ଆପଣଙ୍କର ମନେ ଥିବ ‘ରୋଟୋମାକ’ କଲମ କଥା। ୧୯୯୨ରେ ତିଆରି ହୋଇଥିବା ଏ କଲମ କମ୍ପାନିର ନାଁ ଥିଲା ‘ରୋଟୋମାକ ଗ୍ଲୋବାଲ’ ଏବଂ ୟାର ମାଲିକ ଥିଲେ କାନପୁରର ବିକ୍ରମ୍ କୋଠାରି ଏବଂ ତାଙ୍କ ପରିବାର। ବେଶ ନାଁ କଲା ପରେ, ୨୦୧୮ ପରେ ସେ କଲମ ଯେମିତି କୁଆଡ଼େ ହଜିଗଲା ବଜାରରୁ! ଆଗ ଭଳି ଆଉ ଆସିଲା ନାହିଁ।
୨୦୦୮ ମସିହାର କଥା। କଲମ ତିଆରି କରୁ କରୁ ଏ କମ୍ପାନି ଗ୍ରିଟିଙ୍ଗ୍ସ କାର୍ଡ, ଇମ୍ପୋର୍ଟ-ଏକ୍ସପୋର୍ଟ, ରିଏଲ ଇଷ୍ଟେଟ, ଷ୍ଟିଲ ବ୍ୟବସାୟ କରିବାକୁ ଆରମ୍ଭ କଲା। ସି.ବି.ଆଇ.ର ଆରୋପ ଅନୁସାରେ ଏ କମ୍ପାନି ଇମ୍ପୋର୍ଟ-ଏକ୍ସପୋର୍ଟ ବ୍ୟବସାୟକୁ ଭିତ୍ତି କରି ବ୍ୟାଙ୍କରୁ ଋଣ ଆଣିଲା। ସିଙ୍ଗାପୁରରେ ‘ବାଗାଡିଆ ବ୍ରଦର୍ସ’ ନାମକ ଏକ ଜାଲ କମ୍ପାନି ତିଆରି କଲା। ସେ କମ୍ପାନି ଠାରୁ ଗହମ କିଣିବା କଥା କହି ବ୍ୟାଙ୍କରୁ ‘ଲେଟର ଅଫ କ୍ରେଡିଟ୍’ର ସୁବିଧା ଅଣାଗଲା। ଏହାର ଅର୍ଥ, ଯେତେବେଳେ ବ୍ୟାଙ୍କ ପାଖରେ ଇମ୍ପୋର୍ଟ-ଏକ୍ସପୋର୍ଟର କାଗଜ (ବିଲ୍ ଅଫ ଲେଡିଙ୍ଗ) ଦାଖଲ ହେବ, ବ୍ୟାଙ୍କ ରୋଟୋମାକ ପାଇଁ ବାଗାଡିଆ ବ୍ରଦର୍ସକୁ ଗହମ କିଣା ବାବଦକୁ ଟଙ୍କା ଦେଇଦେବ ଏବଂ ରୋଟୋମାକ କମ୍ପାନି ବ୍ୟାଙ୍କକୁ ଏକ ନିର୍ଦ୍ଦିଷ୍ଟ ସୁଧ ହାରରେ (ଧରି ନିଅନ୍ତୁ ୮%) କିଛି ବର୍ଷ ଭିତରେ କିସ୍ତି ଶୁଝିଦେବ। କମ୍ପାନି ଦ୍ୱାରା ଜାଲ ଇମ୍ପୋର୍ଟ-ଏକ୍ସପୋର୍ଟ କାଗଜ ବନା ଯାଇଥିଲା ଏବଂ ତାକୁ ଭିତ୍ତି କରି ବ୍ୟାଙ୍କ ‘ବାଗାଡିଆ ବ୍ରଦର୍ସ କମ୍ପାନି’କୁ ଟଙ୍କା ଦେଇ ଚାଲିଲା। ‘ବାଗାଡିଆ ବ୍ରଦର୍ସ’ ପ୍ରକୃତରେ ଗହମ ରପ୍ତାନି ନ କରି, ସେ ଟଙ୍କା ରୋଟୋମାକକୁ ପଠେଇବାକୁ ଲାଗିଲା। କଥା ହେଲା, ସତରେ ତ ବେପାର ହେଇନାହିଁ, ଲାଭ ବି ନାହିଁ, ଏଣୁ କମ୍ପାନି ନେଇଥିବା ଋଣକୁ କେମିତି ଶୁଝିବ? ତେଣୁ ଏଇ ଋଣ ପରିଶୋଧ କରିବା ପାଇଁ ପୁଣି ଆଉ ଗୋଟେ ସରକାରୀ ବ୍ୟାଙ୍କରୁ ଋଣ ନିଆଗଲା। କିନ୍ତୁ ‘ବାଗାଡିଆ ବ୍ରଦର୍ସ’ ପଠେଇଥିବା ସେଇ ଟଙ୍କାକୁ ଋଣ ଶୁଝିବାରେ ବ୍ୟବହାର କରାଗଲା ନାହିଁ।
ଋଣ ଦେଇଥିବା ବ୍ୟାଙ୍କ ଏବଂ ସି.ବି.ଆଇ.ର ଆରୋପ ଅନୁସାରେ ରୋଟୋମାକ ସେ ଟଙ୍କାକୁ ଏମିତି ଜାଗାରେ ନିବେଶ କଲା, ଯେଉଁଠୁ (ମନେକରନ୍ତୁ) ୧୫-୨୦% ରିଟର୍ନ ବା ଲାଭ ମିଳୁଥିବ। ଏହାର ମୋଟାମୋଟି ଅର୍ଥ, ଇମ୍ପୋର୍ଟ-ଏକ୍ସପୋର୍ଟ ଆଳରେ ବ୍ୟାଙ୍କରୁ ଟଙ୍କା ନେଇ ମଝିରେ ଶୁଖିଲାଟାରେ ୭-୧୨% ଲାଭ ଖାଇବା କଥା। ଏହାକୁ ଇଂରେଜୀରେ କହନ୍ତି ‘ଇଂଟରେଷ୍ଟ ରେଟ୍ ଆର୍ବିଟ୍ରାଜ୍’। ତଥ୍ୟ ଅନୁଯାୟୀ ଦେଶବିଦେଶରେ ଏକାଧିକ ଜାଲ କମ୍ପାନି ଖୋଲି ବ୍ୟାଙ୍କରୁ ନେଇଥିବା ଟଙ୍କାକୁ ଏପଟ ସେପଟ କରାଯାଇଥିଲା। ଏ ପ୍ରକ୍ରିୟା ୨୦୦୮ ଠାରୁ ୭ ବର୍ଷ କାଳ ଚାଲିଲା। କୌଣସି କାରଣରୁ ୨୦୧୫ରେ ବ୍ୟାଙ୍କ ଋଣ କିସ୍ତି ଦେବାକୁ ଯେତେବେଳେ କମ୍ପାନି ଅକ୍ଷମ ହେଲା, କଳା କାରବାର ଉପରୁ ପର୍ଦ୍ଦା ହଟିଲା। ସେତେବେଳକୁ ୩,୬୯୫ କୋଟି ଟଙ୍କାର ସମୂଳ ସୁଧ ଋଣ ବକେୟା ଥାଏ। ଏ ସବୁ ସାତଟି ସରକାରୀ ବ୍ୟାଙ୍କର ବକେୟାର ସର୍ବମୋଟ ରାଶି! ୨୦୧୮ରେ ବିକ୍ରମ କୋଠାରି ଏବଂ ତାଙ୍କ ପରିବାର ଜେଲକୁ ଗଲେ। ଭାରତରେ ଘଟିଥିବା ବଡ଼ ଦଶଟି ବ୍ୟଙ୍କ୍ ଠକେଇ ଭିତରୁ ରୋଟୋମାକ ଠକେଇ ଅନ୍ୟତମ। ଏ ଠକେଇକୁ ନେଇ କିଛି ମୌଳିକ ପ୍ରଶ୍ନ ଉଠେ। ଗୋଟେ କଲମ କମ୍ପାନି ଗହମ ବା କାହିଁକି କିଣିବ? ଏଣେ, ବାହାର ଦେଶକୁ ଗହମ ରପ୍ତାନି କରିବାରେ ଭାରତ ବିଶ୍ୱର ଦ୍ବିତୀୟ ସ୍ଥାନରେ ଥିଲା ବେଳେ କୌଣସି ଭାରତୀୟ ବେପାରୀ କାହିଁକି ଗହମ କିଣିବାକୁ ଯିବ, ତାହା ପୁଣି ସିଙ୍ଗାପୁର ଭଳି ଦେଶରୁ, ଯିଏ ନିଜେ ବାହାର ଦେଶରୁ ଗହମ କିଣୁଛି? ଏତେ ବଡ଼ ରାଶି ଋଣ ଦେଲା ପରେ ସେଥି ଜନିତ କାଗଜପତ୍ରର ଫୋରେନସିକ୍ ଯାଞ୍ଚ କାହିଁକି ହୁଏ ନାହିଁ? ଯେଉଁ ବିଷୟରେ ଋଣ ନିଆଯାଇଥିଲା, ସତରେ ସେଇ କାମରେ ତାହା ଲାଗିଛି କି ନାହିଁ ତାହାର ତଦାରଖ ଦୀର୍ଘ ୭ ବର୍ଷ ଭିତରେ କାହିଁକି ହେଉ ନ ଥିଲା?
ବିଗତ କିଛି ବର୍ଷ ହେବ ଆମେ ଶୁଣୁଛେ ଯେ ସରକାରୀ ବ୍ୟାଙ୍କଗୁଡ଼ିକ ‘ଖରାପ ଋଣ’ର ବୋଝ ତଳେ ଦବି ଯାଉଛନ୍ତି, ଏଣେ କିନ୍ତୁ କେତେକ ସରକାରୀ ବ୍ୟାଙ୍କ ଋଣ ‘ରାଇଟ୍ ଅଫ୍’ ଆଳରେ ପୁଞ୍ଜିପତିଙ୍କୁ ଋଣ ଛାଡ଼ କରି ଦେଉଛନ୍ତି। ତେବେ, ବ୍ୟାଙ୍କିଙ୍ଗ ଆଇନ ଏ ବାବଦରେ କ’ଣ କହେ ଏବଂ କେଉଁ ବିଷୟ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଏ, ତାହା ଏବେ ଜାଣିବା ଦରକାର। ପ୍ରଥମ କଥା ହେଲା, ‘ଲୋନ୍’ ବା ଋଣ ‘ରାଇଟ୍ ଅଫ୍’ର ଅର୍ଥ ନୁହେଁ ଯେ ଋଣ ଗ୍ରହୀତାଙ୍କୁ ଋଣ ଛାଡ଼ ହୋଇଗଲା। ଋଣ ‘ରାଇଟ୍ ଅଫ୍’ର ଅର୍ଥ ବ୍ୟାଙ୍କ ବାଲାନ୍ସ ସିଟ୍ରେ ନାଲି ଗାର ମାରି ଚିହ୍ନଟ କରାଯାଇଥିବା ଋଣ। ବ୍ୟାଙ୍କ ଦେଉଥିବା ଋଣ, ବ୍ୟାଙ୍କ ପାଇଁ ଏକ ସମ୍ପତ୍ତି ଏବଂ ସେଥିରୁ ପାଉଥିବା ସୁଧ ହେଉଛି ବ୍ୟାଙ୍କର ଆୟ। ଋଣ କିସ୍ତି ଯଦି ଠିକ୍ ସମୟରେ ନ ମିଳେ, ତେବେ ସମ୍ପତ୍ତି ତାର ଉପାର୍ଜନ କ୍ଷମତା ହରାଇ ବସିଛି