ଏବେ ସାରା ପାକିସ୍ତାନର ଏକ-ତୃତୀୟାଂଶ ବନ୍ୟା ଜଳରେ ବୁଡ଼ି ରହିଛି। ଏତିକି ବେଳେ ପାକିସ୍ତାନର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ ଏ ଦେଶ ଗତ କେତେ ବର୍ଷ ହେଲା ଆନ୍ତର୍ଜାତିକ ମୁଦ୍ରା କୋଷ (ଆଇ.ଏମ୍‌.ଏଫ୍‌.) ଠାରୁ ୬୦୦ କୋଟି ଡଲାର ଋଣ ପାଇଁ ଅତି ଆକୁଳ ନିବେଦନ କରୁଛି। କେମିତି ଏହି ଋଣ ସହଜରେ ମିଳୁ ସେଥିପାଇଁ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଆମେରିକା ଯାଇ ସେଠାକାର ବରିଷ୍ଠ ଅଧିକାରୀମାନଙ୍କୁ ଏହି ଋଣ ରାସ୍ତା ପରିଷ୍କାର କରିବାକୁ ଆବେଦନ କରୁଛନ୍ତି। ଏତିକି ବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଭାଷାରେ “ପାକିସ୍ତାନର ଲୋକମାନେ କେବଳ ଷ୍ଟିରୋଏଡ୍‌ ଖାଇ ବନ୍ୟାର ସମ୍ମୁଖୀନ ହେଉଛନ୍ତି।” ଅର୍ଥାତ ଯେଉଁ ପ୍ରଳୟଙ୍କରୀ ବର୍ଷା ହେଉଛି ତାହାର ଦୁଃଖକୁ ଔଷଧ ଖାଇ କୌଣସି ପ୍ରକାର ଚାପି ଧରିବା ପରି କଥା ହେଉଛି। ଏତିକି ବେଳେ ପାକିସ୍ତାନର ଅର୍ଥମନ୍ତ୍ରୀ ମିଫତା ଇସମାଇଲ କହିଲେ ଯେ ପାକିସ୍ତାନରେ ପରିବା ମିଳୁନଥିବାରୁ, ଭାରତରୁ ତାହା ଆମଦାନି କରାଯିବ। କିନ୍ତୁ ଠିକ୍ ତା’ ପରେ ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଣମାଧ୍ୟମକୁ କହିଲେ, ଯେ ପର୍ଯ୍ୟନ୍ତ ଭାରତ ସହ ବିରକ୍ତିକର ପ୍ରସଙ୍ଗମାନଙ୍କର ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଭାରତରୁ କିଛି ଆମଦାନି କରାଯାଇପାରିବ ନାହିଁ। ବିରକ୍ତିକର ପ୍ରସଙ୍ଗର ଅର୍ଥ ହେଲା କାଶ୍ମୀର।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ୨୦୦୮ରେ ସୁନାମି ମାଡ଼ି ଆସି ଚେନ୍ନାଇ ଓ କେରଳରେ ଅନେକ କ୍ଷତି କଲା ସେତେବେଳେ ପୃଥିବୀର କେତେକ ଦେଶ (ଯେଉଁମାନଙ୍କ ମଧ୍ୟରେ ପାକିସ୍ତାନ ଅଛି) ସେମାନେ ଭାରତକୁ ରିଲିଫ ସାମଗ୍ରୀ ପଠାଇବା ପାଇଁ ପ୍ରସ୍ତାବ ପଠାଇଲେ। ଭାରତ ସେତେବେଳେ ଏହି ସବୁ ଦେଶମାନଙ୍କୁ ନମ୍ରତାର ସହ କହିଥିଲା ଯେ ଏ ଧରଣର ପ୍ରାକୃତିକ ବିପର୍ଯ୍ୟୟର ମୁକାବଲା କରିବା ପାଇଁ ଭାରତ ନିକଟରେ ଯଥେଷ୍ଟ ସମ୍ବଳ ଅଛି। ତେଣୁ ବାହାର ସାହାଯ୍ୟର ଆବଶ୍ୟକତା ନାହିଁ। ଏ କଥା ପାକିସ୍ତାନକୁ ଅପମାନିତ କରିଥିବ ନିଶ୍ଚୟ। ସ୍ୱାଧୀନତା ପରେ ଭାରତକୁ ସଦାବେଳେ ସମସ୍କନ୍ଧ ବୋଲି ପରିଗଣନା କରୁଥିବା ପାକିସ୍ତାନ ଭାରତକୁ କ’ଣ ଏପରି ସାହାଯ୍ୟ କରିପାରିଥାନ୍ତା ଯାହା ଭାରତ ପରି ଏକ ଆର୍ଥିକ ସମ୍ପନ୍ନ ଦେଶ ପାଖରେ ନାହିଁ! ତେଣୁ ଯେତେବେଳେ କେତେ ବର୍ଷ ତଳେ ପାକିସ୍ତାନର ଅଧିକୃତ କାଶ୍ମୀର ଓ ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ବ୍ୟାପକ ଭୂମିକମ୍ପ ହୋଇ ସେ ଅଞ୍ଚଳମାନଙ୍କରେ ହାହାକାର ସୃଷ୍ଟି ହୋଇଥିଲା ସେତେବେଳେ ଭାରତ, ପାକିସ୍ତାନକୁ ସାହାଯ୍ୟ ଯାଚିଥିଲା ଓ ପାକିସ୍ତାନ ତାକୁ ପ୍ରତ୍ୟାଖ୍ୟାନ କରିଥିଲା। କିନ୍ତୁ ସେତେବେଳେ ପାକିସ୍ତାନ ଜାତିସଂଘ ଓ ସାରା ବିଶ୍ୱକୁ ସାହାଯ୍ୟ ମାଗିଥିଲା ଓ ସାହାଯ୍ୟ ସବୁଆଡୁ ମିଳିଥିଲା ମଧ୍ୟ। ଅର୍ଥାତ, ଭାରତଠାରୁ ସାହାଯ୍ୟ ନେଲେ ପାକିସ୍ତାନର ସ୍ୱାଭିମାନ ନଷ୍ଟ ହେବ, ଏଇଆ ବିଚାର କରି ସେ ଦେଶ ଭାରତଠାରୁ ସାହାଯ୍ୟ ନେବାକୁ ଆଗ୍ରହ ପ୍ରକାଶ କରୁନାହିଁ।

ଏବେ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରଳୟଙ୍କରୀ ବନ୍ୟାରେ ତା’ର ୧,୦୦୦ କୋଟି ଡଲାରର କ୍ଷତି ହୋଇଛି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୮୦,୦୦୦ କୋଟି ଟଙ୍କା ହେବ। ଗତ ସପ୍ତାହରେ ପାକିସ୍ତାନ ଏହି କ୍ଷତିର ପୂର୍ତ୍ତି ପାଇଁ ସାରା ବିଶ୍ୱକୁ ପ୍ରାୟ ୧୦୦ କୋଟି ଡଲାରର ସାହାଯ୍ୟ ମାଗିଛି। କିନ୍ତୁ ଭାରତଠାରୁ ସାହାଯ୍ୟ ନେବାକୁ ପାକିସ୍ତାନ ରାଜି ନୁହେଁ। ଏ କଥା ଭାରତ ସରକାର ଜାଣିଛନ୍ତି। ତେଣୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ଏହି ଦୁର୍ଗତି ପାଇଁ କେବଳ ଦୁଃଖ ପ୍ରକାଶ କରିବା ଛଡ଼ା ସେ ଦେଶକୁ ସାହାଯ୍ୟ ପାଇଁ କୌଣସି ପ୍ରସ୍ତାବ ଦେଇନାହାନ୍ତି। ସେ ଜାଣିଛନ୍ତି ଯେ ଏହି ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିବ ଓ ସେଥିପାଇଁ ଆତ୍ମସନ୍ତୋଷ ଅନୁଭବ କରିବ। ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ପାକିସ୍ତାନର ବନ୍ୟା ଯୋଗୁଁ ଚୀନ, ଆମେରିକା, ୟୁରୋପିଆନ ୟୁନିଅନ, ଜାପାନ ଓ ମଧ୍ୟ ପ୍ରାଚ୍ୟର ଦେଶମାନେ ସାହାଯ୍ୟ ପହଞ୍ଚାଉଛନ୍ତି ଓ ପାକିସ୍ତାନ ସେସବୁକୁ ଗ୍ରହଣ କରୁଛି ମଧ୍ୟ। ଭାରତ ସହ ବର୍ତ୍ତମାନ ପାକିସ୍ତାନର ସମ୍ପର୍କ ନାହିଁ କହିଲେ ଚଳେ। ତେଣୁ ପାକିସ୍ତାନ, ଭାରତର ସାହାଯ୍ୟ ନେବ କିପରି!

