ଛାଡ଼ପତ୍ର ବିକଳ୍ପ ନୁହେଁ

ନମ୍ରତା ଚଢ଼ା

ପତ୍ନୀଙ୍କର ଅବୈଧ ସମ୍ପର୍କ ଥିବା ସନ୍ଦେହରେ ଜନୈକ ପୁରୁଷଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ଭାରତରେ କ୍ରମାଗତ ଭାବେ ବଢ଼ୁଥୁବା ଛାଡ଼ପତ୍ର ମାମଲାଗୁଡ଼ିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମାନ୍ୟବର ହାଇକୋର୍ଟ ଟିପ୍ପଣୀରେ କହିଛନ୍ତି ଯେ ନୂତନ ପିଢ଼ି ବାହାଘରକୁ ଏକ କୁ-ପ୍ରଥା ବୋଲି ଭାବୁଛନ୍ତି ଏବଂ ଏହି କାରଣ ହେତୁ ଲିଭ-ଇନ ସମ୍ପର୍କ ବୃଦ୍ଧି ପାଉଛି। ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଏହି ‘ୟୁଜ୍‌ ଆଣ୍ଡ ଥ୍ରୋ’ ସଂସ୍କୃତି ଆମକୁ ନଷ୍ଟ କରିଦେଲାଣି। ଏହା ଏକ ଚିନ୍ତାର ବିଷୟ।

ଖଣ୍ଡପୀଠ କହିଛନ୍ତି ଯେ ଆଇନ ଏବଂ ଧର୍ମରେ ବିବାହକୁ ଏକ ଅନୁଷ୍ଠାନ ଭାବରେ ବିବେଚନା କରାଯାଏ। ତେଣୁ ବିବାହ ପରେ ଆଇନଗତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ କେହି ଏହି ସମ୍ପର୍କକୁ ଏକପାଖିଆ ଭାବେ ଛାଡ଼ିପାରିବେ ନାହିଁ। ଛୋଟ ଛୋଟ କଥାରେ ସମ୍ପର୍କ ଭଙ୍ଗାଯାଏ ନାହିଁ। ଛାଡ଼ପତ୍ର ଯୋଗୁଁ ଅନେକ ଜୀବନ ନଷ୍ଟ ହୋଇଯାଏ। ସେମାନଙ୍କର ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ। ଆଜିକାଲି ପରକୀୟା ପ୍ରୀତି ବା ଅନ୍ୟ ସ୍ବାର୍ଥପର କାରଣ ପାଇଁ ବୈବାହିକ ବନ୍ଧନ ଭାଙ୍ଗିଯାଉଛି।

କେରଳ ହାଇକୋର୍ଟଙ୍କର ଏହି ଟିପ୍ପଣୀ ଭାବିବା ପାଇଁ ବାଧ୍ୟ କରୁଛି ଯେ ଦେଶରେ ସାମାଜିକ ବିଶୃଙ୍ଖଳା ପାଇଁ ଅନ୍ୟାନ୍ୟ କାରଣ ସମେତ ବର୍ଦ୍ଧିତ ଛାଡ଼ପତ୍ର ମାମଲା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ ହୋଇପାରେ। କିନ୍ତୁ ଏକଥା ସତ ଯେ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତୀୟ ମହିଳା ଅଧିକ ସୁରକ୍ଷିତ। ସାଧାରଣ ପରିବାରରେ ସେମାନଙ୍କ ଦେଖାଶୁଣା ଖୁବ୍‌ ଭଲରେ କରାଯାଇଥାଏ। ଏପରିକି ଗୋଟିଏ ଝିଅ ନିଜ ବାପଘର ଅପେକ୍ଷା ଶାଶୂଘରେ ବେଶୀ ଖୁସିରେ ରହେ।

ସମୟରେ ଟିକେ ପଛକୁ ଗଲେ ଜଣାଯାଏ ଯେ ସ୍ବାଧୀନତା ପାପରେ ସଂସଦରେ ‘ହିନ୍ଦୁ କୋଡ୍‌ ବିଲ୍‌’ ଅନୁମୋଦିତ ହୋଇଥିଲା ଯାହାଦ୍ବାରା ମହିଳାଙ୍କୁ ସମ୍ପତ୍ତିର ଅଧିକାର ମିଳିଲା, ବହୁ ବିବାହରେ ରୋକ ଲାଗିବା ସହ ଛାଡ଼ପତ୍ର ଦେବାର ଅଧିକାର ମିଳିଥିଲା। ୧୯୭୬ ମସିହାରେ ଆଇନରେ ସଂଶୋଧନ କରାଯାଇ ଉଭୟ ପତି-ପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦର ଅନୁମତି ଦିଆଗଲା। ତେବେ ସମୟର ସ୍ରୋତରେ ପାଶ୍ଚାତ୍ୟ ସଭ୍ୟତାର ଛିଟା ଏପରି ପଡ଼ିଲା ଯେ ଧୀରେ ଧୀରେ ମିଳିତ ପରିବାର ଭାଙ୍ଗିବାକୁ ଲାଗିଲା। ମହିଳାମାନେ କାମ କରିବାକୁ ବାହାରକୁ ଗଲେ ଏବଂ ସ୍ବାମୀମାନେ ଘର କାର୍ଯ୍ୟରେ ମହିଳାଙ୍କୁ ସାହାଯ୍ୟ କଲେ। ସମ୍ପର୍କର ଗୁରୁତ୍ବ ଧୀରେ ଧୀରେ କମିବାକୁ ଲାଗିଲା।

ଲିଙ୍ଗଭେଦ ସହ ଯୋଡ଼ି ହୋଇଥିବା ମାମଲାଗୁଡ଼ିକରେ ପରିବର୍ତ୍ତନ ଆସିବାକୁ ଲାଗିଲା। ପୁରୁଷ ସମାଜ ନିଜ ଶ୍ବଶୁର ଘର ପ୍ରତି ଅଧିକ ମାତ୍ରାରେ ସମ୍ବେଦନଶୀଳ ହେବାକୁ ଲାଗିଲେ। କହିବାକୁ ଗଲେ ସମ୍ପର୍କରେ ପ୍ରାଥମିକତା ନିର୍ଦ୍ଧାରିତ ହେବା ଆରମ୍ଭ ହେଲା। ବର୍ତ୍ତମାନ ଜନଗଣନାରେ ଛାଡ଼ପତ୍ର, ଅବିବାହିତ, ବିଧବା କିମ୍ବା ବିବାହିତ ଜୀବନ ବଞ୍ଚିବା ସମ୍ପର୍କରେ ପ୍ରଶ୍ନ ପଚରାଯାଉଛି, ଯାହା ସାମାଜିକ ଗଠନର ବିଶ୍ଳେଷଣ ପାଇଁ ସୁଯୋଗ ଦେଇଥାଏ। ଏହିପରି ଏକ ବିଶ୍ଳେଷଣରୁ ସାମ୍ନାକୁ ଆସିଛି ଯେ ଭାରତରେ ପ୍ରାୟ ୧.୪ ନିୟୁତ ଲୋକ ଛାଡ଼ପତ୍ର ପାଇଛନ୍ତି। ଏହା ହେଉଛି ଜନସଂଖ୍ୟାର ୦.୧୧ ପ୍ରତିଶତ ଏବଂ ବିବାହିତ ଜନସଂଖ୍ୟାର ୦.୨୪ ପ୍ରତିଶତ।

ଆଶ୍ଚର୍ଯ୍ୟର କଥା ହେଉଛି, ଅଲଗା ହୋଇଥିବା ଲୋକଙ୍କ ସଂଖ୍ୟା ଛାଡ଼ପତ୍ର ନେଇଥିବା ଲୋକଙ୍କ ତୁଳନାରେ ତିନି ଗୁଣ ଅଧିକ। ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଛାଡ଼ପତ୍ର ପାଇଛନ୍ତି ଏବଂ ନିଜ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ଏହାର ଅନ୍ୟତମ କାରଣ। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ଛାଡ଼ପତ୍ର ମାମଲା ଅପେକ୍ଷାକୃତ ଅଧିକ। କୁହାଯାଏ ଯେ ହିନ୍ଦୀ ବେଲ୍‌ଟରେ, ଉଦାହରଣ ସ୍ବରୂପ ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ବିହାର, ହରିୟାଣା ଆଦି ରାଜ୍ୟର ସମାଜରେ ପୁରୁଷ ପ୍ରାଧାନ୍ୟ ଅଧିକ ଥିବାରୁ ସେଠାରେ ଛାଡ଼ପତ୍ର ମାମଲା କମ୍‌। ଗୁଜୁରାଟରେ ଛାଡ଼ପତ୍ରର ମାମଲା ସବୁଠାରୁ ଅଧକ।

ମହିଳା ସମାଜ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ପଦାଧିକାରୀ କୁହନ୍ତି ଯେ ଆମ ଦେଶରେ ମହିଳାମାନେ ଭେଦଭାବକୁ ସହ୍ୟ କରନ୍ତି। ମହିଳାମାନେ ନିଜେ ଏହି ପରିବେଶ ପାଇଁ କେତେକାଂଶରେ ଦାୟୀ। ଅନେକ ପରିବାରରେ ଆଜି ବି ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଏ। ତେଣୁ ବିବାହ ବିଚ୍ଛେଦ ପରେ ଜଣେ ଛାଡ଼ପତ୍ର ପାଇଥିବା ମହିଳାଙ୍କ ଦ୍ବିତୀୟ ବିବାହ ହେବା ଅପେକ୍ଷାକୃତ ଅଧିକ କଠିନ ହୋଇଥାଏ। ଏହା ମଧ୍ୟ ସେମାନଙ୍କ ସହ ଏକ ପ୍ରକାରର ଭେଦଭାବ। ଉଦ୍‌ବେଗଜନକ ହେଲା ବର୍ତ୍ତମାନ ଗାଁ ମାନଙ୍କରେ ମଧ୍ୟ ବିବାହ ବିଚ୍ଛେଦର ମାମଲା ଦେଖିବାକୁ ମିଳିଲାଣି, କିନ୍ତୁ ଏହା ସତ ଯେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ ଛାଡ଼ପତ୍ରର ମାମଲା ବହୁତ କମ୍। ଆମେରିକା ପରି ବିକଶିତ ଦେଶରେ ଛାଡ଼ପତ୍ର ହାର ୩୦ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହା ମାତ୍ର ୧.୩ ପ୍ରତିଶତ ଅର୍ଥାତ ପ୍ରତି ୧୦୦୦ ବିବାହରେ ୧୩ଟି ଛାଡ଼ପତ୍ର ହେଉଛି।

ଜଗତ୍‌କରଣ ପୂର୍ବରୁ ଏହି ହାର ୦.୫ ପ୍ରତିଶତ ଥିଲା। ଅର୍ଥାତ ୩୦ ବର୍ଷରେ ଏହା ୨.୬ ଗୁଣା ବୃଦ୍ଧି ପାଇଲାଣି। ଯଦି ଏହି ବେଗରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଏ ତେବେ ଏହା ଚିନ୍ତାଜନକ ପରିସ୍ଥିତିକୁ ଜନ୍ମ ଦେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଭୟ ପ୍ରେମ ଏବଂ ‘ଆରେଞ୍ଜଡ୍‌’ ବିବାହରେ ଛାଡ଼ପତ୍ର ହେଉଛି। କିନ୍ତୁ ‘ଆରେଞ୍ଜଡ୍‌’ ବିବାହରେ ମତଭେଦ ପରେ ଆପୋସ ବୁଝାମଣା ପାଇଁ ଅଳ୍ପ ସୁଯୋଗ ଥାଏ। ତେବେ ବର୍ତ୍ତମାନର ଏକ ପ୍ରଶ୍ନ ହେଲା, ଯେଉଁ ସମାଜ ଛାଡ଼ପତ୍ର, ଲିଭ୍‌-ଇନ୍‌ ସମ୍ପର୍କକୁ ଆପଣେଇବା ସହ ଆଇନଗତ ସ୍ବୀକୃତି ଦେଇସାରିଛି ସେହି ସମାଜରେ ଆମେ ‘ଆରେଞ୍ଜଡ୍‌’ ବିବାହର ଯୁଗକୁ ଫେରିବାରେ ସମର୍ଥ ହେବା କି? ଏଭଳି ପରିସ୍ଥିତିରେ, କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ କେରଳ ହାଇକୋର୍ଟ ଖାରଜ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଏବଂ ଛାଡ଼ପତ୍ର ସମସ୍ୟା ସମ୍ପର୍କରେ ଅତ୍ମସମୀକ୍ଷା କରିବାକୁ ଆମ ସମସ୍ତଙ୍କୁ ଏକ ପ୍ରକାର ବାଧ୍ୟ କରିଛନ୍ତି।

ମୋ: ୯୪୩୭୦୦୧୩୨୫

ସମ୍ବନ୍ଧିତ ଖବର