ଗତ ସାତ ହଜାର ବର୍ଷର ଇତିହାସ ଜଣାଥିବା ବିଶ୍ୱ ଆଜି ଏକ ଅଭୂତପୂର୍ବ, ଅଶ୍ରୁତପୂର୍ବ ଓ ଅପରିକଳ୍ପନୀୟ ସଂକଟ ମଧ୍ୟ ଦେଇ ଗତି କରୁଛି। ଏକ ପ୍ରକାର ତୃତୀୟ ବିଶ୍ୱଯୁଦ୍ଧ ଚାଲିଛି। ଗୋଟିଏ ପଟରେ ଅଦୃଶ୍ୟ ମହାମାରୀ, ଆଉ ଅନ୍ୟ ପକ୍ଷରେ ସମଗ୍ର ମାନବ ଜାତି। ପୃଥିବୀରେ ଅନେକ ଦାରୁଣ ବିପର୍ଯ୍ୟୟମାନ ଘଟିଛି। ଭୂମିକମ୍ପ, ମହାବାତ୍ୟା, ପ୍ରଳୟଙ୍କରୀ ବନ୍ୟା, ଆଗ୍ନେୟଗିରିର ଅଗ୍ନ୍ୟୁତ୍ପାତ, ସୁନାମି, ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଇତ୍ୟାଦି ଯେଉଁଥିରେ କୋଟି କୋଟି ଲୋକ ମରିଛନ୍ତି। ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସ ସେନାବାହିନୀରେ ଯୁଦ୍ଧ କରୁଥିବା ଭାରତୀୟ ସୈନ୍ୟମାନେ ଦେଶକୁ ଫେରିଲା ବେଳେ ସ୍ପାନିସ୍‌ ଫ୍ଲୁ ଜୀବାଣୁ ନେଇ ଫେରିଲେ। ସେମାନଙ୍କ ଦ୍ୱାରା ସଂକ୍ରମିତ ହୋଇ ଭାରତରେ ମରିଥିଲେ ଏକ କୋଟି ଲୋକ। ଏ ସବୁ ବିପର୍ଯ୍ୟୟମାନ ଘଟିଥିଲା ପୃଥିବୀର ନିର୍ଦ୍ଦିଷ୍ଟ ସ୍ଥାନ ବା ଦେଶମାନଙ୍କରେ। ସାରା ପୃଥିବୀକୁ ଏକାଥରକେ କୌଣସି ବିପର୍ଯ୍ୟୟ ଗ୍ରାସି ନଥିଲା। ଏବେ କିନ୍ତୁ ବିଶ୍ୱର ୨୧୨ଟି ଦେଶକୁ କରୋନା ବ୍ୟାପି ଯାଇଛି।

Advertisment

ଆନ୍ତର୍ଜାତିକ ଉଦ୍ଧାର କମିଟି ପକ୍ଷରୁ ‘ଇମ୍ପେରିଆଲ କଲେଜ ଅଫ ଲଣ୍ଡନ’ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁ.ଏଚ୍‌.ଓ) ଆକଳନ କରିଛନ୍ତି ଯେ, ପୃଥିବୀର ୧୦୦ କୋଟି ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେବେ। ବତିଶ ଲକ୍ଷ ଲୋକ ମରିବେ। ଜାତିସଂଘ କହିଛି ୨୫/୩୦ ଦେଶରେ ଦୁର୍ଭିକ୍ଷ ପଡ଼ିଯିବ। ଖାଇବାକୁ ନପାଇ ଦିନକୁ ତିନି ଲକ୍ଷ ଲୋକ ମରିବେ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ( ଆଇ. ଏମ. ଏଫ.) ଆକଳନ କରିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବର ‘ଦି ଗ୍ରେଟ୍ ଡିପ୍ରେସନ’ (ଶୋଚନୀୟ ଆର୍ଥିକ ମାନ୍ଦାବସ୍ଥା) ସୃଷ୍ଟି ହେବ, ଯେଉଁଥିରେ ଉତ୍ପାଦନ କମିଯିବାରୁ ଜିନିଷ ପତ୍ରର ଦରଦାମ ବହୁତ ବଢ଼ିଯାଇଥିଲା ଓ ବାସ୍ତବରେ ଟଙ୍କାର କିଛି ମୂଲ୍ୟ ରହି ନ ଥିଲା।

ଏହି ବିପର୍ଯ୍ୟୟ ବେଳେ ବିଶ୍ୱ ଆବଶ୍ୟକ କରେ ନେତୃତ୍ୱର। କେମିତି ଏହି ମହାମାରୀ ବିରୋଧରେ ବିଜୟ ଲାଭ କରାଯାଇପାରିବ; କେମିତି ଏହି ରୋଗ ଲାଗି ଔଷଧ ଆଉ ଟିକା ତିଆରି ହୋଇପାରିବ, ଯେଉଁଥିପାଇଁ ଆବଶ୍ୟକ ବିଶ୍ୱରେ ସହଯୋଗ। ପ୍ରତିଷେଧକ ବାହାର କରିବା ପାଇଁ ୟୁରୋପୀୟ ଦେଶମାନେ ଅନୁଦାନ ଦେଇ ଆବଶ୍ୟକ ପାଣ୍ଠି ସଂଗ୍ରହ କରିସାରିଲେଣି। କରୋନାକୁ ରୋକିବା ଓ ମୂଳପୋଛ କରିବାର ଏହା ହିଁ ଏକମାତ୍ର ରାସ୍ତା।

ଏତିକିବେଳେ କରୋନା ବିରୋଧରେ ଯୁଦ୍ଧରେ ନେତୃତ୍ୱ ନେବା କଥା ଆମେରିକା। ଇଂଜେକ୍‌ସନ ପ୍ରସ୍ତୁତି ଠାରୁ ଆରମ୍ଭ କରି କେଉଁ ମାର୍ଗରେ କରୋନାକୁ ରୋକି ହେବ, ସେ ସମ୍ପର୍କରେ ଦୃଷ୍ଟାନ୍ତ ଥୋଇବାରେ ଏହାର ନେତୃତ୍ୱ ଲୋଡ଼ା। ଆମେରିକାର ନିଜସ୍ୱ ଆକଳନ ଅନୁସାରେ ଆଗାମୀ ଅଗଷ୍ଟ ମାସ ସୁଦ୍ଧା ୧ ଲକ୍ଷ ୩୫ ହଜାର ଲୋକ କରୋନା ଯୋଗୁଁ ମରିବେ। ଏବେ ଦିନକୁ ହାରାହାରି ୨୦୦୦ ଲୋକ ସେଠାରେ ମରୁଥିବା ବେଳେ ଏହି ମାସ ଶେଷ ଆଡ଼କୁ ଦିନକୁ ୩୦୦୦ ଲୋକ ମରିବେ। ଧନ ଓ ପ୍ରତିପତ୍ତିରେ ଶୀର୍ଷ ସ୍ଥାନରେ ଥିବା ନ୍ୟୁୟର୍କରେ ଏ ଯାଏ ପ୍ରାୟ ପଚିଶ ହଜାର ଲୋକ ମଲେଣି। ପ୍ରାୟ ଚାରି ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଠାକାର ଡାକ୍ତରଖାନାମାନଙ୍କରେ ଶଯ୍ୟାର ଅଭାବ ପଡ଼ିବାରୁ ସହରର ସେଣ୍ଟ୍ରାଲ ପାର୍କରେ ତମ୍ବୁ ପକାଇ ରୋଗୀଙ୍କ ଚିକିତ୍ସା କରାଗଲା। ତମ୍ବୁର ମଧ୍ୟ ଅଭାବ ପଡ଼ିଗଲା। କାରଣ ଏକା ସଂଗରେ ଏତେ ଅଧିକ ରୋଗୀ ଆସିଯିବେ ବୋଲି ସେମାନେ କେବେ ଭାବିନଥିଲେ। ପ୍ରଥମେ ସେଠାରେ ମୁଖା (ମାସ୍କ୍‌)ର ଅଭାବ ମଧ୍ୟ ପଡ଼ିଲା। ପ୍ରଥମେ ମାସ୍କ୍ ୨ ଡଲାର (ପ୍ରାୟ ଟ.୧୫୦)ରେ ବିକ୍ରି ହେଉଥିଲା। ଅଭାବ ପଡ଼ିବାରୁ କଳା ବଜାରରେ ୨୦ ଡଲାର (ପ୍ରାୟ ଟ.୧,୫୦୦)ରେ ବିକ୍ରି ହେଲା। ଭେଣ୍ଟିଲେଟରର ମଧ୍ୟ ଅଭାବ ପଡ଼ିଗଲା। ନ୍ୟୁୟର୍କର ଶବ ଗୋଟାଇବାକୁ ଲୋକ ମିଳୁନଥିଲେ। କରୋନା ଦ୍ୱାରା ଆକ୍ରାନ୍ତ ହେବା ଭୟରେ ଡାକ୍ତରଖାନାରେ ମରୁଥିବା ଲୋକମାନଙ୍କ ଶବକୁ ନେବା ପାଇଁ ପରିବାର ବର୍ଗ ଆସୁନାହାନ୍ତି। ରାସ୍ତାରେ ପ୍ରଥମେ ଦୁଇ ତିନି ଦିନ ଧରି ଶବ ପଡ଼ିରହୁଥିଲା। ସେଠାକାର ଶ୍ମଶାନରେ ଶବ ପୋତିବାକୁ ଜାଗା ମିଳିଲା ନାହିଁ। କଫିନ୍ ତିଆରି କରୁଥିବା ଦୋକାନୀମାନେ ଏତେ ସଂଖ୍ୟାରେ କଫିନ ତିଆରି କରିପାରିଲେ ନାହିଁ। ଶେଷକୁ କୂଳରୁ କିଛି ଦୂରରେ ସମୁଦ୍ର ମଧ୍ୟରେ ଥିବା ଗୋଟିଏ ଦ୍ୱୀପକୁ ଶ୍ମଶାନ ହିସାବରେ ବ୍ୟବହାର କରାଗଲା ।

ଆମେରିକା ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କଲା ନାହିଁ। ଗତ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହି ରୋଗକୁ ଗୁରୁତ୍ୱ ଦେଲେ ନାହିଁ। ଶେଷକୁ ୟୁରୋପ ଛାଡ଼ି କରୋନା ଆମେରିକାରେ ବ୍ୟାପିବାରୁ ଅବଶ୍ୟ ଲକ୍‌ଡାଉନ୍‌ ଘୋଷଣା କଲେ। କିନ୍ତୁ ଲୋକ ମାନିଲେ ନାହିଁ। ଅନେକ କହିଲେ ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଅଛି। ସେମାନଙ୍କୁ ସମ୍ବିଧାନ ସେ ଅଧିକାର ଦେଇଛି। ସେମାନେ ବୁଲିବେ। ବେଳାଭୂମିରେ ଗଡ଼ିବେ। ଏବେ ଅବଶ୍ୟ ବ୍ୟାପକ ମୃତ୍ୟୁ ସଂଖ୍ୟା ଦେଖି ସେମାନେ ଘର ଭିତରେ ରହୁଛନ୍ତି। ରାସ୍ତାଘାଟ ଶୂନଶାନ ଅଛି। ଆମେରିକାର କେତୋଟି ରାଜ୍ୟ ଆଦୌ ଲକ୍‌ଡାଉନ୍‌ ଘୋଷଣା ମଧ୍ୟ କଲେ ନାହିଁ। ଏବେ ଆମେରିକା ମୃତ୍ୟୁର ଝଡ଼ ମଧ୍ୟରେ ଦାବି ଉଠିଛି ଲକ୍‌ଡାଉନ୍‌ ଉଠାଇବାକୁ। ଅନେକ ରାଜ୍ୟର ଗଭର୍ନର ଓ ସ୍ୱୟଂ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହା ଚାହାନ୍ତି। ଡୋନାଲ୍‌ଡ ଟ୍ରମ୍ପ ସ୍ପଷ୍ଟ କହୁଛନ୍ତି ଯେ, ଆମେରିକା ତା’ର ନିତିଦିନିଆ ଅଭ୍ୟାସକୁ ଫେରିବା ଦରକାର, ଅଧିକରୁ ଅଧିକ ଲୋକ ରୋଗଗ୍ରସ୍ତ ହେଲେ ମଧ୍ୟ। ସେ କହୁଛନ୍ତି ଯେ ଅଧିକରୁ ଅଧିକ ଲୋକ ମରିଗଲେ ମଧ୍ୟ ଯେହେତୁ ସେ ଆମେରିକାର ଅର୍ଥନୀତିକୁ ମହାନ କରି ଗଢ଼ିଥିଲେ, ଆମେରିକାର ଅର୍ଥନୀତିକୁ ବିଶ୍ୱରେ ସର୍ବାଧିକ କରି ଗଢ଼ିଥିଲେ, ଏବେ ସେଇଆ ହେବା ଦରକାର। କେବଳ ସେ ନୁହନ୍ତି, ଅନେକ ଲୋକ ରାସ୍ତାରେ ପ୍ଲାକାର୍ଡ ଧରି ଦାବି କରୁଛନ୍ତି ଯେ ଲକ୍‌ଡାଉନ୍‌ ଉଠିଯାଉ। ଆମେରିକା ସରକାରଙ୍କର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ଆନ୍ଥନି ଫଉଚି ମନ୍ତବ୍ୟ ଦେଇଛନ୍ତି, ‘କେତେ ଦିନ ଆଉ କଷ୍ଟ କରିବ’? ଟି.ଭି. ଚାନେଲ ବିତର୍କରେ କେତେକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପୂର୍ବତନ ପ୍ରମୁଖ ମଧ୍ୟ କହୁଛନ୍ତି ଯେ, ଲକ୍‌ଡାଉନ୍‌ ଥିଲେ ବି ଲୋକ ମରିବେ, ଉଠାଇ ଦେଲେ ବି ମରିବେ। ତେଣୁ ଉଠାଇବାନି କାହିଁକି? କେତେକ ଟି.ଭି. ଚାନେଲରେ ଯୁକ୍ତି କରୁଛନ୍ତି, ଲୋକ ବେକାର ହୋଇଗଲେ। ସେମାନେ ସରକାରଙ୍କର ହାତଟେକା ସାହାଯ୍ୟରେ କେତେଦିନ ବଂଚିବେ! ସେମାନେ ଏମିତି ବଂଚିବା ଉଚିତ ନୁହେଁ। ସେମାନେ କହୁଛନ୍ତି, ଘରେ ରହିବା ହେଉଛି ଯାତନା। ବାହାରେ ବୁଲିବା ହେଉଛି ମୁକ୍ତି। ଗତ ଦେଢ଼ ମାସ ତଳେ ଯେତେବେଳେ ଆମେରିକାରେ ନୂଆ କରି ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା ସେତେବେଳେ ସେଠାକାର ଫ୍ଲୋରିଡା ରାଜ୍ୟର ବିଶ୍ୱ ପ୍ରସିଦ୍ଧ ମିଆମି ବେଳାଭୂମିରେ ହଜାର ହଜାର ଆମେରିକୀୟ ତାଙ୍କ ଅଭ୍ୟାସଗତ ଅର୍ଧ ନଗ୍ନ ଅବସ୍ଥାରେ ବାଲିରେ ଗଡୁଥିଲେ। ଟି.ଭି. ସାମ୍ବାଦିକମାନେ ପଚାରିବାରୁ ସେମାନେ କହିଥିଲେ ଯେ ସେମାନେ ତାହା କରିବେ। ଏହା ସେମାନଙ୍କର ସାମ୍ବିଧାନିକ ଅଧିକାର।

ଆମେରିକା ସରକାର କରୋନାକୁ ରୋକିବା ପାଇଁ ଉପରାଷ୍ଟ୍ରପତି ମାଇକ୍ ପେନସ୍‌ଙ୍କ ଅଧ୍ୟକ୍ଷତାରେ ଗୋଟିଏ ‘କରୋନା ଟାସ୍କ ଫୋର୍ସ’ ଗଢ଼ିଥିଲେ। ଗତ ଅଳ୍ପ କେଇ ଦିନ ତଳେ ଏହି ଟାସ୍କ ଫୋର୍ସକୁ ଭାଙ୍ଗିଦେଲେ ଏହା କହି ଯେ ବର୍ତ୍ତମାନ ଧ୍ୟାନର କେନ୍ଦ୍ର ହେଉଛି ‘ଅର୍ଥନୀତିକୁ ଖୋଲିବା’। ଅଥଚ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ସତର୍କବାଣୀ ଶୁଣାଉଛନ୍ତି ଯେ, ଯଦି ଖୁବ ଶୀଘ୍ର କଟକଣାମାନଙ୍କୁ ହଟାଇ ଦିଆଯାଏ, ପୁଣି କରୋନା ସଂକ୍ରମଣର ଦ୍ୱିତୀୟ ଢେଉ ମାଡ଼ି ଆସିବ। ତେଣୁ ପୁଣି ଥରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପରି ପଦକ୍ଷେପ ନେବାକୁ ପଡ଼ିବ। ପୁଣି ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଠାରେ ଉଲ୍ଲେଖେଯାଗ୍ୟ ଯେ, ନିଜେ ରାଷ୍ଟ୍ରପତି ଟ୍ରମ୍ପ କାଳେ ତାଙ୍କୁ କରୋନା ସଂକ୍ରମଣ ହେଲାଣି କି କ’ଣ ତାହା ଜାଣିବା ପାଇଁ ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତାଙ୍କର ଜଣେ ବ୍ୟକ୍ତିଗତ ଭାଲେଟ (ସହାୟକ)କୁ କରୋନା ସଂକ୍ରମଣ କରିଛି। କିନ୍ତୁ ସେ ମୁଖା ପିନ୍ଧିବାକୁ ନାରାଜ।

ଆମେରିକା ଅର୍ଥନୀତି ନାମରେ ଖୋଲିବାକୁ ଯାଉଛି କ’ଣ? ରେଷ୍ଟୁରାଣ୍ଟ, ସ୍ପା, ବିଉଟି ପାର୍‌ଲର୍‌, ସିନେମା ହଲ୍‌, କନ୍‌ସର୍ଟ, ସି ବିଚ୍ (ସମୁଦ୍ର ବେଳା), ପବ୍ (ମଦ ପିଇବା ସ୍ଥାନ) ଇତ୍ୟାଦି ଇତ୍ୟାଦି। ଶିଳ୍ପ କାରଖାନାମାନ ଆମେରିକା ଖୋଲିବାକୁ ଚାହେଁ। ଆମେରିକା ଉତ୍ପାଦନ କରୁଛି କ’ଣ? ମୁଖ୍ୟତଃ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ, ପ୍ରତିରକ୍ଷା ସାମଗ୍ରୀ, ଯାତ୍ରୀ ବିମାନ; ଜେନେରାଲ ମୋଟର୍ସ, ଫୋର୍ଡ କମ୍ପାନିର ବଡ଼ ବଡ଼ ଗାଡ଼ି ଉତ୍ପାଦନ କରୁଛନ୍ତି। ଆମେରିକାର କମ୍ପାନିମାନେ ହେଲେ ବ୍ୟାଙ୍କିଙ୍ଗ୍, ଅର୍ଥଲଗାଣକାରୀ ସଂସ୍ଥା। ସେମାନଙ୍କ ମଧ୍ୟରୁ ପ୍ରଯୁକ୍ତି ବିଦ୍ୟା (ଆଇ.ଟି.)ରେ କାମ କରୁଥିବା କମ୍ପାନିମାନେ ମୁଖ୍ୟତଃ ସୁବିଧା ହିଁ ଯୋଗାଇ ଦେଇଥାନ୍ତି। ବିଦେଶରୁ କର୍ମଚାରୀ ଓ ଶ୍ରମିକ ସେମାନେ ନିଅନ୍ତି। କାରଣ ସେମାନେ କମ ବେତନରେ କାମ କରନ୍ତି। ଆମେରିକାବାସୀ ଆଉ କମ ବେତନରେ କାମ କରିବାରେ ଅଭ୍ୟସ୍ତ ନୁହନ୍ତି। ଭୋଗ ସାମଗ୍ରୀ ତିଆରିରେ ଆମେରିକା ପ୍ରସିଦ୍ଧ। ଛୋଟ ଛୋଟ ଜିନିଷ ଆମେରିକା ତିଆରି କରେନା। ପରାମର୍ଶଦାତା କମ୍ପାନି ଖୋଲି ସେମାନେ ବିପୁଳ ଆୟ କରନ୍ତି। ସବୁ ସୁଖ ସମ୍ଭୋଗର ସାମଗ୍ରୀ ସେମାନେ ଉତ୍ପାଦନ କରନ୍ତି। ସେମାନେ କେବଳ ବଂଚିଛନ୍ତି ନିଜ ପାଇଁ। କେହି ମରିଗଲେ ତାଙ୍କର ଯାଏ ଆସେ ନାହିଁ। ଅଥଚ, ବାହାରକୁ ଜଣାଯାଏ ସେମାନେ ଉତ୍କର୍ଷକୁ ସ୍ୱାଗତ କରନ୍ତି। ସମସ୍ତଙ୍କୁ ସମାନ ସୁଯୋଗ ଦିଅନ୍ତି। ମାନବିକ ଅଧିକାର ପ୍ରତି ସେମାନେ ବହୁ ଅଧିକ ଗୁରୁତ୍ୱ ଦିଅନ୍ତି।

ଆମେରିକା ପାଇଁ ଜୀବନ ବଡ଼ ନୁହେଁ, ଭୋଗ ସର୍ବସ୍ୱ ଜୀବନ ହେଉଛି ବଡ଼। ସେଥିପାଇଁ ମୃତ୍ୟୁକୁ ମଧ୍ୟ ଖାତିର କରିବାକୁ ସେମାନେ ନାରାଜ। ଯେଉଁ ଅପେକ୍ଷାକୃତ ଗରିବ ବ୍ୟକ୍ତିମାନେ ସରକାରୀ ସାହାଯ୍ୟରେ ଜୀବନ ବିତାଉଛନ୍ତି ସେମାନେ କ’ଣ ଆଉ ମାସେ ଦୁଇମାସ ବେପାର ବଣିଜ ବନ୍ଦ କରି ଘରେ ଚଳିପାରିବେନି? ଭାରତ ଅପେକ୍ଷା କ’ଣ ସେମାନେ ଅଧିକ ଗରିବ? ଭାରତର କୋଟି କୋଟି ଦିନ ମଜୁରିଆ, ମାସ ମାସ ଧରି ଜୀବନ ବଞ୍ଚାଇବାକୁ ଘରେ ରହିପାରନ୍ତି ଓ ସରକାରୀ ସାହାଯ୍ୟରେ ଚଳିପାରନ୍ତି, ତେବେ ଆମେରିକାର ଶ୍ରମିକ ଅଳ୍ପ କେଇ ମାସ ତାହା କରପାରିବେନି କାହିଁକି?

ଆଉ ଏକ ପାଶ୍ଚାତ୍ୟ ଧନୀ ଦେଶ ଜର୍ମାନୀର ଉଦାହରଣ ନିଆଯାଉ। ପଡ଼ୋଶୀ ଇଟାଲି, ଫ୍ରାନସ୍‌, ବ୍ରିଟେନ, ସ୍ପେନ୍‌ର ମୃତ୍ୟୁ ହାର ଅପେକ୍ଷା ଏମାନଙ୍କ ମୃତ୍ୟୁ ହାର ଚାରି ଭାଗରୁ ଭାଗେ। ଜର୍ମାନୀର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସବୁୁଠୁଁ କମ। କାରଣ ହେଲା ସେମାନେ ମୂଳରୁ ସତର୍କ ହେଲେ, ଲକ୍‌ଡାଉନ୍‌ ମଧ୍ୟ ମାନିଲେ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଏମାନଙ୍କୁ ସରକାର ପରୀକ୍ଷା (ଟେଷ୍ଟିଂ) କଲେ। ଏ ଯାଏ ଲକ୍‌ଡାଉନ୍‌ ଖୋଲିନି। ଅତି ସତର୍କତାର ସହ ଖୋଲାଯିବ ବୋଲି ଏମାନଙ୍କ ରାଷ୍ଟ୍ରପତି ମାର୍କେଲ ଘୋଷଣା କରିଛନ୍ତି। କରୋନା ଔଷଧ ଓ ଟିକା ବାହାର କରିବା ପାଇଁ ସର୍ବାଧିକ ଅର୍ଥ ସେମାନେ ଦେଉଛନ୍ତି। ତାଙ୍କ ପରି ଅତି ସତର୍କତାର ସହ ଅର୍ଥନୀତି ଖୋଲିବାକୁ କହୁଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ। ୟୁରୋପରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବ୍ରିଟେନର। ବ୍ରିଟେନର ଧାରଣା ତରବର ହୋଇ ଲକ୍‌ଡାଉନ୍‌କୁ ଖୋଲିଲେ ପୁଣି କରୋନାର ଦ୍ୱିତୀୟ ଝଡ଼ ଆସିବ। ସବା ଆଗେ କରୋନା ଆକ୍ରମଣରେ ଓ ମୃତ୍ୟୁର ମହାବାତ୍ୟାରେ ଏକ ପ୍ରକାର ଉଡ଼ିଯାଇଥିବା ଏକ ଦେଶ ଇଟାଲି, ସ୍ପେନ୍‌, ଫ୍ରାନ୍‌ସ ଲକ୍‌ଡାଉନ୍‌ ଲାଗୁ କରି ଅବସ୍ଥାକୁ ଅନେକ ସମ୍ଭାଳି ନେଇଛନ୍ତି। ଏବେ ଧୀରେ ଧୀରେ ଅର୍ଥନୀତିକୁ ଖୋଲିବା ଆରମ୍ଭ କରିଛନ୍ତି। ଦ୍ୱିତୀୟ କରୋନା ଝଡ଼କୁ ମଧ୍ୟ ସେମାନଙ୍କର ପ୍ରବଳ ଭୟ।

ଆମେରିକା ଭାବୁଛି ମୃତ୍ୟୁ ସତ୍ତ୍ୱେ ବେପାର, ବଣିଜ, ଶିଳ୍ପ ପ୍ରତିଷ୍ଠାନର କାମ ଆରମ୍ଭ କରିଦେଲେ, ସେ ପୁଣି ବିଶ୍ୱର ଅର୍ଥ ଶକ୍ତି ହୋଇ ଠିଆ ହୋଇଯିବ। କରୋନା ମହାମାରୀ ପୂର୍ବରୁ ଯେମିତି ବିଶ୍ୱଶକ୍ତି ହୋଇ ରହିଥିଲା, ସେଇମିତି ହୋଇଯିବ। କିନ୍ତୁ, ଏହି ଝଡ଼ ପରେ ଆମେରିକା ବିଶ୍ୱର ବିଶ୍ୱାସର ଆକର୍ଷଣ ହୋଇ ରହିଲେ ଯାଇ ପୁଣି ବିଶ୍ୱଶକ୍ତି ହେବ। ପୂର୍ବରୁ ଆମେରିକାର ଆକର୍ଷଣ ଥିଲା। ତେଣୁ ସବୁ ଗୁଣୀ ଲୋକ ସେଠାକୁ ଯାଉଥିଲେ। ଯେଉଁ ଦେଶରେ ସରକାର ଦିନକୁ ୨/୩ ହଜାର ଲୋକ ମରୁଥିବାକୁ ରୋକିପାରନ୍ତି ନାହିଁ, ସେ ଦେଶ ବିଶ୍ୱ ନଜରରେ ମହାଶକ୍ତି ହୋଇ ରହିବ କେମିତି? ଆମେରିକାର ଧାରଣା, କେବଳ ସରକାରୀ ସାହାଯ୍ୟରେ ପେଟ ପୂରିବ, ମଉଜ ମଜଲିସ ହୋଇପାରିବନି। ଏଣୁ ବେପାର ହିଁ ସବୁଠୁଁ ବଡ଼ କଥା। ପ୍ରାଚୁର୍ଯ୍ୟ ଓ ସଫଳତା ସେମାନଙ୍କୁ କେମିତି ବଦଳାଇଦେଇଛି, ଏହି କରୋନାର ବିପର୍ଯ୍ୟୟ ତାହା ପଦାକୁ ପରିପ୍ରକାଶ କରିଛି।

ମଣିଷ ହେଉଛି ଏକ ଘାସ ଗଛ। ଗାଈ ତାକୁ ଖାଇଦେବ। ଲୋକେ ତା’ଉପରେ ଚାଲି ତାକୁ ଦଳିଦେବେ। ତା’ ଉପରେ ଅନେକ ଦିନ ପାଣି ଜମି ତାକୁ ପଚେଇଦେବ। ସମସ୍ତେ କହିବେ ଘାସ ଗଛ ମରିଗଲା। କିନ୍ତୁ ଟୋପେ ପାଣି ପଡ଼ିଲେ, ସେ ପୁଣି ସବୁଜ କୁଆଁ ମେଲି ମୁଣ୍ଡ ଟେକିବ। ବଞ୍ଚିକରି ଥିଲେ, ଅର୍ଥନୀତିରେ ସୁଧାର ଆପେ ଆପେ ଆସିବ। କେବଳ କିଛିଟା ସମୟ ଦରକାର ଅଛି। ଆମେରିକା ଏହି ମହାସତ୍ୟକୁ ବୁଝି ପାରୁ ନ ଥିବାରୁ, ସେ ଆଉ ମହାଶକ୍ତି ହୋଇ ରହିବା ସନ୍ଦେହଜନକ।

ମୋ-୯୪୩୭୦୨୦୨୯୦
[email protected]