ରାଷ୍ଟ୍ର ଓ ଆଖ୍ୟାନ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଭାରତୀୟ ରାଷ୍ଟ୍ରବାଦର ସ˚ଜ୍ଞାଗତ ଅସ୍ପଷ୍ଟତା ପାଇଁ ଭାରତର କୃତ୍ରିମ ଓ ଅର୍ଦ୍ଧବିକଶିତ ଚଳନ୍ତି ଜ୍ଞାନକ୍ଷେତ୍ର ଉତ୍ତରଦାୟୀ। ୟାର ବୌଦ୍ଧିକ ପ୍ରତିରୋଧ ବା ସ˚ଗଠିତ ପୁନଃନିର୍ମାଣ କିଭଳି ସମ୍ଭବ? ଆମେ ରାଜନୈତିକ ଭାରତୀୟତାର ରାଷ୍ଟ୍ରୀୟ ଆଜେଣ୍ତା ପ୍ରସ୍ତୁତ କଲାବେଳେ ରାଷ୍ଟ୍ରୀୟତାର କେଉଁ ରୂପର କଳ୍ପନା କରିବା? ବସ୍ତୁତଃ ଆମର ଜ୍ଞାନକ୍ଷେତ୍ରରେ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟତାର ପାଠ ପାଶ୍ଚାତ୍ୟ ବିଚାରଧାରା ଦ୍ବାରା ସ˚ପୂର୍ଣ୍ଣ କବଳିତ। ଏଥିରୁ ମୁକ୍ତି ପାଇବାକୁ ହେଲେ ତାଙ୍କରି ଜ୍ଞାନକ୍ଷେତ୍ରରେ ପ୍ରବେଶ କରି ତାକୁ ଅପ୍ରଯୁଜ୍ୟ ସିଦ୍ଧ କରିବାକୁ ହେବ। ବି˚ଶ ଶତାବ୍ଦୀର ଶେଷ ଦଶକରେ ଉତ୍ତର-ଔପନିବେଶିକ ଚିନ୍ତନରେ ରାଷ୍ଟ୍ରୀୟତାର ବିମର୍ଶ ଆରମ୍ଭ କରି ହୋମି ଭାଭା ରାଷ୍ଟ୍ରବାଦକୁ ଏକ କ୍ରମ ବିସ୍ମୃତ ବା କ୍ରମ ବିସ୍ମରଣଶୀଳ ମିଥକୀୟ ଅସ୍ପଷ୍ଟତା ବୋଲି କହିଲେ। ଏ ନିଷ୍କର୍ଷ ବିଭ୍ରାନ୍ତିକର। ପୂର୍ବତନ ସାମ୍ରାଜ୍ୟବାଦୀଙ୍କର ରାଷ୍ଟ୍ରୀୟତା ଓ ପୂର୍ବତନ ଉପନିବେଶମାନଙ୍କର ରାଷ୍ଟ୍ରୀୟତା; ଏ ଦୁଇ ରାଷ୍ଟ୍ରୀୟତା ପରସ୍ପର ଠାରୁ ଭିନ୍ନ। ଆମ ପାଇଁ ରାଷ୍ଟ୍ରୀୟତା ଏକ ସାଂସ୍କୃତିକ ଏକକ।

ଭାରତୀୟ ରାଷ୍ଟ୍ର ଏକ ସା˚ସ୍କୃତିକ ଏକକ ଭାବରେ ରାଜନୀତିରେ ପରିକଳ୍ପିତ କି? ଅର୍ଥାତ୍‌ ରାଜନୀତିର ରାଷ୍ଟ୍ର ଏକ ସା˚ସ୍କୃତିକ ରାଷ୍ଟ୍ର କି? ଯଦି ତାହା, ତେବେ ସେ ସା˚ସ୍କୃତିକ ରାଷ୍ଟ୍ରର ସ˚ପୂର୍ଣ୍ଣ ଆଖ୍ୟାନ ନିର୍ମିତ ହୋଇଚି କି? ଯଦି ସେ ଆଖ୍ୟାନ ଖଣ୍ତିତ ଓ ସେଥିପାଇଁ ଭାରତର ପାଶ୍ଚାତ୍ୟମୁଖୀ ଜ୍ଞାନକ୍ଷେତ୍ର ଦାୟୀ, ତେବେ ଜ୍ଞାନକ୍ଷେତ୍ରରେ ନୂଆ ପାଠ ପ୍ରବେଶ କରାଇବାର ଦାୟିତ୍ବ କାହାର? ମୋର ବିଶ୍ବାସ ଯେ ଭାରତର ମିଡିଆ ଓ ଆକାଡେମିଆ ଏ ଦାୟିତ୍ବ ନିର୍ବାହରେ ବିଫଳ ହୋଇଚନ୍ତି। ସେଇ ହୋମି ଭାଭା ୧୯୯୪ରେ ‘ଲୋକେସନ୍‌ ଅଫ୍‌ କଲଚର‌୍‌’ରେ ଅଣୟୁରୋପୀୟ ରାଷ୍ଟ୍ରବାଦ ସନ୍ଦର୍ଭରେ ରାଷ୍ଟ୍ରମାନଙ୍କର ବୌଦ୍ଧିକ ଦିଗହୀନତାର କାରଣ ସୁନିର୍ଦ୍ଧିଷ୍ଟ କରିଛନ୍ତି। ବିଶ୍ବବିଦ୍ୟାଳୟମାନଙ୍କରେ ସମାଜ ବିଦ୍ୟା ସ˚ପର୍କିତ ସମସ୍ତ ପାଠ୍ୟ ପୁସ୍ତକରେ ସମାଜ ଚିନ୍ତନର ଉତ୍ସ ମୁଖ୍ୟତଃ ୟୁରୋ-ଆମେରିକାନ୍‌। ଉତ୍ତର-ସମାଜବାଦୀ ୟୁରୋପରେ ରାଷ୍ଟ୍ରବାଦୀ ଚିନ୍ତନ ସ୍ବଖଣ୍ତିତ ବା ପର˚ପରାଚ୍ୟୁତ। ସେଠି ସ˚ସ୍କୃତି କୋଉଠି, ଏ ପ୍ରଶ୍ନ ପଚରାଯାଏ ନାହିଁ, ବର˚ ସା˚ସ୍କୃତିକତାକୁ ଏକ ଦତ୍ତ ପଦାର୍ଥ ବୋଲି ଗ୍ରହଣ କରାଯାଏ। ସେମାନେ ଭାବି ନିଅନ୍ତି ଯେ ସେମାନେ ଶ୍ବେତ, ଶୁଭ୍ର, ସର୍ବଗୁଣ ସ˚ପନ୍ନ, ସର୍ବ ଶକ୍ତିମାନ ଓ ପୂର୍ବତନ ଉପନିବେଶଗୁଡ଼ିକ ଇତର, ଅସ˚ସ୍କୃତ ଓ ନିର୍ବଳ। ଏ ତତ୍ତ୍ବ ପ୍ରମାଣ-ସିଦ୍ଧ ନୁହେଁ, ଏ ଏକ ସାମ୍ରାଜ୍ୟବାଦୀ ଉପପାଦ୍ୟ। ଆମେ ୟାକୁ ଗ୍ରହଣ କରିବାର କୌଣସି ଯଥାର୍ଥତା ନାହିଁ।

ଭାରତୀୟ ସଭ୍ୟତାରେ ବିଦେଶୀ ସାମ୍ରାଜ୍ୟବାଦୀ ଅଧିକାର ପ୍ରବେଶ କଲା ଯାଏଁ ‘ମ୍ଳେଚ୍ଛ’ର ପରିକଳ୍ପନା ମୁଖ୍ୟତଃ ଅଣଭାରତୀୟ ଶୌଚ ଓ କର୍ମକାଣ୍ତ ବିମୁଖ ବିଦେଶୀଙ୍କୁ ନେଇ କରାଯାଇଥିଲା। ଆର୍ଯ୍ୟମାନେ ‘ମ୍ଳେଚ୍ଛ’ ନୁହନ୍ତି ବା ଏପରି କୁହାଯାଇପାରେ ଯେ ଆର୍ଯ୍ୟଙ୍କ ଭିତରେ ମ୍ଳେଚ୍ଛ ନାହାନ୍ତି, ଏପରି ଏକ ମାନ୍ୟତା ପ୍ରକୃତି ଉପାସକ ଆର୍ଯ୍ୟ-ବୈଦିକ ସ˚ସ୍କାରରେ ପ୍ରତିଷ୍ଠିତ ଥିଲା। ‘ଯବନ’ ଶବ୍ଦର ପ୍ରୟୋଗ ଗ୍ରୀକ୍‌ ଜଳଦସ୍ୟୁ ବା ଆକ୍ରମଣକାରୀଙ୍କ ପାଇଁ ବ୍ୟବହାର କରାଯାଉଥିଲା। ଏ ଶବ୍ଦ ମଧୢ ଅପମାନସୂଚକ ନ ଥିଲା। ଏହା ଥିଲା ଏକ ପର୍ସିଆନ୍‌ ଶବ୍ଦ, ଯାହାର ବ୍ୟବହାର କରାଯାଉଥିଲା ପର୍ସିଆରେ ଅନୁପ୍ରବେଶ କରିଥିବା ଗ୍ରୀକ୍‌ମାନଙ୍କ ପାଇଁ। ମୋଗଲ ସାମ୍ରାଜ୍ୟର ଉଦାରତମ ଶାସନ କାଳରେ ପ୍ରତିକ୍ରିୟାଶୀଳ ହିନ୍ଦୁ ଓ ପ୍ରତିକ୍ରିୟାଶୀଳ ଇସଲାମ୍‌ଙ୍କ ଭିତରେ ସନ୍ତୁଳନ ଥିଲା ମୁଖ୍ୟତଃ ଚାରିତ୍ରିକ ଶୁଦ୍ଧତା ଓ ମାନବୀୟ ଗୁଣବତ୍ତାକୁ ନେଇ। ଏ ସନ୍ତୁଳନ ଥରକୁ ଥର ବିଗିଡ଼ି ଗଲା ବେଳେ ମୁସଲମାନମାନେ ଯବିନ ଓ ହିନ୍ଦୁମାନେ କାଫିର‌୍‌ ବୋଲି ଗଣମାନସର ଏକ ବିଭାଜନକାରୀ ବିଭ୍ରାନ୍ତିର ସୃଷ୍ଟି ହେଲା। ଅନ୍ୟଥା ସନାତନୀ ହିନ୍ଦୁ ଓ ଶୀଳବନ୍ତ ଜୈନ ଓ ବୌଦ୍ଧଙ୍କ ସ˚ସ୍କାରରେ ଦ୍ରୋହର ଲେଶମାତ୍ର ନ ଥିଲା। ମୋଗଲ ସାମ୍ରାଜ୍ୟର ଉଦାରତମ କାଳରେ ସୁଫି ରହସ୍ୟବାଦ ଓ ଧର୍ମ ସମନ୍ବୟର ରାଜନୀତି ସହିତ ବାଦ ଓ ପ୍ରତିବାଦର ଧର୍ମୀୟ ଭାଷା ବି ବିକଶିତ ହେଲା, ଯାହା ପରବର୍ତ୍ତୀ କାଳରେ ସମାଜର ସନାତନୀ ସନ୍ତୁଳନକୁ ବିଚଳିତ କରି ଆର୍ଯ୍ୟ ସନାତନୀଙ୍କୁ ‘ହିନ୍ଦୁ’ ଭାବରେ ଅଭିହିତ କଲା। ଆମେ ଜାଣୁ ଯେ ପର୍ସିଆନରେ ‘ସ’କୁ ‘ହ’ ଉଚ୍ଚାରଣ କରିବାର ପ୍ରକ୍ରିୟାର ସିନ୍ଧୁ ‘ହିନ୍ଦୁ’ ବୋଲି ଉଚ୍ଚାରିତ ହେଲା ଓ ତାର ତୀର ନିବାସୀ ଲୋକ ସ˚ପ୍ରଦାୟ ‘ହିନ୍ଦୀ’ ଓ ‘ହିନ୍ଦୁ’ ଉଭୟ ନାମରେ ପରିଚିତ ହେଲେ। ଅର୍ଥାତ୍‌ ସିନ୍ଧୁ ତୀର ନିବାସୀ ସମସ୍ତ ପୂର୍ବତଟୀୟ ହେଲେ ହିନ୍ଦୁ ଓ ପଶ୍ଚିମତଟୀୟ ସମସ୍ତେ ୟୁନାନୀ। ଇ˚ରେଜ କମ୍ପାନି ସରକାରଙ୍କ ଅଦୂରଦର୍ଶିତା ଯୋଗୁଁ ସନାତନୀ ଭାରତୀୟଙ୍କ ଧର୍ମର ନାମ ବି ହୋଇଗଲା ହିନ୍ଦୁ। ଅନ୍ୟ ଭାବରେ କହିଲେ ‘ନିବାସ’ (ଡୋମିସାଇଲ୍‌) ଓ ‘ଧର୍ମ’ (ଫେଥ୍‌ ବା ଆସ୍ଥା) ଦୁଇଟା ଯାକ ମିଶିଯାଇ ଗୋଟିଏ କୃତ୍ରିମ ଲୋକ ବିଭାଜନ ସୃଷ୍ଟି କଲେ। ସନାତନୀମାନେ ନିଜକୁ ହିନ୍ଦୁ କହିବାକୁ ବାଧୢ ହେଲେ, କାରଣ ଊନବି˚ଶ ଶତାବ୍ଦୀର ଭାରତରେ ପ୍ରଜାଙ୍କ ପରିଚୟ ଧର୍ମର ଆଧାରରେ କରିବାରେ ନିୟମ ସ୍ଥାପିତ ହେଲା। ଏହିଭଳି ଭାବରେ ଧର୍ମୀୟ ବହୁଳତାବାଦ ଭିତରେ ବହୁସ˚ଖ୍ୟକ ଓ ଅଳ୍ପସ˚ଖ୍ୟକଙ୍କ ରାଜନୈତିକ ପାର୍ଥକ୍ୟର ମୂଳ ପଡ଼ିଲା। ସା˚ସ୍କୃତିକ ଐକ୍ୟ, ରାଜନୈତିକ ବିଭେଦରେ ବଦଳିଲା। ଏକକ ଭାରତୀୟତା ବଦଳରେ ଏକ ବହୁଳତାବାଦୀ ଭାରତର କ୍ରମବିକାଶ ତ୍ବରାନ୍ବିତ ହେଲା।

୧୯୪୨, ଅଗଷ୍ଟ ନ’ ପୂର୍ବରୁ (ଅଗଷ୍ଟ ୭) ଅଲ୍‌ ଇଣ୍ତିଆ କ˚ଗ୍ରେସ କମିଟି ସ୍ବାଧୀନତା ଆନ୍ଦୋଳନର ସାର୍ବଭୌମ ନେତୃତ୍ବ ଗାନ୍ଧୀଙ୍କୁ ପ୍ରଦାନ କରିବାର ପ୍ରସ୍ତାବ କଲା। ଏ ପ୍ରସ୍ତାବ ବିରୋଧରେ ଜିନ୍ନାଙ୍କ ନେତୃତ୍ବରେ ଯେଉଁ ଇସ୍‌ଲାମିକ ଗୋଷ୍ଠୀ ମତ ପ୍ରକାଶ କଲା, ତାକୁ ଗାନ୍ଧୀ ଅଗଷ୍ଟ ୮ ତାରିଖରେ ତାଙ୍କର ଯୁଗାନ୍ତକାରୀ ଭାଷଣରେ ଉପେକ୍ଷା କରି କହିଲେ ଯେ ଭାରତ ନିବାସୀ ସମସ୍ତେ ଭାରତୀୟ, ଏଠି ହିନ୍ଦୁ ମୁସଲମାନ ବିଭେଦ ସୃଷ୍ଟି କରିବାର ଆବଶ୍ୟକତା ନାହିଁ। ଯେଉଁ ଧର୍ମମାନଙ୍କରେ ଧର୍ମାନ୍ତରଣ ବ୍ୟବସ୍ଥା ଅଛି, ସେ ଧର୍ମାବଲମ୍ବୀମାନେ ମୂଳତଃ ସେ ଧର୍ମର ନୁହନ୍ତି, ସେମାନେ ଧର୍ମାନ୍ତରିତ, କିନ୍ତୁ ଭାରତୀୟ। ଗାନ୍ଧୀଙ୍କ ପ୍ରତିବାଦ, ପ୍ରତିରୋଧ ଓ ପ୍ରତ୍ୟାଖ୍ୟାନ ସତ୍ତ୍ବେ ଭାରତ ବିଭାଜନ ହେଲା ଓ ଜାତିଗତ ସ˚ରକ୍ଷଣର ତତ୍ତ୍ବ ଓ ପ୍ରକ୍ରିୟା ବିକଶିତ ହେଲା। ସମ୍ବିଧାନର ରୂପକାର ଆମ୍ବେଦକର ବୌଦ୍ଧଧର୍ମ ଗ୍ରହଣ କରିଥିଲେ, ଗାନ୍ଧୀଙ୍କର ଘୋର ବିରୋଧୀ ଥିଲେ ଓ ଜାତିଗତ ସ˚ରକ୍ଷଣର ସବୁଠୁ ବଡ଼ ପ୍ରବକ୍ତା ଥିଲେ। ଜାତିଗତ ସହାବସ୍ଥାନ ଓ ଧର୍ମୀୟ ସହନଶୀଳତାର ସାମାଜିକ ତତ୍ତ୍ବ ମୂଳରେ ଥିବା ସା˚ସ୍କୃତିକ ପାଠକୁ ଅପସାରଣ କରି ଏକ ବିବାଦାସ୍ପଦ ରାଜନୈତିକ ପାଠକୁ ଥୋଇ ଦିଆଗଲା। ସେଇ ପାଠ ହେଲା ଆମ ବହୁଳତାବାଦର ଅନ୍ତଃସ୍ବର। ସ୍ମରଣରେ ରହୁ ଯେ ମଣିଷ ସମାଜ ଏକ ସା˚ସ୍କୃତିକ ରସାୟନ, ତେଣୁ ଯେ କୌଣସି ସା˚ସ୍କୃତିକ ସ˚କେତକୁ ଇଏ ଆତ୍ମସାତ କରିପାରେ, କିନ୍ତୁ ରାଜନୀତି ଏକ ବୈଚାରିକ ସ˚ଗଠନ, ଇଏ ସମାଜର ସ୍ବାଭାବିକ ପ୍ରକୃତିରେ ଲୀନ ହେବାର ପଦାର୍ଥ ନୁହେଁ। ଇଏ ସବୁବେଳେ ସମାଜକୁ ବ୍ୟବହାର କରି ସମାଜର ଶକ୍ତି ଆହରଣ ଓ ତାହାରି ମାଧୢମରେ ସମାଜର ନିୟନ୍ତ୍ରଣ ଚାହେ। କିନ୍ତୁ ଆଧୁନିକ ଗଣତନ୍ତ୍ରରେ ଏହାର ବିକଳ୍ପ ନାହିଁ। ମୋ ବିଚାରରେ ରାଷ୍ଟ୍ରୀୟତାର ଆଖ୍ୟାନ ନିର୍ମାଣ ରାଜନୀତିର ସା˚ସ୍କୃତିକ ପରିଚୟ। ସ୍ବାଧୀନ ଦେଶରେ ଏହା ହିଁ ବିକାଶର ମନସ୍ତତ୍ତ୍ବ।

ଭାରତ ଏକ ଉତ୍ତର-ଉପନିବେଶବାଦୀ ବା ଉତ୍ତର-ଔପନିବେଶିକ ଦେଶ କି? କିଏ କହିଲା ଭାରତ ଏକ ଉତ୍ତର-ଔପନିବେଶିକ ଦେଶ? ନା। ଭାରତ ଏକ ଉପନିବେଶ-ମୁକ୍ତ ଦେଶ ବା ‘ଡିକଲୋନାଇଜ୍‌ଡ୍‌ କ˚ଟ୍ରି’। ବିଶ୍ବର ଏକମାତ୍ର ଉତ୍ତର-ଔପନିବେଶିକ ଦେଶ ଆମେରିକା। କାରଣ ଯେଉଁ ସାମ୍ରାଜ୍ୟବାଦୀମାନେ ସେ ଭୂଖଣ୍ତକୁ ଅଧିକାର କରିଥିଲେ, ସେହିମାନେ (ଅର୍ଥାତ୍‌ ୟୁରୋପୀୟମାନେ) ହିଁ ଆମେରିକାର ନାଗରିକ ହେଲେ, ସେଇମାନେ ଗଢ଼ିଲେ ତାଙ୍କ ଦେଶ। ଅନ୍ୟ ଭାବରେ କହିଲେ ଉପନିବେଶ ଓ ନୂଆଦେଶ ଗୋଟିଏ କ୍ରମ ପ୍ରବାହର ଅ˚ଶ। ଏଠି ନବାରମ୍ଭ ନାହିଁ, କାରଣ ଯେଉଁମାନେ ଶାସକ ଥିଲେ ସେଇମାନେ ହିଁ ରାଷ୍ଟ୍ର ନିର୍ମାଣ କରି ତାର ଅଧିବାସୀ ହେଲେ। ଭାରତରୁ ଇ˚ରେଜମାନେ ଯିବା ସହିତ ଭାରତର ଅଧିକାର ଭାରତୀୟଙ୍କ ହାତକୁ ଆସିଲା, ଅର୍ଥାତ୍‌ ଗୋଟିଏ ନବାରମ୍ଭର କ୍ଷେତ୍ର ଖୋଲିଗଲା, ପ୍ରଜାମାନେ ନିଜ ସ˚କଳ୍ପରେ ରାଷ୍ଟ୍ର ନିର୍ମାଣ କରି ତା’ର ନାଗରିକ ହେଲେ। ମୁଁ ବାରମ୍ବାର କହିଚି ଯେ ଭାରତ ‘କମନ୍‌େଵଲ୍‌ଥ ଅଫ୍‌ ନେସନ୍‌ସ୍‌’ର ସଦସ୍ୟତା ସ୍ବୀକାର କରିବା ଅଯୌକ୍ତିକ, କାରଣ କମନ୍‌େଵଲ୍‌ଥ୍‌ ପୂର୍ବତନ ବ୍ରିଟିସ ଉପନିବେଶମାନଙ୍କର ଏକ ସ˚ସ୍ଥା। ଗୋଟିଏ ଉପନିବେଶମୁକ୍ତ ଦେଶ ତା’ର ରାଜନୈତିକ ଦାସତ୍ବ ସହିତ ଯୋଡ଼ି ହୋଇ ରହିଥିବ କାହିଁକି? ‘ପୂର୍ବତନ ଉପନିବେଶ’ ଗୋଟିଏ ସମ୍ମାନଜନକ ପରିଚୟ ନୁହେଁ। ନୂଆ ଭାରତ କାହିଁକି ବେକରେ ‘ପୂର୍ବତନ ଉପନିବେଶ’ର ପରିଚୟ ପତ୍ର ଝୁଲେଇ ଚିର କାଳ ବସିଥିବ?

ଆମେରିକାନ୍‌ମାନେ ତାଙ୍କର ଔପନିବେଶିକ ଅତୀତକୁ ସ୍ମରଣ କରନ୍ତି ନାହିଁ କି ନିଜକୁ ଉତ୍ତର-ଔପନିବେଶିକ ବୋଲି ଘୋଷଣା କରନ୍ତି ନାହିଁ, ଯଦିଓ ସେମାନେ ପ୍ରକୃତିରେ ଉତ୍ତର-ଔପନିବେଶିକ। କିନ୍ତୁ ସେମାନେ ଭାଭାଙ୍କ ଭଳି ବୁଦ୍ଧିଜୀବୀଙ୍କ ମାଧୢମରେ ଉତ୍ତର-ଔପନିବେଶିକ ତତ୍ତ୍ବ ବା ଉତ୍ତର-ଉପନିବେଶବାଦ (ପୋଷ୍ଟ କଲୋନିଆଲିଜ୍‌ମ୍‌)ର ନିର୍ମାଣ କରନ୍ତି ବିଶ୍ବରେ ସ୍ବାଧୀନତାର ଆଖ୍ୟାନକୁ ନଷ୍ଟ କରିବା ପାଇଁ। ଭାରତୀୟତାର ଆଖ୍ୟାନକୁ ମଧୢ ଉତ୍ତର-ଉପନିବେଶବାଦ ନଷ୍ଟ କରିଚି। ୟାର ଅନୁପ୍ରବେଶ ସାହିତ୍ୟ ମାଧୢମରେ। ସେମାନେ ଆଧୁନିକ ଭାରତୀୟ ସାହିତ୍ୟକୁ ‘ପୋଷ୍ଟ କଲୋନିଆଲ୍‌’ ପ୍ରଚକ୍ଷୁରେ ଦେଖିବା ପାଇଁ ପାଠ ବିକଶିତ କରିଚନ୍ତି ଓ ଆମ ଆକାଡେମିଆରେ ସେ ପାଠ ଏକ ସମ୍ମାନଜନକ ଅର୍ଥରେ ପଢ଼ାଯାଏ। ପରିତାପର ବିଷୟ ଯେ ସାହିତ୍ୟ ଜରିଆରେ ଆମର ସମାଜ, ରାଜନୀତି, ଅର୍ଥନୀତି ଓ ସ˚ସ୍କୃତିରେ ଉତ୍ତର-ଉପନିବେଶବାଦର ଅନୁପ୍ରବେଶ ଭାରତୀୟତାର ମୌଳିକ ଆଖ୍ୟାନ ନିର୍ମାଣରେ ଅନ୍ତରାୟ ହୋଇ ରହିଚି। ଭାରତର ଜନଗଣ ଗୋଟିଏ ଉପନିବେଶଯୁକ୍ତ ଦେଶର ନାଗରିକ, ବସ୍ତୁତଃ ଭାରତର ଇତିହାସରେ ସାମ୍ରାଜ୍ୟବାଦୀ ପ୍ରଭୁତ୍ବର ଅଧୢାୟ ଏକ ଐତିହାସିକ ଘଟନାକ୍ରମ ବ୍ୟତୀତ କିଛି ନୁହେଁ। ଭାରତୀୟତାର ନୂଆ ଆଖ୍ୟାନ ଆମର ପାଠ, ଚିନ୍ତନଶୈଳୀ, ଅଧିକାର, ପରିଚୟ ଓ ବିଶେଷତ୍ବକୁ ଆଧାର କରି ଗଢ଼ି ଉଠିବା ଆବଶ୍ୟକ। ଆମର ଜ୍ଞାନକ୍ଷେତ୍ରରେ କରିକୁଲମ୍‌ ଗୁଡ଼ିକ ଯେତେ ପାରେ ସେତେ ଜ୍ଞାନ ପୃଥିବୀର ଅନ୍ୟ ଦେଶମାନଙ୍କର ବିକଶିତ କ୍ଷେତ୍ରରୁ ଆହରଣ କରୁ, କିନ୍ତୁ ତାକୁ ଆମର ବାସ୍ତବତାର ଆଲୋକରେ ପରୀକ୍ଷା କରି ଆମର ନବଚିନ୍ତନର ଅନୁକୂଳ କରୁ।

ସାହିତ୍ୟ ହେଉ ବା ସାମାଜିକ ବିଧାନ ହେଉ, ସବୁଠି ଆମ ନିକଟରେ ପାଶ୍ଚାତ୍ୟ ଦେଶମାନଙ୍କ ଠାରୁ ଅଧିକ ଉପାଦାନ ଅଛି, ଆମର ଦୁର୍ବଳତା ଏଇ ଯେ ଆମେ ଆମ ବାସ୍ତବତାକୁ ତତ୍ତ୍ବାୟିତ (ଥିଓରାଇଜ୍‌) କରିନାହେଁ। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଆମେ ‘ସୂଚନାର ସ˚ସାର’ ଉପଯୋଗ୍ୟ ସୂଚନାଭିତ୍ତିକ ଜ୍ଞାନର ନିର୍ମାଣ କରୁଚେ କାହିଁକି? ଆମର ଚିନ୍ତନ, ମନନ ଓ ରଚନାର ସୃଜନଶୀଳ ଭାରତୀୟତା କୁଆଡ଼େ ଗଲା? ସମସ୍ତେ ‘ଅବ୍‌ଜେକ୍‌ଟିଭ୍’ ଟାଇପୋଲୋଜିରେ ମତ୍ତ, ଶହେରୁ ଶହେ ରଖିବାର ମହତ୍ତ୍ବାକା˚କ୍ଷାରେ ପାଗଳ, ଜ୍ଞାନର ଅସୀମତାକୁ ସ୍ବୀକାର କରୁଥିବା ଆପେକ୍ଷିକତା କାହିଁ? କୋଟିଏ ସୂଚନା ମୁଣ୍ତରେ ରଖି ଶ୍ରେଷ୍ଠ ସିଦ୍ଧ ହେଉଥିବା ଜଣେ ଭାରତୀୟ ନିଜର ଅସ୍ତିତ୍ବ ଓ ପରିଚୟକୁ ଭାଷା ଦେଇ ଜାଣେ ନାହିଁ, ତର୍କ କରି ଜାଣେ ନାହିଁ ବା ଜ୍ଞାନକ୍ଷେତ୍ରର ଅସୀମ ସମ୍ଭାବନାର ଆପେକ୍ଷିକତାକୁ ବୁଝେ ନାହିଁ। ସେ ବ୍ୟକ୍ତି ନୂଆ ଭାରତର କି ଆଖ୍ୟାନ ନିର୍ମାଣ କରିବ? ଆପଣ ଯଦି ଅବ୍‌ଜେକ୍‌ଟିଭ୍‌ ଜ୍ଞାନ (ବସ୍ତୁନିଷ୍ଟ ସୂଚନା)ର ମୂଳକୁ ଯିବେ ଦେଖିବେ ଯେ ଏ ହେଉଛି ଆମେରିକାନ୍‌ ଆକାଡେମିଆର ଏଣ୍ଟ୍ରି ଲେଭେଲ୍‌ ପରୀକ୍ଷାର ମଡେଲ ବା ମୌଖିକ କମ୍ପାନି ଇଣ୍ଟରଭିଉର ମଡେଲ। ୟାକୁ ଉଚ୍ଚ ଶିକ୍ଷାର କ୍ଷେତ୍ରରେ ଅଧିକ ପ୍ରୟୋଗ କରି, ଆଲୋଚନା, ସନ୍ଦର୍ଭ ନିର୍ମାଣ, ବହୁମୁଖୀ ଦାର୍ଶନିକତା ଓ ତର୍କ ନିର୍ମାଣକୁ ନ୍ୟୂନ କରି ଆମେ ଭାରତୀୟ ଜ୍ଞାନକ୍ଷେତ୍ରରେ କି ମୌଳିକତାର ଶିଖର ପ୍ରତିଷ୍ଠା କରୁଚେ? ଅଧିକରୁ ଅଧିକ ମୂକ ମଣିଷ ଓ କାମଚଳାର ଭାଷା ବ୍ୟବହାରକାରୀଙ୍କ ଦ୍ବାରା ରାଷ୍ଟ୍ରୀୟ ଆଖ୍ୟାନ କିପରି ନିର୍ମିତ ହେବ?

ବାସ୍ତବ ନାଁରେ କଳ୍ପନାର ନିର୍ବାସନ ଭାରତୀୟ ଆଖ୍ୟାନ ପର˚ପରାକୁ ଧ୍ବ˚ସ କରିଦେଇଚି। ଏପରିକି ସାହିତ୍ୟରେ ବି କଳ୍ପନାଶୀଳତା ବର୍ଜ୍ୟ ବୋଲି ସିଦ୍ଧ କରି ଦିଆଗଲାଣି। ୟାର ପରିଣତି ବିକୃତ ମାନସିକତା ଓ ଦୁର୍ବଳ ଅନୁକରଣ ପ୍ରଧାନ ସୃଜନ ଯାହା ଛିନ୍ନମୂଳ। ଏପରିକି ‘ଛିନ୍ନମୂଳ’କୁ ଏକ ସୃଜନତତ୍ତ୍ବ ଭାବରେ ଗ୍ରହଣ କରିବାରେ ଆମର ଲଜ୍ଜା ନାହିଁ। ଯେଉଁ ଦେଶ ତା’ର ସ˚କଳ୍ପ ଦ୍ବାରା ରାଷ୍ଟ୍ରକୁ ‘ଜନଗଣ’ଙ୍କ ମାଧୢମରେ ପାଞ୍ଚ ହଜାର ବର୍ଷରୁ ଅଧିକ କାଳର ପର˚ପରା ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଚି, ସେ ରାଷ୍ଟ୍ରର ଆଖ୍ୟାନ ନିର୍ମାଣ ପାଇଁ, ରାଜନୈତିକ ଏକକକୁ ଆଖ୍ୟାନ ଦ୍ବାରା ସା˚ସ୍କୃତିକ ଏକକରେ ପରିଣତ କରିବା ପାଇଁ, ଆଖ୍ୟାନ ନିର୍ମାତାଙ୍କ ଅଭାବ ପଡ଼ିବା ଦୁର୍ଭାଗ୍ୟଜନକ ଓ ମୁହଁ ଟାଣ କରି କହିଲେ ଲଜ୍ଜାଜନକ। ପାଞ୍ଚହଜାର ବର୍ଷରୁ ଅଧିକ କାଳର ଐତିହ୍ୟ ଭିତରେ ପାଞ୍ଚଶହ ବର୍ଷର ସାମ୍ରାଜ୍ୟବାଦୀ ଉପନିବେଶ ନିର୍ଣ୍ଣାୟକ ସିଦ୍ଧ ହେବା ବିପଜ୍ଜନକ ଭାବରେ ବିଧ୍ବ˚ସକ। ଆମ ପଣ୍ତିତମାନେ ବୁଝୁନାହାନ୍ତି ଯେ ରାଷ୍ଟ୍ରକୁ ଏକ ସା˚ସ୍କୃତିକ ଏକକରେ ପରିଣତ କରିବା ପାଇଁ କଳ୍ପନାର ଧରାବତରଣ ଆବଶ୍ୟକ। ସେମାନେ କାହିଁକି ବୁଝୁନାହାନ୍ତି ଯେ କଳ୍ପନା ହିଁ ବାସ୍ତବତାର ବାର୍ତ୍ତାକାର, ମଧୢସ୍ଥ ଓ ବିଭେଦଭଞ୍ଜକ। ମୁଁ ଆଶ୍ବସ୍ତ ଯେ ଅନ୍ତତଃ ସ୍ବାଧୀନତାର ବହୁଦିନ ପରେ, ଗତ ଦଶବର୍ଷ ଭିତରେ ଲୋକକ୍ଷେତ୍ରରେ ଭାରତୀୟତାର ସନ୍ଦର୍ଭ ଉପସ୍ଥାପନ କରାଯାଇଚି। ବସ୍ତୁତଃ ଭାରତୀୟ ବୁଦ୍ଧିଜୀବୀ, ମିଡିଆ ଓ ଆକାଡେମିଆ ବସ୍ତୁନିଷ୍ଠ ଜ୍ଞାନକ୍ଷେତ୍ରରେ ବନ୍ଦୀ ହୋଇ ପାଶ୍ଚାତ୍ୟ ମହୀରୂହରେ ପରା˚ଗଭୋଜୀ ଲତା ଭଳି ପୁଷ୍ପିତ ହେବା ଗୋଟିଏ ଅସୁନ୍ଦର ଦୃଶ୍ୟ। ଆମଠାରୁ ଅପହୃତ ‘ରାଷ୍ଟ୍ର’କୁ ଆଖ୍ୟାନରେ ଫେରି ନ ପାଇଲା ପର୍ଯ୍ୟନ୍ତ, ଆଖ୍ୟାନ ନିର୍ମାଣ ପାଇଁ ଚିନ୍ତନ, ମନନ ଓ ଭାଷା ବ୍ୟବହାର ଆୟତ୍ତ ନ କଲା ପର୍ଯ୍ୟନ୍ତ, ଆମେ ‘ଜନଗଣ’ଙ୍କୁ ତାଙ୍କର ସ˚କଳ୍ପର ବିପୁଳତା ସହିତ ପରିଚିତ କରାଇ ପାରିବା ନାହିଁ। ଉଦାରବାଦୀ ହେୟଜ୍ଞାନ ଦ୍ବାରା ରାଷ୍ଟ୍ରୀୟତାର ରାଜନୀତିକୁ ଅବମୂଲ୍ୟାୟନ କରିବା ଏକ ଅକ୍ଷମଣୀୟ ବୌଦ୍ଧିକ ଅପରାଧ ବିବେଚିତ ହେବ।

ରାଷ୍ଟ୍ରଧ୍ବଜମୟ ହେଉ ଭାରତ ଗଗନ, ଆରମ୍ଭ ହେଉ ରାଷ୍ଟ୍ରୀୟତାର ସା˚ସ୍କୃତିକ ନିର୍ମାଣ!

ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର