‘ସରପଞ୍ଚ ପତି’ ପ୍ରଥାର ଅନ୍ତ କେବେ?

ସରଳ ବିଚାର - ସରଳ କୁମାର ଦାସ

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ରାଜନୈତିକ କର୍ମୀ ତାଙ୍କ ସହ ସାକ୍ଷାତରେ ନିଜକୁ କିପରି ‘ଏସ୍‌ପି’ ବା ‘ସରପଞ୍ଚ ପତି’ ଭାବେ ପରିଚିତ କରାଇଥିଲେ, ତା’ର ଏକ ରୋଚକ ଉଦାହରଣ ଦେବା ସହ ‘ସରପଞ୍ଚ ପତି’ମାନେ ନିର୍ବାଚିତ ମହିଳା ସରପଞ୍ଚଙ୍କ କାର୍ଯ୍ୟକ୍ଷେତ୍ରରେ ଦଖଲ ଦେଇ ଅବାଞ୍ଛିତ ପ୍ରଭାବ ବିସ୍ତାର କରୁଥିବାରୁ ତୁରନ୍ତ ଏହି ପ୍ରଥାର ଅନ୍ତ ହେବା ଆବଶ୍ୟକ ବୋଲି କହିଥିଲେ। ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଏହି ପ୍ରଥାର ପରିସମାପ୍ତି ହେବା ତ ଦୂରର କଥା ବରଂ ଏହା ଭିନ୍ନ ଭିନ୍ନ କୁତ୍ସିତ ରୂପରେ ଦେଖିବାକୁ ମିଳୁଛି। ଏପରିକି ବିଜେପି ଶାସିତ ମଧ୍ୟ ପ୍ରଦେଶର ସାଗର, ପନ୍ନା, ଧାର, ରେୱା ଆଦି ଜିଲ୍ଲାରେ ନବଗଠିତ ପଞ୍ଚାୟତ ପାଇଁ ନିର୍ବାଚିତ ମହିଳା ସରପଞ୍ଚମାନଙ୍କ ମଧ୍ୟରୁ ଅନେକେ ନିଜେ ଶପଥ ଗ୍ରହଣ ନ କରି ସେମାନଙ୍କ ବାପା, ଭିଣୋଇ, ସ୍ୱାମୀ, ଶ୍ୱଶୁର ଆଦି ଶପଥ ଗ୍ରହଣ କରୁଥିବାର ଚିତ୍ରମାନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗଣତନ୍ତ୍ରର ଏହି ବିକୃତ ରୂପ ଅନେକଙ୍କୁ ଲଜ୍ଜିତ କରିଛି। ଏହି ପ୍ରଥାଟି ମହିଳାମାନଙ୍କ ରାଜନୈତିକ ସଶକ୍ତୀକରଣର ବାଟ ଓଗାଳୁଥିବାରୁ ସେ ନେଇ ବିଭିନ୍ନ ସ୍ତରରେ ଗମ୍ଭୀର ଚିନ୍ତନର ଆବଶ୍ୟକତା ରହିଛି।

ଜାତିସଂଘ ଦ୍ୱାରା ପ୍ରଣୀତ ‘ସତତ ବିକାଶ ଲକ୍ଷ୍ୟ’ (ଏସ୍‌ଡିଜିରେ ରାଜନୈତିକ ନୀତି ନିର୍ଦ୍ଧାରଣ ଓ ନିଷ୍ପତ୍ତି ଗ୍ରହଣରେ ମହିଳାଙ୍କ ଭାଗିଦାରି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇ ଯେଉଁ ଦୁଇଟି ସୂଚକକୁ ସ୍ଥାନିତ କରାଯାଇଛି, ସେଗୁଡ଼ିକ ହେଲା ୫.୫.୧ (କ) ସୂଚକରେ ଦେଶର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଓ ୫.୫.୧ (ଖ) ସୂଚକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ୱ। ସାରା ବିଶ୍ୱରେ ସ୍ଥାନୀୟ ସ୍ୱାୟତ୍ତ ଶାସନରେ ମହିଳାଙ୍କ ପ୍ରତିନିଧିତ୍ୱର ସ୍ଥିତିକୁ ଦର୍ଶାଇ ଜାତିସଂଘର ‘ୟୁଏନ ୱିମେନ’ ଅନୁଷ୍ଠାନ ତରଫରୁ ଡିସେମ୍ୱର ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଏହି ତଥ୍ୟ ଉପଲବ୍‌ଧ ୧୩୩ଟି ଦେଶରେ ଥିବା ପ୍ରାୟ ୬୦ ଲକ୍ଷ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୨୨ ଲକ୍ଷ ବା ପ୍ରାୟ ୩୬% ମହିଳା ସଦସ୍ୟ ଅଟନ୍ତି। ଏହି ଦେଶଗୁଡ଼ିକ ମଧ୍ୟରୁ ୨୦ଟି ଦେଶରେ ମହିଳାଙ୍କ ପ୍ରତିନିଧିତ୍ୱ ୪୦%ରୁ ଅଧିକ ହୋଇଛି। ଭାରତ ୪୪% ପ୍ରତିନିଧିତ୍ୱ ସହ ସେହି ତାଲିକାର ଦ୍ୱାଦଶ ସ୍ଥାନରେ ରହିବା ଗର୍ବର ବିଷୟ। ଏ କ୍ଷେତ୍ରରେ ଭାରତ ଅଧିକାଂଶ ବିକଶିତ ଦେଶଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି। ପ୍ରାୟ ୬୭ ପ୍ରତିଶତ ମହିଳା ପ୍ରତିନିଧିତ୍ୱ ସହ ଆଣ୍ଟିଗୁଆ ଓ ବାର୍ବୁଡା ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। କେତେକ ଦେଶରେ ଆଇନ ପ୍ରଣୟନ ମାଧ୍ୟମରେ ଓ ଅନ୍ୟ କେତେକ ଦେଶରେ ନିର୍ବାଚନୀ ପ୍ରକ୍ରିୟା ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ୱକୁ ପୁରୁଷଙ୍କ ସମତୁଲ କରିବାକୁ ଚେଷ୍ଟା କରାଯାଉଥିବାରୁ ମହିଳାଙ୍କ ପ୍ରତିନିଧିତ୍ୱ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

୧୯୯୨ରେ ହୋଇଥିବା ୭୩ତମ ସମ୍ୱିଧାନ ସଂଶୋଧନରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ଆରକ୍ଷଣର ପ୍ରାବଧାନ ପରେ ଭାରତର ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବାକୁ ଲାଗିଲା। ୨୦୦୯ରେ ହୋଇଥିବା ୧୧୦ତମ ସମ୍ୱିଧାନ ସଂଶୋଧନରେ ଏହି ଆରକ୍ଷଣକୁ ୫୦%କୁ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟରେ ମହିଳାମାନଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ଆସନ ଆରକ୍ଷଣର ବ୍ୟବସ୍ଥା ରହିଛି। ୨୦୦୩ରେ ‘ମାସାଚୁସେଟ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି’ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଅନୁସାରେ ପ୍ରାୟ ୪୩% ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ସେମାନଙ୍କ ସ୍ୱାମୀ କାର୍ଯ୍ୟରେ ସହାୟତା କରୁଥିବାର ଜଣାପଡ଼ିଥିଲା। ପରିବାର