ମନେ ପଡ଼େ, ଏହି ସମ୍ବାଦପତ୍ରରେ ଏକଦା ‘ଭଲ ଖବର’ ଶୀର୍ଷକ ସ୍ତମ୍ଭରେ ମଝିରେ ମଝିରେ ଭଲ ଓ ସକାରାତ୍ମକ ଖବର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେଉଥିଲା, ଯାହା ଦୁର୍ନୀତି ବା ହତ୍ୟା ବା ଲୁଣ୍ଠନ ଅବା ଦୁଷ୍କର୍ମ ଭଳି ନକାରାତ୍ମକ ଖବରର ଭିଡ଼ରୁ ପୃଥକ୍ ରହୁଥିଲା। ଅଧିକାଂଶ ପାଠକପାଠିକାଙ୍କ ଲାଗି ‘ଭଲ ଖବର’ଟିଏ ଅନେକ ଆଶ୍ବସ୍ତି ପ୍ରଦାନକାରୀ ବା ପ୍ରେରଣାଦାୟୀ ହେଉଥିଲା। ତାହା ପାଠ କରିବା ପରେ ଅନେକ ସମୟ ଯାଏ ହୃଦୟ ଭରି ରହୁଥିଲା।
ନିକଟରେ ଦୁଇଟି ଏମିତି ଖବର ଏ ଲେଖକର ନଜରକୁ ଆସିଲା, ଯାହା ସେହି ‘ଭଲ ଖବର’ ସ୍ତମ୍ଭ କଥା ମନେ ପକାଇ ଦେଲା। ପ୍ରଥମଟି ହେଉଛି ପାରଳାଖେମୁଣ୍ଡିରେ ଗୋଟିଏ ପାଳିତ କୁକୁରକୁ ଦିଆଯାଇଥିବା ରାଜକୀୟ ଅନ୍ତିମ ବିଦାୟ। ରାସ୍ତା କଡ଼ରୁ ଉଠାଇ ନେଇ ପାଳିଥିବା କୁକୁରର ୧୬ ବର୍ଷ ପରେ ମୃତ୍ୟୁ ଘଟିବାରୁ କୁକୁରଟିକୁ ପାଳିଥିବା ବ୍ୟକ୍ତି ସମସ୍ତ ବିଧି ବିଧାନ ପୂର୍ବକ ବାଜା ଓ ବାଣ ସହିତ ସୁସଜ୍ଜିତ ଗାଡ଼ିରେ ସହର ପରିକ୍ରମା କରି ତାର ଅନ୍ତିମ ସତ୍କାର କରିଥିଲେ। ଏହି ବିରଳ ସଂପର୍କରେ ବନ୍ଧା ପିତୃତୁଲ୍ୟ ଥିଲେ ଅବିବାହିତ ଟୁନୁ ଗୌଡ଼ ଏବଂ କୁକୁରଟି ଥିଲା କନ୍ୟା ପରି, ଯାହାର ନାମ ଥିଲା ଅଞ୍ଜଳି। ଦ୍ବିତୀୟ ଖବରଟି ହେଉଛି ଏଗାର ବର୍ଷ କାଳ ପୁଲିସ ବିଭାଗରେ କର୍ତ୍ତବ୍ୟ ପାଳନ କରିଥିବା କୁକୁରଟି ଅବସର ନେବା ବେଳେ ତାକୁ ପ୍ରଦାନ କରାଯାଇଥିବା ଭାବପୂର୍ଣ୍ଣ ‘ଫେୟାରୱେଲ୍’। ତା’ ବେକରେ ଫୁଲମାଳ ପକାଇ ଯେତେବେଳେ ଅଫିସ ଜିପ୍ରେ ବସାଇ ତାକୁ ବିଦାୟ ଦିଆଗଲା, ପୁଲିସ ପୋଷାକ ପିନ୍ଧା ଅଧିକାରୀମାନେ ତାକୁ କର ତାଳି ଦେଇ ସମ୍ମାନିତ କରିଥିଲେ। ପରମ ନିଷ୍ଠାର ସହିତ ନିରବରେ କର୍ତ୍ତବ୍ୟ ସଂପାଦନ କରିଥିବାରୁ ତା ପ୍ରତି ବିଭାଗର କୃତଜ୍ଞତା ଜ୍ଞାପନ।
ଉପରୋକ୍ତ ଦୁଇଟି ଯାକ କଥା ବେଶ୍ ହୃଦୟଗ୍ରାହୀ ଥିଲା ଏବଂ ସେଗୁଡ଼ିକ ଖବର ଯୋଗ୍ୟ ମଧ୍ୟ ଥିଲା। ତେଣୁ ତାହା ସମ୍ବାଦପତ୍ରରେ ସ୍ଥାନ ପାଇଥିଲା। ଏହାକୁ ପଢ଼ି ଅନେକ ପାଠକପାଠିକା ସେମାନଙ୍କ ହୃଦୟରେ ଆବେଗର ଉଷ୍ମତା ଅନୁଭବ କରିଥିବେ। ତେବେ, ଏହା ବି ସତ ଯେ ଆମମାନଙ୍କ ଭିତରୁ ଅନେକ ବାଟରେ ଘାଟରେ ଏମିତି ଅନେକ କଥା ଦେଖୁ, ଯାହା ଖବରକାଗଜରେ ଛପା ହୋଇ ନ ଥାଏ ସତ, କିନ୍ତୁ ହୃଦୟକୁ ଆବେଗାପ୍ଳୁତ କରିବାକୁ ଯଥେଷ୍ଟ ହୋଇଥାଏ। ଏଇ ଯେମିତି ଥରେ ଦେଖିବାକୁ ମିଳିଲା ନିଜ ପୋଷା ଦେଶୀ କୁକୁରକୁ ତକିଆ ଭଳି ବ୍ୟବହାର କରି ଷ୍ଟେସନରେ ଜନୈକ ବୁଢ଼ା ଭିକାରି ଶାନ୍ତିରେ ଶୋଇ ଯାଇଛନ୍ତି। ଖାଉନ୍ଦର ମୁଣ୍ଡ ତଳେ କୁକୁରଟି ମଧ୍ୟ ଗଭୀର ନିଦ୍ରାରେ ଆଚ୍ଛନ୍ନ। ମନ ପୂରି ଉଠିଲା। ଅବଶ୍ୟ, ବେଳେ ବେଳେ ଏମିତି ଦୃଶ୍ୟ ସବୁର ଫଟୋମାନ ଖବରକାଗଜରେ ବାହାରି ସେହି ଭଲ ଖବର ତୁଲ୍ୟ ଦାୟିତ୍ବ ସଂପାଦନ କରିଥାଏ।
ତେବେ କେବଳ ମଣିଷ ଓ ପଶୁ ଭିତର ସୁସଂପର୍କ ଯେ ଭଲ ଖବର ଭାବେ ମନକୁ ଛୁଏଁ, ତାହା ନୁହେଁ। ଆମ ଦୈନନ୍ଦିନ ଜୀବନରେ ଏମିତି ଅନେକ ଘଟଣା ଘଟେ, ଯାହାକୁ ଦେଖି ମନରେ ଆସେ ଆହା ଏହି ଖରବଟାକୁ କେହି ଜଣେ ଛାପନ୍ତା ନାହିଁ? ବା ଏହି ଦୃଶ୍ୟର ଫଟୋ କୌଣସି ଫଟୋ ସାମ୍ବାଦିକଙ୍କ ଆଖିରେ ପଡ଼ନ୍ତା ନାହିଁ? ଏଇ ଯେମିତି କିଛି ଦିନ ତଳେ ଏହି ଲେଖକ ଦେଖିଲା ଯେ ଏକ ଉଦୁଉଦିଆ ଦିପହରେ ଲୁହା ଛଡ଼ ବୋଝେଇ ଟ୍ରଲିକୁ ଏକ ଉଠାଣିରେ ବୃଦ୍ଧ ଟ୍ରଲି ଚାଳକ ଟାଣି ପାରୁ ନ ଥିବା ଦେଖି ଦାମିକିଆ ସାର୍ଟ, ଟାଇ, ପ୍ୟାଣ୍ଟ ଓ ଜୋତା ପିନ୍ଧା ଯୁବକ ତାଙ୍କ କାର୍ରୁ ଓହ୍ଲାଇ ପଡ଼ି ପଛରୁ ଠେଲୁଥିବାର ଦୃଶ୍ୟ। ଏହି ଲେଖକ ମନକୁ ସ୍ବତଃ ଆସିଗଲା, ଆଃ, ଭଲ ଖବରର ଆଉ ଏକ ସୁଯୋଗ ଖବରକାଗଜଗୁଡ଼ିକ ହରାଇଲେ!
ଆଜି ପର୍ଯ୍ୟନ୍ତ ମାନସ ଚକ୍ଷୁରେ ସେହି ଦୃଶ୍ୟ ଭାସି ଉଠି ଏହି ଲେଖକକୁ ତରଳାଇ ଦିଏ। ସତରେ ‘ଭଲ ଲୋକ’ଙ୍କ ଜୟ ହେଉ। ସେମାନେ ‘ଭଲ ଖବର’ରେ ସ୍ଥାନ ପାଇବାକୁ ଅପେକ୍ଷା ବା ଆଶା ନ କରି ଭଲ କାମ କରି ଚାଲନ୍ତୁ। ତା ସହିତ ‘ଭଲ ଖବର’ର ମଧ୍ୟ ଜୟ ହେଉ। ସବୁ ଖବରକାଗଜ ‘ଭଲ ଖବର’ ଲାଗି ପ୍ରଥମ ପୃଷ୍ଠାରେ ଟିକିଏ ସ୍ଥାନ ଦିଅନ୍ତୁ। ସାମ୍ବାଦିକମାନେ ଭଲ ଖବର ଖୋଜନ୍ତୁ। ଖୋଜିଲେ ଅବଶ୍ୟ ପାଇବେ ଏବଂ ପ୍ରତି ଦିନ ପାଇବେ। କାରଣ ସଂସାରରେ ଭଲ ଲୋକଙ୍କ ଅଭାବ ନାହିଁ ଯେଉଁମାନଙ୍କ ମାମୁଲି କାମ ବି ଦେବୋପମ ହୋଇଥାଏ।
ମୋ- ୯୪୩୮୧ ୪୯୭୬୧