୨୦୨୪: ମୋଦୀ ବନାମ ନୀତୀଶ?

ଅରୁଣ ସିହ୍ନା

ଗତ ସପ୍ତାହରେ ବିଭିନ୍ନ ବିରୋଧୀ ଦଳ ନେତାମାନଙ୍କ ସହ ନୀତୀଶଙ୍କର ଅନୁଷ୍ଠିତ ବୈଠକ ସମୂହ ବିଜେପି ବିରୋଧୀ ଶିବିରକୁ କେତେ ମାତ୍ରାରେ ଏକଜୁଟ କରିପାରିଛି, ତାହା ଆଗାମୀ ଦିନରେ ଜଣାପଡ଼ିବ, ତେବେ ଏକଥା ନିଃସନ୍ଦେହ ଯେ ସେମାନେ ରାଜନୈତିକ ବାତାବରଣକୁ ଉଷ୍ମ କରିପାରିଛନ୍ତି। କଂଗ୍ରେସରେ ମନ୍ଥର ବିଘଟନ ସାଙ୍ଗକୁ ବିରୋଧୀ ଏକତାର ସଂକେତ ନ ଥିବା କାରଣରୁ ଦେଶବ୍ୟାପୀ ମତଦାତାମାନେ ମୋଦୀଙ୍କୁ କ୍ଷମତାରୁ ହଟାଇବା ପ୍ରସଙ୍ଗରେ ନିରାଶ ହୋଇ ପଡ଼ିଥିଲେ। ତେବେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ରୁ ନୀତୀଶଙ୍କ ପ୍ରସ୍ଥାନ ଓ ମହାମେଣ୍ଟ ସହ ତାଙ୍କର ପୁନର୍ମିଳନ, ମତଦାତାଙ୍କ ଆଶାକୁ ପୁନର୍ଜୀବିତ କରିପକାଇଛି। ସେହିପରି ବିରୋଧୀ ଦଳମାନଙ୍କର ଏକତ୍ରୀକରଣ ପାଇଁ ନୀତୀଶଙ୍କ ପ୍ରୟାସ ମଧ୍ୟ ୨୦୨୪ରେ ତାଙ୍କୁ ବିରୋଧୀମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନା ସୃଷ୍ଟି କରିଛି।

ନୀତୀଶଙ୍କ ରାଜନୈତିକ ଜୀବନରେ ଦ୍ବିତୀୟ ଥର ପାଇଁ ସେ ଏପରି ବିରୋଧୀ ଦଳର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦେଖାଯାଇଛି। ବିଗତ ଦଶକର ପ୍ରାରମ୍ଭ ବେଳେ ପ୍ରଥମ ଥର ପାଇଁ ଅନୁରୂପ ସମ୍ଭାବନା ଆସିଥିଲା। ୨୦୧୦ ବିଧାନସଭା ନିର୍ବାଚନରେ ସେ ବିଶାଳ ବହୁମତ ସହ ବିଜୟ ହାସଲ କରିଥିଲେ। ସେତେବେଳେ ବିହାରକୁ ଦାରିଦ୍ର୍ୟ ଓ ବିକାଶହୀନତାର ରସାତଳରୁ ଉଦ୍ଧାର କରିଥିବା ବ୍ୟକ୍ତି ଭାବରେ ଦେଶସାରା ତାଙ୍କର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା। ବିଜେପି ସହ ମେଣ୍ଟରେ ଥାଇ ସୁଦ୍ଧା ମୋଦୀ ଏବଂ ତାଙ୍କ ଉଗ୍ର ହିନ୍ଦୁତ୍ବବାଦକୁ ଖୋଲାଖୋଲି ବିରୋଧ କରି ନୀତୀଶ ଆଶ୍ଚର୍ଯ୍ୟଜନକ ସମ୍ମାନ ହାସଲ କରିଥିଲେ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନ ଥିଲା କି ଲୋକଙ୍କ ଧାରଣାରେ ୨୦୧୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ମାର୍ଗରେ ସେ ମୋଦୀଙ୍କ ପାଇଁ ଦୃଢ଼ତମ ଆହ୍ବାନ ଭାବେ ଉଭା ହୋଇଥିଲେ।

ମାତ୍ର ସେ ବାସ୍ତବରେ ମୋଦୀଙ୍କର ସମ୍ମୁଖୀନ ହୋଇନଥିଲେ। କାରଣ ୨୦୧୩ ଜୁନ୍‌ରେ ଗୋଆଠାରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦୀଙ୍କୁ ଏନ୍‌ଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସେ ଏନ୍‌ଡିଏରୁ ବାହାରି ଯାଇଥିଲେ। ତେବେ ତାଙ୍କ ଦଳ ଜେଡିୟୁକୁ ମେଣ୍ଟରେ ସାମିଲ କରିବା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡ଼ା କରିବା ଲାଗି କଂଗ୍ରେସ ନେତୃତ୍ବାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) କେବେ ଆଗେଇ ଆସିନଥିଲା। ସେ ନିଜେ ବି ୟୁପିଏରେ ମିଶିବାକୁ ଚାହିଁନଥିଲେ। ସୁତରାଂ ଫଳାଫଳ ଏଇଆ ହେଲା କି ମୋଦୀଙ୍କ ବିରୋଧରେ ତାଙ୍କ ଲଢ଼େଇ ବିହାରରେ ହିଁ ସୀମିତ ରହିଗଲା। ତାଙ୍କ ଲଢ଼େଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ପ୍ରତିରୋଧ କରିବା କମ୍, ମୋଦୀଙ୍କ ରାଜନୈତିକ ପରିସରକୁ ବିହାରରେ ବ୍ୟାପିବାକୁ ନଦେବା ଅଧିକ ଥିଲା। ଏକାକୀ ଲଢ଼ି ନୀତୀଶ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ।
ଏବେ ସେ ଉତ୍ତମ ସ୍ଥିତିରେ ଅଛନ୍ତି। ସେ ମହାମେଣ୍ଟର ଏକ ଅଂଶ ହୋଇଛନ୍ତି, ଯେଉଁ ମେଣ୍ଟର ଏକ ବୃହତ୍‌ ଅଂଶ ୟୁପିଏକୁ ଆଚ୍ଛାଦିତ କରିଛି। ଏ କଥା ଆଶ୍ଚର୍ଯ୍ୟଜନକ ଯେ ତାଙ୍କ ଦଳ ଜାମ୍ମୁ କାଶ୍ମୀର ଓ ନାଗରିକତା ସଂଶୋଧନ ପାଇଁ ମୋଦୀ ସରକାରଙ୍କ ଆଇନକୁ ସମର୍ଥନ କରିବା କିମ୍ବା ଦୃଢ଼ ବିରୋଧ କରିବାରୁ ବଞ୍ଚିତ ରହିବା ଦ୍ବାରା ତାଙ୍କ ବିବିଧତାଶୀଳ ଭାବମୂର୍ତ୍ତିରେ କଳାଛିଟା ଲାଗିବା ସତ୍ତ୍ବେ ସେ କେନ୍ଦ୍ରୀୟ-ବାମ ଗୋଷ୍ଠୀ ଦ୍ବାରା ଗ୍ରହଣୀୟ। ତାଙ୍କ ରାଜନୈତିକ କୃତିତ୍ବର ନିଦର୍ଶନ ଏହାର ଅନ୍ୟତମ କାରଣ ହୋଇପାରେ। ସେ ଜଣେ ଦୁର୍ନୀତିମୁକ୍ତ, ଚିନ୍ତାଶୀଳ, ନିର୍ଣ୍ଣାୟକ, ଦୃଢ଼ ଏବଂ ସାଲିସବିହୀନ ରାଜନେତା ଭାବେ ପରିଗଣିତ। ମୋଦୀଙ୍କୁ ମଧ୍ୟ ଏହି ସବୁ ଗୁଣ ପାଇଁ ପ୍ରଶଂସା କରାଯାଇଥାଏ। ତେଣୁ ମୋଦୀଙ୍କର ଜଣେ ଭରସାଯୋଗ୍ୟ ବିକଳ୍ପ ଭାବେ ନୀତୀଶ ପ୍ରତୀୟମାନ।

ତେବେ ବିରୋଧୀମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ବାଟରେ ନୀତୀଶଙ୍କ ପାଇଁ କେତେକ ଅବରୋଧ ରହିଛି।

ପ୍ରଥମତଃ, ରାହୁଳ ଗାନ୍ଧୀ ୟୁପିଏର ଶ୍ରେଷ୍ଠ ପସନ୍ଦ ହୋଇପାରନ୍ତି। ଅନୁମାନ କରାଯାଉଛି ଯେ ସେ ଏହାକୁ ଗ୍ରହଣ କରି ନ ପାରନ୍ତି। ତାଙ୍କ ପରିବାରର କେହି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ସେ ଚାହୁଁନଥିବାରୁ ମୋଦୀଙ୍କ ବିରୋଧରେ ୟୁପିଏ ପ୍ରାର୍ଥୀ ହେବାକୁ ସେ ମନା କରିଦେଇପାରନ୍ତି। ବଂଶବାଦ ରାଜନୀତିକୁ କଂଗ୍ରେସ ପ୍ରୋତ୍ସାହିତ କରୁଛି ବୋଲି କହି ଆକ୍ରମଣ କରିବାକୁ ବିଜେପିକୁ ଆଉ ସୁଯୋଗ ନଦେବା ଲାଗି ରାହୁଳ କୌଣସି ଅଣ-ଗାନ୍ଧୀ ବ୍ୟକ୍ତିଙ୍କୁ ଦଳର ମୁଖିଆ କରିବାକୁ ଚିନ୍ତା କରୁଛନ୍ତି। ସେ କିମ୍ବା ପ୍ରିୟଙ୍କା ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ମଧ୍ୟ ସେ ଚାହିଁବେନି। ଯଦି ସେପରି ହୁଏ ତେବେ ଗାନ୍ଧୀ ପରିବାର ବାହାରେ ଶ୍ରେଷ୍ଠ ପ୍ରାର୍ଥୀମାନଙ୍କୁ ଖୋଜାଯିବ ଏବଂ ନୀତୀଶ ସେମାନଙ୍କ ଭିତରୁ ଜଣେ ହୋଇପାରନ୍ତି।

ଅପରପକ୍ଷେ, ରାହୁଳ କିମ୍ବା ପ୍ରିୟଙ୍କା ଯଦି ପ୍ରାର୍ଥୀ ନ ହୁଅନ୍ତି, ତେବେ କଂଗ୍ରେସ ନିଜ ଦଳ ଭିତରୁ ଆଉ କାହାକୁ ପ୍ରାର୍ଥୀ ଭାବେ ଛିଡ଼ା କରିପାରେ। ସେମିତି ହେଲେ ନୀତୀଶଙ୍କୁ କ୍ଷତି ସହିବାକୁ ପଡ଼ିବ। କାରଣ ମିଳିତ ସାମ୍ମୁଖ୍ୟର ବୃହତ୍ତମ ସହଯୋଗୀ ଦଳର ନେତାଙ୍କୁ ସାମ୍ମୁଖ୍ୟ ନେତା କରିବା ନେଇ କୌଣସି ସହଯୋଗୀ କେବେ ଆପତ୍ତି କରିବେ ନାହିଁ।
କଂଗ୍ରେସ ବ୍ୟତୀତ ଅନ୍ୟ ବିରୋଧୀ ଦଳମାନଙ୍କ ଠାରୁ ନୀତୀଶଙ୍କୁ ଅଧିକ ସମର୍ଥନ ମିଳିବାର ସମ୍ଭାବନା ରହିଛି। ସେ ଲୋହିଆପ୍ରେମୀଙ୍କ ‘ଜନତା ଦଳ ପରିବାର’ର ସମର୍ଥନ ହାସଲ କରିବା ଆଶା ରଖିପାରନ୍ତି, ଯେଉଁଥିରେ ତାଙ୍କ ନିଜ ଦଳ ଜେଡି-ୟୁ, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ଧର୍ମ ନିରପେକ୍ଷ ଜନତା ଦଳ (ଜେଡିଏସ୍‌), ସମାଜବାଦୀ ପାର୍ଟି ଏବଂ ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ଆଦି ରହିଛନ୍ତି। ଜେଡିଏସ୍‌ ଅଧ୍ୟକ୍ଷ ଏଚ୍‌ ଡି ଦେବଗୌଡ଼ା ପରୋକ୍ଷରେ ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଆର୍‌ଜେଡି ତାଙ୍କ ସହିତ ରହିଛି। ସମାଜବାଦୀ ପାର୍ଟି ଓ ଆଇଏନ୍‌ଏଲ୍‌ଡି ମଧ୍ୟ ତାଙ୍କୁ ଗ୍ରହଣ କରିପାରନ୍ତି।

ଅପରପକ୍ଷେ, ମୋଦୀଙ୍କ ବିରୋଧରେ ବିରୋଧୀ ଦଳମାନଙ୍କର ନେତୃତ୍ବ ନେବାକୁ କଂଗ୍ରେସର ବୈଧତା ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ପ୍ରଶ୍ନ ଉଠାଇଛନ୍ତି। ତେଣୁ ସଂଯୁକ୍ତ ସାମ୍ମୁଖ୍ୟର ପ୍ରାର୍ଥୀ ଭାବେ ରାହୁଳ କିମ୍ବା ଅନ୍ୟ କୌଣସି କଂଗ୍ରେସ ନେତାଙ୍କୁ ସେମାନେ ବିରୋଧ କରିପାରନ୍ତି। ସୁତରାଂ ଏ କ୍ଷେତ୍ରରେ ନୀତୀଶଙ୍କର କିଛି ଗ୍ରହଣୀୟତା ରହିବ।

ନିକଟରେ ପାଟନା ଠାରେ ନୀତୀଶଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସାକ୍ଷାତ ଏ ବାବଦରେ ଏକ ପ୍ରମୁଖ ମହତ୍ତ୍ବ ରଖୁଛି। ମୋଦୀଙ୍କ ବିରୋଧରେ ନୀତୀଶ ବିରୋଧୀ ଦଳର ପ୍ରାର୍ଥୀ ହେବେ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଚନ୍ଦ୍ରଶେଖର କହିଥିଲେ, ‘ଦେଶରେ ନୀତୀଶ ହେଉଛନ୍ତି ସର୍ବୋତ୍ତମ ଓ ବୟୋଜ୍ୟେଷ୍ଠ ନେତା। ତେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ମୁଁ କେହି ନୁହେଁ। ବିରୋଧୀ ଦଳଗୁଡ଼ିକ ଏକାଠି ବସିଲା ବେଳେ ସେ କଥା ଉଠିବ।’ ଆଉ କିଛି ନହେଉ ପଛକେ, ତାଙ୍କ ଟିପ୍ପଣୀରୁ ନୀତୀଶଙ୍କୁ ଜଣେ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଟିଆର୍‌ଏସ୍‌ ଚାହୁଁଥିବା ଅନୁମାନ କରାଯାଏ।

ଟିଆର୍‌ଏସ୍‌ ଦଳ ତାହାର ପୂର୍ବ ମନୋଭାବରୁ ପ୍ରସ୍ଥାନ କରିଥିବା ଏହା ସଂକେତ କରିଛି। ଟିଏମ୍‌ସି ପରି ଟିଆର୍‌ଏସ୍‌ ମଧ୍ୟ ନିଜକୁ ବିରୋଧୀ ଏକତାର ଏକ ନୂତନ ଭାରକେନ୍ଦ୍ର ଭାବେ ପ୍ରତିପାଦନ କରୁଛି ଏବଂ ଅନ୍ୟ ବିରୋଧୀ ଦଳମାନଙ୍କୁ ପୁରୁଣା ଭାରକେନ୍ଦ୍ର କଂଗ୍ରେସ ଠାରୁ ଦୂରେଇ ରଖିବାକୁ ପ୍ରୟାସ କରୁଛି। ନୀତୀଶଙ୍କ ସପକ୍ଷରେ ଚନ୍ଦ୍ରଶେଖରଙ୍କ ଏପରି ବକ୍ତବ୍ୟରୁ ସ୍ପଷ୍ଟ ଯେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟର କୌଣସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ବିରୋଧରେ ଟିଆର୍‌ଏସ୍‌ ଯିବନି, ତେବେ ସେ କଂଗ୍ରେସ ଦଳର ହୋଇନଥିବା ଦରକାର।

ବିରୋଧୀ ଏକତାକୁ ମମତା ବାନାର୍ଜୀ ସମର୍ଥନ କରୁଛନ୍ତି, ମାତ୍ର ନୀତୀଶଙ୍କ ପ୍ରତି ଟିଏମ୍‌ସିର ଆଭିମୁଖ୍ୟ କ’ଣ, ସେ ବାବଦରେ କୌଣସି ସଂକେତ ନାହିଁ। ନୀତୀଶ ଓ ମମତାଙ୍କ ଭିତରେ ଏକ ବ୍ୟକ୍ତିଗତ ରସାୟନ ରହିଛି। ଏକଥାକୁ ଆମେ ଅବଶ୍ୟ ଅସ୍ବୀକାର କରିପାରିବାନି କି ନିଜେ ଏକ ‘ଜାତୀୟ ସ୍ତରୀୟ ଭୂମିକା’ ନିଭାଇବା ଲାଗି ମମତା ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ଆବାହକତ୍ବରେ ବିରୋଧୀ ଦଳମାନଙ୍କର ଦୁଇଟି ବୈଠକ ହୋଇସାରିଛି ଏବଂ ଶରଦ ପଵାରଙ୍କ ସମେତ ବିଭିନ୍ନ ବିରୋଧୀ ନେତାଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ହେବା ପାଇଁ ମମତାଙ୍କର ଆକାଂକ୍ଷା ରହିଥିବା କଥାକୁ କେହି ଅସ୍ବୀକାର କରିବେନି। ମୁଖ୍ୟମନ୍ତ୍ରୀ ଭାବରେ ସେ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଦୀର୍ଘ ବର୍ଷ ଧରି ଶାସନ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆସନ ହିଁ ତାଙ୍କ ରାଜନୈତିକ ଜୀବନର ପରବର୍ତ୍ତୀ ପଦୋନ୍ନତି ହେବା ଉଚିତ। ଏ ପ୍ରକାର ‘ଜାତୀୟ ସ୍ତରୀୟ ଭୂମିକା’କୁ ସେ ଅପେକ୍ଷା କରିଛନ୍ତି। କାରଣ ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ରହି ସାରିଥିବାରୁ ଏଣିକି ଆଉ କେବଳ ମନ୍ତ୍ରୀଟିଏ ହେବାକୁ ସେ ଚାହିଁବେନି।

ଅର୍ଥାତ୍‌ ଏପରି ଭାବରେ ଏକାଧିକ ବିରୋଧୀ ସାମ୍ମୁଖ୍ୟ ମଧ୍ୟ ସୃଷ୍ଟି ହୋଇପାରେ। ସେଭଳି ସ୍ଥିତିରେ ନୀତୀଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ସୁଯୋଗ ମଳିନ ପଡ଼ିଯାଇପାରେ।

[email protected]

ସମ୍ବନ୍ଧିତ ଖବର