‘ରାଇଟ୍‌ ଅଫ୍’ ଆଳରେ କୋଟିପତିଙ୍କୁ ଋଣଛାଡ଼

ସରଳ ବିଚାର - ସରଳ କୁମାର ଦାସ

ମୋଦୀ ସରକାର ଶାସନକୁ ଆସିଲା ପରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ‘ରାଇଟ ଅଫ୍’ କରାଯାଇଥିବା ଜଣା ପଡ଼ିବା ପରେ ମୁଷ୍ଟିମେୟ ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥରେ ସରକାର ଏଭଳି ‘ଋଣ ଛାଡ଼’ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଆକ୍ଷେପ କରୁଛନ୍ତି। ଅନ୍ୟ ପକ୍ଷରେ କାହାକୁ ଟଙ୍କାଟିଏ ବି ଋଣ ଛାଡ଼ କରାଯାଇନାହିଁ ବରଂ ଏ ସମସ୍ତ ରାଶି ‘ରାଇଟ୍ ଅଫ୍‌’ କରାଯାଇଛି ବୋଲି ସରକାରୀ ଦଳର ମୁଖପାତ୍ରମାନେ ଉପସ୍ଥାପନ କରୁଛନ୍ତି। ତେଣୁ ଋଣଛାଡ଼ ଓ ଋଣ ‘ରାଇଟ୍ ଅଫ୍‌’ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ‘ରାଇଟ୍‌ ଅଫ୍’ ଦ୍ୱାରା କାହାର କ’ଣ ଲାଭ ବା କ୍ଷତି ହୁଏ, ତାହା ବୁଝିବାର ଆବଶ୍ୟକତା ରହିଛି।

ଋଣଛାଡ଼ର ଅର୍ଥ ହେଉଛି ଋଣ ଖାତା ବାତିଲ ହେବା, ଯଦ୍ଦ୍ୱାରା ଋଣ ଗ୍ରହୀତା ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ ହୋଇଥାଏ। ତା’ଠାରୁ ଋଣ ଆଦାୟ ଲାଗି ବ୍ୟାଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାର ପ୍ରୟାସ ମଧ୍ୟ କରି ନ ଥାଏ। ଋଣ ଗ୍ରହୀତା ଦେଇଥିବା ବନ୍ଧକ କାଗଜପତ୍ର ତାକୁ ଫେରାଇ ଦିଆଯାଇଥାଏ। ସାଧାରଣତଃ କୌଣସି ବିଶେଷ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଘୋଷିତ ନୀତି ଅନୁଯାୟୀ ଏଭଳି କରାଯାଇଥାଏ। ବ୍ୟାଙ୍କର ପ୍ରାପ୍ୟକୁ ସରକାର ଭରଣା କରିଥାଆନ୍ତି। ଅର୍ଥାତ୍, ବ୍ୟାଙ୍କ ନିଜେ କାହାରି ଋଣ ଛାଡ଼ କରି ନଥାଏ। ଅନ୍ୟ ପକ୍ଷରେ ବ୍ୟାଙ୍କର ମନ୍ଦ ଋଣକୁ ବ୍ୟାଙ୍କ ଖାତାରୁ ହିସାବ ବହିର୍ଭୂତ କରିବାକୁ ‘ରାଇଟ୍ ଅଫ୍’ କୁହାଯାଇଥାଏ। ବ୍ୟାଙ୍କର ବାଲାନ୍‌ସ ସିଟ୍‌କୁ ପରିଷ୍କାର କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ‘ରାଇଟ୍‌ ଅଫ୍’ ପରେ ମଧ୍ୟ ଋଣ ଗ୍ରହୀତାର ଋଣ ଖାତାକୁ ବନ୍ଦ କରାଯାଇ ନ ଥାଏ ଓ ସେ ପୂର୍ବବତ୍ ବ୍ୟାଙ୍କର ଋଣୀ ହୋଇ ରହିଥାଏ। ଋଣ ଆଦାୟ କରିବା ଲାଗି ବ୍ୟାଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ୱାଧୀନ ଥାଏ। ଋଣ ପରିଶୋଧ ନ କଲେ ଋଣଗ୍ରହୀତା ଦେଇଥିବା ବନ୍ଧକକୁ ବ୍ୟାଙ୍କ ନିଲାମ କରି ପାରିଥାଏ।

ବ୍ୟାଙ୍କ ଦେଉଥିବା ଋଣ ରାଶି ବ୍ୟାଙ୍କର ହିସାବଖାତାରେ ଏକ ସମ୍ପତ୍ତି (ଆସେଟ୍‌) ଭାବେ ଦର୍ଶା ଯାଇଥାଏ। ଏହି ଋଣରୁ ମିଳୁଥିବା ସୁଧକୁ ସମ୍ପତ୍ତିରୁ ହେଉଥିବା ଆୟ ରୂପେ ଗ୍ରହଣ କରାଯାଇଥାଏ। ଆଶା କରାଯାଏ ଯେ ଋଣ ଗ୍ରହୀତା ଠିକ୍ ସମୟରେ ଧାର୍ଯ୍ୟ କିସ୍ତି ପରିଶୋଧ କରିଚାଲିବେ। ଋଣ ଗ୍ରହୀତା ଧାର୍ଯ୍ୟ ସମୟରେ କିସ୍ତି ଫେରାଇବାକୁ ଅସମର୍ଥ ହେଲେ ସେ ଋଣ ଖିଲାପି ହୋଇଯାଆନ୍ତି। ତେବେ କୌଣସି ଋଣ ବା ଅଗ୍ରିମ (ଆଡଭାନ୍‌ସ) ରାଶିର ମୂଳ ବା ସୁଧ ୯୦ ଦିନରୁ ଅଧିକ ସମୟ ଧରି ବକେୟା (ଓଭର୍‌ଡିଉ) ପଡ଼ି ରହିଲେ ସେହି ଋଣ ରାଶିରୁ ସୁଧ ନ ମିଳି ତାହା କ୍ରମେ ତାର ଉପାର୍ଜନ କ୍ଷମତା ହରାଉ ଥିବାରୁ ବ୍ୟାଙ୍କ ହିସାବ ଖାତାରେ ତାକୁ ଅଣ-ଉପାର୍ଜନକ୍ଷମ ସମ୍ପତ୍ତି (ଏନପିଏ) ଭାବେ ଦର୍ଶାଯାଇଥାଏ। ଋଣ ଗ୍ରହୀତା କିସ୍ତି ପରିଶୋଧ କଲେ ତାହା ପୁନଶ୍ଚ ଏନପିଏରୁ ମୁକୁଳି ଆସିଥାଏ। ଆଉ ଋଣ ଗ୍ରହୀତା ଯଦି କିସ୍ତି ନ ଫେରାନ୍ତି ତେବେ ବକେୟାର ସମୟ ଯେତିକି ଯେତିକି ଅଧିକ ହୁଏ, ବ୍ୟାଙ୍କ ହିସାବ ଖାତାରେ ସେହି ଏନପିଏ ପ୍ରଥମେ ନିମ୍ନମାନର ସମ୍ପତ୍ତି (ସବଷ୍ଟାଣ୍ଡାର୍ଡ ଆସେଟ), ତାପରେ ସନ୍ଦେହଜନକ ସମ୍ପତ୍ତି (ଡାଉଟଫୁଲ ଆସେଟ) ଓ ପରିଶେଷରେ କ୍ଷତି ସମ୍ପତ୍ତି (ଲସ୍‌ ଆସେଟ) ଭାବେ ବର୍ଗୀକରଣ କରାଯାଇଥାଏ। ଅର୍ଥାତ୍ ସେହି ଋଣ ରୂପକ ସମ୍ପତ୍ତିରୁ ଯଦି ଋଣ ଅନାଦାୟ କାରଣରୁ ସୁଧ ରୂପକ ଆୟ ଆସିବା ବନ୍ଦ ହୋଇଯାଏ, ତେବେ ସେହି କ୍ଷତିର ଆଂଶିକ ଭରଣା ପାଇଁ ବ୍ୟାଙ୍କକୁ ଏନ୍‌ପିଏର ବର୍ଗୀକରଣ ଆଧାରରେ ଅଲଗା ଭାବେ କିଛି ପାଣ୍ଠି (ପ୍ରୋଭିଜନ୍‌) ରଖିବାକୁ ହୋଇଥାଏ। ତିନି ବର୍ଷ ବକେୟା ରହିବା ପରେ ସେହି ବକେୟା ଋଣ କ୍ଷତି ସମ୍ପତ୍ତି (ଲସ୍‌ ଆସେଟ)ରେ ରୂପାନ୍ତରିତ ହୋଇଥାଏ, ଯାହାକୁ ବ୍ୟାଙ୍କର ସମ୍ପତ୍ତି ତାଲିକାରୁ ବାଦ ଦେଇ ହିସାବ ବହିର୍ଭୁତ ବା ‘ରାଇଟ ଅଫ୍’ କରିବାର ଆବଶ୍ୟକତା ଉପୁଜିଥାଏ।

‘ରାଇଟ ଅଫ୍‌’ ପରେ ବି ବ୍ୟାଙ୍କ ଋଣ ଆଦାୟ କରିବାକୁ ସମସ୍ତ ଉଦ୍ୟମ ଜାରି ରଖିବା ଆବଶ୍ୟକ ଓ ସମ୍ପୃକ୍ତ ଋଣଗ୍ରହୀତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଋଣ ଆଦାୟ ନ ହେଲା ପର୍ଯ୍ୟନ୍ତ ବ୍ୟାଙ୍କର ଋଣୀ ତାଲିକାରୁ ତାଙ୍କ ନାମ କଟି ନ ଥାଏ। ସମ୍ପୃକ୍ତ ଋଣଗ୍ରହୀତା ‘ରାଇଟ ଅଫ୍’ ଯୋଗୁଁ ଋଣ ପରିଶୋଧ ନ କରି ଲାଭବାନ ହୋଇଥିଲେ ବି ଋଣ ଖିଲାପି ଯୋଗୁଁ ତାଙ୍କର ଋଣ ଗ୍ରହଣ ବିଶ୍ୱସନୀୟତା (କ୍ରେଡିଟ୍‌ ରେଟିଂ) ହ୍ରାସ ପାଇଥାଏ ଓ ଭବିଷ୍ୟତରେ ତାଙ୍କୁ ଋଣ ମିଳିବାରେ ଅସୁବିଧା ହୋଇଥାଏ। ସାଧାରଣତଃ ଯେଉଁ ଋଣ ଆଦାୟ କରିବା କଷ୍ଟସାଧ୍ୟ ବା ଅସମ୍ଭବ ହୋଇଥାଏ, ଶେଷ ଅବଲମ୍ୱନ ସ୍ୱରୂପ ବ୍ୟାଙ୍କ ସେହି ଋଣକୁ ହିସାବଖାତାରେ ନ ରଖି ‘ରାଇଟ୍‌ ଅଫ୍’ କରିବାକୁ ଆଗ୍ରହ ଦେଖାଇଥାଏ। ‘ରାଇଟ୍‌ ଅଫ୍’ କଲାବେଳେ ବ୍ୟାଙ୍କ ଏକ ପ୍ରକାର ଧରି ନେଇଥାଏ ଯେ ଋଣଗ୍ରହୀତାଙ୍କଠାରୁ ସେହି ରାଶି ଆଉ କେବେ ଫେରସ୍ତ ଆସିବ ନାହିଁ, ଯଦିଓ ଆଇନର ଆଶ୍ରୟ ନେଇ ବା ଅନ୍ୟ ପ୍ରକାରେ ଋଣ ଆଦାୟ କରିବାର ବ୍ୟାଙ୍କର ଅଧିକାର ବଳବତ୍ତର ଥାଏ। ‘ରାଇଟ୍‌ ଅଫ୍’ କରିବା ଦ୍ୱାରା ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍‌ସ ସିଟ୍‌କୁ ପରିଷ୍କାର କରିବା ସହ ଋଣ ପାଇଁ ପ୍ରୋଭିଜନ ଆକାରରେ ଥିବା ରାଶିକୁ ଅନ୍ୟ ବ୍ୟାବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରିପାରିଥାଆନ୍ତି।

‘ରାଇଟ୍‌ ଅଫ୍’ ରାଶିକୁ ବ୍ୟାଙ୍କର କ୍ଷତି ଭାବେ ଦର୍ଶାଯାଉଥିବାରୁ ବ୍ୟାଙ୍କର ଟିକସ ଦେୟ ମଧ୍ୟ କମ୍‌ ହୋଇଥାଏ। ଏହା ଦ୍ୱାରା ସରକାରଙ୍କ ଟିକସ ରାଜସ୍ୱ କମ୍‌ ହେଉଥିଲେ ବି ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ‘ରାଇଟ୍‌ ଅଫ୍’ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହିତ କରିଥାଆନ୍ତି। କାରଣ ମନ୍ଦ ଋଣ ବ୍ୟାଙ୍କ ହିସାବ ବହିର୍ଭୂତ ହେଲେ ଯାଇ ସେମାନେ ନୂଆ ଋଣ ଦେବାକୁ ଆଗ୍ରହୀ ହୋଇଥାଆନ୍ତି ଓ ଆର୍ଥିକ ଗତିବିଧି ଚଳଚଞ୍ଚଳ ହୋଇଥାଏ। ଅଧିକନ୍ତୁ ତଦ୍ଦ୍ୱାରା ବ୍ୟାଙ୍କର ବାସ୍ତବ ଆର୍ଥିକ ସ୍ଥିତି ଜଣାପଡ଼ି ତା’ର ପୁନଃପୁଞ୍ଜୀକରଣ (ରିକ୍ୟାପିଟାଲାଇଜେସନ) ଆବଶ୍ୟକତାକୁ ଜାଣିହୋଇଥାଏ। ସରକାରୀ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଆର୍ଥିକ ଅବସ୍ଥାର ପୁନରୁଦ୍ଧାର ପାଇଁ ସରକାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ୩.୩୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରଦାନ କରିଛନ୍ତି। କହିବା ବାହୁଲ୍ୟ ଯେ ଏହି ପୁଞ୍ଜି ଟିକସଦାତାଙ୍କ ଟିକସ ଅର୍ଥରୁ ହିଁ ଦିଆଯାଇଛି, ଯାହା ହୁଏତ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ବିନିଯୁକ୍ତ ହୋଇପାରିଥାଆନ୍ତା। ‘ରାଇଟ୍‌ ଅଫ୍’ ଦ୍ୱାରା ବ୍ୟାଙ୍କର ଅନ୍ୟ ଗ୍ରାହକମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି। କ୍ଷତିର ଭରଣା ପାଇଁ ବ୍ୟାଙ୍କ ଜମାକାରୀଙ୍କୁ ଅପେକ୍ଷାକୃତ କମ୍‌ ହାରରେ ସୁଧ ଦେବା ଓ ଋଣ ଗ୍ରହୀତାଙ୍କଠାରୁ ଅଧିକ ହାରରେ ସୁଧ ଆଦାୟ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାଏ।

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରେ ବ୍ୟାଙ୍କଗୁଡ଼ିକ ସମୁଦାୟ ୧.୫୭ ଲକ୍ଷ କୋଟି ଟଙ୍କା ‘ରାଇଟ୍‌ ଅଫ୍’ କରିଛନ୍ତି। ମୋଦି ସରକାରଙ୍କ ୮ ବର୍ଷର ଶାସନ କାଳରେ (୨୦୧୪-୧୫ରୁ ୨୦୨୧-୨୨) ସମୁଦାୟ ୧୨.୨୯ ଲକ୍ଷ କୋଟି ଟଙ୍କାର ଋଣ ‘ରାଇଟ୍‌ ଅଫ୍’ କରାହୋଇଛି, ଯାହା ବ୍ୟାଙ୍କଗୁଡ଼ିକର ସମୁଦାୟ ଅଣଆଦାୟ ଋଣର ୧୦ ପ୍ରତିଶତରୁ ବି ଅଧିକ। ଏହି ‘ରାଇଟ୍‌ ଅଫ୍’ ପରିମାଣର ପ୍ରାୟ ୭୫ ପ୍ରତିଶତ ସରକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା କରାଯାଇଥିଲା ବେଳେ ଏହାର ଲାଭାର୍ଥୀ ମୁଖ୍ୟତଃ କୋଟିପତି ଓ ପୁଞ୍ଜିପତିମାନେ ହୋଇଛନ୍ତି। ଏ କଥା ନୁହେଁ ଯେ ବଡ଼ବଡ଼ିଆଙ୍କୁ ବ୍ୟାଙ୍କ ଋଣ ‘ରାଇଟ୍‌ ଅଫ୍’ କରିବା ପ୍ରକ୍ରିୟା ଏନଡିଏ ସରକାର ଆସିବା ଆଗରୁ ନ ଥିଲା। ମାତ୍ର ତା’ର ପରିମାଣ ଯଥେଷ୍ଟ କମ୍‌ ଥିଲା। ଉଦାହରଣ ସ୍ୱରୂପ, ଏପ୍ରିଲ ୨୦୧୨ରୁ ମାର୍ଚ୍ଚ ୨୦୧୫ ତିନି ବର୍ଷ ମଧ୍ୟରେ ୨୭ଟି ସରକାରୀ ବ୍ୟାଙ୍କ ସମୁଦାୟ ୧.୧୪ ଲକ୍ଷ କୋଟି ଟଙ୍କା ଋଣ ‘ରାଇଟ୍‌ ଅଫ୍’ କରିଥିଲେ। ଏବେ ପ୍ରତିବର୍ଷ ଋଣ ‘ରାଇଟ୍‌ ଅଫ୍’ର ପରିମାଣ ତା’ର ପ୍ରାୟ ଦୁଇ ଗୁଣ ହେବା ଚିନ୍ତାର ବିଷୟ। ଅବଶ୍ୟ ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତା ସମୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନିର୍ଦ୍ଦେଶ ପରେ ଏହି ‘ରାଇଟ୍‌ ଅଫ୍’ ପରିମାଣ ବୃଦ୍ଧି ପାଇବାକୁ ଲାଗିଲା। ଏଥିରୁ କୋଟିପତି ପୁଞ୍ଜିପତିଙ୍କୁ ଋଣ ଦିଆଗଲା ବେଳେ, ନିର୍ଦ୍ଧାରିତ ସମସ୍ତ ନିୟମ ଓ ଆବଶ୍ୟକ ସତର୍କତାର ଯେ କଡ଼ାକଡ଼ି ଅନୁପାଳନ କରାଯାଉ ନାହିଁ, ତାହା ମଧ୍ୟ ଜଣାପଡୁଛି।

ସଂସଦରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଡିସେମ୍ୱର ୩୧, ୨୦୨୧ ସୁଦ୍ଧା ୫ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ନେଇ ଏନ୍‌ପିଏ ବା ମନ୍ଦ ଋଣରେ ପରିଣତ କରିଥିବା କମ୍ପାନିଙ୍କ ସଂଖ୍ୟା ୫୨୩୧। ୨୦୨୧-୨୨ରେ ଦେଶରେ ପ୍ରାୟ ୨୭୦୦ ଇଚ୍ଛାକୃତ ଖିଲାପି (ଉଇଲ୍‌ଫୁଲ ଡିଫଲ୍‌ଟର୍‌) ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ କେବଳ ସର୍ବାଧିକ ଖିଲାପ କରିଥିବା ୨୫ ଜଣଙ୍କ ଋଣ ଖିଲାପିର ପରିମାଣ ପ୍ରାୟ ୫୯ ହଜାର କୋଟି ଟଙ୍କା। ଏମାନଙ୍କ ମଧ୍ୟରେ ମେହୁଲ ଚୋକ୍‌ସିଙ୍କ ଗୀତାଞ୍ଜଳି ଜେମ୍‌ସ ୭୧୧୦ କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ଥିଲା ବେଳେ ଇରା ଇନଫ୍ରା ଇଞ୍ଜିନିଅରିଂ ଓ କନକାଷ୍ଟ ଷ୍ଟିଲ୍‌ ଆଣ୍ଡ ପାୱାର ଯଥାକ୍ରମେ ୫୮୭୯ କୋଟି ଓ ୪୧୦୭ କୋଟି ଟଙ୍କା ଖିଲାପି ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ବିଡ଼ମ୍ୱନାର ବିଷୟ ଯେ ୟୁପିଏ ଅମଳରେ ୨୦୦୮ରେ ଯେଉଁ କୃଷି ଋଣ ଛାଡ଼ ପାଇଁ ହୋହଲ୍ଲା ହୋଇଥିଲା, ତାର ସମୁଦାୟ ପରିମାଣ ଥିଲା ୭୧,୬୮୦ କୋଟି ଟଙ୍କା ଯେଉଁଥିରେ ପ୍ରାୟ ୩ କୋଟି ଚାଷୀ ଉପକୃତ ହୋଇଥିଲେ। ଅର୍ଥାତ୍ ଦେଶରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ସମସ୍ୟାର ଏକ ବଡ଼ କାରଣ ଏହି କୋଟିପତି ପୁଞ୍ଜିପତିଙ୍କୁ ପ୍ରଦତ୍ତ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ, ଯାହା ଅନାଦାୟ ହୋଇ ପଡ଼ିରହିଛି। ଡରାଇ ଧମକାଇ ହେଉ ବା ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ହେଉ ବ୍ୟାଙ୍କଗୁଡ଼ିକ ଅପେକ୍ଷାକୃତ କ୍ଷୁଦ୍ର ଋଣଗ୍ରହୀତାଙ୍କ ଠାରୁ ଦକ୍ଷତାର ସହ ଋଣ ଆଦାୟ କରିଥାଆନ୍ତି। ହେଲେ ଅଧିକାଂଶ କୋଟିପତି ଋଣ ଖିଲାପିଙ୍କ ଠାରୁ ଋଣ ଆଦାୟ ବେଳେ ସେମାନଙ୍କ ସେହି ଦକ୍ଷତା ଅନୁଭୂତ ହୁଏନାହିଁ। ସ୍ଥଳ ବିଶେଷରେ ଶାସକ ଓ ପ୍ରଶାସକଙ୍କ ଚାପରେ ଋଣ ଦିଆଯାଇ ତାହା ମନ୍ଦ ଋଣରେ ପରିଣତ ହୋଇଥିବା ସତ୍ତ୍ବେ କୋଟିପତି ଖିଲାପିଙ୍କ ଉପରେ କୌଣସି ଚାପ ପ୍ରୟୋଗ କରି ହୁଏନାହିଁ ବା କୌଣସି ଚାପ କାମ ଦିଏନାହିଁ। ଫଳରେ ଖିଲାପି ଋଣର କୁପ୍ରଭାବ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ପଡ଼ିବା ସଙ୍ଗେସଙ୍ଗେ ଏହା ଦ୍ୱାରା ସେଗୁଡ଼ିକର ଋଣପ୍ରଦାନ କ୍ଷମତା ଅତି ମାତ୍ରାରେ ସଙ୍କୁଚିତ ହେଉଛି, ଯଦ୍ଦ୍ୱାରା ଋଣ-ସଂଯୁକ୍ତ ଗତିବିଧି ମନ୍ଥର ହେବାକୁ ବାଧ୍ୟ ହୋଇ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି।

ଋଣ ‘ରାଇଟ୍‌ ଅଫ୍’ କରିବା ଦ୍ୱାରା ମନ୍ଦ ଋଣକୁ ହିସାବ ବହିର୍ଭୂତ କରି ବ୍ୟାଙ୍କଗୁଡ଼ିକ ହୁଏତ ସାମୟିକ ଭାବେ ଲାଭବାନ ହୋଇପାରନ୍ତି, ହେଲେ ଏହା ଋଣ ଖିଲାପି ମାନସିକତାକୁ ପ୍ରତିରୋଧ କରିବା ଲାଗି ଏକ ସ୍ଥାୟୀ ନିଦାନ ନୁହେଁ। ତା’ଛଡ଼ା ‘ରାଇଟ୍‌ ଅଫ୍’ ବ୍ୟାଙ୍କ ପାଇଁ ଶେଷ ଅବଲମ୍ୱନ ଭାବେ ଗୃହୀତ ହେଉଥିଲେ ବି ଏହାର ବ୍ୟାପକ ଉପଯୋଗ ଯୋଗୁଁ ପରୋକ୍ଷରେ ଋଣ ଆଦାୟ ଲାଗି ଆଗ୍ରହ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି। ପୁନଶ୍ଚ, ‘ରାଇଟ୍‌ ଅଫ୍’ ବ୍ୟବସ୍ଥା ବିଧି ସମ୍ମତ ହୋଇଥିଲେ ବି ବ୍ୟାଙ୍କର ମୁଖ୍ୟାଳୟଗୁଡ଼ିକ ଦ୍ୱାରା କରାଯାଉଥିବା ‘ଟେକନିକାଲ ରାଇଟ୍‌ ଅଫ୍‌’ ସମ୍ପୂର୍ଣ୍ଣ ଭାବେ ଅସ୍ୱଚ୍ଛ। କ୍ଷୁଦ୍ର ଋଣଗ୍ରହୀତା ପ୍ରାୟତଃ ଏହି ‘ରାଇଟ ଅଫ୍’ ଦ୍ୱାରା ଲାଭାନ୍ୱିତ ହୋଇ ନ ଥାଆନ୍ତି। ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଡେପୁଟି ଗଭର୍ଣ୍ଣର କେ ସି ଚକ୍ରବର୍ତ୍ତୀଙ୍କ ଅନୁଯାୟୀ, “ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା କରାଯାଉଥିବା ‘ଟେକନିକାଲ ରାଇଟ୍‌ ଅଫ୍’ ପକ୍ଷପାତପୂର୍ଣ୍ଣ ଓ ଏହା ବନ୍ଦ ହେବା ଦରକାର। ଏହା ଏକ ବଡ଼ ଧରଣର କେଳେଙ୍କାରି। ଛୋଟ ଛୋଟ ଋଣକୁ କ୍ୱଚିତ ‘ରାଇଟ୍‌ ଅଫ୍’ କରାଯାଇଥାଏ।’’ ପାଠ ଦୃଷ୍ଟିରୁ ‘ରାଇଟ୍‌ ଅଫ୍’ ଋଣ ଛାଡ଼ ହୋଇ ନଥିଲେ ବି ବାସ୍ତବତାରେ ସ୍ୱଚ୍ଛତା ଅଭାବରୁ ଏହା କୋଟିପତିଙ୍କ ଲାଗି ଋଣ ଛାଡ଼ର ଗଳାବାଟ ପାଲଟିଛି। କାରଣ ‘ରାଇଟ୍‌ ଅଫ୍’ ହୋଇଥିବା ବକେୟା ଋଣ ରାଶିରୁ ମାତ୍ର ୧୫-୨୦ ପ୍ରତିଶତ ଆଦାୟ ହୋଇ ପାରୁଥିବାରୁ ଅବଶିଷ୍ଟ ରାଶି ଏକ ପ୍ରକାର ଛାଡ଼ ହୋଇଯାଉଛି। ତେଣୁ ଦୀର୍ଘ କାଳ ଧରି ଚାଲି ଆସିଥିବା ଏହି ପକ୍ଷପାତପୂର୍ଣ୍ଣ ‘ରାଇଟ ଅଫ୍’ ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବା ଉଚିତ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର