ଆପଣ ଠିକ୍ ପଢ଼ିଛନ୍ତି, ପାଞ୍ଚ ‘ଟି’ ନୁହେଁ, ପାଞ୍ଚ ‘ପି’। ଏବେ ଆମ ସରକାରଙ୍କ ପାଞ୍ଚ ‘ଟି’ କଥା କାହାକୁ ବା ଅଜଣା? ତେଣୁ ଏଇ ସଂଶୟ! କିନ୍ତୁ ଆମେ କହୁଛୁ ପାଞ୍ଚ ‘ପି’ ବିଷୟରେ ଯଥା ପଲିଟିସିଆନ, ପୁଲିସ୍, ପ୍ରେସ୍ (ସାମ୍ବାଦିକ), ପ୍ଲିଡର୍ (ଓକିଲ) ଏବଂ ଫିଜିସିଆନ (ଡାକ୍ତର)। ଏହା ସତ ଯେ ଏହିମାନଙ୍କ ବିଷୟରେ ଆମେ ଯଦି ଆପଣଙ୍କ ଧାରଣା କ’ଣ ବୋଲି ପଚାରୁ, ତେବେ ଅଧିକାଂଶ ଚଟ୍ କିନା ଯାହା କହିବେ ତାହା ଉପରୋକ୍ତ ପାଞ୍ଚ ‘ପି’ଙ୍କ ଲାଗି ବିଶେଷ ରୁଚିକର ହୋଇ ନ ପାରେ। କିନ୍ତୁ ଆମର ଦୃଷ୍ଟି ଟିକିଏ ଭିନ୍ନ। ଏମାନଙ୍କ ବିଷୟରେ ଆଉ ଯିଏ ଯାହା କହନ୍ତୁ ନା କାହିଁକି ଆମେ ଭାବୁ ଯେ ଏମାନେ ନାନା ବାଧା-ବିଘ୍ନ ଓ ସୁବିଧା-ଅସୁବିଧା ଭିତରେ ନିଜ କର୍ତ୍ତବ୍ୟ ସଂପାଦନ କରୁଥିବା ବେଳେ ପାନରୁ ଚୂନ ଟିକେ ଖସିଗଲେ ତମ୍ବିତୋଫାନ ଆରମ୍ଭ ହୋଇଯାଏ।
ଜଣେ ପଲିଟିସିଆନଙ୍କୁ ଦେଖନ୍ତୁ। ଧରନ୍ତୁ ଜଣେ ଏମ୍ଏଲ୍ଏ। ଆମର ଅସୁମାରି ଆଶା ତାଙ୍କ ଠାରୁ। କେବଳ ବିଜୁଳି ବା ପାଣି ବା ରାସ୍ତାଘାଟର ସୁବିଧା କଥା ନୁହେଁ, ସ୍କୁଲରେ ପିଲାର ଅାଡମିସନ୍, ଡାକ୍ତରଖାନାରେ କ୍ୟାବିନ୍ ଠୁ ଆରମ୍ଭ କରି ଠିକାଦାରି, ଚାକିରି, ସରକାରୀ ପ୍ଲଟ୍, ଦୋକାନ ଘର ଏପରିକି ବ୍ୟକ୍ତିଗତ ଖର୍ଚ୍ଚ ସବୁ କିଛି ତ ଯୋଗାଡ଼ କରିବେ ଏମ୍ଏଲ୍ଏ! କିନ୍ତୁ ଏମ୍ଏଲ୍ଏଙ୍କ ଦୁଃଖ ବୁଝୁଛି କିଏ? ଶହେ ଚାଳିଶ କୋଟି ଲୋକଙ୍କ ଦେଶରେ ଗୋଟିଏ ଚାକିରି ବା ସ୍କୁଲରେ ନାମ ଲେଖା ଲାଗି ଗୋଟିଏ ସିଟ୍ ଲାଗି ହଜାରେ ଲୋକ ସେହି ଜଣଙ୍କୁ କହି ଫଳ ଆଶା କରି ରହିଥିବେ: ଏବେ ସେ ବିଚରା କରିବେ କ’ଣ? ମନା କରିବାର ଅର୍ଥ ଉତ୍ତରରେ ସେମିତି ଚାହାଣି ଓ ବାଣୀ- ନିର୍ବାଚନ ଆସୁ, ଦେଖି ନବୁ! ଦେଖିବା କିଏ ରକ୍ଷା କରିବ?
ଏବେ ପୁଲିସ ଭାଇଙ୍କ ଆଡ଼କୁ ଚାହାନ୍ତୁ। ଆପଣଙ୍କ ମୋବାଇଲ ହଜିବା ଠୁ ଆରମ୍ଭ କରି ଆଂପୁଡ଼ା-କାମୁଡ଼ା ଦେଇ ଅସଦାଚରଣ, ଅପହରଣ, ଚୋରି ଓ ମର୍ଡର ପର୍ଯ୍ୟନ୍ତ ସବୁଠି ଏମାନଙ୍କୁ ଲୋଡ଼ା ଏବଂ ଆପଣଙ୍କ ଆଶା ଯେ ଆପଣଙ୍କ ଅଭିଯୋଗ ପାଇବା ମାତ୍ରକେ ପୁଲିସ ଭାଇ ଆପଣଙ୍କ ଦୋଷୀର କାନ ମୋଡ଼ି ଆପଣଙ୍କ ସାମନାରେ ଛିଡ଼ା କରାଇ ଦେବେ! ଥରେ କେବେ ଭାବିଛନ୍ତି କି ଦେଶରେ ଯେତିକି ପୁଲିସ୍, ତାର ପାଞ୍ଚ ଗୁଣରୁ ଅଧିକ ହୋଇଥିବେ ନିୟମ ଭାଙ୍ଗିବା ଲୋକ। ଏବେ ପୁଲିସ ବାପୁୁଡ଼ା କରେ କ’ଣ? ସେ ଡାେଳ ଡାେଳ ଗଲେ, ଖଚଡ଼ା ଲୋକ ପତରେ ପତରେ! ଏବେ ଆପଣଙ୍କ ଆଗରେ ଦୃଶ୍ୟଟିଏ ଥୋଉଚୁ। ଆପଣ ଏକୁଟିଆ ଗୋଟିଏ ଛକରେ ଟ୍ରାଫିକ୍ ପୁଲିସ ହୋଇ ଆଠ ଘଣ୍ଟା ଛିଡ଼ା ହୋଇଛନ୍ତି। କିନ୍ତୁ ରାସ୍ତାରେ ବିକଟାଳ ହର୍ନ ବଜାଇ ବା ଜୋର୍ରେ ଗାଡ଼ି ଚଳାଇ ବା ହେଲମେଟ୍ ନ ପିନ୍ଧି ବା ନାଲି ବତିକୁ ନ ମାନି ରାସ୍ତାରେ ରାଜ କରୁଥିବା ହଜାର ହଜାର ଲୋକ; ଆପଣ କରିବେ କ’ଣ? ତଥାପି ଦେଖନ୍ତୁ, ଅଧିକାଂଶ କେସ୍ରେ ଅପରାଧୀ ଧରା ପଡୁଛନ୍ତି ଏବଂ ଆମ ଭଳି ବେତାଳିଆ ଲୋକଙ୍କୁ ଟ୍ରାଫିକ୍ ପୁଲିସ ସମ୍ଭାଳୁଛନ୍ତି!
ଏବେ ଯଦି ପଚରାଯିବ, ଆପଣମାନଙ୍କ ଭିତରୁ ଅଧିକାଂଶ କହିବେ ସାମ୍ବାଦିକ ଭଲ ଲୋକ ନୁହନ୍ତି। କିନ୍ତୁ ଆପଣ ଭୁଲିଗଲେ ଯେ ସେମାନେ ହିଁ ହେଉଛନ୍ତି ସାଦା ପୋଷାକ ପିନ୍ଧା ଜାଗ୍ରତ ପ୍ରହରୀ। ଏଣେ ଆମ ଭଳି ସଚେତନ ନାଗରିକମାନେ ଅହର୍ନିଶ ସୁପ୍ତ। ଆମ ନାକ ତଳେ ଦୁର୍ନୀତି ଚାଲିଛି। ଆମେ ଦେଖି ନ ଦେଖିଲା ପରି ରହୁଛୁ। ଆମ ଗାଁ ରାସ୍ତା ତିଆରି ମାସକ ଭିତରେ ନଷ୍ଟଭ୍ରଷ୍ଟ ହୋଇଗଲା, କିନ୍ତୁ ଆମେ ଦାରୁ ଭୂତ ମୁରାରୀ। ସାମ୍ବାଦିକ ଜଣେ ଯଦି ଏ ବାବଦରେ ଖବର ଛାପିଲା, ତେବେ ଯାଇ ପ୍ରଶାସନର ଆଖି ଖୋଲିବ, କିଛି ଗୋଟାଏ ହବ। ତା’ ନ ହେଲେ ଭୁକ୍ତଭୋଗୀ ହୋଇ ବି ଆମେମାନେ କାଠ! ମନେ ରଖନ୍ତୁ ଦେଶର ସୀମାନ୍ତରେ ଯଦି ସୈନିକମାନେ ଦେଶ ବାହାରକୁ ଅପଲକ ନେତ୍ରରେ ଚାହିଁ ରହିଛନ୍ତି ସାମ୍ବାଦିକମାନେ ଦେଶ ଭିତରକୁ ଚାହିଁ ବସିଛନ୍ତି। ତେଣୁ ଆମ ସ୍ବାର୍ଥ ସୁରକ୍ଷିତ ରହିଛି।
ଓକିଲମାନଙ୍କୁ ନେଇ ଆମ ଧାରଣା ଯେ ଏମାନେ ଛନ୍ଦ କପଟର ମୂର୍ତ୍ତିମନ୍ତ ଅବତାର! ଥରେ ଯଦି ଜଣେ କେହି ଓକିଲଙ୍କ ହାବୁଡ଼ରେ ପଡ଼ିଲା, ତାର ଆଉ ମୁକ୍ତି ନାହିଁ। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଏମାନଙ୍କ ଉଦ୍ୟମ ନ ଥିଲେ ଆପଣଙ୍କ ଜୀବନଧାରାକୁ ବଦଳାଇ ଦେବା ଭଳି ନ୍ୟାୟବନ୍ତ ରାୟମାନ ବିଚାରାଳୟରୁ ନିସୃତ ହୁଅନ୍ତା ନାହିଁ। ତେଣୁ ଆମେ ନ୍ୟାୟ ଲାଭ କରୁ ବୋଲି ଲଢୁଥିବା ଏହି ବାହିନୀକୁ ଆମେ ଧନ୍ୟବାଦ ଦେବାର ସମୟ ଆସିଯାଇଛି ବୋଲି କହିଲେ ଭୁଲ୍ ହେବ ନାହିଁ।
ପରିଶେଷରେ ଯାହା କଥା କହିବା, ସେ ହେଲେ ଡାକ୍ତର। ସେମାନଙ୍କୁ ଦ୍ବିତୀୟ ଈଶ୍ବର ବୋଲି ଆମେ କହିଥାଉ। କିନ୍ତୁ ଅନେକଙ୍କ ଧାରଣାରେ ଏମାନେ ସ୍ବାର୍ଥପର। କିନ୍ତୁ ଥରେ ଭାବନ୍ତୁ ତ କୌଣସି ହସ୍ପିଟାଲ ବା କ୍ଲିନିକ୍ରୁ ହସହସ ମୁହଁରେ ବାହାରକୁ ବାହାରୁଥିବା ଲୋକଙ୍କ ମନରେ ଆରୋଗ୍ୟ ଲାଭ କରିଥିବାର ଆଶ୍ବସ୍ତି ଭରିଥିବା ଚରିତ୍ରଟି କିଏ? ଅବଶ୍ୟ, ଏହା ସତ ଯେ ମୁଷ୍ଟିମେୟ ଡାକ୍ତରଙ୍କ ଲୋଭ ବା ନିଜ ଦାୟିତ୍ବ ପ୍ରତି ନିଷ୍ଠାର ଅଭାବ ଅନେକ ସମୟରେ ଅସମ୍ଭବ ଦୁଃସ୍ଥିତି ସୃଷ୍ଟି କରେ, ଯାହାର କାରଣ ଜୀବନ ଏବଂ ମୃତ୍ୟୁ ମଝିରେ ଡାକ୍ତରମାନେ ହିଁ ଛିଡ଼ା ହୋଇ ଥାଆନ୍ତି। ତେବେ ଏହା ମଧ୍ୟ ସତ ଯେ କୋଟି କୋଟି ରୋଗୀଙ୍କୁ ଭଲ କରିବା ଲାଗି ସମର୍ପିତ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଅସୁମାରି। ଏହି କାରଣରୁ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ ପୃଥିବୀର ସର୍ବତ୍ର ଲୋକେ ଯଦି କାହା ଉପରେ ସବୁଠାରୁ ଅଧିକ ବିଶ୍ବାସ ରଖିଥାଆନ୍ତି, ତେବେ ସେ ହେଉଛନ୍ତି ଡାକ୍ତର। ଏହା ହିଁ ଡାକ୍ତରି ପେସାର ସର୍ବାଧିକ ସନ୍ତୋଷ ପ୍ରଦାୟୀ ବିଭାବ।
ଏହିଭଳି ଚୁମ୍ବକରେ ଆମେ ପାଞ୍ଚ ‘ପି’ଙ୍କ କଥା କହି ନିବେଦନ କରିବୁ କି ଆପଣ ଏଣିକି ଏମାନଙ୍କ ଉପରେ ଚଟ୍ କିନା ଆପଣଙ୍କ ପୂର୍ବାଗ୍ରହ ବା ବଦ୍ଧମୂଳ ଧାରଣା ପ୍ରକାଶ କରିବା ଆଗରୁ ଟିକିଏ ଅଟକି ଯାଆନ୍ତୁ ଏବଂ ଏମାନଙ୍କ ପରିସ୍ଥିତିକୁ ଟିକିଏ ହେଜନ୍ତୁ।
ମୋ: ୭୦୭୭୨୫୦୫୬୬