନେବେ ଓ ନିଜର ଅର୍ଥ ପରିଚାଳନା କରିବେ, ସେ କଥା ସେମାନଙ୍କୁ ଭଲଭାବରେ ଜଣା। ଏହିପରି ଭାବରେ ମାଗଣା ସଂସ୍କୃତିର କେବେ ଅନ୍ତ ଘଟିବାର ନାହିଁ। ଏହାର କାରଣ ବି ଜଳ ଜଳ ଦିଶୁଛି- କୌଣସି ରାଜନୈତିକ ଦଳ ଏହି ସମସ୍ୟାର ମୂ​ଳକୁ ଆକ୍ରମଣ କରିବାକୁ ଚାହୁନାହାନ୍ତି।

ମାଗଣା ସଂସ୍କୃତିରେ ଦୁଇ ପ୍ରକାର ଗୋଷ୍ଠୀ ଭୂମିକା ନିର୍ବାହ କରୁଛନ୍ତି। ଗୋଟିଏ ହେଲା ରାଜନୈତିକ ଦଳ ଓ ଅନ୍ୟଟି ହିତାଧିକାରୀ ଗୋଷ୍ଠୀ। ହିତାଧିକାରୀ ଗୋଷ୍ଠୀର ଭୋଟ ହାତେଇବା ଲାଗି ରାଜନୈତିକ ଦଳମାନେ ସେମାନଙ୍କୁ ଏହି ମାଗଣା ଉପହାର ବାଣ୍ଟୁଛନ୍ତି। ଲୋକେ କାହିଁକି ଏପରି ମାଗଣା ଉପହାର ବଦଳରେ ସେମାନଙ୍କ ରାଜନୈତିକ ପସନ୍ଦକୁ ଜଳାଞ୍ଜଳି ଦେଉଛନ୍ତି? କାରଣ ସେମାନେ ତାହା ପାଇବାକୁ ବିକଳ ବା ଆତୁର ହୋଇ ପଡ଼ିଛନ୍ତି। କାହିଁକି ସେମାନେ ଏପରି ମାଗଣା ଉପହାର ପାଇଁ ଆତୁର ହେଉଛନ୍ତି? କାରଣ ନିଜ ପରିବାରର ଭରଣପୋଷଣ ଓ ସଞ୍ଚୟ ସମେତ ସମ୍ମାନ, ଆତ୍ମ ମର୍ଯ୍ୟାଦା ଓ ଆର୍ଥିକ ସୁରକ୍ଷା ସହ ବଞ୍ଚିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ତେବେ ଉଚ୍ଚ ଓ ମଧ୍ୟମ ବର୍ଗମାନେ କ’ଣ ଏପରି ମାଗଣା ଉପହାର ଚାହାନ୍ତି? ସେମାନଙ୍କୁ ଏଭଳି ପ୍ରସ୍ତାବ ଦେଲେ ସେମାନେ ଅପମାନିତ ଅନୁଭବ କରିପାରନ୍ତି। ଏପରିକି ‘ତମେ କ’ଣ ଆମକୁ ଭିକାରି ଭାବିଛ?’ ବୋଲି ମଧ୍ୟ ସେମାନେ ଓଲଟି ପ୍ରଶ୍ନ କରିପାରନ୍ତି।

ଦାରିଦ୍ର୍ୟ ରହିଛି, ତେଣୁ ଏ ମାଗଣା ସଂସ୍କୃତି ଅଛି। ଦାରିଦ୍ର୍ୟ ବସା ବାନ୍ଧିଛି କାରଣ ଆମର ଆର୍ଥିକ ଯୋଜନା ସବୁ ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ, ମାତ୍ର ସିଂହଭାଗ ଜନସଂଖ୍ୟା ପାଇଁ ନୁହେଁ।

ସରକାରୀ ତଥ୍ୟ ମୁତାବକ, ୭୫ ପ୍ରତିଶତ ଚାଷୀଙ୍କର ଏକ ହେକ୍ଟର (୨.୪୭ ଏକର)ରୁ କମ୍‌ ଜମି ରହିଛି ଏବଂ ସେମାନେ ନିଜ ପରିବାରର ଭରଣପୋଷଣ ପାଇଁ ଶ୍ରମିକ ଭାବରେ ଅତିରିକ୍ତ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନାରେ ୧୧ କୋଟି ଚାଷୀ ପରିବାର ନଗଦ ରାଶି ଲାଭ କରୁଛନ୍ତି। ଯଦି ତାହାର ୭୫ ପ୍ରତିଶତ ବିଚାର କରାଯାଏ, ତେବେ ୮.୨୫ କୋଟି ଚାଷୀ ପରିବାର ଶ୍ରମିକ ଭାବରେ ଖଟି ନିଜ କୃଷି ଆୟରେ ଯୋଡୁଛନ୍ତି। ପରିବାର ପିଛା ଯଦି ହାରାହାରି ୪ ଜଣଙ୍କୁ ଏପରି ଧରାଯାଏ, ତେବେ ୩୩ କୋଟି ଚାଷୀ ଦିନ ମଜୁରି କରୁଛନ୍ତି।

ଅର୍ଥାତ୍‌ ଏହି ୩୩ କୋଟି ଲୋକ ଅତ୍ୟନ୍ତ ଶୋଚନୀୟ ଜୀବନ ବିତାଉଛନ୍ତି। କୌଣସି ଋତୁରେ ବର୍ଷା ବା କୀଟନାଶକ ପାଇଁ ଯଦି କ୍ଷେତ ଉଜୁଡ଼ିଗଲା, ସେମାନେ ଦାରିଦ୍ର୍ୟ ଭିତରେ ଆହୁରି ପେଷି ହୋଇଯିବେ। ଏପରିକି ଘରର ଉପାର୍ଜନକ୍ଷମ ପୁରୁଷଟି ଯଦି ଦୀର୍ଘ ଦିନ ଧରି ଅସୁସ୍ଥ ରହିଲା କି ମାସ ମାସ ଧରି ତା’ ଅତିରିକ୍ତ ଶ୍ରମର ମଜୁରି ପାଇଲାନି, ତେବେ ସାରା ପରିବାର ଅବସ୍ଥା ‘ଗଣ୍ଡେ ଖାଇ ଦଣ୍ଡେ ଜିଇବା’ ସଦୃଶ ହୋଇପଡ଼ିବ। ସେହିପରି ଖାଦ୍ୟ ଓ ପୋଷଣ ଅଭାବରୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଅସୁସ୍ଥ ହୋଇପଡ଼ିବେ, ଅର୍ଥାତ୍‌ ଜୀବନ ଆହୁରି ଦୁର୍ବିଷହ ହୋଇଯିବ। ତେବେ ଏହି ୩୩ କୋଟି ଲୋକଙ୍କୁ କ’ଣ ମାଗଣା ଉପହାର ନେବାର ଦୋଷ ଦେଇହେବ?

ଅର୍ଥନୀତିଜ୍ଞମାନଙ୍କର ପାରମ୍ପରିକ ନିର୍ଯାସ ହେଲା, ଯଦି କୃଷିକ୍ଷେତ୍ରର ବଳକା ଶ୍ରମିକ ଅନ୍ୟ ଅଣକୃଷି କାର୍ଯ୍ୟରେ ନିଯୁକ୍ତ ହୁଅନ୍ତି, ତେବେ ଆର୍ଥିକ ଅଭିବୃଦ୍ଧି ହେବା ସହ କର୍ମଜୀବୀମାନଙ୍କର ଉପାର୍ଜନ ବଢ଼ିବ ଏବଂ ସେମାନଙ୍କର ଜୀବନଧାରଣର ମାନ ବୃଦ୍ଧି ହେବ। ଯଦିଓ ଆର୍ଥିକ ଅଭିବୃଦ୍ଧି ଘଟିଛି, ତେବେ କର୍ମଜୀବୀମାନଙ୍କର ରୋଜଗାର କି ଜୀବନଧାରଣର ମାନରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ଅଧିକାଂଶ ସହରାଞ୍ଚଳ ଶ୍ରମିକ (ଉଦାହରଣ ସ୍ବରୂପ ଠେଲା ଗାଡ଼ିବାଲା)ଙ୍କୁ ସାମୟିକ ସ୍ବଳ୍ପ ପାରିଶ୍ରମିକଯୁକ୍ତ କାମ ମିଳୁଛି ଯେଉଁଥିରେ ସବୈତନିକ ଛୁଟି ନାହିଁ କି ଚିକିତ୍ସା ଖର୍ଚ୍ଚ ଫେରି ପାଇବାର ଉପାୟ ନାହିଁ। ପୁଣି ସେମାନଙ୍କର ସୁରକ୍ଷା ନାହିଁ କି ଦୁର୍ଘଟଣା ବୀମା ଓ ଭବିଷ୍ୟନିଧି ପାଣ୍ଠି କି ଅବସର ବୃତ୍ତି ନାହିଁ। ତେଣୁ ମାଗଣା ଉପହାର ଲାଗି ନିଜର ଭୋଟ ବିକିବା ପାଇଁ ସେମାନଙ୍କୁ ଦୋଷ ଦେଇହେବ କି?

ଗତ ଆଠ ବର୍ଷ ଧରି ଦେଶର ବେକାରି ହାର ୭ରୁ ୮ ପ୍ରତିଶତ ରହି ଆସିଛି। ୨୦୨୨ ଜୁନ୍‌ରେ ଦେଶର ୪୪ ପ୍ରତିଶତ ଯୁବକଯୁବତୀ (୨୦ରୁ ୨୪ ବର୍ଷ ବୟସର) ବେକାର ଥିଲେ। ଅର୍ଥାତ୍‌ ସଂଖ୍ୟା ଦୃଷ୍ଟିରୁ ୧୫ କୋଟି ଯୁବକଯୁବତୀଙ୍କୁ କୌଣସି ନିଯୁକ୍ତି ମିଳିନି। ମହାମାରୀ କୋଭିଡ୍‌ ବେଳେ ବିଭିନ୍ନ ନିର୍ମାଣ ସଂସ୍ଥାରୁ ଛଟେଇ ହୋଇଥିବା ହାରାହାରି କୋଟିଏ ଶ୍ରମିକ ଏଯାଏ ପୁନର୍ନିଯୁକ୍ତି ପାଇନାହାନ୍ତି। ୨୦୨୨ ଜୁନ୍‌ ଓ ଜୁଲାଇ- ଏଇ ଦୁଇ ମାସରେ ଅଣକୃଷି କ୍ଷେତ୍ରରେ କାମ କରୁଥିବା ପ୍ରାୟ ୮୦ ଲକ୍ଷ ଶ୍ରମିକ ସେମାନଙ୍କର ଶ୍ରମ ହରାଇ ବସିଛନ୍ତି। ଗତ ୮ ବର୍ଷ ଭିତରେ କେନ୍ଦ୍ରୀୟ ସରକାରୀ ଚାକିରି ପାଇଁ ଆବେଦନ କରିଥିବା ୨୨ କୋଟି ଆଶାୟୀଙ୍କ ମଧ୍ୟରୁ ମାତ୍ର ୭.୨୨ ଲକ୍ଷ ନିଯୁକ୍ତି ପାଇଛନ୍ତି। ଏହି କୋଟି କୋଟି ନିଯୁକ୍ତିହୀନ ଭାରତୀୟ ଯଦି ନିରାଶାଜନକ ଭାବେ ଏହି ମାଗଣା ସଂସ୍କୃତିକୁ ଆପଣେଇ ନିଜର ଭୋଟ ବିକ୍ରି କରନ୍ତି, ସେମାନଙ୍କୁ କ’ଣ ଦୋଷ ଦେଇହେବ?
ମାଗଣା ସଂସ୍କୃତିର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ, ବିଜେପି ଓ ଅନ୍ୟ ରାଜନୈତିକ ଦଳମାନେ ଦାୟୀ। ଦେଶର ଆର୍ଥିକ ଅଭିବୃଦ୍ଧି ସହ ଉନ୍ନତ ମାନର ନିଯୁକ୍ତି ଯୋଗାଇବା ପାଇଁ ଉପଯୁକ୍ତ ଯୋଜନା ପ୍ରଣୟନ କରିବାରେ ସେମାନେ ବିଫଳ। ଏହା ସେମାନଙ୍କର ସାମୂହିକ ତ୍ରୁଟି। ସେମାନେ ମାଗଣା ଉପହାର ବାଣ୍ଟୁଥିବା ସିଂହଭାଗ ଜନତାଙ୍କୁ ଉନ୍ନତ ମାନର ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ଏବଂ ନିଜର ଏହି ଦୋଷତ୍ରୁଟିକୁ ଘୋଡ଼ାଇବା ପାଇଁ ମାଗଣା ବାଣ୍ଟି ଚାଲିଛନ୍ତି।

ଏହି ମାଗଣା ଉପହାର ସଂସ୍କୃତିରେ ରୋକ ଲଗାଇବାର ଦାୟିତ୍ବ ପ୍ରଧାନମନ୍ତ୍ରୀ, ବିଜେପି ଓ ଅନ୍ୟ ରାଜନୈତିକ ଦଳମାନଙ୍କର। ସମସ୍ତଙ୍କୁ ସମୁଚିତ ଦରମାଯୁକ୍ତ ସୁରକ୍ଷିତ ନିଯୁକ୍ତି ଯୋଗାଇବା ଲାଗି ଦେଶର ଆର୍ଥିକ ଯୋଜନାର ପୁନର୍ଲିଖନ କରିବାକୁ ହେବ। ଦେଶକୁ ସେ ପ୍ରକାର ସଂସ୍କାରର ଚିନ୍ତନ, ରୂପରେଖ ନିର୍ଦ୍ଧାରଣ ଓ କାର୍ଯ୍ୟାନ୍ବୟନ କରିବାକୁ ହେବ। ଯଦି ଲୋକେ ଉତ୍ତମ ରୋଜଗାର ଓ ସଞ୍ଚୟ କରିପାରିବେ, ସେମାନେ ମାଗଣା ଉପହାର ଲୋଡ଼ିବା ବନ୍ଦ କରିଦେବେ। ‘ଭୋଟ ପାଇଁ ମାଗଣା ଉପହାର’ର ବଜାର ବନ୍ଦ ହୋଇଯିବ। ଗଣତନ୍ତ୍ର ଅଧିକ ମୁକ୍ତ ଓ ସୁଦୃଢ଼ ହୋଇପାରିବ।

[email protected]

ସମ୍ବନ୍ଧିତ ଖବର