ଏହା ହେଉଛି ମୁଖ୍ୟ କାରଣ ଯେଉଁଥି ପାଇଁ ପଡ଼ୋଶୀ ଶ୍ରୀଲଙ୍କା ଓ ବାଂଲାଦେଶର ଆର୍ଥିକ ସଙ୍କଟ ସମ୍ପର୍କରେ ଭାରତର ଗଣମାଧ୍ୟମରେ ବିସ୍ତୃତ ବିବରଣୀମାନ ପ୍ରକାଶିତ ହେଉଥିଲାବେଳେ ପାକିସ୍ତାନର ବନ୍ୟା ସମ୍ପର୍କରେ ସେମିତି କିଛି ବିଶେଷ ରିପୋର୍ଟ ପ୍ରକାଶିତ ହେଉନାହିଁ। କେବଳ ଶ୍ରୀଲଙ୍କା ନୁହେଁ, ବାଂଲାଦେଶ ମଧ୍ୟ ଏବେ ଆଇ.ଏମ୍‌.ଏଫ୍‌. ଠାରୁ ଋଣ ଚାହୁଁଛି। ପାକିସ୍ତାନରେ ହୁଏତ ପ୍ରଳୟଙ୍କରୀ ବନ୍ୟା ହୋଇଛି। କିନ୍ତୁ ଏହାଦ୍ୱାରା ପାକିସ୍ତାନୀ ମାନସିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏକା ସାଙ୍ଗରେ ସ୍ୱାଧୀନତା ପାଇଥିବା ଏହି ଦୁଇଟି ଦେଶ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଏତେ ଆଗ ପଛ ହୋଇଗଲେଣି ପାକିସ୍ତାନୀ ମାନସିକତା ତାହା ଗ୍ରହଣ କରିବାକୁ ରାଜି ନୁହେଁ। ତେଣୁ ଭାରତ ସାହାଯ୍ୟ ଯାଚିଲେ ଓ ପାକିସ୍ତାନ ତାକୁ ଗ୍ରହଣ କଲେ ଦୁଇ ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହେବ ଯାହା ସହିତ ଅର୍ଥନୀତି ବା ଦାରିଦ୍ର୍ୟର କୌଣସି ସମ୍ପର୍କ ନାହିଁ। କାରଣ ଏବେ ମଧ୍ୟ କାଶ୍ମୀର ମଧ୍ୟକୁ ବ୍ୟାପକ ସଂଖ୍ୟାରେ ପାକିସ୍ତାନୀ ଆତଙ୍କବାଦୀମାନେ ପ୍ରବେଶ କରି ହିଂସାକାଣ୍ଡ ଭିଆଉଛନ୍ତି ଓ ହତ୍ୟା କରୁଛନ୍ତି। ପ୍ରତିଦିନ ପାକିସ୍ତାନରୁ ଡ୍ରୋନ୍ ଯୋଗେ କାଶ୍ମୀର ମଧ୍ୟକୁ ଅସ୍ତ୍ରଶସ୍ତ୍ରମାନ ପଠା ହେଉଛି ଯାହା ଅଧିକାଂଶ ଭାରତୀୟ ସେନା ହାତରେ ଧରାପଡୁଛି ଓ ଯାହା ଧରା ନପଡୁଛି ତାହା ହୁଏତ ସେଠାକାର ପାକ୍ ଓ କାଶ୍ମୀରର ଆତଙ୍କବାଦୀମାନଙ୍କ ହାତକୁ ଯାଉଛି।

ଏତିକିବେଳେ ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ଦିଆଯାଉଥିବା ଅର୍ଥର ତଦନ୍ତ ପାଇଁ ଜାତିସଂଘର ଏଫ୍‌ଏଟିଏଫ୍ ପାକିସ୍ତାନ ଆସିଛି। ଗତ ଅନେକ ବର୍ଷ ହେଲା ପ୍ୟାରିସରେ ଥିବା ଏହି ସଂସ୍ଥା ପାକିସ୍ତାନକୁ ତା’ର ଧୂସର ତାଲିକାରେ ରଖିଛି। କାରଣ ଏହି ଏଫ୍‌ଏଟିଏଫ୍ ସଂସ୍ଥା ପକ୍ଷରୁ ଆତଙ୍କବାଦୀମାନଙ୍କ ବିରୋଧରେ ଯେଉଁ ଯେଉଁ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ କୁହାଯାଉଛି ତାହା ପାକିସ୍ତାନ କରୁନାହିଁ। ତେଣୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଧୂସର ତାଲିକାରୁ ବାହାର କରୁନାହିଁ। ଏହାଦ୍ୱାରା ପାକିସ୍ତାନକୁ ସହଜରେ ବିଦେଶୀ ଋଣ ଓ ବିଦେଶୀ ସାହାଯ୍ୟ ମିଳୁନାହିଁ। କୌଣସି ପ୍ରକାରେ ଏହି ତାଲିକାରୁ ପାକିସ୍ତାନ ବାହାରିଗଲେ ତାକୁ ବିଦେଶରୁ ଋଣ ଓ ଅର୍ଥ ସାହାଯ୍ୟ ସହଜରେ ମିଳିପାରନ୍ତା। ଏହି ତାଲିକାଭୁକ୍ତ ହୋଇ ରହିଥିବାରୁ ପାକିସ୍ତାନ ସାରା ବିଶ୍ୱର ଚକ୍ଷୁରେ ଏକ ଆତଙ୍କବାଦ ସମର୍ଥକ ଦେଶ ହିସାବରେ ନିନ୍ଦିତ ହେଉଛି। ଏହି ତାଲିକାରୁ ପାକିସ୍ତାନ ବାହାରିଯାଉ, ଭାରତ ଏ କଥା ମଧ୍ୟ ଚାହେଁନାହିଁ। ପାକିସ୍ତାନରେ ଏ ଧରଣର ଆତଙ୍କବାଦୀ ପୋଷଣ ନୀତିକୁ ଭାରତ ଧରାପକାଇ ଦେଇଛି।

ଆଉ ଏକ କଥା ଏବେ ପାକିସ୍ତାନକୁ ଗ୍ରାସିଛି ଯାହା ହେଉଛି ଶେହୱାଜ ଓ ଇମ୍ରାନ ଖାଁଙ୍କ ମଧ୍ୟରେ ବ୍ୟାପକ ଅସହଯୋଗ। କ୍ଷମତାରୁ ଆଉ ଏକ ଗୋଷ୍ଠୀ ଦ୍ୱାରା ନିଷ୍କାସିତ ହୋଇଥିବା ଇମ୍ରାନ ଖାଁ ଏବେ ପାକିସ୍ତାନକୁ ଆଇ.ଏମ୍‌.ଏଫ୍‌.ରୁ ଋଣ ନମିଳୁ ବୋଲି ଚେଷ୍ଟା ଚଳାଇଛନ୍ତି ବୋଲି ଶେହବାଜଙ୍କ ପକ୍ଷ ଅଭିଯୋଗ କରୁଛି। ଋଣ ନମିଳିଲେ ପାକିସ୍ତାନର ଅବସ୍ଥା ଆହୁରି ଶୋଚନୀୟ ହେବ ଓ ଜନ ଅସନ୍ତୋଷ ବଢ଼ିବ ତଥା ସେଥିପାଇଁ ନିର୍ବାଚନରେ ଶେହବାଜଙ୍କ ମେଣ୍ଟ ସରକାର ପରାସ୍ତ ହେବ ବୋଲି ଇମ୍ରାନ ଚିନ୍ତା କରୁଛନ୍ତି। ତେବେ ନିର୍ବାଚନ ଶୀଘ୍ର ହେଉ ବୋଲି ଇମ୍ରାନଙ୍କ ପି.ଟି.ଆଇ. ଦଳ ଚାହୁଁଛି। ନିର୍ବାଚନ ନହେଲେ ବା କୌଣସି କାରଣ ଯୋଗୁଁ ଇମ୍ରାନଙ୍କୁ ଗିରଫ କରାଗଲେ ଦେଶରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଇମ୍ରାନଙ୍କ ଦଳ ପକ୍ଷରୁ ଧମକ ଦିଆଯାଉଛି। ତେଣୁ ଏବେ ପାକିସ୍ତାନରେ ନିର୍ବାଚନ ହେବା ନିର୍ଭର କରୁଛି ସେନାବାହିନୀର ସେଥିପାଇଁ ସମର୍ଥନ ଅଛି କି ନାହିଁ ଏହି ପ୍ରସଙ୍ଗ ଉପରେ। ଇମ୍ରାନ ସଦାବେଳେ କାଶ୍ମୀରକୁ ନେଇ ପ୍ରବଳ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପାକିସ୍ତାନରେ ଏଥିପାଇଁ ତାଙ୍କୁ ବ୍ୟାପକ ସମର୍ଥନ ମଧ୍ୟ ମିଳୁଛି। ଏତିକିବେଳେ ବର୍ତ୍ତମାନର ଇମ୍ରାନ ବିରୋଧୀ ସରକାର ଯଦି ଭାରତ ସହ କୌଣସି ସାହାଯ୍ୟ ନେବା ପରି ସମ୍ପର୍କ ଗଢ଼ିତୋଳନ୍ତି ତେବେ ରାଜନୈତିକ ଦୃଷ୍ଟିରୁ ତାହା ଇମ୍ରାନ ଓ ତାଙ୍କ ଦଳକୁ ସୁହାଇବ। ଏଣୁ ଭାରତ ପ୍ରତି ଏତେ ବେଶୀ ବିରୋଧ ନଥିଲେ ମଧ୍ୟ ଶେହବାଜ ସରକାର ଭାରତ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଅବସ୍ଥାରେ ନାହାନ୍ତି। ଏହା କଲେ ତାଙ୍କର ଅଶେଷ ରାଜନୈତିକ କ୍ଷତି ହେବ।

ପାକିସ୍ତାନର ଅର୍ଥନୈତିକ ସଙ୍କଟ ଠିକ୍ ଶ୍ରୀଲଙ୍କା ପରି କୋଭିଡ୍‌ ମହାମାରୀରୁ ସୃଷ୍ଟି ହୋଇନାହିଁ। ପାକିସ୍ତାନର ଅର୍ଥନୀତିରେ ଅନେକ ମୌଳିକ ତ୍ରୁଟି ଅଛି ଯାହାକୁ ଦୂର ନକଲେ ସେ ଦେଶର ଅର୍ଥନୀତିରେ ସୁଧାର ଆସିପାରିବ ନାହିଁ। ଯେମିତି କି ପାକିସ୍ତାନରେ ପୂର୍ବର ଭାରତ ପରି ଅନେକ ସବ୍‌ସିଡି ଦେଇ ତେଲ ଦରକୁ କୃତ୍ରିମ ଉପାୟରେ କମ୍ କରି ରଖାଯାଇଥିଲା ଅବା ଶ୍ରୀଲଙ୍କାରେ ବ୍ୟାପକ ଟିକସ କାଟ ହୋଇଥିଲା ଅବା ଅନେକ ପଦାର୍ଥର ମାଗଣା ବଣ୍ଟନ ହେଉଥିଲା। ଏ ଧରଣର ଆର୍ଥିକ ତ୍ରୁଟିମାନଙ୍କର ସଂସ୍କାର ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ସେନାବାହିନୀର ଦୃଢ଼ ସମର୍ଥନର ଆବଶ୍ୟକତା ସେଠାରେ ରହିଛି। ତେଣୁ ଏହାକୁ କିଏ କରିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅନ୍ୟ ପକ୍ଷରେ ଯେଉଁ ତାଲିବାନକୁ ପୂର୍ଣ୍ଣ ପୃଷ୍ଠପୋଷକତା କରି ପାକିସ୍ତାନ ସେମାନଙ୍କୁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କର ସେନାର ଆକ୍ରମଣରୁ ଦୀର୍ଘ ୨୦ ବର୍ଷ କାଳ ବଞ୍ଚାଇ ରଖିଥିଲା ସେହି ତାଲିବାନ ଏବେ ପାକିସ୍ତାନ ଉପରେ କ୍ଷୁବ୍‌ଧ। ଯେପରି ଭାବରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦାର ନେତା ଆଲ୍ ଜୱାହିରିଙ୍କୁ କାବୁଲରେ ହତ୍ୟା କରାଗଲା, ସେଥିରେ ପାକିସ୍ତାନର ସହଯୋଗ ରହିଛି ବୋଲି ତାଲିବାନର ଧାରଣା। ତେଣୁ ପାକିସ୍ତାନ ସେନା ବିରୋଧରେ ଅନେକ ବର୍ଷ ଧରି ଲଢ଼େଇ କରି ଆସୁଥିବା ପାକିସ୍ତାନ ତାଲିବାନ ବା ‘ତେହରିକ ଇ ତାଲିବାନ ପାକିସ୍ତାନ’ ବା ଟି.ଟି.ପି.କୁ ଏବେ ଆଫଗାନିସ୍ତାନ ତାଲିବାନ ସମର୍ଥନ ଦେବା ଆରମ୍ଭ କରିଛନ୍ତି। ଫଳରେ ଟି.ଟି.ପି.ର ଉଗ୍ରବାଦୀମାନେ ଏବେ ଅଫଗାନିସ୍ତାନରେ ରହି ସେଠାରୁ ପାକିସ୍ତାନ ଉପରେ ଆକ୍ରମଣ ଚଳାଉଛନ୍ତି।

ଭାରତ ସହ ପାକିସ୍ତାନର ଏବେ କୌଣସି ସମ୍ପର୍କ ନାହିଁ କହିଲେ ଚଳେ। ପାକିସ୍ତାନ ଭାରତର ଏକ ଆର୍ଥିକ ବା ସାମରିକ ଶତ୍ରୁ ହିସାବରେ ଗଣାଯାଉନାହିଁ। ତେଣୁ ସେହି ଅବସ୍ଥାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ମଧ୍ୟ ଅନୁଭବ କରାଯାଉନି। ଏହା ହେଉଛି ମୁଖ୍ୟ କାରଣ ଯେଉଁଥିପାଇଁ ଭାରତ ପାକିସ୍ତାନକୁ ସାହାଯ୍ୟ ଦେଇପାରିନାହିଁ।

ମୋ-୯୪୩୭୦୨୦୨୯୦