ଭାରତରେ ଗଣତନ୍ତ୍ର ସଫଳ ହୋଇଛି

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏଠାରେ ପ୍ରଚଳିତ ଗଣତାନ୍ତ୍ରିକ ଅବସ୍ଥା କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଚାଲିଛି। ଓଡ଼ିଆରେ ଜଣେ ପ୍ରସିଦ୍ଧ ବାମପନ୍ଥୀ କବି ଲେଖିଥିଲେ, “ଯାଦୁଆ ବିକୁଛି ଯାଦୁର ମଲମ ଦେଖ, ମଦୁଆ ଧରିଛି ନିଶା ନିବାରଣ ବାନା, ଗଣିକା ବେଶ୍ୟାବୃତ୍ତି ନିରୋଧ କରେ, ଲମ୍ପଟ ଗଣତନ୍ତ୍ର ଅନାରେ ଅନା”। ଯେତେବେଳେ ଭାରତକୁ ବ୍ରିଟିସ୍‌ ଶାସନରୁ ମୁକ୍ତି ଦେବାର କଥା ଉଠିଲା ସେତେବେଳେ ସ୍ୱାଧୀନତାର କେତେ ଦିନ ପୂର୍ବରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିବା ଉଇନଷ୍ଟନ ଚର୍ଚ୍ଚିଲ ତାଚ୍ଛଲ୍ୟ କରି କହିଥିଲେ ଯେ, ଏ ଧରଣର ମୂର୍ଖ ଦେଶ ନିଜକୁ କେମିତି ଶାସନ କରିବ! କେମିତି ଗଣତନ୍ତ୍ର ଏ ଦେଶରେ ପ୍ରତିଷ୍ଠିତ ହେବ? କାରଣ ଗଣତନ୍ତ୍ର ପ୍ରତିଷ୍ଠା ହେବା ପାଇଁ ଶହ ଶହ ବର୍ଷ ଲାଗିଯାଉଥିଲା। ଗୋଟିଏ ସମୟ ଥିଲା ଯେତେବେଳେ ବ୍ରିଟେନରେ ସମସ୍ତଙ୍କର ସମାନ ଭୋଟ ଦେବାର ଅଧିକାର ନଥିଲା। ଯିଏ ଯେତେ ଟିକସ ଦେଉଥିଲା, ତା’ର ସେତେ ଖଣ୍ଡ ଭୋଟ ଦେବାର ଅଧିକାର ଥିଲା। ସେତେବେଳେ ବ୍ରିଟେନ୍‌ର ହାଟମାନଙ୍କରେ ଭୋଟରମାନଙ୍କର ଭୋଟ ନିଲାମ ହେଉଥିଲା। ଭୋଟରମାନେ ସେହି ହାଟରେ ଗୋଟିଏ ମଞ୍ଚରେ ଠିଆ ହେଉଥିଲେ। ପ୍ରାର୍ଥୀମାନେ ଯିଏ ଯେତେ ଅଧିକ ନିଲାମ ଡାକୁଥିଲା ତାକୁ ସେତେ ଭୋଟ ମିଳୁଥିଲା। ଅର୍ଥାତ, ସେତେବେଳେ ପ୍ରାର୍ଥୀମାନେ ଭୋଟ କିଣୁଥିଲେ। ବ୍ରିଟେନ୍‌ରେ ୧୯୪୪ରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ବେଳେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ଚର୍ଚ୍ଚିଲ କହିଥିଲେ, ଭାରତ ହେଉଛି କେବଳ ଏକ ଭୌଗୋଳିକ ଅବସ୍ଥିତି। ବିଷୁବ ରେଖାକୁ ଯେମିତି ଏକ ଆନୁମାନିକ ଗାର ବୋଲି କୁହାଯାଇଥାଏ। ଭାରତ ହେଉଛି ସେମିତି ଏକ ଆନୁମାନିକ ଦେଶ।

ସ୍ୱାଧୀନତାର ୭୫ ବର୍ଷ ପରେ ଏବେ ଏ ଦେଶର ବାସ୍ତବ ସ୍ଥିତିକୁ ଆକଳନ କରିବାର ବେଳ ଆସିଛି। ଏ ଦେଶରେ ୨୨ଟି ଆଞ୍ଚଳିକ ସମ୍ବିଧାନ ସ୍ୱୀକୃତ ଭାଷା ରହିଛି। କିନ୍ତୁ ଏ ଦେଶ ସୋଭିଏତ ୟୁନିଅନ (ୟୁ.ଏସ୍‌.ଏସ୍‌.ଆର୍‌.), ପାକିସ୍ତାନ, ଇଥିଓପିଆ, ୟୁଗୋସ୍ଲୋଭିଆ ପରି ବିଭକ୍ତ ଦେଶ ନୁହେଁ। ଅଥଚ ଆଜି ବ୍ରିଟେନରୁ ସ୍କଟଲାଣ୍ଡ ବାହାରିଯିବା ପାଇଁ ବାରମ୍ବାର ପ୍ରଚେଷ୍ଟା କରୁଛି। ଏକ ବିଚିତ୍ର କଥା ହେଲା, ଭାରତରେ ଜଣେ ଖ୍ରୀଷ୍ଟିଆନ ନେତ୍ରୀ ସୋନିଆ ଗାନ୍ଧୀ ଜଣେ ମୁସଲମାନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କୁ ଜଣେ ଶିଖ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେବା ପାଇଁ କହିଥିଲେ। ଅଥଚ ଏ ଦେଶର ୮୦%ରୁ ଅଧିକ ଲୋକ ହେଉଛନ୍ତି ହିନ୍ଦୁ।

ଭାରତ ସ୍ୱାଧୀନ ହେଲାବେଳେ ଏହା ବିଶ୍ୱର ଏକ ବଡ଼ ଭିଖମଗା ଦେଶ ହିସାବରେ କୁଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ଏବେ ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲାଣି। ଏବେ ଏହା ବିଶ୍ୱର ବଡ଼ ବଡ଼ ଅର୍ଥନୀତିମାନଙ୍କ ମଧ୍ୟରେ ସବୁଠୁଁ ଅଧିକ ବେଗରେ ବଢୁଥିବା ଦେଶ। ଭାରତ ବିଶ୍ୱରେ କମ୍ପ୍ୟୁଟର ସଫ୍‌ଟୱେର, ଛୋଟ କାର୍ ଓ ଜେନେରିକ ଔଷଧ ଉତ୍ପାଦନର ଏକ ପ୍ରାଣକେନ୍ଦ୍ର ହୋଇ ଠିଆ ହୋଇଛି। ଏ ଦେଶରେ ଦାରିଦ୍ର୍ୟ କମି ଯାଇଛି ଓ ଏକ ପ୍ରକାର ନାହିଁ କହିଲେ ଚଳେ। ଏ ଦେଶରେ ଆଜି କେହି ଖାଦ୍ୟାଭାବରୁ ମରୁନାହାନ୍ତି। ଏ ଦେଶରେ ପ୍ରାୟ ୧୦୦ଟି ୟୁନିକର୍ଣ୍ଣ ସୃଷ୍ଟି ହୋଇସାରିଲେଣି ଯେଉଁମାନଙ୍କର କମ୍ପାନିର ମୂଲ୍ୟ ଜଣକା ୧୦୦ କୋଟି ଡଲାର (ପ୍ରାୟ ୮,୦୦୦ କୋଟି ଟଙ୍କା)ରୁ ଅଧିକ।

ଏହା ଏକ ଗଣତନ୍ତ୍ର। ସାଧାରଣତଃ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ଦେଶ ବହୁତ କମ୍‌ ଅଛନ୍ତି। ଅନ୍ୟ ନୂଆ ସ୍ୱାଧୀନ ରାଷ୍ଟ୍ରମାନଙ୍କରେ ସାମରିକ ବିଦ୍ରୋହ ହୋଇ କ୍ଷମତା ସେନାବାହିନୀ ହାତକୁ ଚାଲିଯାଇଥିଲା ବେଳେ ଭାରତରେ ସେମିତି କେବେ ହୋଇନାହିଁ। ପାକିସ୍ତାନ, ବାଂଲାଦେଶ, ମିଆଁମାର ଓ ଆଫ୍ରିକାର ଅଧିକାଂଶ ଦେଶମାନଙ୍କରେ ସାମରିକ ବିଦ୍ରୋହ ହୋଇଛି। ଏଠାରେ ଏଯାଏ ମଧ୍ୟ ଲୋକଙ୍କ ହାତରେ କ୍ଷମତା ଅଛି, ସେନାବାହିନୀର ଜେନେରାଲମାନଙ୍କ ହାତରେ ନୁହେଁ। ସରକାରଙ୍କ ନିରଙ୍କୁଶ କ୍ଷମତାକୁ ରୋକିବା ପାଇଁ ଭାରତ ସ୍ୱାଧୀନ ବିଚାର ବିଭାଗ, ନିର୍ବାଚନ କମିଶନ, ସି.ଏ.ଜି. ଇତ୍ୟାଦି ସ୍ୱାଧୀନ ସଂସ୍ଥାମାନ ତିଆରି କରିଛି ଯାହା ଅଧିକାଂଶ ଦେଶମାନେ କରିପାରିନାହାନ୍ତି।

ଭାରତରେ ମୁସଲମାନମାନଙ୍କ ସଂଖ୍ୟା ଅନେକ ଅଧିକ। କେବଳ ଇଣ୍ଡୋନେସିଆ ପରି ଦେଶକୁ ଛାଡ଼ିଦେଲେ ଏତେ ମୁସଲମାନ ଅନ୍ୟ ଦେଶରେ ନାହାନ୍ତି। ପାକିସ୍ତାନ, ବାଂଲାଦେଶର ମୁସଲମାନମାନଙ୍କ ସଂଖ୍ୟା ସହ ଭାରତର ମୁସଲମାନଙ୍କ ସଂଖ୍ୟା ପ୍ରାୟ ସମାନ। କିନ୍ତୁ ସେ ଦେଶମାନଙ୍କରେ ଯେତେ ମୌଳବାଦୀ ମୁସଲମାନ ଅଛନ୍ତି ଓ ଯେମିତି ଆତଙ୍କବାଦୀ ଗୋଷ୍ଠୀ ଗଢ଼ି ସାରା ବିଶ୍ୱରେ ଆତଙ୍କ ଖେଳାଉଛନ୍ତି, ଭାରତରେ ସେମିତି ହୋଇନାହିଁ। ନାଗରିକତା ସଂଶୋଧନ ଆଇନ (ସି.ଏ.ଏ.)କୁ ନେଇ ଦିଲ୍ଲୀର ସାହିନ ବାଗଠାରେ ଯେଉଁ ମୁସଲମାନ ଆନ୍ଦୋଳନ ମାସ ମାସ ଧରି ଚାଲିଥିଲା, ତାହାକୁ ଆମେରିକାର ‘ନ୍ୟୁୟର୍କ ଟାଇମ୍‌ସ’ କାଗଜ ବିଶ୍ୱର ମୁସଲମାନମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହେବା ଉଚିତ ବୋଲି କହିଥିଲା। କାରଣ ଏହି ଆନ୍ଦୋଳନ ଧର୍ମ ନିରପେକ୍ଷତା, ସମ୍ବିଧାନ ଆଦିଙ୍କୁ ନେଇ ହୋଇଥିଲା, ଇସଲାମୀ ମୌଳବାଦକୁ ନେଇ ନୁହେଁ।

ଭାରତ ହେଉଛି ପୃଥିବୀର ମାତ୍ର ୫ଟି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯିଏ ତା’ର କୋଭିଡ୍‌ ଟିକା ବାହାର କରିଛି। ଜାପାନ, ଫ୍ରାନ୍‌ସ ପରି ବିକଶିତ ଦେଶମାନେ ତାହା କରିପାରିନାହାନ୍ତି। ଭାରତ ପରମାଣୁ କ୍ଷେତ୍ରରେ କେବଳ ଅସ୍ତ୍ର ନୁହେଁ, ବିଦ୍ୟୁତ ଉତ୍ପାଦନ ମଧ୍ୟ କରିଛି। ଅଗ୍ନି-୫ କ୍ଷେପଣାସ୍ତ୍ର ସୃଷ୍ଟି କରିଛି ଯାହା ୮,୦୦୦ କି.ମି. ଦୂରକୁ ନିକ୍ଷେପ କରାଯାଇପାରିବ। ଭାରତ ଏକ ମହାକାଶ ଯାନ ପଠାଇଛି ଯାହା ଏବେ ମଙ୍ଗଳ ଗ୍ରହ ଚାରିପଟେ ବୁଲୁଛି। ଆମେରିକା ମଧ୍ୟ ସେଇମିତି ଏକ ଉପଗ୍ରହ ପଠାଇଛି ଯାହାର ଖର୍ଚ୍ଚ ଭାରତଠାରୁ ୭ ଗୁଣ ଅଧିକ। ଭାରତ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଛି। କେବଳ ଚୀନକୁ ଛାଡ଼ିଦେଲେ ବିଶ୍ୱର କୌଣସି ଦେଶ ବର୍ଷକୁ ୫ ଲକ୍ଷ ଇଞ୍ଜିନିୟର ସୃଷ୍ଟି କରି ପାରୁନାହାନ୍ତି। ଏଣୁ ୧୪୦୦ ବହୁରାଷ୍ଟ୍ରୀୟ କମ୍ପାନିମାନେ ଭାରତରେ ସେମାନଙ୍କ କାରଖାନା ପ୍ରତିଷ୍ଠା କରିଛନ୍ତି। ଏକସେନଚ୍ୟୁର ପରି ବିଶ୍ୱର ଏକ ବୃହତ କନ୍‌ସଲଟାଣ୍ଟ କମ୍ପାନିର ମୋଟ ୭ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୩ ଲକ୍ଷ ହେଉଛନ୍ତି ଭାରତୀୟ। ଏଥିରୁ ବାହାରି ଆସି ଅନେକ ଶିଳ୍ପଦ୍ୟୋଗୀମାନେ ୟୁନିକର୍ଣ୍ଣ ପାଲଟିଛନ୍ତି।

ପ୍ରଥମେ ପ୍ରଥମେ ଭାରତୀୟ ଶ୍ରମିକମାନଙ୍କୁ ଅଫିସମାନଙ୍କରେ ଛୋଟ ଛୋଟ କାମ ଦିଆଯାଉଥିଲା। ଭାରତର ୧୩ ଲକ୍ଷ ଲୋକଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ତରଫରୁ ଚାକିରି ଦିଆଯାଇଛି, ଯେଉଁମାନେ ୩,୬୦୦ କୋଟି ଡଲାରର ରାଜସ୍ୱ ଆଦାୟ କରିପାରୁଛନ୍ତି। ଭାରତୀୟମାନେ ଏବେ ସଫ୍‌ଟୱେର, ଡିଜାଇନ, ଆର୍‌ଏଣ୍ଡ୍‌ଡି (ଗବେଷଣା ଓ ବିକାଶ) କ୍ଷେତ୍ରରେ ବହୁ ଆଗେଇ ଗଲେଣି।

ଏହି ଦେଶର ରାଜ୍ୟମାନେ ମଧ୍ୟ ସେମାନଙ୍କ ଦକ୍ଷତାର ଅଶେଷ ବୃଦ୍ଧି କରିଛନ୍ତି। ଏକଦା ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପାଖରୁ ୧ ଟଙ୍କା ଆସୁଥିଲା ବେଳେ ୧୫ ପଇସା ଦରିଦ୍ର ଲୋକମାନଙ୍କ ପାଖରେ ପହଞ୍ଚୁଥିଲା। ବାକୀ ପଇସାର ତୋସରପାତ ହେଉଥିଲା। ସରକାରୀ ପ୍ରକଳ୍ପଗୁଡ଼ିକ ଦୁର୍ନୀତି, ବିଳମ୍ବ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିଲା। ତେବେ ଇତି ମଧ୍ୟରେ ରାଜ୍ୟମାନେ ସେମାନଙ୍କର ଦକ୍ଷତାର ଅଶେଷ ବୃଦ୍ଧି କରିଛନ୍ତି। ଭାରତ ନିଜ ଟିକା ଉତ୍ପାଦନ କରିଥିବାରୁ ଓ ୨୦୦ କୋଟି ଲୋକଙ୍କୁ ଟିକା ଦେଇସାରିଥିବା ହେତୁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି। କୋଭିଡ୍‌ ସମୟରେ ଭାରତ ପ୍ରାୟ ୮୦ କୋଟି ଲୋକଙ୍କୁ ବର୍ଷ ବର୍ଷ ଧରି ମାଗଣାରେ ଖାଇବାକୁ ଦେଇ ସେମାନଙ୍କୁ ବଞ୍ଚାଇ ରଖିଛି। ଏହାଦ୍ୱାରା ଦାରିଦ୍ର୍ୟ ଅନେକ ପରିମାଣରେ କମିଛି। ଆଧାର କାର୍ଡର ପ୍ରୟୋଗ ଯୋଗୁଁ ଦେଶର ସବୁ ଲୋକମାନଙ୍କର ବ୍ୟାଙ୍କରେ ଏକାଉଣ୍ଟ ଖୋଲିପାରିଛି। ସାରା ବିଶ୍ୱରେ ଏହା ଏକ ବିରଳ ଦୃଷ୍ଟାନ୍ତ। ଭାରତରେ ଟେଲିକମ୍ ସେବା ପ୍ରାୟ ସବୁ ଗ୍ରାମାଞ୍ଚଳରେ ପହଞ୍ଚିପାରିଛି ଓ ତାହା ପୁଣି ବିଶ୍ୱର ସର୍ବନିମ୍ନ ଦରରେ। ଭାରତରେ ୟୁପିଆଇ ପ୍ଲାଟଫର୍ମ ଯୋଗୁଁ ଦେୟଗୁଡ଼ିକୁ ଡିଜିଟାଲ ପଦ୍ଧତି ଦ୍ୱାରା ଘଟାଯାଉଛି, ଯାହା ବିଶ୍ୱରେ ବିରଳ। ଏବେ ସାରା ବିଶ୍ୱ ଜାଣିପାରିଛି ଯେ ବିଶ୍ୱରେ ଏକଛତ୍ରବାଦୀ ଚୀନକୁ କେବଳ ଭାରତ ହିଁ ରୋକିପାରିବ। ଏଥିପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ପରି ଦେଶମାନେ ଭାରତ ସହ କ୍ୱାଡ୍‌ ଚୁକ୍ତି କରିଛନ୍ତି। ମଧ୍ୟ ଏସିଆରେ ସାଉଦି ଆରବ, ୟୁଏଇ ଓ ଆଶ୍ଚର୍ଯ୍ୟଜନକ ଭାବରେ ଏମାନଙ୍କର ଏକଦା ପ୍ରବଳ ବିରୋଧୀ ଥିବା ଇସ୍ରାଏଲ ମଧ୍ୟ ମେଣ୍ଟ କରିଛି।

ଭାରତର ଶିକ୍ଷା ବ୍ୟବସ୍ଥା ଏଯାଏ ଉଚ୍ଚ ସ୍ତରକୁ ଯାଇପାରିନାହିଁ। ଏ ଦେଶରେ ଗଣତାନ୍ତ୍ରିକ ସ୍ୱାଧୀନତା, ଗଣମାଧ୍ୟମର ସ୍ୱାଧୀନତା ଅନେକ କ୍ଷେତ୍ରରେ ପରାହତ ହୋଇଛି। ଏ କ୍ଷେତ୍ରର ସୂଚକାଙ୍କରେ ଭାରତର ସ୍ଥାନ ୨୦୧୪ର ୨୭ତମ ସ୍ଥାନରୁ ୨୦୨୧ରେ ୪୬ତମ ସ୍ଥାନକୁ ଖସିଛି। ଏବେ ଭାରତକୁ କେତେକ କେବଳ ନିର୍ବାଚନ ଗଣତନ୍ତ୍ର ବୋଲି କହୁଛନ୍ତି। ମାନବିକ ସ୍ୱାଧୀନତା ସୂଚକାଙ୍କରେ ଭାରତ ୨୦୧୫ର ୭୫ତମ ସ୍ଥାନରୁ ୨୦୨୧ର ୧୧୧ ସ୍ଥାନକୁ ଖସିଛି। ମାନବିକ ଅଧିକାର କ୍ଷେତ୍ରରେ ଭାରତ ସେତେ ଉପରକୁ ଉଠିନି। ପ୍ରଦୂଷଣ କ୍ଷେତ୍ରରେ ଏ ଦେଶ ଅତି ନିମ୍ନରେ ଅଛି। ଏହିସବୁ ଦୃଷ୍ଟିରୁ ଭାରତ ସର୍ବୋଚ୍ଚ ସ୍ତରକୁ ଯାଇନାହିଁ, ତା’ ତଳେ ରହିଛି।

ମୋ-୯୪୩୭୦୨୦୨୯୦

ସମ୍ବନ୍ଧିତ ଖବର