ବୋଲି ଧରିନିଆଯାଏ। ଆର୍ଥିକ ବର୍ଷ ଶେଷରେ ସମ୍ପତ୍ତିର ଗୁଣବତ୍ତାକୁ ଆଖି ଆଗରେ ରଖି ବ୍ୟାଙ୍କ ସମ୍ପତ୍ତିର ଠିକ୍ ଆକଳନ ପାଇଁ ଏହା ଏକ ଗାଣିତିକ ହିସାବ ପ୍ରକ୍ରିୟା (ଆକାଉଣ୍ଟିଙ୍ଗ ଫ୍ରେମୱାର୍କ)। କଥା ହେଲା, ଆଜି ଦିଆଯାଇଥିବା ଋଣର କିସ୍ତି ଯଦି ୯୦ ଦିନ ପର୍ଯ୍ୟନ୍ତ ଲଗାତାର ଦିଆ ନ ଯାଏ, ତାହା ଅଣଉପାର୍ଜନକ୍ଷମ ସମ୍ପତ୍ତି (ଏନ.ପି.ଏ) ହିସାବରେ ପରିଗଣିତ ହୁଏ। ବକେୟାର ସମୟ ନେଇ ତାକୁ ତିନି ଭାଗରେ ବିଭକ୍ତ କରାଯାଏ: ୧. ନିମ୍ନ ମାନର ସମ୍ପତ୍ତି ବା ‘ସବ୍ଷ୍ଟାଣ୍ଡାର୍ଡ ଆସେଟ୍’- କିସ୍ତି ଦେୟ ଦିନ ଠାରୁ ବର୍ଷେ ପର୍ଯ୍ୟନ୍ତ ନ ମିଳିଥିବା ଟଙ୍କା; ୨. ସନ୍ଦେହଜନକ ସମ୍ପତ୍ତି ବା ‘ଡାଉଟଫୁଲ ଆସେଟ’- ନିମ୍ନ ମାନର ହେବା ପରେ ଯଦି ବର୍ଷେ ରହିଲା ଏବଂ ୩. କ୍ଷତି ସମ୍ପତ୍ତି ବା ‘ଲସ୍ ଆସେଟ’- ବ୍ୟାଙ୍କ ଅଡିଟ୍ ସମୟରେ ସିଧାସଳଖ ଚିହ୍ନଟ କରାଯାଇଥିବା ଅଣଉପାର୍ଜନକ୍ଷମ ସମ୍ପତ୍ତି। ଋଣର ଉପରୋକ୍ତ ବର୍ଗୀକରଣକୁ ନେଇ ବ୍ୟାଙ୍କିଙ୍ଗ ନିୟମ ହିସାବରେ ବ୍ୟାଙ୍କ ଖାତାରେ ପାଣ୍ଠି ବା ‘ପ୍ରୋଭିଜନ୍’ର ବ୍ୟବସ୍ଥା କରା ଯାଇଥାଏ, ଯାହା ଫଳରେ ଅଣଆଦାୟ ଋଣ ଦ୍ବାରା ବ୍ୟାଙ୍କ ସହୁଥିବା କ୍ଷତି ତାକୁ ଦେବାଳିଆ ସ୍ଥିତିକୁ େଠଲି ଦେବ ନାହିଁ। ସେହି ପ୍ରକ୍ରିୟାରେ ଋଣଟିଏ ଯଦି ୩ ବର୍ଷରୁ ଅଧିକ କାଳ ‘ସନ୍ଦେହଜନକ’ ବୋଲି ଚିହ୍ନଟ ହୋଇ ରହିଲା, ତେବେ ୧୦୦% ‘ପ୍ରୋଭିଜନ’ କରାଯାଏ। ତେଣୁ, ଗୋଟିଏ ଖରାପ ଋଣ, ଋଣଗ୍ରହୀତାକୁ ଦେବା ଦିନ ଠାରୁ ସମୁଦାୟ ୪ ବର୍ଷ ଲାଗେ ୧୦୦% ପ୍ରୋଭିଜନ ଅବସ୍ଥାକୁ ଆସିବା ପାଇଁ।
ଏବେ ଜାଣିବା ଏ ଖରାପ ଋଣ ସବୁ ‘ରାଇଟ୍ ଅଫ୍’ କେବେ କରାଯାଇଥାଏ। ପ୍ରଥମ କଥା, ଯେଉଁ ବର୍ଷ ‘କ୍ଷତି ସମ୍ପତ୍ତି’ ଚିହ୍ନଟ ହୁଏ, ସେଇ ବର୍ଷ ୧୦୦% ‘ରାଇଟ୍ ଅଫ୍’ କରାଯାଏ। କିନ୍ତୁ ୩ ବର୍ଷରୁ ଅଧିକ ସମୟ ବିତି ଯାଇ ଖାତାରେ ‘ସନ୍ଦେହଜନକ’ ସମ୍ପତ୍ତି ଉପରେ ୧୦୦% ପ୍ରୋଭିଜନ ହେଲା ପରେ ବି ଏହି ସମ୍ପତ୍ତିକୁ ‘ରାଇଟ୍ ଅଫ୍’ କେତେ ଦିନ ଭିତରେ କରାଯିବ, ସେ କଥା ବ୍ୟାଙ୍କିଙ୍ଗ ନିୟମରେ ଉଲ୍ଲେଖ ନାହିଁ। କହିବାର ଅର୍ଥ, ଆଜି ଦେଇଥିବା ଋଣର କିସ୍ତି ତିନି ବର୍ଷରୁ ଅିକ କାଳ ଧରି ନ ମିଳିଲେ ୧୦୦% ପ୍ରୋଭିଜନ କରାଯାଏ, କିନ୍ତୁ ଖାତାରୁ ‘ରାଇଟ୍ ଅଫ୍’ ହୁଏତ ୫ ବର୍ଷ ପରେ ହୋଇପାରେ। ଏହା ସମ୍ପତ୍ତିର ଗୁଣବତ୍ତା ଏବଂ ବ୍ୟାଙ୍କର ଋଣ ଆଦାୟ କରିବା କ୍ଷମତା ଓ ଯୋଜନା ଉପରେ ନିର୍ଭର କରେ। ମୋଟାମୋଟି କଥା ଏଇୟା ଯେ ଆଜି ‘ରାଇଟ୍ ଅଫ୍’ ହେଉଥିବା ଋଣର ଚେରକୁ ଖୋଜିବା ପାଇଁ ସର୍ବନିମ୍ନ ୪ ବର୍ଷ ତଳକୁ ବା ତା’ ଠାରୁ ଅଧିକ ବର୍ଷ ତଳକୁ ଯିବାକୁ ପଡ଼ିପାେର। କିନ୍ତୁ ଏଇୟା ନୁହେଁ ଯେ ଏମାନଙ୍କ ଠାରୁ ଋଣ ପରିଶୋଧ କରିବାର ପ୍ରକ୍ରିୟା ବନ୍ଦ ହୋଇଯାଏ। ଅନେକ ଯୁକ୍ତି ରଖନ୍ତି ଯେ, ବ୍ୟାଙ୍କ ଖାତାରେ ‘ଲୋନ ରାଇଟ୍ ଅଫ୍’ ହେବା ପରେ ମାତ୍ର ୧୫ରୁ ୨୦% ଆଦାୟ ହେଇପାରୁଛି। ତେଣୁ ବାକି ଟଙ୍କା ପରୋକ୍ଷରେ ‘ପୁଞ୍ଜିପତି’ମାନଙ୍କୁ ଋଣ ଛାଡ଼ କଲା ଭଳି। ନା, ସେଇୟା ନୁହେଁ! କାରଣ ଋଣ ଛାଡ଼ରେ ଋଣ ଗ୍ରହୀତାମାନଙ୍କୁ ଲିଖିତ ଆକାରରେ ଋଣଛାଡ଼କୁ ବୁଝାଏ ଏବଂ ସେଥିରେ ଖାତାରୁ ଋଣ ଗ୍ରହୀତାଙ୍କ ନାଁ କାଟିଦିଆଯାଏ। କିନ୍ତୁ ‘ରାଇଟ୍ ଅଫ୍’ ବେଳେ ଋଣ ଦେଇଥିବା ବ୍ୟାଙ୍କ ଖାତାରୁ ଋଣ ଗ୍ରହୀତାର ନାଁ କଟାଯାଏ ନାହିଁ ଏବଂ ବ୍ୟାଙ୍କ ଆଇନ ବଳରେ ହେଉ କିମ୍ବା ଅନ୍ୟ କୌଣସି ବଳରେ ଋଣ ରାଶି ଆଦାୟ କରିବାର ପ୍ରୟାସ ଜାରି ରହିଥାଏ। ଦ୍ବିତୀୟ କଥା, ‘ରାଇଟ୍ ଅଫ୍’ ହୋଇଥିବା ଋଣ ରାଶି ଯେ କେବଳ ପୁଞ୍ଜିପତିମାନଙ୍କର, ସେମିତି କିଛି ମାନେ ନାହିଁ। କାରଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଇନ, ୧୯୩୪ ସେକ୍ସନ ୪୫ଇ ହିସାବରେ କେଉଁ ଋଣ ଗ୍ରହୀତାଙ୍କର ଋଣ ଛାଡ଼ ହୋଇଛି ତାହାର ଚିଠା ବ୍ୟାଙ୍କ ଦ୍ବାରା ପ୍ରକାଶିତ ହୁଏ ନାହିଁ। ତେଣୁ, ‘ରାଇଟ୍ ଅଫ୍’ ଆଳରେ ଖାଲି ପୁଞ୍ଜିପତି ମାନଙ୍କର ଋଣ ଯେ ଛାଡ଼ ହଉଛି, ଭଳି ସନ୍ଦେହର କୌଣସି ଆଧାର ନାହିଁ। ଅବଶ୍ୟ, ‘ରାଇଟ୍ ଅଫ୍’ ତାଲିକାରେ ପୁଞ୍ଜିପତିମାନେ ମଧ୍ୟ ରହିଥାଆନ୍ତି।
ତୃତୀୟ କଥା, ବିଗତ ୮ ବର୍ଷ ଭିତରେ ସମୁଦାୟ ୧୦.୮ ଲକ୍ଷ କୋଟି ଟଙ୍କା ‘ରାଇଟ୍ ଅଫ୍’ ହୋଇଛି, ସେଥିରୁ ପ୍ରଥମ ୪ ବର୍ଷର (୨୦୧୪-୧୫ ରୁ ୨୦୧୭-୧୮ ପର୍ଯ୍ୟନ୍ତ) ପରିମାଣ ହେଲା ପାଖାପାଖି ୪.୨ ଲକ୍ଷ କୋଟି ଟଙ୍କା ଯାହାକି ସର୍ବମୋଟ ପରିମାଣର ୪୦%। ୨୦୧୮-୧୯ ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ‘ରାଇଟ୍ ଅଫ୍’ ପରିମାଣ ହେଲା ୬.୬ ଲକ୍ଷ କୋଟି ଟଙ୍କା। ବ୍ୟାଙ୍କିଙ୍ଗ ରେଗୁଲେସନ ହିସାବରେ ଦେଖିଲେ ଗୋଟେ ଋଣର ୧୦୦% ପ୍ରୋଭିଜନ ହେବା କିମ୍ବା ‘ରାଇଟ୍ ଅଫ୍’ ହେବାକୁ ଯଦି ୪ ବର୍ଷ ନିଏ, ତେବେ ୨୦୧୪-୧୫ରୁ ୨୦୧୭-୧୮ ଭିତରେ ‘ରାଇଟ୍ ଅଫ୍’ ହେଇଥିବା ଋଣ ୨୦୧୪ ପୂର୍ବରୁ ହିଁ ଦିଆଯାଇଥିବ। ତେଣୁ ଖରାପ ଋଣ ଜଣା ପଡ଼ିବା ସମୟରେ କ୍ଷମତାରେ ଥିବା ସରକାରଙ୍କୁ ଏଥି ଲାଗି ଦୋଷୀ ବୋଲି କହିବା ଯୁକ୍ତିଯୁକ୍ତ ନୁହେଁ। ତେବେ, ଯଦିଓ, ରିଜର୍ଭ ବ୍ୟାଙ୍କର ବିଜ୍ଞପ୍ତି ନମ୍ବର DBOD No. BP.BC/ ୨୦/ ୨୧.୦୪.୦୪୮/ ୨୦୦୧-୨୦୦୨ ହିସାବରେ ୨୦୦୪ ଠାରୁ ବ୍ୟାଙ୍କ ଋଣ ‘ପ୍ରୋଭିଜନିଙ୍ଗ’ ଏବଂ ‘ରାଇଟ୍ ଅଫ୍’କୁ ନେଇ ନୂଆ ନିୟମ ଆସିଥିଲା, ୨୦୦୪ରୁ ୨୦୧୫ ପର୍ଯ୍ୟନ୍ତ ବ୍ୟାଙ୍କମାନେ ନିଜର ଖରାପ ଋଣ ଚିହ୍ନଟ କରିବାରେ ଢିଲା ଦେବାରୁ ଖରାପ ଋଣ ଏବଂ ‘ଲୋନ ରାଇଟ୍ ଅଫ୍’ର ପରିମାଣ କମ୍ ବୋଲି ଘୋଷଣା କରାଯାଉଥିଲା। ୨୦୧୫ ପରେ ବ୍ୟାଙ୍କମାନଙ୍କର ସମ୍ପତ୍ତି ଗୁଣବତ୍ତାର କଡ଼ା ସମୀକ୍ଷା ପରେ ଯାଇ ସରକାରୀ ବ୍ୟାଙ୍କମାନଙ୍କର ‘ଲୋନ ରାଇଟ୍ ଅଫ୍’ ବିଷୟ ଜଣାପଡ଼ିଲା ଏବଂ ସ୍ବାଭାବିକ ଭାବେ ଏହାର ସଂଖ୍ୟା ବୃଦ୍ଧି ପାଇଲା।
ଏବେ ପୁଣି ଥରେ ଫେରିବା ରୋଟୋମାକ ଘଟଣାକୁ। ଯେଉଁ ବର୍ଷ କମ୍ପାନି ଋଣର କିସ୍ତି ନ ଶୁଝି ପାରି ବ୍ୟାଙ୍କିଙ୍ଗ ନିୟମ ଖିଲାପ କରି ଜଣକ ତକିଆ ଆଉ ଜଣଙ୍କ ମୁଣ୍ଡ ତଳେ ଥୋଉଥିଲା, ସେଇ ବର୍ଷ ହିଁ ତାକୁ ଏନ.ପି.ଏ ଘୋଷଣା କରିବାର ଥିଲା। କିନ୍ତୁ ତାହା ହେଲା ନାହିଁ। ୨୦୧୫ରେ ସରକାର ଏ ଠକେଇକୁ ଧରିଲେ, କୋଠାରି ପରିବାରର ସମ୍ପତ୍ତି ବିକ୍ରି କଲେ ଏବଂ ସେମାନେ ଜେଲ୍ ଗଲେ। କିନ୍ତୁ ଯେତେବେଳେ ଗଣମାଧ୍ୟମରେ ବ୍ୟାଙ୍କ ଏନ.ପି.ଏର ତଥ୍ୟ ସାମନାକୁ ଆସିଲା, ଲୋକେ ଏଇୟା ଭାବିଲେ ଯେ ୨୦୧୫ରେ ଏ ଠକେଇ ହେଲା, ଏତିକି ଟଙ୍କା ‘ଏନ.ପି.ଏ’ ବା ‘ରାଇଟ୍ ଅଫ୍’ ହେଲା। ପ୍ରକୃତରେ ଏଥି ଲାଗି ଦାୟୀ ୨୦୦୮ରୁ ୨୦୧୫ ମଧ୍ୟର ବ୍ୟାଙ୍କିଙ୍ଗ ଅପାରଗତା।