ସଦସ୍ୟମାନେ କାର୍ଯ୍ୟରେ ସହଯୋଗ କରିବା ସ୍ୱାଗତଯୋଗ୍ୟ, କିନ୍ତୁ ନିଜେ କ୍ଷମତା ଉପଭୋଗ କରିବାର ଲାଳସା ରଖି ଏପରି କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳୁଛି, ଯେଉଁଠି ମହିଳାଙ୍କ ପାଇଁ ଆରକ୍ଷିତ ଆସନରେ ଲଢ଼ିବା ପାଇଁ ପରିବାରର ବୋହୂକୁ ତ ବାଧ୍ୟ କରାଯାଉଛି, ହେଲେ ନିର୍ବାଚିତ ହେବା ପରେ କର୍ତ୍ତବ୍ୟ ନିର୍ବହଣ ଲାଗି ଲୋକଙ୍କ ସହିତ ବା ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବି ଅନୁମତି ଦିଆଯାଉନାହିଁ। ମଧ୍ୟ ପ୍ରଦେଶର ରତଲାମଠାରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ନିର୍ବାଚନର ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ନିର୍ବାଚିତ ମହିଳାଙ୍କ କ୍ଷମତାକୁ ଉପଭୋଗ କରିବାକୁ ନିଜର ଅଧିକାର ବୋଲି ଧରି ନେଇଥିଲେ। ସେହିପରି ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଜଣେ ମହିଳା ସରପଞ୍ଚ ଜୁଡିସିଆଲ ଷ୍ଟାମ୍ପ୍‌ ପେପରରେ ‘ପାୱାର ଅଫ ଆଟୋର୍ନି’ ଜରିଆରେ ତାଙ୍କ କ୍ଷମତା ହସ୍ତାନ୍ତର କରିଥିବାର ଏକ ଘଟଣା ମଧ୍ୟ ସାମନାକୁ ଆସିଥିଲା। ତେବେ ଏହି ‘ସରପଞ୍ଚ-ପତି’ମାନେ ନିଜକୁ ‘ସମାଜସେବୀ’ ବୋଲି ପରିଚିତ କରାଉଥିବା ଦେଖିବାକୁ ମିଳିଥାଏ।

ମହିଳା ସରପଞ୍ଚଙ୍କ ସ୍ଥାନରେ ତାଙ୍କ ବାପା, ଭାଇ, ସ୍ୱାମୀ, ଶ୍ୱଶୁର, ପୁଅ ଆଦି ପୁରୁଷ ସଦସ୍ୟମାନେ ପ୍ରତିନିଧି ରୂପେ ସରକାରୀ ମିଟିଂ ଓ କାର୍ଯ୍ୟକ୍ରମରେ ଯୋଗ ଦେବା ଏକ ସାଧାରଣ ଘଟଣା। ତେବେ ନିକଟରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ କ୍ରମରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ଯୋଗଦାନକୁ ଯେ କେବଳ ଅନିବାର୍ଯ୍ୟ କରାଯାଇଛି ତାହା ନୁହେଁ, ସେମାନଙ୍କ ସ୍ଥାନରେ ସେମାନଙ୍କର କୌଣସି ପୁରୁଷ ପ୍ରତିନିଧି ଅଂଶ ଗ୍ରହଣ କରିବାକୁ ଦଣ୍ଡନୀୟ କରାଯାଇଛି। ଅବଶ୍ୟ ଏଥି ପୂର୍ବରୁ ୨୦୨୦ରେ ରାଜସ୍ଥାନ ସରକାର ମଧ୍ୟ ଏକ ଅନୁରୂପ ଆଇନ ପ୍ରଣୟନ କରିଥିଲେ। ‘ଏନ୍‌.ସି.ଏ.ଇ.ଆର୍‌.’ ସଂସ୍ଥା ଦ୍ୱାରା ୨୦୧୦ରେ ଆୟୋଜିତ ଏକ ଅଧ୍ୟୟନରେ ମହିଳା ସରପଞ୍ଚ ଥିବା ପଞ୍ଚାୟତଗୁଡ଼ିକରେ ମହିଳାଙ୍କ ଭାଗୀଦାରି ବୃଦ୍ଧି ପାଉଥିବା ଓ ମହିଳା ସମସ୍ୟା ସମ୍ପର୍କିତ ନୀତି ଅଧିକ ଧ୍ୟାନ ଆକର୍ଷଣ କରୁଥିବା ପରିଲକ୍ଷିତ ହୋଇଥିବା ବିଷୟରେ ଦର୍ଶାଯାଇଛି। ପୁଣି ଯେଉଁ ପଞ୍ଚାୟତଗୁଡ଼ିକରେ ମହିଳାମାନେ ସିଧାସଳଖ ଦାୟିତ୍ୱ ନିର୍ବାହ କରନ୍ତି, ସେଠାରେ ସ୍କୁଲ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପରିମଳ, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ବିକାଶ ଗୁରୁତ୍ବ ପାଉଥିବା ଦେଖାଯାଉଛି। ‘ଆପ୍‌’ ଦଳର ରାଜନୀତି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି ମୌଳିକ ସମସ୍ୟା ଉପରେ ଗୁରୁତ୍ବ ଦେଉଥିବାରୁ ମହିଳାମାନଙ୍କୁ ପ୍ରକୃତ ଅର୍ଥରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜନୈତିକ ରୂପେ ସଶକ୍ତ କରିବା ଲାଗି ପଞ୍ଜାବ ସରକାରଙ୍କ ତତ୍ପରତା ପ୍ରକାଶ ପାଇବା ସ୍ୱାଭାବିକ।

ମହିଳାଙ୍କ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ସୁନିଶ୍ଚିତ କରିବା ପାଇଁ କେବଳ ଦଣ୍ଡର ପ୍ରାବଧାନ ଯଥେଷ୍ଟ ନୁହେଁ। ପରିବାରର ପୁରୁଷ ସଦସ୍ୟଙ୍କ ହସ୍ତକ୍ଷେପ ନ ଥାଇ ମଧ୍ୟ କେତେକ କ୍ଷେତ୍ରରେ ମହିଳା ସରପଞ୍ଚମାନେ ପ୍ରଭାବୀ ହୋଇପାରି ନ ଥାଆନ୍ତି। ପଞ୍ଚାୟତର ନିୟମ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଜ୍ଞାନର ଅଭାବ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପଞ୍ଚାୟତ ସମ୍ପାଦକଙ୍କ ଅଯଥା ହସ୍ତକ୍ଷେପ ଆଦି ମଧ୍ୟ ସେମାନଙ୍କ କାର୍ଯ୍ୟ ସଂପାଦନରେ ବାଧକ ସାଜିଥାଏ। ସେଥିପାଇଁ ସେମାନଙ୍କୁ ନିୟମିତ ଭାବେ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କୁ ସଚେତନ କରିବା ସହିତ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି। ସ୍ଥଳ ବିଶେଷରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ମହିଳା ସରପଞ୍ଚମାନେ ନିଜକୁ ଏକୁଟିଆ ଅନୁଭବ କରନ୍ତି। ଏଭଳି ସରପଞ୍ଚଙ୍କୁ ଉଚିତ ପରାମର୍ଶ ଦେଇ ଉତ୍ସାହିତ ଓ ସାହସ ପ୍ରଦାନ କରିବା ଲାଗି କିଛି ଅଭିଜ୍ଞ ମହିଳା ରାଜନୀତିଜ୍ଞଙ୍କୁ ନେଇ ସହାୟତା ପ୍ରଦାନକାରୀ ସମୂହମାନ ଗଠନ କରାଯିବା ଆବଶ୍ୟକ। କାର୍ଯ୍ୟ କ୍ଷେତ୍ରରେ ଦୁର୍ବଳ ମହିଳା ସରପଞ୍ଚମାନଙ୍କୁ ଚିହ୍ନଟ କରି ସେମାନଙ୍କ ହାତ ଧରି ଆଗେଇ ନେବା (ହ୍ୟାଣ୍ଡହୋଲଡିଂ) ପାଇଁ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯିବା ଆବଶ୍ୟକ। ପଞ୍ଚାୟତକୁ ଯେଉଁ ବିପୁଳ ପରିମାଣର ଆର୍ଥିକ ସହାୟତା ମିଳୁଛି, ତାର ସୁପରିଚାଳନା ପାଇଁ ମହିଳା ସରପଞ୍ଚମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ନ ହେଲେ ତାହା ବ୍ୟାପକ ଦୁର୍ନୀତିକୁ ପ୍ରଶ୍ରୟ ଦେବ।

ଗତ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି; ହେଲେ ତାହା ମନ୍ଥର। କର୍ପୋରେଟ ଚାକିରି ଛାଡ଼ି ରାଜସ୍ଥାନର ସୋଦା ପଞ୍ଚାୟତର ସରପଞ୍ଚ ହୋଇଥିବା ଛବି ରଣାୱତ ହୁଅନ୍ତୁ ଅଥବା ସେହି ରାଜସ୍ଥାନର ରାଧା ଦେବୀ ଓ ନୌରତି ଦେବୀ ବା ଗୁଜରାଟର ମୀନା ବେହନ ଓ ହୀନା ପଟେଲ ଅଥବା ମଧ୍ୟପ୍ରଦେଶର ବନ୍ଦନା ବାହାଦୁର ମୈଦା ଓ ଭକ୍ତି ଶର୍ମା ବା ହରିଆଣାର ସୁଷମା ଭୋଦୁ କିମ୍ବା ଓଡ଼ିଶାର ଧନୁକାପଡ଼ା ଗାଁର ଆରତୀ ଦେବୀ ଅଥବା ତେଲେଙ୍ଗାନାର ଅତରାମ ପଦ୍ମା ବାଈ: ଏମାନେ ସମସ୍ତେ ନିଜ ନିଜ ଅଞ୍ଚଳରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ସରପଞ୍ଚ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷିତ ବା ଉଚ୍ଚଶିକ୍ଷିତ। ତେବେ ସାଧାରଣ ପରିବାରର ମହିଳାମାନେ ବି ନିଜ ନିଜ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିବା ଦେଖିବାକୁ ମିଳେ। ଏହିଭଳି ମହିଳା ସରପଞ୍ଚଙ୍କ ସଫଳତାର କାହାଣୀ ଯେତେ ଅଧିକ ହେବ, ମହିଳାଙ୍କ ରାଜନୈତିକ ସଶକ୍ତୀକରଣ ପ୍ରକ୍ରିୟା ସେତେ ତ୍ୱରାନ୍ୱିତ ହେବ।

‘ସରପଞ୍ଚ-ପତି’ ପ୍ରଥାଟି କେବଳ ଯେ ଗ୍ରାମାଞ୍ଚଳରେ ସୀମିତ, ତାହା ନୁହେଁ। ସହରାଞ୍ଚଳର ପୌରାନୁଷ୍ଠାନଗୁଡ଼ିକରେ ମଧ୍ୟ ଏହି ପ୍ରଥା ବ୍ୟାପକ ଭାବେ ଦୃଶ୍ୟମାନ। କର୍ପୋରେଟର, ୱାର୍ଡ‌୍‌ ମେମ୍ୱରଙ୍କଠାରୁ ଆରମ୍ଭ କରି ଚେୟାରମ୍ୟାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦ ପାଇଁ ନିର୍ବାଚିତ ମହିଳାଙ୍କ ସ୍ଥାନରେ ସେମାନଙ୍କ ପରିବାରର ପୁରୁଷ ସଦସ୍ୟ ପ୍ରତିନିଧିତ୍ୱ କରୁଥିବା ଦେଖାଯାଏ। ଅର୍ଥାତ୍ ଆମ ପିତୃତାନ୍ତ୍ରିକ ସମାଜ ବ୍ୟବସ୍ଥା ମହିଳାଙ୍କ ଶାସନ କ୍ଷମତା ଦଖଲକୁ ଗ୍ରହଣ କରି ନ ପାରି ଯେନତେନ ପ୍ରକାରେଣ କ୍ଷମତାକୁ ଜାବୁଡ଼ ଧରିବାର ଅପଚେଷ୍ଟା କରୁଥିବାରୁ ଏଭଳି ହେଉଛି। ଅନ୍ୟ ପକ୍ଷରେ ନିଜ ପାରିବାରିକ ଓ ସାମାଜିକ ମର୍ଯ୍ୟାଦାକୁ ଅତୁଟ ରଖିବା ଲାଗି ବା ଅନ୍ୟ କାରଣରୁ ମହିଳାମାନେ ମଧ୍ୟ ନିଜ ଅଧିକାରକୁ ସାବ୍ୟସ୍ତ କରିବା ପରିବର୍ତ୍ତେ ପ୍ରଦତ୍ତ କ୍ଷମତାକୁ ପରିବାରର ପୁରୁଷ ସଦସ୍ୟଙ୍କୁ ହସ୍ତାନ୍ତର କରିବାକୁ ଶ୍ରେୟସ୍କର ମଣୁଛନ୍ତି।

ମହିଳାମାନଙ୍କ ଏକ-ତୃତୀୟାଂଶ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରି ୩୦ ବର୍ଷ ତଳେ ସମ୍ୱିଧାନ ସଂଶୋଧନ କରାଯାଇ ଆଇନ ପ୍ରଣୀତ ହୋଇଥିଲେ ମଧ୍ୟ ବିଡ଼ମ୍ବନା ହେଲା ଆଜି ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଅସମର୍ଥ ଅସଂଖ୍ୟ ମହିଳା ସରପଞ୍ଚ ନାମହୀନ ଭାବେ କାହାର ସ୍ତ୍ରୀ ବା କାହାର ବୋହୂ ଭାବେ ପରିଚିତ ହେଉଛନ୍ତି। ସରକାରୀ ସ୍ତରରେ ‘ସରପଞ୍ଚ ପତି’ ପ୍ରଥାର ଉଚ୍ଛେଦ ଲାଗି ସେପରି କୌଣସି ଆନ୍ତରିକ ଉଦ୍ୟମ ହେଉ ନଥିବାରୁ ଜନସାଧାରଣ ଏହାକୁ ଏକ ବାସ୍ତବତା ରୂପେ ଗ୍ରହଣ କରିସାରିଲେଣି। ଏହା ଦ୍ୱାରା କର୍ମୀମାନଙ୍କୁ ପରୋକ୍ଷରେ ସନ୍ତୁଷ୍ଟ କରି ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ଏହି ପ୍ରଥାର ପରିସମାପ୍ତି ପାଇଁ ମୁଖର ହେବେ ବୋଲି ଆଶା କରିବା ବୃଥା। ଫଳରେ ଭାରତୀୟ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଏହା ଏକ କଳଙ୍କ ସଦୃଶ କାୟା ବିସ୍ତାର କରୁଛି। ଏ ଭଳି ‘ଅନୁପସ୍ଥିତ ପ୍ରତିନିଧିତ୍ୱ’ ଯୋଗୁଁ ବିଶ୍ୱ ଦରବାରରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ସନ୍ଦେହାସ୍ପଦ ହୋଇପଡୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଗୁଡ଼ିକ କଡ଼ା ନିୟମ କରି ତାହାର ଅନୁପାଳନ ସୁନିଶ୍ଚିତ କରିବା ଜରୁରୀ। ମହିଳା ସଶକ୍ତୀକରଣକୁ ଅଧିକ ଗୁରୁତ୍ବ ପ୍ରଦାନ କରୁଥିବା ଆମ ରାଜ୍ୟ ସରକାର ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର