ଏହା ଏକ ଲଘୁ ଆଲୋଚନା। ଏଥିରୁ ତତ୍ତ୍ବ ଖୋଜିବା ନିରର୍ଥକ ହେବ।

କିଛି ଦିନ ତଳେ ଜଣେ ଛାତ୍ର-ବିରାଗୀ ଶିକ୍ଷକ ଓ ଜଣେ ପ୍ରଜା-ବିରାଗୀ ରାଜନେତାଙ୍କର ଦେହାନ୍ତ ହେଲା। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ସଂପର୍କରେ ଅନେକ ନକାରାତ୍ମକ ଟିପ୍ପଣୀ ଆସିଲା। ମାତ୍ର ଅନୁଗାମୀମାନେ ତାକୁ ପସନ୍ଦ ନକରି ଟିପ୍ପଣୀକର୍ତ୍ତାମାନଙ୍କୁ ଧିକ୍କାର କଲେ। ମୃତ ବ୍ୟକ୍ତିର ନିନ୍ଦାଗାନ ଅନୁଚିତ ବୋଲି ମତ ଦେଲେ। ଆମେ ଜୀବିତାବସ୍ଥାରେ ଯାହାକୁ ସର୍ବଦା ସମାଲୋଚନା କରି ତାର ନିନ୍ଦା ଗାନ କରିଥାଉ, ସେ ବ୍ୟକ୍ତିର ମୃତ୍ୟୁ ହେବାପରେ ଆମର ସ୍ବର ହଠାତ୍ ବଦଳିଯାଏ। ନିନ୍ଦାଗାନ ସବୁ ସ୍ତୁତିଗାନରେ ସ୍ବରାନ୍ତରିତ ହୁଏ। ଫୁଲମାଳ ଧରି ମୃତ ବ୍ୟକ୍ତିର ଶବାଧାର ନିକଟରେ ଆମେ ପହଞ୍ଚିଯାଉ। ଲୋକଟିର ପ୍ରଶଂସାରେ ଶତମୁଖ ହୋଇଉଠୁ। ସେତିକି ନୁହେଁ, ରାସ୍ତାରେ ଅଜଣା ଲୋକର ଶବଟିଏ ଶ୍ମଶାନକୁ ଯାଉଥିବାର ଦେଖିଲେ ଆମେ ସେ ଶବକୁ ସମ୍ମାନ ଜଣାଇ ନମସ୍କାର କରୁ। ଏପରି ଆଚରଣ କୌଣସି ଧର୍ମଦ୍ବାରା ମଧ୍ୟ ଅନୁମୋଦିତ ନୁହେଁ। ତଥାପି ଆମେ ଏପରି କରୁ କାହିଁକି? କାହାରିକୁ ନମସ୍କାର କରିବାର ବିଧି ମନ୍ତ୍ରଟି ହେଉଛି, “ତୁମ ଶରୀର ମଧ୍ୟରେ ଥିବା ଆତ୍ମାକୁ ମୋ ଆତ୍ମା ପ୍ରଣାମ କରୁଛି। ତୁମ ଭିତରେ ଥିବା ସତ୍ୟ, ଶାନ୍ତି, ସୌନ୍ଦର୍ଯ୍ୟ, ପ୍ରେମ ଓ ଆଲୋକକୁ ମୁଁ ନମସ୍କାର କରୁଛି। କାରଣ ମୁଁ ମଧ୍ୟ ଏସବୁର ଅଧିକାରୀ, ତେଣୁ ଆମେ ଦୁହେଁ ଏକ ଓ ଅଭିନ୍ନ।” ଆମେ ପ୍ରଣିପାତ କରୁଥିବା ଶବଟି ମଧ୍ୟରେ ଏସବୁ ଆଉ ବାକି ରହିଥାଏ କି? ଆମ ମନର ସମ୍ମାନବୋଧ କେବଳ ଜୀବିତଙ୍କ ପାଇଁ। ମୃତ ବ୍ୟକ୍ତି ସାମନାରେ କେବଳ ପଡ଼ି ରହିଥାଏ ତା ଜୀବନ କାଳର ସତ୍ୟତା। ସେ ସତ୍ୟତାକୁ, ତଥା ତାର ସମସ୍ତ ନକାରାତ୍ମକ ଚରିତ୍ରକୁ ଭୁଲିଯାଇ ମୃତ ବ୍ୟକ୍ତିଟିର କେବଳ ଭଲ ଗୁଣର ଚର୍ଚ୍ଚା ହୁଏ କାହିଁକି? କୌଣସି ରାଜନେତାଙ୍କର ମୃତ୍ୟୁ ହେଲେ ତାଙ୍କର ନିକଟ ସଂପର୍କୀୟଙ୍କୁ ବିନା ବିଚାରରେ ଲୋକେ ଅନୁକମ୍ପା ଭୋଟ ଦେଇ ନିର୍ବାଚନ ଜିତାଇ ଦିଅନ୍ତି। ମୃତକଙ୍କ ପ୍ରତି ଆମର ଏ ଦ୍ବୈତ ଆଚରଣ ପଛରେ ଥିବା କାରଣ ଖୋଜିବା କେବଳ କୁଜ୍‌ଝଟିକା ସନ୍ତରଣ ହେଲେ ମଧ୍ୟ ଆମେ ଏହାକୁ ବିଶ୍ଳେଷଣ କରିବା।

Advertisment

ମନୁଷ୍ୟ ସ୍ବଭାବତଃ ଅନ୍ୟର ଛିଦ୍ର ଖୋଜି ବୁଲୁଥିବା ପ୍ରାଣୀ। ଜୀବିତ ବ୍ୟକ୍ତି ପଛରେ ଥାଇ ସର୍ବଦା ଆମେ ଏହି କାମରେ ଲାଗିଥାଉ। ମୃତ୍ୟୁ ପରେ ଲୋକଟି ଠାରୁ ନିଜ ସ୍ବାର୍ଥ ପ୍ରତି ଆଉ କୌଣସି ବିପଦ ନଥାଏ। ତେଣୁ ତାର ଦୁର୍ଗୁଣ ଖୋଜିବା ଆବଶ୍ୟକ ହୁଏନି। ଏବେ ଦରକାର ପଡ଼େ ପ୍ରଶଂସା ମାଧ୍ୟମରେ ନିଜର ପୂର୍ବ ଛବି ସୁଧାରିବା। କୁହାଯାଏ ଯେ ଅନ୍ୟ ପ୍ରତି ସେଇ ବ୍ୟବହାର ଦେଖାଅ ଯାହା ଅନ୍ୟଠାରୁ ପାଇଲେ ତୁମେ ଖୁସି ହେବ। ଏକଥାଟି ଆମର ସ୍ମରଣ ହୁଏ ଲୋକଟିର ମୃତ୍ୟୁ ହେବାପରେ। ପ୍ରକୃତରେ ମୃତ ବ୍ୟକ୍ତିର ନିନ୍ଦା ପକ୍ଷାଘାତ ରୋଗୀକୁ ପ୍ରହାର କରିବାପରି, ଯାହାର ପ୍ରତିବାଦ ସେ କରିପାରିବନି। ଏପରି ଏକ ଅବସ୍ଥାରେ କାହାରିକୁ କଟୁକ୍ତି କରି ତା ପରିବାର ମନରେ କଷ୍ଟ ଦେବା ଆମେ ଚାହିଁ ନଥାଉ। ମାନବିକତା ପ୍ରତି ସମ୍ମାନର ଏକ ଅଂଶ ହେଉଛି ମୃତ ବ୍ୟକ୍ତି ପ୍ରତି ସମ୍ମାନ। କାରଣ, ଆମେ ସମସ୍ତେ ଗୋଟିଏ ମାନବ ସମାଜର ସଦସ୍ୟ ଓ ମୃତ ବ୍ୟକ୍ତିର ସେ ସଦସ୍ୟତା ତା ମୃତ୍ୟୁ ସହିତ ସମାପ୍ତ ହୋଇଗଲା। ଶବଟି ପାଖରେ ଯେହେତୁ ଆଉକିଛି ସଜ୍ଞାନାତ୍ମକ ଓ ଭାବନାତ୍ମକ ଚେତନାର ଅବଶେଷ ନଥାଏ, ତାକୁ ସମ୍ମାନ ଦେଇ ଆମେ ନିଜେ ହିଁ ସମ୍ମାନିତ ହୋଇଥାଉ ଓ ନିଜ ପାଇଁ ସେଇ ଏକା ବ୍ୟବହାର ଅନ୍ୟଠାରୁ ସୁନିଶ୍ଚିତ କରିନେଉ। ଜୀବ ଜଗତ ପାଇଁ ମୃତ୍ୟୁ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ତାହା ଜାଣିବା ସତ୍ତ୍ବେ ମଧ୍ୟ କାହାରି ମୃତ୍ୟୁ ଆମକୁ ମାନସିକ ଆଘାତ ଦେଇଥାଏ। ଅନାଗତ ମୃତ୍ୟୁର ଭୟ ମନକୁ ଆଚ୍ଛନ୍ନ କରେ। ସାମନାରେ ଆମେ ଦେଖୁ କିଛିକ୍ଷଣ ପୂର୍ବରୁ ଜୀବିତ ଥିବା ବ୍ୟକ୍ତିଟି ମୃତ୍ୟୁର କୋଳରେ ଶୋଇପଡ଼ିଛି। ଗୋଟିଏ ସ୍ଥାନରେ ଆମେ ସେ ବ୍ୟକ୍ତି ଓ ସ୍ବୟଂ ମୃତ୍ୟୁକୁ ଏକାଠି ଦେଖି ଡରିଯାଉ ଓ ମୃତ ବ୍ୟକ୍ତିକୁ ନୁହେଁ, ମୃତ୍ୟୁକୁ ହିଁ ନମସ୍କାର କରୁ ଓ ପୁଷ୍ପଗୁଚ୍ଛ ଅର୍ପଣ କରୁ।

ଅନ୍ୟ ଏକ କାରଣ ହେଲା, ସମ୍ମାନ ସର୍ବଦା ନୈତିକତା ସହିତ ସଂପର୍କିତ। ମନୁଷ୍ୟର ଭଲ ସ୍ବଭାବ, ଯଥା: ସଚ୍ଚୋଟତା, ବୁଦ୍ଧିମତ୍ତା, ଦୟାଭାବ, ପୌରୁଷ ଓ ପ୍ରତିଭା ଇତ୍ୟାଦି ଗୁଣ ସ୍ବତଃ ଅନ୍ୟଠାରୁ ପ୍ରଶଂସା ଓ ସମ୍ମାନ ହାସଲ କରିଥାଏ। ମୃତ ବ୍ୟକ୍ତିଟି ପାଖରେ ଏସବୁ ଗୁଣ ଆଉ ବାକି ନଥିଲେ ମଧ୍ୟ ଜୀବିତମାନଙ୍କ ପାଖରେ ଥାଏ। ଆମ ଭିତରେ ଥିବା ସେଇ ଗୁଣର ପ୍ରଭାବରୁ ମୃତ ବ୍ୟକ୍ତିଟି ଏବେ କେବଳ ମାଟି ପିଣ୍ଡଟିଏ ହେଲେ ମଧ୍ୟ ଆମେ ତାକୁ ଜୀବିତଙ୍କ ପରି ସମ୍ମାନ ଦେଇଥାଉ। କିଏ କହେ ଜୀବନ ଗୋଟିଏ ଦୀପ ପରି? ପ୍ରକୃତରେ ମୃତ୍ୟୁ ହିଁ ଗୋଟିଏ ଦୀପ ଏବଂ ଜୀବନଟା ଅନ୍ଧକାର। ସେ ଦୀପ ଖାଲି ଯେ ଅନ୍ଧାରକୁ ଅବଜ୍ଞା କରେ ତାହା ନୁହେଁ, ଅନ୍ଧାରର ତାତ୍ପର୍ଯ୍ୟ ମଧ୍ୟ ବୁଝାଇଥାଏ। ସେ ତାତ୍ପର୍ଯ୍ୟର ସନ୍ତକ ହେଉଛି ଶବ ବେକରେ ଝୁଲୁଥିବା ଫୁଲମାଳ। ଏସବୁ ଦୃଷ୍ଟିରୁ ଦେଖିଲେ ‘ଆର୍‌.ଆଇ.ପି.’ର ଅର୍ଥ ଆଉ ‘ରେଷ୍ଟ ଇନ୍ ପିସ୍’ ବା ‘ଶାନ୍ତିରେ ବିଶ୍ରାମ ନିଅ’ ନହୋଇ ‘ରେଷ୍ଟ ଇନ୍ ପ୍ରେଜ୍’ ବା ‘ପ୍ରଶଂସାର ସହିତ ବିଶ୍ରାମ ନିଅ’ ହୋଇଯିବା ଉଚିତ। ଜୀବିତାବସ୍ଥାରେ ପ୍ରଶଂସା ପାଇବାର ସରଳ ଉପାୟ ହେଲା, ନିଜର ଏକ ମୃତ୍ୟୁ ଲେଖ ଗଣମାଧ୍ୟମରେ ପ୍ରକାଶ କରି ଦିଅନ୍ତୁ।

ପ୍ରସଙ୍ଗ ସଂପର୍କିତ ଏକ ଯୁକ୍ତିଯୁକ୍ତ କାରଣ ଡଚ୍ ଲେଖିକା ଆନି ଫ୍ରାଙ୍କ୍‌ଙ୍କର ‘ଡାଏରି ଅଫ୍ ଏ ୟଙ୍ଗ୍ ଗାର୍ଲ’ ବହିର ଗୋଟିଏ ପଂକ୍ତିରେ ନିହିତ ଅଛି: “ମୃତ ବ୍ୟକ୍ତି ଜୀବିତଙ୍କ ଠାରୁ ଅଧିକ ଫୁଲମାଳ ପାଇଥାଏ, କାରଣ କୃତଜ୍ଞତା ଠାରୁ ଅନୁତାପର ଶକ୍ତି ଅଧିକ।”

ମୋ: ୯୩୩୭୬୪୮୬୩୮