‘ସାରୋଳଦାସ’ ଓ ଗୋପୀନାଥଙ୍କ ଗବେଷଣା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ନୂଆ ପିଢ଼ିର ଅନେକଙ୍କୁ ହୁଏତ ଅଜଣା, ଯେ ଗୋପୀନାଥ ମହାନ୍ତି କେବଳ ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କଥାଶିଳ୍ପୀ ନୁହନ୍ତି; ସେ ମଧ୍ୟ ଜଣେ ବିଶିଷ୍ଟ ଗବେଷକ। ଆଦିବାସୀ ଭାଷା ଗବେଷଣା କ୍ଷେତ୍ରରେ ତାଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ। ଆମ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହେଉଛି- ‘ରାମାୟଣ’ର ଶ୍ରୀରାମଙ୍କ ସଂପର୍କରେ ତାଙ୍କ ଗବେଷଣାର ନୂତନ ତଥ୍ୟ। ଏ ପ୍ରସଙ୍ଗରେ ସେ, ଓଡ଼ିଶାର ଦକ୍ଷିଣ ସୀମାନ୍ତର ‘ଜାମ୍ବାକା’ ଓ ‘ପ୍ରାସକା’ ଗୋତ୍ରର ଜନଜାତିଙ୍କର ଉଲ୍ଳେଖ କରିଛନ୍ତି। ‘ଜାମ୍ବାକା’ର ଅର୍ଥ ଭାଲୁ ଓ ‘ପ୍ରାସକା’ର ଅର୍ଥ ମାଙ୍କଡ଼। ସେ ନିଜକୁ “କନ୍ଧ କୁଳରେ ପ୍ରାସକା ଗୋତ୍ରରେ ଜାତ ଗୋପୀନାଥ” ବୋଲି କହୁଥିଲେ। ତାଙ୍କର ନିଷ୍କର୍ଷ ହେଉଛି- ଶ୍ରୀରାମ ଯେଉଁ ଭାଲୁ ଓ ମାଙ୍କଡ଼ଙ୍କ ସହାୟତାରେ ସେତୁବନ୍ଧ ନିର୍ମାଣ କରିଥିଲେ, ସେହି ଭାଲୁ ଓ ମାଙ୍କଡ଼ ପ୍ରକୃତରେ ହେଉଛନ୍ତି- ଓଡ଼ିଶାର ‘ଜାମ୍ବାକା’ (ଭାଲୁ) ଓ ‘ପ୍ରାସକା’ (ମାଙ୍କଡ଼) ଗୋତ୍ରର ଜନଜାତି।
କିନ୍ତୁ ସାରା ଭାରତ ବା ସାରା ବିଶ୍ୱ ଗୁରୁତ୍ୱ ଦେବା ତ ପରବର୍ତ୍ତୀ କଥା, ଆମ ଓଡ଼ିଶାରେ ମଧ୍ୟ, ତାଙ୍କର ଏହି ପ୍ରାମାଣିକ ଓ ଯୁଗାନ୍ତକାରୀ ଗବେଷଣା ତଥ୍ୟକୁ ଏଯାଏ ଆମେ ଗୁରୁତ୍ୱ ଦେଇନାହୁଁ। ସେହିପରି ମଧ୍ୟ, ‘ସାରୋଳଦାସ’ (ସାରଳା ଦାସ)ଙ୍କ ସଂପର୍କରେ ତାଙ୍କର ଗବେଷଣା।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ବିଷୟ ଏହି, ଯେ ଆଜିଠୁ ଦୀର୍ଘ ୬୬ ବର୍ଷ ପୂର୍ବେ, ୧୯୫୬ରେ, ସେ ଏ ବାବଦରେ ତାଙ୍କର ପ୍ରଥମ ଗବେଷଣା ପ୍ରବନ୍ଧ ଲେଖିଥିଲେ। ତାହା ପ୍ରକାଶ ପାଇଥିଲା ‘ଡଗର’ ପତ୍ରିକାର ଊନବିଂଶ ବର୍ଷ, ଏକାଦଶ ସଂଖ୍ୟାରେ ଏବଂ ତାହାର ଶୀର୍ଷକ ଥିଲା ‘ଶୂଦ୍ରମୁନି ସାରଳାଦାସଙ୍କ ଆବିର୍ଭାବ ସ୍ଥାନ।’ ଲୋକପ୍ରଚଳିତ ଧାରାରେ, ପ୍ରବନ୍ଧର ଶୀର୍ଷକରେ ସେ ‘ସାରଳାଦାସ’ ଲେଖିଥିଲେ ମଧ୍ୟ, ସ୍ପଷ୍ଟ ଭାବରେ କହିଛନ୍ତି, “ସେଥିରେ (ଅର୍ଥାତ୍ ସେ ପାଇଥିବା ପୋଥିରେ) ‘ସାରଳା’ ଶବ୍ଦ କ୍ୱଚିତ୍ ମିଳେ। ତାହା ପରିବର୍ତ୍ତେ ସେଥିରେ ଦେବୀଙ୍କ ନାମ ‘ସାରୋଳଚଣ୍ଡୀ’ ଓ କବିଙ୍କ ନାମ ‘ସାରୋଳଦାସ’ ବୋଲି ଲେଖାଅଛି।” ତାଙ୍କର ଅନ୍ୟ ପ୍ରବନ୍ଧଗୁଡ଼ିକ ଯଥାକ୍ରମେ ‘ଡଗର’ (୨୦/୮,୧୯୫୬), ‘ଝଙ୍କାର’ (୮/୨,୧୯୫୬); ୮/୪,୧୯୫୬; ୮/୧୦,୧୯୫୬; ୮/୧୧,୧୯୫୬; ୯/୪,୧୯୫୭; ୯/୫,୧୯୫୭ ଓ ୯/୬, ୧୯୫୭ ସଂଖ୍ୟାରେ ପ୍ରକାଶ ପାଇଛି। ସେହିସବୁ ଲେଖାର ବିଷୟ ପ୍ରସଙ୍ଗ ହେଉଛି- ଶୂଦ୍ରମୁନି ସାରଳାଦାସଙ୍କ ଆବିର୍ଭାବ ସ୍ଥାନ, ସାରଳାଦାସଙ୍କ ଘର କେଉଁଠି? ଶୂଦ୍ରମୁନି ସାରୋଳଦାସଙ୍କ ଆବିର୍ଭାବ ସମୟ, ପ୍ରାଚୀ ଉପତ୍ୟକାର ଦେବଦେବୀ ଓ କଣିଆର ପୃଷ୍ଠଭୂମି, ଏବଂ ସାରଳାଦାସଙ୍କ ସମୟ ଓ ସଭାପର୍ବ। ସେହି ସବୁ ଲେଖା ସହିତ, ତାଙ୍କର ୩୦ ବର୍ଷ ତଳର ଏକ ଅପ୍ରକାଶିତ ‘ଭୂମିକା’କୁ ଯୋଡ଼ି, ‘ଗୋପୀନାଥ ମହାନ୍ତି ଟ୍ରଷ୍ଟ’ର ଅଧ୍ୟକ୍ଷ ଓଁକାର ନାଥ ମହାନ୍ତିଙ୍କ ସହଯୋଗରେ, ‘ପକ୍ଷୀଘର ପ୍ରକାଶନୀ’ ୨୦୧୮ରେ ଏକ ୨୧୮ ପୃଷ୍ଠାର ପୁସ୍ତକ ପ୍ରକାଶ କରିଛନ୍ତି। ତାହାର ଶୀର୍ଷକ- ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’। ତାହାର ‘ମୁଖବନ୍ଧ’ରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି, “ସାରଳାଦାସ ନାଁଟି ବହି ଛାପା ହୋଇଗଲା ପରେ ଲୋକଙ୍କ ଦ୍ୱାରା ଗୃହୀତ ହୋଇଗଲା। ପରେ ପୋଥିରେ ଥିବା ସାରୋଳଦାସ ପରିବର୍ତ୍ତେ ସେ ମଧ୍ୟ ସାରଳା ଦାସ ଗ୍ରହଣ କଲେ। ସେ କିନ୍ତୁ ଗୋଟିଏ ଭଲକଥା ଉଠେଇଛନ୍ତି; ଦାସ ତାଙ୍କର ସାଙ୍ଗିଆ ନୁହେଁ; କାଳିଦାସ ପରି ଏହା ତାଙ୍କ ନାଁର ଅଂଶ।”

କିନ୍ତୁ ଲୋକ ପ୍ରଚଳିତ ଧାରାରେ ଗୋପୀନାଥ ମହାନ୍ତି ଯେ ‘ସାରୋଳଦାସ’ ପରିବର୍ତ୍ତେ ‘ସାରଳା ଦାସ’କୁ ଗ୍ରହଣ କରିଛନ୍ତି, ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ। କାରଣ ନିଜର ପ୍ରଥମ ଲେଖାରେ ହିଁ, ପୋଥିରେ “ଦେବୀଙ୍କ ନାମ ‘ସାରୋଳଚଣ୍ଡୀ’ ଓ କବିଙ୍କ ନାମ ‘ସାରୋଳଦାସ’ ଲେଖା ଅଛି” ବୋଲି କହି, ନିଜର ମତକୁ ସେ ଦୃଢ଼ ଭାବରେ ଉପସ୍ଥାପନ କରିଛନ୍ତି।

ସାରଳା (ସାରୋଳ)ଦାସଙ୍କ ମହାଭାରତ (ମହାଭାରଥ)ର ‘ଲେଖା ପୋଥି ଓ ଛାପା ବହି’ ବାବଦରେ ପଂଡିତ ନୀଳକଂଠ ଦାସ ଯାହା ଲେଖିଥିଲେ, ତାହା ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୨୨, ଅଗଷ୍ଟ, ୨୦୨୨)ରେ ଆଲୋଚିତ ହୋଇଛି। ପଂଡିତ ନୀଳକଂଠ ତାଙ୍କ ଲେଖା ଲେଖିବାବେଳେ, ତାଙ୍କ ଆଗରେ ଥିଲା ଦାଣ୍ଡିବୃତ୍ତରୁ ଚଉଦଅକ୍ଷରି ହୋଇଥିବା ବଜାର ସଂସ୍କରଣର ଛାପାବହି। ତାହାକୁ ସେ ବିରୋଧ କରିଥିଲେ। ଦାଣ୍ଡିବୃତ୍ତକୁ ଅକ୍ଷରଯୋଡ଼ି, କାଟି, ଚଉଦ ଅକ୍ଷରି କରାଯିବାକୁ ଦୃଢ଼ ବିରୋଧ କରି, ସେ ତାହାକୁ “ଅଜ୍ଞତା” ଓ “ଦୁଷ୍କର୍ମ” ବୋଲି କହିଥିଲେ। ତାହା “ଆଉ ସଂସ୍କରଣ ନୁହେଁ, ଯେପରିକି ଖ୍ରୀଷ୍ଟୀୟ ବିଂଶ ଶତାବ୍ଦୀର ଗୋଟିଏ ନୂଆ ଓଡ଼ିଆ ମହାଭାରତ!” ବୋଲି ବି ତାଙ୍କର ମନେ ହୋଇଥିଲା। କିନ୍ତୁ ଗୋପୀନାଥ ମହାନ୍ତି ତାଙ୍କର ‘ଭୂମିକା’ ଲେଖିଲା ବେଳକୁ, ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ମହାଭାରତର ଶୁଦ୍ଧ ସଂସ୍କରଣ ଆସିଗଲାଣି। ତେଣୁ ସେ ନିଜ ଲେଖା ବା ଗବେଷଣା ସମେତ, ତାହାର ଆଲୋଚନା ମଧ୍ୟ ସେହି ‘ଭୂମିକା’ରେ କରିଛନ୍ତି।

ଗୋପୀନାଥ ମହାନ୍ତି ସାରଳା ଦାସଙ୍କୁ ପଞ୍ଚଦଶ ଶତାବ୍ଦୀର ବୋଲି ଗ୍ରହଣ ନକରି, ତାଙ୍କୁ “ଦଶମ ଶତାବ୍ଦୀ ଓଡ଼ିଶାର କବି” ଏବଂ “ଶଙ୍କରାଚାର୍ଯ୍ୟଙ୍କ ପରବର୍ତ୍ତୀ ସିଦ୍ଧ ଗୋରଖନାଥଙ୍କ ସମସାମୟିକ” ବୋଲି ଗ୍ରହଣ କରିଛନ୍ତି। ସେ କହିଛନ୍ତି- “ତାଙ୍କ ବହି ସେ କାଳର ଓଡ଼ିଆ ଭାଷାରେ ଲେଖା, ଶବ୍ଦ ସ୍ଥାନେ ସ୍ଥାନେ ଏବଠୁଁ ଭିନେ, ଛପାବହିରେ ତାକୁ ସବୁ ବିକୃତ କରି ଆଧୁନିକ ଓଡ଼ିଆ କରାଯାଇଛି।”

ଏ ପ୍ରସଙ୍ଗରେ ଗୋଟିଏ ବିଷୟ ଗୁରୁତ୍ୱପୂର୍ଣ୍ଣ ଯେ ସାରଳା (ସାରୋଳ)ଦାସଙ୍କ ମହାଭାରତ (ମହାଭାରଥ)ର ଦାଣ୍ଡିବୃତ୍ତକୁ କାଟିକୁଟି ସେଦିନ କେବଳ ଚଉଦଅକ୍ଷରି କରାଯାଇ ନଥିଲା; ବିଭିନ୍ନ ଅଞ୍ଚଳରୁ ତାହାର ନବାକ୍ଷରି ଓ ଅଠରଅକ୍ଷରି ସଂସ୍କରଣ ମଧ୍ୟ ପ୍ରକାଶ ପାଇଥିଲା। ଭାଗବତକାର ଜଗନ୍ନାଥ ଦାସଙ୍କ ନାମରେ ଏକ ନବାକ୍ଷରି ମହାଭାରତ ମଧ୍ୟ ପ୍ରଚଳିତ ଅଛି। ସେପରି ଗୋଟିଏ ଅଠରଅକ୍ଷରି ଛାପାବହି ବାବଦରେ ଗୋପୀନାଥ ମହାନ୍ତି ଲେଖିଛନ୍ତି, “ତାଙ୍କ ଦାଣ୍ଡୀମାଳ ଅସମାନ ଧାଡ଼ିଗୁଡ଼ିକୁ ଆଧୁନିକ ଭଣ୍ଡାରି ସେଲୁନରେ ବାଳକାଟିଲା ପରି ଅଠରଅକ୍ଷରିଆ ସମାନ ସମାନ ଧାଡ଼ିରେ ସଜାଯାଇଛି। ତହିଁରୁ ମନଇଚ୍ଛା ବିଷୟ କଟାଯାଇଛି। ତହିଁରେ ମନଇଚ୍ଛା ମନରୁ ଫାନ୍ଦି ଯୋଡ଼ାଯାଇଛି। ୰ ମୃତ୍ୟୁଞ୍ଜୟ ରଥ, ୰ଗୋପୀନାଥ ନନ୍ଦ, ୰ଡକ୍ଟର ହରେକୃଷ୍ଣ ମହତାବ, ୰କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଡକ୍ଟର ବଂଶୀଧର ମହାନ୍ତି ଆଦି ସେଇ ଭୁଲ୍ ଛାପା ବହିର ଲେଖାକୁ ନିଜ ମତର ମୂଳଦୁଆ କରି ଓଡ଼ିଆ ଜାତିର ଭାଷା-ସଂସ୍କୃତି ଗୌରବର ଇତିହାସକୁ ଦଶମ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀଯାକେ ଛଅଶହ ବର୍ଷ ପଛେଇ ଦେଇ ବାରମ୍ବାର ଘୋଷଣା କରିଛନ୍ତି, ସାରୋଳଦାସ କପିଳେନ୍ଦ୍ରଦେବ ଗଜପତିଙ୍କ ବେଳର।” ଏଣୁ ଗୋପୀନାଥ କହିଛନ୍ତି- ଯେଉଁଠିି ତମିଳମାନେ, କନ୍ନଡ଼ମାନେ, ତାଙ୍କ ଭାଷା-ସାହିତ୍ୟକୁ ତିନିହଜାର, ଚାରିହଜାର ବର୍ଷର ପୁରୁଣା ବୋଲି ପ୍ରଚାର କରିବାରେ ଲାଗିଛନ୍ତି, ସେଠି ଓଡ଼ିଶାର ଗୌରବୋଜ୍ଜ୍ୱଳ ସାହିତ୍ୟର ଇତିହାସକୁ ଛଅଶହବର୍ଷ ସାନ କରିଦେବା, ଭାଗ୍ୟର କି ବିଡ଼ମ୍ବନା!
ସେହି ‘ଭୂମିକା’ରେ, ଗୋପୀନାଥ ମହାନ୍ତି ତାଙ୍କ ଗବେଷଣା ବାବଦରେ ସୂଚନା ମଧ୍ୟ ଦେଇଛନ୍ତି। କହିଛନ୍ତି ମଧ୍ୟ ଆମ ଆଦିକବି ତାଙ୍କ ରଚନାରେ ଦାଣ୍ଡିବୃତ୍ତର ଉପଯୋଗ କରିବାର ନେପଥ୍ୟ କଥା। ସେ କହିଛନ୍ତି, “୧୯୫୪ରୁ ଆରମ୍ଭ କରି ଏକ ଧ୍ୟାନରେ ଲାଗି ପଡ଼ିଥିଲି ପୋଥି ଖୋଜିବାରେ, ପଢ଼ିବାରେ, ଗବେଷଣା କରିବାରେ। ପାଇଲି, ପଢ଼ିଲି ଓଡ଼ିଶାର ନାନା ସ୍ଥାନରୁ ନାନା ତାଳପତ୍ର ପୋଥି। ଚିଲିକାର ଖଣ୍ଡାଏତ ଗ୍ରାମରୁ ଶୁଣିଲି, ଶିଖିଲି ସାରୋଳଦାସର ଦାଣ୍ଡୀମାଳ ଛନ୍ଦର ମହାଭାରତ ବୋଲିବାର ପ୍ରଣାଳୀ। ପୃଥିବୀର ସେହି ଏକମାତ୍ର କବି, ଯେ ସମୁଦ୍ର ଲହଡ଼ିର ଉତ୍‌ଥାନ ପତନର ସଂଗୀତକୁ କାନେଇ ତାଙ୍କ କାବ୍ୟରେ ଅବିକଳ ସେହି ସଂଗୀତ, ସେହି ରାଗିଣୀ ଥୋଇ ଧାଡ଼ି ସଜେଇ ଯାଇଛନ୍ତି; ତାହା ଅନନ୍ୟ ଓ ଅନନ୍ୟସାଧାରଣ।”

କିନ୍ତୁ ସେଦିନ, ସେହି ଯେଉଁ ନଅଟି ପ୍ରବନ୍ଧ ଲେଖିଥିଲେ ଗୋପୀନାଥ ମହାନ୍ତି, ତାହା ଓଡ଼ିଶାରେ ବହୁ ବିତର୍କର ସୂତ୍ରପାତ କରିଥିଲା। କାରଣ, ସେଦିନର ଉପରୋକ୍ତ ବିଦ୍ୱାନମାନେ, ନୂତନ ବଜାର ସଂସ୍କରଣ ଓ ବିକୃତ ଛାପାବହିର ଆଧାରରେ ନିଜ ନିଜ ଆଲୋଚନାର ଭିତ୍ତି ଓ ସୌଧ ନିର୍ମାଣ କରିଥିବା ବେଳେ, ଗୋପୀନାଥଙ୍କ ଆଲୋଚନା ଥିଲା ପ୍ରାଚୀନ ପୋଥି ଆଧାରିତ ଏବଂ ମୌଳିକ ଚିନ୍ତା ଓ ଗବେଷଣା ପ୍ରସୂତ। ଫଳରେ ବହୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ। ଏ ପ୍ରସଙ୍ଗରେ ସେ କହିଛନ୍ତି, “ପ୍ରମାଣ କାଢ଼ିଲି, ଗଦାଗଦା ଲେଖିଲି ଓଡ଼ିଆରେ ଓ ଇଂରେଜିରେ, ଭାଷଣ ଦେଲି, କହିଲି, ବୁଝେଇଲି… ପୋଥି ଘାଣ୍ଟି ଘାଣ୍ଟି ଆଖି ନଷ୍ଟ କଲି, ପ୍ରତିଦାନରେ ପାଇଲି ଓଡ଼ିଶାର ପଣ୍ଡିତ, ଗବେଷକଙ୍କଠୁଁ ଗଞ୍ଜଣା; ତୁଣ୍ଡରେ ନୁହେଁ, ଛାପା ଅକ୍ଷରରେ, ଅନ୍ଧ ଅବୁଝା ଶୋଧା। ଜଣେ ପଣ୍ଡିତ ଲେଖିଲେ- ‘ମୁଁ ତ ଦିଲ୍ଲୀରେ ଥାଏ, ତାଳପତ୍ର ପୋଥି ପାଇବି କାହୁଁ ଯେ ପଢ଼ିବି। ତାଳପତ୍ର ପୋଥି ମତେ ଗଣ୍ଡାମୂତ।’ ମୁଁ କହିଲି- ଅରୁଣୋଦୟ ପ୍ରେସ୍‌ରେ ଛାପା ହୋଇଥିବା ସେ ମହାଭାରତ ବହି ଶେଷରେ ସଂକଳକଙ୍କ ସ୍ୱୀକାରୋକ୍ତି ପଢ଼ନ୍ତୁ; କେମିତି ‘ପଣ୍ଡିତ’ମାନଙ୍କୁ ଲଗାଇ ସେ ମୂଳ ପୋଥିର ପାଠକୁ ଆମୂଳଚୂଳ ପରିବର୍ତ୍ତନ କରି, ସଂପୂର୍ଣ୍ଣ ନୂତନ (ମନଗଢ଼ା) ‘ଆଧୁନିକ’ ମହାଭାରତ ତିଆରି କଲେ।” ଏ ପ୍ରସଙ୍ଗରେ ସେହି ‘ନୂତନ’ ଓ ‘ଆଧୁନିକ’ ମହାଭାରତରୁ ଉଦ୍ଧୃତି ଦେଇ ଗୋପୀନାଥ କହିଛନ୍ତି- ଯେ ସେହି ମହାଭାରତ ଲେଖିଥିଲେ, ସେ କଟକ ଡାକ୍ତରି ସ୍କୁଲ୍‌ରେ ପଢ଼ିଥିଲେ। ବହୁ ଆୟାସରେ (ବୋଧହୁଏ ବାରମ୍ବାର ଫେଲ୍ ହୋଇ) ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ମହାପଣ୍ଡିତ ସବୁ, ସାରୋଳଦାସକୃତ ମହାଭାରତକୁ ସାରୋଳଦାସଙ୍କ ନାଁ ରଖି, ନିଜ ମନରୁ ଫାନ୍ଦି, ପୁନଃ ରଚନା କଲେ- ଯଥା, ମୂଳବସନ୍ତନିବାସୀ ଗୋପୀନାଥ କର।

ଏହି ପରିପ୍ରେକ୍ଷୀରେ, ଗୋପୀନାଥ ମହାନ୍ତି ଲେଖିଥିଲେ ତାଙ୍କର ଆଲୋଚନା। ପରେ ତାହାକୁ ନେଇ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’ ପୁସ୍ତକ ସଂକଳିତ। ତାହାର ‘ଭୂମିକା’ରେ ସେ କହିଛନ୍ତି, “ଆଲୋଚନାଟି ଆରମ୍ଭ କଲି ମୁଁ, ଆଗ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଡଗର’ ପୃଷ୍ଠାରେ, ତା’ପରେ ‘ଝଙ୍କାର’ରେ। ତହୁଁ ଡକ୍ଟର ମହତାବ କେନ୍ଦ୍ରରୁ ତିନିଲକ୍ଷ କି କେତେ ଟଙ୍କା ଆଣି ତାଳପତ୍ର ପୋଥି ଏଡ଼ିଟିଂ ଓ ଛପାକାର୍ଯ୍ୟ କରାଇବାକୁ ବରାଦ ଦେଲେ। ସେ କାମରେ ମତେ ପୂରାଗଲା ନାହିଁ। ଦାୟିତ୍ୱ ଦିଆଗଲା ମୋର ଚିର ନମସ୍ୟ ପୂଜ୍ୟ ଆର୍ତ୍ତବାବୁଙ୍କୁ। ଓଡ଼ିଆ ସାହିତ୍ୟର ଗର୍ବ ଓ ଗୌରବ, ଆମ ସମସ୍ତଙ୍କର ପ୍ରେରଣାଦାତା ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି। ଜୀବନଟା ଯାକ ପୋଥି ଘାଣ୍ଟି ଘାଣ୍ଟି ଗଲା। ତାଙ୍କର ରୁମ ଯେତେ ଜ୍ଞାନ ସେତେ। କିନ୍ତୁ ସେତେବେଳକୁ ତାଙ୍କ ପାଇଁ ସୂର୍ଯ୍ୟ ଅସ୍ତାନ ବାଟକୁ ଓହ୍ଲାଇଲେଣି, ସଞ୍ଜ ବୁଡ଼ୁବୁଡ଼ୁ, ଅଣ୍ଟା ଦୋହଲିଲାଣି, ମୁଣ୍ଡରେ ସେ ଆଗର ପ୍ରଖର ତେଜ ନାହିଁ। ସାର୍ କ’ଣ ଜାଣି ନଥିଲେ ଏଡିଟିଂ କେମିତି କରାଯାଏ, କେଉଁ ପନ୍ଥାରେ? ସ୍କିଟ୍ ଆଦିଙ୍କ ମାର୍ଗ ପରା ତାଙ୍କ ଟିପ ଅଗରେ ଏକଦା ଥିଲା। ସେ ଓଡ଼ିଆରେ, ସଂସ୍କୃତରେ ଯେତିକି ପଣ୍ଡିତ, ଇଂରେଜିରେ ତତୋଽଧିକ। …. ନିଜ ବୟସ ଓ ସ୍ୱାସ୍ଥ୍ୟର ଅବସ୍ଥାରେ ସାର୍ ବି ଆଉ କ’ଣ କରନ୍ତେ? ଏଡ଼ିଟିଂ କାର୍ଯ୍ୟର ସର୍ବସମ୍ମତ ବିଧି ଉପାୟ ଛାଡ଼ି, ସେ ଧରିଲେ ଗୋଟିଏ କାମଚଳା ବାଟ। ଗୁଡ଼ିଏ ପୋଥିକି ଏକା ସମୟରେ ଗୁଡ଼ିଏ ପଢ଼ାଳିଙ୍କି ବସାଇ ତାଙ୍କ ହାତରେ ଦିଅନ୍ତି। ଲେଖାସମୟ, ଭାଷା, ପ୍ରାପ୍ତିସ୍ଥାନ ଆଦି ଅନୁସାରେ, ପୁରୁଣା କି ନୂଆ ପୋଥି ବିିଚାରରେ ସେ ସବୁ ପୋଥିର ଶ୍ରେଣୀବିଭାଗ ସେ କରି ନଥିଲେ। କହୁଥିଲେ, ‘ଜଣ ଜଣ କରି ଏକ ଅଂଶରୁ ପଢ଼।’ ସେ ଶୁଣୁଥିଲେ; ଯେଉଁ ପୋଥିର ଯେଉଁ ଅଂଶ ତାଙ୍କ ମନକୁ ପାଇଲା, ଜଣେ (ସ୍କ୍ରାଇବ୍‌) ଲେଖିଲୋକ ସେଠି ବସିଥାନ୍ତି, ତାଙ୍କୁ କହୁଥିଲେ, ‘ଏଇଆକୁ ଲେଖିପକା’। କାହିଁକି ସେତକ ସେ ମୂଳଲେଖା ବୋଲି ଭାବିଲେ, କି କି କାରଣରୁ, ଅନ୍ୟାନ୍ୟ ପୋଥିରେ ତହିଁରୁ ଭିନେ ହୋଇ ବିକଳ୍ପ ଲେଖା କ’ଣ କ’ଣ ଅଛି, ସେଗୁଡ଼ିକ କେଉଁ କାରଣରୁ ସେ ଅଗ୍ରାହ୍ୟ କଲେ, ସେସବୁ କଥା ସେ ଲେଖିଲେ ନାହିଁ। ଏମିତି ଏମିତି ହୋଇ ମହାଭାରତ ଗୋଟାକ ଉତୁରା ହେଲା।”

ଏ ସଂପର୍କରେ ନିଜର ଶେଷ ମନ୍ତବ୍ୟ ଦେଇ ଗୋପୀନାଥ ମହାନ୍ତି କହିଛନ୍ତି, “ଗଲା କଥା ଗଲା, ଟଙ୍କାତକ ପାଣିରେ ପଡ଼ିନାହିଁ। ଯାହା ଶେଷରେ … ଛପାହୋଇ ବାହାରିଛି, ତାହା ସମକାଳୀନ ଲେଖା ନହୋଇପାରେ। ନାନା ସମୟର ନାନା ପୋଥିରୁ ସଂଗୃହୀତ, ଯେପରି ପଞ୍ଚୁବର୍ଣ୍ଣୀ ଚାଉଳ; କିନ୍ତୁ ଚାଉଳ ସେ, ଅରୁଣୋଦୟ ପ୍ରେସରୁ ବାହାରିଥିବା ଚାଉଳଭଳି ଦିଶୁଥିବା ଧଳା ଗୋଡ଼ି ନୁହେଁ। ତହିଁରେ ପ୍ରକ୍ଷିପ୍ତ ଅଂଶ ଥାଇପାରେ; କିନ୍ତୁ ସାରୋଳଦାସଙ୍କ ମୂଳ ବିଷୟ ବହୁତ ଥିବ। ଯଦିଓ ସେସବୁ ପ୍ରାୟ ନୂଆ ପୋଥିର ଭାଷା, ସେ କାଳର ଓଡ଼ିଆ ଭାଷା ତହିଁରେ ଅଳ୍ପ ଥିବ। ସେ ବହି ଚଳୁଛି, ଚଳୁ; ତାର କିଛି ବିକଳ୍ପ ଛପା ହୋଇନାହିଁ ଯେ!”

ଏଣୁ, ଏଇଥିପାଇଁ ହି ଆଜି, ‘ସୋଆ’ ପକ୍ଷରୁ ଛାପା ‘ସାରୋଳଦାସ ମହାଭାରଥ’କୁ ଆମେ ସ୍ୱାଗତ କରିବା ଆବଶ୍ୟକ। କାରଣ, ଗୋପୀନାଥ ମହାନ୍ତିଙ୍କ ଅନୁସାରେ କହିଲେ- ଦୀର୍ଘ ଅର୍ଦ୍ଧଶତାବ୍ଦୀ ପରେ, ତାହାହିଁ ‘ସାରଳା ଦାସଙ୍କ ମହାଭାରତ’ର ବିକଳ୍ପ ଛାପା।

ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର