ବାୟା ଚଢ଼େଇର କି ଯାଏ?

ଚିନ୍ମୟ ଚେତନା - ଚିନ୍ମୟ ହୋତା

କିଛି ଦିନ ତଳେ ଖବରକାଗଜ ପୃଷ୍ଠାରେ ଜଣେ ଉତ୍ତମ ସ୍ୱାସ୍ଥ୍ୟବାନ ମଧ୍ୟବୟସ୍କ ବ୍ୟକ୍ତିଙ୍କର ଦୋଳି ଖେଳୁଥିବାର ଚିତ୍ରଟିଏ ଦେଖି ମନରେ ବେଶ୍‌ କୌତୂହଳ ସୃଷ୍ଟି ହୋଇଥିଲା। ଭୁଲ୍‌ରେ ରଜ ସମୟର ଖବରକାଗଜଟିଏ ଉଠାଇ ଆଣିଲି କି? ହେଲେ ତାରିଖ ଯାଞ୍ଚ କରି ଜାଣିଲି ଯେ ଖବରକାଗଜଟି ସେହି ଦିନର ହିଁ ଥିଲା। ତେବେ ମନରେ ପ୍ରଶ୍ନ ଉଠିଲା ଅସମୟରେ ଏହି ଦୋଳି ଖେଳ ଚିତ୍ର ବା କାହିଁକି?

ଚିତ୍ର ସହ ସଂଲଗ୍ନ ଖବରଟି ପଢ଼ିବାରୁ ଜଣାପଡ଼ିଲା ମହାଶୟ ଜଣକ କୁଆଡ଼େ ଦୁଇ ମାସ ହେଲା ନିଜ ଦପ୍ତର ନ ଯାଇ ଘରେ ରହୁଛନ୍ତି ଓ ଦୋଳି ଖେଳି ନିଜର ଅବକାଶ ସମୟ ବିତାଉଛନ୍ତି। ଭଲ କଥା! କାର୍ଯ୍ୟ କ୍ଷେତ୍ରରେ ଛୁଟିର ବ୍ୟବସ୍ଥା ତ ଏଇଥି ପାଇଁ ଥାଏ ଯେ ଜଣେ କର୍ମଚାରୀ କାର୍ଯ୍ୟଜନିତ କ୍ଳାନ୍ତିର ଉପଶମ ପାଇଁ ନିଜ ଅର୍ଜିତ ଛୁଟି ନେଇ ଦେହ ଓ ମନକୁ ପ୍ରଫୁଲ୍ଲ ରଖିପାରିବେ। ଥରେ ଜନୈକ କର୍ମଚାରୀ ଛୁଟିର ଅନୁମୋଦନ ପାଇ ସାରି ଅଫିସ ଛାତ ଉପରେ ଗୁଡ଼ି ଉଡ଼ାଉଥିବାରୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଦଣ୍ଡିତ ହେବାକୁ ଯାଉଥିବା ବେଳେ ତାଙ୍କର ଶୃଙ୍ଖଳା ଜ୍ଞାନ ପାଇଁ ସର୍ବୋଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ। ହେଲେ ଆଜିର ଖବର କ୍ଷେତ୍ରରେ କଥାଟି ଥିଲା ଅଲଗା; ମହୋଦୟ କୁଆଡ଼େ ଛୁଟି ନ ନେଇ ଚିତ୍ତ ବିନୋଦନ କରୁଛନ୍ତି ବୋଲି ଖବରଟିରେ ଉଲ୍ଲେଖ ଥିଲା। କିନ୍ତୁ ଘଟଣାଟି ଏତେ ଅପ୍ରୀତିକର ହେବାର କାରଣ ବୋଧହୁଏ ଏଇୟା ଥିଲା ଯେ ଦୋଳାୟିତ ବ୍ୟକ୍ତି ଜଣକ ହେଲେ ସ୍ୱାସ୍ଥ୍ୟ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଓ ଦପ୍ତରରେ ତାଙ୍କର ଦୀର୍ଘ ଅନୁପସ୍ଥିତି ଯୋଗୁଁ ତାଙ୍କ ତଦାରଖରେ ଥିବା ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ସେବା ବାଧାପ୍ରାପ୍ତ ହେଉଥିଲା ଏବଂ ଅଧସ୍ତନମାନେ ନିଜର ଦରମା ଗଣ୍ଡାକରୁ ବଞ୍ଚିତ ହୋଇ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ।

ଖବରଟି ପଢ଼ି ସାରି ମୋର କିନ୍ତୁ ହୃଦ୍‌ବୋଧ ହେଲା ଯେ ଅଧିକାରୀ ଜଣକ ସମସ୍ତଙ୍କର ଚକ୍ଷୁଃଶୂଳ ହେବାର ପଛର କାରଣ ଥିଲା, ତାଙ୍କର ଏଇ ଦୋଳିରେ ଝୁଲିବା। କାର୍ଯ୍ୟକ୍ଷେତ୍ରରେ ତାଙ୍କର ଅବହେଳା ଓ ବିଶୃଙ୍ଖଳା ଏତିକି ଦୃଷ୍ଟିକଟୁ ହୋଇ ନ ଥାନ୍ତା, ଯଦି ତାଙ୍କର ଦୋଳି ଖେଳ ଚିତ୍ରଟିକୁ ସାମାଜିକ ଗଣମାଧ୍ୟମରେ ସଗର୍ବେ ପ୍ରକାଶିତ କରି ନଥାନ୍ତେ। ଜଣେ ନିଶ୍ଚିନ୍ତ ଓ ନିର୍ଲିପ୍ତ ଅବସ୍ଥାରେ ଝୁଲୁଥିବା କଥାଟିକୁ ଦୁନିଆରେ କେହି ସହଜରେ ବରଦାସ୍ତ କରି ପାରନ୍ତି ନାହିଁ। ଝୁଲୁଥିବା ଲୋକଟିର ଦୁଃଖ ବା କଷ୍ଟ ଥାଇ ନ ପାରେ, ହେଲେ ଚତୁର୍ଦ୍ଦିଗ ତ ଦୈନ୍ୟ ଓ ସଙ୍କଟରେ ଭରପୂର! ଜଣେ କେମିତି ସେ ସବୁକୁ ଦୃଷ୍ଟି ନ ଦେଇ ନିଜେ ସ୍ବଚ୍ଛନ୍ଦରେ ଝୁଲିପାରିବ? ଦୁନିଆର ଅନ୍ୟ ଦୁଃଖୀମାନଙ୍କ ପ୍ରତି ସମ୍ବେଦନଶୀଳ ନ ହେବା ହିଁ ଲୋକଟିର ଅପରାଧ। ରୋମ୍‌ ନଗରୀ ପୋଡ଼ି ଯାଉଥିବା ବେଳେ ନିରୋ ବେହେଲା ବଜାଇବା ଭଳି କଥା।

ଏହି ମନୋବୃତ୍ତିଟି ସୃଷ୍ଟି ହେବା ପଛରେ ରହିଛି ଛୋଟ ବାୟା ଚଢ଼େଇଟିଏର ଉଚ୍ଚ ଗଛ ଡାଳରେ ଝୁଲି ଝୁଲି ଦୋଳି ଖେଳିବାର ଅଭ୍ୟାସ। ‘ବାୟା ଚଢ଼େଇର କି ଯାଏ, ବାଆ ଦେଲେ ବସା ଦୋହଲୁ ଥାଏ!’: ଏହି ଉକ୍ତିଟି ପଛରେ ରହିଛି, ନିଜେ ସଙ୍କଟ ସହିତ ଯୁଝୁଥିବା ବେଳେ ଚଢ଼େଇଟି ବିପଦରୁ ଊର୍ଦ୍ଧ୍ୱରେ ଥାଇ ଆନନ୍ଦରେ ମାତି ଥିବାର ଦୃଶ୍ୟ ପ୍ରତି ମଣିଷର ଅସହିଷ୍ଣୁପଣିଆ ଓ ଈର୍ଷା ଭାବ।

ତେବେ ମନରେ ପ୍ରଶ୍ନ ଉଠେ ମଣିଷ ଯେତେବେଳେ ଜଣେ ଅନ୍ୟ ଜଣକୁ- ସିଏ ବାୟା ଚଢ଼େଇ ହେଉ କି ଅବକାଶ ମନାଉଥିବା ଡାକ୍ତର- ଏକୁଟିଆ ଦୋଳି ଖେଳୁଥିବା ଦେଖି ସହି ପାରେନାହିଁ, ତେବେ ସେ ନିଜେ ଝୁଲିବାକୁ ଏତେ ଭଲ ପାଏ କାହିଁକି? ମଣିଷ ଛୁଆ ଜନ୍ମି ପଡ଼ିବା ପରଠାରୁ ଝୁଲିବାରେ କି ମଜା ପାଏ କେଜାଣି, ଅସମ୍ଭାଳ ହୋଇ କାନ୍ଦୁଥିବା ବେଳେ ମା’ର କୋଳରେ କି ଝୁଲଣା ଶଯ୍ୟାରେ ଟିକିଏ ଝୁଲାଇ ଦେଲେ ତାର କାନ୍ଦ କୁଆଡ଼େ ଉଭେଇ ଯାଏ। ପୁଣି ବୃଦ୍ଧାବସ୍ଥା ଆସି ପହଞ୍ଚିଗଲେ ସେ ଝୁଲଣା ଚଉକି (ରକିଙ୍ଗ ଚେୟାର) ଟିଏ ଖୋଜେ ତାରି ଉପରେ ବସି ଦୋଳାୟିତ ଅବସ୍ଥାରେ ନିଜର ସ୍ମୃତି ରୋମନ୍ଥନ କରିବାକୁ। ଆଉ ସବା ଶେଷରେ ସେ ପାରିରୁ ଡାକ ଆସିଲେ ମଣିଷ ଅନ୍ୟମାନଙ୍କର କାନ୍ଧରେ ଝୁଲି ଝୁଲି ଚାଲିଯାଏ ତାର ଅନ୍ତିମ ଯାତ୍ରାରେ। ଜନ୍ମ ଆଉ ମୃତ୍ୟୁର ଏହି ବନ୍ଧନୀ ଭିତରେ ମଣିଷ ସାରା ଜୀବନ ଝୁଲିବା ପ୍ରତି ଦେଖାଏ ଅହେତୁକ ଦୁର୍ବଳତା। ରଜ ଆସିଗଲେ ଦୋଳି ଖେଳରେ ସେ ମଜ୍ଜିଯାଏ ଅଦମ୍ୟ ଉନ୍ମାଦନାରେ। ପୁଣି ତାର ପ୍ରିୟ କାଳିଆ ଠାକୁର ଝୁଲି ଝୁଲି ରଥକୁ ଯାଉଥିବା ବେଳେ ସେ ଝରାଏ ଆନନ୍ଦାଶ୍ରୁ, ଆଉ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତିକୁ ଦୋଳିରେ ଝୁଲାଇ ସେ ଅନୁଭବ କରେ ସ୍ବର୍ଗୀୟ ତୃପ୍ତି।

ଝୁଲିବା ନିଶାରେ ଆବିଷ୍ଟ ମଣିଷ ମେଳା ମଉଛବ ବେଳେ କିସମ କିସମର ଦୋଳି ଚଢ଼ିବା ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରେ, ମନୋରଞ୍ଜନ ପାର୍କ‌୍ଗୁଡ଼ିକରେ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯିବା ଭଳି ଉତ୍ତେଜନା ସୃଷ୍ଟି କରୁଥିବା ବିଶାଳକାୟ ଦୋଳିରେ ଚଢ଼େ, ପୁଣି ସର୍କସର ଶେଷ ଆଇଟମ, ଦୁଃସାହସିକ ଦୋଳି ଖେଳ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରେ। ଛିଡ଼ା ହୋଇଥିବା ହାତୀକୁ ଅଧିକ ଝୁଲିବା ପାଇଁ ‘ଝୁଲରେ ହାତୀ ଝୁଲ’ ବୋଲି ପ୍ରବର୍ତ୍ତାଏ ଆଉ ତରଙ୍ଗାୟିତ ପାଣିର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ‘ଦୋଳି ଖେଳଇ ପାଣିରେ ଭାଇ, ଦୋଳି ଖେଳଇ ପାଣି’ ଗୀତ ଗାଇ ଉଲ୍ଲସିତ ହୁଏ।

ଝୁଲିବାରେ ରୁଚି ରଖୁଥିବା ମଣିଷ କିନ୍ତୁ ବେଳେ ବେଳେ ‘ଝୁଲେଇ’ ରଖିବାର ପ୍ରବୃତ୍ତିର ଶିକାର ହୋଇପଡ଼େ। ମନ୍ତ୍ରୀ କିମ୍ବା ଅମଲାତନ୍ତ୍ରର ପୁରୋଧାମାନେ ଏହି ‘ଝୁଲେଇବା’ ପ୍ରକ୍ରିୟାର ବିଶେଷ ପୃଷ୍ଠପୋଷକ ସାଜି ପତିଆରା ଜାହିର କରନ୍ତି। ପୁଣି ଆଜିକାଲି ନିର୍ବାଚନମାନଙ୍କରେ ଝୁଲା ବିଧାନସଭାର ଦୃଷ୍ଟାନ୍ତ ବଢ଼ିବାରେ ଲାଗିଛି। ବାସ୍ତବିକ ଏକ ଝୁଲନ୍ତ ଶାସନ ବ୍ୟବସ୍ଥା ଅନେକଙ୍କୁ ସୁହାଏ।

ସେ ଯାହା ବି ହେଉ ଖବରକାଗଜ ପୃଷ୍ଠାରେ ଝୁଲୁଥିବା ଡାକ୍ତରଙ୍କ ନିଜର ଦାୟିତ୍ୱ ପ୍ରତି ତଥାକଥିତ ଅବହେଳା ପ୍ରଦର୍ଶନର କାରଣ ଉପରିସ୍ଥ ଅଧିକାରୀଙ୍କ ଠାରେ ଝୁଲନ୍ତ ଅବସ୍ଥାରେ ପଡ଼ି ରହିଥିବା ତାଙ୍କର କିଛି ଦାବି ହୋଇପାରେ। ସେ ଦିଗକୁ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଲେ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଝୁଲନ୍ତ ଅବସ୍ଥାରେ ରହିଥିବ ଓ ଡାକ୍ତର ମହୋଦୟ ଅନେକ କାଳ ଯାଏଁ ଦୋଳି ଖେଳର ମଜା ଉଠାଉ ଥିବେ। ସତରେ, ବାୟା ଚଢ଼େଇର କି ଯାଏ?

ମୋ:୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର