ଅବସର ପରେ ବରୁଆ ସାର୍

ପ୍ରୀତୀଶ ଆଚାର୍ଯ୍ୟ

ଏକଦା ବରୁଆ ସାର୍‌ ଥିଲେ ଇଟାନଗର (ଅରୁଣାଚଳ)ର ଏକ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଧାନଶିକ୍ଷକ। ହାଇସ୍କୁଲରେ ଶିକ୍ଷକତା କରିବାର ଯୋଗ୍ୟତା ଥିବା ସତ୍ତ୍ବେ ସେ ପ୍ରାଥମିକ ସ୍କୁଲକୁ ବାଛିଥିଲେ। ସାନ ପିଲାଙ୍କ ଗହଣରେ ଆପ୍ରାଣ ବୁଡ଼ି ରହିବା ଥିଲା ତାଙ୍କ ଶିକ୍ଷକତାର ବୈଶିଷ୍ଟ୍ୟ। କିଛି ବର୍ଷ ତଳେ ଶିକ୍ଷକତାରୁ ଅବସର ନେଲା ପରେ ନିଜ ପୈତୃକ ସହର ନର୍ଥ ଲକ୍ଷ୍ମୀପୁର (ଆସାମ)ରେ ସେ ରହୁଥିଲେ। ପ୍ରାୟ ତିନି ଦଶନ୍ଧି ତଳେ ମୁଁ ଇଟାନଗରରେ ଅବସ୍ଥାପିତ ଥିବା ବେଳେ ତାଙ୍କ ସହ ମୋର ପରିଚୟ ହୋଇଥିଲା। ପ୍ରାୟ ଚାରି ବର୍ଷ ତଳେ ମତେ କୌଣସି ସରକାରୀ କାମରେ ଇଟାନଗର ଗସ୍ତ କରିବାର ସୁଯୋଗ ମିଳିଲା। ସ୍ଥିର କଲି, ଏଥର ନିଶ୍ଚୟ ବରୁଆ ସାର୍‌ଙ୍କୁ ଯାଇ ଦେଖା କରିବି। ଇଟାନଗରରୁ ନର୍ଥ ଲକ୍ଷ୍ମୀପୁର ମାତ୍ର ୭୦ କିମି ବାଟ। ଅବସର ଉତ୍ତାରୁ ବୟସର ସାୟାହ୍ନରେ ବରୁଆ ସାର୍‌ ସ୍କୁଲ ପିଲା ଓ ସ୍କୁଲକୁ ଛାଡ଼ି କେମିତି ସମୟ କାଟୁଥିବେ- ତାହା ଜାଣିବା ଯେମିତି ମୋ ପାଇଁ ଅତି ଆବଶ୍ୟକ ଥିଲା।

ବରୁଆ ସାର୍‌ଙ୍କ ଘରକୁ ଲାଗି ଏକ ‘ପ୍ଲେ ସ୍କୁଲ’। ସରକାରୀ ସ୍କୁଲ ଉପରେ ଆସ୍ଥା ହରାଇଥିବା ନିମ୍ନ ମଧ୍ୟବିତ୍ତ ଅଭିଭାବକଙ୍କ ଛୁଆମାନେ ଏବେ ସେଠି। ବରୁଆ ସାର୍ ସକାଳେ ତିନି ଘଣ୍ଟା ନିୟମିତ ଭାବେ ସେହି ‘ପ୍ଲେ ସ୍କୁଲ’ରେ ପିଲାଙ୍କୁ ଗୀତ, ନାଚ ଓ ଖେଳ ମାଧ୍ୟମରେ ଗଣିତ ଓ ବିଜ୍ଞାନ ପଢ଼ାନ୍ତି। ସେଠି ଚାରିଟି ଭାଷା କହୁଥିବା ପିଲା: ନେପାଳୀ, ବଙ୍ଗାଳି, ଅହମୀୟ ଏବଂ ହିନ୍ଦୀ। ସାରଙ୍କ ପ୍ରୟାସ ଯୋଗୁଁ ସବୁ ପିଲା ସଗର୍ବରେ ଚାରିଟି ଯାକ ଭାଷା କହିପାରନ୍ତି, ବୁଝି ପାରନ୍ତି। ଏହା କେମିତି ସମ୍ଭବ ହେଲା ବୋଲି ଯେତେବେଳେ ସାର୍‌ଙ୍କୁ ପଚାରିଲି, ତାଙ୍କ ଉତ୍ତର ଥିଲା ଅତି ସରଳ। ଯଦି କୌଣସି ଭାଷା ଅନ୍ୟ ଭାଷା ଠାରୁ ସାନ ବା ବଡ଼ ନୁହେଁ ବୋଲି ପିଲା ମନରେ ପ୍ରତ୍ୟୟ ସୃଷ୍ଟି ହୁଏ, ସେ ନିଜର ଭାଷା କହିଲା ବେଳେ କିମ୍ବା ଅନ୍ୟର ଭାଷା ଶିଖିଲା ବେଳେ କୁଣ୍ଠା ବା ହୀନମନ୍ୟତା ପ୍ରଦର୍ଶନ କରେ ନାହିଁ। ଆମେ ସବୁ ଭାଷାରେ ଗୀତ ଗାଇ ସ୍କୁଲ ପରିବେଶରେ ପ୍ରଥମେ ଏହି ପ୍ରତ୍ୟୟ ସୃଷ୍ଟି କଲୁ। ନିର୍ବିରୋଧରେ ପିଲା ତାକୁ ଗ୍ରହଣ କରିନେଲେ। ଏବେ ସେମାନଙ୍କ ବାପା-ମା ବି ଏଥି ଲାଗି ବେଶ୍‌ ଖୁସି। କାରଣ କୁନି କୁନି ପିଲାମାନେ ମଧ୍ୟ ଚାରିଟି ଭାଷା ଏବଂ ଭାଷା ମାଧ୍ୟମରେ ସଂସ୍କୃତି ସହିତ ପରିଚିତ ହୋଇଛନ୍ତିି। ଅବସରପ୍ରାପ୍ତ ଏବଂ ପେନସନ ଭୋଗୀ ବରୁଆ ସାର୍‌ ଏହି ‘ପ୍ଲେ ସ୍କୁଲ’ ଶିକ୍ଷକତା‌ ପାଇଁ କୌଣସି ପାଉଣା ନିଅନ୍ତି ନାହିଁ। ଘରୁ ପାଦରେ ପ୍ରତି ଦିନ ସ୍କୁଲ ଆସନ୍ତି ଏବଂ ଦିନ ଦଶଟାରେ ସ୍କୁଲ ବନ୍ଦ ହେଲା ପରେ ଘରକୁ ଫେରନ୍ତି।

ଦିନ ଦୁଇଟାରେ ସେ ଯାଆନ୍ତି ନର୍ଥ ଲକ୍ଷ୍ମୀପୁରର ଏକ ସାଧାରଣ ପାଠାଗାରକୁ କୌଣସି ପାଠକ ରୂପରେ ନୁହେଁ, ବରଂ ଲାଇବ୍ରେରିଆନଙ୍କ ଜଣେ ସହାୟକ ଭାବରେ। ପାଠାଗାରରେ ଜଣେ ‘ପାର୍ଟ ଟାଇମ୍‌’ ଲାଇବ୍ରେରିଆନ ଥାଆନ୍ତି। ପିଲା ପଢ଼ିବାକୁ ଆସନ୍ତି ନାହିଁ ବୋଲି ଲା‌ଇବ୍ରେରିଆନ୍‌ ମହାଶୟ ତାକୁ ନିୟମିତ ଖୋଲୁ ନ ଥିଲେ ଏବଂ ଏଣେ ଲାଇବ୍ରେରି ନିୟମିତ ଖୋଲୁ ନଥିଲା ବୋଲି ପିଲା ମଧ୍ୟ ଆସୁନଥିଲେ। ବରୁଆ ସାର୍‌ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ନ କରି ବରଂ ନିଜେ ନିୟମିତ ଭାବେ ଠିକ୍‌ ସମୟରେ ଲାଇବ୍ରେରି ଆସିଲେ, ଝରକା କବାଟ ଖୋଲି ବସିଲେ, ଏବଂ ସନ୍ଧ୍ୟାରେ ଦରଜା, କବାଟ ବନ୍ଦ କରିବାରେ ସହଯୋଗ କଲେ। ଏମିତି କିଛି ଦିନ ‌କଲା ପରେ ଲାଇବ୍ରେରିଆନଙ୍କ ଆସ୍ଥା ଲାଭ କଲେ ଏବଂ ତାଙ୍କ ଅନୁପସ୍ଥିତିରେ ମଧ୍ୟ ସେ ଜଗି ରହିଲେ। ଫଳସ୍ବରୂପ, ଆଜିକାଲି ୩୦-୪୦ ଜଣ ପାଠକ ନିୟମିତ ଆସୁଛନ୍ତି; ବିଶେଷ କରି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗ। ଏହି ସହାୟକ କାମ ପାଇଁ ସାର୍‌ଙ୍କ ପାଉଣା- ଶୂନ୍ୟ। ଏ ବାବଦରେ ପଚାରିଲେ ସାର୍‌ଙ୍କ ସରଳ ଉତ୍ତର- ମାସିକ ପେନସନ୍‌ ତ ମିଳୁଛି। ଏହି ପରିଣତ ବୟସରେ ମୋର ଆଉ ଖର୍ଚ୍ଚ ବା କ’ଣ ଯେ ମୁଁ ପାଉଣା ଦାବି କରିବି?

ଏଥିରୁ ବି ଅଧିକ ମହତ୍ତ୍ବପୂର୍ଣ୍ଣ ମନେ ହେଲା ବରୁଆ ସାର୍‌ଙ୍କ ସାଂଧ୍ୟ କାର୍ଯ୍ୟ ନିର୍ଘଣ୍ଟ। ଆସାମର ଗାଁ ଗାଁରେ ‘ନାମଘର’; ଆମ ଓଡ଼ିଶାର ‘ଭାଗବତ ଟୁଙ୍ଗୀ’ ଭଳି। ପଂଚଦଶ ବା ଷୋଡ଼ଶ ଶତାବ୍ଦୀରେ ସନ୍ଥ ଶଙ୍କର ଦେବ ଏବଂ ମାଧବ ଦେବଙ୍କ ଭକ୍ତି ରଚନାବଳୀର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ‘ନାମଘର’ ଗୁଡ଼ିକର ସୃଷ୍ଟି। ଆସାମରେ ଭକ୍ତି ଆନ୍ଦୋଳନ ସହିତ ଆଞ୍ଚଳିକ ଅହମୀୟା ଭାଷା ଓ ସଂସ୍କୃତିର ପ୍ରସାର ଦିଗରେ ତା’ର ଅତୁଲ୍ୟ ଅବଦାନ। ମାତ୍ର ସମୟ କ୍ରମେ ‘ନାମଘର’ ଆଜି ଅହମୀୟ ଯୁବବର୍ଗ ପାଇଁ ସଂସ୍କୃତି-କେନ୍ଦ୍ର ହୋଇ ରହିନାହିଁ। ଅନ୍ୟମାନଙ୍କ ଭଳି ବରୁଆ ସାର୍‌ ମଧ୍ୟ ଏଥି ପାଇଁ ଚିନ୍ତିତ। ତେଣୁ ‘ଗୁଣ୍ଡୁଚି ମୂଷା’ ଭଳି ସେ ସମାଧାନର ସୂତ୍ର ମଧ୍ୟ ଖୋଜିଛନ୍ତି। ସପ୍ତାହକୁ ତିନି ଦିନ ସାହିର ‘ନାମଘର’କୁ ଯାଆନ୍ତି ଏବଂ ସଂଧ୍ୟାରେ ସେଠି ଶଙ୍କର ଦେବଙ୍କ ଭଜନ ଗାନ କରନ୍ତି। ତାଙ୍କ ଦେଖାଦେଖି ଏବେ ଆହୁରି ଆଠ-ଦଶ ଜ‌ଣ ଲୋକ ବି ସେଠିକି ଆସୁଛନ୍ତି। ସ୍ବାଭାବିକ ଭାବରେ ଏଥିପାଇଁ ବି ତାଙ୍କ ପାଉଣା ଶୂନ୍ୟ।

ମୁଁ ଗଦ୍‌ଗଦ୍‌ ହୋଇ କହିଲି, ‘ଆପଣ ‌େକତେ ସବୁ ସମାଜ କାମ କରୁଛନ୍ତି ଏବଂ ତା’ ମଧ୍ୟ ଏହି ପରିଣତ ବୟସରେ!’

ବରୁଆ ସାର୍‌ ମୋତେ ଓଲଟି କହିଲେ, ‘ଆପଣ ଆଉ ଗୋଟିଏ ଦୃଷ୍ଟିରୁ କଥାଟିକୁ ବିଚାର କରୁନାହାନ୍ତି! ଏହି ସବୁ କାମ ଅଛି ବୋଲି ମୁଁ ସୁସ୍ଥ ଅନୁଭବ କରୁଛି। ଯଦି ନ ଥାନ୍ତା ତେବେ ମୁଁ ତ ଅବସର ପରେ ନିଜକୁ ଅକର୍ମଣ୍ୟ ମନେ କରୁଥାଆନ୍ତି; ବିଷାଦଗ୍ରସ୍ତ ହୋଇ ଅତି କଷ୍ଟରେ ଦିନ କାଟୁଥାନ୍ତି।’

ମୋର ମନେ ହେଲା, ବରୁଆ ସାର୍‌ଙ୍କ ପାଇଁ ଅବସର ପରର ଶିକ୍ଷକତା, ପାଠାଗାରରେ ସହାୟତା ଏବଂ ‘ନାମଘର’ରେ ଭଜନ ପରିବେଷଣ ଆଦି କାମ କୌଣସି ସମାଜ-‌ସେବା ନୁହେଁ; ବରଂ ମହତ୍ତ୍ବାକାଂକ୍ଷା-ଶୂନ୍ୟ ଆତ୍ମ-‌ସେବା। ସେଥିପାଇଁ ସେ ପାଉଣାର କୌଣସି ଆଶା ରଖନ୍ତି ନାହିଁ। ସଂସ୍ଥାଗୁଡ଼ିକ ନିଜ ଘର ଆଖପାଖରେ। ତେଣୁ ଯିବା ଆସିବା ପାଇଁ ଅନ୍ୟ ଉପରେ ତାଙ୍କୁ ଆଶ୍ରିତ ହେବାକୁ ପଡ଼େ ନାହିଁ। ମାସିକ ପେନ୍‌ସନରେ ତାଙ୍କ ଗୁଜରାଣ ମେଣ୍ଟେ।

ମୁଁ ପୂର୍ବରୁ ଭାବି ନେଇଥିଲି ଯେ ଏକଦା ଶିକ୍ଷକତାରେ ଓତଃପ୍ରୋତଃ ଥିବା ବରୁଆ ସାର୍‌ଙ୍କ ପାଇଁ ଅବସରୋତ୍ତର ଜୀବନ ନିର୍ବାହ ଅତ୍ୟନ୍ତ କାଠିକର ହୋଇପଡ଼ିବ। କିନ୍ତୁ ତାଙ୍କୁ ଭେଟିଲା ପରେ ଆଗକୁ ଜିଇବା ଲାଗି ମତେ ବି ଅଫୁରନ୍ତ ପ୍ରାଣ-ଶକ୍ତି ମିଳିଲା।

ମୋ: ୯୫୫୬୩୯୦୯୨୩

ସମ୍ବନ୍ଧିତ ଖବର