ହଜୁର, ଯାହା କହୁଛି ସତ କହୁଛି

ଶ୍ୟାମସୁନ୍ଦର ଅଗ୍ରୱାଲା

ଗାଁରେ ଗୋଟେ ଜମିଜମା ମାମଲା ନେଇ ବିଧବା ସ୍ତ୍ରୀ ଲୋକଟିଏ ପ୍ରାୟ କୋଡ଼ିଏ ବର୍ଷ କାଳ କୋର୍ଟ କଚେରିକୁ ଧାଁ ଧପଡ଼ କରୁଥିଲା। କେତେବେଳେ ବୟସ ଗଡ଼ି ଯୌବନରୁ ବୃଦ୍ଧା ହୋଇଯାଇଛି ସେ ଜାଣିପାରିନାହିଁ। ଶେଷକୁ ବୁଢ଼ୀର ଜିତାପଟ ହେଲା। ମାଜିଷ୍ଟ୍ରେଟ ବୁଢ଼ୀକୁ ଡାକି କହିଲେ, “ମାଉସୀ, ତୁ କେସ୍‌ ଜିତିଗଲୁ, ଏବେ ଖୁସି ତ?” ବୁଢ଼ୀ ମୁଣ୍ଡ ଟୁଙ୍ଗାରି କହିଲା, “ପୁଅରେ, ଭଗବାନ କରନ୍ତୁ ତୁ ଶୀଘ୍ର ପଦୋନ୍ନତି ପାଇ ଅମିନ ହୋଇଯା।” ଏହିପରି ଅଜବ ଆଶୀର୍ବାଦ ଶୁଣି ମାଜିଷ୍ଟ୍ରେଟ୍‌ ଚକିତ ହୋଇପଡ଼ି ପଚାରିଲେ, “ମାଉସୀ, ମୁଁ ହେଉଛି ମାଜିଷ୍ଟ୍ରେଟ୍‌, ଅମିନଠାରୁ ବହୁତ ବଡ଼। ଆଉ ତୁ ମୋତେ ଏମିତି କ’ଣ ଆଶୀର୍ବାଦ ଦେଉଛୁ?” ବୁଢ଼ୀ କହିଲା, “ତୁ ଅମିନଠୁ ବଡ଼ କି ସାନ ମୁଁ ଜାଣିନି କିନ୍ତୁ ଆଜିକୁ କୋଡ଼ିଏ ବର୍ଷ ତଳେ ଆମ ଗାଁ ଅମିନ ମୋତେ କହିଥିଲା, “ନାନୀ, ତୁ ପାଞ୍ଚଶହ ଟଙ୍କା ଦେ, ମୁଁ ସାତ ଦିନରେ ତୋ କେସ୍‌ ରଫାଦଫା କରିଦେବି।” ମୁଁ ମୂର୍ଖ ତା କଥା ନ ମାନି ଆଜିକୁ କୋଡ଼ିଏ ବର୍ଷ ହେଲା କୋର୍ଟ କଚେରିକୁ ଦୌଡୁଛି। କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରି ନାନୀରୁ ମାଉସୀ ହୋଇସାରିଲିଣି। ଏବେ ଭାବୁଛି ସେତେବେଳେ ଯଦି ମୁଁ ଅମିନ କଥା ଶୁଣିଥାନ୍ତି ଆଜି ମୁଁ କେତେ ଶାନ୍ତିରେ ଥାଆନ୍ତି! ଯେଉଁ କାମକୁ ଅମିନ ସାତ ଦିନରେ କରିପାରିଥାନ୍ତା, ତୁ ତା’କୁ କୋଡ଼ିଏ ବର୍ଷ ନେଲୁ। ଏବେ ବିଚାର କର କିଏ ବଡ଼? ତୁ ନା ଅମିନ?”

ଆଜି ଭାରତବର୍ଷର ବିଭିନ୍ନ ନ୍ୟାୟାଳୟମାନଙ୍କରେ ପ୍ରାୟ ଚାରିକୋଟି ପଚାଶ ଲକ୍ଷରୁ ଅଧିକ ମାମଲା ଏମିତି ବିଚାର ନ ହୋଇ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି। ଗରିବଗୁରୁବା ମାନେ ‘ତାରିଖ ପେ ତାରିଖ ଆଉ ତାରିଖ ପେ ତାରିଖ’ର ଶିକାର ହୋଇ ଅତିଷ୍ଠ ହୋଇ ପଡୁଛନ୍ତି। ନିରୀହ ବ୍ୟକ୍ତିମାନେ ବିନା ବିଚାରରେ ବର୍ଷ ବର୍ଷ ଧରି ଅକଥନୀୟ ଜେଲ ଦଣ୍ଡ ଭୋଗୁଛନ୍ତି ଅଥଚ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିଚାର ତ୍ୱରିତ ହେବା ନିମନ୍ତେ ନ୍ୟାୟାଳୟମାନଙ୍କର ଦ୍ୱାର ସର୍ବଦା ଉନ୍ମୁକ୍ତ ରହୁଛି। ଏ ସବୁ କଥାରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିବା ବେଳେ ଏବେ କୌଣସି ଏକ ସଭାରେ ମାନ୍ୟବର ମୁଖ୍ୟ ବିଚାରପତି କହିଲେ ଯେ ଗଣମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମର କଙ୍ଗାରୁ କୋର୍ଟ ଭଳି ଆଚରଣ ଯୋଗୁଁ ବିଚାରପତିମାନେ ଅତିଷ୍ଠ ହୋଇପଡୁଛନ୍ତି ଏବଂ ଏହା ହିଁ ଗଣତନ୍ତ୍ର ପାଇଁ ଘୋର ବିପଦ ସୃଷ୍ଟି କରୁଛି।

ହଜୁର, ଏହା ସତ ହୋଇପାରେ, କିନ୍ତୁ କେବଳ ଯେ ଗଣମାଧ୍ୟମର ଏତାଦୃଶ ବ୍ୟବହାର ଯୋଗୁଁ ଗଣତନ୍ତ୍ର ବିପଦରେ ପଡ଼ିଯାଇଛି, ତାହା ନୁହେଁ। ୨୦୧୮ ମସିହାର କଥା। ମାନ୍ୟବର ସୁପ୍ରିମ୍ କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ଖୋଲା ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମ୍ କୋର୍ଟ ପରିଚାଳନାର ଅବ୍ୟବସ୍ଥା ଦର୍ଶାଇ ଗଣତନ୍ତ୍ର କିପରି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି ବୋଲି ଗଣମାଧ୍ୟମକୁ ଦୀର୍ଘ ସମୟ ଧରି ଲମ୍ବା ବିବୃତିମାନ ଦେଇଥିଲେ। ଏହା ଦ୍ବାରା ସେମାନେ ନ୍ୟାୟପାଳିକାର ଲକ୍ଷ୍ମଣରେଖା ଅତିକ୍ରମ କରି ନ ଥିଲେ କି?

ଗଣମାଧ୍ୟମମାନଙ୍କ ଭିତରୁ ଛାପା ଓ ବିଦ୍ୟୁତ୍ ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ମାଲିକାନା ଥାଏ ଯେଉଁମାନେ ବିଜ୍ଞାପନ ଦ୍ୱାରା ଆକର୍ଷିତ ହୋଇ ହେଉ କି ଅଯଥା ଉତ୍ପୀଡ଼ନର ଶିକାର ହେବାର ଭୟରେ ହେଉ, ଅନେକ ସମୟରେ ସେମାନଙ୍କର ନିର୍ଦ୍ଦିଷ୍ଟ ଧର୍ମ ପାଳନ କରିବାରେ ଚାହି କରି ମଧ୍ୟ ସଫଳ ହୋଇପାରିନଥାନ୍ତି। ଏକା ସାମାଜିକ ଗଣମାଧ୍ୟମର କୌଣସି ସ୍ପଷ୍ଟ ମାଲିକାନା ନ ଥାଏ। ଆଉ ଯିଏ ବି ଥାଏ ଦୂର ଦୂରାନ୍ତରେ ଥାଏ ଯାହାର କାହାକୁ ଡରଭୟ ମଧ୍ୟ ନ ଥାଏ। ଏହା ବିପଜ୍ଜନକ ହେଲେ ମଧ୍ୟ ଏହାର ଭୟ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ତ୍ରୁଟି ବିଚ୍ୟୁତି ନ କରିବା ପାଇଁ ସତର୍କ କରେଇଥାଏ, କାରଣ ଗୋଟିଏ ମୁହୂର୍ତ୍ତରେ ଏହା ଜଣକୁ ଯଦି ଗଢ଼ି ଦେଇଥାଏ ତେବେ ପର ମୁହୂର୍ତ୍ତରେ ଏହା ଭାଙ୍ଗି ମଧ୍ୟ ଦେଇଥାଏ। ତେଣୁ ଏହା ସର୍ବଦା ପ୍ରତିଷ୍ଠିତି ବ୍ୟକ୍ତିବୃନ୍ଦଙ୍କୁ ନିଜ ନିଜର ଲକ୍ଷ୍ମଣରେଖା ଭିତରେ ରହିବାକୁ ବାଧ୍ୟ କରିଥାଏ।

ଆଜି ଆମ ଦେଶ ଧର୍ମକୁ ନେଇ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ତେଣୁ ଏହି ସମୟରେ ଦେଶର ପ୍ରତିଷ୍ଠିତ କାର୍ଯ୍ୟପାଳିକା ହେଉ କି ବ୍ୟବସ୍ଥାପିକା ହେଉ କି ନ୍ୟାୟପାଳିକା ହେଉ, ସମସ୍ତେ ଅତ୍ୟନ୍ତ ସତର୍କତାର ସହିତ କଥାବାର୍ତ୍ତା କରିବା ଉଚିତ, କାରଣ ଧର୍ମ ଉପରେ ପାଟିରୁ ଟିକିଏ କଥା ଖସିଯିବା ଅର୍ଥ ପାନରୁ ଚୂନ ଖସିଯିବା ସଦୃଶ ହୋଇଯିବ। ନୂପୁର ଶର୍ମା ଗଣମାଧ୍ୟମରେ ଯେପରି ଏକ ରାଜନେତାର ଲକ୍ଷ୍ମଣରେଖାକୁ ଅତିକ୍ରମ କରି ହଇଚଇ ସୃଷ୍ଟି କରିଥିଲେ ଠିକ୍ ସେହିପରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି ଲକ୍ଷ୍ମଣରେଖାକୁ ଅତିକ୍ରମ କରି ଅଯଥା ଏକ ଅନାବଶ୍ୟକ ମନ୍ତବ୍ୟ ଦେଇ ସାମାଜିକ ଗଣମାଧ୍ୟମରେ ନିଆଁ ଲଗେଇ ଦେଇଥିଲେ। ପ୍ରଶ୍ନ ଉଠେ ବିନା ବିଚାରରେ ଏଭଳି ମନ୍ତବ୍ୟ ଦେବା କ’ଣ ଦରକାର ଥିଲା?

ସର୍ବୋଚ୍ଚ ନ୍ୟାୟାଳୟର ଆଦର୍ଶ ହେଉଛି ‘ୟତୋ ଧର୍ମସ୍ତତୋ ଜୟଃ’। ଅର୍ଥାତ ଯେଉଁଠି ଧର୍ମ ଥାଏ ସେହିଠି ହିଁ ଜୟ ଜୟକାର ହୋଇଥାଏ, କିନ୍ତୁ ନ୍ୟାୟାଳୟର ବିଳମ୍ବିତ ନ୍ୟାୟ ସର୍ବଦା ଅନ୍ୟାୟ କିମ୍ବା ଅଧର୍ମ ସହିତ ସମତୁଲ ହୋଇଥାଏ। ବର୍ତ୍ତମାନ କାର୍ଯ୍ୟପାଳିକା ନ୍ୟାୟପାଳିକା କାନ୍ଧ ଉପରେ ବନ୍ଧୁକ ରଖି ଗୁଳି ଫୁଟେଇବାକୁ ଚାହୁଛି ଓ ନ୍ୟାୟପାଳିକା ତା’ର ପ୍ରାଥମିକତାରୁ ଓହରି ଯାଇ ଏଣୁତେଣୁ କଥାରେ ମୁଣ୍ଡ ଭର୍ତ୍ତି କରିବା ଫଳରେ ଦିନକୁ ଦିନ ନ୍ୟାୟରେ ଆହୁରି ବିଳମ୍ବ ଘଟୁଛି। ନ୍ୟାୟରେ ଏହି ବିଳମ୍ବ ଆଜି ଏକ ସର୍ବବିଦିତ ଘଟଣା ହୋଇଗଲାଣି ଏବଂ ଏହା ଦିନକୁ ଦିନ ଏମିତି ଦେହସୁହା ହୋଇଗଲାଣି ଯେ ସାମାଜିକ ଗଣମାଧ୍ୟମ ଏହାକୁ ହାସ୍ୟାସ୍ପଦ ରୂପ ଦେଇ ଉପସ୍ଥାପନ କଲାଣି।

ଥରେ ଗୋଟେ ମଇଁଷି ଜଙ୍ଗଲ ଭିତରେ ବିକଳ ହୋଇ ଧାଇଁ ଯାଉଥିଲା। ହାତୀଟିଏ ତାକୁ ଦେଖି ପଚାରିଲା, “କିରେ ମଇଁଷି, ଏମିତି ବିକଳ ହୋଇ କୁଆଡ଼େ ଧପଡ଼ି ଯାଉଛୁ?” ମଇଁଷି କହିଲା, “ହାତୀ ଭାଇ, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସବୁ ଗାଈଙ୍କୁ ବାନ୍ଧିଆଣି ଜେଲରେ ପୁରେଇଦିଅ ତେଣୁ ମୁଁ ଛାନିଆରେ ଏମିତି ଧାଇଁଛି।” ହାତୀ କହିଲା, “ସରକାର ନିର୍ଦ୍ଦେଶନାମା ଗାଈ ପାଇଁ ଦେଇଛି ଆଉ ତୁ ମଇଁଷି ହୋଇ କାହିଁକି ଏମିତି ଧାଇଁଛୁ?” ମଇଁଷି କହିଲା, “ଭାଇ, ମୁଁ ମଇଁଷି ସତ, କିନ୍ତୁ ମୋତେ ଯଦି ଗାଈ ବୋଲି ଭାବି ଥରେ ଗିରଫ କରିଦିଅନ୍ତି ତେବେ ମୁଁ ମଇଁଷି ବୋଲି ପ୍ରମାଣ କରିବାକୁ ମୋତେ ନ୍ୟାୟାଳୟରେ କୋଡ଼ିଏ ପଚିଶ ବର୍ଷ ଲାଗିଯିବ।” ଏ କଥା ଶୁଣି ଡରରେ ହାତୀ ମଧ୍ୟ ମଇଁଷି ସହିତ ଧାଇଁବାକୁ ଲାଗିଲା।

ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର