ସ୍ବାଧୀନ ଭାରତର ପଚାଶ ପଠନୀୟ ପୁସ୍ତକ

ରାମଚନ୍ଦ୍ର ଗୁହା

ଏହା ପୂର୍ବରୁ ଏକ ସ୍ତମ୍ଭ (ଦି ଟେଲିଗ୍ରାଫ, ଅଗଷ୍ଟ ୧୩)ରେ ମୁଁ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କର ଏକ ବିଶ୍ଳେଷଣାତ୍ମକ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲି। ଆଜିର ଏଇ ସ୍ତମ୍ଭରେ ମୁଁ ପାଠକମାନଙ୍କୁ ଏକ ପୁସ୍ତକ ତାଲିକା ଦେଉଛି, ଯେଉଁଗୁଡ଼ିକ ଆମ ଲୋକତନ୍ତ୍ରର ଜଟିଳ ପ୍ରଗତିକୁ ବୁଝିବାରେ ଉପାଦେୟ ବୋଲି ମନେ କରେ। ସମରୂପତା ଦୃଷ୍ଟିରୁ ମୁଁ ୭୫ଟି ବହି ବାଛିବାକୁ ପସନ୍ଦ କରନ୍ତି। କିନ୍ତୁ ମୋ ଲାଗି ଧାର୍ଯ୍ୟ କରାଯାଇଥିବା ଶବ୍ଦାବଳୀର ସୀମା ଭିତରେ ମୁଁ ୫୦ଟି ବହି ବାଛିବାକୁ ସ୍ଥିର କଲି, ଯାହା ମଧ୍ୟ କିଛି କମ୍‌ ଅସାଧ୍ୟ କାମ ନୁହେଁ। ମୁଁ ୧୯୪୭ ମସିହା ପରବର୍ତ୍ତୀ କାଳଖଣ୍ଡକୁ ନେଇଛି, ତେଣୁ ତାହା ‘ଭାରତୀୟ ଇତିହାସ’ ବଦଳରେ ‘ସ୍ବାଧୀନ ଭାରତ’ର ବହି ପଢ଼ା ତାଲିକା ହେବ। ପ୍ରତ୍ୟେକ ପୁସ୍ତକର ପ୍ରଥମ ପ୍ରକାଶନ ମସିହାକୁ ବନ୍ଧନୀରେ ଉଲ୍ଲେଖ କରାଯାଇଛି।

ଗ୍ରାନ୍‌ଭିଲ ଅଷ୍ଟିନ୍‌ଙ୍କ ଦ୍ବାରା ଲିଖିତ ‘ଦି ଇଣ୍ଡିଆନ୍‌ କନ୍‌ଷ୍ଟିଚ୍ୟୁସନ୍‌: କର୍ନରଷ୍ଟୋନ୍‌ ଅଫ୍‌ ଏ ରିପବ୍ଲିକ୍‌’ (୧୯୬୬)ରୁ ମୁଁ ଆରମ୍ଭ କରୁଛି। ସମ୍ବିଧାନର ଢାଞ୍ଚା ପ୍ରସ୍ତୁତ କରିବା ନିମିତ୍ତ ହୋଇଥିବା ବିତର୍କଗୁଡ଼ିକ ଉପରେ ପର୍ଯ୍ୟବସିତ ଏହା ଏକ ମାଇଲ୍‌ ଖୁଣ୍ଟ। ତା’ ସହିତ ନୀରଜ ଗୋପାଳ ଜୟଲଙ୍କ ‘ସିଟିଜେନ୍‌ସିପ୍‌ ଆଣ୍ଡ୍‌ ଇଟ୍‌ସ ଡିସ୍‌କଣ୍ଟେଣ୍ଟ୍‌ସ: ଆନ୍‌ ଇଣ୍ଡିଆନ୍‌ ହିଷ୍ଟ୍ରି’ (୨୦୧୩)କୁ ମଧ୍ୟ ପଢ଼ିବା ଦରକାର; ଯାହା ସମୟ ଅବଧି ଦୀର୍ଘତର ଏବଂ ଅଧିକ ସାମାଜିକ ଦୃଷ୍ଟିକୋଣ ଏଥିରେ ଆଲୋଚିତ।

ସ୍ବାଧୀନ ରାଷ୍ଟ୍ର ଭାବରେ ଆମ ପ୍ରଥମ ଦଶନ୍ଧିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିକାଶଗୁଡ଼ିକ ମଧ୍ୟରେ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଓ ଭାଷା-ଭିତ୍ତିକ ରାଜ୍ୟ ଗଠନ ଆଦି ରହିଥିଲା। ପ୍ରଥମ ପ୍ରସଙ୍ଗ ଉପରେ ଶ୍ରେଷ୍ଠ ବହି ହେଉଛି ଭି.ପି. ମେନନ୍‌ଙ୍କର ‘ଇଣ୍ଟିଗ୍ରେସନ୍‌ ଅଫ୍‌ ଦି ଇଣ୍ଡିଆନ୍‌ ଷ୍ଟେଟ୍‌ସ’ (୧୯୫୬)। ଲେଖକ ନିଜେ ସର୍ଦ୍ଦାର ପଟେଲଙ୍କ ସହିତ ନିବିଡ଼ ଭାବରେ କାମ କରିଥିଲେ ଏବଂ ବହିରେ ବର୍ଣ୍ଣିତ ପ୍ରକ୍ରିୟାରେ ସେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଭାଷା-ଭିତ୍ତିକ ରାଜ୍ୟ ପ୍ରସଙ୍ଗରେ ରବର୍ଟ ଡି. କିଙ୍ଗଙ୍କ ଦ୍ବାରା ଲିଖିତ ‘ନେହରୁ ଆଣ୍ଡ୍‌ ଦି ଲାଙ୍ଗୁଏଜ୍‌ ପଲିଟିକ୍‌ସ ଅଫ୍‌ ଇଣ୍ଡିଆ’ (୧୯୯୭) ମଧ୍ୟ ଉଲ୍ଲେଖନୀୟ।

ଏବେ ମୁଁ ପ୍ରମୁଖ ଐତିହାସିକ ଚରିତ୍ରମାନଙ୍କ ଜୀବନୀକୁ ଆସୁଛି। ଏ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ଵାଲ୍‌ଟର କ୍ରୋକରଙ୍କ ‘ନେହରୁ: ଏ କନ୍‌ଟେଂପରାରିସ୍‌ ଏଷ୍ଟିମେଟ୍‌’ (୧୯୬୬), ରାଜମୋହନ ଗାନ୍ଧୀଙ୍କ ‘ପଟେଲ୍‌: ଏ ଲାଇଫ୍‌’ (୧୯୯୦), କ୍ୟାଥେରିନ୍‌ ଫ୍ରାଙ୍କ୍‌ଙ୍କ ‘ଇନ୍ଦିରା: ଦି ଲାଇଫ୍‌ ଅଫ୍‌ ଇନ୍ଦିରା ନେହରୁ ଗାନ୍ଧୀ’ (୨୦୦୧), ସି.ପି. ଶ୍ରୀବାସ୍ତବଙ୍କ ‘ଲାଲ୍‌ ବାହାଦୂର ଶାସ୍ତ୍ରୀ’(୧୯୯୫), ଧନଞ୍ଜୟ କୀରଙ୍କ ଦ୍ବାରା ଲିଖିତ ‘ଆମ୍ବେଦକର’ (୧୯୫୪ ଓ ୧୯୯୦ର ସଂଶୋଧିତ ସଂସ୍କରଣ), ଆଲାନ୍‌ ଏବଂ ୱେଣ୍ଡି ସ୍କାର୍ଫିଙ୍କ ‘ଜେ.ପି.: ହିଜ୍‌ ବାୟୋଗ୍ରାଫି’ (୧୯୭୫ ଓ ୧୯୯୮ର ସଂଶୋଧିତ ସଂସ୍କରଣ) ଏବଂ ଏଲେନ୍‌ କାରୋଲ୍‌ ଡୁବୋସ୍‌ ଏବଂ ବିନୟ ଲାଲ୍‌ଙ୍କ ଦ୍ବାରା ସଂପାଦିତ ‘ଏ ପାସୋନେଟ୍‌ ଲାଇଫ୍‌: ରାଇଟିଂସ ବାଇ ଆଣ୍ଡ୍‌ ଅନ୍‌ କମଳା ଦେବୀ ଚଟୋପାଧ୍ୟାୟ’ (୨୦୧୭)।

ସ୍ବାଧୀନତା ପରେ ପରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଘଟିଥିବାରୁ ମୁଁ ତାଙ୍କର ଜୀବନୀ ସମ୍ପର୍କରେ ସୁପାରିସ କରୁନାହିଁ। ତେବେ ତାଙ୍କ ଚିରସ୍ଥାୟୀ ପ୍ରଭାବ ସମ୍ପର୍କରେ ଯୋଉମାନେ ଆଗ୍ରହୀ, ସେମାନଙ୍କ ପାଇଁ ରଜନୀ ବକ୍ସିଙ୍କ ଦ୍ବାରା ଲିଖିତ ‘ବାପୁ କୁଟି: ଜର୍ନିଜ୍‌ ଇନ୍‌ ଡିସ୍‌କଭରି ଅଫ୍‌ ଗାନ୍ଧୀ’ (୧୯୯୮) ରହିଛି।

ସ୍ବାଧୀନ ଭାରତର ଅଗ୍ରଣୀ ରାଜନେତାଙ୍କ ମଧ୍ୟରେ ଆମ୍ବେଦକର ଓ ନେହରୁ ମଧ୍ୟ ଜଣେ ଜଣେ ଗୁରୁତ୍ବପୂର୍ଣ୍ଣ ଚିନ୍ତାନାୟକ ଭାବେ ବିବେଚିତ। ମୁଁ ତେଣୁ ଭାଲେରିଆନ୍‌ ରୋଡ୍ରିଗ୍‌ସଙ୍କ ଦ୍ବାରା ସଂପାଦିତ ‘ଦି ଏସେନ୍‌ସିଆଲ୍‌ ରାଇଟିଂସ ଅଫ୍‌ ବି.ଆର୍‌. ଆମ୍ବେଦକର’ (୨୦୦୨) ଏବଂ ପୁରୁଷୋତ୍ତମ ଅଗ୍ରଵାଲ ସଂପାଦିତ ‘ହୁ ଇଜ୍‌ ଭାରତ ମାତା? ହିଷ୍ଟ୍ରି, କଲ୍‌ଚର ଆଣ୍ଡ୍‌ ଦି ଆଇଡିଆ ଅଫ୍‌ ଇଣ୍ଡିଆ: ରାଇଟିଂସ ବାଇ ଆଣ୍ଡ୍‌ ଅନ୍‌ ଜବାହରଲାଲ ନେହରୁ’ (୨୦୧୯)କୁ ସୁପାରିସ କରୁଛି। ବର୍ତ୍ତମାନ ସମୟରେ ଆମ୍ବେଦକର ଓ ନେହରୁଙ୍କ ପ୍ରଭାବ ସହିତ ଆର୍‌ଏସ୍‌ଏସ୍‌ ବିଚାରକ ଏମ୍‌.ଏସ୍‌. ଗୋଲଵାକରଙ୍କ ପ୍ରଭାବ ସମତୁଲ ହୋଇଯାଇଛି, କିମ୍ବା ତା’ଠୁ କିଛି ଅଧିକ ମଧ୍ୟ। ତେଣୁ ଗୋଲଵାକରଙ୍କ ଲେଖାର ଏକ ମାନକ ସଂକଳନ ‘ଏ ବନ୍‌ଚ ଅଫ୍‌ ଥଟ୍‌ସ’ (୧୯୬୬)କୁ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରୁଛି।

ସ୍ବାଧୀନ ଭାରତରେ ରାଜନୈତିକ ପ୍ରକ୍ରିୟାର ଏକ ଉତ୍କୃଷ୍ଟ ବିହଙ୍ଗାବଲୋକନ ହେଉଛି ନୀରଜା ଗୋପାଳ ଜୟାସ ଓ ପ୍ରତାପ ଭାନୁ ମେହଟାଙ୍କ ଦ୍ବାରା ସଂପାଦିତ ‘ଅକ୍ସଫୋର୍ଡ କମ୍ପାନିଅନ୍‌ ଟୁ ଇଣ୍ଡିଆନ୍‌ ପଲିଟିକ୍‌ସ’ (୨୦୧୦)। ଭାରତ କେମିତି ଓ କାହିଁକି ସାବାଳକ ମତାଧିକାରକୁ ଆଦରି ନେଲା, ତାହା ବୁଝିବାକୁ ଅର୍ଣ୍ଣିତ ସାନିଙ୍କ ‘ହାଓ ଇଣ୍ଡିଆ ବିକେମ୍‌ ଡେମୋକ୍ରାଟିକ୍‌’ (୨୦୧୭) ପୁସ୍ତକ ପଢ଼ିବାକୁ ହେବ। ନିର୍ବାଚନୀ ରାଜନୀତିର ବଦନାମ ବା ଅନାକର୍ଷଣୀୟ ଦିଗ ସମ୍ପର୍କରେ ଜାଣିବା ପାଇଁ ମିଳନ ବୈଷ୍ଣବଙ୍କ ପୁସ୍ତକ ‘ହ୍ବେନ କ୍ରାଇମ୍‌ ପେଜ୍‌: ମନି ଆଣ୍ଡ୍‌ ମସଲ୍‌ ଇନ୍‌ ଇଣ୍ଡିଆନ୍‌ ପଲିଟିକ୍‌ସ’ (୨୦୧୭) ରହିଛି। ଶେଷରେ ଆର୍‌ଏସ୍‌ଏସ୍‌ ଉପରେ ଶ୍ରେଷ୍ଠ ପୁସ୍ତକ ହେଉଛି ଦେଶରାଜ ଗୋୟଲଙ୍କର ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ (୧୯୭୯)।

ସ୍ବାଧୀନତା ପର ଠାରୁ ଅର୍ଥନୈତିକ ଯୋଜନାର ଇତିହାସକୁ ଫ୍ରାଙ୍କାଇନ୍‌ ଫ୍ରାଙ୍କେଲ୍‌ ତାଙ୍କ ପୁସ୍ତକ ‘ଇଣ୍ଡିଆସ ପଲିଟିକାଲ ଇକୋନୋମି, ୧୯୪୭-୨୦୦୪’ (୨୦୦୫)ରେ ଅତି ଯତ୍ନର ସହ ଚିତ୍ରଣ କରିଛନ୍ତି। ବର୍ତ୍ତମାନର ଭାରତୀୟ ଅର୍ଥନୀତି ସାମନା କରୁଥିବା ଆହ୍ବାନ ସମ୍ପର୍କରେ ଜାଣିବା ଲାଗି ନୌସାଦ ଫର୍ବସଙ୍କ ‘ଦି ଷ୍ଟ୍ରଗଲ୍‌ ଆଣ୍ଡ୍‌ ଦି ପ୍ରମିଜ୍‌: ରିଷ୍ଟୋରିଂ ଇଣ୍ଡିଆସ ପୋଟେନ୍ସିଆଲ୍‌’ (୨୦୨୨) ରହିଛି। ଭାରତୀୟ ପ୍ରତିରକ୍ଷା ଯୋଜନା ଓ ବୈଦେଶିକ ନୀତି ସମ୍ପର୍କରେ ଯଥାକ୍ରମେ ଶ୍ରୀନାଥ ରାଘବନ୍‌ଙ୍କ ‘ଵାର ଆଣ୍ଡ୍‌ ପିସ୍‌ ଇନ୍‌ ମଡର୍ନ ଇଣ୍ଡିଆ’ (୨୦୦୯) ଏବଂ ଶିବ ଶଙ୍କର ମେନନ୍‌ଙ୍କ ‘ଚଏସେସ୍‌: ଇନ୍‌ସାଇଡ୍‌ ଦି ମେକିଂ ଅଫ୍‌ ଇଣ୍ଡିଆସ୍‌ ଫରେନ୍‌ ପଲିସି’ (୨୦୧୬)ରେ ଭଲ ବର୍ଣ୍ଣନା ରହିଛି। ଆମର ମହାନ୍‌ ଏସୀୟ ପଡ଼ୋଶୀଙ୍କ ସହ ଜଟିଳ ସମ୍ପର୍କ ବିଷୟରେ ଭଲ କରି ଜାଣିବା ଲାଗି କାନ୍ତି ବାଜପେୟୀଙ୍କ ‘ଇଣ୍ଡିଆ ଭର୍ସେସ ଚାଇନା: ହ୍ବାଇ ଦେ ଆର୍‌ ନଟ୍‌ ଫ୍ରେଣ୍ଡ୍‌ସ’ (୨୦୨୧) ପଢ଼ିବାକୁ ହେବ।

ସଂସଦ, ସୁପ୍ରିମ୍‌ କୋର୍ଟ ଓ ପ୍ରାଶାସନିକ ସେବା ଆଦି ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ଆଧୁନିକ ରାଷ୍ଟ୍ରର ମୂଳଦୁଆ। ଏହି ଅନୁଷ୍ଠାନଗୁଡ଼ିକର ଭୂମିକା ସମ୍ପର୍କରେ ଏକ ଉପାଦେୟ ପରିଚୟ ମିଳିବ ଦେବେଶ କପୁର, ପ୍ରତାପ ଭାନୁ ମେହଟା ଓ ମିଳନ ବୈଷ୍ଣବଙ୍କ ଦ୍ବାରା ମିଳିତ ସଂପାଦିତ ‘ରିଥିଙ୍କିଙ୍ଗ୍‌ ପବ୍ଲିକ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନ୍‌ ଇଣ୍ଡିଆ’ (୨୦୧୯)। ଭାରତୀୟ ସ୍ଥଳସେନା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି ଷ୍ଟିଭେନ୍‌ ଵିଲକିନସନ୍‌ଙ୍କ ‘ଆର୍ମି ଆଣ୍ଡ୍‌ ନେସନ୍‌: ଦି ମିଲିଟାରି ଆଣ୍ଡ୍‌ ଇଣ୍ଡିଆନ୍‌ ଡେମୋକ୍ରାସି’ (୨୦୧୫) ପୁସ୍ତକରେ। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ହେଉଛି ଗଣମାଧ୍ୟମ, ଯାହାର ପ୍ରାକ୍‌-ମୋଦୀ (ବା ପ୍ରାକ୍‌-ଗୋଦି) ଯୁଗର କ୍ରମ ବିବର୍ତ୍ତନ ସମ୍ପର୍କରେ ବିଶ୍ଳେଷଣ କରିଛନ୍ତି ରବିନ୍‌ ଜେଫ୍ରି ତାଙ୍କ ପୁସ୍ତକ ‘ଇଣ୍ଡିଆସ୍‌ ନ୍ୟୁଜ୍‌ପେପର ରିଭଲ୍ୟୁସନ୍‌: କ୍ୟାପିଟାଲିଜିମ୍‌, ପଲିଟିକ୍‌ସ ଆଣ୍ଡ୍‌ ଦି ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌’ (୨୦୦୦)ରେ।

ୟା’ପରେ ଆଧୁନିକ ଭାରତର ସାମାଜିକ ଢାଞ୍ଚା ଓ ସାମାଜିକ ପରିବର୍ତ୍ତନ ସମ୍ପର୍କିତ କିଛି ବହି କଥା ମୁଁ କହିବି। ଗ୍ରାମୀଣ କ୍ଷେତ୍ରରେ ଜାତି ସଂଚାଳନ ସମ୍ପର୍କରେ ମୁଁ ଦୁଇଟି ବହି ସୁପାରିସ କରୁଛି, ଗୋଟିଏ ହେଲା ଭାରତୀୟ ଏମ୍‌.ଏନ୍‌. ଶ୍ରୀନିବାସଙ୍କ ‘ଦି ରିମେମ୍ବର୍ଡ ଭିଲେଜ୍‌’ (୧୯୭୭) ଏବଂ ଅନ୍ୟଟି ହେଲା ଡଚ୍‌ ବିଦ୍ବାନ୍‌ ଜନ୍‌ ବ୍ରେମାନ୍‌ଙ୍କ ‘ପାଟ୍ରୋନେଜ୍‌ ଆଣ୍ଡ୍‌ ଏକ୍ସପ୍ଲଏଟେସନ୍‌’ (୧୯୭୪)। ସ୍ବାଧୀନ ଭାରତରେ ମୁସଲମାନମାନଙ୍କର ପ୍ରତିଷ୍ଠା ଓ ଅବସ୍ଥା ସମ୍ପର୍କରେ ମୁସିରୁ ହାସନଙ୍କ ‘ଲିଗାସି ଅଫ୍‌ ଏ ଡିଭାଇଡେଡ୍‌ ନେସନ୍‌: ଇଣ୍ଡିଆସ ମୁସଲିମ୍‌ସ ସିନ୍‌ସ ଇଣ୍ଡିପେଣ୍ଡେନ୍ସ’ (୧୯୯୭)ରୁ ଜାଣିହେବ। ସେହିପରି ଆଦିବାସୀମାନଙ୍କ ସ୍ଥିତି ସମ୍ପର୍କରେ ଅନେକ ଉପାଦେୟ କଥା ନନ୍ଦିନୀ ସୁନ୍ଦର ସଂପାଦିତ ‘ଦି ସିଡ୍ୟୁଲ୍‌ଡ ଟ୍ରାଇବ୍‌ସ ଆଣ୍ଡ୍‌ ଦେଆର ଇଣ୍ଡିଆ’ (୨୦୧୬)ରେ ରହିଛି।

ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ପାରିସ୍ଥିତିକ ଦୃଷ୍ଟିକୋଣରୁ ଭାରତୀୟ ରାଜ୍ୟଗୁଡ଼ିକ ପରସ୍ପର ଠାରୁ ଭୀଷଣ ଭାବରେ ପୃଥକ୍‌। ଦୁର୍ଭାଗ୍ୟବଶତଃ, ସେ ସମ୍ପର୍କରେ କ୍ବଚିତ୍‌ ଗବେଷଣାତ୍ମକ ଇତିହାସ ଲେଖା ଯାଇଛି। ତେବେ ରବିନ୍‌ ଜେଫ୍ରିଙ୍କ ‘ପଲିଟିକ୍‌ସ, ଓମେନ୍‌ ଆଣ୍ଡ୍‌ ୱେଲବିଙ୍ଗ୍‌: ହାଓ କେରଳ ବିକେମ୍‌ ଏ ମଡେଲ୍‌’ (୧୯୯୨) ଏବଂ ତାମିଲନାଡୁ ସମ୍ପର୍କରେ ନରେନ୍ଦ୍ର ସୁବ୍ରମଣ୍ୟନ୍‌ଙ୍କ ‘ଏଥିନିସିଟି ଆଣ୍ଡ୍‌ ପପୁଲିଷ୍ଟ୍‌ ମୋବିଲାଇଜେସନ୍‌’ (୧୯୯୯) ହେଉଛନ୍ତି ତାହାର ବ୍ୟତିକ୍ରମ।

ସାମାଜିକ ଆନ୍ଦୋଳନ କଥା ଭାବିଲା ବେଳେ ଦଳିତ ଆନ୍ଦୋଳନ ସମ୍ପର୍କରେ ଡି.ଆର୍‌. ନାଗରାଜଙ୍କ ‘ଦି ଫ୍ଲେମିଂ ଫିଟ୍‌: ଦି ଦଳିତ ମୁଭ୍‌ମେଣ୍ଟ୍‌ ଇନ୍‌ ଇଣ୍ଡିଆ’ (୨୦୧୦), ମହିଳା ଆନ୍ଦୋଳନ ଉପରେ ରାଧା କୁମାରଙ୍କ ‘ଏ ହିଷ୍ଟ୍ରି ଅଫ୍‌ ଡୁଇଂ: ଆନ୍‌ ଇଲଷ୍ଟ୍ରେଟେଡ୍‌ ଆକାଉଣ୍ଟ୍‌ ଅଫ୍‌ ମୁଭ୍‌ମେଣ୍ଟ୍‌ସ ଫର୍‌ ଓମେନ୍‌ସ ରାଇଟ୍‌ସ ଆଣ୍ଡ୍‌ ଫେମିନିଜ୍‌ମ’ (୧୯୯୩), ପଛୁଆ ବର୍ଗଙ୍କ ସଂଘର୍ଷ ସମ୍ପର୍କରେ ଖ୍ରିଷ୍ଟଫ୍‌ ଜାଫ୍ରେଲଟ୍‌ଙ୍କ ‘ଇଣ୍ଡିଆସ୍‌ ସାଇଲେଣ୍ଟ୍‌ ରିଭଲ୍ୟୁସନ୍‌’ (୨୦୦୩) ଏବଂ ପରିବେଶ ଆନ୍ଦୋଳନ ଉପରେ ଶେଖର ପାଠକଙ୍କ ‘ଦି ଚିପ୍‌କୋ ମୁଭ୍‌ମେଣ୍ଟ୍‌: ଏ ପିପୁଲ୍‌ସ ହିଷ୍ଟ୍ରି’ (୨୦୨୦) ଆଦି ପୁସ୍ତକ ଉଲ୍ଲେଖନୀୟ।

ଭାରତର ପ୍ରମୁଖ ବିବାଦାସ୍ପଦ ଅଞ୍ଚଳ ସମ୍ପର୍କରେ ପର୍ଯ୍ୟବସିତ କିଛି ଲେଖା ରହିଛି। କାଶ୍ମୀର ବିବାଦର ମୂଳ ଓ ଗତିପଥ ସମ୍ପର୍କରେ ଅନେକ ପୁସ୍ତକ ରହିଛି। ତେବେ ସେଥିରୁ ସବୁଠୁ ପୁରୁଣା ଓ ଶ୍ରେଷ୍ଠ ହେଉଛି ଶିଶିର ଗୁପ୍ତାଙ୍କ ‘କାଶ୍ମୀର: ଏ ଷ୍ଟଡି ଇନ୍‌ ଇଣ୍ଡିଆ-ପାକିସ୍ତାନ ରିଲେସନ୍‌ସ’ (୧୯୬୫), ଯେଉଁଥିରେ କାଶ୍ମୀର ଉପତ୍ୟକାକୁ ଦଖଲ କରିବା ଉଭୟ ଭାରତ ଓ ପାକିସ୍ତାନର ରାଷ୍ଟ୍ରୀୟ କଳ୍ପନା ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଅନ୍ୟ ଅଶାନ୍ତ ତଥା ଉପଦ୍ରୁତ ଉତ୍ତର-ପୂର୍ବାଞ୍ଚଳ ଇଲାକା ସମ୍ପର୍କରେ ସଞ୍ଜୀବ ବରୁଆଙ୍କ ‘ଇନ୍‌ ଦି ନେମ୍‌ ଅଫ୍‌ ଦି ନେସନ୍‌: ଇଣ୍ଡିଆ ଆଣ୍ଡ୍‌ ଇଟ୍‌ସ ନର୍ଥଇଷ୍ଟ୍‌’ (୨୦୨୦) ପୁସ୍ତକରୁ ଜାଣିହେବ। କେନ୍ଦ୍ରୀୟ ଭାରତରେ ମାଓବାଦୀମାନଙ୍କ ବିଦ୍ରୋହ ସମ୍ପର୍କରେ ନନ୍ଦିନୀ ସୁନ୍ଦରଙ୍କ ‘ଦି ବର୍ନିଂ ଫରେଷ୍ଟ’ (୨୦୧୬)କୁ ପଢ଼ିବାକୁ ହେବ।

ଉପରୋକ୍ତ ବହିଗୁଡ଼ିକ ଗଭୀର ଗବେଷଣା ଉପରେ ପର୍ଯ୍ୟବସିତ ଯାହାର ପାଦଟିକା ଏବଂ କିଛି ପରାମର୍ଶ ମଧ୍ୟ ରହିଛି। ଏବେ ଅଧିକ ଲୋକପ୍ରିୟ ଶୈଳୀରେ ଲେଖାଯାଇଥିବା କିଛି ପୁସ୍ତକ ସୁପାରିସ କରୁଛି। ଗୋଟିଏ ହେଲା ଜିନ୍‌ ଡ୍ରେଜ୍‌ଙ୍କ ‘ସେନ୍‌ସ ଆଣ୍ଡ ସଲିଡାରିଟି: ଝୋଲାଵାଲା ଇକୋନୋମିକ୍‌ସ ଫର୍‌ ଏଭ୍ରିଵାନ୍‌’ (୨୦୧୭) ଏବଂ ଅନ୍ୟଟି ହେଲା ଆଣ୍ଡ୍ରେ ବେଟିଲିଙ୍କ ‘କ୍ରୋନିକ୍‌ଲସ ଅଫ୍‌ ଆଵାର ଟାଇମ୍‌’ (୨୦୦୦)। ମୋ’ ବିଚାରରେ ଡ୍ରେଜ୍‌ ହେଉଛନ୍ତି ଭାରତ ବିକାଶର ପୂର୍ବ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଏବଂ ବେଟିଲି ହେଉଛନ୍ତି ଜଣେ ଉତ୍କୃଷ୍ଟ ସମାଜ-ବିଜ୍ଞାନୀ।

ଏବେ ସାମ୍ବାଦିକମାନଙ୍କ ଦ୍ବାରା ଚାରିଟି ଉତ୍ତମ ପୁସ୍ତକ କଥା କହୁଛି। ସେଗୁଡ଼ିକ ହେଲା, ମୁମ୍ବାଇର ବସ୍ତି ଉପରେ କାଥେରିନ୍‌ ବୁ ଲିଖିତ ‘ବିହାଇଣ୍ଡ୍‌ ଦି ବିଉଟିଫୁଲ୍‌ ଫର୍‌ଏଭର୍ସ’ (୨୦୧୨), ଗ୍ରାମୀଣ ଭାରତରେ ଜୀବନ ଓ ସଂଘର୍ଷ ସମ୍ପର୍କରେ ପି. ସାଇନାଥଙ୍କ ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌’ (୧୯୯୬), ଆମର ସାଧାରଣ ନିର୍ବାଚନ ସମ୍ପର୍କରେ ରାଜଦୀପ ସରଦେଶାଇଙ୍କ ‘୨୦୧୯: ହାଓ ମୋଦୀ ଓନ୍‌ ଇଣ୍ଡିଆ’ (୨୦୨୦) ଏବଂ ଆମ ଦେଶରେ କାମ କରୁଥିବା ସବୁଠୁ ପ୍ରଶଂସିତ ବିଦେଶୀ ସାମ୍ବାଦିକ ମାର୍କ ଟୁଲିଙ୍କ ‘ନୋ ଫୁଲ୍‌ ଷ୍ଟପ୍‌ସ ଇନ୍‌ ଇଣ୍ଡିଆ’ (୧୯୯୧)।

ଶେଷରେ ମୋ’ ସ୍ମୃତିରେ ଥିବା ଦୁଇ ଦଳିତଙ୍କ ଦ୍ବାରା ଲିଖିତ ମୋ’ ପସନ୍ଦର ଦୁଇଟି ଭଲ ବହି ସମ୍ପର୍କରେ କହୁଛି। ଗୋଟିଏ ହେଲା ସୁଜାତା ଗିଦଲାଙ୍କ ‘ଆଣ୍ଟ୍‌ସ ଏମଙ୍ଗ୍‌ ଏଲିଫ୍ୟାଣ୍ଟ୍‌ସ’ (୨୦୧୭) ଏବଂ ଓମ୍‌ ପ୍ରକାଶ ବାଲ୍ମୀକିଙ୍କ ହିନ୍ଦୀ ପୁସ୍ତକ ‘ଜୁଠନ୍‌’ ଯାହାର ଇଂରେଜୀ ଅନୁବାଦ କରିଛନ୍ତି ଅରୁଣ ମୁଖାର୍ଜୀ (୨୦୦୪)। ସେହିପରି ଦୁଇ ଜଣ ଲେଖିକାଙ୍କର ଦୁଇଟି ବହି କଥା କହୁଛି, ଗୋଟିଏ ହେଲା ମଧ୍ୟବିତ୍ତ ପରିବାର ସମ୍ପର୍କରେ ପଦ୍ମା ଦେଶାଇଙ୍କ ‘ବ୍ରେକିଂ ଆଉଟ୍‌’ (୨୦୧୨) ଏବଂ ମଲିକା ଅମର ଶେଖ୍‌ଙ୍କ ମୂଳ ମରାଠୀ ପୁସ୍ତକର ଜେରି ପିଣ୍ଟୋଙ୍କ ଦ୍ବାରା ଇଂରେଜୀ ଅନୁବାଦ ‘ଆଇ ଵାଣ୍ଟ୍‌ ଟୁ ଡେଷ୍ଟ୍ରୟ ମାଇସେଲ୍‌ଫ’ (୨୦୧୯)।

ଉପରୋକ୍ତ ପୁସ୍ତକଗୁଡ଼ିକ ୧୯୫୦ ମସିହା ପରେ ପ୍ରକାଶିତ ଏବଂ ଦେଶର ଅର୍ଥନୈତିକ କିମ୍ବା ସାଂସ୍କୃତିକ ଇତିହାସ ଅପେକ୍ଷା ସାମାଜିକ ଓ ରାଜନୈତିକ ଇତିହାସ ଆଡ଼କୁ ବେଶୀ ଢଳିଛନ୍ତି। ତେବେ ନ୍ୟୁ ଇଣ୍ଡିଆ ଫାଉଣ୍ଡେସନ୍‌ ଦ୍ବାରା ପ୍ରକାଶିତ ବହିଗୁଡ଼ିକୁ ମୁଁ ତାଲିକାରୁ ବାଦ୍‌ ଦେଇଛି, କାରଣ ଉକ୍ତ ସଂଗଠନ ସହ ମୁଁ ଅନେକ ବର୍ଷ ଧରି ଜଡ଼ିତ ଥିଲି।
ଉପରୋକ୍ତ ପଚାଶଟି ବହି ମଧ୍ୟରୁ କିଛି ବହି ପାଠକ ଅନୁସରଣ କରିବେ ବୋଲି ମୁଁ ଆଶା ରଖୁଛି। ପ୍ରାୟ ସବୁ ବହିର ମୁଦ୍ରିତ ସଂସ୍କରଣ ଉପଲବ୍‌ଧ। (ଯେଉଁ ଗୁଡ଼ିକର ନାହିଁ, ତାହା ୱେବସାଇଟ୍‌ archive.org ରେ ମିଳିପାରିବ)। ଅନେକ ପୁସ୍ତକ ମଧ୍ୟ ହିନ୍ଦୀ ସମେତ ଅନ୍ୟ ଭାଷାରେ ଅନୁଦିତ ଏବଂ ଉପଲବ୍‌ଧ।

ସମ୍ବନ୍ଧିତ ଖବର