ଇ-ଉପବାସ ଓ ସମୁରାଇ ଯୋଦ୍ଧା

ବିଜନ କୁମାର ମହାପାତ୍ର

ସମାଜରେ ପ୍ରାୟ ସବୁ ବୟସ ବର୍ଗରେ ଏବଂ ଲିଙ୍ଗ ନିର୍ବିଶେଷରେ ଇଂଟରନେଟ ପ୍ରତି ଆସକ୍ତି ବଢ଼ିଚାଲିଛି। ଏଭଳି ଆସକ୍ତି ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବିଷୟ ନେଇ ବିଶେଷଜ୍ଞମାନେ ଏକମତ। ଏହାକୁ ଇଂରେଜୀରେ ‘ଇଂଟରନେଟ୍ ଆଡିକସନ୍ ଡିଜଅର୍ଡର’ ବା ‘ଆଇ.ଏ.ଡି.’ ବୋଲି କୁହାଯାଉଛି, ଯାହାକୁ ଓଡ଼ିଆରେ କହିଲେ ହେବ ‘ଇଂଟରନେଟ୍ ଆସକ୍ତିରୁ ବେମାରି’। ଏହାର ଲକ୍ଷଣମାନ ହେଲା ମାନସିକ ଅବସାଦ, ନିଦ୍ରାହୀନତା, ବିଷଣ୍ଣତା ଏବଂ ଏପରିକି ‘ପାନିକ୍‌ ଆଟାକ୍‌’ ବା ସହସା ଅହେତୁକ ଭୟ ଅନୁଭୂତିର ସୃଷ୍ଟି। ଜଣେ ଯଦି ବାରମ୍ବାର ବିନା କାରଣରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବିଚରଣ କରୁଛନ୍ତି ଏବଂ ନିଜକୁ ତହିଁରୁ ନିବୃତ୍ତ କରି ପାରୁ ନାହାନ୍ତି, ତେବେ ବୁଝିବାକୁ ହେବ ଯେ ସେ ‘ଇଂଟର୍‌ନେଟ୍‌ ଆଡିକସନ’ର ଶିକାର ଏବଂ ତାଙ୍କ ଠାରେ ଉପର ବର୍ଣ୍ଣିତ ଲକ୍ଷଣମାନ ପ୍ରକାଶ ପାଇବ।

ତେବେ, ଏହି ସମସ୍ୟାର ସମାଧାନ ହେଉଛି ଇଂଟର୍‌ନେଟ୍‌ରୁ ଦୂରେଇ ରହିବା, ଯାହାକୁ ‘ଇ-ଫାଷ୍ଟିଂ’ (ଇଲେକ୍ଟ୍ରୋନିକ ଫାଷ୍ଟିଂ) ବା ଇ-ଉପବାସ ବୋଲି କୁହାଯାଉଛି। କିନ୍ତୁ ସତ କହିଲେ ଆଜିକାଲି ସ୍ମାର୍ଟଫୋନ୍‌ ବା ଇଂଟର୍‌ନେଟ୍‌ରୁ ସଂପୂର୍ଣ୍ଣ ଦୂରେଇ ରହିବା ଅସମ୍ଭବ। ତଥାପି ପ୍ରତି ଦିନ କିଛି ଘଣ୍ଟା ପାଇଁ (ଶୋଇବା ସମୟକୁ ବାଦ୍ ଦେଇ) ଇ-ଫାଷ୍ଟିଂ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଜୈନ ସଂପ୍ରଦାୟର ଲୋକେ ଇ-ଉପବାସ ରଖିଥିଲେ ଏବଂ ସେଥିଲାଗି ସେମାନେ ନିଜ ନିଜର ସ୍ମାର୍ଟଫୋନ୍‌କୁ ୨୪ ଘଣ୍ଟା ପାଇଁ ଏକ ମନ୍ଦିରରେ ଜମା ରଖିଥିଲେ। ଏବେ ଧୀରେ ଧୀରେ ଲୋକେ ଇଂଟର୍‌ନେଟ୍‌ ଆସକ୍ତିର ମନ୍ଦ ଦିଗଗୁଡ଼ିକ ବାବଦରେ ସଚେତନ ହେବା ଦେଖାଗଲାଣି। ତେଣୁ କିଛି ଲୋକ ପ୍ରତି ଦିନ କିଛି ସମୟ ଇ-ଉପବାସ କରିବାକୁ ଆଗ୍ରହୀ ମଧ୍ୟ ହେଲେଣି। ୨୦୧୯ରେ ଆମେରିକାରେ ‘ସ୍କ୍ରଲ୍ ଫ୍ରି ଫର୍‌ ଏ ଇୟର୍‌’ ନାମରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯହିଁରେ ଭାଗ ନେଇ ଜଣେ ପ୍ରତିଯୋଗୀ ଦୀର୍ଘ ଏକ ବର୍ଷ ଧରି ଇ-ଉପବାସ କରି ଏଥିରେ ବିଜୟୀ ହୋଇଥିଲେ।

କିନ୍ତୁ ଅନେକଙ୍କ ମତରେ ଉପର ବର୍ଣ୍ଣିତ ଜୈନ ସଂପ୍ରଦାୟ ଭଳି ନିଜ ସ୍ମାର୍ଟଫୋନ୍‌ଗୁଡ଼ିକୁ ନିଜ ଠାରୁ ଦୂରେଇ ରଖି ଇ-ଉପବାସ କରିବା ହେଉଛି ଏକ ପ୍ରକାର ଆତ୍ମ ପ୍ରବଞ୍ଚନା। କାରଣ ସେହି ଲୋକେ ଯେତେବେଳେ ସେମାନଙ୍କ ସ୍ମାର୍ଟଫୋନ୍‌ମାନ ଦିନକ ପରେ ପାଇଥିବେ, ସେତିକି ବେଳେ ଖୁବ୍‌ ସମ୍ଭବ ସେମାନେ ସାମାଜିକ ଗଣମାଧ୍ୟମ ମଞ୍ଚକୁ ଯାଇ କ’ଣ ସବୁ ଘଟି ଯାଇଛି ବା ସେମାନଙ୍କ ପାଖକୁ କାହା ଠାରୁ କ’ଣ ସନ୍ଦେଶ ଆସିଛି, ସେ ସବୁ ଜାଣିବା ଲାଗି ଆତୁର ହୋଇ ଉଠିଥିବେ। ଶରୀରର ସୁସ୍ଥତା ଲାଗି ଉପବାସ କରିବା ପରଦିନ ଭୂରିଭୋଜନ କରିବା ସହ ଏହା ସମାନ। ତେଣୁ ତାହା ଏକ ଫଳପ୍ରଦ ଉପାୟ ନୁହେଁ। ସେମାନଙ୍କ ମତରେ ମୂଳ କଥା ହେଲା ସଂଯମ; ଅର୍ଥାତ୍‌ ହାତରେ ସ୍ମାର୍ଟଫୋନ୍‌ ଥିବ ଏବଂ ତା’ ଜରିଆରେ ଆବଶ୍ୟକ କାର୍ଯ୍ୟ ବି କରାଯାଉଥିବ, କିନ୍ତୁ ଅଯଥା ଇଂଟରନେଟ୍ ଦୁନିଆ ଭିତରେ ବିଚରଣ କରିବାର ଆତୁରତା ନ ଥିବ।
ଏହାକୁ ଉପଲକ୍ଷ୍ୟ କରି ଏକ ଜାପାନୀ କାହାଣୀ କୁହାଯାଉ। ଜଣେ ସମୁରାଇ ଯୋଦ୍ଧା ଠିକ୍‌ କଲେ ଯେ ଯୁଦ୍ଧ ଓ ହିଂସା ଛାଡ଼ି ଦେବେ, ତାଙ୍କ ସମୁରାଇ ଖଡ୍‌ଗଟିକୁ ଆଉ ବ୍ୟବହାର କରିବେ ନାହିଁ। ତେଣୁ ସେ ଜଣେ ଜେନ୍‌ ଗୁରୁଙ୍କ ନିକଟକୁ ଯାଇ ନିଜ ପ୍ରିୟ ଖଡ୍‌ଗକୁ ତାଙ୍କ ପାଦ ତଳେ ଥୋଇ ଦେଇ କହିଲେ- ଏହା ଆପଣଙ୍କ ନିକଟରେ ଥାଉ। କାରଣ ମୋ ଲାଗି ଏହାର କୌଣସି ଆବଶ୍ୟକତା ନାହିଁ।

ଗୁରୁ କହିଲେ- ଯଦି ଏମିତି କଥା, ତେବେ ଖଡ୍‌ଗଟି ତୁମ ପାଖରେ ରଖ। କାରଣ, ଯେହେତୁ ଏହାର ଆବଶ୍ୟକତା ନାହିଁ ବୋଲି କହିଲଣି, ତୁମେ ଆଉ ଏହାକୁ ବ୍ୟବହାର କରିବ ନାହିଁ। ସୁତରାଂ, ଏହା ମୋ ପାଖରେ ରହିବା ଯାହା, ତୁମ ପାଖରେ ରହିବା ତାହା।

କିନ୍ତୁ ସମୁରାଇ ଯୋଦ୍ଧା କହିଲେ- ମୋର କିନ୍ତୁ ମୋ କ୍ରୋଧ ଉପରେ ଭରସା ନାହିଁ। ମୋ ପାଖରେ ଏହା ରହିଲେ କାଳେ ରାଗ ଆସିଲେ ମୋ ହାତ ଏହାକୁ ବ୍ୟବହାର କରିବାକୁ ଚାଲିଯିବ! ତେଣୁ ଏହା ଆପଣଙ୍କ ପାଖରେ ରହୁ।

ଗୁରୁ କହିଲେ- ତା ହେଲେ ତ ଏହା ତୁମ ପାଖରେ ରହିବା ଆହୁରି ଜରୁରୀ। କାରଣ ତୁମେ ଯଦି ଏହାକୁ ଆଉ କେବେ ବି ବ୍ୟବହାର କରିବ ନାହିଁ ବୋଲି ସିଦ୍ଧାନ୍ତ ନେଲଣି, ତେବେ କ୍ରୋଧ ଆସିବା ବେଳେ ଏହା ତୁମ ପାଖରେ ଥିବା ସତ୍ତ୍ବେ ଯଦି ବ୍ୟବହାର ନ କଲ, ତେବେ ଜାଣିବ ଯେ ତୁମେ ତୁମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲ। ତେଣୁ ଏହା ତୁମ ପାଖରେ ହିଁ ଥାଉ। କେବଳ ଏତିକି କଥା ମନେ ରଖ ଯେ କ୍ରୋଧ ଅାସିବା ବେଳେ ଜାଗ୍ରତ ହୋଇଯିବ ଏବଂ ସେତିକି ବେଳେ ଏହା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବ। ଦେଖିବ ଦିନେ ଏମିତି ସ୍ଥିତି ଆସିବ, ତୁମେ ଆଉ କେ‌ବେ ବି ଏହାକୁ ଲୋଡ଼ିବ ନାହିଁ।

ଇଂଟର୍‌ନେଟ୍‌ ବ୍ୟବହାରରୁ ଦୂରେଇ ରହିବା ନେଇ ଏଇ ସମାନ କଥା କୁହାଯାଇପାରେ: ପାଖରେ ସାଧନ ଥିବା ସତ୍ତ୍ବେ ଏହାର ଅଯଥା ବ୍ୟବହାର ନ କରିବା ଲାଗି ସଂଯମ ବା ଜାଗରୂକତା ଆସିଲେ ଯାଇ ଇ-ଉପବାସ ସଫଳ ହେଲା ବୋଲି ଭାବିବାକୁ ହେବ। କାରଣ ସତ କଥା ହେଲା, ଆଜିକା ଯୁଗରେ ସ୍ମାର୍ଟ ଫୋନ୍‌ ବ୍ୟବହାର ନ କରିବା ଏକ ଅସମ୍ଭବ ବ୍ୟାପାର ଏବଂ ପ୍ରତିଦିନ ଇଂଟର୍‌ନେଟ୍‌ରେ ନୂଆ ନୂଆ ଆକର୍ଷଣ ଇନ୍ଦ୍ରଜାଲ ସୃଷ୍ଟି କରିବାରେ ଲାଗିଛନ୍ତି। ତେଣୁ ଆମମାନଙ୍କୁ ସେଇ ସମୁରାଇ ଯୋଦ୍ଧାଙ୍କ ଭଳି ହେବାକୁ ପଡ଼ିବ; ପାଖରେ ଖଡ୍‌ଗ ଥିବ କିନ୍ତୁ ତାକୁ ଆମେ ବ୍ୟବହାର ନ କରିବା ଲାଗି ଏକ ମାନସିକତା ଆମ ଭିତରେ ବିକାଶ ଲାଭ କରିଥିବ।

ମୋ- ୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର